The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Krushna Priya Mohapatra

Tragedy

5.0  

Krushna Priya Mohapatra

Tragedy

ଶେଷପ୍ରଶ୍ନ

ଶେଷପ୍ରଶ୍ନ

7 mins
324


 ଅହ୍ୟଡେଙ୍ଗୁରା ବଜେଇ ସରସୀ ମୋର ଯାଉଛି, ଯାଉଛି ତାର ଶେଷ ଯାତ୍ରା ରେ ,ଏକଥା କେବେ ମୋ ମନକୁ ଆସି ନ ଥିଲା ଯେ ସରସୀ ମୋ ପରିପୂର୍ଣ୍ଣ ସଂସାର ର ସୃଷ୍ଠିକର୍ତ୍ତୀ ଦିନେ ମୋତେ ଛାଡ଼ି,ଏ ଇହ ଜଗତ କୁ ତ୍ୟାଗ କରି ଚାଲି ଯିବ ବୋଲି।


   ଦେବୀପକ୍ଷ ର ନିର୍ମଳ ଆକାଶ, ଆକାଶ ରେ ଭସା ବାଦଲ ର ପଟୁଆର, ଶୁଭ୍ର ଚନ୍ଦ୍ରକିରଣ ବାଦଲ ଫାଙ୍କ ରୁ ଛିଟିକି ଆସୁଛି ।ନଈପଠାର କାଶତଣ୍ଡି ,ଧରଣୀର ସବୁଜ ପଣତ ରେ ସୁନ୍ଦର୍

ଝୋଟି ଆଙ୍କି ଦେଇଛି। ପୃଥିବୀ ରେ ମା ଙ୍କ ଭବ୍ୟ ଆଗମନ କୁ ସମସ୍ତେଆଗ୍ରହ ର ସହିତ ଅପେକ୍ଷା ରତ।

 ଅଥଚ ଏଇ ଦେବୀ ଯିଏ ମୋ ମନ ମଧ୍ୟରେ ଅଧିସ୍ଥାପିତା ,ସିଏ ଆଜି ପାର୍ଥିବ ମୋହକୁ ତ୍ୟାଗ କରି ଚାଲି ଯାଉଛି ସ୍ଥିର, ଅବିଚଳିତ, ମୁଖମଣ୍ଡଳରେ ଶାନ୍ତସ୍ନିଗ୍ଧ ଭାଵ।ଯୁଗ ଯୁଗ ଧରି ବିନିଦ୍ର ଥିବାନୟନରେ ଆଜି ପ୍ରଶାନ୍ତି ର ନିଦ ।କାହା ପାଈ ଏ ତପସ୍ୟା, କାହାର ମଙ୍ଗଳ କାମନା କରି ଜାଗି ରହିଥିଲା ଏ ନୟନ।

ମୋ ପାଇଁ ..........ମୋର ସମ୍ପୁର୍ଣ୍ଣ ଜୀବନ ରେ ସୁଖ ଆଉ ଶାନ୍ତି ଭରି ଦେବା ପାଇଁ....... କେବେ ବି ତ ଅଭିଯୋଗ କରିନି !!! ନିଜ ପାଇଁ ଚିନ୍ତା କରିନି ,କଣ ତାର ସ୍ଵାର୍ଥ ଥିଲା???କେବଳ ମୋ ପାଇଁ ସମ୍ପୁର୍ଣ୍ଣ ଜୀବନ କୁ ସମର୍ପି ଦେଲା

କଣ ପାଇଲା ଜୀବନରେ !! ନିରାଶା.... ମୋର ମନ ଭିତରେ ତା ପ୍ରତିଥିବା ଅହେତୁକ ଉଦାସୀନତା କୁ ପଢ଼ି ନେଇଥିଲା ସିଏ ......


