ସେଇ କୁଡିଆ
ସେଇ କୁଡିଆ
ତିଥି ଜଣେ ଆଧୁନିକ ଶିକ୍ଷିତ ଝିଅ। ତାଙ୍କର ଛୋଟ ବେଳୁ ଇଚ୍ଛା ( ସ୍ୱପ୍ନ ) ଥିଲା ଯେ ଚାକିରୀ କରିବେ ବୋଲି।ହେଲେ ବଡ ହେଲା ପରେ ତାଙ୍କର ବାପାଙ୍କ ଦେହ ଭଲ ରହୁ ନ ଥିବାରୁ ସେ ଜିଦ କରି ତାଙ୍କର ଘନିଷ୍ଠ ବନ୍ଧୁ ପବନଙ୍କ ପୁଅ ବିରାଜଙ୍କ ସହ ସ୍ଥିର କଲେ। ବିବାହ ଆଗରୁ ହିଁ ତିଥି ବିରାଜଙ୍କୁ କହି ସାରି ଥିଲେ ଯେ ସେ କେବଳ ତାଙ୍କ ବାପାଙ୍କ ପାଇଁ ହିଁ ବିବାହ କରୁଛନ୍ତି। ପରିସ୍ଥିତି ଠିକ ହେଲେ ସେ ସହରକୁ ଯାଇ ଚାକିରୀ କରିବେ। ଆଉ ଏ ସମ୍ପର୍କ କୁ ସେଇ ଦିନ ହିଁ ଭାଙ୍ଗି ଦେବେ। ଏମିତି ହିଁ ବିରାଜ ବି ବିବାହ ପାଇଁ ରାଜି ନ ଥିଲେ। ତିଥିଙ୍କ କଥା ଶୁଣି ସେ ବି ରାଜି ହୋଇ ଗଲେ। ବିବାହ ଧୁମଧାମରେ ହେଲା।
ବିବାହ ସିନା ହୋଇ ଗଲା, ହେଲେ ବିରାଜ ଓ ତିଥିଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ହୋଇ ପାରିଲା ନାହିଁ। ତିଥି ସବୁବେଳେ ନିଜ ସ୍ୱପ୍ନ ରେ ବୁଡି ରହୁ ଥାଆନ୍ତି। ଆଉ ବିରାଜ ନିଜ କାମରେ। ସବୁବେଳେ କ'ଣ ପାଇଁ କେଜାଣି ତିଥିଙ୍କୁ ଦେଖି ଚୁପ ହୋଇ ଯାଉଥିଲେ। ଆଉ ତିଥି ବି ବିରାଜଙ୍କୁ ସବୁବେଳେ ବିରକ୍ତ ଭାବରେ ଦେଖୁଥିଲେ। ସେପଟେ ନିଜ ବାପାଙ୍କ ସ୍ୱାସ୍ଥ୍ୟ ପାଇଁ ତିଥି ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଯାଇ ପାରୁ ନ ଥାଆନ୍ତି। ବିରାଜ ଆଉ ତିଥି ସମାଜ ଆଗରେ ସ୍ୱାମୀ ସ୍ତ୍ରୀର ଅଭିନୟ କରନ୍ତି ହେଲେ କେବେ ପରସ୍ପରକୁ କେବେ ପ୍ରେମ ଭରା ଦୃଷ୍ଟିରେ ଦେଖି ନାହାଁନ୍ତି।
