STORYMIRROR

pranati Mahapatra

Tragedy Inspirational

3  

pranati Mahapatra

Tragedy Inspirational

ଶେଷ ଚିଠି ଲଳିତାର

ଶେଷ ଚିଠି ଲଳିତାର

4 mins
147


ଦୀର୍ଘ ଉଣେଇଶି ଦିନ ପରେ ଖବରକାଗଜ ଉପରେ ଆଖି ପକାଉଥାନ୍ତି ଲଳିତା ଦେବୀ। ହଠାତ ଗୋଟିଏ ବିଜ୍ଞାପନ ଉପରେ ନଜର ଲାଖିଗଲା।ଅନ୍ୟମାନଙ୍କ ଅଜାଣତରେ ଆଖିରୁ ବହିଗଲା କେଇଟୋପା ଲୁହ।ଲୁହ ତଳେ ପଡିବା ଆଗରୁ ଲୁଗାକାନିରେ ପୋଛିନେଲେ ଲଳିତା ଦେବୀ।ବିଜ୍ଞାପନର ଫଟୋଟିକୁ ମଥାରେ ଲଗାଇ ପ୍ରଣାମ କଲେ।ତା ପରେ ପ୍ରଦତ୍ତ ଠିକଣାକୁ ମନେ ରଖିବା ଆବଶ୍ୟକ ନ ଥିଲା ତାଙ୍କ ପାଇଁ ସତ।ବୟସାଧିକ୍ୟ ବଶତଃ କାଳେ ଭୁଲି ଯିବେ ଦୁଇତିନିଥର ପଢି ଚାଲିଲେ।


 ଏଇଠୁ ଆରମ୍ଭ


ପ୍ରିୟପୁରୁଷ ମୋର କୁନାଲ,

ଇହକାଳ ପରକାଳର ଦେବତା,

ମୋର ଭକ୍ତିପୂତ ପାଦସ୍ପର୍ଶ ଜୁହାର।କୋଟି ଜନ୍ମ ତପସ୍ୟାର ଫଳ ତୁମେ।କେମିତି ଅଛ ? ଠିକରେ ଖିଆପିଆ କରୁଛ ତ।ସବୁବେଳେ ତୁମର ବାୟୁଦୋଷ,ଡାଇବେଟିସ ପୁଣି ଆଖିକୁ କମ୍ ଶୁଭେ।ଠିକ ସମୟରେ ଔଷଧ ଖାଉଛ ତ।ନିଜ ଦେହକୁ ବଇଦ ହୋଇ ଚଳିବ।ବେଶୀ ଗାଧୁଆ ପାଧୁଆ କରିବନି କି ପଖାଳ ପାଣି ଖାଇବନି।ସକାଳୁ ଖାଲି ପେଟରେ ନିମ୍ବପତ୍ର ଖାଉଥିବ ଆଉ ଗ୍ୟାସ ଔଷଧ ବି।ରାତିରେ ଶୋଇବା ବେଳେ ବୋହୁ କୁ କହିବ ସୋରିଷ ତେଲ ରସୁଣ ଫୁଟେଇ ଦେବେ, ନିଜେ ଟିକେ ଲଗେଇ ଦେବ।


      ।।      ମୁଁ ଥିଲେ ସିନା ପାଦରେ ରସୁଣ ତେଲ ଘଷି ଦିଏ ,ଆରାମରେ ଶୋଇଯାଅ।ଏବେ ତ ତୁମଠାରୁ ମୁଁ ବହୁତ ଦୂରରେ।ତେଣୁ ଏବେ ଠାରୁ ଅଭ୍ୟାସ କର।ସକାଳେ ବୋହୁ ମାନେ ତ ଦିନ ୯ ଟା ବେଳେ ଉଠୁଥିବେ।

   ନିଜେ ତ କେବେ ହାତରେ ଚା'ଟିକେ କରି ପିଅନା,ହେଲେ ନିଜେ ନିଜ ପାଇଁ ଚା' କରିବା ସହ ପୁଅବୋହୁଙ୍କ ପାଇଁ ବି ଚା' କରି ଦେଇ ନିଜେ ଯାଇ ପିଇବ।ମୁଁ ବଢିଭୋରୁ ଚା' କରି କବାଟ ବାଡେଇ ସେମାନଙ୍କୁ ନେଇ ଦିଏ।ବଡ଼ବୋହୁର ଟିକେ ବେଶୀ ମିଠା, ସାନବୋହୁର କମ୍ ମିଠା ଚା'।

