# ଶେଷ ଇଚ୍ଛା ! #
# ଶେଷ ଇଚ୍ଛା ! #
--ସୋମବାର ସକାଳ। ସମସ୍ତେ ଅପେକ୍ଷା କରିଥାନ୍ତି ଅନିଲର ଆସିବା ବାଟକୁ। ଅନିଲ ଆସିବ ଆଉ ସ୍ନେହର ହାତ ମାଗିବ।
--ହେଲେ ଏ କଣ ଅନିଲ ଆସୁନି କି ସ୍ନେହର ଫୋନ ଉଠଉନି। ଘରେ ସମସ୍ତେ ସନ୍ଦେହ କଲେଣି ! ଦିନ ଯାଇ ରାତି ହେଲା। ଦୁହେଁ ଦୁହିଁଙ୍କୁ ଭେଟିବାର ସ୍ବପ୍ନ ବି ସଫଳ ହେଲାନି।
--ସେଦିନ ରାତିଟା ଉଭୟ ଅନିଲ ଓ ସ୍ନେହ ପାଇଁ କଷ୍ଟଦାୟୀ ହୋଇଛି। ଅନିଲର ନୀରବତା ତଥା ସ୍ନେହର ଦୁର୍ବଳତା ଉଭୟଙ୍କୁ ଅଲକ୍ଷରେ ଆହୁରି ଦୁର୍ବଳ କରିଦେଇଛି।
-- ଅନିଲ କିନ୍ତୁ ସେପଟେ ସପ୍ତାହ ସାରା ଡି ପି ଏସ୍ ପାଖରେ ଜମି କିଣିବା ସହ ବ୍ୟାଙ୍କରେ ସ୍ନେହ ଆଉ ଝିଅ ପାପାନିର ସବୁ ବ୍ୟବସ୍ଥା କରିବାରେ ନିଜକୁ ବ୍ୟସ୍ତ କରିଦେଇଛି !
--ରବିବାର ସକାଳ ୯ଟା । ସମସ୍ତେ ବ୍ୟସ୍ତ ଅଛନ୍ତି ନିଜ ନିଜ କାମରେ। କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅନିଲ କୁଆଡେ ଗଲା ? ସମସ୍ତେ ବହୁତ ତାତ୍ସଲ୍ୟ କରୁଛନ୍ତି ସ୍ନେହକୁ। ବାର କଥା ଶୁଣଉଛନ୍ତି। ଛୋଟ ପିଲାକୁ ବି ନାନା କଥା ଶୁଣିବାକୁ ପଡୁଛି !
--ସ୍ନେହ ଆଉ ସହି ନ ପାରି ଦୌଡ଼ିଯାଇ ଠାକୁର ଘରେ ଭଗବାନଙ୍କୁ ଏ କଥା ଅଭିମାନରେ ପଚାରୁଛି- " ହେ ଭଗବାନ, କି ଦୋଷ କରିଥିଲି ତୁମର , କ'ଣ ପାଇଁ ମତେ ସ୍ବପ୍ନ ଦେଖେଇ ଲୋକହସା କରୁଛ ?"
-- ସେହି ସମୟରେ ବନମାଳୀ ବାବୁ ଆସି ସ୍ନେହର ଘର କଳିଙ୍ଗ ବେଲ ବଜାଇଲେ। ସ୍ନେହ କବାଟ ଖୋଲିବାରୁ ହାତକୁ ବଢ଼ାଇଦେଲେ ଲଫାଫାଟିଏ। କିଛି ନ ବୁଝିପାରି ଆଶଙ୍କା ଓ ଉତ୍କଣ୍ଠାର ଆବେଗରେ, ସ୍ନେହ ଲଫାଫାଟିକୁ ଖୋଲିଦେଇଛି। ପାଇଛି ଗୋଟିଏ ପାସ୍ ବୁକ୍, ଜମି ପଟା ସହ ଅନିଲର ଗୋଟେ ହାତ ଲେଖା ଚିଠି !
ସ୍ନେହ,
--ଜାଣିଛି ତୁମେ ଏ ଚିଠି ପଢିବା ବେଳକୁ ମୁଁ ଦୂନିଆରେ ବୋଧେ ଆଉ ନ ଥିବି । ସେ ଦିନ ସବୁ ପରେ ଯେବେ ତୁମ ବାପା କହିଲେ ବାହାଘର ପୂର୍ବରୁ ଝିଅ ନାଆଁରେ ଦୁଇଗୁଣ୍ଠ ଜାଗା ଭୁବନେଶ୍ବରରେ କିଣିବାକୁ ହେବ ! ଯଥାଶୀଘ୍ର ସେ କାମ ହେବା ଦରକାର ନଚେତ୍ ଆମେ ଅନ୍ୟ ଆଡେ ଦେଖିବୁ ।
-- ତୁମକୁ ପାଇବାକୁ ପାଗଳ ନିଜେ ଜଣେ କିଡନୀ ରୋଗୀ ଯାହାର ଚିକିତ୍ସା ପାଇଁ ଖର୍ଚ୍ଚ ହେବ ପାଖାପାଖି ୬ ଲକ୍ଷ ଟଙ୍କା । ପାଖରେ ୩ ଲକ୍ଷ ଥାଏ । ତଥାପି ଚିନ୍ତା କଲି ତୁମକୁ ପାଇବାକୁ ହେଲେ ସେ ଜମି ଯେମିତି ହେଲେ କିଣିବା ନିହାତି ଦରକାର।
-- ଗରୀବ ପିଲାଟିଏ ମୁଁ । ଛୋଟ ବେଳଠାରୁ ଭଲ ପାଠ ପଢ଼ୁଥିଲି । ତେଣୁ ବାପା ଜମି ବିକ୍ରି କରି ମତେ ପାଠ ପଢାଇଥିଲେ। ପଢା ପରେ ଛୋଟ ଚାକିରି କରିଛି ସତ। କିନ୍ତୁ ପିତାମାତାଙ୍କ ଅନ୍ତେ ସାନ ଭଉଣୀ ଉପରେ ମୁଁ କେମିତି ମୋ ଦାୟିତ୍ୱର ଭାରା ପକାଇଥାନ୍ତି ?
-- ତୁମ ବାପାଙ୍କୁ କିଛି ଦିନ ସମୟ ମାଗିଥିଲି। ମୋ ପ୍ରତିଶ୍ରୁତି ରକ୍ଷା କରି ତୁମ ସମ୍ପର୍କୀୟ ମାନେ ଜମି ଖୋଜାଖୋଜି ଆରମ୍ଭ କଲେ। ଶେଷରେ ତୁମ ଭିଣୋଇ ଜମିଟେ ବୁଝିଲେ ଯାହାର ମୂଲ୍ୟ ୧୫ ଲକ୍ଷ ଥିଲା। ଏତେ ଟଙ୍କା କୋଉଠୁ ପାଇବି। ତଥାପି ଦୃଢ ଭାବରେ କହିଲି ମୁଁ ଜମି କିଣିବି। କାରଣ ଜମି କିଣିଲେ ହିଁ ତୁମକୁ ପାଇ ପାରିବି ବୋଲି ସର୍ତ୍ତରେ ମୁଁ ଅଲିଖିତ ସ୍ବାକ୍ଷର କରିଥିଲି।
-- ମୋ ମନରେ କିନ୍ତୁ ଗୋଟିଏ ପ୍ରଶ ଟଙ୍କା ପାଇବି କେଉଁଠୁ ?
ତଥାପି ସାହସ ହରେଇ ନଥିଲି। ଆମ ପ୍ରେମକୁ ଶାସ୍ବତ କରିବାକୁ ସଦା ଚେଷ୍ଟା କରିଛି।
-- ଏ ଭିତରେ ମାସେ ବିତିଗଲା। ସେ ଦିନ ବୁଧବାର ମୋର ଆଖି ପଡିଲା ଜଣେ ଭଦ୍ରଲୋକଙ୍କ ଉପରେ । ପାଖକୁ ଯାଇ ଜାଣିଲି ଭଦ୍ର ଲୋକ ଜଣଙ୍କ ହେଲେ ଶ୍ରୀଯୁକ୍ତ ବନମାଳୀ ସାହୁ । ବୃତ୍ତୀରେ ଜଣେ ଧନୀ ବ୍ୟବସାୟୀ । ସେ ଡାକ୍ତରଙ୍କୁ ନେହୁରା ହୋଇ କହୁଥିଲେ, ତାଙ୍କ ପୁଅ ଅତନୁ ପାଇଁ ବି ନେଗେଟିଭ୍ ବ୍ଲଡ଼ ଗ୍ରୁପ ର ହାର୍ଟଟିଏ ଯୋଗାଡ଼ କରିବା ପାଇଁ ।