 ମୁହଁ ଖୋଲି ମାଗିନି କିଛି ଦିନେ କେବେ ତାର ହକ୍ ଜାହିର କରିନି। ମୁଁ ଵି କାହିଁକି ସରସୀକୁ ଆଦର ରେ ପଦେ କଥା କହିବାକୁ କୁଣ୍ଠିତ ହୁଏ? ,ମୁଁ ଏବେ ଭାବୁଛି ମୋ ମନ, ହୃଦୟ ରେ କଣ ସରସୀ କେବେ ନ ଥିଲା।ମୁଁ କଣ ପାଇଁ ତା ପ୍ରତି ଏତେ ଉଦାସୀନ ଥିଲି..... ମୋ ମନ କଣ କେବଳ ମୋ କଳା ସାହିତ୍ୟ ଆଉ ମୋ ସୃଜନ ପ୍ରତି ସମର୍ପିତଥିଲା!!?  ସେଠି ସରସୀ ର ସ୍ଥାନ ନଥିଲା......?ନା ମୋର ନାରୀ ମାନଙ୍କ ପ୍ରତି,ସେମାନଙ୍କ ନିସ୍ୱାର୍ଥପର ସେବାଭାଵ ପ୍ରତି ଆଗ୍ରହ ନଥିଲା..... ନା ମୁଁ ଥିଲି ଗୋଟେ ଅଧମ ଆଉ ଅକୃତଜ୍ଞ।

  

   ସବୁ ଠାରେ ତାର ପାଦଚିହ୍ନ ,ତାର ହସ୍ତଅଙ୍କିତ ସଂସାର ଚିତ୍ର, ଯାହା ଦେଖୁଛିଏଇ ମୋଦୁନିଆରେ ସବୁ ସୃଷ୍ଟି କେବଳ ତାରି।ମା ଲକ୍ଷ୍ମୀଙ୍କ ପରି ପରଶି ଦେଉଥିଲା ଅମୃତ।ଭାଵମୟୀ ଭବାନୀ, ମୋ ମନ ମନ ଚୈତନ୍ୟର ସୃଷ୍ଟି, ସ୍ଥିତି, ପାଳନକର୍ତ୍ତୀ, ମମତାମୟୀ ଜନନୀ।ମୋ ମନ ହୃଦୟର ଶୀତଳ ସ୍ପର୍ଶ ର କାରଣ ଅଥଚ ତା ମନଫରୁଆ ରେ ସାଇତା ସ୍ବପ୍ନକୁ ମୁଁ କେବେ ଖୋଲି ଦେଖିବାକୁ ଆଗ୍ରହ କରିନି।  ଏବେ ଭାବୁଛି ,ମୁଁ ପୁରା ଏକା ହୋଇ ଗଲି। ସବୁ ଥାଇ ମଧ୍ୟ, ମୁଁ ଅସମ୍ପୁର୍ଣ୍ଣ  ଏ ପର୍ଯ୍ୟନ୍ତ ଚୁପ୍ ଥିବା ମୁହଁ ରୁ ବାହାରି ଥିବାଶେଷ ପ୍ରଶ୍ନର ଉତ୍ତର ଶୁଣି ଯିବାକୁ ମଧ୍ୟ ଅପେକ୍ଷା କଲାନି ସେ .........


