Alhadini Panigrahi dash

Thriller Others

5.0  

Alhadini Panigrahi dash

Thriller Others

ଶିଶୁ ଶ୍ରମିକର ସ୍ଵପ୍ନ

ଶିଶୁ ଶ୍ରମିକର ସ୍ଵପ୍ନ

3 mins
472


ଆଃ... କି ସୁନ୍ଦର ରଙ୍ଗ, ବେରଙ୍ଗର ଫୁଲଭରା ବଗିଚା । ଏଡିନିୟମ, ୟୁଫୋବିଆ, ଗୋଲାପ, ଡାଲିଆ ସବୁ ପ୍ରକାର ଦେଶୀ, ବିଦେଶୀ, ଫୁଲର ବାସ୍ନାରେ ଚତୁର୍ଦ୍ଦିଗ ସୁରଭିତ । କେତେ ରଙ୍ଗୀନ ପ୍ରଜାପତି ସବୁ, ଫୁଲରୁ ଫୁଲକୁ ଉଡି ଯାଉଛନ୍ତି । ବଗିଚାର ଗୋଟିଏ ପଟରେ ବିଭିନ୍ନ ପ୍ରକାର ଦୋଳି । ମନୁଆଁ ଜୀବନରେ କେବେ ବି ଏମିତି ସୁନ୍ଦର ସ୍ଥାନ ଦେଖି ନଥିଲା । ଗୋଟିଏ ପଟରେ ସୁନ୍ଦର ଫଳ ଗଛ ଦେଖି ସେ ଚାଲିଲା ଗଛ ପାଖକୁ । ଦି'ଚାରିଟା ଫଳ ଖାଇଲା । ଭାରି ସ୍ବାଦିଷ୍ଟ ଫଳ । ଦୋଳି ପାଖରେ ତା ସାଙ୍ଗ ପିଲା ସବୁ ଖେଳିବାର ଦେଖି ସେ ବି ମନଭରି ଦୋଳି ଖେଳିଲା ।

ତା ଜୀବନରେ ଏମିତି ଦିନ ଟିଏ କେବେ ଆସି ନଥିଲା । କେମିତି ବା ଦେଖିବ, ସକାଳ ପାହୁ, ପାହୁ ମାଲିକ ଉଠେଇଦେବ । ଘର ଝାଡୁ କରିବା, କପ୍ ପ୍ଲେଟ ଧୋଇବା ବାହାନାରେ । ଆଖି ଆଗରେ ସୁସ୍ବାଦୁ ଖାଦ୍ୟ ଥାଇ ବି ତାକୁ ମିଳେନି । ଥକିଯାଇ ଟିକେ ବସିଗଲେ ହୋଟେଲର ମାଲିକର କଡା ତାଗିଦା ।

ହୋଟେଲର ଟିଭିରେ ଦେଖିଛି । ସେ ତାପରି ଛୋଟ ପିଲା କାମ କରିବା ଆଇନ ଆଖିରେ ଅପରାଧ । ତାଙ୍କୁ ଶିଶୁ ଶ୍ରମିକ କହନ୍ତି । ସେସବୁ ବଡ ବଡ କଥା, ଶିଶୁ ମନୁଆଁ ବୁଝି ପାରେନି । ଭାବେ କାମ ନ କଲେ କଣ ଖାଇବ ସେ ! ସେଥି ପାଇଁ ମାଲିକର ଗାଳିର ଉତ୍ତର ଦିଏନି ।


ମନୁଆଁ କାନ୍ଦେ ,କାନ୍ଦି କାନ୍ଦି ଶୋଇଯାଏ । ଭାବେ ଅନ୍ୟ ପିଲାଙ୍କ ପରି ତା’ର ବି ବାପାମା’ ଥାଆନ୍ତେ କି ! ସେବି ସ୍କୁଲ ଯାଆନ୍ତା, ସୁନ୍ଦର ସୁନ୍ଦର ଡ୍ରେସ୍ ପିନ୍ଧନ୍ତା, ପାର୍କ ଯାଆନ୍ତା,ଏମିତି କାନ୍ଦି କାନ୍ଦି ନଶୋଇ ମା’ କୋଳରେ ଲୋରୀ ଶୁଣି ଶୁଣି ଶୁଅନ୍ତା । ଦି’ ବର୍ଷ ତଳେ ମା’ ମରିଗଲା । ମାଆ ବି ଏଇ ହୋଟେଲରେ କାମ କରୁଥିଲା । ମା’ ଗଲା ପର ଠୁ ସେ ବି ଏଇଠି କାମ କରୁଛି । ସେ ମାଆକୁ କେତେ ଖୋଜିଛି, କାନ୍ଦିଛି । ରାମୁ କାକା ଏଇ ହୋଟେଲର ରାନ୍ଧୁଣିଆ, ଭାରି ଭଲ ପାଆନ୍ତି ସେ ଅନାଥ ମନୁଆଁକୁ । ବୁଝାନ୍ତି ବାପାମା’ ତୋର ସ୍ବର୍ଗ ପୁରରେ ଅଛନ୍ତିରେ କାନ୍ଦନା । ଅବୁଝା ମନୁଆଁ ପଚାରି ଥିଲା- "କାକା ସ୍ବର୍ଗ ପୁର କେତେ ଦୂର ଯେ ? କେମିତି ଯାଇହେବ । ସେଠାକୁ ବସ୍ ଯାଏକି ? ରାମୁ କାକା ପାଖରେ ତାର ପ୍ରଶ୍ନର ଉତ୍ତର ନଥିଲା । ମନୁଆଁକୁ ମନାଇବା ପାଇଁ କହିଦେଲା--" ସେଇ ଯେଉଁ ନିଶୁଣି ପଡିଛି । ଭଗବାନ ସେଇମିତି ନିଶୁଣିଟେ ପଠାଇ ଦେଲେ, ସ୍ବର୍ଗ ପୁର ଯାଇ ତୋ ମା’କୁ ଦେଖି ଆସିବା ।


