Biswanath Nayak

Tragedy

2  

Biswanath Nayak

Tragedy

ଶେଷ ଚିଠି -----------

ଶେଷ ଚିଠି -----------

11 mins
267


ମେଡ଼ିକାଲ ବାରଣ୍ଡାରେ ପଡ଼ିଥିବା ବେଞ୍ଚ୍ ଉପରେ ବସି ଦୂର୍ଗାର ହାତଲେଖା ଚିଠିଟା ପଢିଲା ବେଳକୁ ଦୂର୍ଗାର ଆଖି ଲୁହରେ ଭିଜା ଚିଠିର ଅକ୍ଷର ଗୁଡିକ ବିଜୟ ଆଖିକୁ ଅଷ୍ପଷ୍ଟ ଦେଖା ଯାଉଥିଲେ। ସେହି ଚିଠି ଭିତରୁ ଲୁହ ଛଳଛଳ ଆଖିରେ ଦୂର୍ଗା ଯେପରି ବିଜୟକୁ କହୁଥିଲା," ମୋତେ ବିଶ୍ଵାସ କର। ସେକଥା ମୁଁ ବୋଉଙ୍କ ଆଗରେ କିଛି କହିନି। " ବିଜୟ ଆଉ ନିଜକୁ ସମ୍ଭାଳି ନପାରି ଭୋ ଭୋ ହୋଇ କାନ୍ଦି ଉଠିଥିଲା। 

  ଦୂର୍ଗା ନାନୀ ଗଦା କକେଇଙ୍କର ଏକ ମାତ୍ର ଝିଅ। ଦୁଇ ଦୁଇଟା ପୁଅ ମରିଯିବା ପରେ ମାଆ ତାଙ୍କର ନା ଦୂର୍ଗା ରଖିଥିଲେ କାରଣ ତାଙ୍କର ବିଶ୍ୱାସ ଥିଲା ଯେ ଏ ନାଆଁ ରଖିଲେ କୁଆଡେ ପରିବାରର ସମସ୍ତ ଦୂର୍ଗତି ଖଣ୍ଡନ ହୋଇଯାଏ। ଜନ୍ମ ହେବାର ପାଞ୍ଚ ବର୍ଷରେ ପିଲାଟା ମା' ଛେଉଣ୍ଡ ହୋଇଯାଇଥିଲା। ଗାଁ ଲୋକେ ଯେତେ କହିଲେ ମଧ୍ୟ ଝିଅଟାର ମୁହଁକୁ  ଚାହିଁ କକେଇ ଆଉ ଦ୍ୱିତୀୟ ବିବାହକରିନଥିଲେ। କିନ୍ତୁ ଝିଅଟି କଳା ଓ ଦେଖିବାକୁ ଭାରି ଅସୁନ୍ଦରୀ। କକେଇଙ୍କ ପାଇଁ ତାହା ଏକ ଚିନ୍ତାର କାରଣ ଥିଲା କାରଣ ତାଭଳି ଅସୁନ୍ଦରୀ ଝିଅ ପାଇଁ ବର ମିଳିବା କାଠିକର ପାଠ ଥିଲା। ରୂପରେ ନହେଲା ନାହିଁ ପାଠ ଭଲା ଥାଆନ୍ତା!ତା ବି ନଥିଲା। କକେଇଙ୍କର ଅନେକ ଚେଷ୍ଟା ସତ୍ତ୍ୱେ ଦଶମ ଶ୍ରେଣୀଟା ପାସ୍ କଲା ପରେ 

ଦୂର୍ଗା ନାନୀର ପୋଥିରେ ଡୋରି ବନ୍ଧା ହୋଇଥିଲା। କକେଇଙ୍କର ପ୍ରଚୁର ଧନ ସମ୍ପତ୍ତି ଥିଲେ କଣ ହେବ ଏହି ଅସୁନ୍ଦର ଚେହେରା ଯୋଗୁଁ ବିବାହ ବୟସ ହୋଇଯିବା ପରେ ଯେତେ ଚେଷ୍ଟାକଲେ ମଧ୍ୟ ସେ ଝିଅକୁ ହାତକୁ ଦିହାତ କରେଇ ପାରି ନଥିଲେ। ଝିଅର ବିବାହ ବୟସ ଗଡିଯିବା ସହିତ ତାଙ୍କର ଚିନ୍ତା ମଧ୍ୟ ବଢି ଚାଲିଥିଲା।   ତା ବିଭାଘର ପାଇଁ ବାପାଙ୍କୁ ଚିନ୍ତିତ ଦେଖି ଦୂର୍ଗା କହିଲା, ଦେଖ ନନା! ତୁମେ ମୋତେ ଜନ୍ମ ଦେଇଛ ସିନା କର୍ମ ତ ଦେଇନ। କର୍ମ ସିନା ମଣିଷ ହାତରେ ଅଛି କିନ୍ତୁ ଫଳତ ତା ହାତରେ ନାହିଁ। ତୁମେତ ତୁମ କର୍ମ କରିଛ। ଫଳକୁ ନେଇ ଏତେ ବିବ୍ରତ ହେଉଛ କାହିଁକି? ତାପରେ ଈଶ୍ୱରଙ୍କର ପ୍ରତ୍ୟେକ ସୃଷ୍ଟି ପଛରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଅଛି। ବିବାହ ନହେଲେ ଯେ ଗୋଟିଏ ଝିଅ ପାଇଁ ଏ ଦୁନିଆରେ ଆଉ କିଛି କରିବାର ନାହିଁ ଏମିତି ଭାବନା ମନକୁ ଆଣି ତୁମେ ମୋତେ ଦୁର୍ବଳ କରି ଦେଉଛ କାହିଁକି? ମୋ ଜନ୍ମ ପଛରେ ହୁଏତ 

ସ୍ରଷ୍ଟାର ଆଉ କିଛି ଉଦ୍ଦେଶ୍ୟ ନିହିତ ଥିବ। ତାପରେ ମୋତେ ତୁମେ ଏକୁଟିଆ ଭାବୁ କାହିଁକି? ମୋ ସହିତ ସବୁବେଳେ ମୋର ଆତ୍ମବିଶ୍ବାସ ଅଛି। ତାଛଡା ତୁମେ ତ ଏବେ ଅଛ। ଭବିଷ୍ୟତ କଥା ଚିନ୍ତା କରି ଏତେ ବ୍ୟସ୍ତ ହେଲେ ସମସ୍ୟା କଣ ସମାଧାନ ହୋଇଯିବ ?  ଝିଅର ଏକଥା ଶୁଣି କକେଇଙ୍କୁ ଖରାପ ଲାଗିଲା। ତାର ମନୋବଳ ବଢେଇବା ପରିବର୍ତ୍ତେ ଏସବୁ କଥା କହି ସେ ଯେ ତା ଆତ୍ମବିଶ୍ବାସକୁ ଭାଙ୍ଗି ଦେଉଥିଲେ ସେକଥା

