Jayashree Maharana

Tragedy

3  

Jayashree Maharana

Tragedy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

7 mins
217


ମଣିଷ ଜନ୍ମ । ଖାପ ଖୁଆଇ ଚଳିବାକୁ ପଡେ ପ୍ରକୃତି ସହ, ଜୀବିକା ସହ, ପରିବାର ସହ ଏବଂ ସମାଜ ସହ । ସେଥିପାଇଁ ତ ସେ ଆଜିଯାଏଁ କେବଳ କର୍ତ୍ତବ୍ୟ ଭାବି ଆଡ଼ଜଷ୍ଟ କରିଆସୁଥିଲେ । ନା ନା ସେ ଆଉ ପାରିବେ ନାହିଁ । ସେ ଫେରିଯିବେ ଗାଆଁକୁ । ଫେରିଯିବେ ନିଜ ପ୍ରିୟ ଜାଗାକୁ । ସେ ଭୁଲିଯିବେ ପୁଅକୁ ଦେଇଥିବା ପ୍ରତିଶୃତି । ଜୀବନ ସାରା ଜଗିରଖି ଚଳି ଚଳି ସେ ଯେତିକି କଷ୍ଟ ଭୋଗ କରିନଥିଲେ ଏଇ ଦୁଇବର୍ଷ ଭିତରେ ପୁଅ ବୋହୂ ସହ ଖାପଖୁଆଇବାକୁ ଚେଷ୍ଟା କରି କରି ସେ ହୋଇଗଲେଣି ହତୋତ୍ସାହ । ହୃଦୟରେ ଗଭୀର ଆଘାତ ହେଲାଣି । ଆଉ ପାରୁନାହାନ୍ତି ସେ । ଆଟାଚରେ ନିଜ ଲୁଗାପଟା ଦୁଇଖଣ୍ଡ ସଜାଡି ଦେଇ ପୁଅ ବୋହୂଙ୍କ ଉଥିବା ସମୟକୁ ଚାହିଁ ରହିଥିଲେ ସୁମିତ୍ରା ଦେବୀ । 


 ଝିଅ ଜନ୍ମ ପରଘରକୁ । ଝିଅ ଋତୁମତୀ ହୋଇଗଲେ ବାପା ମାଆଙ୍କ ଭାଲେଣି ପଡ଼ିଯାଏ । ଖୋଜାହୁଏ ଶାଶୂଘର । ବାପା ମାଆ ନିଜ ସାଧ୍ୟ ମୁତାବକ ବରପାତ୍ର ଯୋଗାଡ଼ରେ ଲାଗିପଡ଼ନ୍ତି । ଝିଅର ମନ, ଇଚ୍ଛା ସବୁ ନିରର୍ଥକ । ବସିବାକୁ ହୁଏ ବେଦୀରେ । ବାପା ବୋଉଙ୍କ ସମ୍ମାନ ପାଇଁ । ସୁମିତ୍ରା ଦେବୀ ବାଦ ଯିବେ କିପରି ?

ଅଠର ବର୍ଷ ନ ପୁରୁଣୁ ସେ ହୋଇଗଲେ ଝିଅରୁ ବୋହୂ । ବୋଉ ସେଦିନ କହିଥିଲେ ....

ମାଆ ଶାଶୂଘରେ ଜଗିରଖି ଚଳିବୁ । ବାପା ବୋଉଙ୍କ ସମ୍ମାନ ହାନି କରିବୁ ନାହିଁ । ସମସ୍ତଙ୍କୁ ଆପଣାର କରି ଚଳିବୁ । ତେବେ ଯାଇ ନାରୀ ଜନ୍ମ ସାର୍ଥକ ହେବ ଲୋ ମାଆ । 

ସେଦିନ ପାଟି ଫିଟାଇ ନଥିଲେ ସୁମିତ୍ରା ଦେବୀ । ଝିଅ ପାଇଁ କଣ ସବୁ ନୀତି ନିୟମ । ତାଙ୍କର ମନ କଣ ନଥାଏ ?କିନ୍ତୁ କାହା ଆଗରେ ପ୍ରକାଶ କରିପାରିଲେ ନାହିଁ । ବୋଉର କଥା ଗୁଡିକୁ ବେଦର ଗାର କରି ହୃଦୟରେ ସାଇତି ଚାଲିଗଲେ ପରଘରକୁ । 


