ଶାଗବାଲି ବୁଢ଼ୀ
ଶାଗବାଲି ବୁଢ଼ୀ


ଚାରିଆଡେ ଭୟ କେବଳ ଭୟ ! ହଁ କରୋନା ଭୂତାଣୁ ଭୟ । ତଥାପି ସବୁଦିନ ପରି ସେ ତା'ର ଶାଗ ପସରା ଧରି ଘର ଘର ବୁଲୁଥାଏ । ରାଜ୍ୟରେ କରୋନା ରୋଗୀ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ତା'ର ତିଳେ ମାତ୍ର ଭୟ ନାହିଁ । ସବୁ ଜାଣି ବି ସେ ଅଜଣା । ଘର ଘର ବୁଲି ପହଞ୍ଚି ଗଲା ଏକ ଘର ନିକଟରେ, ସେଇ ଘରଟି ତା'ର ଅତିପ୍ରିୟ ଥିଲା । କାରଣ, ସେଇ ଘରର ବୋହୂ ସୁପ୍ରିୟାକୁ ସେ ତା'ର ଝିଅ ରୂପରେ ଦେଖି ଆସୁଥାଏ କେତେ ବର୍ଷରୁ !
ଘରର ଦ୍ୱାର ନିକଟରେ ପହଞ୍ଚି ଡାକ ଛାଡ଼ିଲା, ଝିଅ ଆଲୋ ଏ ଝିଅ ଶାଗ ବିଡା ଦି'ଟା ରଖ ବା ! ଆଉ ତୋର ଦର୍ଶନ ଟିକିଏ ଦେ, ତେଣେ ମୁଁ ଯିବି ପରା । ସକାଳ ସାତଟାରୁ ଶାଗବାଲି ବୁଢ଼ୀର ଡାକ ଶୁଣି ପିଲାଙ୍କ ପାଇଁ ବ୍ରେକ୍ ପାଷ୍ଟ୍ ବନାଉଥିବା ସୁପ୍ରିୟା ତରତରରେ ଘରୁ ବାହାରି ଆସିଲେ । ଏ ସମୟରେ ସମସ୍ତେ ଗୃହବନ୍ଦୀ, ଶାଗବାଲି ମାଉସୀଟା ବୁଝି ବି ଅବୁଝା ହେଉଛି । ଯିଏ ଯେତେ ବୁଝାଇଲେ ମଧ୍ୟ ଏଇ ଗୋଟିଏ କଥା କହି ଏଡାଇ ଦେବ ଯେ - " ଏ'ଟା ସାଧାରଣ ରୋଗ ହେଇଥିବ ମ', ଆଉ ମୁଁ ମରିଲେ ମରେ । କାହାର କ'ଣ ବା ଯାଉଛି ?"
ତା'ର ଏଇ କଥା ପଦୁଏ ଶୁଣି ଗାଁ ଲୋକ ମାନେ ଯେ ରାଗି ଯାଉଛନ୍ତି, ସେ କାହୁଁ ଜାଣିବ ! ଯାଏ ତାକୁ ଟିକେ ଭଲରେ ବୁଝେଇ ଦିଏ । ସୁପ୍ରିୟା ବୁଢ଼ୀ ପାଖରେ ପହଞ୍ଚି ତାକୁ ବୁଝେଇ କହିଲେ - " ଏ ମାଉସୀ ! ତୋ ମୁଁହରେ ମାସ୍କ କାହିଁ ? ତୁ କ'ଣ ଜାଣିନୁ ସରକାର ପରା ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସମସ୍ତେ ନିଜ ନିଜ ଘରେ ରହିବେ । ତୁ ସବୁ ଜାଣି କାହିଁ ଅଜଣା ଭଳି ହଉଛୁ କହିଲୁ ? ହଉ ହଉ ଦେ ଶାଗ ବିଡାଟା, ଆଉ ଶୁଣ କାଲିଠାରୁ ଆଉ କେଉଁଆଡେ ବି ଯିବୁ ନାହିଁ ବୁଝିଲୁ । ଯେତେ ଶୀଘ୍ର ହେବ ଚାଲି ଯା ଘରକୁ, ନହେଲେ ଶଶୁର ଦେଖିଲେ ଗରଗର ହେବେ । ଘରକୁ ବାହାର ଲୋକଙ୍କ ପ୍ରବେଶ ମନା । ଆଉ ତୋର ପଇସା ଦରକାର ହେଲେ ନିଶ୍ଚୟ ଜଣାଇବୁ ହେଲା ।