ସେ ଭଲ ଭାବରେ ବୁଝି ପାରିଥିଲେ। ସେହିଦିନଠାରୁ ସେଭଳି କଥା ଆଉ କେବେ ସେ ଝିଅ ଆଗରେ ଉତ୍ଥାପନ କରୁନଥିଲେ।

  ଉପରକୁ କିଛି ପ୍ରକାଶ ନ କଲେବି କକେଇଙ୍କ ମନରେ ଶାନ୍ତି ନଥିଲା। ଯେତେ ହେଲେ ବି ବାପର ମନ। ସହଜରେ ବୁଝୁନଥାଏ। ଆଜିକାଲି ସମାଜରେ ଏକା ଏକା ଚଳିବାକୁ ଗୋଟିଏ ଅବିବାହିତା ଝିଅକୁ ଯେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ସେକଥା ସେ ଠିକ୍ ବୁଝି

ପାରୁଥିଲେ। ତେଣୁ ଝିଅ ପାଇଁ ବରପାତ୍ରଟିଏ ବୁଝିବାକୁ ସେ ବିଭିନ୍ନ ଲୋକଙ୍କୁ କହୁଥିଲେ। କିନ୍ତୁ ଝିଅର ରୂପ ଦେଖି କୌଣସି ଲୋକ ବିଭାଘର ପାଇଁ ମଧ୍ୟସ୍ଥତା କରିବାକୁ ବି ରାଜି ହେଉନଥିଲେ। ଯଦିବା ଜଣେ ଅଧେ କେହି ବରପକ୍ଷ ଆସୁଥିଲେ ଝିଅକୁ ଥରେ ଦେଖିସାରି ଗଲା ପରେ ଆଉ 

ଦ୍ୱିତୀୟ ଥର ମୁହଁ ଫେରେଇ ଚାହୁଁ ନଥିଲେ। ଝିଅ ଯଦି ଅଧିକ ପାଠ ପଢି ଚାକିରୀ କରିଥାନ୍ତା ତାହେଲେ ହୁଏତ ତା ପାଇଁ କକେଇଙ୍କୁ ଆଜି ଏତେ ଚିନ୍ତା କରିବାକୁ ପଡୁ ନଥାନ୍ତା। ସବୁବେଳେ ଠାକୁରଙ୍କ ପାଖରେ କକେଇଙ୍କର ଏକମାତ୍ର ପ୍ରାର୍ଥନା, ଝିଅର ବାହାଘରଟା କେମିତି ହୋଇଯାଉ। 

   ଯାହାହେଉ ଶେଷରେ ଠାକୁର କକେଇଙ୍କ ଡାକ ଶୁଣିଲେ। ପାଖ ଗାଁର ମଦନ ମିଶ୍ରଙ୍କ ପୁଅ ବିଜୟ ସହିତ ଦୂର୍ଗାର ବାହାଘର ଠିକ୍ ହେଲା। ପରିବାର କହିଲେ ମା' ପୁଅ ଦୁଇ ପ୍ରାଣୀ। ମଧ୍ୟବିତ୍ତ ପରିବାର। ଚାଷ ଜମି ତିନି ଏକର ଅଛି। ପୁଅ କଲିକତାରେ ଗୋଟିଏ ରଙ୍ଗ କମ୍ପାନୀରେ 

ଚାକିରୀ କରେ। ଯାହା ହେଉନା କାହିଁକି କକେଇଙ୍କର ଗୋଟିଏ ବଡ ଚିନ୍ତା ଗଲା। ଯେଉଁଦିନ ପୁଅଘର ଦୂର୍ଗାକୁ ମୁଦି ପିନ୍ଧେଇ ବାହାଘର ତିଥି ଠିକ୍ କରି ଦେଇଗଲେ କକେଇଙ୍କ ଖୁସି କହିଲେ ନସରେ। ଯାହାହେଉ ମା'ଛେଉଣ୍ଡ ଝିଅଟାର ଏତେଦିନେ ଦୁଖଃ ଗଲା।

  ୟା ଭିତରେ ଦୂର୍ଗାର ବାହାଘର ହେବା ପନ୍ଦର ଦିନ ହୋଇ ଗଲାଣି। ରୂପରେ ଦେଖିବାକୁ ଅସୁନ୍ଦର ହେଲେବି ଗୁଣର ଝିଅଟିଏ ଥିଲା ଦୂର୍ଗା। ଭଲ ସ୍ତ୍ରୀଟିଏ ହେବା ସହଜ କିନ୍ତୁ ଭଲ ବୋହୂଟିଏ ହେବା କଷ୍ଟ। କାରଣ କେବଳ ସ୍ଵାମୀର ମନନେଇ ଚଳିଲେ ଜଣେ ଭଲ ସ୍ତ୍ରୀ ହୋଇପାରେ କିନ୍ତୁ ଭଲ ବୋହୂଟିଏ ହେବାକୁ ହେଲେ ପରିବାରର ସମସ୍ତଙ୍କ ମନନେଇ ଚଳିବାକୁ ହୁଏ। ହେଲେ ଏଇ ପନ୍ଦର ଦିନ ଭିତରେ ଦୂର୍ଗା ନିଜର ସୁନ୍ଦର ବ୍ୟବହାରରେ ଶାଶୁଙ୍କର  ମନ କିଣିନେଇ ଭଲ ବୋହୂଟିଏ ହୋଇ ପାରିଥିଲା। ପ୍ରାଇଭେଟ କମ୍ପାନୀ ଚାକିରୀ ହୋଇଥିବାରୁ ପନ୍ଦର ଦିନରୁ 