 ନୂଆ ଘର ନୂଆ ପରିବେଶ । ଅଚିହ୍ନା ମଣିଷଙ୍କ ଭିତରେ ଭାରି ଅଡ଼ୁଆ ଲାଗୁଥିଲେ ମଧ୍ୟ ବୋଉର କଥାକୁ ଗଣ୍ଠି କରି ମନରେ ରଖିଥିଲେ ସେ । ସ୍ୱାମୀ ନବଘନ ଥିଲେ ଜଣେ ବେସରକାରୀ କର୍ମଚାରୀ । ସକାଳୁ କଣ ଟିକେ ଜଳଖିଆ କରି ଟିଫିନିରେ ମଧ୍ୟାହ୍ନ ଭୋଜନ ନେଇ ଚାଲିଯାଆନ୍ତି । ସନ୍ଧ୍ୟାରେ ଫେରିବା ବେଳକୁ ୬ଟା କିମ୍ବା ୭ ବାଜେ । ରାତିରୁ ଉଠି ସୁମିତ୍ରା ସ୍ୱାମୀଙ୍କ ପାଇଁ ସବୁ ଯୋଗାଡି ଦିଅନ୍ତି । ଶାଶୂ ଶ୍ୱଶୁରଙ୍କ ସେବା ସହ ଦୁଇ ନଣନ୍ଦ ଓ ଦିଅରଙ୍କ ସେବାରେ କେବେ ହେଳା କରିନାହାଁନ୍ତି ବରଂ ନଣନ୍ଦମାନଙ୍କ ମନ ନେଇ ସାଙ୍ଗ ପରି ବ୍ୟବହାର କରିଛନ୍ତି । ଦିନ କେଇଟାରେ ବୋଉର କଥା ପାଳନ କରି ଆପଣାର କରିନେଇଥିଲେ ସମସ୍ତଙ୍କୁ । ଗାଆଁ ସାହି ପାଖପଡ଼ୋଶୀ ଭୂରି ଭୂରି ପ୍ରଂଶସା କରୁଥିଲେ । କିନ୍ତୁ ନାରୀ ଜନ୍ମ ସାର୍ଥକତା କେବଳ ଦୁଇପଟ ଶଙ୍ଖା ଆଉ ଧାରେ ସିନ୍ଦୂରରେ ନଥାଏ । ଥାଏ ମାତୃତ୍ୱରେ । ବାହାଘରର ପାଞ୍ଚ ବର୍ଷ ବିତିଯାଇଥିଲେ ବି ମାଆ ହେବାର ସୌଭାଗ୍ୟ ଜୁଟିନଥାଏ । ଛାତିରେ ଅବ୍ୟକ୍ତ କୋହ ଚାପି ଦୁଇ ନଣନ୍ଦଙ୍କର ବାହାଘର ଦାୟିତ୍ୱ ସୁଚାରୁ ରୁପେ ସମ୍ପାଦନ କରିଛନ୍ତି । ଦିଅରଙ୍କର ପାଠପଢ଼ା, ଶାଶୂ ଶ୍ୱଶୁରଙ୍କ ସେବାରେ ତିଳେ ହେଲେ ବାଧା ଦେଇନି ତାଙ୍କର ହୃଦୟର ଯନ୍ତ୍ରଣା । କେତେ ଉପବାସ, କେତେ ବ୍ରତ ପରେ ସେ ଖୁସିର ମୁହୂର୍ତ୍ତ ଆସିଲା । ମାଆ ହେବାର ସୌଭାଗ୍ୟ ପାଇ ସୁମିତ୍ରା ବହୁତ ଖୁସି ଥିଲେ । ସେ ଅମୃତ ଅନୁଭବର କଥା ଶବ୍ଦରେ କହିବା ଅସମ୍ଭବ । ସ୍ୱାମୀ ମଧ୍ୟ ବହୁତ ଖୁସି । ଦୀର୍ଘ ଦଶମାସର ଅପେକ୍ଷା ପରେ ଜନ୍ମ ନେଇଥିଲା ଏଇ ଏକମାତ୍ର ପୁଅ ନିଶାକର । 


