Sambit Srikumar

Tragedy Classics Inspirational

4.3  

Sambit Srikumar

Tragedy Classics Inspirational

ଶ୍ରେୟ

ଶ୍ରେୟ

5 mins
251



ସମାଜସେବୀ ହରଗୋବିନ୍ଦ ଦାସ ତାଙ୍କ ଜୀବନରେ ଏମିତି ଏକ ବିଷମ ସମସ୍ୟାକୁ ସାମ୍ନା କରିବେ ବୋଲି ସ୍ବପ୍ନରେ ସୁଦ୍ଧା ଚିନ୍ତା କରିନଥିଲେ।ବେଳକୁ ବେଳ ଜଟିଳ ହୋଇ ପଡୁଥାଏ ସମସ୍ଯାଟି। ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଚାପ ଓ ନିଜର ଦୃଢ଼ ବିଶ୍ବାସ ମଧ୍ଯରେ ଅଖଣ୍ଡ ଯୁଦ୍ଧ ଲାଗି ରହିଥିଲା। ମାମଲା କୋର୍ଟ୍ କଚେରୀରେ ଗଡୁଥିଲା ଦିନକୁ ଦିନ ତାଙ୍କର ମାନସିକ ଦୁଶ୍ଚିନ୍ତା ବଢୁଥିଲା। ଗୋଟିଏ ପକ୍ଷରେ ସମଗ୍ର ସମାଜ ଅପରପକ୍ଷରେ ଆପଣାର ପ୍ରିୟ ବନ୍ଧୁଙ୍କ ବଚନ, ଦୁହିଁଙ୍କ ମଧ୍ୟରେ ଯେମିତି ପେଶି ହୋଇ ମନ୍ଥି ହୋଇଯାଉଥିଲା ତାଙ୍କର ଅନ୍ତରାତ୍ମା!

ଦୀର୍ଘ ଦିନ ଧରି ସମାଜର ଅବହେଳାର ଶିକାର ହୋଇଥିବା ଶିଶୁମାନଙ୍କର ଲାଳନପାଳନ କରିଆସୁଛନ୍ତି ସେ ବିନା କୌଣସି ସରକାରୀ ଅଥବା ବେସରକାରୀ ସହାୟତାରେ। ଯେଉଁ ଶିଶୁମାନଙ୍କର କେହି ବି ନିକଟ ସମ୍ପର୍କୀୟ ନଥାନ୍ତି ଅବା ଜନ୍ମ କରିଥିବା ମାତାପିତା କୌଣସି ବିବଶତା ହେତୁ ତ୍ଯାଗ କରିଥାନ୍ତି ସେମାନଙ୍କ ପାଇଁ ଦେବଦୂତ ହେଉଛନ୍ତି ହରଗୋବିନ୍ଦ ବାବୁ। ରାସ୍ତା କଡ଼ରୁ ଉଠାଇ ଆଣି ସ୍ନେହ ଶ୍ରଦ୍ଧା ଦେଇ ଅଗଣିତ ଶିଶୁଙ୍କୁ ମଣିଷ ପରି ମଣିଷ କରି ସମାଜରେ ନିଜ ଗୋଡ଼ରେ ଠିଆ କରାଇପାରିଛନ୍ତି ସେ।

ନିଜେ ବି ଦିନେ ଏମିତି ଅନାଥ ନିରାଶ୍ରୟ ହୋଇ ସେ ଆସିଥିଲେ "ଯଶୋଦା ନିଳୟ" କୁ। ଏଇଠି ବଢି ପଢି ଶିକ୍ଷା ଦୀକ୍ଷା ଗ୍ରହଣ କରିବା ଉପରାନ୍ତେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ତାଙ୍କ ପରି ଅସହାୟ ଶିଶୁମାନଙ୍କୁ ସନ୍ମାର୍ଗ ଦେଖାଇବା ନିମନ୍ତେ। ଘର ପରିବାର ସଂସାର କାଳେ ଏହି ମହତ୍ ଉଦ୍ଦେଶ୍ୟରେ ବାଧା ସୃଷ୍ଟି କରିବ ଚିନ୍ତା କରି ଚିରଦିନ ବ୍ରହ୍ମଚାରୀ ରହିବାକୁ ଅଟଳ ନିଷ୍ପତ୍ତି ତାଙ୍କର। କେବେ ବି ସ୍ବୀକୃତି କିମ୍ବା ପୁରସ୍କାର ପଛରେ ଧାଇଁ ନାହାଁନ୍ତି ସେ। ସମାଜସେବୀ ବୋଲି ନିଜକୁ ପରିଚୟ ଦେବାକୁ ମଧ୍ୟ ସେ କୁଣ୍ଠିତ।