--ସେମିତିରେ ବି ନେଗେଟିଭ୍ ବ୍ଲଡ଼ ମିଳିବା ଯେବେ କଷ୍ଟକର ହାର୍ଟ ମିଳିବା ଅସମ୍ଭବ ସଦୃଶ୍ୟ ।
--କିନ୍ତୁ ଯୋଗ ଦେଖ ମୋର ରକ୍ତ ଅତନୁ ରକ୍ତ ସହ ମିଶି ଯାଉଥିଲା। ମୁଁ ରାଜି ହୋଇଗଲି। ଡ଼ଃ ଦେବଦତ୍ତ ମୋତେ ବାରମ୍ବାର ତାଗିଦ କରି କହିଲେ "ଦେଖ ଅନିଲ ବାବୁ ଜଣେ ବ୍ୟକ୍ତି ହାର୍ଟଟିଏ ଦାନ କରିବାର ଅର୍ଥ ଅପମୃତ୍ୟୁକୁ ବରଣ କରିବା। ଅଳ୍ପ ବୟସର ଲୋକ ତମେ। ଲମ୍ବା ଜୀବନ ପଡିଛି । ତେଣୁ ଏପରି କରିବା ତୁମର ମୁର୍ଖତା ହେବ।"
--ମତେ କିନ୍ତୁ ଯେମିତି କିଛି ଶୁଭୁନଥିଲା। ଦିଶୁଥିଲା ତୁମର ସେହି ଦୁଇଟି ଆଖି ଯାହା ମୁଁ ତୁମକୁ ଜୀବନ ନାଟକର ଏକ ଘଡିସନ୍ଧି ସମୟରେ ଅତି ପାଖରୁ ଦେଖିଥିଲି। ଯାହା ମୋ ମନକୁ ଦୁର୍ବଳ ନୁହେଁ ଏହିପରି ଶକ୍ତ ନିଷ୍ପତି ନେବାକୁ ଦୃଢ କରିଥିଲା। ଦେଖାଯାଉଥିଲା ଦାୟିତ୍ୱର ଭାର ଯାହା ବହନ କରିବା ମୋର କର୍ତ୍ତବ୍ୟ ଥିଲା। ଦେଖାଯାଉଥିଲା ଡାକ୍ତରଖାନାର ମୃତ୍ୟୁଶଯ୍ୟାରେ ପଡିଥିବା ତିନିବର୍ଷର ଅଜ୍ଞାନ ଶିଶୁ ଅତନୁର କରୁଣା ଆଖି, ଯେ ଜୀବନ ପାଇବା ପାଇଁ ପ୍ରତିକ୍ଷଣ ଆଶା ସଞ୍ଚୟ କରୁଥିଲା। ଭାସି ଉଠୁଥିଲା ମୋ ଇପ୍ସିତ ନାୟିକାର ସ୍ବପ୍ନର କଥା ଯାହା ମତେ ପ୍ରତିକ୍ଷଣ ଶକ୍ତି ଯୋଗାଉଥିଲା।
--ଜାଣିଛ ସ୍ନେହ ଯେତେବେଳେ ତୁମେ ଓ ତୁମ ଛୋଟ ଝିଅକୁ କଷ୍ଟ ପାଉଥିବାର ଦେଖୁଥିଲି, ଲାଗୁଥିଲା ସବୁ ଯନ୍ତ୍ରଣା ମତେ ହେଉଛି। ଯେତେବେଳେ ତମେ ଝିଅକୁ ଡାକ୍ତର ହେବାର ସ୍ୱପ୍ନ କଥା କହିଥିଲ ମତେ ଲାଗିଲା ଯେମିତି ତାହା ମୋ ସ୍ୱପ୍ନ। --ପ୍ରେମରେ 'ହୃଦୟ' ଦେବା କଥା ତ ସମସ୍ତେ କହନ୍ତି। ଆଜି କିନ୍ତୁ ମୁଁ ତାହା ପ୍ରମାଣ କରିଛି । କେବଳ ଆମର ପ୍ରେମ ପାଇଁ ନୁହଁ। ଅତନୁର ଜୀବନ ପାଇଁ ଓ ତୁମ ମାଆ ଝିଅଙ୍କ ଭବିଷ୍ୟତ ପାଇଁ। ତୁମ ପରିବାରରେ ଯନ୍ତ୍ରଣା ଦୂର ପାଇଁ।