କିଛି ମାସ ପରେ ବିରାଜଙ୍କ ମାଆ ସୁନନ୍ଦା ବିରାଜ କାମ ପାଇଁ ବାହାରକୁ ଯାଉଥିବା ସମୟରେ ତିଥିଙ୍କୁ ବି ନେଇ ଯିବା ପାଇଁ କହିଲେ। ମାଆଙ୍କ କଥା କାଟି ନ ପାରି ଦୁହେଁ ସାଙ୍ଗରେ ଗଲେ। କିଛି ଦିନ ସହରରେ ରହିଲେ। ବିରାଜ ନିଜ କାମ କଲେ ଏବଂ ତିଥି ବି ନିଜ ପାଇଁ ଚାକିରୀ ଖୋଜା ଖୋଜି କଲେ। ହେଲେ ସେଇଠି ପ୍ରଥମ ଥର ଦୁହେଁ ଦୁହିଁଙ୍କୁ ବୁଝିବର ସୁଯୋଗ ପାଇଲେ। ତିଥି ବହୁତ ସୁନ୍ଦର ହୋଇ ଥିବାରୁ ଯେତେବେଳେ କିଛି ପିଲା ତାଙ୍କୁ କମେଣ୍ଟ କଲେ ସେତେବେଳେ ବିରାଜଙ୍କ ପ୍ରତିକ୍ରିୟା, ବିରାଜଙ୍କର ସ୍ତ୍ରୀ ଲୋକ ଙ୍କ ପ୍ରତି ସମ୍ମାନ ତିଥିଙ୍କୁ ଭଲ ଲାଗିଲା। ସେପଟେ ତିଥିଙ୍କ ପରିବାର ପ୍ରତି ଯତ୍ନଶୀଳ ଭାବ, ଶାଶୁ ଶଶୁରଙ୍କ ପ୍ରତି ପ୍ରେମ ବିରାଜଙ୍କ ମନରେ ତିଥିଙ୍କ ପାଇଁ ଗୋଟିଏ ଅଲଗା ପ୍ରକାରର ଭାବନା ଆଣିଲା।
ଧିରେ ଧିରେ ତିଥି ଓ ବିରାଜ ଭଲ ବନ୍ଧୁ ହୋଇ ସାରିଲେଣି। ଗୋଟିଏ ଦିନ ଦୁହେଁ ବୁଲାବୁଲି କଲେ। ତିଥିଙ୍କର ଚୁଲ୍ ବୁଲି ଭାବ ବିରାଜଙ୍କୁ ତାଙ୍କ ଆଡେ ଆକର୍ଷିତ କରୁଥିଲା।ଆସିବା ସମୟରେ ବିରାଜ ସୁଖଦେବପୁରର ଜଙ୍ଗଲକୁ ତିଥିଙ୍କ ସାଙ୍ଗରେ ଗଲେ ଏବଂ ଗୋଟିଏ ବନ୍ଦ ରିସୋର୍ଟ ( ହଟେଲ) କୁ ତାର ମାଲିକଙ୍କ ସହ କଥା ହୋଇ କିଣିଲେ। ପ୍ରକୃତରେ ବିରାଜ ଜଣେ କଣ୍ଟ୍ରାକ୍ଟର ଆଉ ବ୍ୟବସାୟୀ ଥିଲେ। ଝରଣା କୂଳରେ ସେ ରିସୋର୍ଟକୁ ପିକ୍ନିକ୍ ଜାଗାରେ ପରିଣତ କରିବାର ଉଦ୍ଦେଶ୍ୟ ଥିଲା। କାରଣ ସେ ଜଙ୍ଗଲକୁ ବହୁତ ପର୍ଯ୍ୟଟକ ଆସନ୍ତି।
ଘରକୁ ଆସି ଏ କଥା ତିଥି ଖୁସି ହୋଇ ଶାଶୁ ସୁନନ୍ଦାଙ୍କୁ କହିଲେ। ଏତେଦିନ ପରେ ପୁଅ ବୋହୂ ଙ୍କୁ ଖୁସିରେ ଦେଖି ସୁନନ୍ଦା ଖୁସି ହୋଇଗଲେ। ଏବେ ତିଥି ଆଉ ବିରାଜ ପରସ୍ପରକୁ ବୁଝିବାରେ ଲାଗିଲେଣି। ଆଉ ମନେ ମନେ ଭଲ ବି ପାଇଲେଣି।ହେଲେ ତିଥି ନିଜ ସ୍ୱପ୍ନ ଆଗରେ ଏ ସମ୍ପର୍କକୁ ଶୀକାର କରି ପାରୁ ନ ଥିଲେ। ଆଉ ବିରାଜ ବି ତିଥିଙ୍କୁ ନିଜ ମନରେ ଥିବା ଭଲ ପାଇବା କଥା କହିବା ପାଇଁ ଚାହାଁନ୍ତି ହେଲେ କଣ ପାଇଁ କେଜାଣି କହି ପାରୁ ନ ଥିଲେ।