 ସମସ୍ତଙ୍କର ନୟନ ତାରା ନିଶାକର । ଶାଶୂ ଶ୍ୱଶୁର ଥିବାଯାଏଁ ନିଶାକର ତାଙ୍କର ହୃଦୟଚନ୍ଦନ ଥିଲା । ନିଶାକରର ସମସ୍ତ କାମ ଶାଶୂ ନିଜ ତରଫରୁ କରିନେଉଥିଲେ, ଗଭୀର ସ୍ନେହ ଆଉ ସରାଗରେ । ଭାରି ଖୁସି ହେଉଥିଲେ ସୁମିତ୍ରା ଦେବୀ । ଶ୍ୱଶୁର ଯାତ୍ରା ମେଳାକୁ ବୁଲାଇନେଉଥିଲେ ଆଉ ଶାଶୂ ସନ୍ଧ୍ୟାରେ ଗପପେଡି ଖୋଲି ଦେଉଥିଲେ । ଦିନେ ହେଲେ ପ୍ରତିବାଦ କରେନି ସୁମିତ୍ରା । ବରଂ ଖୁସି ହୁଅନ୍ତି । ଗାଆଁର ମାଟିପାଣି ପବନରେ ଗୋଟେ ଅଲଗା ଅନୁଭବ ଥାଏ । ଜେଜିମାଆର କୋଳ, ମାଆର ପଣତ କାନି, ଜେଜେବାପାଙ୍କ ସହ ଗାଆଁ ସାରା ବୁଲିବା ସହ ବାପାଙ୍କ ସହ ବଜାର ଯିବା ସବୁକିଛି ନିଆରା । ନିଶାକର ଦିନକୁ ଦିନ ବଡ଼ ହେଉଥାଏ । ଯୌବନ ଛୁଇଁବା ବେଳକୁ ଶାଶୂ ଶ୍ୱଶୁର ଆରପାରିକୁ ଚାଲିଯାଇଥିଲେ । ଏକମାତ୍ର ପୁଅକୁ ମଣିଷ କରିବା ପାଇଁ ସ୍ୱାମୀ ସ୍ତ୍ରୀ ଦୁହେଁ ଧ୍ୟାନ ଦେଇଥିଲେ । ପୁଅକୁ ଜଣେ ଯନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିଲେ ଦୁହେଁ । ସବୁ ଜମିବାଡ଼ି ବନ୍ଧା ପକାଇ ପୁଅକୁ ପଢ଼ାଇଥିଲେ । ପଢାସାରି ପୁଅ ଏଇ ସୁଦୂର ବମ୍ବେ ସହରରେ ଚାକିରୀ କଲା । ଦରମା ମାସକୁ ପଚାଶ ହଜାର । ଦୀର୍ଘଦିନର ତପସ୍ୟା ପୂର୍ଣ୍ଣ ହୋଇଥିଲା ସ୍ୱାମୀ ନବଘନଙ୍କର । ପ୍ରତିମାସରେ କିଛି ଟଙ୍କା ଦେଉଥାଏ ପୁଅ । ଶେଷରେ ନିଜ ବନ୍ଧକ ଜମିଗୁଡିକ ଫେରାଇଆଣି ଥିଲେ ସ୍ୱାମୀ । ସେଦିନ ସୁମିତ୍ରା ଦେବୀ ସ୍ୱାମୀଙ୍କ ମୁହଁରେ ପରିତୃପ୍ତିର ସଂକେତ ବାରିଥିଲେ । ଶେଷ କର୍ତ୍ତବ୍ୟ ପୂର୍ଣ୍ଣ କରିବେ ବୋଲି ମନରେ ଆଶା ବାନ୍ଧି ଝିଅଟିଏ ଠିକ୍ କରୁ କରୁ ଦିନେ ଅଚାନକ ପୁଅ ଗୋଟିଏ ଝିଅକୁ ପସନ୍ଦ କରେ ବୋଲି ଜଣାଇଲା । ପୁଅର ଖୁସି ପାଇଁ ଦୁହେଁ ରାଜି ହେଲେ । ତା ଜୀବନ ସେ ବିତାଇବ ବୁଢାବୁଢ଼ୀ ଦୁହେଁ ସମୟ ଓ ପରିସ୍ଥିତି