 ମୋ ଜୀବନରେ ସରସୀର ଆଗମନ ଥିଲା ଏକଦମ୍ ଅପ୍ରତ୍ୟାଶିତ ।ଯୌତୁକ ଦେଇ ନ ପାରିବା ଯୋଗୁ ହଟାତ ବାହାଘର ଭାଙ୍ଗିଯାଇଥିଲା ତାର ,ସରସୀ ବାପା ଥିଲେ ମୋ ବାପାଙ୍କର ଘନିଷ୍ଠ ବନ୍ଧୁ ।ତେଣୁ ବନ୍ଧୁକୁ ଅସମୟରେ ସାହାର୍ଯ୍ୟ କରିବା ପାଇଁ ତା ସହିତ ମୋର ବିବାହ କରିବାକୁ କଥା ଦେଇ ଦେଲେ ବାପା ,ତା ପରେ ବିନା ପ୍ରଶ୍ନରେ ମୁଁ ବିବାହ କଲି ସରସୀ କୁ।  ସେଇ ଦିନ ଠାରୁ ସରସୀ ବା ସରସ୍ୱତୀ ଦେବୀ ହୋଇଗଲା ମୋର ବିବାହିତା ପତ୍ନୀ। ବିନା ଆମନ୍ତ୍ରିତ ଅତିଥି ଭଳି ସେ ମୋ ପାଖରେ ଅପ୍ରସ୍ତୁତ ମନେ କରୁଥିଲା ନିଜକୁ ଅଳ୍ପ ଦିନ ମଧ୍ୟରେ ସମସ୍ତ ଙ୍କୁ ନିଜର କରି ନେଲା ସେ ,ବାପା ବୋଉ ତା ଗୁଣ ରେ ମନ୍ତ୍ରମୁଗ୍ଧ। ଆଉ ବୋଉତ ସରସୀର ସଂସ୍କାର ଆଉ ସଣ୍ଠଣାର ପ୍ରଶଂସା କରି କରି ଥକୁ ନ ଥିଲା।

   

   ଗଡ଼ି ଚାଲିଲା ସଂସାର ର ଚକ, ସମୟର ଗତିରେ ତାଳ ଦେଇ ଚାଲିବାକୁ ନୁହେଁ ଦୌଡ଼ି ବାକୁ ହୁଏ ।ତେଲଲୁଣ ସଂସାରର ଅଭାବୀ ମଧ୍ୟବିତ୍ତ ପରିବାର ,ସୀମିତ ରୋଜଗାର ରେ

ସହଯୋଗ କରିଚାଲେ ସରସୀ ବିନାଦ୍ବିଧାରେ ।ତା ସହିତ ଘରର ସମସ୍ତଙ୍କୁ ନିଜର କରି ନେଇଥାଏ। ସକାଳ ଠାରୁ ସନ୍ଧ୍ୟା ,ସନ୍ଧ୍ୟା ରୁ ସକାଳ ସବୁ ବେଳେ କିଛି ନା କିଛି କାମରେ ବ୍ୟସ୍ତ ହୋଇ

ରହିଥିବ।କାହା ମନରେ କେବେ ଆଘାତ ଲାଗିଲା ଭଳି ବ୍ୟଵହାର କରି ପାରେନା।ଖଡ଼ିକା ଭଳି ଶରୀର ରେ କେତେ ବଳ ଭରି ହୋଇ ଥାଏ ତାର କେଜାଣି ମନରେ ଅଫୁରନ୍ତ ଆଗ୍ରହ ନେଇ ଢ଼ାଳି ଦିଏ ସ୍ନେହ ସୋହାଗ ର ଧାରା।  ମୁଁ ତାର ପ୍ରତ୍ୟେକ କାମରେ ଖୁସି ହୁଏ, ତାର ସବୁ ନିଷ୍ପତି କୁ ସ୍ୱୀକାର କରେ।ଏମିତି କି ତାରପ୍ରଶଂସା ଅନ୍ୟ ମାନଙ୍କ ଆଗରେ କରେ।କିନ୍ତୁ ତାକୁ ମନ ଖୋଲି କହି ପାରେନା।ବେଳେ ବେଳେ ଭାବେ ସରସୀ ସ୍ଥାନ ରେ ଯଦି ଆଉ କେଉଁ ଝିଅ ଥାନ୍ତା ତେବେ ମୁଁ କଣ ମୋ ସୃଜନ ଆଉ କଳା କୁ ଏତେ ଭଲ ପାଇ ପାରି ଥାନ୍ତି। ଘରର ପ୍ରତ୍ୟେକ କାମ ,ବାପା ବୋଉ ଙ୍କପ୍ରତି କର୍ତ୍ତବ୍ୟ, ସବୁ ଦାଇତ୍ଵ କୁ ନିଜେ ନିଜେ ତୁଲେଇ ନିଏ।ମୋ ପର୍ଯ୍ୟନ୍ତ ଆସିବା ଖୁବ୍ କମ।