ଯେବେଠାରୁ ଯଶୋଦା ନିଳୟରେ ରହୁଥିବା ଅମରେନ୍ଦ୍ର ମ୍ଯାଟ୍ରିକ୍ ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ସେବେଠୁଁ ହରଗୋବିନ୍ଦ ବାବୁଙ୍କ ସମସ୍ଯାର ଅୟମାରମ୍ଭ ହେଇଛି। ଯେଉଁ ଦିନ ଅମରେନ୍ଦ୍ର ଏହି ସଫଳତା ହାସଲ କରିଥିଲା ସବୁଠାରୁ ଅଧିକ ଖୁସି ଅନୁଭବ କରିଥିଲେ ସେ। କିନ୍ତୁ ତାଙ୍କର ଖୁସିକୁ ଯେପରି ଗ୍ରହଣ ଲାଗିଯାଇଛି। ପ୍ରତିଦିନ କେହି ନା କେହି ଆସି ଅମରେନ୍ଦ୍ର ତାଙ୍କର ପୁଅ ବୋଲି ଦାବି କରିବାକୁ ଲାଗିଛନ୍ତି।

କେହି ଆସି କହୁଛି ସିଏ କାଳେ ଅମରେନ୍ଦ୍ରକୁ ମକର ମେଳାରେ ହଜାଇ ଦେଇଥିଲା ତ ଆଉ କିଏ କହୁଛି ରଥଯାତ୍ରାରେ। କେତେକ ତ ପୋଲିସ୍ ଷ୍ଟେସନରେ ଦେଇଥିବା ଏତଲାର ନକଲ ମଧ୍ଯ ଦେଖାଇ ଅମରେନ୍ଦ୍ରକୁ ନିଜର ପୁଅ ବୋଲି ଦାବି କରୁଥିଲେ। କତିପୟ ଚତୁର ବ୍ଯକ୍ତି ବିଶେଷ ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା କୋର୍ଟ୍ କଚେରୀର ଧମକ ଦେଉଥିଲେ ହରଗୋବିନ୍ଦ ବାବୁଙ୍କୁ। ଜନ୍ମରୁ ମାତାପିତାଙ୍କ ଆଦର ସ୍ନେହ ପାଇନଥିବା ବିଚରା ଅମରେନ୍ଦ୍ର ଆକ୍ତାମାକ୍ତା ହୋଇଯାଉଥିଲା ଏପରି ପରିସ୍ଥିତିରେ।

କିନ୍ତୁ ଏକମାତ୍ର ହରଗୋବିନ୍ଦ ବାବୁଙ୍କୁ ହିଁ ଜଣାଥିଲା ଅମରେନ୍ଦ୍ରର ପ୍ରକୃତ ପରିଚୟ। କିନ୍ତୁ ନିଜର ପ୍ରିୟ ବନ୍ଧୁଙ୍କୁ ଦେଇଥିବା ବଚନ ରକ୍ଷା ପାଇଁ ସେ ଥିଲେ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ନା ସେ ଅମରେନ୍ଦ୍ରକୁ କହି ପାରୁଥିଲେ ତା'ର ପିତୃ ପରିଚୟ ସମ୍ବନ୍ଧରେ ଅବା ନିଜେ ସହିପାରୁଥିଲେ ଅମରେନ୍ଦ୍ର ଭୋଗ କରୁଥିବା ମାନସିକ ଯନ୍ତ୍ରଣା। କିଂକର୍ତ୍ତବ୍ଯବିମୁଢ ହୋଇ ସେ ସବୁକିଛି ସଠିକ୍ ସମୟର ଭରସାରେ ନିର୍ଣ୍ଣୟକୁ ଛାଡ଼ି ଦେଇଥିଲେ।

