Trushna Das

Drama Horror Romance

3  

Trushna Das

Drama Horror Romance

ସେଇ କୁଡିଆ :2..... ☠️☠️☠️

ସେଇ କୁଡିଆ :2..... ☠️☠️☠️

5 mins
379


[ କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି "ସେଇ କୁଡିଆ" କାହାଣୀର ପୂର୍ବ ଅଧ୍ୟାୟ କୁ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ତିଥି ଓ ବିରାଜ ବିବାହ ପୂର୍ବରୁ ହିଁ ଏ ବିବାହର ସର୍ତ୍ତ ରଖିଥିଲେ ଯେ ପରିସ୍ଥିତି ଦେଖି ଅଲଗା ହୋଇ ଯିବେ। ହେଲେ ସୁଖଦେବପୁରର ଜଙ୍ଗଲ ମଧ୍ୟରେ ଥିବା କୁଡିଆରେ ଦୁହେଁ ମନ ଭିତରେ ଥିବା ପ୍ରେମକୁ ଆଉ ଅଟକାଇ ନ ପାରି ବୈବାହିକ ଜୀବନ ଆରମ୍ଭ କଲେ। ହେଲେ ସେ କୁଆଡିରେ କେହି ଜଣେ ଅଛନ୍ତି ଯିଏ କି ଏ ସବୁ ଦେଖି ସହି ନ ପାରି ଚିତ୍କାର କରି କାନ୍ଦୁଛନ୍ତି । ସେ କିଏ, କାହିଁକି ତାଙ୍କ କଥା ବିରାଜ ଓ ତିଥିଙ୍କୁ ଶୁଣା ଯାଉ ନାହିଁ କି ସେ ସେଇ କୁଡିଆରେ ଥିବାର ଏମାନେ ଦେଖି ବି ପାରିଲେ ନାହିଁ..... କଣ ପରିସ୍ଥିତିରେ ପଡି ତିଥି ଓ ବିରାଜ ମଧ୍ୟରେ ବୈବାହିକ ସମ୍ପର୍କ ସୃଷ୍ଟି ହୋଇଛି ନା ସତରେ ଦୁହେଁ ଦୁହିଁଙ୍କୁ ବନ୍ଧନରେ ବାନ୍ଧିବା ପାଇଁ ଚାହୁଁଛନ୍ତି ଜାଣିବା ପାଇଁ ଏହି କାହାଣୀଟିକୁ ପଢନ୍ତୁ ।]


ବିବାହ ପରେ ସେଦିନ ରାତିରେ ପ୍ରଥମ ଥର ତିଥି ଓ ବିରାଜ ବୈବାହିକ ସମ୍ପର୍କର ସୁଖ କଣ ବୁଝି ପାରିଛନ୍ତି। ଦୁହେଁ ଶାନ୍ତିରେ ପରସ୍ପରକୁ ଜାବୁଡି କୁଣ୍ଢାଇ ଧରି ଶୋଇଛନ୍ତି। 


ତିଥି ଉଠିବା ଆଗରୁ ବିରାଜ ଉଠିଛନ୍ତି। ଉଠି ସେ କୋଠରୀକୁ ଭଲ ଭାବରେ ଦେଖି ଅତୀତର ସ୍ମୃତି ରେ ବୁଡି ଯାଇଛନ୍ତି। ଆଖିରୁ ଲୁହ ବହି ଯାଉଛି। ମୁହଁ ଶୁଖାଇ ତିଥିଙ୍କୁ ଚାହିଁ ନିଜକୁ ଧିକ୍କାର କରୁଛନ୍ତି। କାରଣ କିଛି ଦିନ ତଳେ ତିଥି ଓକିଲଙ୍କ ସହ କଥା ହୋଇଛନ୍ତି ଡିଭର୍ସ ପାଇଁ ଆଉ କାଲି ରାତିରେ ବୈବାହିକ ଜୀବନରେ ଦୁହେଁ ଆଗେଇ ଯାଇଛନ୍ତି। ତାଙ୍କୁ ଲାଗୁଥିଲା ଯେ ତିଥି ବୋଧେ ଏ ବିବାହରେ ଜବରଦସ୍ତି ବନ୍ଧା ହୋଇଛନ୍ତି। ଆଉ କାଲି ପରିସ୍ଥିତି ରେ ଭାସି ଯାଇ ଏ ସବୁ ହୋଇଗଲା। ପୁଣି ସେ ନିଜର ଅତୀତ ବିଷୟରେ ତିଥିଙ୍କୁ କିଛି କହି ବି ପାରି ନାହାଁନ୍ତି। ଅତୀତର ସେ ପୃଷ୍ଠା ଯେତେବେଳେ ତିଥିଙ୍କ ସାମ୍ନାକୁ ଆସିବ ତିଥି କଣ ବା କରିବେ? କାହିଁକି ଝୁମୁରୀ ତାଙ୍କୁ ଛାଡି ପଲାଇଲା? 


