ସେପାରିରେ ରାଧୁଆ
ସେପାରିରେ ରାଧୁଆ
ଉଦୁଉଦିଆ ଖରାବେଳଟାରେ ମୁଣ୍ଡରେ ଗାମୁଛାଖଣ୍ଡେ ପକାଇ ତରତର ହୋଇ ଚାଲିଛି ରାଧୁଆ ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିରକୁ |ସେଇ ଜାଗାଟା ତାର ଆଶ୍ରୟ ସ୍ଥଳ, ମନ୍ଦିର ଚାରିପାଖରେ ଥିବା ଗଛଗୁଡିକର ଡାଳ ଏତେ ଗହଳି ଯେ, ଖରା ପଶିପାରେନି ତା ଭିତରକୁ, ଭାରି ଥଣ୍ଡା ଜାଗାଟା, ସେଇଠି ସବୁଦିନ ରହେ ରାଧୁଆ |ଗାଆଁର ମହାପାତ୍ରଙ୍କ ଘରେ ପାଇଟିଏ କାମ କରିଦେଲା, ବେଶୀ କିଛି ନୁହେଁ, ଦୁଇ ଗରି କାଠ ଚିରିଦେଲା, ଜାଳେଣି ପାଇଁ |ବାସ, ପେଟପୁରେଇ ଖାଇବାକୁ ଦେଲେ, ଏତିକିରେ ଖୁସି ରାଧୁଆ |କାହାର କାମକରି କେବେ କାହାଠାରୁ ମଜୁରୀ ଆଣିନି ସିଏ, ଯାହା ପେଟପୁରା ଖାଇବ, କିଏ ଯଦି ମଜୁରୀ ଯାଚେ, ହସରେ ଉଡାଇ ଦିଏ, କହେ, ଏଗୁଡା କଣ ଖାଇବି ? କଣ ହେବ ମୋର ଟଙ୍କା, କିଏ ଆଗକୁ ଅଛି ନା ପଛକୁ |ଦୁନିଆରେ ଏକୁଟିଆ ସିଏ |ମନ୍ଦିରରେ ପହଞ୍ଚି ମୁଣ୍ଡରୁ ଗାମୁଛାଟା କାଢି ମନ୍ଦିର ବାରଣ୍ଡାକୁ ସେଇ ଗାମୁଛାରେ ଝାଡିଦେଲା, ସେଇ ଚଟାଣ ହିଁ ତାର ବିଛଣା |
ପଚିଶି କି ଛବିଶି ବର୍ଷର ଯୁବକ ରାଧୁଆ |ଦୁନିଆରେ ସିଏ ଏକା |ତାକୁ ଚଉଦ କି ପନ୍ଦର ବର୍ଷ ହେଲାବେଳକୁ ତା ମାଆଟା ରୋଗରେ ପଡି ମରିଗଲା ପରେ ତା ବାପା ଆଉଥରେ ଦ୍ଵିତୀୟ ବିବାହ କଲେ |ଯେଉଁ ନୂଆମାଆ ଆସିଲା, ରାଧୁଆକୁ ମୋଟେ ଭଲ ପାଇଲାନି ସିଏ |ଖାଇବାକୁ ଗଣ୍ଡେ ଭଲରେ ଦେଲାନି କେବେ, ଦିନରାତି ଗାରୁଗାରୁ ହେଲା |ବାପା ବି ଡରି କିଛି କହନ୍ତିନି ତାକୁ |ରାଧୁଆକୁ ଆଉ ସେଠାରେ ରହିବାକୁ ଭଲ ଲାଗିଲାନି, ଘର ଛାଡି ସେଇଦିନଠାରୁ ଏଇ ମନ୍ଦିରରେ ହିଁ ରହି ଆସୁଛି |ବାପା ବି ସେତେବେଳେ ତାକୁ ଘରକୁ ଫେରାଇନେବାକୁ ଡାକି ଆସିଲେନି |ସେତେବେଳେ ବହୁତ ଦୁଃଖ ଲାଗୁଥିଲା ତାକୁ |ଧୀରେ ଧୀରେ ଦେହସୁହା ହେଇଗଲା |ଆଉ କିଛି ଲାଗୁନି ଆଜିକାଲି |
