ଶାଶୁଙ୍କ ଠାରୁ ଶିଖିଥିବା ଖିରକାକରା
ଶାଶୁଙ୍କ ଠାରୁ ଶିଖିଥିବା ଖିରକାକରା
ମୋ ସାଙ୍ଗ ରିମା ଆସି ମତେ କହିଲା ଜାଣିଛୁ ଓ ଟିଭିରେ ଦେଉଥିବା ଟେଷ୍ଟ ଅପ୍ ଓଡିଶା ନାମକ ଏକ ରୋଷେଇ କାର୍ଯ୍ୟକ୍ରମର ଶୁଭମ ଭାଇକୁ ଫୋନ ଯୋଗେ ଡକାଯାଇଛି ଆମ ଆର୍ପାଟମେଣ୍ଟକୁ।
ମୁଁ ପଚାରିଲି କଣ ପାଇଁ !
ରିମା କହିଲା ତୁ ଏତେ ସୁନ୍ଦର ରୋଷେଇ କରୁଛୁ ତୋ ନାଆ ମଧ୍ୟ ମୁଁ ସେହି ରୋଷେଇ କାର୍ଯ୍ୟକ୍ରମରେ ଦେଇଦେଇଛି।
ମୁଁ ରିମାକୁ ପଚାରିଲି ଆଲୋ ରିମା ମୋ ସହ ଆମ ସୋସାଇଟିର କେଉଁମାନଙ୍କ ନାମ ଏଥିନିମନ୍ତେ ଦେଇଛୁ?
ରିମା କହିଲା ଆମ ଚାରିଜଣଙ୍କ ନାମ। ମୁଁ, ଲୁସି,ଶିବାନି ଆଉ ତୁ। ମନେ ମନେ ବହୁତ ଖୁସି ଲାଗୁଥାଏ ଯାହାହେଉ ଏକ ଭଲ ରେସିପି ପ୍ରସ୍ତୁତ କରି ଦେଖାଇବି। ଟିଭିରେ ମତେ ସବୁ ଦେଖିବେ। ମୋର ଏବଂ ରିମାର ଏହି କଥା ଶୁଣି ମୋ ଶାଶୁ ମାଆ ଆସି କହିଲେ ଆଲୋ କଣ ଚାଲିଛି ତୁମ ଦୁହିଁଙ୍କ ଭିତରେ ଫୁସୁରୁଫାସର।
ରିମା କହିଲା ମୋ ଶାଶୁଙ୍କୁ ନାଇ ମାଉସି ଓଟିଭିରେ ଆମ ରୋଷେଇ କାର୍ଯ୍ୟକ୍ରମ ଦେଉଛି ଆମେ ଶୁଭମ୍ ଭାଇକୁ ଡକାଇଛୁ। ନିଜେ ନିଜେ ଗୋଟିଏ ରେସିପି ବନେଇବୁ । ଏଥିପାଇଁ ଆଲୋଚନା କରୁଥିଲି। ତୁମ ଵୋହୁକୁ କହୁଥିଲି ସିଏ ଏକ ରେସିପି କରିବ ଵୋଲି।
ଆରେ ଭଲ କଥା କହିଲୁ ରିମା ,ମୋ ବହୁ ତ ଭଲ ରୋଷେଇ ବନାଏ। ଯାହାବି ଗୋଟେ ସୁସ୍ବାଦୁ ଖାଦ୍ୟ ଜିନିଷ ବନେଇଵ । ମୋ ବୋହୁ ଚଟାପଟ ରୋଷେଇ କରିଦିଏ ତାହାଵି ବହୁତ ସ୍ବାଦିଷ୍ଟ । ଯିଏ ଥରେ ଖାଇଛି କାନ ମୋଡିଲେ ବି ଉଠିବନି।