ଆଲୋ, କି ଲକ୍ ଡାଉନ୍ ଆସିଲା ବା ? ମୋ ଅଲିଅଳି ଝିଅଟା'କୁ କ'ଣ ଦେଖି ପାରିବିନି କିଲୋ ! ତୋ'ର ଶାଗ ବଡ଼ ପସନ୍ଦ ବୋଲି କେଡେ ସରାଗରେ ତୋ' ପାଇଁ ଶାଗ ନେଇକି ଆସିଛି, ଆଉ ତୁ ମୋତେ ଚାଲିଯିବାକୁ କହୁଛୁ । ହେଉ ଲୋ ଝିଅ, ଆଉ କେବେ ତୋ ଘରକୁ ଆସିବି ନାହିଁ ହୁଁ ! କହି ବୁଢ଼ୀ ସକେଇ ହୋଇ କାନ୍ଦିଲା ।
ଓଃ ମୋ ମାଉସୀଟା ପରା ! ତୁ କି ଜାଣିବୁ ଏ କରୋନାର କରୁଣ କାହାଣୀ ? ଏ କୌଣସି ସାଧାରଣ ରୋଗ ନୁହଁ, ସାରା ଦୁନିଆରେ ଲୋକ ଆକ୍ରାନ୍ତ ହେଲେଣି । କେତେ ଲୋକ ମୃତ୍ୟୁ ମୁଖରେ ବି ପଡିଲେଣି । ଏ ରୋଗ ପାଇଁ କୌଣସି ଔଷଧ ନାହିଁ ଲୋ ମାଉସୀ, କେବଳ ସଚେତନତା ହିଁ ଏକମାତ୍ର ଉପାୟ । ରୋଗ ପାଇଁ ସମସ୍ତେ ଭୟରେ ଘରେ ରହୁଛନ୍ତି । ପ୍ରବାସୀ ମାନେ ମଧ୍ୟ ଓଡ଼ିଶା ଫେରି ଆସୁଛନ୍ତି ।
ହଁ ହଁ ଜାଣେ ଲୋ ସବୁ । ତୋ ମୁଁହ ନ ଚାହିଁଲେ କେମିତି ରହିବି କହିଲୁ ? ମଲା ଝିଅର କଥା ତ ତୋ ମୁଁହ ଟିକେ ଦେଖିଲେ ଭୁଲି ଯାଏ । ବୁଢ଼ୀ ବେଳେ ଟିକେ ଦେଖା ଶୁଣା କରିବ ବୋଲି ଯାହାକୁ ଏତେ ଗେଲ ବସରରେ ବଢ଼େଇଲି, ସେ ତ ମୋତେ ପାଦରେ ଆଡେଇ ଦେଇ ଚାଲିଗଲା । ସ୍ତ୍ରୀ ପିଲାକୁ ନେଇ ବାହାର ରାଇଜେ ରହିଲା । ସେବେଠାରୁ ତୁ ହିଁ ମୋର ଗୋଟିଏ ବୋଲି ରତନ ଲୋ ! ପୁଅ କାଳେ ଗାଁକୁ ଆସିବ ବୋଲି ତା'ର ବନ୍ଧୁ ଜଣେ କହି ଯାଇଥିଲା । ଭାବିଥିଲି ଦୀର୍ଘ ୭ ବର୍ଷ ପରେ ପୁଅକୁ ଦେଖିବି, ଅପେକ୍ଷା କରି କରି ଆଖିରୁ ପାଣି ଶୁଖି ଗଲାଣି । କିନ୍ତୁ କରୋନା ସବୁ ବିଗଡି ଦେଲା ବୋଲି ଭାବୁଥିଲି, ହେଲେ ତୁ କହୁଛୁ ପ୍ରବାସୀ ମାନେ ବି ଓଡ଼ିଶା ଆସୁଛନ୍ତି । ମୋ ପୁଅ ବି ଫେରି ଆସନ୍ତା ନି !