 ବଗିଚା ସାରା ଆନନ୍ଦରେ ବୁଲି ବୁଲି ରାମୁକାକା କଥା ଭାବୁଛି । ଭାବିଲା, ଫଳ ତ ଖାଇଲି ,ଦୋଳି ବି ଝୁଲିଲି । ଖାଲି ଭଗବାନ ନିଶୁଣିଟିଏ ପଠାଇ ଦିଅନ୍ତେନି ! ଥରେ ଯାଇ ମା’କୁ ଦେଖି ଆସନ୍ତି । । ମନୁଆଁ ଆଗରେ ସତକୁ ସତ, ବିରାଟ ନିଶୁଣିଟେ ଠିଆ ହୋଇଗଲା । ଆଗପଛ କିଛି ନ ବିଚାରି ସେ ସେଇ ନିଶୁଣି ରେ ଚଢିଗଲା । ଭାବିଲା ହୃଦୟ ଭିତରୁ ମାଗିଲେ ଭଗବାନ ସବୁ ଦିଅନ୍ତି ପରା । ସ୍ବର୍ଗକୁ ଛୁଇଁବାକୁ ହାତ ବଢାଇଲା ସେ । ହେଇତ ସ୍ବର୍ଗ ହାତ ପାହାନ୍ତାରେ ମନୁଆଁର ମନରେ ଆନନ୍ଦ କାହିଁରେ କ’ଣ ? ଆଉ ଟିକକରେ ମା’ ପାଖରେ ପହଞ୍ଚ ଯିବ ସେ । ମା’ ତାକୁ ଦେଖି କେତେ ଖୁସି ହେବ ! ମା’ ତାକୁ ତାପରି ଖୋଜୁଥିବ ପରା । ଆଜି କେତେ ଦିନ ପରେ ମା’ କୋଳରେ ଶୋଇବ ଗେଲ ହେବ । ଲୋରୀ ଶୁଣିବ ।

ହଠାତ୍ ତାକୁ କିଏ ଠେଲି ଦେଲା । କଚାଡି ହୋଇ ପଡିଲା । ମନୁଆଁ ଭାବି ପାରିଲା ନାହିଁ, କିଏ ଠେଲିଲା । ସେ କ’ଣ ମା’କୁ ଦେଖି ପାରିବ ନାହିଁ?

ମାଲିକର ରଡିରେ ଉଠି ବସିଲା ସେ । ଆଖି ମଳି ମଳି ଦେଖିଲା କେହି କୁଆଡେ ନାହାନ୍ତି । ବଗିଚା, ନିଶୁଣି କିଛି ନାହିଁ । ମାଲିକର ଲାତରେ ଖଟରୁ ତଳେ ପଡିଛି ।

ତାହେଲେ ସେ ସ୍ବପ୍ନ ଦେଖୁଥିଲା । ସ୍ବପ୍ନରେ ନିଶୁଣି ବାନ୍ଧୁଥିଲା ସ୍ବର୍ଗକୁ । କାନ୍ଦି ଉଠିଲା ମନୁଆଁ, ସେ ଯେ ଶିଶୁ ଶ୍ରମିକ । ତା ପାଇଁ ଯେ ସ୍ବପ୍ନ ଦେଖିବା ବି ମନା । କପ୍ ,ପ୍ଲେଟ ଧୋଇବାକୁ ଚୁପ୍ ଚାପ୍ ଉଠିଗଲା ମନୁଆଁ । 


Rate this content
Log in

Similar oriya story from Thriller