Writer Roja Panda

Inspirational

2.5  

Writer Roja Panda

Inspirational

ଶିଶୁ ; ଶ୍ରମିକ ନୁହେଁ

ଶିଶୁ ; ଶ୍ରମିକ ନୁହେଁ

4 mins
531



ଦୈନନ୍ଦିନର କାର୍ଯ୍ୟ ବ୍ୟସ୍ତତା ଭିତରେ ଆଜି ଟିକେ ଫୁରସତ ମିଳିଛି ଅନେକ ଦିନ ପରେ । ତମାମ୍ ଦିନର କାର୍ଯ୍ୟାଳୟ ଠୁ ଆରମ୍ଭ କରି ଉଚ୍ଚଶିକ୍ଷା ପାଇଁ ପାଠପଢା, ଘରକାମ ଏବଂ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟରୁ ଆଜି ପୁରାପୁରି ବିରତି ନେଇ ଭାବିଥିଲି ଛୁଟିଟିକୁ ଖୁବ୍ ମଜା ମସ୍ତିରେ କଟେଇଦେବି । ସବୁ ଜଞ୍ଜାଳରୁ ଅବସର ନେଇ ଆଜି ବାହାରିଲି ଗୋଟେ ବଡ ହୋଟେଲରେ ମଧ୍ୟାନ ଭୋଜନର ଅଭିମୁଖେ । ମୋର ସହଯୋଗୀ ଥିଲେ ମୋର ସ୍ୱାମୀ । ଦୁହେଁ ମିଶି ହୋଟେଲରେ ପହଞ୍ଚିଲୁ । ହୋଟେଲର ସାଜସଜ୍ଜା ଥିଲା ଖୁବ୍ ମନମୁଗ୍ଧକର । ସୁନ୍ଦର ସୁନ୍ଦର ଚିତ୍ରପଟ ସାଙ୍ଗକୁ ବିଭିନ୍ନ ରଙ୍ଗର ଧପ୍ ଧପ୍ ଜଳୁଥିବା ଆଲୁଅ । ଖାଇବା ଟେବୁଲ ଗୁଡିକ ଯେମିତି ହୀରାରେ ତିଆରି ହେଇଛି, ଖୁବ୍ ସୁନ୍ଦର । ଆରାମଦାୟକ ଚୌକି ଉପରେ ମଖମଲ୍ଲି କପଡାମାନ ପଡିଛି । ଆମେ ଖାଇବା ଚୌକିରେ ବସି ଟେବୁଲ ଉପରେ ଥିବା ମେନୁକାର୍ଡ ଦେଖି ଖାଇବା ଅର୍ଡର କଲୁ । ଚାଇନିଜ଼ ଆଇଟମ ମୋର ବୋହୁତ ପସନ୍ଦ । ତେଣୁ ମେନୁ ଦେଖି ପ୍ରଥମେ ମୋର ପ୍ରିୟର ଦୁଇ ତିନିଟା ଚାଇନିଜ ଆଇଟମ ଅର୍ଡର କରିଦେଲି । ଆମେ ଖାଉଥାଉ । ସାମ୍ନାରେ ଦେଖିଲି ଗୋଟେ ନଅ କି ଦଶ ବର୍ଷର ପୁଅଟିଏ । ମାଟିଆ ରଙ୍ଗର ଗୋଟେ ଢୋଲା ଗଞ୍ଜି ପିନ୍ଧିଛି ତା ସାଙ୍ଗକୁ ଅଧା ରଙ୍ଗ ଛାଡିଯାଇଥିବା ଜିନ୍ସ ପ୍ୟାଣ୍ଟ ଯାହାର ସ୍ଥାନେ ସ୍ଥାନେ ଚିରିଯାଇ ଅଲଗା ରଙ୍ଗର ସୂତାରେ ରଫ୍ ସିଲେଇ ପଡିଛି । ପାଦରେ ତାର ଗୋଡ଼ ମାପଠୁ ଚାରି ଆଙ୍ଗୁଳି ବଡ ହଳେ ପୁରୁଣା ପାତିଆ ଚପଲ । ତଥାପି ଓଠରେ ସ୍ମିତହାସ୍ୟ । ହାତରେ ଧରିଛି ଗୋଟେ ଧଳା କପଡା ଯାହା ତାର ପିନ୍ଧା ବସ୍ତ୍ରଠାରୁ ଖୁବ୍ ଚିକ୍ ଚିକ୍ ଆଉ ପରିସ୍କାର ମଧ୍ୟ । ମୁଁ ତାକୁ ଦେଖି କିଛି ବୁଝିପାରିଲିନାହିଁ । ସେ କିଏ ? କାହା ସହିତ ଆସିଛି ? କିଛି ଖାଇବା ଅର୍ଡର ନକରି ହୋଟେଲର ଗୋଟେ କୋଣରେ ଠିଆ ହେଇଛି କଣ ପାଇଁ ? ଏତେ ଟେବୁଲ ଫାଙ୍କା ପଡିଛି ,ସେ ବସୁନି କାହିଁକି ? ଏମିତି ଭାବୁ ଭାବୁ ଦେଖିଲି ସାମ୍ନା ଟେବୁଲରେ ଖାଉଥିବା ଦମ୍ପତି ଉଠି ଚାଲିଗଲେ । ସଙ୍ଗେ ସଙ୍ଗେ ସେଇ ଛୋଟ ପିଲାଟି ଆସି ତାଙ୍କ ଅଇଁଠା ଟେବୁଲ ସଫା କରିବାରେ ଲାଗିଲା । ଏସବୁ ଦେଖି ମୋ ଆଖି ଛଳଛଳ ହେଇଗଲା । ମୁଁ ଜାଣିଲି ପିଲାଟି ତାହାଲେ ଏଇ ହୋଟେଲର ଶିଶୁ ଶ୍ରମିକ । ମାନେ ସେ ଏଇ ହୋଟେଲରେ ଚାକିରୀ କରିଛି । ଏସବୁ ଦେଖି ପ୍ରଥମେ ମନେ ମନେ ପିଲାଟିର ବାପା,ମାଆଙ୍କୁ ବୋହୁତ ଗାଳିଦେଲି । କେମିତିକା ବାପା,ମାଆ କେଜାଣି ? ଏତେ ଛୋଟ ପିଲାଟିକୁ ପାଠ ନପଢେଇ ଏଇ ବୟସରୁ କାମ କରିବାକୁ ପଠେଇଛନ୍ତି । ବୋହୁତ ଖରାପ ଲାଗୁଛି । ପିଲାଟି ତା କାମରେ ଲାଗିଥାଏ । ଅନ୍ୟ ଟେବୁଲର ଅଇଁଠା ଥାଳି ଉଠେଇ ଟେବୁଲ ସଫା କରୁଥାଏ । ବେଳେବେଳେ ମୋ ମୁହଁକୁ ଚାହିଁ ଛୋଟ ସ୍ମିତହାସ୍ୟଟିଏ ଦେଉଥାଏ । ମୁଁ ମଧ୍ୟ ତାକୁ ଦେଖି ବେଳେବେଳେ ହସି ଦେଉଥାଏ ।