   ଏହା ମଧ୍ୟରେ ଆମ ପରିବାର କୁ ଆଉ ଦୁଇ ଜଣ ନୂଆ ସଦସ୍ୟ ଙ୍କର ଆଗମନ ହୋଇ ସାରି ଥାଏ। ପିଲା ମାନଙ୍କ ଜଞ୍ଜାଳ କୁ ବାପା ବୋଉ ଙ୍କ ସେବା ମଧ୍ୟରେ ଅନେକ ବର୍ଷ କଟିଗଲା ।

ଜୀବନର ଘଣ୍ଟା କଣ୍ଟା ଛୁଇଁ ଛୁଇଁ ଆଗକୁ ବଢ଼ିବାରେ ଲାଗିଛି ବୟସ ।କ୍ରମେ ବାପା ବୋଉ ସଂସାର ତ୍ୟାଗ କରି ଚାଲି ଯାଇଛନ୍ତି।

   ମା'ର ପଣତକାନିକୁ ଛାଡ଼ି ପିଲାମାନେ ବାହାର ଦୁନିଆଁ କୁ ଚିନ୍ହି ସାରିଲେଣି।କେତେ କେତେ ଜଟିଳ ପରିସ୍ଥିତି କୁ ସାମ୍ନା କରି ସରସୀ ସେମାନଙ୍କୁହାତ ଧରି ଚାଲିବା ଶିଖେଇ ଦୁନିଆଁ ଦାଣ୍ଡ ରେ ଠିଆ କରିଛି ,ସେଥିରେ ମୋର ସହ ଯୋଗ କୁ ଆଶା କରିନି କି ଅପେକ୍ଷା କରିବାକୁ ଚାହିଁନି । ସେ କଥା ଭାବିଲେ ମୋତେ ଲଜ୍ୟା ଆସୁଛି,

ହୁଏତ ମୋ ସହଯୋଗରେ ତାକୁ ଆଉ ଟିକେ ସହଜ ହୋଇଥାନ୍ତା ।ପୁଣି ଥରେ ଫେରି ଆସନ୍ତା କି ସେଇ ସମୟ ଗୁଡ଼ିକ...........  ନା ସମ୍ଭବ ନୁହେଁ.......ବହୁତ ଡେରି ହୋଇ ଯାଇଛି।