--ଜାଣିଛି । ତୁମ ଘରେ ଯେବେ ଜାଣିବେ ଯେ ତାଙ୍କ ଭାବି ଜ୍ବାଇଁ ଆଉ ଦୁନିଆରେ ନାହିଁ ସେମାନେ କିଛି ସମୟ ଦୁଃଖ କରି ପାରନ୍ତି କିନ୍ତୁ ତୁମେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବ। ଝିଅ ବି ଅସହାୟ ହୋଇ ପଡିବ। ତୁମେ ସମସ୍ତଙ୍କୁ ସାହସ ଯୋଗାଇଦେବ। ଯେମିତି ସେ ଏ ପର ପୁଅ ପାଇଁ ଗର୍ବ କରିବେ। ଆଉ ଆମ ପ୍ରେମକୁ ନିରର୍ଥକ ନ ଭାବି ଠିକ୍ ବୁଝିବେ।
--ତୁମକୁ ପ୍ରେମ କରେ ବୋଲି କେବେ ତୁମ ଘରେ କହି ପାରି ନାହିଁ, ବୋଧେ କହିବାର ସୁଯୋଗ ସୃଷ୍ଟି କରିନି । କାରଣ ମୁଁ ଜାଣିଥିଲି ଆମ ସମ୍ପର୍କର ନିବିଡ଼ତା। ମୋର ଢେର ଭରସା ବି ଥିଲା ତୁମ ପରିବାର ଉପରେ ।
-- ମୁଁ ଦୂନିଆରୁ ଯିବା ପରେ ତୁମେ ଆହୁରି ଅଧିକ ଦୁର୍ବଳ ହେବନି। ତୁମକୁ ଦୃଢ଼ ହେବାକୁ ହେବ। ତୁମ ସ୍ବପ୍ନ ମାଧ୍ୟମରେ ମୋ ସ୍ୱପ୍ନକୁ ସାକାର କରିବାକୁ ପଡିବ। ମୋ ବଳିଦାନର ମୂଲ୍ୟ କେବଳ ତୁମେ ହିଁ ରଖିପାରିବ। ଝିଅକୁ ଡାକ୍ତର କରିବ।
--ତୁମେ ଝିଅକୁ ଡାକ୍ତର ହେବାକୁ ଇଚ୍ଛା କରିଥିଲ। ଆଜି ତୁମ ସ୍ବପ୍ନ ପୂରା କରିବା ପାଇଁ ମଧ୍ୟ ମୁଁ 'ହୃଦୟ' ଦାନ ଆବଶ୍ୟକ ଅର୍ଥ ଯୋଗାଡ଼ କରି ଦେଇଛି। ଜମି କିଣି ଦେଇଛି ତୁମ ନାମରେ।
--ତୁମେ କଥା ଦିଅ ସେ ଡାକ୍ତର ହେବା ପରେ ତୁମେ ଏକ “ଅଙ୍ଗ ଦାନ ” ସଂସ୍ଥା ଗଠନ କରିବ। ଯେଉଁଠି ମାଗଣାରେ ଅତନୁ ପରି ଶହ ଶହ ଆଶାୟୀ ଜୀବନକୁ ଜୀବନଦାନ ଦେଇ ହେବ। କାରଣ ମୁଁ ଚାହେଁନାହିଁ ଯେଉଁ କଷ୍ଟ ଅତନୁ ଭୋଗୁଥିଲା ଯେଉଁ ଯନ୍ତ୍ରଣା ମୁଁ ପାଇଲି ତାହା ଅନ୍ୟମାନଙ୍କୁ ପ୍ରାପ୍ତ ହେଉ।
--ତୁମେ ଦୃଢ଼ ହେଲେ କେବଳ ତୁମ ପରିବାର ନୁହେଁ ଅନେକ ପରିବାର ସୁଖୀ ହୋଇ ପାରିବେ। ଯେତେବେଳେ କେହି ରୋଗୀ ତୁମ କାରଣରୁ ଜୀବନ ପାଇ ଖୁସି ହେବ ଜାଣିବ ମୁଁ ହିଁ ହସୁଛି। ମୋର ବଳିଦାନ ସଫଳ ହୋଇଛି। ଆମର ପ୍ରେମ ସଫଳ ତଥା ଅମର ହୋଇଛି। ଏ ଜନ୍ମରେ କଥା ରଖି ପାରିଲି ନାହିଁ କିନ୍ତୁ ଆଗ ଜନମକୁ ସାଥୀ ହେବାର କଥା ଦେଇ ରହୁଛି !