ଏବେ ତୁମେ ନ ଦେଲେ ଦିନବେଳା ଖାଇବା ପିଇବା ହୁଏତ ବନ୍ଦ କରି ଦେବେ।ଚାରିଆଡକୁ ନଜର ରଖି ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେଉଥିବ।

ନାତିନାତୁଙ୍କୁ ସକାଳେ ସନ୍ଧ୍ୟାରେ ହରଲିକ୍ସ ବୋନଭିଟ୍ଟା ତିଆରି କରି ଦିଏ।ଯଦି ପାରିବ ତାଙ୍କୁ ବି କରି ପେଇବ,ଶୋଇବା ବେଳେ ମୋତେ ବହୁତ ଖୋଜୁଥିବେ।ପରୀରାଇଜର ରାଜକୁମାର କାହାଣୀ ଶୁଣିବାକୁ ଦୁହେଁ ଭାରି ଭଲ ପାଆନ୍ତି। ନହେଲେ ତିନି ଜଣ ଯାକ ଆଦୌ ଶୋଇବେ ନାହିଁ।ଶୋଇବା ଆଗରୁ ତୁମ ବିଛଣାକୁ ତୁମେ ଝାଡି ଦେଇ ଶୋଇବ।ଗାଧୋଇ ସାରି ଲୁଙ୍ଗି ଗାମୁଛା କୁ ବାଲଟିରେ ଧୋଇ ଖରାରେ ଶୁଖାଇ ଦେବ।


              ହଁ ଶୁଣ,ମୁଁ ଆସିବା ବେଳେ ମୋ ପେନସନ ବହି ,ଚେକ୍ ବୁକ୍ ନେଇ ଆସିଛି। ତେଣୁ ସେସବୁ ଖୋଜାଖୋଜି କରିବ ନାହିଁ।ତୁମେ ତୁମ ପେନସନ ଟଙ୍କା ଉଠେଇ ଔଷଧ ଫଳ କ୍ଷୀର ଖାଇବ।ପିଲାମାନଙ୍କ ପାଇଁ ପ୍ରତି ମାସରେ କିଛି କିଛି ଉପହାର ଆଣି ଦେବ।ସେମାନଙ୍କ ମନଖୁସି ହେଲେ ସିନା ତୁମ ପ୍ରତି କରୁଣା ଭାବ ରହିବ।ଦୟାରେ ହେଉ ବା ଅର୍ଥ ଲୋଭରେ ହେଉ ତୁମକୁ ଖାଇବା ପିଇବା କୁ ଗଣ୍ଡେ ଦେବେ।

     ମୋର ବିନତି ଆଉ ଅନୁରୋଧ ମୋତେ କେବେ ଖୋଜିବା ପାଇଁ ଚେଷ୍ଟା କରିବନି।କାରଣ ମୁଁ ଯେଉଁଠି ବି ଅଛି ବହୁତ ଭଲରେ ଅଛି।ମୁଁ ମରିଯାଇଛି ଭାବି ଶୁଦ୍ଧିକ୍ରିୟା ହୋଇଯିବ।

          ମୋ କଥା ମନେ ପକାଇ ମନକଷ୍ଟ କରିବନି।ଦେହ ଖରାପ ହେବ।ରହିଲି

           ତୁମର....


      ଚିଠିଟିକୁ ଭଲଭାବରେ ଅଠା ଲଗେଇ ଦେଇ,ତହିଁ ଉପରେ ସୁନ୍ଦର ଅକ୍ଷରରେ ଠିକଣା ବି ଲେଖି ଦେଲେ ବି ଲଳିତା ଦେବୀ।ଆଉ ସଯତ୍ନରେ ଡାକ ଘରେ ଯାଇ ପୋଷ୍ଟ କରି ଆସିବା ପାଇଁ ରମେଶ କୁ କହି କିଛି ମିଠା ଆଣିବାକୁ ଟଙ୍କା ମଧ୍ୟ ଦେଲେ।


.....  