 ଏତେ ଶସ୍ତା ମନର ଝିଅ ନଥିଲା ସରସୀ ,ଯଦି ତା ଯାଗାରେ ଆଉ କିଏ ଥାନ୍ତା ତେବେ ମୋ ସଂସାର ର ଚକ ଆଗକୁ ନଯାଇ ,ସେଇଠି ଅଟକି ରହିଯାଇଥାନ୍ତା  ଝିଅର ବିବାହ ବୟସ ହୋଇ ଯାଇଥିଲା ,ହଟାତ ଦିନେ ଜଣେ ବନ୍ଧୁ ଙ୍କ ସହାୟତାରେ ଆସିଥିଲା ପ୍ରସ୍ତାବ ଟିଏ ,ତା ପରେ ବାହାଘର। ଝିଅ ଶାଶୂ ଘର ଚାଲିଗଲା ପୁଅ ପାଠ ପଢିବା ପାଇଁ ବାହାରକୁ ଗଲା ଫଳରେ ସରସୀ ସମ୍ପୁର୍ଣ୍ଣ ଏକା ହୋଇଗଲା ମୁଁ ଅଫିସ ରୁ ଫେରି ବିଭିନ୍ନ ସାହିତ୍ୟ ଅନୁଷ୍ଠାନକୁ ଯାଉଥିଲି ।ଘରେ ରହି ତା ସହିତ ସମୟ କାଟିବା ମୋ ପାଇଁ ଯେମିତି ଗୋଟେ ଅପରାଧ ଥିଲା। ଆସ୍ତେ ଆସ୍ତେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା ସେ ।ଶରୀର ଦୁର୍ବଳ ହୋଇ ଯାଉଥିଲା ଧୀରେ ଧୀରେ। ହଟାତ ଦିନେ ତାକୁ ଲାଗିଲା ତା ଗୋଡ ଦୁଇଟି ଅଚଳ ହୋଇ ପଡୁଛି।ତା ଚଞ୍ଚଳ ପାଦ ଦୁଇଟା ସ୍ଥିର ହୋଇ ଯାଇଥିଲା। ବହୁତ କାନ୍ଦିଲା ତା ସଂସାର ଚଳିବ କେମିତି?? ଅକର୍ମଣ୍ୟ ହୋଇ ବସି ଥିବା ମଣିଷର ଦୁଃଖ ସେ ନିଜେ ଏକା ଜାଣି ପାରେ।ସଦା ଚଞ୍ଚଳ ପାଦ ଦୁଇଟି ତାକୁ ଏ ବୟସରେ ଧୋକା ଦେଲେ......  ନା ଭଗବାନ ଆଉକିଛି ଚାହୁଁଛନ୍ତି ......... ଘର ର ପରିସ୍ଥିତି କୁ ସମ୍ଭାଳିବା ପାଇଁ ଝିଅ କୁ କିଛି ଦିନ ପାଇଁ ଆଣିବାକୁ ପଡ଼ିଲା ।ବହୁତ ଚେଷ୍ଟା କଲା ପରେ ମଧ୍ୟ ସରସୀ ଆଉ ପୁର୍ବ ଅବସ୍ଥା କୁ ଆସି ପାରିଲା ନାହିଁ।

 ଅନେକ ପରାମର୍ଶ ଦେଲେ ପୁଅ କୁ ବାହା କରି ଦିଆଯାଉ ।କିନ୍ତୁ ସରସୀଚାହୁଁ ନ ଥିଲା ଏମିତି ତର ତର ହୋଇ ପୁଅ କୁ ବାହା କରିବା ପାଇଁ ହୁଏତ ତା ମନରେ ବସା ବାନ୍ଧି ଥିଲା ତା ମନର

ଅଭିମାନ ଯେଉଁ କାରଣ ପାଇଁ ସିଏ ମୋ ଦ୍ୱାରା ଅବହେଳିତ ହୋଇଥିଲା। ପୁଅକୁ ପଚାରିଲା? "ତୁ ଘରର ପରିସ୍ଥିତି ପାଇଁ ବାହା ହୋଇ ସାରିଲା ପରେ ବୋହୂ ପ୍ରତି ଅବହେଳା କରିବୁନି ତ"........ "ଝିଅ ଟିଏ ଘର ଛାଡ଼ି ଆସିଥାଏ କେତେ ସ୍ବପ୍ନ ନେଇ ,ତା ପ୍ରତି ଠିକ୍ ନ୍ୟାୟ କରିପାରିବୁତ?" ପୁଅ ତା କଥାରେ ସହମତ ହେବାପରେ ସରସୀ ବିବାହ ପାଇଁ ରାଜି ହେଲା।