ବିଶିଷ୍ଟ ଶିଳ୍ପପତି ରାୟ ବାହାଦୁର ସମରେନ୍ଦ୍ର ଚୌଧୁରୀଙ୍କ ଆଭିଜାତ୍ୟର ସନ୍ତକ ହେଉଛି ଅମରେନ୍ଦ୍ର। ନିଜର ବିବାହିତ ପତ୍ନୀ ଥାଇ ମଧ୍ୟ ତାଙ୍କ ଅଫିସରେ କାର୍ଯ୍ୟରତା ସୂଶ୍ରୀ ତରୁଣୀ ମନସ୍ବିନୀ ମହାନ୍ତିଙ୍କ ପ୍ରତି ଆକୃଷ୍ଟ ହୋଇପଡିଲେ ସମରେନ୍ଦ୍ର। କହିବା ଅନାବଶ୍ୟକ ଯେ, ଏହି ଆକର୍ଷଣ ତାଙ୍କର ବଂଶଗତ ବଦଭ୍ଯାସ। ପୂର୍ବସୂରୀମାନେ ଜମିଦାର ଥିଲେ, ମନମୁତାବକ ବ୍ଯାଭିଚାରେ ଲିପ୍ତ ଥିଲେ। ବହୁ ନାରୀଙ୍କ ସହିତ ଅନୈତିକ ସମ୍ପର୍କରେ ଆବଦ୍ଧ ହୋଇଥିଲେ। ଏଇଟା ତାହାଙ୍କର ପୌରୁଷର ଜୟ ଜୟକାର ଥିଲା। ଏସବୁ ରାଜରାଜୁଡ଼ା ଅମଳରେ ବେଶ୍ ଶୋଭା ପାଉଥିଲା। ଖୁଲମଖୁଲା ଲୋକେ ଗର୍ବ ଅନୁଭବ କରୁଥିଲେ। ଏବେ ଯେ ଏମିତି ନ ହେଉଛି ବୋଲି ନାହିଁ କିନ୍ତୁ ଆଜିକାଲି ଲୁଚାଛପାରେ ଯାହା ଚାଲିଛି। ସଭିଏଁ ତ ପରକୀୟା ପ୍ରୀତିର ମଜ୍ଜା ଲୁଟିବାକୁ ପ୍ରଲୁବ୍ଧ ମାତ୍ର ତଜ୍ଜନିତ ଅପବାଦ କିମ୍ବା ଦାୟିତ୍ବ ମୁଣ୍ଡାଇବାକୁ ଅପ୍ରସ୍ତୁତ!

ନିମ୍ନ ମଧ୍ୟବିତ୍ତ ପରିବାରର ଜ୍ଯେଷ୍ଠା କନ୍ୟା ମନସ୍ବିନୀ ମହାନ୍ତି। ବୃଦ୍ଧ ପିତା ପକ୍ଷାଘାତରେ ପୀଡିତ। ମାତାଙ୍କର ମାନସିକ ବିକୃତି। ଏକାକୀ ପରିବାରର ବୋଝ ବୋହି ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ ମଣିଷ କରିବାକୁ ଯାଇ ନିଜେ ବଳି ପଡ଼ିଗଲେ ସମରେନ୍ଦ୍ର ଚୌଧୁରୀଙ୍କ କାମନାର ଅଗ୍ନିକୁଣ୍ଡରେ। ସମରେନ୍ଦ୍ରଙ୍କ ଅଫିସରେ ରିସେପସନିଷ୍ଟ୍ ଭାବେ କାର୍ଯ୍ୟାରମ୍ଭ କରିଥିବା ଅପରୂପା ସୌନ୍ଦର୍ଯ୍ୟର ଅଧିକାରିଣୀ ମନସ୍ବିନୀଙ୍କୁ ପଦୋନ୍ନତି ଦିଆଯାଇ ପରିଚାଳନା ନିର୍ଦ୍ଦେଶକଙ୍କ ବ୍ଯକ୍ତିଗତ ସଚିବ ପଦରେ ଅଧିଷ୍ଠିତ କରାଯାଇଥିଲା। ଉଦ୍ଧେଶ୍ୟ ଥିଲା ମନସ୍ବିନୀଙ୍କ ସହିତ ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇବାକୁ।

