ସହିବା ହେଲାଣି କଷ୍ଟ
ସହିବା ହେଲାଣି କଷ୍ଟ
ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ଯଥେଷ୍ଟ ବିକାଶ ଘଟିଛି । ସମସ୍ତେ ବିଜ୍ଞାନର ଜ୍ଞାନକୌଶଳର ସୁବିଧା ନେବା ସଙ୍ଗେ ସଙ୍ଗେ ଆରାମ ଜୀବନ କଟାଇବା ଓ ସ୍ଵାଧୀନ ଜୀବନ ବଞ୍ଚିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଖାଦ୍ୟ-ପେୟ ବେଶ-ଭୂଷା ଚାଲି ଚଳନ ସବୁ ବଦଳି ଗଲାଣି । କେହି ସେହି ପୁରୁଣା ପରମ୍ପରାକୁ ପାଳନ କରିବା ପାଇଁ ମନ ଦେଉନାହାନ୍ତି । କେଇଟା ବୁଢ଼ା ବୁଢ଼ୀ ଘରେ ରହି ପର୍ବ ପର୍ବାଣୀ ଆସିବା ପୂର୍ବରୁ ହଜାର ଥର ଘୋଷି ହେଉଛନ୍ତି, ଆରେ ସଉଦା ପତ୍ର ଆସିଲା ଅମୁକ ପର୍ବ ଆସିବ, ଏମିତି ପିଠା ଏହି ପର୍ବରେ ହୁଏ । କିନ୍ତୁ ଶୁଣିବାକୁ କାହାର ସମୟ ଅଛି । କାହାର ଇଚ୍ଛା ହେଲେ ଜିନିଷ ଆସେ, ନ ଫଳ ଭୋଗ ସବୁଠୁ ଭଲ କହି ଚାଲିଯାନ୍ତି।
ବୁଢ଼ା ବୁଢ଼ୀ ଘରର ମୂରବୀ ଆଜିକାଲିର କେତେ ଲୋକ ବୁଝନ୍ତି ତାଙ୍କ ମନ କଥା।
ଏମିତି ସେଦିନ ଯାଉଥିଲି, ବାଟରେ ମନ୍ଦିରଟିଏ ପଡ଼ିଲା । ଭାବିଲି ଯାଉଛି ଟିକେ ପ୍ରଣାମ କରି ଯିବି । ଦୁଇଟି ଯାକ ଛୁଆ ବାହାରେ ରହି ପାଠ ପଢ଼ୁଛନ୍ତି ଯେଉଁଠି ମନ୍ଦିର ଦେଖିଲେ ଆପେ ମଥା ନତ ହୋଇ ଯାଏ । ପିଲାମାନେ ଠାକୁର ଘରେ ପ୍ରଣାମ କରନ୍ତି ଘରେ ଥିବା ବେଳେ । ପୁଅ ବେଳେ ବେଳେ କୁହେ ମାଆ, ସତରେ ତୁ ଠାକୁରଙ୍କୁ ଯାହା ମାଗୁଚୁ, ଦେଉଛନ୍ତି ନା ଖାଲି ମୁଣ୍ଡିଆ ମାରିବାକୁ କହୁଚୁ । ଝିଅଟି ପୁଅ ଠାରୁ ବଡ଼, ସଂଗେ ସଂଗେ ତା ଉପରେ ବିରକ୍ତ ହୋଇ କହି ପକାଏ, ତୁ ପାଠ ନ ପଢି ଖାଲି ଏମିତି କଥା ମାଆକୁ ପଚାରେ । ଦୁଇ ଜଣଙ୍କୁ ଦାଗିତ୍ କରି ମୋ ସବୁ କର୍ମ ସାରି ଚାକିରୀ କ୍ଷେତ୍ରକୁ ବାହାରିବା ନିତି ଦିନିଆ ଘଟଣା । ଜନ୍ମ ଦିନରେ ପିଠା ଖେଚୁଡ଼ି ଡାଲମା ଖିରି ଅପେକ୍ଷା କେକଟା ଅତି ଆଗ୍ରହରେ ମୋ ପୁଅ ଖାଇ ବସେ । ତଥାପି ମୁଁ ବୁଝାଇଲା ପରେ ବହୁତ୍ ପରିବର୍ତ୍ତନ ଆସିଥିଲା । ହେଲେ ସେ ଆଜି ମୋ ଠାରୁ ବହୁତ୍ ଦୂରରେ । ଯେତେବେଳେ କାମ ସରିଯାଏ ଏକୁଟିଆ ବସିବା ଅପେକ୍ଷା, ଯେ କୌଣସି ମନ୍ଦିରକୁ ଯାଇ ଦୀପ ଜାଳି ପିଲାଙ୍କ ଶୁଭ କାମନା କରିବା ପାଇଁ ବସିଥାଏ ।