ସୁପ୍ରିୟା କିଛି କହୁ କହୁ ଅଟକି ଗଲେ । କାରଣ ସେତେବେଳେ ତାଙ୍କ ଶଶୁର ସାମ୍ନାରେ ଆସି ଠିଆ
ହୋଇଗଲେ । ଶାଗବାଲି ବୁଢ଼ୀକୁ ଦେଖି ରାଗରେ କେତେ କ'ଣ କହି ଚାଲିଲେ - " ଘର ଘର ବୁଲି ରୋଗ ଆଣିବ, ନିଜେ ମରିବ ତ ଆମକୁ ମାରିବ । ରୋଗ ବାଣ୍ଟିଲେ ଆସି, ଖବର ଦାର କାଲିଠାରୁ ଏଠାକୁ ଯେମିତି ନ ଆସୁ !
ସୁପ୍ରିୟା ଶଶୁରଙ୍କ କଥା ଶୁଣି ବୁଢ଼ୀ ଟିକେ ସୁପ୍ରିୟା ମୁହଁକୁ ଚାହିଁ ଦେଇ କାନ୍ଦି କାନ୍ଦି ଚାଲିଗଲା । ପଛରୁ ସୁପ୍ରିୟା ଡାକୁଥାନ୍ତି ମାଉସୀ ଏ ମାଉସୀ ! ତା' ପରଦିନ ବୁଢ଼ୀ ଆଉ ଆସି ନଥିଲା । ସୁପ୍ରିୟା ମନେମନେ ଭାବୁଥାନ୍ତି " ଯା ହେଉ, ଡେରିରେ ହେଉ ପଛେ ଶଶୁରଙ୍କ କଡ଼ା କଥାରେ ଟିକେ ମାଉସୀ ବୁଝିଲା । ପୁଅଟା ତା'ର ଟିକେ ହେଲେ ପଚାରେନି, ଥରେ ଏମିତି ଶାଶୁ - ବୋହୂ କଜିଆ ଲାଗିଲା ଯେ ସ୍ତ୍ରୀ କଥାରେ ପଡି ମାଆକୁ ଛାଡି ବିହାର ଚାଲିଗଲା । କେଜାଣି ଏ ଭୟଙ୍କର ସମୟରେ କେମିତି ଥିବ ସେ ! ଏତିକି ବେଳେ କେହି ଜଣେ ଫୋନ କରିବାରୁ ସୁପ୍ରିୟା ତାଙ୍କ ଭାବନା ରାଇଜରୁ ଫେରି ଆସି ଫୋନ ରିସିଭ୍ କଲେ । ସେପଟୁ ଶାଗବାଲି ବୁଢ଼ୀର ପୁଅ କହୁଥିଲା - " ସୁପ୍ରିୟା ଦିଦି ବୋଉକୁ ଜଣାଇ ଦେବେ । ସେଠାରେ ଅବସ୍ଥା ବହୁତ୍ ସାଙ୍ଘାତିକ ହୋଇ ପଡ଼ିଥିଲା, ପିଲାର ପେଟକୁ ଦାନା ଦେବା ବି ଅସମ୍ଭବ ହୋଇ ପଡ଼ିଥିଲା । ଚାଲି ଚାଲି ଆସି ଯା ହେଉ ଓଡିଶା ନିକଟରେ ପହଞ୍ଚି ଗଲୁଣି । ହେଉ ହେଉ ମୁଁ ରଖିଲି ଦିଦି, ଗାଁକୁ ଗଲେ ଦେଖା ହେବ ।"