ତିଥିଙ୍କ ବାପା ତିଥିଙ୍କ ଘରକୁ ଆସି ଥାଆନ୍ତି। ସେଇ ସମୟରେ ସୁଖଦେବପୁରର ପ୍ରୋଜେକ୍ଟ କାମ ପାଇଁ ବିରାଜ ବାହାରିଲେ। ତିଥିଙ୍କ ବାପା ଆଉ ସୁନନ୍ଦା ତିଥିଙ୍କୁ ବି ବିରାଜଙ୍କ ସହ ଯିବା ପାଇଁ କହିଲେ।
ବିରାଜ ଓ ତିଥି ପ୍ରଥମେ ସହରକୁ ଗଲେ। ଦୁଇ ଦିନ ରହିଲେ। ବିରାଜ ନିଜ କାମ ସାରୁ ସାରୁ ତିଥି ନିଜ ପାଇଁ ଗୋଟିଏ ଚାକିରୀ ଖୋଜି ସାରି ଥିଲେ ଏବଂ ଡିଭର୍ସ ପାଇଁ ଜଣେ ଓକିଲ ସହ ଆଲୋଚନା ମଧ୍ୟ କରି ଥିଲେ।କାରଣ ତାଙ୍କୁ ଲାଗୁଥିଲା ସେ ଯଦି ଆଉ କିଛି ଦିନ ବିରାଜଙ୍କ ସହ ରହିବେ ତେବେ ସେ ଆଉ ତାଙ୍କୁ ଛାଡି ରହି ପାରିବେ ନାହିଁ। ଆଉ ତାଙ୍କର ସ୍ୱପ୍ନ କେବେ ବି ପୂରଣ ହୋଇ ପାରିବ ନାହିଁ। ଏ କଥା ଶୁଣି ବିରାଜ ବି କିଛି କହିଲେ ନାହିଁ।
ସୁଖଦେବପୁର ଜଙ୍ଗଲର ସେଇ ପ୍ରୋଜେକ୍ଟ ହୋଟେଲରେ ରହି ସେ ହୋଟେଲର ମରାମତି କାମ ଆରମ୍ଭ କଲେ। ହୋଟେଲ ପାଖରେ ଛୋଟ ଗାଁଟିଏ ବି ଥିଲା। ହେଲେ ହୋଟେଲ ପାଖର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା ନ କରି କେହି ରହି ପାରିବେ ନାହିଁ। ହୋଟେଲ ପାଖ ଦେଇ ଝରଣା ଟି ବହି ଯାଇଛି। ତାର କୁଳୁକୁଳୁ ନାଦ ମନକୁ ମୁଗ୍ଧ କରୁଛି। ପକ୍ଷୀମାନଙ୍କର କିଚିରି ମିଚିର ଶବ୍ଦ ଆହୁରି ଭଲ ଲାଗୁଛି। ସୂର୍ଯ୍ୟଙ୍କ ପହଳି କିରଣ ଆଉ ବାଦଲର ଲୁଚକାଳି ଖେଳ ପାଇଁ ଜାଗାଟି ପିକ୍ନିକ୍ ପାଇଁ ବଢିଆ।
ଏମିତି ଏକ ଜାଗାରେ ତିଥି ଓ ବିରାଜ ନୂଆ ବିବାହିତା ଯୋଡି ପାଇଁ ଯେଉଁ ଭାବନା ଆଣୁ ଥିବ ତାହା ଭଲ ଭାବରେ ବୁଝି ହେଉଛି। ହେଲେ ତିଥି ନିଜ ସ୍ୱପ୍ନ ପାଇଁ କିଛି କହି ପାରୁ ନାହାଁନ୍ତି ଆଉ ବିରାଜ କଣ ପାଇଁ ଚୁପ ରହୁଛନ୍ତି ତାହା ଜଣା ନାହିଁ। ତିଥି ବିରାଜଙ୍କୁ କାମରେ ସାହାଯ୍ୟ କରୁଛନ୍ତି।