କିଛି ସମୟ ପରେ ଦେଖିଲି ପିଲାଟି ନିଜ ପକେଟରୁ ଖଣ୍ଡେ କାଗଜ ବାହାର କରି କଣ ସବୁ ଗୁଣୁ ଗୁଣୁ ହେଇ ପଢ଼ି ପକାଇଲା । ମୁଁ ତାକୁ ଇସାରା କରି ପାଖକୁ ଡାକିଲି । କଣ ପଢୁଛ ବୋଲି ପଚାରିଲି । ସେ କହିଲା,ନାଇଁ ମାମ୍ କାଲିର ଖବର କାଗଜର ଖଣ୍ଡେ ଟୁକୁଡ଼ା । ସରକାର କଣ ଗରିବ ପିଲାଙ୍କ ପାଇଁ ମାଗଣା ଶିକ୍ଷା ପ୍ରଦାନର ବ୍ୟବସ୍ତା କରୁଛନ୍ତି ତ । ସେଇଟା ଦେଖୁଥିଲି । ପିଲାଟି ମୁହଁରେ ପାଠ ପଢ଼ିବାର ଆଗ୍ରହ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ମୁଁ ଭାବିଲି ତାକୁ ପାଠ ପଢିବାରେ କିଛି ସାହାଯ୍ୟ କରିବି । ଆମେ ଖାଇସାରି ହାତ ଧୋଇବା ପାଇଁ ବେସିନ ପାଖକୁ ଗଲୁ । ସେଇଠି ପିଲାଟି ଅଇଁଠା ବାସନ ସଫା କରୁଥିଲା । ମୁଁ ପିଲାଟିକୁ ତାର ପାଠପଢା ବିଷୟରେ ପଚାରିଲି । ସେ କହିଲା ଯେ, ତା ବାପା ରାସ୍ତା ଦୁର୍ଘଟଣାରେ ପଙ୍ଗୁ ହେଇଯାଇଛନ୍ତି । ମାଆ ବୁଲି ବୁଲି ବାସନ ମାଜି ଘର ଚଳାଉଛି । ସେ ପାଠ ପଢ଼ୁଥିଲା । ହେଲେ ଏଇ ହୋଟେଲ ମାଲିକ ଚାକିରୀ କରେଇଦେବ କହି ତା ମାଆକୁ କିଛି ଟଙ୍କା ଦେଇ ତାକୁ ଏଠିକୁ ନେଇଆସିଲା । ଏତିକି କହୁ କହୁ ହୋଟେଲ ମାଲିକ ହଠାତ ଆସି ତା ହାତଟିକୁ ଜୋର୍ କରି ଧରି ଟାଣି ଟାଣି ଭିତରକୁ ନେଇଗଲେ । ଭିତରୁ କେବଳ ଶବ୍ଦ ଶୁଣାଗଲା ଯେ,ବଦମାସ ! କଷ୍ଟମରଙ୍କୁ ବିରକ୍ତ କରୁଛୁ । ଯା, ସେ ବାସନ ସବୁ ମାଜି ସଫା କର । ଟେବୁଲ କ୍ଲଥ୍ ସବୁ ସଫା କର । ବାସ୍ ଏତିକି । ଆଉ ସେ ପିଲାକୁ ଆମେ ସେଠୁ ଆସିବା ପର୍ଯ୍ୟନ୍ତ ଦେଖିନାହୁଁ । ଭିତରେ ସେ କାମ କରୁଥିଲା । କେବଳ ବାସନର ଝଣ୍ ଝଣ୍ ଆବାଜ ଆସୁଥିଲା । ଆମେ ନିରୁପାୟ ଥିଲୁ । ଇଚ୍ଛା ଥାଇ ବି ସେ ପିଲାକୁ ସାହାଯ୍ୟ କରିପାରୁନଥିଲୁ । କେବଳ ଅନୁତାପ କରୁଥିଲୁ ଆମ ସମାଜର ଏଇ ନୀଚ କାମ ପାଇଁ ।