ବୁଢ଼ୀର ପୁଅଠାରୁ ଏତିକ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ସୁପ୍ରିୟା, ଯେଉଁ ପୁଅ ଦିନ କାଳେ ଫୋନ୍ ଟିଏ ବି କରୁ ନଥିଲା । ଯଦିଓ ତା' ମାଆ ମୋ ଫୋନରୁ ବହୁତ ଥର ଫୋନ କରିଛି ତା ପୁଅ ନିକଟକୁ କଥା ଟିକେ ହେବା ପାଇଁ ! ଯେଉଁ ପୁଅର ମାଆ ଦେହ ପା' କଥା ବୁଝିବାକୁ ସମୟ ନଥିଲା । ସେ ପୁଅ ଆଜି ପରିସ୍ଥିତିରେ ପଡି ମାଆକୁ ମନେ ପକାଉଛି । ପୁଣି ତା'ର ନିଜ ଘର କଥା ମନେ ପଡୁଛି । ଏମାନେ ଯଦି ଗାଁକୁ ଆସିବେ ତାହାଲେ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ବାଧ୍ୟ, କିଏ ଜାଣେ ତାଙ୍କ ଦେହରେ ରୋଗ ଥିବ କି ନାହିଁ ।"
ସକାଳୁ ସକାଳୁ ଗାଁ ସାରା ହୁରି ପଡ଼ିଛି । " ଶାଗବାଲି ବୁଢ଼ୀର ପୁଅ ଆସିଛି, ତା ସହ ବି ରୋଗ ନେଇକି ଆସିଥିବ । ସିଧା କ୍ବାରେଣ୍ଟାଇନ ସେଣ୍ଟର ନଯାଇ ତା'ର ମାଆ ପାଖକୁ ଯାଇ ମିଳାମିଶା । କାଇଁ ବାହାରେ ଥିବା ବେଳେ ମାଆ ତୋ'ର ମନେ ପଡୁ ନଥିଲା ତ ! ଆରେ ସେ ପୁରା ପରିବାରକୁ କ୍ବାରେଣ୍ଟାଇନରେ ରଖ ହେ, କିଏ ଜାଣେ ଏ ଅବୁଝା ବୁଢ଼ୀ ଦେହରେ ରୋଗ ବି ଥିବ । ଶାଗ ବିକିବାକୁ ଆସି ଘରେ ଘରେ ରୋଗ ବି ବାଣ୍ଟିବ ।"
ଲୋକଙ୍କ କଥା ସେଇଆ ହେଲା, ସପରିବାର କ୍ବାରେଣ୍ଟାଇନରେ ରହିଲେ । ଦୁଇ ଦିନ ଯାଇନି ବୁଢ଼ୀକୁ ଛାଡି ତା' ପୁଅ ବୋହୂ ଓ ନାତିକୁ କରୋନା । କାଳ ବିଳମ୍ବ ନକରି ଗାଁ ଲୋକ କୋଭିଡ୍ ହସ୍ପିଟାଲ୍ ପଠାଇଦେଲେ । କିନ୍ତୁ, ବୁଢ଼ୀ ତାର ସୁରକ୍ଷିତ ଥିଲା ।
କିଛିଦିନ ପରେ ପୁଅବୋହୁ ଓ ନାତି ଭଲ ହୋଇ ଫେରିଲେ । ବୁଢ଼ୀ ଘରେ ଖେଳି ଗଲା ଖୁସିର ଲହରୀ । ସୁପ୍ରିୟା ମଧ୍ୟ ଖୁସି ଥିଲେ, ଯା ହେଉ ବୁଢ଼ୀ ଟିକେ ଖୁସିରେ ରହିବ । କରୋନା ଆସିଲା ତ ପୁରା ପରିବାରକୁ ଏକାଠି କରିଦେଲା । ଦୁଇ ଚାରି ଦିନ ଯାଇନି ଗାଁ ଲୋକ ଶୁଣିଲେ ବୁଢ଼ୀ କୁଆଡେ ମରିଗଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ " କିଛି ତ ହେଇନଥିଲା, ସବୁ ଠିକ୍ ଠାକ୍ ଥିଲା । ହେଲେ ମଲା କେମିତି ?"