ଅଧିକ ଛୁଟି ନେବା ବିଜୟ ପାଇଁ କଷ୍ଟକର ବ୍ୟାପାର ଥିଲା। ଆସନ୍ତା ମାସରେ ପୁଣି ଆସିବ ବୋଲି ଦୂର୍ଗାକୁ କଥା ଦେଇ ମା'ଙ୍କ ଠାରୁ ଆଶୀର୍ବାଦ ନେଇ ସେ କଲିକତା ଚାଲି ଯାଇଥିଲା।    ପ୍ରାୟ ପ୍ରତି ମାସେ ଦୁଇମାସ ଅନ୍ତରରେ ବିଜୟ ଘରକୁ ଆସେ। ଘରକାମ ବୁଝାବୁଝି କରି ପୁଣି ନିଜର କର୍ମକ୍ଷେତ୍ରକୁ ଫେରିଯାଏ। କେତେଥର ସାଥିରେ କଲିକତା ଯାଇ ବୁଲି ଆସିବାକୁ ବିଜୟ ଦୂର୍ଗାକୁ କହିଲେ ମଧ୍ୟ ଶାଶୁଙ୍କର ଅସୁବିଧା ହେବ କହି ଦୂର୍ଗା କଥାଟାକୁ ଏଡେଇ ଦେଉଥିଲା। ମଝିରେ ମଝିରେ ଗଦା କକେଇ ଝିଅ ଘରକୁ ବୁଲି ଆସନ୍ତି। ଦୂର୍ଗା ଖୁସିରେ ଅଛି ଦେଖି ସ୍ତ୍ରୀ କଥା ମନେ ପକାନ୍ତି। ଭାବନ୍ତି ତାର ମା' ଥିଲେ କେତେ ଖୁସି ହୋଇନଥାନ୍ତେ ସତରେ !   ପୁଅ ଝିଅ ବାହାଘର ପରେ ସବୁ ବାପା ମା'ଙ୍କର ଗୋଟିଏ

ଚିନ୍ତା,କିପରି ନାତି ନାତୁଣୀ ଦେଖିବେ। ଦୂର୍ଗାର ଶାଶୁ ସେଥିରୁ ବା ବାଦ୍ ଯିବେ କିପରି? ଏମିତି ବି ଦୂର୍ଗାର ବିଭାଘର ହେବା ଆସନ୍ତା ମାର୍ଗଶୀରକୁ ତିନି ବର୍ଷ ପୁରିବ। ଦଶହରାକୁ ବିଜୟ ଘରକୁ ଆସିଥାଏ। ସେଦିନ ଥାଏ ଦୂର୍ଗାଷ୍ଟମୀ। ରାତିରେ ଶାଶୁ ବୋହୂ ବସି ଏକାଠି ଖାଇବା ବେଳେ ଶାଶୁ କହିଲେ, ମା' ଦୂର୍ଗା! ମୋର ତ ବଳ ବୟସ ସରି ଆସିଲାଣି। ଆଖି ବୁଜିବା ଆଗରୁ ନାତି କି ନାତୁଣୀଟିଏ ଦେଖିଥିଲେ ଖୁସିରେ ମରି ପାରିଥାନ୍ତି। ଦୂର୍ଗା ହସିଦେଇ କଥାଟାକୁ କୌଣସି ମତେ ଏଡେଇ ଦେଇଥିଲା। ସେଦିନ ରାତିରେ ଦୂର୍ଗା ବିଜୟକୁ କହିଲା,ଦେଖ , ଆମେ ସବୁ ସତକଥା ବୋଉଙ୍କ ଆଗରେ କହିଦେବା। ତମେ ସିନା କଲିକତା ଚାଲି ଯାଉଛ। ମୁଁ ତ ସବୁବେଳେ ଘରେ ରହୁଛି। କଥାଟାକୁ ଆଉ କେତେଦିନ ଟାଳିବି?

ବିଜୟ କହିଲେ, ତମେତ ଜାଣିଛ ବୋଉ ଜଣେ ହାର୍ଟ ପେସେଣ୍ଟ। ଡାକ୍ତର ମଧ୍ୟ ତା ମନକୁ ଆଘାତ ହେଲାଭଳି କିଛି କଥା କହିବାକୁ ବାରଣ କରିଛନ୍ତି। ହଠାତ୍ ଏକଥା ଜାଣିଲେ ତା ମନକୁ ଶକ୍ତ ଆଘାତ ଲାଗିପାରେ। ତେଣୁ ଅନ୍ତତ ତା ସ୍ଵାସ୍ଥ୍ୟ ଦୃଷ୍ଟିରୁ କଥାଟାକୁ ଆଉ କିଛିଦିନ

ଟାଳିଦେବା ବିଜ୍ଞତାର କାର୍ଯ୍ୟ ହେବ। ବରଂ ତୁମେ ଏଥର ମୋ ସହିତ କଲିକତା ଚାଲ। ସେଠାରେ ଡାକ୍ତର ମିଶ୍ରଙ୍କ ସହ ପରାମର୍ଶ କରିବା। ସେ ଜଣେ ଭଲ ଡାକ୍ତର ଓ ଆମ ଗାଁର ଜ୍ବାଇଁ ହୋଇଥିବାରୁ ମୋର ମଧ୍ୟ ଚିହ୍ନା। ହୁଏତ କିଛି ସମାଧାନର ବାଟ ବାହାରି ପାରେ। ତାପରେ ବାହାରେ 

ଟିକେ ବୁଲିଆସିଲେ ତୁମ ମନଟା ମଧ୍ୟ ପରିବର୍ତ୍ତନ ହୋଇଯିବ। ଆଗରୁ ଅନେକ ଥର ଶାଶୁଙ୍କ କଥା କହି କଲିକତା ଯିବାକୁ ମନା କରି ଦେଇଥିବାରୁ ଏଥର ସେ ବିଜୟ କଥାରେ ହଁ ଭରିଲା। କିନ୍ତୁ କହିଲା, ବେଶି ଦିନ ନୁହେଁ, ମାତ୍ର ପନ୍ଦର ଦିନ ପାଇଁ ଯିବି। କିନ୍ତୁ ବୋଉଙ୍କୁ 

ବୁଝେଇବା ଦାୟିତ୍ଵ ତୁମର।   ବିଜୟ ଠାରୁ ସବୁକଥା ଶୁଣି ଦୂର୍ଗାକୁ ପାଖକୁ ଡାକି ଶାଶୁ କହିଲେ ,ତୁ ମୋ କଥା ଚିନ୍ତା ନକରି ମନଖୁସିରେ ଯାଆ।

ବିଭାଘର ପରଠାରୁ ତ ଏଇ ଘରଟା ଭିତରେ ପଶିଛୁ। ମୋତେ ଛାଡି ବାପ ଘରକୁ ବି ଯିବାକୁ ମନ କରୁନୁ। କିଛିଦିନ ବାହାରେ  ବୁଲାବୁଲି କରି ଆସିଲେ ମନଟା ଭଲ ଲାଗିବ। ତା ପରଦିନ ବିଜୟ ଦୂର୍ଗାକୁ ସାଥିରେ ଧରି କଲିକତା ଚାଲିଗଲା।

  କଲିକତାରେ ଡାକ୍ତର ମିଶ୍ରଙ୍କ ସହ ପରାମର୍ଶ କରିବାରୁ ସେ କହିଲେ, ଦେଖନ୍ତୁ ବିଜୟ ବାବୁ। ରିପୋର୍ଟ ଯାହା କହୁଛି ଆପଣଙ୍କ ସ୍ତ୍ରୀଙ୍କର ମା ହେବାର ଆଶା ବହୁତ କ୍ଷୀଣ। ଅବଶ୍ୟ ଆଗରୁ ଆପଣ ଯେଉଁ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି 