ରାଧୁଆ ସବୁଦିନ ସକାଳୁ ସକାଳୁ ଗାଁ ଭିତରକୁ ଯାଏ, ଗାଁରେ ସମସ୍ତେ ତାକୁ ଆଦର କରନ୍ତି, ଆଗ ଦିନରୁ ହିଁ ତାର କାମ ବରାଦ ହେଇଯାଏ, ଛୋଟ ମୋଟ କାମ, କାହାର ଧାନପେଷା ତ, କାହାର ବାଡିରୁ ଘାସ ସଫା, କାଠହଣା, ବିଲବଛା ସବୁକାମ କରେ ସିଏ |ଯାହାର କାମକରେ, ତାଙ୍କରି ଘରେ ପେଟେ ଖାଇ ମନ୍ଦିରକୁ ଫେରେ |ରାତିବେଳା ପାଇଁ କିଏ କେମିତି ଚୁଡା ମୁଢି ଗଣ୍ଡେ ଦିଅନ୍ତି |କିଛିନଥିଲେ ଉପାସ |କେବେଠାରୁ ତା ବାପା ମରିଗଲେଣି, ଶୁଣିଲାପରେ ଯାଇଥିଲା ତାଙ୍କ ଘରକୁ ସେଦିନ |ବାପାଙ୍କ ଶୁଦ୍ଧିକ୍ରିୟା ପରେ ପୁଣି ଫେରିଆସିଥିଲା ମନ୍ଦିରକୁ |ସାବତ ମାଆଟା ବି କହିଲାନି ରହ ବୋଲି |
ଶାନ୍ତ ସରଳ ଯୁବକଟିଏ ରାଧୁଆ |ଗାଆଁରେ ଛୁଆଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ତାକୁ ଆଦର କରନ୍ତି |ବହୁତ ଉପକାରୀ ପିଲା |ବିପଦ ଅପଦରେ ସମସ୍ତଙ୍କ ଘରେ ଯାଇ ହାଜର ହେଇଯାଏ |ଘରପୋଡ଼ିଠାରୁ ଆରମ୍ଭକରି ବାତ୍ୟାବନ୍ୟା ପରି ବିପଦ ସମୟରେ ଲୋକଙ୍କ ପାଖେ ଛିଡାହୁଏ ଆଗରେ |ମଲାମୁର୍ତିକିଆରେ ତ ଆଗ |କୋକେଇରେ କାନ୍ଧେଇ ପୋଡା ସରିବା ପର୍ଯ୍ୟନ୍ତ |ଗାଆଁରେ କାହାର ବାହାବ୍ରତଘର ହେଲେ, ରାଧୁଆର ଗୋଡ଼ ତଳେ ଲାଗେନି ଯେମିତି |ଡାକିବାଯାଏ କଥା ଯାଏନି, ନିଜେ ନିଜେ ପହଞ୍ଚିଯାଏ ସେଠି, ବୋଲହlକ କରିଦିଏ |ଭୋଜିପାଇଁ ପାଣି ଯୋଗାଇବା, ହାଣ୍ଡିମଜା, ଅଇଁଠା ପତ୍ର ଗୋଟାଇବା ସବୁ କାମ ତାର |କେବେ ମନରେ ଦୁଃଖ ନଥାଏ |ଗାଁର ପୂଜାପାର୍ବଣ ଗୁଡିକରେ ସବୁଥିରେ ଥିବ ରାଧୁଆ |ତାକୁ ନପାଇଲେ ଗାଆଁର ମୁରଵୀମlନେ ପଚାରନ୍ତି, ଆମ ରାଧୁଆଟା କଣ ଦିଶୁନି ଆଜି ? ସାଙ୍ଗେ ସାଙ୍ଗେ ହସିହସି ପହଞ୍ଚିଯାଏ ସେଠି |
କେତେଥର ଗାଆଁର ମୁରବୀଶ୍ରେଣୀୟ ଲୋକେ ରାଧୁଆକୁ ବାହାସାହା ହେଇ ଘରକୁ ବୋହୂଟିଏ ଆଣିବାକୁ କହନ୍ତି |ରାଧୁଆ ହସେ, କହେ, ମୋର ଘର କାହିଁଯେ, କଣ ମନ୍ଦିରରେ ଆଣି ରଖିବି ତାକୁ ?ଗାଆଁର ସ୍ତ୍ରୀ ଲୋକମାନେ ବି ଥଟ୍ଟାମଜ୍ଜା କରନ୍ତି ବାହାଘର କଥାକହି, ରାଧୁଆ ଲାଜେଇ ଯାଏ |ହସି ହସି ପଳାଇଯାଏ ସେଠାରୁ କଣ ଗୋଟେ ବାହାନାକରି |
ରାଧୁଆର ଯେ ବାହାହେବା ପାଇଁ ଇଚ୍ଛାନାହିଁ, ସେକଥା ନୁହେଁ |ଭାବେ ସିଏ, ଘର ନାହିଁ କି ଦ୍ୱାର ନାହିଁ, ତାକୁ ଝିଅଟିଏ ଦେବ କିଏ ? କାହା ବାପାର ଗରଜ ପଡିଛି ଯେ, ତା ଝିଅକୁ ଆଣି ଦାଣ୍ଡରେ ଠିଆ କରେଇବ |ମନ କଥା ମନରେ ମାରେ ରାଧୁଆ |ତା ଭାଗ୍ୟରେ ବିଧାତା କନିଆଟିଏ ଲେଖିନାହାଁନ୍ତି ଯେମିତି |
