Seetaram Dash

Tragedy

2  

Seetaram Dash

Tragedy

ଶୀତ ରାତି

ଶୀତ ରାତି

5 mins
322



      ଭାରି ଅଭିମାନିନୀ ଟା ସେ। ସତେ ଯେମିତି ଅଭିମାନ କରି ଚାଲିଗଲା ସବୁଦିନ ପାଇଁ। ଆସନ୍ତାନି ଥରକ ପାଇଁ? ଠିକ ହରି କକା ଭଳି! ଛାତି ତଳର କଥା ସବୁ ଶୁଣନ୍ତାନି ଗୋଟିଏ ଥର ପାଇଁ....


      ଅନେକ ଦିନ ତଳର କଥା। ବବିତା ସହ ମୋର ବାହାଘର ହୋଇ ନ ଥାଏ। ଆମେ କିନ୍ତୁ ଫୋନରେ ଢେର କଥା ହେଉ। ଏତେ ସବୁ କଥା କେଉଁଠୁ ଆସେ କେଜାଣି? ଦିନ ରାତି ବି କମ ପଡେ। ମନ ଗହନର ଅକୁହା କଥା ସବୁ ଡେଣା ଧରି ଉଡ଼ିବୁଲେ ସ୍ୱପ୍ନ ରାଇଜରେ। କେତେ ସୁନ୍ଦର ଥିଲା ସେ ଦିନ ସବୁ!


     ଶୀତ ରାତି ସବୁ ମୋ ପାଇଁ ସୁନ୍ଦର ସ୍ମୁତି ସବୁ ଆଣି ଆସେ। ପ୍ରତି ବର୍ଷ ମୁଁ ଆସେ ଗାଁକୁ। ସନ୍ଧ୍ୟାରେ ସମ୍ପୂର୍ଣ୍ଣ ଶରୀରକୁ ଶୀତ ବସ୍ତ୍ରରେ ଢାଙ୍କିଦେଇ ମୁଁ ବାହାରି ପଡେ, ଆମ ଗାଁର ନଦୀ କୂଳକୁ। ଶୀତ ଦିନରେ ଭାରି ଶୂନଶାନ ଚାରିଆଡ। ଗାଁ ଦାଣ୍ଡରୁ କିଛି ବାଟ ଯିବା ପରେ ଆରମ୍ଭ ହୁଏ ତୋଟା। ବାଉଁଶ ଆଉ ଅରଖ ବୁଦାର ଅରମା। ତା ମଝିରେ ଗୋଟେ ଗୋଟେ ବିରାଟ ବୃକ୍ଷ ଦୈତ୍ୟ ପରି ମୁଣ୍ଡ ଟେକି ଛିଡ଼ା ହୋଇଥାନ୍ତି ନୀରବରେ। ଏକୁଟିଆ ଆସିବାକୁ ପ୍ରାୟ ସମସ୍ତେ ଡରନ୍ତି। ମୁଁ କିନ୍ତୁ ଭଲ ପାଏ ଏ ଜାଗା ସବୁକୁ। ବବିତା ସହ କଥା ହେଉ ହେଉ ଅନେକ ସମୟ ବିତିଯାଏ। ନଦୀ ଆରପାରିର ବିରାଟ ମହୁଲ ଗଛର ଫାଙ୍କରୁ ଜହ୍ନ ଉଙ୍କି ମାରେ। ନଦୀର ଚହଲା ପାଣିରେ ମୁଁ ଦେଖି ପାରେ ସେଇ ତୋଫା ଜହ୍ନର ସୁନ୍ଦର ପ୍ରତିବିମ୍ବ। ଆଉ ବବିକୁ କୁହେ, " ଏଇ ନଦୀ କୂଳରେ ଦୁହେଁ ମିଶି ଜହ୍ନ ଦେଖିବାର ଅଭିଳାଷକୁ ପୁରା କରିବାକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡିବ"। ବବିତା ଲାଜରେ ଲାଲ ପଡ଼ିଯାଏ ଆଉ ମୁଁ ଚୁପ କରି ହସି ଦିଏ ଏକା ଏକା।


      ଗାଁରେ ରହଣୀ ଭିତରେ ମୁଁ ସବୁ ଦିନ ଏମିତି ଏଇ ଜାଗାରେ କଥା ହୁଏ। ଅନେକ ଚିହ୍ନା ଲୋକେ ଭେଟ ହୁଅନ୍ତି। କିନ୍ତୁ ସେଦିନ ହରି କକା ମତେ ଦେଖି ଅଟକି ଗଲେ। ଆଉ ହସି ହସି କହିଲେ, "କଣ ବୋହୂ ପିଲା ସାଙ୍ଗରେ କଥା ହେଉଛୁ କି?"