ସେ ତାଙ୍କୁ ଠିକ ଔଷଧ ଖାଇବାକୁ ଦେଇଛନ୍ତି। କିନ୍ତୁ ଏସବୁ କ୍ଷେତ୍ରରେ ସଫଳତା ମିଳିବାର ଆଶା ବହୁତ କମ୍ ଥାଏ। ଦୂର୍ଗା କହିଲା, ଦେଖନ୍ତୁ, ଆମେ ଆପଣଙ୍କ ସୁନାମ ଶୁଣି ଓଡିଶାରୁ ଆସିଛୁ। ଆପଣ ଆମକୁ ସାହାଯ୍ୟ କରନ୍ତୁ। ଡାକ୍ତର କହିଲେ, ଦେଖ ମା ! ତୁମର ସବୁ ରିପୋର୍ଟ ମୁଁ  ଅନୁଧ୍ୟାନକରି ସାରିଛି। କିନ୍ତୁ ଏ କ୍ଷେତ୍ରରେ ନିର୍ଦ୍ଧିଷ୍ଟ ଭାବରେ କିଛି କୁହାଯାଇ ପାରିବ ନାହିଁ। କିନ୍ତୁ ସମୟେ ସମୟେ ଡାକ୍ତରଙ୍କ ଭବିଷ୍ୟବାଣୀକୁ ମିଥ୍ୟା ପ୍ରମାଣିତ କରି ଆଶ୍ଚର୍ଯ୍ୟ ଘଟଣାସବୁ ଘଟିଥାଏ। ତାକୁ ଆମେ ନିୟତିର ଇଚ୍ଛା ବୋଲି ଧରି ନେଇଥାଉ। ମୋ ନିଜ ଝିଅ କ୍ଷେତ୍ରରେ ମୁଁ ଭୁକ୍ତଭୋଗୀ। 

ଆମେ ଯେତେବେଳେ ସବୁପ୍ରକାରର ଚିକିତ୍ସାରେ ବିଫଳହୋଇ ନିରାଶ ହୋଇଯାଇଥିଲୁ ବିଭାଘରର ସାତ ବର୍ଷପରେ ସେ ମା' ହୋଇଥିଲା। ତେଣୁ ନିରାଶ ନହୋଇ ତୁମେ ଚିକିତ୍ସା ଜାରି ରଖ। ଈଶ୍ୱରଙ୍କ କରୁଣା ହେଲେ ତୁମ ସମସ୍ୟାର ସମାଧାନ ହୋଇଯାଇପାରେ। ଡାକ୍ତରଙ୍କ ଠାରୁ ସବୁ ଶୁଣିଲା ପରେ ଦୂର୍ଗା ବିଜୟକୁ କହିଲା , ଦେଖ,ଆମେ ଏକଥା ବୋଉଙ୍କୁ ଜଣାଇଦେବା। କେତେଦିନ  ଆଉ ଏକଥାକୁ ଲୁଚାଇ ରଖିବା। ଆଜି ନହେଲେ କାଲି ସତକଥାଟା ଯେମିତି ହେଲେ ଜଣାପଡିବ। ମୁଁ ଆଉ ବୋଉଙ୍କୁ ୟାଡୁ ସ୍ୟାଡୁ କହି ଠକି ପାରିବି ନାହିଁ। ବିଜୟ କହିଲା, ଛୋଟ ପିଲାଙ୍କ ଭଳି ଜିଦ୍ କରନି ଦୂର୍ଗା।  ଏକଥା ଆମ ଦୁହିଁଙ୍କ ବ୍ୟତୀତ କେହି ଜାଣିବା ଦରକାର ନାହିଁ। କାହିଁକି ନା ମୁଁ ହେଉଛି ବାପ ମା'ଙ୍କର ଏକମାତ୍ର

ସନ୍ତାନ। ନାତି ବା ନାତୁଣୀ ମୁହଁ ଦେଖିବା ପାଇଁ ବୋଉ  କେତେ ଆଶା ବାନ୍ଧି ବସିଛି। ତୁମେ ମା ହୋଇପାରିବ ନାହିଁ ବୋଲି ହଠାତ୍ ଜାଣିଲେ ହୁଏତ ତା ମନରେ ଶକ୍ତ ଆଘାତ ଲାଗିପାରେ ଯାହାକି ତାର ସ୍ଵାସ୍ଥ୍ୟ ପାଇଁ ଆଦୈା ହିତକର ନୁହେଁ। ତେଣୁ କୈାଣସି ପରିସ୍ଥିତିରେ ବି ତୁମେ ଏକଥା ବୋଉକୁ ଜଣାଇବ ନାହିଁ। ଏକଥା ଶୁଣି ଯଦି ତାର କିଛି ଭଲମନ୍ଦ ହୋଇଯାଏ ମୁଁ ସେଥିପାଇଁ ମୁଁ ନିଜକୁ ନିଜେ ଆଦୈା କ୍ଷମା କରି ପାରିବି ନାହିଁ।  ୟା ଭିତରେ ଦୂର୍ଗା କଲିକତାରୁ ଫେରିବା ଛଅ ମାସ ହୋଇ ଗଲାଣି। ବିଜୟ ଦୁଇଦିନ ପାଇଁ ଘରକୁ ଆସିଥାଏ। ସେ ତାର