ଦିନ ଦି ଘଡି ଖଣ୍ଡେ ହେବକି କଣ, କଞ୍ଚା ଚୁଡାଗଣ୍ଡେ ଚୋବେଇ ସାରି ଗାଁ ଭିତରକୁ ବାହାରୁଥିଲା ରାଧୁଆ |ମନ୍ଦିରର ପୂଜାରୀ ଡାକିଲେ ତାକୁ, କହିଲେ, ଆରେ ରାଧୁଆ, ଗାଆଁରେ କଥାବାର୍ତ୍ତା ହେଉଥିଲେ, ଆମ ଗାଆଁ ତଳ ସାହିରେ ରାମ ପ୍ରଧାନ ଝିଅ ସୋଲି, ଏଇ ଚାରିମାସ ତଳେ ବାହା ହେଇଥିଲା, ହିନୀକପାଳିଟା ବିଚାରୀ, ତା ସ୍ୱାମୀଟା କୁଆଡେ ସାପ କାମୁଡ଼ାରେ ମରିଗଲା |ଶାଶୁଘର ଲୋକେ ତାକୁ ଆଉ ରଖିଲେନି |ସେ ଏବେ ତାଙ୍କ ଘରେ ଏକୁଟିଆଟା ରହୁଛି |ତା ବାପାମାଆ ତ ଆଗରୁ ମରିଥିଲେ, ତା ମାମୁଁଘର ବାହା କରେଇ ଦେଇଥିଲେ ତାକୁ |ଶାଶୁଘର ତଡିଦେଲାପରେ ଏବେ ଆଉ ତା ମାମୁଁ ପଚାରୁ ନାହାଁନ୍ତି ତାକୁ |ତୋ ସହିତ ତାର ବାହାଘର କରିଦେଲେ, ଦୁହେଁ ଏକାଠି ସେଇ ଘରେ ରୁହନ୍ତ, ଜମିବାଡ଼ି ଦିଖଣ୍ଡ ବି ଅଛି, ବାରଘର ଶୁଣ୍ଢୀପିଣ୍ଡା ହେଉଛୁ, ଚାଷବାସ କରି ଖୁସିରେ ରୁହନ୍ତ ଦୁହେଁ |ପୂଜକଙ୍କ ମୁହଁକୁ ଚାହିଁ ରାଧୁଆ ଶୁଣୁଥିଲା ସବୁ, କିଛି କହିଲାନି, ହସିଲା ଯାହା |ମନେ ମନେ ଭାବୁଥିଲା, ମାଆ ଠାକୁରାଣୀଙ୍କ ଇଛା ଯାହା |
ସେଇ ଦିନଠୁଁ ତଳସାହି ଆଡେ ଯାଏନି ରାଧୁଆ |ସୋଲି କାନରେ ବି ଏକଥା ପଡିଛି, ପୂଜକନନା ସେଦିନ କହୁଥିଲେ, ସେ ବି କୁଆଡେ ରାଜି ଏଥିରେ |ମନେ ମନେ ସେଦିନ ଭାରି ଖୁସି ହେଇଥିଲା ରାଧୁଆ, ଭଲ ଝିଅଟିଏ ସୋଲି |ପୂଜାରୀ କହୁଥିଲେ, ଆଉ ପନ୍ଦର ଦିନ ପରେ ଗାଁ ଠାକୁରାଣୀଙ୍କ ପୂଜାଦିନ ସେଇ ମନ୍ଦିରରେ କୁଆଡେ ବାହାଘର ହେବ, ସେଥିପାଇଁ ଗାଆଁରେ ଘରପିଛା ଚାନ୍ଦା ଆଦାୟ ହେଲାଣି, ବାହାଘର ଭୋଜୀ ଆଉ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ |ଖୁସିରେ ରାଧୁଆର ମନଟା ଫାଟିପଡୁଥିଲା ଯେମିତି |