ଛିଃ....ଆମେ ପରା ଶିକ୍ଷିତ । ତେବେ ଏହା କଣ ଆମ ଶିକ୍ଷା ଓ ସଂସ୍କାର ? ଗୋଟେ ନିରୀହ ଛୋଟ ଶିଶୁକୁ ପାଠ ପଢାରୁ ବଞ୍ଚିତ କରି ତା ଦ୍ୱାରା ନିଜ କାମ ହାଲକା କରିବା । ଯେଉଁ ଶିଶୁର ଆଗମନରେ ଘର ପୁରିଉଠେ, ବଂଶ ଉଦ୍ଧାର ହୁଏ ସେଇ ଶିଶୁକୁ ଆମେ ଶ୍ରମିକ ରୂପରେ ନିୟୋଜନ କରିବା କେତେ ଦୂର ଠିକ୍ ? ଏହା କଣ ଆମ ସମାଜ ପାଇଁ ପ୍ରଶ୍ନବାଚୀ ନୁହେଁ କି ? ନିଜର ଛୋଟ ଶିଶୁ ଦେହରେ ମସାଟିଏ ବସିଲେ ଆମେ ମ୍ୟାଲେରିଆ ହେବାର ଆଶଙ୍କାରେ ତାକୁ ମସୁରୀ ଭିତରେ ସୁଆଉଛେ ତେବେ ସେଇ ମନୁଷ୍ୟ ହେଇ ଆମେ ଅନ୍ୟର ଶିଶୁକୁ କିପରି ଭାବରେ କାମରେ ଲଗାଉଛେ ? ଆସନ୍ତୁ ନା ନିଜକୁ ବଦଳାଇବା । ନିଜର ଘୃଣ୍ୟ ଚିନ୍ତାଧାରାକୁ ବଦଳାଇବା । ଶିଶୁ ଶ୍ରମିକ ବନ୍ଦ କରିବା । କୋମଳମତି ଶିଶୁକୁ ତାର ଅଧିକାର ଦେବା । ତାର କୋମଳ ହାତରେ ଇଟା,ପଥର,ଅଇଁଠା ବାସନ ପରିବର୍ତ୍ତେ କଲମ,ବହି,ସିଲଟ ଧରାଇଦେବା । ହାତରେ ହାତ ମିଶାଇ ଏହି ଛୋଟିଆ ପ୍ରୟାସ ମାଧ୍ୟମରେ ଭାରତରୁ ଶିଶୁ ଶ୍ରମିକ ହଟେଇଦେବା । ଶିଶୁ ହେଉଛନ୍ତି ସାକ୍ଷାତ ଈଶ୍ୱର । ସେ ଆମ ସମସ୍ତଙ୍କର । ଆସନ୍ତୁ ଆଜି ହିଁ ସେମାନଙ୍କ ଭବିଷ୍ୟତ ଗଢିତୋଳିବାରେ ଛୋଟିଆ ଦୀପଟିଏ ସାଜିବା । ଶିଶୁମାନେ ଆମର ଆଗାମୀ ଭବିଷ୍ୟତ । ତାଙ୍କୁ ସୁରକ୍ଷିତ ରଖିବା । ମୁଁ ତ ଏହି ପ୍ରୟାସରେ ଯୋଗ ଦେଇସାରିଛି । ଆଉ ଆପଣମାନେ ? 



Rate this content
Log in

Similar oriya story from Inspirational