ପଦୋନ୍ନତିକୁ ନିଜର କଠୋର ଅଧ୍ୟବସାୟର ଫଳ ବୋଲି ମଣୁଥିବା ମନସ୍ବିନୀଙ୍କର ମୋହ ଭଙ୍ଗ ହୋଇଥିଲା ଯେବେ କାର୍ଯ୍ୟର ବାହାନାରେ ଚେନ୍ନାଇର ନିଭୃତ ହୋଟେଲ୍ ସୁଇଟରେ ସମରେନ୍ଦ୍ର ତାଙ୍କୁ ପ୍ରେମ ନିବେଦନ କରିଥିଲେ। ପାରିବାରିକ ବିବଶତା ତାଙ୍କ ବିବେକକୁ ହନନ କରିଦେଇଥିଲା। ସମସ୍ତ ଅନିଚ୍ଛା ସ୍ବୀକୃତିରେ ପରିବର୍ତ୍ତିତ ହୋଇ ଯାଇଥିଲେ। 'ମୌନେ ସମ୍ମତି ଲକ୍ଷଣମ୍' ରୀତିରେ ଆପଣାକୁ ଅର୍ପଣ କରିଦେଇଥିଲେ ସମରେନ୍ଦ୍ରଙ୍କ ବଳିଷ୍ଠ ବାହୁ ବେଷ୍ଟନୀରେ। ଭୁଲି ଯାଇଥିଲେ ମର୍ଯ୍ୟାଦାର ଏରୁଣ୍ଡି ବନ୍ଧ। ଶାଳିନତାର ଲକ୍ଷ୍ମଣରେଖା। ଏହି ସୁଯୋଗକୁ ସଦୁପଯୋଗ କରି ମନସ୍ବିନୀଙ୍କ ଆରକ୍ତ ଅଧରରେ ସମରେନ୍ଦ୍ର ଆଙ୍କି ଦେଇଥିଲେ ଉଷ୍ମ ଚୁମ୍ୱନ। କ୍ଷଣିକରେ ମହମ ପରି ତରଳି ଯାଇଥିଲେ ମନସ୍ବିନୀ, ସମରେନ୍ଦ୍ରଙ୍କ ଉଷୁମ ପରଶରେ। ଦୁହେଁ ଅବାଧରେ ଭିଜିଥିଲେ ପ୍ରଣୟର ବାରିରେ। ସେବେଠାରୁ ସମରେନ୍ଦ୍ର ମନ ଇଛା ଯେତେବେଳେ ଯେଉଁଠି ଉପଭୋଗ କରୁଥିଲେ ମନସ୍ବିନୀଙ୍କ ସାହଚର୍ଯ୍ଯ ଅତି ସନ୍ତର୍ପଣରେ, ସାରା ଦୁନିଆଁର ଦୃଷ୍ଟିର ଆଢୁଆଳରେ।

ପରକୀୟା ପ୍ରୀତିର ରହସ୍ୟ ସବୁଦିନ ଲୁକାୟିତ ହୋଇ ରହେନାହିଁ। ଦିନେ ନା ଦିନେ ଏହା ସାର୍ବଜନୀନ ହୋଇଥାଏ। ଏମିତି ଦିନେ ଏଇ ଦୁହିଁଙ୍କ ଚୋରା ପୀରତି ଉଜାଗର ହେବାରେ ଲାଗିଲା। ମନସ୍ବିନୀ ସେତେବେଳକୁ ଅନ୍ତଃସତ୍ତ୍ଵା! କଥାଟା ହାଟରେ ପଡି ଦାଣ୍ଡରେ ଗଡ଼ିବାରେ ଲାଗିଲା। ଦୁହିଁଙ୍କର ପାରିବାରିକ ଜୀବନରେ ଅଦିନ ଝଡ଼ ଉଠିଲା। ମାତ୍ର କେହି କାହାରିକୁ ତ୍ଯାଗ କରିବା ପାଇଁ ପ୍ରସ୍ତୁତ ନଥିଲେ। ଏହି ପାପାଚାର ସମରେନ୍ଦ୍ରଙ୍କ ପତ୍ନୀ ପ୍ରଣତି ଦେବୀଙ୍କ କର୍ଣ୍ଣଗୋଚର ହେବା କ୍ଷଣି ମନସ୍ବିନୀଙ୍କ ସହିତ ତାଙ୍କ ଜଠରରେ ବଢୁଥିବା ଭ୍ରୂଣକୁ ନଷ୍ଟ କରିବା ପାଇଁ ନାନା ଫନ୍ଦିଫିକର କରିଥିଲେ ମଧ୍ୟ ତାହା ଫଳବତୀ ହୋଇନଥିଲା।