ଏ ସବୁ ଭାବନା ବୁଡି ରହି ଥାଆନ୍ତି ବିରାଜ। ତିଥି କିନ୍ତୁ ଏତେ ଦିନ ପରେ ଶାନ୍ତିରେ ଆଖି ଖୋଲି ଶୁଭ ସକାଳ କହିଲେ ଏବଂ ମନେ ମନେ ଲାଜେଇ ଯାଉ ଥାଆନ୍ତି କାଲି ରାତି ପାଇଁ। ବିରାଜ ତିଥି ଶୋଇଥିବା ସମୟରେ ତାଙ୍କୁ ତାଙ୍କ ଶାଢୀରେ ଘୁଡାଇ ଦେଇ ଥାଆନ୍ତି। ବିରାଜଙ୍କ ସାମ୍ନାରେ ଏମିତି ଅବସ୍ଥାରେ ଉଠିବା ପାଇଁ ତିଥିଙ୍କୁ ଲାଜ ଲାଗୁ ଥାଏ। ବିରାଜ ବୁଝି ପାରି କହିଲେ ତୁମେ ବାହାରକୁ ଆସ ମୁଁ ଗାଡିରେ ଅପେକ୍ଷା କରିଛି। ଗାଡି ସକାଳକୁ ଆପେ ଠିକ ହୋଇ ଯାଇଛି। 


ବିରାଜ ଆସି କିଛି ସମୟ ଗାଡିରେ ଅପେକ୍ଷା କରି ଥାଆନ୍ତି। ଆଉ ଝୁମୁରୀ କଥା ମନରେ ଚାଲି ଥାଏ। କେମିତି କହିବେ ତିଥିଙ୍କୁ ଭାବୁ ଥାଆନ୍ତି। ଆଖି ବି ସକାଳୁ କାନ୍ଦି ନାଲ ହୋଇ ସାରିଛି। ତିଥି ଆସି ଗାଡିରେ ବସିଲେ। ତିଥିଙ୍କ ମନରେ ଯେଉଁ ଖୁସି ଆଉ ଶାନ୍ତି ଥିଲା ସେ ସବୁ ବିରାଜଙ୍କ ଶୁଖିଲା ମୁହଁ ଦେଖି ହଜିଗଲା। ମନରେ ଅନେକ କଥା ଚାଲିଲା। କଣ କାଲି ରାତିରେ ଆମ ଭିତରେ ଯାହା ହେଲା ବିରାଜ ତାହା ଚାହୁଁ ନ ଥିଲେ। କେବଳ ରାତିରେ ନିଜ ଭାରସ୍ୟାମ ହରାଇ ମୋ ସହ ସମ୍ପର୍କ ରଖି ନାହାଁନ୍ତି ତ? ଏ କଣ କଲି ମୁଁ? ଯଦି ବିରାଜ ଡିଭର୍ସ କଥା କହିବେ ମୁଁ କଣ କହିବି? ମୁଁ ହିଁ ତ ପ୍ରଥମରୁ ଏ ସମ୍ପର୍କ ଭାଙ୍ଗିବା କଥା କହି ଥିଲି। ହେଲେ ଆଜି କଣ କଲି? ଆଉ ବିରାଜଙ୍କ ବିନା ମୋର ବଞ୍ଚିବା କଷ୍ଟକର। ମୁଁ କଣ ବିରାଜଙ୍କୁ ପଚାରିବି ସେ କଣ ଚାହାଁନ୍ତି..... ନା ନା ଅପେକ୍ଷା କରିବି ରାତିରେ ସେ କଣ କହୁଛନ୍ତି?