ହେଲେ ତିଥିଙ୍କୁ ଲାଗୁ ଥାଏ ଯେମିତି ବିରାଜ କାହାକୁ ଗୋଟିଏ ସେଠାରେ ଖୋଜୁଛନ୍ତି। ହେଲେ ତିଥି ତାଙ୍କୁ କିଛି କହି ପାରି ନାହାଁନ୍ତି।
ଦିନେ ପ୍ରୋଜେକ୍ଟ କାମ ବନ୍ଦ ଥାଏ। ତିଥି ଓ ବିରାଜ ଜିପ ନେଇ ଜଙ୍ଗଲର ସୌନ୍ଦର୍ଯ୍ୟ ବୁଲିବାକୁ ଯାଇ ଥାନ୍ତି। ତିଥି ଗୋଟିଏ ହଳଦିଆ ନେଟର ସିଫନ ଶାଢୀ ପିନ୍ଧି ଥାଆନ୍ତି।ଅତ୍ୟନ୍ତ ସୁନ୍ଦର ଦେଖା ଯାଉ ଥାଆନ୍ତି। ସେ ମନେ ମନେ ଭାବୁ ଥାନ୍ତି ଆଜି ବିରାଜଙ୍କୁ ନିଜର ମନର ଭାବନା କହି ଦେବେ ବୋଲି ଆଉ ବିରାଜ ବି ଭାବୁ ଥାଆନ୍ତି ଅତୀତର ସବୁ କଥା ଖୋଲି କହି ଦେବେ ବୋଲି।
ସେ ଦୁହେଁ ମନ୍ଦିର ଗଲେ। ପୂଜାରୀ ମାଆଙ୍କ ମୁଣ୍ଡରୁ ଫୁଲ ଆଣି ବିରାଜଙ୍କୁ ଦେଇ କହିଲେ ତିଥିଙ୍କ ମୁଣ୍ଡରେ ଲଗାଇବା ପାଇଁ। ଆଉ ଦୁହିଁଙ୍କୁ ମାଆଙ୍କ ସିନ୍ଦୂର ଲଗାଇ ଦେଲେ। ଜଙ୍ଗଲର ମଝା ମଝି ହୋଇଛନ୍ତି ଜିପଟି ଖରାପ ହୋଇଗଲା। ରାତି ବି ହୋଇ ଗଲାଣି। ବର୍ଷା ବି ଆରମ୍ଭ ହୋଇଗଲା। ଦୁହେଁ ପୁରା ଭିଜି ଗଲେ। ଶୀତ ଦିନ ଦୁହେଁ ଥରିବାକୁ ଲାଗିଲେ। ଆଗରୁ ବିରାଜ ସେ ଜଙ୍ଗଲ ବିଷୟରେ ଜାଣି ଥିଲେ। ଜଙ୍ଗଲରେ ଭୟଙ୍ଗର ଜୀବଜନ୍ତୁ ବାହାରନ୍ତି। ତେଣୁ ସେ ପାଖରେ ଥିବା ଗୋଟିଏ କୁଡିଆକୁ ତିଥିଙ୍କୁ ଯିବା ପାଇଁ କହିଲେ। ତିଥି ଗାଡିରୁ ଓହ୍ଲାଇବା ସମୟରେ ତାଙ୍କ ଗୋଡଟି ମୁଡି ଗଲା। ସେ ଆଉ ଛିଡା ହୋଇ ପାରିଲେ ନାହିଁ। ଶେଷରେ ବିରାଜ ତାଙ୍କୁ ହାତରେ ଉଠାଇ ସେ କୁଡିଆ ଭିତରକୁ ନେଇ ଗଲେ।