ଶୋଇବା ଘରେ ବସି ଟିଭି ଦେଖୁଥାଏ। ଦୂର୍ଗା ବାହାରେ ବସି ଶାଶୁଙ୍କ ସହିତ କଥାହେଉଥାଏ। ତାଙ୍କ ମନ ଖୁବ୍ ଦୁଃଖ ଥିବାର ଲକ୍ଷ୍ୟ କରି ଦୂର୍ଗା ପଚାରିଲା , କଣ ହୋଇଛିବୋଉ ଶାଶୁ କହିଲେ ମା' ଦୂର୍ଗା! ସତରେ କଣ ମୁଁ ମୋର ଆଗାମୀ ଭବିଷ୍ୟତର ମୁହଁ ଦେଖି ପାରିବି ନାହିଁ? ଏହା କହି ସେ ଭୋ ଭୋ ହୋଇ କାନ୍ଦି ଉଠିଲେ। ତାଙ୍କ କାନ୍ଦ ଶବ୍ଦ ଶୁଣି ବିଜୟ ଟିଭି ଦେଖା ଛାଡି ବାହାରକୁ ଧାଇଁ ଆସି ଦେଖିଲା ଦୂର୍ଗା ବୋଉଙ୍କ ଆଖିରୁ ଲୁହ ପୋଛି ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଛି। ବିଜୟ ଧାଇଁ ଆସି ପଚାରିଲା ବୋଉ! କଣ ହେଲା? ତୁ କାନ୍ଦୁଛୁ କାହିଁକି ? ସେ କହିଲେ, ବିଜୁ! ଦୂର୍ଗା ଯେ କେବେ ମା' ହୋଇ ପାରିବ ନାହିଁ ଏକଥାକୁ ତୁ ଆଜି ପର୍ଯ୍ୟନ୍ତ ମୋ ଆଗରେ ଲୁଚାଇ ରଖିଥିଲୁ କାହିଁକି? ହେ ପ୍ରଭୁ! ଆର ଜନ୍ମରେ କି ପାପ କରିଥିଲି କେଜାଣି ଯେଉଁଥିପାଇଁ ଏ ଜନ୍ମରେ ମୋତେ ଏତେ ବଡ ଦଣ୍ଡ ମିଳିଲା। ଏହା କହି ଜୋରରେ କାନ୍ଦି କାନ୍ଦି ସେ ବୋହୋସ୍ ହୋଇ ତଳେ ପଡି ଯାଇଥିଲେ। ଏଭଳି ପରିସ୍ଥିତିରେ ଯେ କଣ କରିବ ବିଜୟ କିଛି ଜାଣି ପାରୁ ନଥାଏ। ଦୂର୍ଗା ଶାଶୁଙ୍କ ମଥାକୁ ନିଜ କୋଳରେ ରଖି ତାଙ୍କର ଚେତା ଫେରେଇବାକୁ ଚେଷ୍ଟା କରୁଥାଏ। ବିଜୟ କାନ୍ଦି କାନ୍ଦି ମା'ଙ୍କ ଶରୀରକୁ ହଲେଇ ବୋଉ! ବୋଉ! ଡାକି ଚାଲିଥିଲା।  

କିନ୍ତୁ ତାଙ୍କର ଏ ଡାକର ଉତ୍ତର ଦେବାକୁ ମା' ଆଉ ଏ ଇହଧାମରେ ନଥିଲେ। ଗାଁ ପାଖରେ ଥିବା ଡ଼ାକ୍ତରଙ୍କୁ ଡକାଗଲା। ସେ ପରୀକ୍ଷା କଲାପରେ କହିଲେ ,ଦେଖନ୍ତୁ ବିଜୟ ବାବୁ! ଶକ୍ତ ମାନସିକ ଆଘାତ ଯୋଗୁ ହାର୍ଟ ଆଟାକ୍ ହେବାରୁ ଆପଣଙ୍କ ମା'ଙ୍କର ମୃତ୍ୟୁ ଘଟିଛି। ଡାକ୍ତର ଯିବାପରେ ଛଳଛଳ ଆଖିରେ ବିଜୟ କହିଲା, ଏ ତୁମେ କିଛି ଠିକ୍ କଲନି ଦୂର୍ଗା। ବାରମ୍ବାର ବାରଣ କରିବା ସତ୍ତ୍ୱେ ତୁମେ ମୋ କଥା ନମାନି ସେକଥା ବୋଉ ଆଗରେ କହିଦେଲ ଯାହାଫଳରେ ମାନସିକ ଆଘାତ ସହି ନପାରି ବୋଉର ମୃତ୍ୟୁ ଘଟିଲା। ଏଥିପାଇଁ ତୁମକୁ ମୁଁ କେବେବି 

କ୍ଷମା କରିପାରିବି ନାହିଁ।  ବିଜ ୟ ଏସବୁ କଣ କହିଯାଉଛନ୍ତି ଦୂର୍ଗା କିଛିବି ବୁଝିପାରୁ ନଥିଲା। କାନ୍ଦି କାନ୍ଦି କହିଲା , ମୋତେ ବିଶ୍ଵାସ କର

ମୁଁ ସେ ବିଷୟରେ ବୋଉଙ୍କ ଆଗରେ କିଛିବି କହିନି। କିନ୍ତୁ ବିଜୟର ଦୂର୍ଗାଙ୍କ କଥାରେ ତିଳେହେଁ ବିଶ୍ଵାସ ନଥିଲା। ତା ଆଖିରେ ଦୂର୍ଗା ପ୍ରତି ଅବିଶ୍ବାସର ଭାବ ଜଳଜଳ ଫୁଟି ଦେଖାଯାଉଥିଲା। ବିଜୟର ମା'ଙ୍କର ଶୁଦ୍ଧି କ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ଦୂର୍ଗାର ନନା ଆସିଥାନ୍ତି। ଶୁଦ୍ଧି କାର୍ଯ୍ୟ ସରିବା ପରେ ବିଜୟ ଦୂର୍ଗାକୁ କହିଲା ଦେଖ, ମୁଁ ବାରଣ କରିବା ସତ୍ତ୍ୱେ ତୁମେ ତୁମ ଜିଦ୍ ରେ ଅଟଳ ରହି ମୋ ବିଶ୍ଵାସ କୁ ଭାଙ୍ଗି ଦେଇଛ। 

ତୁମେ ହିଁ ମୋ ମା'ର ଅକାଳ ମୃତ୍ୟୁ ପାଇଁ ଦାୟୀ। ତେଣୁ ତୁମ ସହିତ ଗୋଟିଏ ଛାତ ତଳେ ରହିବା ମୋ ପକ୍ଷରେ ଆଦୌ ସମ୍ଭବ ନୁହେଁ। ତୁମେ ତୁମ ନନାଙ୍କ ସହ ତୁମ ବାପ ଘରକୁ ଚାଲିଯାଅ। ଏକଥା ଶୁଣି ଦୂର୍ଗାକୁ ତାର ପାଦତଳୁ ମାଟି ଖସି ଗଲାପରି ଲାଗୁଥିଲା। ସେ ତା ନିଜ କଥା ଭାବୁ

ନଥିଲା, ଭାବୁଥିଲା ତା ନନାଙ୍କ କଥା। ଅନେକ କଷ୍ଟରେ  ତାର ବିଭାଘରଟା ସାରିଦେଲା ପରେ ସେ ଟିକେ ଶାନ୍ତିରେ ନିଶ୍ଵାସ ମାରୁଥିଲେ। କିନ୍ତୁ ସେ ଯେତେବେଳେ ଏକଥା ଜାଣିବେ ତାଙ୍କର ଅବସ୍ଥା ଯେ କଣହେବ ସେକଥା ଭାବି ଦୂର୍ଗା ବ୍ୟସ୍ତ ‌ହୋଇ ଉଠୁଥିଲା। କିନ୍ତୁ ଯେତେ ବୁଝାଇଲେ 