ମୋ ଵୋହୁର ରେସିପି ସମସ୍ତଙ୍କଠୁ ଅଧିକ ସୁଆଦିଆ ହେବ।
ମୋ ଶାଶୁଙ୍କର ଏକଥା ଶୁଣି ରିମା ମତେ କହିଲା ଯାହା ହେଉ ଭାଗ୍ୟ କରିଥିଲୁ ଏମିତି ମାଆ ପରି ଜଣେ ଶାଶୁ ପାଇଛୁ।
କିଏ ଲ ଏତେ ପ୍ରଶଂସା କରୁଛି ନିଜ ବୋହୁକୁ? ଧନ୍ୟ ତୋ ଶାଶୁ ! ତାଙ୍କୁ ମୋର କୋଟିଏ ପ୍ରଣାମ।
ହଉ ରହିଲି ଆସୁଛି ଏଥର କହି ରିମା ଚାଲିଗଲା।
ମୁଁ ଘର ଭିତରକୁ ଗଲି ଶାଶୁ ମାଆ ଆଗେ ପଚାରିଲି ବୋଉ କୁହ କ'ଣ ଏମିତି କଣ ଗୋଟେ ରେସିପି ପ୍ରସ୍ତୁତ କରିବି ସମସ୍ତଙ୍କୁ ଯେମିତି ଭଲ ଲାଗିବ। ବୋଉ କହିଲେ ଶୁଣେ ମାଆ ଖିରଦିଆ କାକରା ବନା ସମସ୍ତଙ୍କୁ ଭଲ ଲାଗିବ। ମୁଁ କାକରା ନା ଶୁଣି ଟିକେ ଚମକି ପଡିଲି। ଏମିତିତ ଭଲ ଭଲ ରେସିପି ତିଆରି କରେ କିନ୍ତୁ ପିଠାପଣା ସବୁଥିରେ ବୋଉ ହାତ ତଳର। ବୋଉ ପୁଣି କହୁଛନ୍ତି କାକରା ବନାଇବାକୁ। କେତେଥର ମୁଁ ଶାଶୁଙ୍କ ହାତ ତିଆରି କାକରାର ପ୍ରସ୍ତୁତ ପ୍ରଣାଳି ଦେଖିଛି। କିନ୍ତୁ ଏହାକୁ ଗଢିଲା ବେଳେ ମୋର କେବେ ସାଇଜ ଠିକ୍ ହୁଏ ନାହିଁ। ଯନ୍ତୁଣି ମଧ୍ୟ ଠିକ୍ ହୁଏ ନାହିଁ। ନଡିଆ ଭାଜିଲାବେଳେ ଭଜା ବି ଠିକ୍ ହୁଏ ନାହିଁ। ମନେ ମନେ ଭାବିନେଲି ଆଜି ଭଲ ଭାବରେ ନଜର କରିବି ବୋଉ କିଭଳି କାକରା ପ୍ରସ୍ତୁତ କରୁଛନ୍ତି।
ଶାଶୁ ମାଆ ମତେ କହିଲେ ହେଲେ ଶୁଭମ କେବେ ଏ ସୋସାଇଟିକୁ ଆସୁଛି?