ସହ ଖାପଖୁଆଇ ନେଲେ । ବାହାଘର ସହରର ଦାମୀ ହୋଟେଲରେ ସରିବା ପରେ ଦଶ ମଙ୍ଗଳା ସରୁ ସରୁ ଚାଲିଆସିଲେ ବମ୍ବେ । ପ୍ରତିବାଦ କରିନଥିଲେ ସୁମିତ୍ରା ଦେବୀ । ହଁ ସ୍ୱାମୀ ଟିକିଏ ନାରାଜ ଥିଲେ । କିନ୍ତୁ ସୁମିତ୍ରା ଦେବୀ ବୁଝାଇ ଦେଲେ ଲୋକ କଣ କହିବେ କୁହ ? ବୋହୂ ସେବା ପାଇବେ ବୋଲି ପୁଅକୁ ଏକୁଟିଆ ପଠାଇଦେଲେ । ତୁମେ କଣ ତୁମ ତପସ୍ୟା ଭଙ୍ଗ କରିବ ?ଆମର ବା ଏଠି କଣ ଅସୁବିଧା । ଏଠାରେ ସମସ୍ତେ ଆପଣାର । ସୁବିଧା ଅସୁବିଧାରେ ସାଇ ପଡିଶା ସମସ୍ତେ ଆସିଯାଅନ୍ତି ସାହାଯ୍ୟ ପାଇଁ । ତୁମେ କଣ ଭୁଲିଯାଇଛ ମୋର ଦେହ ଖରାପ ସମୟରେ ସୁବି କାକି କେମିତି ମୋ ବାରଣ ସତ୍ତ୍ୱେ ଗୋଡ଼ହାତ ମୋଡିଦେଉଥିଲେ । ଝୁମା ଅପା ଆମ ପାଇଁ ରୋଷେଇ କରିଦେଉଥିଲେ । ଆମର ବା କଣ ଅସୁବିଧା । ସେ ସେଠାରେ ଏକୁଟିଆ । ବୋହୂଟା ପାଖରେ ରହିଲେ ଭଲ । ସ୍ୱାମୀ ବୁଝିଯାଇଥିଲେ । ଦୁଇ ତିନି ବର୍ଷରେ ନିଶାକର ସ୍ତ୍ରୀକୁ ନେଇ ଆସେ ଗାଆଁକୁ । ମାସେ ନ ପୁରୁଣୁ ଚାଲିଯାଏ । ସୁମିତ୍ରା ଦେବୀ ପୁଅ ବୋହୂ ପାଇଁ ନାନା ଦରବ ବନେଇଥାନ୍ତି । ବୋହୂ କିଛି ନ କହିଲେ ବି ତା ନିରବତାରୁ ବହୁତ କିଛି ଅନୁମାନ କରିନିଅନ୍ତି ସୁମିତ୍ରା ଦେବୀ । ତଥାପି ଅଜଣା ପରି ଢାଳିଦିଅନ୍ତି ସ୍ନେହଶ୍ରଦ୍ଧା । ପୁଅ ବୋହୂ ଫେରିଯିବା ସମୟରେ ଲୁଚି ଲୁଚି ଢାଳି ଦିଅନ୍ତି ଲୁହ ଦୁଇଟୋପା । ପୁଅର ଅମଙ୍ଗଳ ହେବ ଭାବି ପୋଛି ଦିଅନ୍ତି ସଙ୍ଗେ ସଙ୍ଗେ । ନାତି ନାତୁଣୀଟିଏ ପାଇଁ କହିଲେ ପୁଅ କହେ ଦେଖେ ବୋଉ ଆମେ ଜୀବନକୁ ଉପଭୋଗ କରୁଛୁ । ଏବେ ସେ ସମୟ ଆସିନି । ଜଞ୍ଜାଳରେ କିଏ ପଶିବ କହିଲୁ । ଆଉ କିଛି ଦିନ ଯାଉ । ଚୁପ ହୋଇଯାଆନ୍ତି ସୁମିତ୍ରା ଦେବୀ । ସନ୍ତାନଟିଏ ପାଇବା ପାଇଁ ସେ କେତେ ବ୍ୟାକୁଳ ହୋଇନଥିଲେ, ଆଉ ସେ ସନ୍ତାନ କହୁଛି ଏବେ ସେ ସମୟ ଆସିନି । 