    ହରି କକା ମୋ ଠୁ ସାତ ଆଠ ବର୍ଷ ବଡ଼। ଆମ ଗାଁର। ଦେଖା ହେଲେ ପଦେ ଅଧେ କଥା ହୁଅନ୍ତି। ଆଜି କିନ୍ତୁ କାହିଁକି କେଜାଣି ଅଟକି ଗଲେ ମୋ ପାଖରେ? ମୁଁ ଫୋନ କାଟି, ଫୋନକୁ ପକେଟ ରଖିଲି। ଭଲ ମନ୍ଦ ଠୁ ଆରମ୍ଭ କରି କେତେ କଣ ପଚାରିଲେ। ମୁଁ କହିଲି ତମେ କଣ କରୁଛ ଏଠି? ସେ କହିଲେ ମୁଁ ତ ସବୁବେଳେ ଏଇ ନଈ ପଠାରେ। ତାଙ୍କ ଦେହରେ ଖଣ୍ଡେ ପତଳା ଚାଦର ଥିଲା। ମୁଁ ଜୋତା, ଜାକେଟ ଆଉ ଟୋପି ପିନ୍ଧି ଶୀତରେ ଥରୁଥିଲି। ଖାଲି କଥା ହେବାର ନିଶାରେ ଯାହା ଶୀତ ହାର ମାନୁଥିଲା ମୋ ପାଖରେ। ମୁଁ ହରି କକାଙ୍କୁ ପଚାରିଲି, "କଣ ଖାଲି ଚାଦର ଖଣ୍ଡେରେ ବାହାରକୁ ଆସିଛ, ଶୀତ ହେଉନି?" ସେ କହିଲେ, "ଏ କି ଶୀତ? ଆମ ପିଲା ବେଳେ ମଞ୍ଜ ଥରା ଶୀତ ହେଉଥିଲା। ଗରିବ ଘର, ଚାଦର ଖଣ୍ଡେ ନ ଥିବ। ସ୍ବେଟର ସାତ ସପନ। ରାତିରେ ଚିରା ସାର୍ଟ ଖଣ୍ଡେ ପିନ୍ଧି ଆମେ ବିଲ କମଳ ଭିତରେ ପଶିଯାଉ। ନ ହେଲେ ଆଳୁ କିମ୍ବା ଚିନି ଅଖା ଖଣ୍ଡେ ଖଣ୍ଡେ ଘୋରି ହୋଇ ଶୋଇ ପଡୁ"। ମୁଁ ପଚାରିଲି, ଏ ବିଲ କମଳ ପୁଣି କଣ? ସେ ହସି ହସି କହିଲେ, "ଶୀତ ରାତିରେ ଗରିବର ସାଥି ସେଇ ହେଁସ। ଏବେ ତ ଲୋପ ପାଇଲାଣି। ତମେ ସବୁ ଆଜି କାଲିକା ପିଲା, କାଇଁ ଜାଣିବ"। ଆମେ ଅନେକ କଥା ହେଲୁ। କଥା ଛଳରେ ସେ କହିଲେ, ପୁଅ ପାଇଁ ଖଣ୍ଡେ ଭଲ ସ୍ବେଟର କିମ୍ବା ଜାକେଟ ଆଣନ୍ତୁନୁ। ପଇସା ଅଭାବରୁ ଦେଇ ପାରୁନି, ଶୀତରେ ପିଲାଟା ବଡ ହଇରାଣ ହେଉଛି। ମୁଁ କହିଲି, "ହଁ ହେଉ। ଏଇ ଗୋଟିଏ କଥା"। ଏବେ ସେ ଯିବାକୁ ବାହାରିଲେ। କହିଲେ, ଡରିବୁନି ମୁଁ ବି ସନ୍ଧ୍ୟାରେ ସବୁବେଳେ ଏ ଜାଗାକୁ ଆସେ।