ବୁଢ଼ୀ ଘର ଆଗରେ ଲୋକଙ୍କ ଭିଡ଼ । ପୋଲିସ ଆସି ବାନ୍ଧି ନଉଛି ପୁଅ ବୋହୂଙ୍କୁ । ବୁଢ଼ୀକୁ ତା'ର ପୁଅ ବୋହୂ ହିଁ ହତ୍ୟା କରିଛନ୍ତି । ସୁପ୍ରିୟା ଚିନ୍ତାରେ ପଡ଼ିଗଲେ " ପୁଅ ବୋହୂ ସହ ସେ ଏତେ ଖୁସିରେ ଥିଲା । ପୁଅ ବୋହୂ ମାରିଲେ କାହିଁକି ? ପ୍ରକୃତ କାରଣ ଜାଣିବା ପରେ ସୁପ୍ରିୟାଙ୍କ ପାଦ ତଳୁ ମାଟି ଖସିଯିବା ପରି ଲାଗିଲା ।
ବୋହୂ କେବେ ତା'ର ଶାଶୁକୁ ନେଇ ସନ୍ତୁଷ୍ଟ ନଥିଲା । ବିଭିନ୍ନ ପ୍ରକାର କାମ କରାଉଥିଲା । କିଛି ମହିଳା ବିରୋଧ କରୁଥିବାରୁ, ସେ ଚାହୁଁ ଥିଲା ଅଲଗା ରହିବାକୁ । ବୁଢ଼ୀ ତା ପାଖରେ ରହିଲେ ଖର୍ଚ୍ଚ ବଢୁଥିଲା । ଲକ୍ ଡାଉନ୍ରେ ବେରୋଜଗାର ହୋଇ ପଡିଥିବା ପୁଅ ମଧ୍ୟ ପଇସା ଓ ଖାଦ୍ୟ ଚିନ୍ତାରେ ଥିଲା । ସେତିକି ବେଳେ ହିଁ ମୁଣ୍ଡକୁ ବୃଦ୍ଧି ଜୁଟିଲା, ମାଆ ତା'ର ଶାଗ ବିକି ଯେଉଁ ପଇସା ରଖିଛି ସେତିକିରେ ଚଳିବାକୁ ଭାବିଲା । କିନ୍ତୁ ଘରେ ଚାରି ପ୍ରାଣୀଙ୍କୁ ଖାଦ୍ୟ କାଳେ ନିଅଣ୍ଟ ପଡ଼ିବ ବୋଲି, ପୁଅ ବୋହୂ ମିଶି ରାତ୍ରଭୋଜନରେ ବିଷ ଦେଇ ବୁଢ଼ୀର ହତ୍ୟା କଲେ ।
ସୁପ୍ରିୟାଙ୍କ ଆଖି ଛଳ ଛଳ ହୋଇ ଆସିଲା । ସେଇ ହସ ହସ ଓ ସୁନ୍ଦର ଡାକଟି ଏହି ଲକ୍ ଡାଉନ୍ ଭିତରେ ଅଫେରା ରାଇଜକୁ ଚାଲିଗଲା । ସେତିକିବେଳେ ତା କାନ ପାଖେ କେହି ଜଣେ କହି ଦେଇ ଗଲା " ଏ ଝିଅ ତୁ କାନ୍ଦୁଛୁ କାହିଁକି ? ଯା ଯା ମୋ ବାରି ପଟଟା ଆଗ ଦେଖି ଆସେ ।" ସୁପ୍ରିୟା ବୁଢ଼ୀ ଘରର ବାରିପଟକୁ ଯାଇ ଯାହା ଦେଖିଲେ ନିଜ କୋହ ସମ୍ଭାଳି ପାରିଲେନି । ବାରି ପଟରେ କେବଳ ଥିଲା ଶାଗବାଲି ବୁଢ଼ୀ ପ୍ରତିଦିନ ଆଣି ଦେଉଥିବା ତା ପସନ୍ଦ ଶାଗର ବଡ଼ ଏକ ସୁନ୍ଦର ଶାଗ କିଆରୀ ଟେ...!