 ସ୍ୱାମୀଙ୍କର ଦେହ ଖରାପ ପରେ ସୁମିତ୍ରା ଦେବୀ ଏକା ଏକା ସ୍ୱାମୀଙ୍କର ସେବା କରିଛନ୍ତି । ଦିନେ ମଧ୍ୟ ପୁଅ ଉପରେ ଚାପ ପକାଇନାହାନ୍ତି । ନିଜ ସମସ୍ତ ଜମି ବିକ୍ରି କରି ସ୍ୱାମୀଙ୍କ ଖର୍ଚ୍ଚ ତୁଲାଇଛନ୍ତି । ପୁଅ ବାହାର ଜାଗାରେ ରହୁଛି । ତାକୁ ପଇସା ମାଗିବା ଉଚିତ ନୁହେଁ । ତାଙ୍କର ସବୁ ଚେଷ୍ଟା ସତ୍ତ୍ୱେ ସ୍ୱାମୀଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲେ ସୁମିତ୍ରା ଦେବୀ । ଅବଶ୍ୟ ପୁଅ ବୋହୂ ସାଙ୍ଗରେ ଯିବା ପାଇଁ କହିଥିଲେ । କିନ୍ତୁ ସୁମିତ୍ରା 

ଦେବୀ ମନା କରିବାରୁ ବାଧ୍ୟ କରିନଥିଲେ । 


 ଦୀର୍ଘ ସାତ ବର୍ଷ ପରେ ସେ ଜେଜିମାଆ ଡାକ ଶୁଣିବେ ବୋଲି ଜାଣିବା ପରେ ଖୁସି ହେଇଯାଇଥିଲେ । ପୁଅ ଆସି ଗାଆଁରୁ ନେଇଯାଇଥିଲେ ବୋହୂର ଦେଖାଶୁଣା କରିବା ପାଇଁ । ବିନା ପ୍ରତିବାଦରେ ଯାଇଥିଲେ ସୁମିତ୍ରା ଦେବୀ । ପହଁଚିବା ପରେ ପୁଅ କହିଥିଲା ....

ବୋଉ ଏ ଗାଆଁ ନୁହେଁ । ସହର । ଏଠାରେ ସହରିଆମାନଙ୍କ ସହ ଆଡ଼ଜଷ୍ଟ କରି ଚଳିବୁ । ଏଠାରେ ଓଢଣା ନୁହେଁ ସାଲୁଆର ପଞ୍ଜାବୀ ପିନ୍ଧିବାକୁ ପଡିବ । ସବୁ କାମରେ ପରିଷ୍କାର ପରିଛନ୍ନତା ରଖିବୁ । ଅବାକ ହୋଇଗଲେ ସୁମିତ୍ରା ଦେବୀ । କିନ୍ତୁ ନିଜକୁ ବୁଝାଇନେଲେ, ପୁଅର କଥା ଦୁଇପଦ ହସି ହସି ଗ୍ରହଣ କଲେ । କିନ୍ତୁ ଲୁଗା ପିନ୍ଧିବାକୁ ଅନୁମତି ମାଗିଲେ । ରାଜି ହୋଇଗଲା ପୁଅ । ପ୍ରଥମେ ପ୍ରଥମେ ବିନା ଓଢଣୀରେ ଭାରି ଅଡ଼ୁଆ ଲାଗିଲା ତାଙ୍କୁ ପରେ କିନ୍ତୁ ଦେହସୁହା ହୋଇଗଲା । ରୋଷେଇ ବାସ ଠାରୁ ଘରର ସବୁ କାମ ଖୁସି ଖୁସି କରୁଥାନ୍ତି । କଥା କଥାରେ ବୋହୂର ବାରଣ, ହାତକୁ ଭଲ ଭାବେ ସଫା କରିଛ ତ? ଡେଟଲ୍ ବ୍ୟବହାର କରୁଚ ତ ? ଫ୍ଲସକୁ ଫିନାଇଲିରେ ସଫା କରୁଚ ତ ?ଆଶ୍ଚର୍ଯ୍ୟ ହୁଅନ୍ତି ସୁମିତ୍ରା ଦେବୀ । ଦୀର୍ଘ ଚାଳିଶି ବର୍ଷ ଧରି ଘର ସମ୍ଭାଳୁଥିବା ମଣିଷକୁ ପୁଣି ବୋହୂର ତାଗିଦ । ତଥାପି ସହିଯାଅନ୍ତି ସୁମିତ୍ରା ଦେବୀ । ବୋହୂ ତ କିଛି ଖରାପ ଉଦ୍ଦେଶ୍ୟରେ କହୁନାହିଁ । ସୁସ୍ଥ ନାତି ନାତୁଣୀଟିଏ ପାଇଁ ତ ତାଗିଦ । 