     ଦୁଇ ଚାରି ଦିନ ପରେ। ରାତି ନ'ଟା ହେବ। ମୁଁ ନଦୀ ବନ୍ଧରେ ବବି ସାଥିରେ କଥା ହେଉଥାଏ। ଆର ସାହିର ଭୀମା ଭାଇ ନଦୀ ଅତଡିରୁ ବାହାରିଲେ। ବୋଧେ ଝାଡା ଆସିଥିଲେ। ମତେ ଦେଖି ତର ତର ହୋଇ କହିଲେ, "ବବୁଲ ଟିକେ ଠିଆ ହୋଇଥା। ମୁଁ ଶୌଚ ହୋଇ ଆସେ, ମିଶିକି ଯିବା"। ତାଙ୍କ କଥାରୁ ଜଣା ପଡିଲା ସତେ ଯେମିତି ସେ ଭୟରେ ଥର ହର। ଏକ ପ୍ରକାର ଦଉଡି ଦଉଡି ଗଲେ ନଦୀ କୂଳକୁ ଏବଂ କେଇ କ୍ଷଣ ଭିତରେ ପୁଣି ଫେରି ଆସିଲେ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, "କଣ ହୋଇଛି ଏତେ ଡର କଣ ପାଇଁ"? କିଛି ବାଟ ଆସିବା ପରେ ଘର ପାଖା ପାଖି ହେବାରୁ ସେ କହିଲେ, "ଆଜିକୁ ଅଠର ଦିନ ପୂର୍ବରୁ ହରି କକା ମରିଛନ୍ତି। ତେଣୁ ଡରରେ କେହି ଗାଁରୁ ବାହାରୁ ନାହାଁନ୍ତି"। ମୁଁ ଆଶ୍ଚର୍ଯ୍ୟ! ତେବେ ମୁଁ କଣ ଭୂତ ସହ କଥା ହେଉଥିଲି? କଣ କହିବି କଣ ନ କହିବି ମୁଁ ଜାଣି ପାରୁ ନ ଥାଏ। ଏ ହାଡ଼ଭଙ୍ଗା ଶୀତରେ ମୋ ଦେହରୁ ଝାଳ ବାହାରି ବାକୁ ଲାଗିଲା। ମନେ ମନେ ଭାବିଲି ସେଦିନ କଣ ମୁଁ ସ୍ୱପ୍ନ ଦେଖିଥିଲି ନା ସେ ସବୁ ସତ ଥିଲା? ଲୋକମାନେ ବେଶୀ ଡରିବେ ବୋଲି, ମୁଁ ମନ କଥା ମନରେ ରଖି ଡରି ଡରି ଘରକୁ ଫେରିଲି। ପରେ ଶୁଣିବାକୁ ପାଇଲି ହରି କକା ଆତ୍ମହତ୍ୟା କରିଛନ୍ତି।


     ପରେ ଜାଣିଲି ସ୍ୱାମୀ ସ୍ତ୍ରୀ'ଙ୍କର ଝଗଡ଼ା କୁ ନେଇ ହରି କକା ଜୀବନ ହାରି ଦେଲେ। ଝଗଡାର କାରଣ ଥିଲା, ପୁଅର ସିୟୁଟର। ସତରେ ଜଣେ ବାପା ପୁଅ ପାଇଁ କଣ କରିପାରେ? ହରି କାକଙ୍କ ଆତ୍ମା ଏବେବି ଛଟ ପଟ ହେଉଛି ପୁଅର ସିୟୁଟର ଚିନ୍ତାରେ। ସେଦିନର ଘଟଣା କାହା ଆଗରେ କହିବାକୁ ବିବେକ ବାଧା ଦେଲା। ଦୁଇ ଦିନ ପରେ ମୁଁ ନିଜେ ଯାଇ ହରି କକାର ଆଠ ବର୍ଷିର ପୁଅ ପାଇଁ କଳା ଲେଦର ଜାକେଟ, ଶୀତ ଟୋପି ଆଉ ମୋଜା କିଣି ଆଣିଲି। ଅପରାହ୍ନରେ ନେଇ ତାଙ୍କ ଘରେ ପହଞ୍ଚିଲି। ଏସବୁ ଜିନିଷ ଦେଖି ସେମାନେ ଆଶ୍ଚର୍ଯ୍ୟ! ମନ କଥା ମନରେ ରଖି ମୁଁ କହିଲି, "ହରି କକା ମତେ କହିଥିଲେ ପୁଅ ପାଇଁ ଏସବୁ ଆଣିବାକୁ ଏବଂ ଏହାର ଦାମ ବି ଦେଇଥିଲେ"। ଏତକ ଶୁଣି ତାଙ୍କ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦି ଉଠିଲେ। ନିଜକୁ ନିଜେ ଅନେକ ଗାଳି ଦେଇ କହିଲେ, ତାଙ୍କ ମନରେ ଏତେ କଥା ଥିଲା। ଟିକେ ବି ଜଣେଇଲେ ନାହିଁ? ମୁଁ ଅଭାଗିନୀ କଣ କଲି। ଥରୁଟିଏ ତ ମୁହଁ ଖୋଲି କହି ପାରିଥାନ୍ତେ। ଏତିକି କହିବା ସହିତ କାନ୍ଦି କାନ୍ଦି ଭୂମିରେ ଲୋଟିଲେ। ଏକ କରୁଣ ପରିବେଶ ମଧ୍ୟରେ ମୁଁ କେବଳ ନିରବ ଦ୍ରଷ୍ଟା ସାଜି ଛିଡା ହୋଇଥାଏ। ଦୁଇଟି ବେସାହାରା ମଣିଷଙ୍କ ଦୁଃଖ ବେଶୀ ସମୟ ଦେଖିବା ମୋ ପକ୍ଷରେ ସମ୍ଭବ ନ ଥିଲା। ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତି ଏ କୋହ ନେଇ ମୁଁ ଘରକୁ ଫେରିଲି।