ସେଦିନ ସେହି ପାଖରେ ଥିବା ହନୁମାନ ମନ୍ଦିରକୁ ଯାଇଥାଏ । ମଙ୍ଗଳବାର, ଟିକେ ଫଳ ଭୋଗ ନେଇ ଯାଏ ଆଳତି ସରିଲେ ଘରକୁ ଫେରି ଆସେ । କିନ୍ତୁ ଦେଖିଲି ଜଣେ ବୟସ୍କ ବ୍ୟକ୍ତି ଚୁପ୍ ଚାପ୍ ବସିଥାନ୍ତି । ନନା ଆସି ନଥାନ୍ତି । ଡାକିଲି, ମଉସା, କଣ ହେଇଛି କାହିଁକି ମୁହଁ ଶୁଖାଇ ବସିଛ । ମଉସା କାନ୍ଦ କାନ୍ଦ ହୋଇ ମୋ ମୁହଁଟାକୁ ଚାହିଁ ରହିଲେ । ବୋଧେ ଭାବୁଥିଲେ, କାଳେ ତାଙ୍କ ବୋହୂର ଚିହ୍ନା ଲୋକ ହୋଇନଥିବେ । ତା ମୋତେ ଭଲ କରି ଚାହିଁଲେ ଆଉ ମୋର ପରିଚୟ ମାଗିଲେ । ମୋ ବଡ଼ ଭାଇଙ୍କୁ ସେ ବେଶ୍ ଭଲ ଭାବରେ ଜାଣିଥିଲେ । ଗୋଟେ ବିରାଟ ଭରସା ରଖି ନିଜର ମନ କଥା କହିବା ଆରମ୍ଭ କଲେ । ଆଜି ମନ୍ଦିର ଆସିଥିଲି, ନନାଙ୍କୁ ମନା କରିବାକୁ ସତ୍ୟନାରାୟଣ ପୂଜା ହେବ ନାହିଁ । ବୋହୂ ରାଜି ହେଉନି । ସନ୍ଧ୍ୟା ବେଳେ କେକ୍ କଟା ହେବ । ନାତିର, ପୁଅର ବୋହୂର ସାଙ୍ଗସାଥି ଆସିବେ, ବିଭିନ୍ନ ଉପହାର ଆସିବ । ଯେତିକି ଖର୍ଚ୍ଚ ହୋଇଥିବ ସେତିକି ମିଳି ଯିବ । ସତ୍ୟନରାୟଣଙ୍କ ପୂଜା କରିଲେ ସେଇ କଦଳୀ ଗୁଡ଼ ଛେନା ଚକଟାକୁ କେହି ବି ଖାଇବେ ନାହିଁ । ଅଯଥା ଖର୍ଚ୍ଚ ଆଉ ନଷ୍ଟ ହେବ । ଏଇତ କ କଥା ଏକା ନିଃଶ୍ୱାସରେ କହି ବୁଢ଼ା ଲୋକଟି ଠକ୍ ଠକ୍ ଆଖିରୁ ଲୁହ ଝରାଇ ପକାଇଲା । ଚିହ୍ନା ଲୋକ ଜାଣି ପିଠିରେ ହାତ ପକାଇ ଆଶ୍ୱାସନା ଦେଇ କହିଲି, ମଉସା କାହିଁକି ବ୍ୟସ୍ତ ହେଉଛନ୍ତି ସବୁ ଠିକ୍ ହୋଇଯିବ । ମାଆ ଠାରୁ ଏତିକି ଶୁଣିଲା ପରେ ତାଙ୍କର କୋହ ଆହୁରି ଉଠିଲା । କହିଲେ ନାଇରେ ମାଆ ଆର ସପ୍ତାହକୁ ମୁଁ ଗାଆଁକୁ ଚାଲିଯିବି । ସ୍ତ୍ରୀଟି ଅନେଶୋତ ବାତ୍ୟା ପୂର୍ବରୁ ଚାଲି ଯାଇଛି, ମୁଁ ଚାକିରୀ କରିବା ସମୟରେ ସହରରେ ଜାଗା ଖଣ୍ଡେ କିଣି ଥିଲି, ସେଇ ଜାଗା ଉପରେ ଘର କରି ରହୁଥିଲି । ଗାଆଁରେ ଥିବା ଜମି ବାଡି ଯାହା ମିଳେ ବର୍ଷକୁ ଥରେ ଯାଇ ବୁଝା ସୁଝା କରି ଆସେ । ଭାବିଛି, ଏଇଥର ଯାଇ ଗାଆଁରେ ରହିବି ଆଉ ଏ କପଟି ସହରକୁ ଫେରିବିନି । ପୁଅ ବୋହୁ ନାତି ଏଇଠାରେ ରହନ୍ତୁ, ସେଇଥିରେ ମୋର ଖୁସି ।