  ଯେଉଁଦିନ ନାତୁଣୀ ଜନ୍ମ ନେଲା ଭାରି ସରାଗରେ ତାକୁ କୋଳକୁ ନେଉ ନେଉ ବୋହୂ କହିଉଠିଲା, ମମି ତୁମେ ସେ ଲୁଗା ବଦଳେଇ ଆସ । ସେ ଲୁଗା ପିନ୍ଧି ଘରର କାମ କରୁଥିଲ । ହାତକୁ ଭଲ ରୂପେ ଧୋଇଆସ । ଭାରି ବାଧିଥିଲା ସୁମିତ୍ରା ଦେବୀଙ୍କୁ । ନିଜ ମନର କଷ୍ଟକୁ ଚାପିଦେଇଥିଲେ ନାତୁଣୀର ମୁହଁକୁ ଦେଖି । ଚାକର ପରି ଖଟି ଖଟି ନାତୁଣୀକୁ ଟିକିଏ ଧରିବା ବେଳକୁ ଅନେକ କଟକଣା । ଡରିଯାନ୍ତି ସୁମିତ୍ରା ଦେବୀ । ବାରମ୍ବାର କୋଳରେ ଧରି ଗେଲ କଲେ ଇନଫେକସନ୍ ହେଇଯିବ ବୋଲି ବୋହୂର ବାରଣ । ସ୍ୱତନ୍ତ୍ର ଲୁଗା ପିନ୍ଧିବାର ଚେତାବନୀ, ହାତକୁ ସଫା କରିବାର ତାଗିଦ ବ୍ୟତିବ୍ୟସ୍ତ କରିଦେଉଥାଏ ସୁମିତ୍ରା ଦେବୀଙ୍କୁ । ଏଇ ନିଶାକର ଜନ୍ମ ବେଳକୁ ଶାଶୂ ନିଜ କାନିରେ ଘୋଡେଇ ଦେଉଥିଲେ । ଗାଆଁ ସାରା ଲୋକ ଖୁବ ଆଗ୍ରହର ସହ କୋଳେଇ ନେଉଥିଲେ, ସେଇ ଲୁଗାରେ ଘର କାମ ସହ ଛାତିରେ ଜାକି କ୍ଷୀର ଦେଉଥିଲେ କାହିଁ ଦିନେ ହେଲେ ତ କିଛି ହୋଇନି ତାକୁ । ମାତ୍ର ଆଜି ତାଙ୍କ ପାଇଁ ଅନେକ କଟକଣା । ତଥାପି ନିଜକୁ ଆଡ଼ଜଷ୍ଟ କରିନେଉଥିଲେ ସୁମିତ୍ରା ଦେବୀ । 


 କିନ୍ତୁ ଗତ କାଲିର ଘଟଣା ତାଙ୍କୁ ଖୁବ ଦୁଃଖଦେଲା । ସାମାନ୍ୟ ସର୍ଦ୍ଦି ଯୋଗୁଁ ବସିରହିଥିଲେ ସୁମିତ୍ରା ଦେବୀ । 