ସମସ୍ତଙ୍କୁ ଚକିତ କରି ସକଳ ନିନ୍ଦା ଅପବାଦକୁ ମୁଣ୍ଡାଇ ମନସ୍ବିନୀଙ୍କ ଔରସରୁ ପୁତ୍ର ସନ୍ତାନଟିଏ ଜନ୍ମଲାଭ କଲା। ଚନ୍ଦ୍ରଉଦିଆ ଚେହେରାକୁ ମନଜିଣା ରୂପ ପିଲାଟିର। ପୂର୍ବରୁ ସମରେନ୍ଦ୍ରଙ୍କର ଦୁଇଟି କନ୍ଯା ଥିଲେ ପ୍ରଣତି ଦେବୀଙ୍କ ଔରସରୁ। ପୁତ୍ର ସନ୍ତାନର ଜନକ ହୋଇଥିବା ହେତୁ ମନସ୍ବିନୀ ଅବା ପୁତ୍ରକୁ ତ୍ଯାଗ କରିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ ସେ। ମାତ୍ର ପ୍ରଣତି ଦେବୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ସମରେନ୍ଦ୍ର। ମାଆ ପୁଅ ଦୁହିଁଙ୍କ ଥଇଥାନ ବ୍ଯବସ୍ଥା ବୁଝୁ ବୁଝୁ ମନେପଡ଼ିଲା ତାଙ୍କର ବନ୍ଧୁ ହରଗୋବିନ୍ଦ ଦାସଙ୍କ କଥା। ସୂତରାଂ ଦୁହିଁଙ୍କୁ କଟକ ମହାନଗର ତ୍ଯାଗ କରି ସୁଦୂର କେଉଁଝରର ଏକ ଅଖ୍ୟାତ ଇଲାକାରେ ଅବସ୍ଥିତ ଯଶୋଦା ନିଳୟରେ ରହିବାକୁ ପଡିଲା।

ଇଛା ଅନିଚ୍ଛା ଆଉ ମନସ୍ବିନୀଙ୍କ ବଶରେ ନଥିଲା। ଅବଶ୍ୟ ତାଙ୍କ ପରିବାରର ଭରଣ ପୋଷଣର ସମସ୍ତ ବନ୍ଦୋବସ୍ତ ସମରେନ୍ଦ୍ର କରିଦେଇଥିଲେ। ଏଣୁ ଭାଇ ଭଉଣୀମାନଙ୍କ ପାଇଁ ତାଙ୍କର ଆଉ ଆବଶ୍ୟକତା ଅନୁଭୂତ ହେଉନଥିଲା। ସମରେନ୍ଦ୍ରଙ୍କ ଉପେକ୍ଷା, ପରିବାରର ତିରସ୍କାର ତାଙ୍କର ମାନସିକ ସନ୍ତୁଳନ ବିଗାଡି ଦେବାକୁ ଯଥେଷ୍ଟ ଥିଲା। ସମସ୍ତ ଚେଷ୍ଟା ସତ୍ତ୍ବେ ସୁଧାର ଆସିଲା ନାହିଁ ମନସ୍ବିନୀଙ୍କ ମାନସିକ ସ୍ବାସ୍ଥ୍ୟରେ। ଅଗତ୍ୟା ରାଞ୍ଚି ପାଗଳଖାନାରେ ତାଙ୍କୁ ଭର୍ତ୍ତି କରି ସମରେନ୍ଦ୍ର ବାବୁ ହରଗୋବିନ୍ଦଙ୍କ ହାତରେ ଅମରେନ୍ଦ୍ରକୁ ଟେକି ଦେଲେ ଦେଖାଶୁଣା କରିବା ପାଇଁ। କଟକ ଫେରି ଯିବା ବେଳେ ଅମରେନ୍ଦ୍ରକୁ ମାତାପିତାଙ୍କ ବାବଦରେ କିଛି ବି ସୂଚନା ଦେବାକୁ ବାରମ୍ବାର ମନା କରିଯାଇଥିଲେ ସେ। ଭାଗ୍ୟର ବିଡ଼ମ୍ବନା ଅବା ବିଧାତାର ଚରମ ରସିକତା, ପିତାମାତା ଦୁହେଁ ଦୁନିଆଁରେ ଥାଇବି ଅମରେନ୍ଦ୍ର ବଢିଲା ଅନାଥାଶ୍ରମରେ ଅନ୍ୟ ଶିଶୁମାନଙ୍କ ପରି।

