ଶବ୍ଦଭେଦୀ
ଶବ୍ଦଭେଦୀ
ପ୍ରତ୍ୟାଞ୍ଚା ଚଢ଼େଇ , ଶବ୍ଦକୁ ଅନୁସରି ଯେବେ ତୀର ମୁକ୍ତ ହେଇଯାଏ , ଭେଦୀ ପାରେ ଶବ୍ଦଉତ୍ସକୁ। ବିଚିତ୍ର ନୁହେଁ, ଅଦୃଶ୍ୟକୁ ତୀରଭେଦୀ କ୍ଷତାକ୍ତ କରିବାର ଶକ୍ତି ! ଜାଣିନି ପୁରାଣ ବର୍ଣ୍ଣିତ ଏଇ ଶବ୍ଦଭେଦୀ ବାଣ ଚାଳନର ଗୁଢ଼ ରହସ୍ୟ ଆଜିର ମଣିଷ । କିନ୍ତୁ ବିଶ୍ୱାସ କରେ ଶ୍ରବଣ କୁମାରଙ୍କ ପ୍ରସଙ୍ଗକୁ ।....….
★★★★★★★
ଅଲିଭାକୁ ବେଳେବେଳେ ଅନୁଭବ ହୁଏ ସେ ସୃଷ୍ଟିର ପ୍ରଥମ ଓ ଅନ୍ତିମ ନିରୂପଦ୍ରବ ମଣିଷ ସହ ସହଯାତ୍ରୀ ହେବାର ଅକ୍ଷମଣୀୟ ଅପରାଧରେ ଆଜୀବନ କାରାଦଣ୍ଡ ଭୋଗୁଛି । ଜଣେ ମଣିଷ ଏତେ ଶିଥିଳ ହେଇପାରେ ନଭୋଗିଲା ଯାଏଁ ବିଶ୍ୱାସ କରିବା ଅସମ୍ଭବ । ଯେମିତି ଜଡ ଭରତ !.....
ପଦୁଟିଏ ମଧ୍ୟ କଥା କୁହନ୍ତି ନାହିଁ ତାରକାନ୍ତ । ନିଜେ ନିଜର ସମସ୍ତ କାମ କରିନିଅନ୍ତି । ସକାଳୁ ଉଠି ଚା' ବନେଇ ଖବରକାଗଜ ଧରି ବସି ଯାଆନ୍ତି । ଅଲିଭା କଞ୍ଚା , ପୋଡା , ଲୁଣିଆ ,ଅଲଣା ଯାହା ରାନ୍ଧିଦେଲେ ବି ନିଶବ୍ଦରେ ଖାଇ ଅଫିସ ବାହାରି ପଡ଼ନ୍ତି । ନିର୍ଦ୍ଦିଷ୍ଟ ସମୟରେ ଘରକୁ ଫେରି ସନ୍ଧ୍ୟା ପୂଜାରେ ଘଂଟାଏ ବିତାନ୍ତି ଆଉ ପରେ ଅଧଘଣ୍ଟା ଟିଭି ଦେଖନ୍ତି । ଠିକ ରାତି ନ' ଟା ରେ ରୁଟି ସନ୍ତୁଳା ନୋହିଲେ ରୁଟି କ୍ଷୀର ଖାଇ ଶୋଇ ପଡ଼ନ୍ତି । ବାସ ଘରେ ଆଉ ଗୋଟେ ମଣିଷ ରହୁଛି ଯେମିତି ଜମା ଦେଖିପାରନ୍ତି ନାହିଁ ।
ହୃଦୟରେ ସ୍ୱପ୍ନ ରଙ୍ଗ ଭରି ଚିତ୍ରିତ ଜୀବନ ଚିତ୍ର ଆଙ୍କିବାର ପ୍ରତିଶ୍ରୁତି କେବଳ ଲୋଭନୀୟ ସାହିତ୍ୟ ଭିତରେ ସମ୍ଭବ । ନିଜ ସ୍ୱପ୍ନ ବିଳାସୀ ଅନୁଢା ଜୀବନରେ ଢେର ପ୍ରେମ କବିତାସହ ସମୟ ବିତେଇଥିବା ସୁକୁମାରୀ ଝିଅଟି ଯେବେ ଏଡ଼େ ନିର୍ଜୀବ ମଣିଷଟି କବଳରେ ପଡିଯିବ ତେବେ ଏମିତିହିଁ ଅନୁଭବ ହେବା ସ୍ବାଭାବିକ ।
ତାରକାନ୍ତ ମହାକୁଡ଼ ଜଣେ ସମ୍ପନ୍ନ ମଣିଷ ଓ ଅଲିଭା ଗୋଟିଏ ନିସ୍ୱ ଝିଅ । ଦ୍ଵିତୀୟା ହେବାର ଦୁର୍ଭାଗ୍ୟ ନେଇ ଧରାକୁ ଅବତରି ଆସିଥିବା ଅଭିଶପ୍ତା ଅପ୍ସରୀ ।