ନାତୁଣୀର ବୁକୁଫଟା କାନ୍ଦ ସହିନପାରି ଭୁଲିଗଲେ ନିଜ ଶରୀର କଥା । କୋଳେଇ ନେଲେ ବ୍ୟାକୁଳରେ । ଛୁଟି ଆସିଲେ ବୋହୂ ସେପଟ ରୁମରୁ । ଭିଡି ନେଇଗଲେ ଝିଅକୁ । ସର୍ଦ୍ଦି ଇନଫେକସନ୍ ହେଇଯିବ, ତୁମେ ଏମିତି ଫାଲତୁ କାମ କରି ମୋ ଝିଅକୁ ବିପଦ ଆଡ଼କୁ ଟାଣିନେବ ଗୋଟିଏ ରାହାରେ କହିପକାଇଲେ । କାଠ ପରି ଛିଡା ରହିଥିଲେ ସୁମିତ୍ରା ଦେବୀ । ନାତୁଣୀ ପ୍ରତି ଅହେତୁକ ସ୍ନେହରେ ଭୁଲିଯାଇଥିଲେ କଟକଣା, ଏତିକି ବି ବୁଝାଇ ପାରିନଥିଲେ ବୋହୂକୁ । କିନ୍ତୁ କାନରେ ଶୁଣିଛନ୍ତି ବୋହୂ ପୁଅକୁ ଗୋଟେ ତାଲିମପ୍ରାପ୍ତ ଆୟା ପିଲାର ଦେଖାଶୁଣା କରିବା ପାଇଁ ଯୋଗାଡ଼ କରିବାକୁ । ନଚେତ ମମିଙ୍କର ବେପରୁଆ କାମ ତାଙ୍କ ପିଲା ପାଇଁ ଅସୁବିଧା ହୋଇପାରେ । ରାତି ସାରା ନିଦ ନାହିଁ ସୁମିତ୍ରା ଦେବୀଙ୍କୁ । ସ୍ନେହଶ୍ରଦ୍ଧାର ବନ୍ଧନ ବିପଦ ଆଣିପାରେ ମାତ୍ର ଅଚିହ୍ନା ଆୟାର ବିଶ୍ୱାସରେ ନିଜ ସନ୍ତାନକୁ ଟେକିଦେବାକୁ ତିଳେ ବି ସଙ୍କୋଚ ନାହିଁ ବୋହୂ ମନରେ । ଅନେକ ଯନ୍ତ୍ରଣା ଛାତିରେ ଜମାଟ ବାନ୍ଧିଲାଣି । ସରସତାହୀନ ସମ୍ପର୍କ ଭିତରେ ସେ ଅଣନିଃଶ୍ଵାସୀ ହୋଇଗଲେଣି । ଅନେକ ଭାବିଚିନ୍ତି ନିଷ୍ପତ୍ତି ନେଲେ । ସେ ଫେରିଯିବେ ଜନ୍ମମାଟିକୁ । ଯେଉଁଠି ଆତ୍ମୀୟତାକୁ ଗୁରୁତ୍ୱ ଦିଆଯାଏ । ଯେଉଁଠାରେ ସ୍ନେହଶ୍ରଦ୍ଧାର ମୂଲ୍ୟ ସମ୍ପର୍କଠାରୁ ଉର୍ଦ୍ଧ୍ୱରେ । ଯେଉଁଠାରେ ତାଙ୍କ ଖାପଖୁଆଇ ଚଳିବାର ପ୍ରଂଶସା ତାଙ୍କୁ ଆନନ୍ଦିତ କରେ । 


 ପୁଅ ବୋହୂ ଉଠିବା ମାତ୍ରେ ନିଜ ବେପରୁଆ କାମ ପାଇଁ ନିଜକୁ ଦୋଷୀ ସଜେଇ ଗାଆଁକୁ ଫେରିବାକୁ ଜଣାଇ ଷ୍ଟେସନରେ ଛାଡ଼ିଦେବା ପାଇଁ ପୁଅକୁ ଅନୁରୋଧ କରିଥିଲେ । ଦୂରରୁ ଆଖି ପୁରେଇ ନାତୁଣୀକୁ ଦେଖି ଭଗବାନଙ୍କୁ ତାକୁ ସୁସ୍ଥ ରଖିବା ପାଇଁ ମାଗୁଣି କରୁଥିଲେ । ବୋହୂକୁ ଖୁସିରେ ରହିବା ପାଇଁ କହି ମୁଖ୍ୟ ଦର୍ଜା ଡେଇଁସାରିଥିଲେ । ଆଉ ପଛକୁ ନ ଚାହିଁ ପୁଅର ଗାଡି ପର୍ଯ୍ୟନ୍ତ ଆସିବାକୁ ଅପେକ୍ଷା କରିଥିଲେ । ତାଙ୍କର ଶେଷ ନିଷ୍ପତ୍ତି ନିଶାକରଙ୍କ ମନରେ ଟିକିଏ ପ୍ରଭାବ ପକାଇଥିଲା ବୋଧ ହୁଏ ଆଖିଦୁଇଟି ତାଙ୍କର ନରମି ଆସୁଥିଲା, କିନ୍ତୁ ଅଟକାଇବା ପାଇଁ ସାହସ ନଥିଲା । 


  




  



Rate this content
Log in

Similar oriya story from Tragedy