ଦୁହେଁ ଥରୁ ଥାଆନ୍ତି। ବିରାଜ ଆଗରୁ ଜାଣି ଥିଲେ ସେ କୁଡିଆର କେଉଁଠି କଣ ରୁହେ। ସାଙ୍ଗେ ସାଙ୍ଗ ସେ କାଠ ଆଉ ଦିଆସିଲ ଆଣି ଜଳାଇଲେ। ତିଥି ଓ ବିରାଜଙ୍କ ମନର ପ୍ରେମ ଭାବନା ସେଦିନ ଆଉ କୌଣସି ସୀମା ମାନିବା ପାଇଁ ନାରାଜ। ଦୁହେଁ ଦୁହିଁଙ୍କୁ ଥରି ଥରି ଚାହୁଁ ଥାଆନ୍ତି। କାଠ ବି ଅଳ୍ପ ଥାଏ। କିଛି ସମୟ ପରେ ନିଆଁ ଲିଭିବା ଉପରେ ଥାଏ। ବାହାରୁ ଗୋଟିଏ ବିକଟାଳ ଚିତ୍କାର ଶୁଣା ଗଲା। ଜଙ୍ଗଲରେ ଏମିତି ଚିତ୍କାର ଶୁଣା ଯିବା ସ୍ୱଭାବିକ କଥା। ହେଲେ ତିଥି ଡରି ଯାଇ ବିରାଜଙ୍କୁ କୁଣ୍ଢାଇ ଧରିଲେ। ଦୁହେଁ ଦୁହିଁଙ୍କ ଏପରି ସ୍ପର୍ଶ ପାଇ ଚୁମ୍ବକ ପରି ଜାକି ଗଲେ। ମନରେ ଆଉ କିଛି କଥା ନ ଥାଏ। ଥାଏ ତ ଖାଲି ପ୍ରେମ ହିଁ ପ୍ରେମ।
ଶୀତ ମଧ୍ୟରେ ଦୁହେଁ ଦୁହିଁଙ୍କ ଶରୀରର ଉତ୍ତପ୍ତ କୁ ଅନୁଭବ କରୁ ଥାଆନ୍ତି। ଧିରେ ଧିରେ ଚୁମ୍ବନ ଠାରୁ ଆରମ୍ଭ କରି ନିଜର ଲାଜ ବସ୍ତ୍ର କାଢି ପରସ୍ପର ପ୍ରେମରେ ବୁଡି ଗଲେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯାହା ସବୁ ହେବା କଥା ସେ ସବୁ ସେଦିନ ଦୁହିଁଙ୍କ ମଧ୍ୟରେ ହୋଇଗଲା। ନିଆଁ ପାଖରେ ଘିଅ ରହିଲେ ଯାହା ହୁଏ ଠିକ ସେହି ପରି ବର୍ଷାରେ ଓଦା ଦେହ ପାଖରେ ପ୍ରେମ ରହିଲେ କି ସ୍ୱପ୍ନ ନା ଅଜଣା କାରଣ ଦୁହିଁଙ୍କ ମଧ୍ୟରେ ପାଚେରୀ ହେବ। ପ୍ରେମର ପାଣି ଆଜି ସବୁ ବନ୍ଧ ଭାଙ୍ଗି ଦୁହିଁଙ୍କୁ ଭିଜାଇ ଦେଲା।
ସେଇ କୁଡିଆ ଭିତରେ ନୂତନ ସମ୍ପର୍କ ଆରମ୍ଭ ଗଢି ଉଠିଛି ତିଥି ଓ ବିରାଜ ମଧ୍ୟରେ।
ହେଲେ ଇତି ମଧ୍ୟରେ କୁଡିଆଟିକୁ କେହି ଗୋଟିଏ ଆମ୍ପୁଡୁ ଥାଏ ଆଉ ଜୋର ଜୋରରେ କାନ୍ଦୁ ଥାଏ ସେଇ କୁଡିଆ ଭିତରେ। ହେଲେ ତିଥି ଆଉ ବିରାଜ କିଛି ଶୁଣିବା ଅବସ୍ଥାରେ ନ ଥାଆନ୍ତି। ଲାଗୁ ଥାଏ ଗୋଟିଏ ଆଡେ ପ୍ରକୃତି ତିଥି ଓ ବିରାଜ ଦୁଇ ଜଣଙ୍କୁ ମିଶାଇବା ପାଇଁ ଚେଷ୍ଟା କରୁ ଥିବା ବେଳେ ସେପଟେ କେହି ଜଣେ କୁଡିଆ ଭିତରେ ଥାଇ ସେମାନଙ୍କ ମିଳନ ସହି ପାରୁ ନାହିଁ।