 ଯେ କୌଣସି ମତେ ମାସକ ମଧ୍ୟରେ ବାହାଘର ହୋଇ ଗଲା। ଯେଉଁ ଦିନ ପୁଅ ବୋହୂ କୁ ଧରି ଆସିଲା  ସେ ଦିନ ସରସୀ ଖୁସି କମ ଭୟଭୀତ ବେଶି ଲାଗୁ ଥିଲା ....... ବୋହୂ ର ସେବା ଆଉ ସହଯୋଗ ଫଳରେ ଧୀରେ ଧୀରେ ମାନସିକ ସ୍ତରରେ ସରସୀ ଠିକ୍ ହେଇ ଯାଉ ଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ପୁର୍ବ ଭଳି ଥାଏ ।ତଥାପି ମୋର କେତେ ବେଳେ କଣ ଆବଶ୍ୟକ ସବୁ ବୋହୂକୁ ପୂର୍ବରୁ କହି ସଜାଡି ରଖିଥିବ।ମୋର ପସନ୍ଦ ଅପସନ୍ଦ ସବୁକୁ ସେମିତି ମନେ ପକାଇ କରିବାକୁ କହିଥିବ । ସମୟ ଗଡ଼ି ଚାଲିଛି ଏ ଭିତରେ ମୁଁ ସରକାରୀ କାର୍ଯ୍ୟରୁ ଅବସର ନେଇ ସାରି ଥାଏ ଏବଂ ସାହିତ୍ୟ କ୍ଷେତ୍ରରେ ଆହୁରି ସକ୍ରିୟ ହେଇ ଯାଇଥାଏ।

  

 ଅନେକ ଥର ଲକ୍ଷ କରିଛି ମୋତେ ଦେଖି ସେ ଯେମିତି କିଛି ପଚାରିବା ପାଇଁ ଚାହୁଁଛି।ଅତି ଆବେଗ ର ସହ ସେ ମୋତେ ଚାହିଁ ରହେ । ମୁଁ କିନ୍ତୁ ସାଧାରଣ ଲୋକଙ୍କ ପରି ଦେହ ପା ବୁଝି

ଚାଲି ଆସେ।ମୁଁ ଏବେ ଭାବୁଛି, ତା ମନରେ ପ୍ରଥମରୁ ଏଇ ସନ୍ଦେହ ବସା ବାନ୍ଧି ସାରିଥିଲା ଯେ........"" ମୋ ମନରେ ତା ପାଇଁ କିଛି ଭଲ ପାଇବା ନ ଥିଲା, ଆଉ ଭାବିଥିଲା ମୁଁ ତାକୁ ପସନ୍ଦ କରେ ନାହିଁ "".ଏଇ କଥା ମୁଁ ଏବେ ଭାବୁଛି

 ଓଃ  କେତେ ବଡ଼ ମାନସିକ ଯନ୍ତ୍ରଣା ନେଇ ସେ ବଞ୍ଚି ଥିଲା। ତାର ଶେଷପ୍ରଶ୍ନ "ମୋତେ ତୁମେ ଭଲ ପାଅନି ନା"??...କଣ୍ଟା ଭଳି ମୋ ଦେହରେ ଯେମିତି ଗଳି ଯାଉଛି। ସେଦିନଥିଲା ପାର୍ବଣ ସନ୍ଧ୍ୟାର ସପ୍ତମୀ ତିଥି।ଦୂରରୁ ଶୁଭୁଛି  ଘଣ୍ଟଘଣ୍ଟା ହୁଳହୁଳି ର ଶବ୍ଦ।ମା ଙ୍କର ଆଗମନ ପାଇଁ ଧରଣୀମା ଅପେକ୍ଷା ରତ। ସନ୍ଧ୍ୟା ସମୟରେ ଗୋଟିଏ ସଭା କୁ ଯିବା ପାଇଁ ମୁଁ ପ୍ରସ୍ତୁତ ହେଉ ଥାଏ ଏଇ ସମୟରେ ବୋହୂ ଆସି କହିଲା ବାପା ବୋଉ ଆପଣଙ୍କୁ ଡ଼ାକୁଛନ୍ତି। ମୁଁ ଅତି ଶୀଘ୍ର ଯାଇପହଞ୍ଚିଲି ସରସୀ ଶେଯ ପାଖରେ ।