ସଞ୍ଜ ହେଇଆସୁଥିଲା, ମଳିନ ସୂର୍ଯ୍ୟର ଅlଭାରେ ଝାପ୍ସା ଆଲୁଅ ବିଛାଡି ହେଇ ପଡିଛି ଚାରିଆଡେ |ମନ୍ଦିରକୁ ଫେରିବାକୁ ବାହାରୁଥିଲା ରାଧୁଆ |ଶ୍ୟାମସାରଙ୍କ ସ୍ତ୍ରୀ ମୁଢି ମାଣେଖଣ୍ଡେ ଦେଇଥିଲେ ଯେ, ତାକୁ ଗାମୁଛାରେ ବାନ୍ଧି କାନ୍ଧରେ ଝୁଲାଇଛି |ହଠାତ ଘର ପୋଡ଼ିଗଲା, ଘରପୋଡିଗଲା ଧାଇଁଆସ ହୋ ବୋଲି ହୋହାଲ୍ଲା ଶୁଭିଲା, ଆଉ କି ସମ୍ଭାଳି ହୁଏ ରାଧୁଆ, ପାଟି ଶୁଭୁଥିବା ଦିଗକୁ ଏକାମୁହାଁ ହେଇ ଧାଇଁଲା |ତଳସାହିରେ ପହଞ୍ଚି ଦେଖିଲା, ସୋଲି ଘରଟା ରେ ନିଆଁ ଲାଗିଛି |ଲୋକେ ରୁଣ୍ଡହୋଇ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, ଅଧାରୁ ଅଧିକ ଜଳି ଗଲାଣି ଘରଟା, ସୋଲି ସେଇ ଘରଭିତରେ ରହିଯାଇଛି, ବାହାରି ଆସିପାରୁନି |ଏକଥା ଶୁଣିବାକ୍ଷଣି ରାଧୁଆ ଏକlଡିଆଁକେ ନିଆଁ ଡେଇଁ ଘରଭିତରକୁ ପଶିଗଲା, ଡାକି ଡାକି ଖୋଜିଲା ସୋଲିକୁ |କାହିଁ ସୋଲି, କିଛି ସମୟ ଖୋଜିବାପରେ ସୋଲିକୁ ଅଚେତ ଅବସ୍ଥାରେ ତଳେ ପଡିଥିବାର ଦେଖିଲା |ଶାଢ଼ୀଟା ଜଳୁଛି, ହାତରେ ଦଳି ନିଆଁକୁ ଲିଭାଇବାକୁ ଚେଷ୍ଟା କଲା, ପାରିଲାନି |ଶେଷରେ ନିଜ କାନ୍ଧରେ ପକାଇ ବାହାରକୁ ନିଆଁ ଭିତରେ ପଶି ନେଇଆସି ତଳେ ଶୁଆଇଦେଲା, ନିଜେବି ପଡିଗଲା ତଳେ |ସେ ପିନ୍ଧିଥିବା ଲୁଂଘିଟାବି ଜଳୁଛି |ଚେତାବି ହରେଇ ଦେଲା ସାଙ୍ଗେ ସାଙ୍ଗେ ରାଧୁଆ |ଦେହସାରା ପୋଡ଼ିଯାଇଛି |ସାଙ୍ଗେ ସାଙ୍ଗେ ପାଖ ଡାକ୍ତର ଖାନାକୁ ଦୁହିଁଙ୍କୁ ନେଇଗଲେ ଗାଁ ଲୋକେ, ହେଲେ ସବୁ ନିଷ୍ଫଳ |ସେ ଦୁହେଁ ମରିସାରିଛନ୍ତି ବୋଲି ଡାକ୍ତର କହିଲେ |ଗାଁ ସ୍ତ୍ରୀଲୋକ ମାନେ ବି ଧାଇଁ ଯାଇଥିଲେ ଡାକ୍ତର ଖାନାକୁ |ସମସ୍ତଙ୍କ ଆଖିରେ ଲୁହ, ଭୋ ଭୋ ହୋଇ କାନ୍ଦୁଥିଲେ ସମସ୍ତେ |
ଦୁହିଁଙ୍କ ଶବକୁ ଗାଁ ମଶାଣୀକୁ ଆଣି ଗୋଟିଏ ଜୁଇରେ ନିଆଁ ଦେଲେ ଗାଁ ଲୋକେ |ଦୁହେଁ ସେଇ ଜୁଇ ନିଆଁ ଭିତରେ ଏକ ହୋଇଯାଉଥିଲେ ଯେମିତି |ନିସ୍ତବ୍ଧ ହୋଇଯାଇଥିଲା ମଶାଣିଟା, ଗାଆଁଟା ବି |କାହାରି ମୁହଁରେ ଭାଷା ନଥିଲା, ଆଉ ଗାଆଁଦାଣ୍ଡରେ ରାଧୁଆର ଡାକ ଶୁଭିବନି କେବେ, ଏବେ ସେପାରିରେ ରାଧୁଆ ପରା |
ଜୁଇର ଧୂଆଁ ଆକାଶରେ କୁଣ୍ଡଳୀ ସୃଷ୍ଟି କରୁଥିଲା, ଧୀରେ ଧୀରେ ରାଧୁଆର ଆତ୍ମlଟା ଶୂନ୍ୟରୁ ମହାଶୂନ୍ୟ ଭିତରେ ହଜି ଯାଉଥିଲା ଯେମିତି |