ମୁଁ କହିଲି ଚାରି ପାଞ୍ଚ ଦିନ ଭିତରେ ଆସିବେ।ବୋଉ କହିଲେ ଚାରି ପାଞ୍ଚ ଦିନର କଥା ତ ଆସେ ମୁଁ ତତେ ଖିର କାକରା ପୁଣି ଥରେ ବନାଇ ଶିଖାଇଦେବି।
ଶାଶୁ ମାଆ କହିଲେ ତୁ ମତେ କିଛି ସାହାର୍ଯ୍ୟ କରିବୁ ।
ମୁଁ କହିଲି ହଁ।
ଶାଶୁମାଆ କହିଲେ ଚାଲେ ଏଥର ତୋର ମୋର ମିଶି ରୋଷେଇ ଘରକୁ ଯିବା।
ମତେ କହିଲେ ତୁ ନଡିଆ କୋରି ପାରିବୁ।
ମୁଁ କହିଲି ହଁ।
ମତେ ଦୁଇଟି ନଡିଆ ଆଣି ଦେଲେ କହିଲେ ଏହାକୁ ଭାଙ୍ଗି କୋରିବାକୁ ପଡିବ ତାହା ବି ନଡିଆ କୋରା ପନିକି ସାହାର୍ଯ୍ୟରେ। ନଡିଆ କୋରା ପନିକିରେ ମୁଁ କେବେ ନଡିଆ କୋରିନଥିଲି ତଥାପି ବସି କୋରିଲା ବେଳେ ମୋ ହାତକୁ କୋରି ପକାଇଲି।
ମୋ ଶାଶୁ ମାଆ କହିଲେ ଆଲୋ ଝିଅ ଏମିତି କଣ ନଡିଆ କୋରାଯାଏ ଦେଖେ ମୁଁ କେମିତି କୋରୁଛି ପ୍ରଥମେ ଫାଳ ନଡିଆର ଚୁଳଟିକୁ ଧରିବୁ। ତାର ଭିତରର ସାଇଡପଟରୁ ଆସ୍ତେ ଆସ୍ତେ ବୁଲାଇ ବୁଲାଇ ସବୁ ତକ କୋରିଦେବୁ। ମଝିଟା ପରେ କୋରିବୁ।ଶାଶୁ ମାଆଙ୍କର ଏହି ତରିକାଟା ମୋ ମନକୁ ପାଇଲା। ମୁଁ ଜାଣିଲି ଏ ଭଳି ଭାବେ ନଡିଆ କୋରାଯାଏ।
ମୁଁ ଶାଶୁମାଆଙ୍କୁ କହିଲି ଆପଣ ଏଥର ଉଠନ୍ତୁ ମତେ ଅନ୍ୟ ଏକ ଫାଳ ନଡିଆ କୋରିବାକୁ ଦିଅନ୍ତୁ। ମୁଁ ସେହି ପଦ୍ଧତି ଅନୁସରଣ କରି ଆସ୍ତେ ଆସ୍ତେ ଗୋଟିଏ ଫାଳ କୋରିଦେଲି। ନଡିଆ ତ କୋରା ସରିଲା।
ଶାଶୁ ମାଆ କହିଲେ ଦେଖେ ଏଥର ଗୋଟିଏ ଦସ୍ତା ନେଇ ସେଥିରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଛାଡିଦେବୁ। ପାଣି ଫୁଟିଗଲେ ସେଥିରେ କିଛି ଗରମ ଖିରକୁ ଢାଳିବୁ। ଫୁଟିବା ପାଇଁ କିଛି ସମୟ ଛାଡିଦେବୁ। ପାଣି ଫୁଟିଗଲେ ତିନି ଚାରୋଟି ତେଜପତ୍ର ସେଥିରେ ପକାଇବୁ। ଭଲ ଭାବରେ ପାଣି ଟକରମକର ଫୁଟିଗଲେ ସେଥିରେ ସୁଜି ପକାଇ ଗୋଳାଇବୁ ଦେଖିବୁ ଯେମିତି ତଳେ ଲାଗି ନଯାଏ। ଏଥିପାଇଁ ସେ ଫୁଟୁଥିବା ପାଣିରେ ସୁଜି ଘାଣ୍ଟିବା ପୂର୍ବରୁ ଅଳ୍ପ ଘିଅ,ଲୁଣ, ମିଠା ପାଇଁ ତା ଦେହରେ ଅଳ୍ପ ଚିନି ପକାଇବୁ। ଅଳ୍ପ ଆଞ୍ଚରେ ତାକୁ ବସାଇ ଏକ ଖଡିକା ସାହାଯ୍ୟରେ ଘାଣ୍ଟୁଥିବୁ ଯେପରି ଗୁଳା ହୋଇନଯାଏ। କିଛି ସମୟ ଏପରି ଧିମା ଆଞ୍ଚରେ ତାକୁ ବସାଇ ଘୋଡଣି ଦେଇଦେବୁ। ପାଖରେ ଛିଡା ହୋଇଥିବୁ। ତିନି ଚାରି ମିନିଟ୍ ପରେ ତାକୁ ବନ୍ଦ କରିଦେବୁ।
ମୁଁ ଭଲ ଭାବରେ ଏହା ଲକ୍ଷ୍ୟ କରୁଥାଏ। ତା ପରେ ବୋଉ କହିଲେ ଏହାକୁ ଏକ ବଡ ଥାଳିରେ ବାହାର କରି ଥଣ୍ଡା ହେବା ପାଇଁ ଛାଡିଦେବୁ। ମୁଁ ଗୋଟେ ବଡ ଥାଳି ଆଣି ସେ ସୁଜି ଖଳିକୁ ଥାଳି ଉପରେ ବାହାର କରିଦେଲି। ଏହା ପରେ ଶାଶୁ ମାଆ କହିଲେ ଚାଲ ଏଥର ଦେଖିବୁ କେମିତି ନଡିଆ ପୁର ପ୍ରସ୍ତୁତ କରିବା। କୋରା ହୋଈଥିବା ନଡିଆକୁ ଶାଶୁ ମାଆ ଏକ କରେଇରେ ପକାଇ ତାକୁ ଏକ ଖଡିକା ସାହାର୍ଯ୍ୟରେ କିଛି ସମୟ ଭାଜିଲେ। ମତେ ମଧ୍ୟ ଏ କଥା କହୁଥିଲେ ଭାଜିଲା ବେଳେ ତାକୁ ହାଲକା କରି ଭାଜିବୁ।ବେଶି କଡା କରିବୁ ନାହିଁ।ଟିକେ ଭାଜି ହୋଇ ଆସିଲେ ସେଥିରେ ଚିନି,ଗୁଜୁରାତି,ଗୋଲମରିଚ ଗୁଣ୍ଡ ଏବଂ ଭଜା ହୋଇ ରଖାହୋଇଥିବା କାଜୁ ଏବଂ କିସମିସ୍ କୁ ସେଥିରେ ପକେଇଦେବୁ। ଟିକେ ଭାଜି ହୋଇଗଲା ପରେ ଗ୍ୟାସ ବନ୍ଦ କରିଦେବୁ।ବର୍ତ୍ତମାନ ଗଢିବା ସମୟ।
କୁମ୍ଭାର ଯେମିତି ହାଣ୍ଡିକୁ ଗଢେ ସତର୍କତା ସହ ଶାଶୁ ମାଆ ମତେ ବୁଝାଇଦେଲେ ତତେ ବି ସେଭଳି ସତର୍କତା ଅବଲମ୍ବନ କରିବାକୁ ପଡିବ। ଟିକେ ଯଦି ଏପଟ ସେପଟ ହୋଇଗଲା ତାହା ଫିଟିଯିବ। ଏଥିପାଇଁ ଶାଶୁ ମାଆ ମତେ କହିଲେ ଦେଖ ଝିଅ ତୁ ପ୍ରଥମେ ଏହି ଖଳିକୁ ପାଣି ହାତରେ କିମ୍ବା ଘିଅ ହାତ ହୋଇ ଭଲ ଭାବରେ ଚକଟି ଦେବୁ।