ମଧ୍ୟ ବିଜୟ ଯେତେବେଳେ ତା ଜିଦ୍ ରେ ଅଟଳ ରହିଲା ଦୂର୍ଗା କହିଲା," ଠିକ୍ ଅଛି। ମୁଁ ନନାଙ୍କ ସହ ଆମ ଘରକୁ ଚାଲିଯିବି। କିନ୍ତୁ ନନା ଯେପରି ଏ ବିଷୟରେ କିଛି ନ ଜାଣନ୍ତି। ତାପରେ ମୋ ଯିବା ବିଷୟରେ ତୁମେ ନନାଙ୍କୁ କୁହ। ତା ନହେଲେ ତାଙ୍କ ମନରେ ସନ୍ଦେହ ହୋଇପାରେ।"

  ବିଜୟ ଶଶୁରଙ୍କୁ କହିଲା, "ବର୍ତ୍ତମାନ ଘରେ ଏକା ଏକା ଚଳିବାକୁ ଦୂର୍ଗାକୁ ଅସୁବିଧା ହେବ। ତେଣୁ ସେ କିଛି ଦିନ ଆପଣଙ୍କ ପାଖରେ ଥାଉ। ଆସନ୍ତା ଥର ଆସିଲେ ମୁଁ ତାକୁ ସାଥିରେ କଲିକତା ନେଇଯିବି। ଗଦା କକେଇ ଏକଥା ଶୁଣି କହିଲେ ,ଏ ତ ବଡ ଖୁସିର କଥା। ଦୂର୍ଗା ତ ବାହାଘର ପରେ ଥରେ ବି ଯାଇ ଆମଘରେ ରହିନି। ତେଣୁ ତୁମେ ନିଶ୍ଚିତରେ କଲିକତା ଯାଅ। ଆସନ୍ତା ଥର ଆସିଲେ ତୁମ ସାଥିରେ ସେ କଲିକତା ଚାଲିଯିବ। ଏହା କହି ଗଦା କକେଇ ଦୂର୍ଗାକୁ ସାଥିରେ ନେଇ ତାଙ୍କ ଘରକୁ ଚାଲିଗଲେ। ତା' ପରଦିନ ବିଜୟ ନିଜ ଘରର ଦାୟିତ୍ଵ ତାଙ୍କ ସାହିର ହେମ ଖୁଡୀଙ୍କ ହାତରେ ଦେଇ କଲିକତା ଚାଲିଗଲା।   ଘରକୁ ଆସିବାର ଦୁଇଦିନ ପରେ ଦୂର୍ଗା ନିଜ ଭିତରେ ଏକ ଭିନ୍ନ ପ୍ରକାର ଶିହରଣ ଅନୁଭବ କଲା। ଡ଼ାକ୍ତରଖାନାକୁ ଯାଇ ପରୀକ୍ଷା କଲାପରେ ସେ ଯାହା ଶୁଣିଲା ସେକଥା ସେ ନିଜକୁ ନିଜେ ବିଶ୍ଵାସ କରିପାରୁ ନଥିଲା। ଡାକ୍ତରଙ୍କ ସମସ୍ତ ଭବିଷ୍ୟ ବାଣୀକୁ ଭୁଲ୍ ପ୍ରମାଣିତ କରି ସେ ମା ' ହେବାକୁ ଯାଉଥିଲା। ପ୍ରଥମେ ଏକଥା ଜଣାଇବାକୁ ସେ ବିଜୟକୁ ଫୋନ୍ କରିବାକୁ

ସ୍ଥିର କଲା। କିନ୍ତୁ ଦୂର୍ଗା ଭଲ ଭାବରେ ଜାଣିଥିଲା ଯେ ବିଜୟ ତା ଉପରେ ଭୀଷଣ ଭାବରେ ରାଗିଛି। ତେଣୁ ସେ ତା ଫୋନ୍  ଆଦୈା ଉଠେଇବ ନାହିଁ। ପ୍ରକୃତରେ ତାହାହିଁ ହେଲା। ଯେତେ ଫୋନ୍ କଲେ ମଧ୍ୟ ରାଗରେ ବିଜୟ ତା ଫୋନ୍ ମୋଟେ ଉଠାଇଲା ନାହିଁ। ତେଣୁ ଦୂର୍ଗା ସବୁକଥା ତା ନନାଙ୍କ ଆଗରେ କହିବାକୁ ବାଧ୍ୟ ହେଲା। ଦୂର୍ଗା ମା' ହେବା କଥା ଜାଣିବା ପରେ ଗଦା କକେଇଙ୍କ ଖୁସି କହିଲେ ନସରେ। କିନ୍ତୁ ବିଜୟ ବିଷୟରେ

ସବୁ ଶୁଣିବା ପରେ ତାଙ୍କ ମନରେ ବହୁତ କଷ୍ଟ ହେଲା। ସେ କହିଲେ , ଠିକ୍ ଅଛି। ମୁଁ ନିଜେ କଲିକତା ଯାଇ ବିଜୟକୁ ସବୁକଥା ବୁଝେଇଦେବି। କିନ୍ତୁ ଦୂର୍ଗା ଥିଲା ଭାରି ସ୍ଵାଭିମାନୀ ଝିଅ। ସେ ବାରଣ କରି କହିଲା, ନନା, ବିଶ୍ଵାସ ହେଉଛି ସ୍ଵାମୀସ୍ତ୍ରୀ ସମ୍ପର୍କର ମୂଳ ଭିତ୍ତି। ମିଥ୍ୟା ସନ୍ଦେହ କରି ସେ ମୋତେ ତାଙ୍କ ଠାରୁ ଦୂରେଇ ଦେଇଛନ୍ତି। ତାଙ୍କର ସେ ମିଥ୍ୟା ସନ୍ଦେହ ଦୂର ନହେବା ପର୍ଯ୍ୟନ୍ତ ଯେତେ ବୁଝାଇଲେ ବି କୈାଣସି  ଲାଭ ହେବନାହିଁ। ତେଣୁ ତୁମର କଲିକତା ଯିବାର କିଛି ଆବଶ୍ୟକତା ନାହିଁ। ଗଦା କକେଇ କିଛି ନକହି ଚୁପ୍ ରହିଲେ ବି ଝିଅ ଜ୍ବାଇଁଙ୍କ ଭିତରେ ଏ‌ହି ମନୋମାଳିନ୍ୟ ତାଙ୍କୁ ଆଦୈା ଭଲ ଲାଗୁ ନଥିଲା।   ସମୟ କାହାକୁ ଅପେକ୍ଷା କରେ ନାହିଁ। ଦୂର୍ଗାର ମା' ହେବାର ସମୟ ଯେତେ ପାଖେଇ ଆସୁଥାଏ କକେଇଙ୍କର ଚିନ୍ତା ସେତେ ବଢି ଚାଲିଥାଏ। ଏପଟେ ନିଜ ମା'ର ଶୁଦ୍ଧି କ୍ରିୟା କାମ ସାରି ବିଜୟ ଯାଇଛି ଯେ ଯାଇଛି। ତା ତରଫରୁ କୈାଣସି ଖବର ଅନ୍ତର ନାହିଁ। ଗଦା କକେଇ ଝିଅର ଶୁଭ ମନାସି ସବୁବେଳେ  ଠାକୁରଙ୍କୁ ମନେ ମନେ ଡାକୁଥାନ୍ତି।   ବିଜୟ ସେଦିନ କାମସାରି ବସାକୁ ଫେରୁଥାଏ। ହଠାତ୍ ପଛରୁ ଏକ ଚିହ୍ନା ସ୍ଵର ଶୁଣି ଅଟକି ଗଲା। ଦେଖିଲା ଡାକ୍ତର ମିଶ୍ର ତାକୁ ଡାକୁଛନ୍ତି। କହିଲେ ,ଆରେ ବିଜୟ ବାବୁ ମୁଁ 

