ଶୁକୁଟି ବୋଉ
ଶୁକୁଟି ବୋଉ
ମିତୁ, ସେଦିନ ଛାତ ଉପରକୁ ଲୁଗାପଟା ଶୁଖାଇବାକୁ ଯାଇ, ଡାକ ପକେଇଲା, ମାଆ ମାଆ, ଦେଖିବେ ଆସନ୍ତୁ, ଗୋଟେ ବଢିଆ ଜିନିଷ, ତ ଠାକୁର ପୂଜା ଛାଡି ଉପରକୁ ଦୌଡ଼ି ଗଲେ ଶାଶୁ ସ୍ନିଗ୍ଧା, ମିତୁ କହୁଥିଲା, ଦେଖିଲେଣି ମାଆ, ଗୋଟେ ଅଲଗା ପ୍ରକାର ଇନ୍ଦ୍ରଧନୁ ପରି ସୂର୍ଯ୍ୟଙ୍କ ଚାରିପଟେ ବଳୟ ପରି ପଡିଛି। ଚଷମା ଆଣିବାକୁ ଭୂଲି ଯାଇଥିଲେ ସ୍ନିଗ୍ଧା,ତ ଦଉଡ଼ି ଗଲା ମିତୁ ତଳକୁ। ଆସ୍ତେ ଆସ୍ତେ ଯା କହୁ କହୁ ମିତୁ ନେଇଆସିଲା ସ୍ନିଗ୍ଧାଙ୍କ ଚଷମା। ଚଷମା ପିନ୍ଧି ଆକାଶକୁ ଚାହିଁଲେ,ସିଗ୍ଧା। ସତେତ ଏମିତି ସୂର୍ଯ୍ୟଙ୍କ ଚାରିପଟେ ଗୋଲେଇ ବଳୟ ଭରା ବୃତ୍ତ ପରି ଇନ୍ଦ୍ରଧନୁ, କେବେ ଦେଖିନଥିଲେ ସେ। ଏଣେ ଚଷମା ଭିତରୁ ଆଖି ଲୁହ ଲୁହ ହେଇଯାଉଛି ତ ଦୂର ଦିଗ୍ବଳୟ ଟପି ଚାହିଁଲେ। କେଡେ କେଡେ ବୈଜ୍ଞାନିକ ତ ହାରିଛନ୍ତି ଏ ଆକାଶର ସୀମା ଭିତରେ, ଗ୍ରହ ଉପଗ୍ରହ ମାନଙ୍କ ଭିତରେ, ଜାଣିବାକୁ ଜଳ ଓ ଜୀବନ ସତ୍ତା, ଆଉ ହାରି ପୁଣି ଚାଲିଛନ୍ତି, ଅନ୍ୱେଷଣରେ, ଲାଗିଛନ୍ତି ଗବେଷଣାରେ। ଦୂରଦିଗବଳୟର ସୀମାକୁ ଚାହିଁ ତଳକୁ ବୋହୁ, ମିତୁ ସହ ଆସିଲେ, ହେଲେ ମୁଣ୍ଡରେ ଶୁଭ ଅଶୁଭର ଚିନ୍ତା। ଏପଟ ସେପଟ ହେଉଥାନ୍ତି, ମନେ ମନେ ତୋରାଣି ନେବାକୁ ସବୁଦିନ ଆସୁଥିବା, ଶୁକୁଟି ବୋଉକୁ ଚାହିଁଥାନ୍ତି।
ଶୁକୁଟିବୋଉ, ଗାଁ ଗୋଟାକଯାକର ସବୁରି ପ୍ରିୟ। କାହାଘରେ କିଏ ବାଧିକା ପଡିଲା, କାହାର ବୋହୁ କି ଝିଅର ଡେଲିଭେରି ହେବ, କାହା ଘର ବୁଢା ବୁଢୀ ଶେଯରୁ ଉଠୁ ନାହାଁନ୍ତି ତ ସେମାନଙ୍କର ସବୁ ସେବା ଜତ୍ନ କରିବା ସହ ମଇଳା କାଢ଼ି ସଫା କରିବ, ଫିନାଇଲ ଦେଇ ଘର ଦ୍ଵାର ପୋଛିବ। ବଦଳରେ କାହା ଘରେ ପଖାଳ କି ବାସି ରୁଟି ଖାଇବ। ଗୋରୁ ଗାଈମାନଙ୍କ ପାଇଁ, ଆଘରୁ, ତାଘରୁ ତୋରାଣି ସଂଗ୍ରହ କରି ଆଣି ଯୋଗାଇବ, ଗୁହାଳ ପୋଛି, ମଶା ପାଇଁ ଧୁଆଁ ଦେବ। ସେହି ତୋରାଣି ସଂଗ୍ରହ କରୁ କରୁ ସ୍ନିଗ୍ଧାଙ୍କ ଘର ସହ ପରିଚୟ।ବରଷକୁ ଥରେ କିଏ କେମିତି ନୂଆ ଲୁଗା ଖଣ୍ଡେ ଦିଅନ୍ତି ଯେ ଶୁକୁଟି କୁ ଭଲ ମନ୍ଦରେ ପରବ ପୁନିଅରେ, ତା ଶାଶୁ ଘରେ ନେଇ ଦେଇଆସେ। ବଳିପଡିଥିବା ଖାଦ୍ୟ କି ଫ୍ରିଜରେ ରହି ଯାଇଥିବା ଖାଦ୍ୟ କେବେ କେମିତି ଦିଅନ୍ତି ସ୍ନିଗ୍ଧା ଯେ, ସେ ହାତ ପତେଇଥିଲେ, ସ୍ନିଗ୍ଧା ପକେଇଦିଆନ୍ତି ପାପୁଲିକୁ ତାର।ଦିନେ ଭାବନ୍ତି ନାହିଁ, ତା ହାତକୁ ଅନ୍ତତଃ ଦେଇଦେଲେ କ୍ଷତି କଣ। ସମସ୍ତଙ୍କୁ ସ୍ୱଚ୍ଛ ଓ ରଙ୍ଗୀନ ରଖିବାକୁ ଯାଇ, ସେ କାହିଁ ଅସ୍ପୃଶ୍ୟ ବା ଅସ୍ଵଚ୍ଛ ! ବରଂ ମନେପଡେ ଗୁରୁଦ୍ୱାରରେ ସେ ଓ ତାଙ୍କ ସହ କେଡେ ବଡ ବଢିଆ ଲୋକ ମଧ୍ୟ, ପଗଡ଼ି ବାନ୍ଧି,ହାତ ପାତି ରୁଟି ମାଗନ୍ତି, କେବେ ବି ସେଇଟା ତାଙ୍କ ପ୍ରଥା ବୋଲି ଭାବି ଶୁକୁଟି ହାତକୁ ବଳକା ରୁଟି ଅବା ପଖାଳ ଦେଲାବେଳେ ଖରାପ ଲାଗେନା ତାଙ୍କୁ, ତ ଆଜି କାହିଁ ଶୁକୁଟି ବୋଉ ଏତେ ମନେପଡ଼ୁଛି ! ଅଶିକ୍ଷିତ ହେଲେ ବି ତାର ବହୁତ ପରିପକ୍ଵ ବୁଦ୍ଧି ଓ ଜ୍ଞାନ। ସିଏ ହୁଏତ କହିପାରନ୍ତା, ଆକାଶରେ ସୂର୍ଯ୍ୟଙ୍କ ଚାରିପଟେ ପଡ଼ିଥିବା ବଳୟ ପରି ଇନ୍ଦ୍ରଧନୁ ଦେଖିଲେ ଶୁଭ ନା ଅଶୁଭ? ବୋହୁ ମିତୁଟା ଅନ୍ତଃସତ୍ତ୍ୱା, ଅଛିନା, ସୁକୁଟି ବୋଉ ହିଁ, ଏକମାତ୍ର ସାହା ଭରସା !
ଅନେଇ ଅନେଇ ଦୁଇଦିନ ହେଲାଣି ସେ ଆସୁନି। ପେଜ ତୋରାଣି ଭାସିଲାଣି, ତ ସ୍ନିଗ୍ଧା ଜାଣିବାକୁ ପାଇଲେ, ବୁଢ଼ୀ ବାଧିକା ପଡ଼ିଛି। ପାଉଁରୁଟି, ସେଓ, କିଛି ମିଠା ନେଇ ତା ଦୁଆରେ ପହଞ୍ଚିଲେ, ଶୁକୁଟି ଆସିଛି ମାକୁ ଦେଖି, ହେଲେ ଶୁକୁଟି ବୋଉ ଆଖି ଖୋଲୁନି। ନେଇଥିବା ଖାଦ୍ୟ ଶୁକୁଟିକୁ ଦେଇ ଫେରିଛନ୍ତି କି ନାହିଁ ଶୁଣିଲେ ବୁଢୀ ଚାଲିଗଲା। କେତେ କାହାର ମୃତ୍ୟୁ ଖବର ଶୁଣି ସ୍ନିଗ୍ଧାଙ୍କର ଏମିତି ଛାତି ଫାଟିଗଲା ପରି ଲାଗୁନଥିଲା। ଛାତ ଉପରକୁ ଯାଇ ଦିଗବଳୟ ସୀମା ଟପି ଶୁକୁଟି ବୋଉର ହସ ହସ ମୁହଁଟା ଦିଶୁଥିଲା ତାଙ୍କୁ। ହେଲେ ହୃଦୟ ଭିତରୁ କୋହ ଗୁଡା ଲୁହ ହୋଇ ବୋହିଯାଉଥିଲା।