ପୁଣି ଏମିତି କଥା ଶୁଣି ମଉସାଙ୍କୁ ବୁଝାଇବା ଓ କିଛି କଷ୍ଟ ଲାଘବ କରିବା ମତଲବରେ ଥାଏ । ମଉସା ଦୀର୍ଘ ନିଃଶ୍ୱାସଟିଏ ମାରି କହିଲେ, ଆଜିକାଲି ବୋହୂମାନେ ସ୍ୱାମୀ ପିଲା ଛଡ଼ା ଆଉ କଥା ବୁଝିବାକୁ ଚାହୁଁ ନାହାଁନ୍ତି । ଶାଶୁ ଶଶୁର ତାଙ୍କ ପାଇଁ ବୋଝ । ବୋହୁ ବହୁତ୍ ଥର ପୁଅକୁ କହିବା ସୁଣିଲାଣି ତୁମ ବାପାଙ୍କ ପାଇଁ ମୋ ପୁଅ ମୂର୍ଖ ହୋଇ ଗଲାଣି।
ତୁମ ବାପାଙ୍କୁ ଏତେ ବର୍ଷ ହେଲାଣି, ସେ କଣ ଚାହୁଁଛନ୍ତି ମାଆ ପୁଅର ଜୀବନ ମାଟି ହେଇଯାଉ । ତୁମ ରହିଲେ ଟିକେ ସ୍ଵାଧୀନତା ପାଇ ପାରୁନି । ସେ ରହିଛନ୍ତି ବୋଲି ମାସକୁ ଥରେ କି ଦି ଥର ଯିଏ ହେଲେ ଗାଆଁରୁ ଆସିବେ । ମୁଣ୍ଡରେ ଓଢ଼ଣା ଦେଇ ତାଙ୍କୁ ଚର୍ଚ୍ଚା କରୁ କରୁ ମାଆ ସମୟ ଗଲା । ଶାଢ଼ୀ ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ନ ଦେଇ ଗଲେ ସେଇ ପୁରୁଣା ପରମ୍ପରାର ଦ୍ୱାହି ଦେଇ ବାପା କହିବେ, ଗାଆଁ ଲୋକ ଖରାପ ଭାବିବେ । ନିଜକୁ କେତେ ଆଡ଼ଜଷ୍ଟ୍ କରିବି । ଆଉ ପାରିବିନି । ସବୁଦିନେ ମର୍ଣୀଙ୍ଗି ୱାକ୍ରୁ ଫେରିବା ବେଳକୁ ଶାଗ, ପନୀ ପରିବା ଧରି ଆସୁଛନ୍ତି, ଏତେ ତରକାରୀ କରିବ କିଏ । ରୋଷେଇ କରି କରି ବିରକ୍ତ ଲାଗିଲାଣି । ମାଆ ପୁଅ ତ ସେଗୁଡ଼ାକ ଖାଇବ ନାହିଁ । ଡାଲି ପାମ୍ପଡ ଆଉ ଅଣ୍ଡାଟେ ହେଲେ ତାର ହୋଇଯିବ । ତୁମେ ତ ଅଫିସ୍ରେ ଖାଇ ଦେଉଛ । ମୋର ଏତେ ପ୍ରକାର କଣ କରିବା ଆବଶ୍ୟକ । ଜଳଖିଆ ଆମେ କିଣି ଖାଇଦେବୁ । ତାଙ୍କର ସେଇ ପୁରୁଣା ପରମ୍ପରା ମୁଢ଼ି, ଚୁଡ଼ା ଛତୁଆ, ନାଇ ତ ରୁଟି । ମାଆ ପୁଅ କି ମୁଁ ଏଗୁଡ଼ିକ ଖାଇବାର ନାହିଁ । ଖାଲି ତୁମ ବାପାଙ୍କ ପାଇଁ ମୋର ସବୁ ତକ ସମୟ ବରବାଦ ହେଉଛି । ମୁଁ ଟିକେ କୌଣସି ସାଙ୍ଗ ସାଥି କି ବଜାର ଘାଟ ବି ଯାଇ ପାରୁନି । ମୁଁ ତୁମକୁ ବାହା ହୋଇଥିଲି ଏମିତି ରହିବା ପାଇଁ । ମାଆ ବାପା ସରକାରୀ ଚାକିରୀ କରିଥିଲେ । ମୋତେ କେତେ ସ୍ନେହ ଦେଇ ପାଳିଥିଲେ । ତୁମକୁ ବାହା ଦେଇ ଥିଲେ ଖୁସିରେ ବୁଲାବୁଲି କରି ଜୀବନ କାଟିବି । ମୋ ଭାଗ୍ୟରେ ସୁଖ ନାହିଁ । ଏତେ କଥା ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ଶୁଣି ମନଟା ଭାରି କଷ୍ଟ ହେଲା।