ଆପଣଙ୍କ ଗାଁ କୁ ଯାଇଥିଲି। ଶୁଣିଲି ଅନେକ ଦିନ ହେବ ଆପଣ ଗାଁ କୁ ଯାଇ ନାହାନ୍ତି। ଆଉ ଆପଣଙ୍କ ସ୍ତ୍ରୀ ଙ୍କ ଖବର କଣ? ସେ ସମସ୍ୟାର କଣ କିଛି ସମାଧାନ ହେଲା ? ୟା ପୂର୍ବରୁ ଯେଉଁ ଥର ମୁଁ ଆପଣଙ୍କ ଗାଁ କୁ ଆସିଥିଲି ଆପଣଙ୍କ ମା'ଙ୍କ ସହିତ ମୋର ଦେଖା ହୋଇଥିଲା। ମୁଁ ତାଙ୍କୁ ଆପଣଙ୍କ ସ୍ତ୍ରୀ ଙ୍କର ସମସ୍ୟା ବିଷୟରେ ସବୁ କହିଥିଲି। ସେ କଥା ଶୁଣି ସେ ଖୁବ୍ ଦୁଃଖ କରିଥିଲେ। ମୁଁ ତାଙ୍କୁ କିନ୍ତୁ ବୁଝାବୁଝି କରି ଠାକୁରଙ୍କ ଉପରେ ଭରସା ରଖିବାକୁ କହିଥିଲି। ଆଉ କେତେବେଳେ ସମୟ ହେଲେ ଆମ କ୍ଳିନିକ ଆଡେ ଆସ। ଏହା କହି କହି ଡାକ୍ତର ମିଶ୍ର ଚାଲି ଯାଉଥିଲେ କିନ୍ତୁ ତାଙ୍କର କଥାସବୁ ଶୁଣିବା ପାଇଁ ଆଉ ବିଜୟର ଧୈର୍ଯ୍ୟ ନଥିଲା। ସେ କେବଳ ଦୂର୍ଗା ବିଷୟରେ ଭାବୁଥିଲା। ତାଙ୍କ କଥା ଶୁଣି  

ଦୂର୍ଗା ଯେ ନିର୍ଦ୍ଦୋଷ ଏକଥା ବିଜୟ ଜାଣି ସାରିଥିଲା। ଦୂର୍ଗା ବିଷୟରେ ସବୁକଥା ତାଙ୍କ ମା ତାହେଲେ ଡାକ୍ତର ମିଶ୍ରଙ୍କ ଠାରୁ ଜାଣି ପାରିଥିଲେ। ସେଥିରେ ଦୂର୍ଗାର କିଛି ଦୋଷ ନଥିଲା। ସେ ତାକୁ ସନ୍ଦେହ କରି ବଡ ଭୁଲ୍ କରିଛି। ଘରୁ କଲିକତା ଆସିବା ଦିନଠାରୁ ଥରଟିଏ ବି ସେ ତାକୁ ଫୋନ କରି ନାହିଁ ବରଂ ଦୂର୍ଗା ବାରମ୍ବାର ଫୋନ୍ କଲେବି ତା ଫୋନ୍ ରିସିଭ୍ ନକରି ସେ ତାକୁ ଅପମାନିତ କରିଛି। ଏକଥା ଭାବି 

ସେ ନିଜ ଆଖିରେ ନିଜେ ଛୋଟ ହୋଇ ଯାଇଥିଲା ଓ କେଉଁ  ମୁହଁ ନେଇ ଦୂର୍ଗାକୁ ଦେଖା କରିବ କିଛି ଜାଣି ପାରୁ ନଥିଲା। 

ଶେଷରେ ସ୍ଥିର କଲା ଛୁଟି ନେଇ ସେହିଦିନ ରାତିରେ ଗାଁ କୁ  ଫେରିଯିବ ଓ ପରଦିନ ସକାଳୁ ଦୂର୍ଗା ଘରକୁ ଯାଇ ନିଜର 

ଦୋଷ ସ୍ଵୀକାର କରି ତାକୁ ସାଥିରେ ଧରି କଲିକତାଫେରି ଆସିବ।  ଆଉ କାଳବିଳମ୍ବ ନକରି ସେହିଦିନ ରାତିରେ ବିଜୟ ଘରକୁ

ଆସିବା ପାଇଁ ଟ୍ରେନରେ ବସିଲା।  ସେହିଦିନ ରାତିରେ କେଜାଣି କାହିଁକି ଦୃର୍ଗାର ବିଜୟ କଥା ଖୁବ୍ ମନେ ପଡୁଥାଏ। ମନେ ମନେ ଭାବୁଥାଏ ବିଜୟ ପାଖରେ ଥିଲେ ଆଜି ବହୁତ ଖୁସି ହୋଇଥାନ୍ତେ। ଖାଇ ସାରି ଶୋଇବାକୁ ଗଲାବେଳେ ହଠାତ୍ ଦୂର୍ଗା ତା ପେଟରେ ଯନ୍ତ୍ରଣା ଅନୁଭବ 

କଲା। ଏକଥା ଦେଖି କକେଇ ବ୍ୟସ୍ତ ହୋଇ ପଡିଲେ ଓ ଅଟୋ ରିକ୍ସାଟିଏ ଡାକି ଝିଅକୁ ଡାକ୍ତରଖାନାକୁ ନେଇଗଲେ। 