କିନ୍ତୁ ଏଥିରେ ମହାକୁଡ଼ଙ୍କୁ ଦୋଷ ଦେବାର ଯୁ ନାହିଁ ।
ଦୁର୍ଭାଗ୍ୟ ସେଇଦିନ ଲେଖାହେଇଥିଲା ଯେଉଁ ଦିନ ବିଚାରୀ ସେ ବର୍ଷଣମୁଖର ରାତିରେ କାଙ୍ଗାଳିନୀ ହେଇଯାଇଥିଲା ନିୟତିର ନିଷ୍ଠୁର ହାତରେ । ନିଜର ନିଜତ୍ବ ହରେଇଥିବା ନିସ୍ୱ ଲଳନାର ଉଜୁଡା ସୀମନ୍ତରେ ନାଲି ରଙ୍ଗ ମଖାହେବାର ସୌଭାଗ୍ୟ କେତେଜଣ ପାଇପରନ୍ତି ଭଲା ?....
ସେଇ ସୌଭାଗ୍ୟ ସିନ୍ଦୁର ପିନ୍ଧେଇଥିବା ଦେବୋପମ ମଣିଷ ତାରାକାନ୍ତ । ସାତଜନ୍ମକୁ ପୂଜା ପାଇବାକୁ ଯୋଗ୍ୟ । ସୌଭାଗିନୀ ଅଲିଭା ସତରେ । ଏଡ଼େ ବିପତ୍ତି ପରେ ମଧ୍ୟ କୂଳବଧୁର ପରିଚୟ କାହା ଭାଗ୍ୟରେ ଭଲା ।
ଅବଶ୍ୟ ସେଇ ଅଭାବନୀୟ ଘଟଣା କଥା କେହି ଜାଣନ୍ତି ନାହିଁ । ଏସବୁ ସର୍ବସାଧାରଣ କରି କି ନ୍ୟାୟ ମିଳେ ଭଲା ?....
ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ସାର ହୁଏ ଖାଲି । କିଛି ଦିନ ତୁମ୍ବି ତୋଫାନ , ରାଜନୀତିର ପଶା ପାଲି ଆଉ ସାମ୍ବାଦିକଙ୍କ ଟି .ଆର. ପି ବ୍ୟତୀତ ଆଉ ଅଧିକ କିଛି ଉପଲବ୍ଧୀ କାହିଁ ?...
ଏଡ଼େ ସୌଭାଗ୍ୟ ଦେଇଥିବା ମଣିଷକୁ ପଦୁଟିଏ କହିବା ଅର୍ଥ ମହାପାପ
କରିବା । ନର୍କଗତି ହେବ ନିଶ୍ଚିତ । ଅତିଶୟ ଅସହାୟ ହେଇ ନିଜ ଲୁହ ଗଡେଇଲେ ଏମିତି ପ୍ରବୋଧନା ଦିଏ ବୋଉ ଏପରି ।
ନିଶବ୍ଦ ହେଇଯାଏ ଅଲିଭାର କୋହତକ , ଓଠ ପିଇ ନିଏ ଆଉ ଟିକେ ଲୁଣି ପାଣି । ଏଇ ଘରର ଚାରିକାନ୍ଥ ଭିତରେ ସେ ଯେ ଶବ୍ଦଶୁନ୍ୟ ହେଇଯାଉଛି ଧୀରେଧୀରେ ବୁଝେଇ ହୁଏନି କାହାରିକୁ ।
ଅଲିଭାର ମନେ ପଡେ ଚଳଚଂଚଳ ଅତୀତ । କେବେ ଚୁପ ରହୁନଥିବା ଝିଅଟେ ଥିଲା ସେ । ଜେଜୀ କହୁଥିଲା ,
'' ବାଜ, ଲୋ ବେଦୀରେ ଆଉ ମୁହଁ ଖୋଲି ପକେଇବୁନି ବୁଝିଲୁ ନୋହିଲେ ବର ତୋର ପଳେଇ ଯିବ ।''
ସାରା ଦିନ ଗପୁଥିବା ଗପୁଡି ଝିଅ ପାଇଁ ଏଇ ନୀରବତା ଯେ କେତେ ଯନ୍ତ୍ରଣା ଦାୟକ କେହି ବୁଝିବେ ନାହିଁ କେବେ ।
କାଶ୍ ସେଇ ଦୁର୍ଘଟଣା ଘଟି ନଥାନ୍ତା କି ସେ ଏଇ ଜତୁ ଘରେ ଜଳୁ ନଥାନ୍ତା ।
ହଜାରେ ଥର ସେ ପ୍ରଶ୍ନ କରେ ନିଜକୁ ....
ତା'ର ଦୋଷ କ'ଣ ? ସୁନ୍ଦରୀ ହେବା କି ତା' ନିଜସ୍ୱ ଆୟତ୍ତ ? ଅନିନ୍ଦ୍ୟ ସୁନ୍ଦରୀ ହେବାର ସୌଭାଗ୍ୟ ମିଳିଛି ତାକୁ ନା' ଅଭିଶାପ ?....
*****************
ମଧ୍ୟସ୍ଥି ଦୁଇ ତିନିଟା ବାନ୍ଧିଥିଲେ ବାପା , ଝିଅକୁ ହାତକୁ ଦୁଇହାତ କରିବାକୁ । କିନ୍ତୁ ଝିଅଟି ମାରା ହେଇଗଲା ପରେ ଆଉ ସୁଖ ଶାହାନାଇ ବାଜିବାର ନଥିଲା । ଉଜୁଡି ଯାଇଥିଲା ସବୁ ଆଶା । କିନ୍ତୁ ସେଇ ମୁହୂର୍ତ୍ତରେ ତାରକାନ୍ତଙ୍କ ପ୍ରସ୍ତାବ ଆସିଥିଲା ବୁଡ଼ିଗଲା ମଣିଷକୁ କୁଟାଖିଅ ଭଳି ।
ଶବ୍ଦଟିଏ ମଧ୍ୟ କହିନଥିଲେ ବାପା । ବିପତ୍ନୀକ ବରର ବୟସ , ଝିଅର ସ୍ୱପ୍ନ , ଭବିଷ୍ୟତ । କିଛି ମଧ୍ୟ ଭାବିବାର
ନଥିଲା । ଏକମାତ୍ର ଲକ୍ଷ୍ୟ ଥିଲା ଝିଅ କୂଳରେ ଲାଗିଯିବ । ମୁହଁରେ ମଖା ହେଇଥିବା କାଳିମାର କୁତ୍ସିତ ରଙ୍ଗ ଧୋଇ ସିନ୍ଦୁରର ସୌଭାଗ୍ୟ ବୋଳି ହେଇଯିବ । କିଏ ଜାଣେ ଯଦି କିଛି ଅଘଟଣ ଘଟେ ?
ଆଃ! ......କେତେ ମିଥ୍ୟା ପ୍ରଲୋଭନ ସତରେ ସୌଭାଗିନୀ ହେବାର ।........
ଆଉ ଅଲିଭା ; ସେ ନିସ୍ତୁପ ହେଇଯାଇଥିଲା କାହିଁ କେତେକାଳୁ । ନା' କୌଣସି ପ୍ରତିକ୍ରିୟା ଥିଲା ନା' କୌଣସି ପ୍ରତିବାଦ । ସତେ ଯେମିତି କଂସେଇ ଗୋଠର ଛେଳି । କେବଳ ହାଣ ମୁହଁକୁ ଯିବାର ଇପ୍ସା । ସମାଜର ଠିକାଦାର ତକ ବଡ଼ ସୁହାଗରେ ଭସେଇ ଦେଲେ ଗୋଟେ ନାଉରୀ ବିହୀନ ନୌକା ଅଥଳ ସମୁଦ୍ର ଭିତରେ । ତେଣିକି ନୌକାର ଭାଗ୍ୟ !....
ଅଲିଭା ଜାଣି ମଧ୍ୟ ପାରିଲା ନାହିଁ କେତେ ଯୁକ୍ତିଯୁକ୍ତ ଏଇ ନିଷ୍ପତ୍ତି । କେତେ ସମୀଚିନ ଏଇ ସମ୍ପର୍କ । ତାରକାନ୍ତ ହୁଏତ କେବଳ ସ୍ୱାମୀ ନାମଧାରୀ ଗୋଟେ ବସ୍ତୁ ଯାହା ଦୃଶ୍ୟମାନ କିନ୍ତୁ ଅପହଞ୍ଚ ।
ତଳ ମହଲାରେ ତାଙ୍କର ପୃଥିବୀ ଆଉ ଉପରେ ଅଲିଭା । ବିଶାଳ ଘର ଭିତରେ ଦୁଇଟା ମଣିଷ । କଥା ଦୁଇପଦ ହେବାକୁ ମଧ୍ୟ କେହି ଜଣେ ନାହିଁ । ଚାକର , ପୁଝାରୀ, ମାଳି ,ଦରୁଆନ ଭଳି ଆଭିଜାତ୍ଯ ଚିହ୍ନବର୍ଣ୍ଣ ନାହିଁ କେଉଁଠି । ଅନ୍ତତଃ ଏମାନେ ଥିଲେ କଥା ପଦେ ହେବାର ଆଶା ଟିକକ ଥାନ୍ତା । ତରାକାନ୍ତ ସତର୍କ ଭାବେ ସଭିଙ୍କୁ ଦୁରେଇ ଦେଇଥିଲେ । ବୟସର ଯେଉଁ ବ୍ୟବଧାନ ସେଥିରେ ସନ୍ଦେହର ବୀଜ ବେଶ ବଢି ପାରେ !......
ଅଲିଭା କେବଳ କାମ କରୁଥାଏ ସକାଳୁ ସଞ୍ଜ ମେସିନ ଭଳି ନିଶବ୍ଦରେ । ତାରକାନ୍ତଙ୍କ ନିରୂପଦ୍ରତାକୁ ପ୍ରତିହତ କରିବା ପାଇଁ ସେ ଖୋଜେ କାମର ବାହାନା । କିନ୍ତୁ ସରେନି ସମୟ କି ବୁଝେନି ମନ । ତାକୁ ଲାଗେ ତାରକାନ୍ତ ତା' ପ୍ରତି ଉଦାସୀନ ହେବାର କାରଣ କେବଳ ତାଙ୍କ ଭିତରର ବୟସର ତାରତମ୍ୟ ।
ଓଃ!ଏତେ ସଂଶୟ ଯଦି ତେବେ ବାହା ହେଉଥିଲେ କାହିଁକି ନିଜ ବୟସର ଅର୍ଦ୍ଧେକ ବୟସର ଝିଅ ସହ ?
ମୁଣ୍ଡ କୋଡ଼ି ଦେବାକୁ ଇଚ୍ଛା ହୁଏ ଅଲିଭାର । ସେ ଭାଗ୍ୟକୁ ନିନ୍ଦେ ଆଉ ସେଇ କାଳ ରାତ୍ରିକୁ କୋଷେ ।
********************
ହଷ୍ଟେଲରେ ରହି ଇଞ୍ଜିନିୟରିଂ ପଢ଼ୁଥିବା ପୁଅ ଫୋନ୍ କରେ ବେଳେବେଳେ। ତାରକାନ୍ତ ତା' ସହ ମଧ୍ୟ ମାପି ଚୁପି ଦୁଇପଦ କଥା ହୁଅନ୍ତି । ପିଲାଟା କିନ୍ତୁ ହୁଏତ ମା' ଭଳି । ବେଶ ଗପେ । କଲେଜ କଥା , ପାଠ କଥା କୁହେ ।ତାରକାନ୍ତ ସବୁବେଳେ ଫୋନର ମାଇକ୍ ଅନ୍ କରି କଥା ହୁଅନ୍ତି ତେଣୁ ଶୁଣିପାରେ ଅଲିଭା । ଭାରି ଇଚ୍ଛା ହୁଏ ସେ ବି କଥା ହୁଅନ୍ତା 'ବିଭୁ 'ସହ । କୁହନ୍ତା ଆସ ବିଭୁ ମୁଁ ଏବେ ତୁମର ମା' । ତୁମ ପାଇଁ ଛ' ଭଜା ନ' ତିଅଣ କରିଦେବି । ତୁମ ପ୍ରାକ୍ଟିକାଲ ରେକର୍ଡ ଲେଖିଦେବି । ତୁମ ସହ କଲେଜ ସ୍ମୃତି ବାଣ୍ଟିବି । କାରଣ ତୁମ ପାପା ତ ନିଜ ଭିତରେ ମଗ୍ନ । ତୁମେ ହିଁ ମୋ ପୁଅ ଆଉ ମୁଁ ତୁମ ସ୍ନେହୀ ମା' ହେବାର ଚେଷ୍ଟାରେ।
କିନ୍ତୁ କେବେ କଥା ହେବାର ସୁଯୋଗ ଜୁଟେନା । ତାରକାନ୍ତ କେବେ ଦିଅନ୍ତି ନାହିଁ ଫୋନ୍ । ପିଲାଟି କେବଳ କଳ୍ପନାରେ ରହିଯାଏ । କିଛି ଅଦୃଶ୍ୟ ଭାବନା ଯୋଡି ହେଇଯାଏ ତା' ସହ ।
******************
ଶରତର କାଶତଣ୍ଡୀ ଶୋଭା ସହ ଭାରି ଖୁସି ହୁଏ ଅଲିଭା । ଦୁର୍ଗା ପୂଜା ତା'ର ସବୁଠାରୁ ଅଧିକ ପସନ୍ଦ । ପାର୍ବଣର ପ୍ରଭାବରେ ସାରା ସହର ହର୍ଷ ମୁଖର ହେଇଯାଏ ବେଶ କିଛିଦିନ ଯାଏଁ । ଏତେ ଦୀର୍ଘ ଉତ୍ସବ ଆଉ କେବେ ପାଳିତ
ହୁଏନି ।
ଛୁଟିରେ ଆସିବ ବିଭୁ । ହଁ ବିଭୁ ତା' ବୟସ୍କ ପୁଅ । ସେ ତା'ର ମା ।
ତାରକାନ୍ତ ଅମଙ୍ଗ ହେଉଥିଲେ ଭାରି , କିନ୍ତୁ ହଷ୍ଟେଲ ଛୁଟି ସଭିଏଁ ଘରକୁ ଚାଲିଯିବେ ତେଣୁ ବିଭୁ ଆସିବାକୁ ଜିଦରେ ।
ଅଲିଭା ମୁହଁ ଖୋଲି କହିଲା , '' ଆସନ୍ତୁ ବିଭୁ । ଏଇଟା ତାଙ୍କ ଘର । ନୂଆ ମା' ଆସିବା ପରେ ଘର ତାଙ୍କ ପାଇଁ ବନ୍ଦ ହେଇଯିବା ଅନୁଚିତ । ''
ତାରକାନ୍ତ ହୁଏତ ବୁଝିଲେ ଆକ୍ଷେପ । ବିଭୁଙ୍କୁ ଆସିବାକୁ ଅନୁମତି ଦେଇ , ଘରେ ଛୋଟ ହଲଚଲ ଟିକେ ଖେଳିବାର ସୁଯୋଗଟେ ଦେଇଦେଲେ ।
ଭାରି ଖୁସିଥିଲା ଅଲିଭା । ଅନ୍ତତଃ କଥା ପଦେ ହେବାକୁ କେହି ମିଳିବେ । ନିଶବ୍ଦ କାରାବାସରୁ ସାମୟିକ ମୁକ୍ତି ମିଳିବ ।
ବୋଉ ତାକୁ ଘରକୁ ଆସିବାକୁ କହୁଥିଲା । ଭାଇ ଯାଇ ନେଇଆସିଥାନ୍ତା । ପ୍ରଥମ ଦଶହରାରେ ଝିଅକୁ ଲୋଡ଼ିବା ବିଧି । ସେ କିନ୍ତୁ ନିଜଆଡୁ ମନା କଲା । ବିଭୁଙ୍କ କଥା କହି । ବୋଉ ଖୁସି ହେଲା , " ଯା ହେଉ ଝିଅର ମନ ଘର ଧରିଲାଣି ।''
ଏଇ ଆଶା ବାନ୍ଧି ମନମାରି ରହିଗଲା ବୋଉ ।
*****************
ବିଭୁ ପହଞ୍ଚିବ । କଟକ ଦଶରା ଦେଖିବାକୁ ସାଙ୍ଗରେ ଆଉ ଦୁଇଟି ବନ୍ଧୁ । ଲଞ୍ଚ କରିବେ ସଭିଏଁ ଏଇଠି । ତାପରେ ଫେରିବେ ଯେଝା ଘରକୁ ।
ଅଲିଭା ପ୍ରଥମ ଥର ତିଆରି କରିଥିଲା କାନିକା , ଛେନା ତରକାରୀ , ମିଠା ଡାଲି , ପୋଟଳ ପାଚେଡ଼ି ତା' ମନଦେଇ । ମା' ର ବିଶ୍ୱାସ ଗଢିବାକୁ ହେବ ପୁଅ ମନରେ । ସାବତ ପୁଅ ପରି ସମ୍ପର୍କ କୁ ଅସ୍ବୀକାର କରାଇବାର ପ୍ରାଣପଣେ ଉଦ୍ୟମ ଅଲିଭାର ମନରେ , ଇଛାରେ , ପ୍ରଚେଷ୍ଟାରେ , କାର୍ଯ୍ୟ କଳାପରେ । ସେ ବି ମାତୃତ୍ବର ପରିଭାଷାକୁ ହୃଦୟଙ୍ଗମ କରିବ ଆଜି । ଏଇ ଆଶ୍ରାଟିକକରେ ବଞ୍ଚିହେବ ବାକିତକ ନିଃସଂଗ ଜୀବନ । ସମୟ ଯାହା ଛଡାଇନିଏ ସମୟକ୍ରମେ ଫେରାଇ ମଧ୍ୟ ଦିଏ । ସେ କୃତଜ୍ଞ ସ୍ବାମୀ ଙ୍କ ଉପରେ । ଈଶ୍ୱରଙ୍କ ଠାରେ ।
ରାହା ଚାହିଁ ଅପେକ୍ଷାରେ ଅଲିଭା । ପୁଅର ଆଗମନକୁ । ଚଳଚଞ୍ଚଳ ହେଇଉଠିବ ଏ ନିର୍ଜୀବ ନିଶବ୍ଦ ଘର । ପଣତ କାନି ମେଲିଦେବ ମା' ଟିଏ ପୁଅ ଆଗରେ । ଆଞ୍ଜୁଳାଏ ବାତ୍ସଲ୍ୟ ତ ଲୋଡା ଖାଲି ମା' ଟିକୁ । ଭରି ଉଠିବ କୋଳ ।
ପ୍ରସ୍ତୁତ ଘର । ସୁପ୍ରସ୍ତୁତ ପରିବେଶ ।
ଅଥଚ ! ସମୟ ଯାହା ଛଡାଇନେଇଥାଏ ସମୟକ୍ରମେ ସେ ସବୁଙ୍କୁ ଫେରାଇବାରେ ଭାରି କୃପଣତା କରେ । ବରଂ ନିଷ୍ଠୁର ଭାବେ ଦୁଃଖଯନ୍ତ୍ରଣାକୁ ବହୁଗୁଣ
ବଢାଇଦିଏ ।.....
ବିସ୍ମୁତ ହୋଇସାରିଥିବା , ସେ ବର୍ଷଣ ରାତି ।ଏକୁଟିଆ ଫେରିବାର ସେ ଅସହାୟ ରାସ୍ତା । ସାହାଯ୍ୟ ଆଳରେ ହାତ ବଢାଇଥିବା ସେସବୁ ଉଦଭ୍ରାନ୍ତ ଯୁବକ ଦଳ । ସେ ଅନୁନୟ ଭିକ୍ଷା । ସେ ବିକଳ ଆତୁର ଚିତ୍କାର । ପରିତ୍ୟକ୍ତା ମାଂସ ପିଣ୍ଡୁଳାକୁ ରାସ୍ତାଧାରେ ଫୋପାଡ଼ି ଚାଲିଯାଉଥିବା ସେସବୁ ନୃଶଂସ ପଲ ....ଆଉ ଏବେ ଏଇ ପୁତ୍ରବତ୍ ବିଭୁ ......
ଓଃ ....ସେଇ ରାତ୍ରିର ଶବ୍ଦ ସବୁ ପୁଣି ଥରେ କ୍ଷତାକ୍ତ କରୁଥିଲେ ଅଲିଭାର ଅସ୍ତିତ୍ବ ।.......