ଏମିତି ଭାବୁ ଭାବୁ ଜିପ ଯାଇ ପ୍ରୋଜେକ୍ଟ କାମ ପାଖରେ ଅଟକିଲା। ଫୋନ ନେଟୱାର୍କ ଆସିଲାରୁ କାହା ସହ କଥା ହୋଇ ତିଥିଙ୍କୁ କହିଲେ ଏଇଠି ରୁନୁ ମାଉସୀ (ଚାକରାଣୀ) ଅଛନ୍ତି। ତୁମେ ରହି ଥାଅ ମୋର କାମ ଅଛି ମୁଁ ଆସେ। 


ତିଥିଙ୍କୁ ଟିକିଏ ଅଡୁଆ ଲାଗିଲା କାରଣ ସେ ଜାଗାରେ ମାସେ ଭିତରେ କେବେ ବି ତିଥିଙ୍କୁ ଏମିତି ଛାଡି ଯାଇ ନାହାଁନ୍ତି। ଗୋଟିଏ ପଟେ ଗତକାଲି ରାତିରେ ସମ୍ପର୍କର ନୂତନ ଅନୁଭୁତି ମନରେ ଶ୍ରୀହରଣ ଖେଳାଇ ଦେଉ ଥାଏ ତ ଅନ୍ୟ ପଟେ ଆଜି ସକାଳୁ ବିରାଜଙ୍କ ବ୍ୟବହାର ତାଙ୍କ ମନକୁ ଅଜଣା ଭୟ ଆଣୁ ଥାଏ। 


ଦିପହର ସମୟରେ ବିରାଜଙ୍କୁ ଅପେକ୍ଷା କରି କରି ଶେଷରେ ଖାଇ ଶୋଇ ଥାଆନ୍ତି। ହଠାତ୍ ସେ ସପନରେ ଦେଖିଲେ ଯେ ଗୋଟିଏ ଗର୍ଭବତୀ ସ୍ତ୍ରୀ ଲୋକ ଭୟଙ୍କର ଦେଖା ଯାଉଛି ଆସି ତାଙ୍କୁ ରାଗି ତାଙ୍କ ବେକକୁ ଚିପି ଧରି କହୁଛି ତୁ ଯାହା କଲୁ ଠିକ କଲୁ ନାହିଁ। ତୋତେ ମରିବାକୁ ହେବ କହି ତାଙ୍କୁ କାମୁଡିବାକୁ ଯାଉଛି। ତିଥି ଜୋରରେ ନିଦରେ ଥାଇ ମଧ୍ୟ କାନ୍ଦୁଛନ୍ତି। ସେଇ ସମୟରେ ବିରାଜ ଆସି ତାଙ୍କ କାନ୍ଦ ଶୁଣି ତାଙ୍କୁ ଡାକିଲେ। 


ଆଖି ଖୋଲି ତିଥି ବିରାଜଙ୍କୁ ଦେଖି ତାଙ୍କୁ କୁଣ୍ଢାଇ କାନ୍ଦିବାକୁ ଲାଗିଲେ ଯେ ସେ ସ୍ତ୍ରୀ ଲୋକଟି ମୋତେ ମାରି ଦେବ କହୁଛି। ଛୋଟ ପିଲା ପରି କାନ୍ଦୁ ଥିବା ତିଥିଙ୍କୁ ବିରାଜ କହିଲେ ଆରେ ତୁମେ ବ୍ୟସ୍ତ ହୁଅ ନାହିଁ। ସପନରେ ଦେଖି ଥିଲ। ସତ ନୁହେଁ। ଏଇଠି ଏ ରୁମରଜ କେବଳ ଆମେ ଦୁହେଁ ହିଁ ଅଛୁ। ତାପରେ ବିରାଜ ରୁନୁ ମାଉସୀଙ୍କୁ ଡାକି ତିଥିଙ୍କ ସହ ରହିବା ପାଇଁ କହି କାମରେ ବାହାରକୁ ଗଲେ। ବିରାଜଙ୍କ ଫେରିବା ସମୟରେ ସେ କୁଡିଆ ପାଖରେ ଥିବା ଝରଣା ପାଖରେ ଗୋଟିଏ ସ୍ତ୍ରୀ ଲୋକଟି ବସି କାନ୍ଦୁ ଥିବାର ଦେଖିଲେ। ତାଙ୍କୁ ଲାଗିଲା ଯେମିତି ଝୁମୁରୀ ବସିଛି। ସେ ଜିପ ଅଟକାଇ ଗଲେ। ହେଲେ ସେ ଗଲା ବେଳକୁ ସ୍ତ୍ରୀ ଲୋକଟି ଦୌଡି ପଲାଇଲା। ରାତିର ଅନ୍ଧକାରରେ ସେ ଆଉ ତାକୁ ଖୋଜି ପାଇଲେ ନାହିଁ। ଏତେ ବର୍ଷ ପରେ ପୁଣି ଝୁମୁରି ପାଇଁ ତାଙ୍କ ମନ ବ୍ୟାକୁଳ ହୋଇ ଉଠୁଥିଲା। ସେ ହୋଟେଲକୁ ଫେରି ଆଉ ଖାଇଲେ ନାହିଁ। ତିଥି ଆଗ ଦିନ ରାତି ପରି ଆଜିବି କିଛି ହେବ ଭାବି ଟିକିଏ ସଜବାଜ ହୋଇ ବସି ଥାଆନ୍ତି। ହେଲେ କିଛି ହେବାର ତ ଦୂର କଥା ବିରାଜ ତିଥିଙ୍କ ଆଡକୁ ନ ଚାହିଁ ଆଗ ଭଳି ସଫାରେ ଯାଇ ଶୋଇଲେ। ତିଥିଙ୍କୁ ଏ କଥା ସହ୍ୟ ହେଉ ନ ଥିଲା। ସେ ବି ଖଟ ଉପରେ କାନ୍ଦି କାନ୍ଦି ଶୋଇଲେ। ତାଙ୍କୁ ଲାଗିଲା ଯେମିତି କାଲି ରାତିରେ ଯାହା ଘଟି ଥିଲା ତାହା ବିରାଜଙ୍କ ପାଇଁ ବୋଧେ ଭୂଲ ଥିଲା। 


ସେପଟେ ତିଥିଙ୍କ କାନ୍ଦିବା ଦେଖି ବିରାଜ ଭାବୁ ଥାନ୍ତି ବୋଧେ କାଲି ଆମ ଭିତରେ ଯେଉଁ ବୈବାହିକ ସମ୍ପର୍କ ବଢିଛି ତିଥି ସେଥିରେ ଖୁସିରେ ନାହାଁନ୍ତି। ଦୁହିଁଙ୍କ ମନ ଅଶାନ୍ତିର ଛାୟାରେ ବୁଡି ଗଲା। 


ଟିକିଏ ଆଖି ଲାଗି ଯାଇଥିଲା ତିଥିଙ୍କର। ହଠାତ ସେ ଗୋଟିଏ ସ୍ତ୍ରୀ ଲୋକର ବିକଟାଳ ଚିତ୍କାର ଶୁଣି ଉଠି ବସିଲେ। ଝାଳ ନାଲ ହୋଇ ଘଡି ଦେଖିଲେ ରାତି ଦୁଇଟା ବାଜି ଥାଏ। ଦେଖିଲେ ସେଇ ଗର୍ଭବତୀ ସ୍ତ୍ରୀ ଲୋକଟି ବିରାଜଙ୍କୁ ଚାହିଁ ରହିଛି। ଦେଖିବା ପାଇଁ ସେ ଭୟଙ୍କର। ଶାଢୀରେ ରକ୍ତର ଛିଟା। ଶାଢୀ ବି ଅଲଗା ପ୍ରକାରର ପିନ୍ଧିଛି। ଯେମିତି ଯାଯାବରମାନେ ପିନ୍ଧନ୍ତି। ମୁହଁରେ ଆମ୍ପୁଡା ଦାଗ। ଝାମ୍ପୁରା ବାଳ। ଦେଖିଲା ବେଳକୁ ଲାଗୁଛି ଯେମିତି କେହି ତା ସହ ଜବରଦସ୍ତି କରିଛି। ତିଥି କିଏ ତୁମେ ପଚାରିବ ବୋଲି ଭାବିଲା ବେଳକୁ ସେ ସ୍ତ୍ରୀ ଲୋକଟି ତିଥିଙ୍କୁ ବଡ ବଡ ଆଖି କରି ଚାହିଁଲା। ଆଖିରେ ରାଗ ଆଉ ଆଖି ଦୁଇଟି ଲାଲ। 


ତିଥି ଭୟଭୀତ ହୋଇ ପଚାରିବାକୁ ଯାଉ ଥାଆନ୍ତି ତୁମେ କିଏ? ହେଲେ ସ୍ତ୍ରୀ ଲୋକଟି ବିକଟାଳ ହସି କହିଲା ତୋତେ ମରିବାକୁ ହେବ। କାଲି ତୁ ଯାହା କଲୁ ଭୂଲ କଲୁ। ମୁଁ ତୋତେ ଶାନ୍ତିରେ ବଞ୍ଚିବାକୁ ଦେବି ନାହିଁ। 


ତିଥି ଚିଳାଇ କହିଲେ ତୁମେ କିଏ? କଣ ପାଇଁ ମୋତେ ମାରିବାକୁ ଚାହୁଁଛ? 