ସେ ଦିନ ସରସୀ ର ମୁହଁକୁ ଚାହିଁ ଦେଖିଲି ।କେମିତି ମ୍ଲାନ ଦେଖା ଯାଉଥିଲା । କିଛି ନିଶ୍ଚୟ ହୋଇଛି ବୋଧେ । "ସରସୀ କଣ ଦେହ ଭଲ ଲାଗୁନି???" ଶୋଇଛ କାହିଁକି ତମେ ତ ଏତେବେଳେ ସୁଅନାହିଁ। ଆଉ ମତେ ଡାକୁଥିଲ ?"ସରସୀ କହିଲା ତମେ କୁଆଡେ ଯାଉଛ କି? ହଁ ଗୋଟିଏ ସାହିତ୍ୟ ଆସର ଅଛି।" "ତୁମେ ଆଜି ନ ଗଲେ ହବନି ,ମୋର ଦେହ କାହିଁ ଟିକେ ଭଲ ଲାଗୁନି ତ।" ମୁଁ କହିଲି ,ମୁଁ ଯାଇ ଶୀଘ୍ର ଫେରି ଆସିଵି। ସରସୀ କ୍ଷୀଣ ସ୍ୱର ରେ କହିଲା। "" ନା ନା ତମେ ଆଜି କୁଆଡେ ଯାଅନି ""। "ହଉ ମୁଁ ଯିବିନି , ଯେ ତମ ଦେହ ଯଦି ଭଲ ଲାଗୁନି ତେବେ ଡାକ୍ତର ଡାକିବା??" ସରସୀ କହିଲା ,ନା କିଛି ନାହିଁ ସେମିତି ଟିକେ ଲାଗୁଛି ନା ,ଭଲ ହେଇ ଯିବନି। ମୁଁ ସେମିତି ଠିଆ ହେଇଥାଏ।ମୋତେ ପାଖକୁ ଡାକିଲା ମୁଁ ଯେମିତି ତା ଖଟ ପାଖରେ ବସି ପଡ଼ିଲି।ମୋ ହାତ କୁ ଧରିପକେଇ କହିଲା .... "ଗୋଟେ କଥା ପଚାରିବି ??"  ମୁଁ କହିଲି ପଚାର ,??କଣ ପଚାରିବ ମୁଁ ଭାବିଲି ସରସୀ ବୋଧେ ପିଲା ମାନଙ୍କ ବିଷୟରେ କିଛି କହିବ । ହେଲେ ସିଏ କ୍ଷୀଣ ସ୍ୱର ରେ ମୋତେ ଚାହିଁ ପଚାରିଲା ଆଜି ମୋତେ ଗୋଟେ ସତକଥା କହିବ "ତମେ ମୋତେ ଭଲ ପାଅ "?? ମୋତେ କଣ ତମେ ବାପାଙ୍କ କଥାରେ ବାଧ୍ୟ ହୋଇ ବାହା ହୋଇଥିଲ??ନା ତୁମର ଆଉ କିଏ ପସନ୍ଦ ଥିଲା ??"" ଏତେ ଗୁଡିଏ ପ୍ରଶ୍ନ ପଚାରି,ଅତ୍ୟନ୍ତ ଅବଶ ଭାବେ ମୋତେ ଚାହିଁଲା । 

 ହଟାତ ତା ପ୍ରଶ୍ନ ରେ ମୁଁ ଯେମିତି ଆକାଶ ରୁ ତଳକୁ ଖସି ପଡ଼ିଲି, ମୋ ଛାତିର ସ୍ପନ୍ଦନ ବଢ଼ିଗଲା।ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ ଜୋର ରେ ତା ହାତ କୁ ଜାବୋଡି ଧରି ତା ମୁହଁ କୁ ଚାହିଁ ରହିଲି ଅନେକ କିଛି କହିବାକୁ ଚାହିଁ ମଧ୍ୟ କହି ପାରୁ ନଥିଲି। ମୋ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇ ଥିଲା ।ଶବ୍ଦ ସବୁ ବାହାରି ପାଇଁ ବ୍ୟାକୁଳ ହୋଇ ଉଠୁଥିଲା ।କିନ୍ତୁ ମୁଁ କହି ପାରୁନଥିଲି।