  ଗାଁର କେହି କେବେ ହରି କକାର ଆତ୍ମାକୁ ଦେଖି ନାହାଁନ୍ତି। କାହାକୁ ଡରେଇବାର ନଜିର ବି ନାହିଁ। ଧୀରେ ଧୀରେ ଲୋକଙ୍କ ମନରୁ ହରି କକାଙ୍କ ଭୟ ଦୁରେଇ ଗଲା। ଏବେ କିନ୍ତୁ ମତେ ଡର ଲାଗେ ନଦୀ କୂଳକୁ ଆସିବାକୁ। ବବିତା ବି ବାରମ୍ବାର ମନାକରେ ରାତିରେ ନଦୀ କୂଳକୁ ଆସିବାକୁ। 


  କିଛିଦିନ ପରେ ବବିତା ସହ ବଡ଼ ଧୁମଧାମରେ ମୋ ବାହାଘର ହୁଏ। ବାହାଘର ପରେ ଆମେ ଚାଲିଯାଉ ଚେନାଇ ମୋ କର୍ମସ୍ଥଳୀକୁ। କି ସୁନ୍ଦର ଥିଲା ସେ ଦିନ ସବୁ। ବବିତାକୁ ପାଇ ମୁଁ ଦୁନିଆକୁ ଭୁଲି ଯାଇଥାଏ। କିନ୍ତୁ ସେ ସୁଖ ମୋ ପାଇଁ ବେଶୀ ଦିନ ନ ଥିଲା। ନିଷ୍ଠୁର ଭଗବାନ, ଏକ କାର ଆକ୍ସିଡେଣ୍ଟରେ ବବିତାକୁ ମୋ ଠୁ ସବୁ ଦିନ ପାଇଁ ଛଡାଇ ନିଅନ୍ତି। ଏବେ ମୋର ସମ୍ପୂର୍ଣ୍ଣ ଉଜୁଡା ଜୀବନ।


    ସେଇ ସନ୍ଧ୍ୟା ଅଛି, ସେଇ ନଈ ଅଛି, ସେଇ ଜହ୍ନ ଅଛି। ସେ ମହୁଲ ଗଛ ଫାଙ୍କରୁ ଜହ୍ନ ଉଙ୍କି ମାରୁଛି। କିନ୍ତୁ ମୋ ମନରେ ସେ ପୁରୁଣା ଦିନର ମାଦକତା ନାହିଁ। ଜହ୍ନର ଲାବଣ୍ୟ ମତେ ଆଉ ଅଭିଭୂତ କରୁନି। ଭୂତ ଭୟ ବି ମୋ ମନରେ ନାହିଁ। ଛାତି ତଳର ଅନେକ ସ୍ମୁତିକୁ ଛାତି ତଳେ ଚାପି ରଖି, ମୁଁ ବବିତାକୁ ଅନେକ ଖୋଜୁଛି ଏ ଅନ୍ଧାରରେ। ଗଛ ଗହଳିରେ। ଏଇ ବାଉଁଶ ବୁଦାର ଅରଖ ଅରମାରେ କିନ୍ତୁ....କେଉଁଠି ବି ପାଉନି ତାକୁ। ଥରେ ହେଲେ ବି ସେ ଆସୁନି। ଦେଖା ଦେଉନି। ବବତା ବିନା ମୁଁ ଆଜି, ଭଗବାନଙ୍କର ଏ ନିଷ୍ଠୁର ସୃଷ୍ଟିରେ ଏକ ଅଭିଶପ୍ତ ନିସଙ୍ଗ ମଣିଷ।


ଶୂନଶାନ ଏ ଶୀତ ରାତି

ତୁମ ବିନା ମୁଁ ଏକା ନୁହେଁ, ଆକାନ୍ତ ମୋ ସାଥି

ଛାତି ତଳେ ଗଦା ଗଦା ଅସରନ୍ତି ସ୍ମୁତି।


Rate this content
Log in

Similar oriya story from Tragedy