ଚକଟା ଯେତେ ଭଲ ହେବ ପିଠାଟି ମଧ୍ୟ ଫାଟିବନି। ମୁଁ ମଧ୍ୟ ବୋଉଙ୍କ ସହ ଲାଗିପଡିଲି ସୁଜି ଖଳି ଚକଟିବାପାଇଁ। ଭଲ ଭାବରେ ଚକଟା ହୋଇଗଲା ପରେ ଶାଶୁ ମାଆ କହିଲେ ଦେଖ ବାଁ ହାତ ପାପୁଲିରେ ଟିକେ ଘିଅ ଲଗାଇବୁ। ସେଥିରୁ ଚକଟା ନେଇ ଗୁଳା କରି ଡାହାଣ ହାତର ବୁଢା ଆଙ୍ଗୁଠିକୁ ମଝିରେ ରଖି ଅନ୍ୟ ଆଙ୍ଗୁଠି ସବୁ ବୁଲାଇ ତାକୁ ଏକ କୁଅଁ ପରି କରିବୁ। ସେ ଗର୍ଭ ଭିତରେ ନଡିଆ ପୁର ଦେବୁ।ତାକୁ ପୁଣିି ବନ୍ଦ କରି ଦେବୁ। ତାପରେ ପୁଣି ତାକୁ ଗୋଲ କରି ତାଡିବା ପାଇଁ ପଡେ। ଏଥି ନିମନ୍ତେ ଗୋଟିଏ ଥାଳି ରଖି ସେଥିରେ କିଛି ଘିଅ ଦେଇ ଏ ପିଠାକୁ ରଖି କିଛି ଅଟାଚୁନା ଲଗାଇ ତାଡିବାକୁ ପଡେ। କରେଇରେ ଘିଅ ଦେଇ ଗରମ ହେଲା ପରେ ଏ ଗଢା କାକରାକୁ ଗୋଟେ ଗୋଟେ କରି ଆସ୍ତେ କରେଇ ସାଇଡରେ ଖସାଇବୁ ଯେମିତି ହାତରେ ଘିଅ ନ ପଡେ ଧ୍ୟାନ ଦେବୁ। ମାଆ ଶୁଣ ଆଉ ଗୋଟିଏ କଥା ଧ୍ୟାନ ଦେବୁ। ଘିଅ ଭଲ ଭାବରେ ଗରମ ହେଲା ପରେ ହିଁ କାକରା ପକାଇବୁ।ନ ହେଲେ କାକରା ଫାଟିଯିଵ।
ମୋ ଶାଶୁଙ୍କର ଏତେ ସୁନ୍ଦର କାକରା ବନେଇବା ଦେଖି ପଚାରିଲି ବୋଉ ଆପଣ ଏ କାକରା ପ୍ରସ୍ତୁତ ପ୍ରଣାଳି କାହାଠୁ ଶିଖିଥିଲେ ! ଶାଶୁ ମାଆ କହିଲେ ତାଙ୍କ ଶାଶୁଙ୍କ ଠାରୁ।ମୁଁ ବୋଉଙ୍କୁ ପଚାରିଲି ତୁମ ଶାଶୁ କେମିତି? ବୋଉ ମତେ କହିଲେ ଭାରି ଭଲ।ମୁଁ ଶାଶୁମାଆଙ୍କୁ କହିଲି ତମଠାରୁ ଭଲ। ଶାଶୁ ମାଆ କହିଲେ ହଁ ମୋ ଠାରୁ ସେ ବହୁତ ଭଲ।ତାଙ୍କ କେଉଁ ଗୁଣକୁ ମୁଁ ସରି ନୁହଁ।
ମୁଁ ଶାଶୁମାଆଙ୍କୁ କୁଣ୍ଢେଇ ପକାଇ କହିଲି ମୋ ଶାଶୁମାଆଙ୍କ ପରି କିଏ ହୋଇପାରିବନି।ବଉ କହିଲେ ରୁହ ଏମିତି କଣ ଛୋଟପିଲା ପରି ହେଉଛୁ ଦେଖ କାକରା କରୁଛେ ପରା ଚୁଲି ମୁଣ୍ଡରେ ବସିଛେ। ଅନ୍ୟ ମନସ୍କ ହୋଇଗଲେ ସବୁ ଏପଟ ସେପଟ ହୋଇଯିବ। ମତେ କହିଲେ ମୋ ବୋହୁ ଵି କୌଣସି ଗୁଣରେ କମ୍ ନୁହଁ। ସାକ୍ଷାତ ଲକ୍ଷ୍ମୀ ପ୍ରତିମାଟିଏ।