ଦୂର୍ଗାର ଯନ୍ତ୍ରଣା ଧୀରେ ଧୀରେ ବଢି ଚାଲିଥାଏ। ଡାକ୍ତର ପରୀକ୍ଷା କରି କହିଲେ, ଅପରେସନ ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ। କିନ୍ତୁ ଏଥିରେ ଦୂର୍ଗାର ଜୀବନ ପ୍ରତି ବିପଦ ଅଛି। ଏକଥା ଶୁଣି କକେଇ କଣ କରିବେ କିଛି ଜାଣି ପାରିଲେ ନାହିଁ। ଦୂର୍ଗା କିନ୍ତୁ କହିଲା,ନ‌ନା ! ମୋ ଜୀବନ 

ପାଇଁ ମୋର ଚିନ୍ତା ନାହିଁ। ମୋ ଶଶୁରଙ୍କ ବଂଶରକ୍ଷା ପାଇଁ ପିଲାଟିଏ ନିହାତି ଦରକାର। ଏହା କହି ଅପରେସନ ପାଇଁ ସେ ସମ୍ମତି ଦେଲା। ଅପରେସନ ଥିଏଟର କୁ ଯିବା ପୂର୍ବରୁ ଗଦା କକେଇଙ୍କ ହାତରେ ଚିଠିଟିଏ ଧରେଇ ଦେଇ ସେ କହିଲା , ନନା ! ତାଙ୍କ ସହିତ ମୋର ଆଉ ଦେଖା ହେବ କି ନାହିଁ ସେକଥା ମୁଁ ଜାଣେନା। ଯଦି ମୋର କିଛି ହୋଇଯାଏ ଏ ଚିଠିଟା ଯେମିତି ହେଲେ ତାଙ୍କୁ ଦେଇଦେବ। ଲୁହ ଛଳଛଳ 

ଆଖିରେ ଚିଠିଟା ଦୂର୍ଗା ହାତରୁ ନେଲାବେଳେ କକେଇ ସ୍ନେହରେ ଟିକେ ତା ମୁଣ୍ଡକୁ ଆଉଁସି ଦେଇଥିଲେ।  

ଟ୍ରେନ ରୁ ଓହ୍ଲାଇ ନିଜ ଘରକୁ ନଯାଇ ବିଜୟ ସିଧା ଦୂର୍ଗା ଘରେ ପହଞ୍ଚିଲା। ତାଙ୍କ ପଡିଶା ଘରୁ ଦୂର୍ଗା ମା ହେବାକୁ ଯାଉଛି ଏବଂ ହସ୍ପିଟାଲରେ ଅଛି ବୋଲି ଜାଣିବା ପରେ  ଖୁସିରେ ତା ଗୋଡ଼ ତଳେ ଲାଗିନଥିଲା। ଯେତେ ଅଭିମାନ କରିଥିଲେ ବି ଏତେଦିନ ପରେ ତାକୁ ଦେଖି ସେ ନିଶ୍ଚୟ

ଖୁସି ହେବ। ନିଜର ଭାବି ସନ୍ତାନ ବିଷୟରେ ସୁନେଲି ସ୍ଵପ୍ନ ଦେଖୁ ଦେଖୁ ସେ କେତେବେଳେ ଯେ ମେଡିକାଲରେ ଯାଇ ପହଞ୍ଚି ଯାଇଥିଲା ସେକଥା ସେ ଜାଣି ପାରିନଥିଲା। ମେଡ଼ିକାଲ ବାରଣ୍ଡାରେ ଗଦା କକେଇଙ୍କୁ ଦେଖି ସେ ପଚାରିଲା'ଦୂର୍ଗା କେଉଁଠି ଅଛି?' ଅପରେସନ ଥିଏଟର 

ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଲେ, ଆସିବାରେ ବହୁତ ଡେରି କରିଦେଲ ବିଜୟ। ଓଟିରେ ସେ ବର୍ତ୍ତମାନ ମରଣ ସହିତ ଲଢେଇ କରୁଛି। ଏକମାତ୍ର ଭଗବାନ ହିଁ ଭରସା। ଏହା କହି ଦୂର୍ଗା ଦେଇଥିବା ଚିଠିଟିକୁ ସେ ବିଜୟ  ହାତରେ ଧରାଇଦେଲେ।   ଚିଠିଟି ଦୂର୍ଗାର ଆଖି ଲୁହରେ ଅଧା ଭିଜି ଯାଇଥିଲା। ସେଥିରେ ମାତ୍ର ଦୁଇ ଧାଡି ଲେଖାଥିଲା। "ମୋତେ ବିଶ୍ଵାସ କର, ମୁଁ ସେ ବିଷୟରେ ବୋଉଙ୍କ ଆଗରେ କିଛିବି କହିନି"। ଆଖି କୋଣରୁ ବହି ଆସୁଥିବା ଲୁହକୁ ପୋଛି ବିଜୟ ଓଟି ଖୋଲି ବାହାରକୁ ଆସୁଥିବା ଡାକ୍ତରଙ୍କ ପାଖକୁ ଦୂର୍ଗା ବିଷୟରେ ପଚାରିବା ପାଇଁ ଉତ୍କଣ୍ଠାର ସହ ଧାଇଁ ଗଲା। ଡାକ୍ତର ଗଦା କକେଇଙ୍କୁ କ‌ହୁଥିଲେ,ଆପଣଙ୍କର ନାତିଟିଏ  ହୋଇଛି। ବିଜୟ ପଚାରିଲା, ଆଉ ଦୂର୍ଗା?

'ଡାକ୍ତର କହିଲେ, କ୍ଷମା କରିବେ। ଅନେକ ଚେଷ୍ଟା କରି ମଧ୍ୟ ଆମେ ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ।' ଏହା ଶୁଣି ଗଦା କକେଇ ଓ ବିଜୟ ଉଭୟ ଭୋ ଭୋ ହୋଇ କାନ୍ଦି ଉଠିଥିଲେ।   ପୂର୍ବ ଦିଗରୁ ସକାଳର କଅଁଳ ସୂରୁଜ ହସି ହସି ଉଠି ଆସୁଥିଲେ। ମେଡ଼ିକାଲ ବାରଣ୍ଡାରେ ସକାଳର ସୁନେଲି କିରଣ ବିଞ୍ଚି ହୋଇ ପଡ଼ିଥିଲା। ଓଟି ଭିତରୁ ଭାସି ଆସୁଥିବା କୁଆଁ କୁଆଁ ରାବ ଶୁଣି ବିଜୟ ପ୍ରକୃତିସ୍ଥ ହେଲା। 



Rate this content
Log in

Similar oriya story from Tragedy