  ସରସୀ ମୋର ଏ ଅବସ୍ଥା ଦେଖି ପୁର୍ବ ଭଳି ବୁଝେଇବା ପରି କହିଲା " କଣ ଭାବୁଛ,,  ""ଥାଉ ତୁମେ କିଛି କହିବା ଦରକାର ନାହିଁ।ମୁଁ କିନ୍ତୁ ତୁମକୁ ବହୁତ ଭଲ ପାଏ।ଆଉ ସମ୍ମାନ କରେ ଯଦି ପ୍ରଶ୍ନ ପଚାରିବା ଯୋଗୁ ତୁମକୁ କିଛି ଖରାପ ଲାଗିଲା ତେବେ ମୋତେ କ୍ଷମା କରିଦେବ।"!!!

     

    ହଟାତ ଯେମିତି ଗୋଟିଏ ବିରାଟ ବିସ୍ଫୋରଣ ଘଟିଲା,ମୁଁ ତାକୁ କୁଣ୍ଢେଇ ଧରି ଜୋର ରେ କାନ୍ଦି ବାକୁ ଲାଗିଲି ।ଆଉ ବିକଳ ହୋଇ କହିଲି ""କିଏ କହିଲା ମୁଁ ତତେ ଭଲ ପାଏନିବୋଲି ,ମୁଁ ତତେ ବହୁତ ଭଲ ପାଏ ସର ଵହୁତ୍ ଭଲ ପାଏ,।ମୁଁ ମୁହଁ ଖୋଲି କହି ପାରିନି ହେଲେ ତୋ ବିନା ବଞ୍ଚି ପାରିବିନି"" ମୁଁ ଗୋଟେ ଅହଂଙ୍କାରୀ ପୁରୁଷ, ନିଜର ବଡ଼ପଣକୁ ବଜାୟ ରଖିବା ପାଇଁ ତୋ ମନରେ ସାରା ଜୀବନ ଯନ୍ତ୍ରଣା ଭରି ଦେଇଛି।ଜୀବନ ସାରା ତୁ ମୋର ସମସ୍ତ ସତ୍ତା କୁ ଆବୋରି ବସିଛୁ ହେଲେ ମୁଁ ମନ ଖୋଲି କହିଲିନି ।କହି ପାରିଲିନି ତୁ ମୋ ପାଇଁ ବହୁତ କରିଛୁ ।ମୋ ଜୀବନରେ ଅମୃତ ଭରି ଦେଇ ନିଜେ ସବୁତକ ଜହର ପିଉଥିଲୁ ଏଇ ସମୟରେ ମତେ ଲାଗିଲା ସରସୀ ର ଦେହ ଯେମିତି ମୋ ବାହୁ ବନ୍ଧନରେ ରହି ମଧ୍ୟ ଶୀତଳ ହୋଇ ଯାଉଛି। ମୁଁ ତାକୁ ଆଉ ଥରେ ହଲେଇ ଡାକିଲି ଉଠ ସର ମୋ କଥା ଶୁଣ, ସେତେ ବେଳକୁ ସେ ଆଉ ନଥିଲା । ପ୍ରାଣପକ୍ଷୀ କେତେ ବେଳୁ ତା ଶରୀର ଛାଡ଼ି ଉଡ଼ି ଯାଇଥିଲା।


 ମୁଁ ଚାହିଁ ଦେଖୁଥିଲି ଦେବୀ ପକ୍ଷର ଆକାଶ କୁ ଯେଉଁଠି ସର ମୋର ତାରା ଟିଏ ହୋଇଯାଇଥିଲା .


Rate this content
Log in

Similar oriya story from Tragedy