ମୁଁ ବି ବୋଉ ସହ ମିଶି କିଛି କାକରି ଛାଣିନେଲି। ଯାହାହେଉ ବୋଉଙ୍କ ଠାରୁ ଏତେ ସୁନ୍ଦର ଖିର କାକରା ଶିଖିନେଲି। ଲୋଭ ବି ଲାଗୁଥାଏ ତାକୁ ଦେଖି। ଆଉ ସମ୍ଭାଳି ପାରିଲିନି ଧାଇଁ ଗୋଟେ ଆଣି ପାଟିରେ ପକାଇଦେଲି।କି ସ୍ବାଦିଷ୍ଟ ଆହାଃ । ବୋଉ ମତେ କହିଲେ ଯାଆ ଏ କାକର କିଛି ନେଇ ରିମା ଘରେ ଦେଇ ଆସିବୁ।ମୁଁ କହିଲି ଆଗେ ନନା ମାନେ ମୋ ଶ୍ବଶୁର ଏବଂ ମୋ ସ୍ବାମୀଙ୍କ ପାଇଁ ରଖି ବଳକା କିଛି ରିମା ଘରେ ଦେଇଆସିବି। ରିମା ଚାଖି କହିଲା ଆରେ ଓ୍ବା କି ସ୍ବାଦିଷ୍ଟ ହୋଇଛି। ତୁ ଏହାକୁ ନିଜେ ବନାଇଛୁ ସେ ଦିନ ଶୁଭମ ଭାଇ ଆସିଲେ ଏହି ଖିର କାକରା ବନାଇବୁ।
ସତକୁ ସତ ସେଦିନ ଶୀଘ୍ର ଆସିଗଲା ଆମ ରୋଷେଇର ଶୁଭମ ଭାଇ ଘରକୁ ଆସି ବେଲ ମାରିଲେ।ତା ପରେ ଆମ ମାନଙ୍କର ପରିଚୟ କରାଇ ଆରମ୍ଭ ହୋଇଗଲା ଜଣ ଜଣଙ୍କର ରେସିପି। ମୋର ରେସିପି ପ୍ରଥମେ ଥିଲା ମୁଁ ଆରମ୍ଭ କରିଦେଲି ଖିର କାକରାର ପ୍ରସ୍ତୁତ ପ୍ରଣାଳି।ବୋଉ ଯେମିତି ମତେ ଶିଖାଇଥିଲେ ସେଭଳି ଭାବରେ ଆରାମ ସେ କରିନେଲି।ଶୁଭମ ଭାଇ ମଝିରେ ମଝିରେ ମୋ ସହ କଥା ହେଉଥାନ୍ତି ନିଜ ପରିବାର ଵିଷୟରେ ଏବଂ ଘର ଵିଷୟରେ।
କଥା ମଝିରେ ମଝିରେ ବଢିଆ ବାସନା ହେଉଛି ବୋଲି କହୁଥାନ୍ତି।କିଛି ସମୟ ଭିତରେ ମୋର ପ୍ରସ୍ତୁତ ହୋଇଗଲା ଖିର କାକରା। ଥାଳିରେ ରଖି ଶୁଭମ ଭାଇକୁ ପରୋଷଲି। ଶୁଭମ ଭାଇ ଖାଇ କହିଲେ ମୁଁ କେତେ କାକରା ଖାଇଛି କିନ୍ତୁ ଏଭଳି କାକରା କେଵେ ଖାଇ ନାହିଁ ।ଖାଇବାକୁ ଯେମିତି ସ୍ବାଦିଷ୍ଟ ଏବଂ ନରମ ବି। ମୋ ଶାଶୁ ମାଆ ଏହା ଦେଖି କହିଲେ ମୋ ବୋହୁ ଵନେଇଛି ତି। ହଁ ମୋ ବୋହୁର ହାତ ରନ୍ଧା ରୋଷେଇ ଆଗରେ ସମସ୍ତଙ୍କ ରୋଷେଇ ତଳେ ପଡିଯିବ। ଧାଇଁ ଯାଇ ବୋଉଙ୍କ ପାଟିରେ କାକରା ଖଣ୍ଡିଏ ପୁରାଇ ତାଙ୍କୁ କୁଣ୍ଢେଇ ପକାଇଲି ଵୋଉଙ୍କ ଆଖିରେ ଲୁହ ଛଳଛଳ ହୋଇ ଯାଇଥିଲା।