ପ୍ରକୃତରେ ଆଜିକାଲି ସମାଜରେ ଏମିତି ଅନେକ ବୁଢ଼ା ବୁଢ଼ୀ ଅଛନ୍ତି, କିଛି କହି ପାରୁ ନାହାନ୍ତି ନା ସହି ପାରୁ ନାହାନ୍ତି । ଜେଜେ ବାପା ଯେ ନାତିକୁ ମୂର୍ଖ କରିଦେବେ, ଏମିତି କେବେ ଦେଖିନି । କିନ୍ତୁ ଜେଜେ ବାପା ନିଶ୍ଚୟ ପିଲାମାନଙ୍କୁ ମହାପୁରୁଷଙ୍କ ଜୀବନ କାହାଣୀ କହି ଜୀବନକୁ ସୁପଥରେ ନେଇ ଯିବା ସ୍ଥିର ନିଶ୍ଚିତ । ପିଲାମାନଙ୍କ ପାଇଁ ସବୁଠାରୁ ସୁବିଧା ସହଜ ଉପାୟ ହେଇଛି ମୋବାଇଲ । ମାଆମାନେ ପିଲାର ଜିଦ୍ ରଖି ନିଜର ସୁବିଧା ପାଇଁ ମୋବାଇଲ ଧରାଇ ଖୁବ୍ ଆନନ୍ଦ ପାଉଛନ୍ତି । ଚୁଡ଼ା ଛତୁଆ ପରିବର୍ତ୍ତେ, ମ୍ୟାଗି ଚାଉମିନି, ଫାଷ୍ଟ ଫୁଡ୍ ଦେବାକୁ ପସନ୍ଦ କରୁଛନ୍ତି । ଆଧୁନିକତାର ଦ୍ୱାହି ଦେଇ ପିଲାମାନଙ୍କୁ ମହାପୁରୁଷ ତ ନୁହେଁ ବରଂ ଜଣେ ଅମଣିଷ କରି ଗଢି ତୋଳିବା ପାଇଁ ଚେଷ୍ଟିତ । ଶାଢ଼ୀ ବଦଳରେ ଡ୍ରେସ ପିନ୍ଧିଲେ ସତେ ଅବା ନିଜର ଗୋଟେ ବଡ଼ ଲୋକିଆ ଢାଞ୍ଚା ବାହାରି ପଡ଼ୁଚି । କି ଚିନ୍ତା ଧାର ଆଧୁନିକ ଯୁଗର । ପିଲାର ରୁଚି ନୁହେଁ କି, ବୁଢ଼ା ବୁଢ଼ୀଙ୍କ ରୁଚି ନୁହେଁ, କେବଳ ନିଜର ରୁଚିକୁ ସାଇତି ରଖିବାରେ ଚେଷ୍ଟା ଚାଲିଛି।
ଅତ୍ୟାଧୁନିକ ସାମାଜିକ ରୀତିନୀତିକୁ ଅନୁସରଣ କରି ଶିଶୁର ଭବିଷ୍ୟତ ନଷ୍ଟ କରିବା ଅପେକ୍ଷା, ଅତୀତକୁ ସମ୍ମାନ ଦେଇ ଭବିଷ୍ୟତକୁ ଉଚ୍ଚ କରିବାକୁ ହେଲେ ଆମେ ସବୁ ପୀଢ଼ିକୁ ଗୋଟିଏ ରଜ୍ଜୁରେ ବାନ୍ଧି ଚାଲିବାକୁ ହେବ । ନାଇଁ ତ ଏମିତି ଅନେକ ବୁଢ଼ା ବୁଢ଼ୀଙ୍କ ପରି ନା କହି ପରୁଥିବେ ନା ସହି ପାରୁଥିବେ, ମନରେ ଅନେକ ଭାବନା କଷ୍ଟ ଯନ୍ତ୍ରଣାକୁ ହୃଦୟରେ ରଖି ମରି ମରି ବଞ୍ଚିବେ ଯାହା । ଅମୃତ ସମାନ ଘରକୁ ଆଧୁନିକ ଯୁଗର ଜ୍ଞାନକୋଷ ଭିତରେ ବୁଡାଇ ନ ଦେଇ ସମାନତା ରଖିଲେ ହୁଏତ ଜୀବନ କାହାଣୀ ବଦଳିଯିବ।