     ପରିଷ୍କାର ଭାବରେ ମନେ ପଡୁଛି ସବୁ କିଛି କଥା ଆଜି।ହଠାତ ଦେହରେ ଜ୍ଵର ଆସିବା ସହ ଟିକେ ଟିକେ କାଶ ହେଲା।


ତିନି ପୁଅବୋହୁଙ୍କ ପାଇଁ ଗୋଟିଏ ଘର ତିଆରି କରିଥିଲେ।ତଳ ଉପର କରି ତିନି ତାଲା ଘର।ସମସ୍ତଙ୍କ ପାଇଁ ସମାନ କୋଠରୀ ମଧ୍ୟ।ତଳ ମହଲାକୁ ଲାଗି ଦୁଇବଖରା ଘର,ପାଇଖାନା ଗାଧୁଆ ଘର ନିଜ ପାଇଁ କରିଥିଲେ।ସ୍ଵାମୀ ସ୍ତ୍ରୀ ଦୁହେଁ ତ ଚାକିରୀଆ।ତେଣୁ ସବୁ କିଛି ଚିନ୍ତା କରି କରିଥିଲେ।


ପୁଅମାନେ ବ୍ୟବସାୟ କରନ୍ତି।ତେଣୁ ସବୁ ପିଲାମାନେ ବାପା ମାଆଙ୍କୁ ବହୁତ ସମ୍ମାନ ଦେବା ସହ ଭୟ ବି କରନ୍ତି।ତଳେ ଗୋଟିଏ ରୋଷେଇ ଘରେ ସମସ୍ତଙ୍କ ପାଇଁ ରୋଷେଇ ହୁଏ ଏବଂ ବିରାଟ ବଡ଼ ହଲରେ ସମସ୍ତେ ଏକାଠି ବସି ଭୋଜନ କରନ୍ତି। ରୋଷେୟା ରୋଷେଇ କରି ସାରି ସମସ୍ତଙ୍କୁ ପରଷି ଦିଏ।


କିନ୍ତୁ ବୁଢୀର ଦେହ ଅସୁସ୍ଥ ଜାଣିବା ପରେ ବାପାଙ୍କୁ ଡାକି ପିଲାମାନେ କହିଲେ କି ମାଆଙ୍କୁ କାଲି ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିବା।ତାଙ୍କୁ ଯଦି ସେହି ରୋଗ ହୋଇଥିବ ସମସ୍ତଙ୍କୁ ବ୍ୟାପିଯିବ।

ଆରେ ନାହିଁ ରେ ,ତାଙ୍କୁ କାହିଁକି ସେ ରୋଗ ହେବ।ସେ ତ କୁଆଡ଼େ ଯାଉନି କି ଆସୁନାହିଁ।ଏହି ଥରେ ଅଧେ ଯାଇଥିଲା।ମୁଁ ତା ପାଇଁ ଔଷଧ ଆଣିଛି, ସେ ବି ଖାଉଛି।ଦୁଇ ଚାରି ଦିନ ମଧ୍ୟରେ ବଳେ ଭଲ ହୋଇ ଯିବ।ତୁମେମାନେ କିଛି ବ୍ୟସ୍ତ ହେବା ଦରକାର ନାହିଁ,ବୋଲି ବାପା ଜୋର ଦେଇ କହିଲେ।

ବଡ଼ପୁଅ ଉତ୍ କ୍ଷିପ୍ତ ହୋଇଗଲେ ବାପାଙ୍କର ଏଭଳି ଉତ୍ତର ଶୁଣି।

ଶୁଣ ବାପା,

ତୁମେମାନେ ସିନା ବୁଢାବୁଢୀ ହେଲଣି।ତୁମର ଏସବୁର କିଛି ଭୟ ନାହିଁ।ହେଲେ ଆମର ତ ବୟସ ଅଛି, ପିଲାମାନେ ସବୁ ଛୋଟ ଛୋଟ।ସେମାନଙ୍କର ଭବିଷ୍ୟତ ଅଛି।ତେଣୁ ତୁମେମାନେ ଯାହା ଭଲ ଭାବୁଛ କର।ଚାଲିଗଲେ ସମସ୍ତେ।ବୁଢାବୁଢୀ ତଳେ ଏକା।ବୁଢ଼ୀ ସବୁ ଶୁଣୁଥାଏ।ହେଲେ ନୀରବ।ସେଦିନ ଯାହା ଯେମିତି ଗଲା।ତହିଁ ପରଦିନ ସକାଳ ଯାଇ ଦ୍ଵିପ୍ରହର ହେଲା।କେହି ରୋଷେଇଘରକୁ ଆସିବା, ରୋଷେଇ କରିବା କି ଖାଇବା ପାଇଁ ବି ଡାକିଲେ ନାହିଁ।