ହେଲେ ସେ ସ୍ତ୍ରୀ ଲୋକଟି ହଠାତ୍ କୁଆଡ଼େ ଗାଏବ ହୋଇଗଲା। ତିଥିଙ୍କ ପାଟି ଶୁଣି ବିରାଜ ଉଠି ପଚାରିଲେ କଣ ହେଲା ତୁମର। ଆଉ ଥରେ ସପନ ଦେଖିଲ କି?


ତିଥି ସପନ ନୁହଁ ସତରେ ମୁଁ ତାକୁ ଦେଖିଛି। ସେ ସ୍ତ୍ରୀ ଲୋକଟି ମୋତେ ମାରି ଦେବ କହୁଛି। ସେ ମୋତେ ଶାନ୍ତିରେ ବଞ୍ଚିବା ପାଇଁ ଦେବ ନାହିଁ କହୁଛି। ସେ କହୁଛି କାଲି ମୁଁ ଯାହା କଲି ଭୂଲ କଲି। 


ବିରାଜଙ୍କୁ ଲାଗିଲା ବୋଧେ ରାତିରେ ଗଢି ଉଠି ଥିବା ବୈବାହିକ ସମ୍ପର୍କକୁ ତିଥି ମାନସିକ ଭାବରେ ଗ୍ରହଣ କରି ପାରୁ ନାହାଁନ୍ତି। ତେଣୁ ଏମିତି ସବୁ ମନେ ମନେ କଳ୍ପନା କରୁଛନ୍ତି। ସେ ତିଥିଙ୍କୁ ପୁଣି ବୁଝାଇ କହିଲେ ଯେ ରୁମରେ ସେ ଦୁଇ ଜଣଙ୍କ ଛଡା ଆଉ କେହି ନାହିଁ। କାଲି ରାତିରେ ଯାହା ହେଲା ସେ କଥା କୁ ସେ ଗ୍ରହଣ କରି ପାରୁ ନାହାଁନ୍ତି। ବୋଧେ ସେଇଠି ପାଇଁ ସେ ଏମିତି ସବୁ ଭାବୁଛନ୍ତି। ସେ ଏବେ ସଫାରୁ ଆସି ତିଥିଙ୍କ ପାଖରେ ବସି ତାଙ୍କ ମୁଣ୍ଡ ଆଉଁସି ଶୋଇବାକୁ କହିଲେ। ତିଥି ଛୋଟ ପିଲା ପରି ବିରାଜଙ୍କ ହାତକୁ କୁଣ୍ଢାଇ ଧରି ଶୋଇଛନ୍ତି। 


( ଝୁମୁରୀ କିଏ ? ବିରାଜଙ୍କ ସହ ସମ୍ପର୍କ କଣ ତାଙ୍କର? ବିରାଜଙ୍କ ଅତୀତର ରହସ୍ୟ କଣ ରହିଛି ଯାହା ବିରାଜଙ୍କୁ ଆଗକୁ ବଢିବାରେ ଅଟକାଉଛି ? ତିଥି ଯେଉଁ ଗର୍ଭବତୀ ସ୍ତ୍ରୀ ଲୋକଟିକୁ ଦେଖୁଛନ୍ତି ସେ କିଏ..... ତାଙ୍କର କଳ୍ପନା ନା ସତରେ କେହି ଅଛି ନା ଆଉ କିଛି.....? କଣ ବିରାଜ ଓ ତିଥିଙ୍କ ବୈବାହିକ ଜୀବନରେ ସୁଖ ଶାନ୍ତି ଫେରି ଆସିବ..... ? ଏ ସବୁ ବିଷୟରେ ବୁଝିବା ପାଇଁ ଦୟାକରି "ସେଇ କୁଡିଆ" ର ଆଗାମୀ ଅଧ୍ୟାୟ ପଢନ୍ତୁ।। )


କ୍ରମଶଃ......।



Rate this content
Log in

Similar oriya story from Drama