ଏଇ ଘଟଣାକୁ ଦୀର୍ଘ ପନ୍ଦର ବର୍ଷ ବିତିଗଲାଣି। ପ୍ରଥମେ ପ୍ରଥମେ ସମରେନ୍ଦ୍ର ବାବୁ ବରାବର ଅମରେନ୍ଦ୍ର ବିଷୟରେ ପଚାରି ବୁଝୁଥିଲେ। ଏବେ କିନ୍ତୁ ସେ ନିରବ, ନିଜ ସଂସାର ଓ ବ୍ୟବସାୟିକ କାର୍ଯ୍ୟରେ ମଗନ। ମନସ୍ବିନୀଙ୍କ ବାବଦରେ କାହାରିକୁ କିଛି ବି ଜଣା ନାହିଁ। ପାଗଳଖାନାରେ ବଞ୍ଚି ରହିଛନ୍ତି ନା ମରି ହଜି ଗଲେଣି ସେଇ ବିଷୟରେ କେହି ବି ଖବର ରଖି ନାହାଁନ୍ତି। ଅମରେନ୍ଦ୍ର ପିଲାଟି ଦିନରୁ ବିଚକ୍ଷଣ ପ୍ରତିଭାର ଅଧିକାରୀ। ପ୍ରଚଣ୍ଡ ମେଧାବୀ। ସମସ୍ତ ପ୍ରକାରର ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଆଜି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ମ୍ଯାଟ୍ରିକ୍ ପରୀକ୍ଷାରେ। ଭବିଷ୍ୟତରେ ଦକ୍ଷ ପ୍ରଶାସକଟିଏ ହେବାକୁ ଆଶା ପୋଷଣ କରିଛି। ଟେଲିଭିଜନ ପରଦାରେ ତା'ର ସାକ୍ଷାତକାର ଦେଖିବା ପରେ ସଭିଏଁ ତାକୁ ଏକବାରେ ଆପଣାର କରି ନେବାକୁ ଟାକି ବସିଛନ୍ତି। ଯଦିଓ ତାହାର ସଫଳତାରେ ଏମାନଙ୍କର କାହାର ବି କାଣିଚାଏ ଭୂମିକା ନାହିଁ। ଯେଉଁଠି ନିଜର ପିତା ତାକୁ ପିତୃତ୍ୱର ପରିଚୟ ହେବାକୁ ଅନିଚ୍ଛୁକ ସେଠାରେ ଅନେକ ଆଗଭର ତାକୁ କୋଳେଇ ନେଇ ନିଜର ପରିଚୟରେ ପରିଚିତ କରାଇବାକୁ।

ନିରୂପାୟ ହୋଇ ହରଗୋବିନ୍ଦ ବାବୁ ଅମରେନ୍ଦ୍ରକୁ ସବୁ କଥା ପରିଷ୍କାର ଭାବେ ବୁଝାଇ କହିବା ସହିତ ନିଜ ଜୀବନ ବିଷୟରେ ନିଜେ ନିଷ୍ପତ୍ତି ନେବାକୁ ପ୍ରବର୍ତ୍ତାଇଲେ। ନିଜ ଜୀବନର ସମସ୍ତ ସଂଗୋପିତ ସତ୍ଯ ଶୁଣି ସାରି ସମସ୍ତ ଆଗନ୍ତୁକମାନଙ୍କ ପ୍ରସ୍ତାବକୁ ପ୍ରତ୍ଯାଖ୍ଯାନ କରିଦେଇ ସେ ସ୍ବକୀୟ ପରିଚୟ ସୃଷ୍ଟି କରିବାକୁ ବାହାରି ପଡ଼ିଲା ଯଶୋଦା ନିଳୟ ତ୍ଯାଗ କରି। ସେବେଠାରୁ ଆଉ ଅମରେନ୍ଦ୍ରକୁ କେହି ବି ଦେଖି ନାହାଁନ୍ତି କେଉଁଝରର ସେଇ ଅଖ୍ଯାତ ଇଲାକାରେ। ସଭିଏଁ ତା'ର ଥାଇ ବି ସେ ଥିଲା ଅନାଥ! ସବୁକିଛି ତା'ର ଥାଇ ମଧ୍ଯ ସେ ଥିଲା ଅସହାୟ! ରାୟ ବାହାଦୁର ବଂଶର ଦାୟାଦ ହୋଇବି ସେ ଥିଲା ବିପନ୍ନ ବେଦୁଇନ୍! ଏକାନ୍ତ ଜୀବନର ସୁଦୀର୍ଘ ଚଲାପଥରେ ସେ ଚଢି ଚାଲିଛି ପାହଚ ପରେ ପାହାଚ ସଫଳତାର। କିନ୍ତୁ ତା'ର ଶ୍ରେୟର ଅଧିକାରୀ ସିଏ ନିଜେ, ତା'ର ମେଧା!



Rate this content
Log in

Similar oriya story from Tragedy