  କଥା କଣ ବୁଝିବାକୁ ଗଲାରୁ ସମସ୍ତଙ୍କ ଘରୁ ବେଶ ରୋଷେଇ ର ମହମହ ବାସ୍ନା ଭାସି ଆସୁଥାଏ ସତ ଘରର ଦରଜା କିନ୍ତୁ ବନ୍ଦ।କବାଟ ବାଡେଇ ଡାକିବାରୁ କେହି ବି କବାଟ ନ ଖୋଲି ଭିତରେ ଥାଇ ଜବାବ ଦେଲେ ଯେ ଆମେ ନିଜେ ନିଜ ଘରେ ରୋଷେଇ କରି ଖାଇବୁ।ଆପଣ ବି ରୋଷେଇ କରି ଖାଆନ୍ତୁ।ଆମେ ବାହାରକୁ ବାହାରିବୁନି।ମାରାତ୍ମକ ରୋଗୀ ଯେଉଁଠି କିଏ ବା ମିଶିବ।


ନିଜ ଗାଲରେ ଚାପୁଡା ଖାଇବା ଭଳି ବୁଢା ବାବୁ ତଳକୁ ଆସି ଡାକ୍ତର ପାଖକୁ ଫୋନ କଲେ।କିଛି ସମୟ ମଧ୍ୟରେ ଗୋଟିଏ ଗାଡ଼ି ଆସି ଦୁଆରେ ଲାଗିଲା।ବୁଢ଼ୀ ଜଣକୁ ଗାଡ଼ିରେ ବସାଇ ନେଇଗଲା।


      ଘରୁ ଗଲାବେଳେ ଯେତେ କାକୁତି ମିନତି ହେଲେ ବି ନା କେହି ସାଙ୍ଗରେ ଗଲେ ନା କେହି ମୁହଁ ଦେଖେଇଲେ।ବାହାରେ ସେମାନେ କେବଳ ବୁଢାବାବୁଙ୍କୁ ପଚାରି କଣ ସବୁ ଲେଖିନେଲେ। 


    ବୁଢ଼ୀ ଯେତେ କହୁଥାଆନ୍ତି କି ମୋ ଦେହ ତ ସୁସ୍ଥ ହୋଇଗଲାଣି ବୋଲି, ଉପର ତାଲାରୁ ମଝି ତାଲାରୁ ତଳ ତାଲାରୁ ବୁଢାବାବୁଙ୍କ ସମେତ ସମସ୍ତେ କହୁ ଥାଆନ୍ତି ,ତୁମେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଆସିବ।ଏବେ ଯଥାଶୀଘ୍ର ଏଇଠୁ ଯାଅ।ତୁମେ ଗଲେ ଘରର ତଳୁ ଉପର ଯାଏ ସରକାରୀ କଳର ଲୋକମାନେ ଆସି ସାନିଟାଇଜିଂ କରିବେ।ତା ପରେ ଆମ ମାନଙ୍କର ବି ପରୀକ୍ଷା ଦରକାର।

   ବୁଢ଼ୀ ଘରଭିତରେ କଣ ଚିନ୍ତା କରି ଲୁଗାପଟା କିଛି ନେଲେ।ଘର ଦୁଆର ମୁହଁରେ ଠିଆହୋଇ ସ୍ଵାମୀଙ୍କୁ ଯେତେ ଡାକିଲେ ବି ସେ ବି ପାଖକୁ ଆସିଲେ ନାହିଁ।ବାହାରେ ତଳେ ଭୂଇଁରେ ମଥାଲଗାଇ ଜୁହାର କଲେ ଆଉ ତା ପରେ ଗାଡ଼ିରେ ବସି ଡାକ୍ତରଖାନା ଆସିଲେ।ତା ପରଠାରୁ ଆଉ କେହି ଘରଲୋକ ଆସି ନ ଥିଲେ ବୁଢ଼ୀ ପାଖକୁ।ଆଖିରୁ ଅବିରତ ବହୁଥାଏ ଲୁହ।ହଠାତ ଜଣେ ଯୁବକ ବୁଢୀର ପାଦ ଛୁଇଁ ପ୍ରଣାମ କଲେ।ଆଉ ପରିଚୟ ଦେଇ ନେଇ ଆସିଲେ ଏଇ ଜାଗାକୁ।ଆଜି ବୁଢ଼ୀ ବହୁତ ଖୁସି ଆନନ୍ଦରେ ଅଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy