ଘାଇ ମୁଣ୍ଡରେ ଲୋକେ ଜମା ହୋଇଯାଇଥିଲେ. ଶବ ଟିଏ ଭାସି ଆସିଥିଲା. ଝିଅ କି ପୁଅ ଜଣାଅପଡୁନଥିଲା. ସମସ୍ତ ଗାଁ ଯୁବକ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ଗାମୁଛା ଧୋତି ବାନ୍ଧି ଶବ ଉଦ୍ଧାର କରିପାରୁନଥିଲେ. ଶବ ଟିକୁ ଦେଖି କେଜାଣି କାହିଁକି ଗାଁର ଯୁବକ ପ୍ରକାଶ ଯାଇ ଦନେଇ ମଉସାଙ୍କ ଘରେ ହାଜର ହେଲା ଓ ପ୍ରଥମାଷ୍ଟମୀ କୁ ମୀନା ଆସିଛି କି ନାହିଁ ପଚାରି ବୁଝି ଜାଣିବାକୁ ପାଇଲା ଦନେଇ ମଉସା ମୀନାକୁ ଆଣିବାକୁ ସହର ଯାଇ ନପାଇ ଫେରିଆସିଛନ୍ତି. ନା କଲେଜ ରେ ନା ହଷ୍ଟେଲ ରେ କୋଉଠି ମୀନାକୁ ଦେଖିନଥିଲେ. ମୀନା ବୋଉ ପଚାରିବାରୁ କହିଥିଲେ ତାର ପରୀକ୍ଷା ଥିବାରୁ ସେ ଆସିପାରିବ ନାହିଁ ଗାଁକୁ ଏ ବର୍ଷ ପ୍ରଥମାଷ୍ଟମୀରେ କହିଲା. ମୀନା ବୋଉ ଆଜି ଗୁରୁବାର ସାରି କାଞ୍ଜି ଅଁଳା ପୂଜା ପାଇଁ ସାତବୋହୁ ବସେଇ ହଳଦୀ,ସିନ୍ଦୁର, କଜ୍ଜଳ ଅଳତା ପିନ୍ଧେଇ ପିତାଶୁଖୁଆଙ୍କୁ ଚଉରା ମୂଳେ ବସେଇ ଭୋଗ ଆଣିଲା ବେଳକୁ ପିତା ଶୁଖୁଆଙ୍କ ହଳଦୀ ଲଗା ଧୋତି କପଡା ପଡିରହିଥିଲା କେବଳ. ପାଖରେ ପୋଷା ବିଲେଇଟା ଜିଭ ଚାଟୁଥିଲା ରହି ରହି.
ସ୍ୱାମୀ ପ୍ରକାଶ ସାଥିରେ ଘାଇ ମୁଣ୍ଡକୁ ଦୌଡୁଥିରାସ୍ତାରେ ତ ମୀନା ବୋଉ ବି ଦୌଡ଼ିଲା. କାଞ୍ଜି ଅଁଳା ଅଷ୍ଟମୀରେ ପିତା ଶୁଖୁଆ ବୋହୁ ମାନଙ୍କୁ ବିଲେଇ ଖାଇଦେଇଥିବାରୁ ତା ମନ ଭଲ ନଥିଲା. ଘାଇ ମୁଣ୍ଡରେ ସେତେବେଳକୁ ଶବ କଢା ସରିଥିଲା. ଝିଅଟା କେମିତି ମଲା ବୋଲି ତର୍ଜ୍ଜମା ଚାଲିଥିଲା ବେଳେ କିଏ ଜଣେ କହିଲା ଆମ ଗାଁ ଝିଅ ମୀନା ପରି ଦିଶୁଛି ଟିକେ ଟିକେ ତ ମୀନା ବୋଉ ତାକୁ ଶୋଧୁଥିଲା ତୋ ପାଟିରେ ପୋକ ପଡ଼ୁ କହି. ପ୍ରକାଶ କିନ୍ତୁ ସେଠାରେ ନଥିଲା କାରଣ ସେ ବୁଝିସାରିଥିଲା ଦନେଇ ମଉସା ମିଛ କହୁଥିଲେ. ମୀନା କୁ ଜୀବନ୍ତ ନପାଇ ମୃତ ଅବସ୍ଥାରେ ପାଇ ତାଙ୍କ ହୃଦୟ ଫାଟି ପଡୁଥିବ ନିଶ୍ଚୟ. ଦନେଇ କିନ୍ତୁ ଏକା ଏକା ସେହି ଝିଅର ଶବ ସତ୍କାର କରିବାକୁ ବାହାରି ପଡିଲେ. ଗାଁ ଲୋକ ଯେତେ କହିଲେ ପୋଲିସ କୁ ଜଣେଇବା ସେ ଶୁଣି ନଥିଲେ. ଅଦୂରରେ ପ୍ରକାଶ ନୀରବ ଅଶ୍ରୁ ଗଡେଇ ଚାଲିଥିଲା ବେଳେ ମୀନା ବୋଉ ଏଯାଏଁ କାହାକୁ ଶୋଧି ଚାଲିଥିଲା କେଜାଣି!କିଏ କହୁଥିଲା ବିଚାରୀ କାହା ଝିଅ କେଜାଣି ତ କିଏ କହୁଥିଲା ବିଚାରୀ ଆଉ ଭୂତ ହେଇ ଅତୃପ୍ତ ରହିବନି. ଦନେଇ ଶବ ମୁଁହଁ ରେ ନିଆଁ ଦେଉ ଦେଉ କହୁଥିଲା ଚୁପ. ସେ କହାକୁ ଚୁପ କହୁଥିଲା!ଗ୍ରାମବାସମାନଙ୍କୁ କି ମୀନା ବୋଉକୁ କେଜାଣି କିନ୍ତୁ ପ୍ରକାଶ ଲୁଚେଇ ଲୁଚେଇ ଫଟ ଦେଖୁଥିଲା ମୀନାର ସାରାରାତି.