Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

sushama Parija

Inspirational

3  

sushama Parija

Inspirational

ସେଇ କାଳି ଝିଅଟି

ସେଇ କାଳି ଝିଅଟି

4 mins
203



ଏକ ନମ୍ବର ହାଟ ଲୁଗା ଦୋକାନରେ ପୁଅ ପାଇଁ ଡ୍ରେସ୍ ବାଛୁ ବାଛୁ ହଠାତ୍ ତାଙ୍କୁ ଦେଖି ହାତଟା ଅଟକି ଗଲା ସୌମିତ୍ରର। କଣେଇ କଣେଇ ଆଉ ଟିକିଏ ଭଲ କରି ଚାହିଁଲା ସେ କିଛି ଦୂରରେ ଛିଡା ହୋଇ ପୋଷାକ ଦେଖୁଥିବା ମହିଳା ଜଣଙ୍କୁ । ତାଙ୍କର ଚେହେରାଟି ଦୋ ଦୋ ଚିହ୍ନା ମନେହେଉଥିଲା । କୋଉଠି ଯେମିତି ସେ ଦେଖିଛି ମହିଳାଙ୍କୁ । ମନେ ମନେ ଭାବିଲା ହୁଏତ ବସ୍ କି ଟ୍ରେନ୍ ରେ ଦେଖିଥିବ , ମନଟା ମାନୁ ନଥିଲା, ନାଇଁ ନାଇଁ ବସ୍ କି ଟ୍ରେନ୍ ନୁହେଁ କୋଉ ଗୋଟାଏ ବାହାଘର କି ବ୍ରତଘର ଭୋଜିରେ ଦେଖା ହୋଇଥିବା ଭଳି ଲାଗୁଥିଲା । ସୁନ୍ଦର ଖଇରିଆ ବର୍ଡରର ଚନ୍ଦନ ରଙ୍ଗର ସୋନପୁର ପାଟ ପରିହିତା ମହିଳା ଜଣକ ବୋଧହୁଏ ତାଙ୍କ ପିଲାମାନଙ୍କ ପାଇଁ ଲୁଗାପଟା କିଣିବାକୁ ଆସିଥିଲେ । କପାଳରେ ଛୋଟ ସିନ୍ଦୂର ଟୋପା, ସିନ୍ଥିରେ ଲାଲ୍ ଟୁକ୍ ଟୁକ୍ ସିନ୍ଦୂର ଆର ହାତରେ ଦି'ପଟ ଶଙ୍ଖା ସହିତ ସୁନାର ରୁଲି ଦୁଇଟି ତା'ଙ୍କୁ ଖୁବ୍ ମାନୁଥିଲା । ପୋଷାକ ଦି' ଚାରି ହଳ ପସନ୍ଦ କରି ସାରି ସେ କାନ୍ଧରେ ପକେଇ ଥିବା ବ୍ୟାଗ୍ ରୁ କାଢି ମୋବାଇଲ୍ ଫୋନ୍ ଟି ଧରି ବୋଧହୁଏ କାହାକୁ ଆସିବା ଲାଗି କହିଲେ । ତଥାପି ସୌମିତ୍ରର ମନେ ପଡୁନଥିଲା ସେ ସେଇ ମହିଳାଙ୍କୁ କେଉଁଠି ଦେଖିଛି ବୋଲି । କିଛି ସମୟ ପରେ ଯିଏ ଆସି ହସ ହସ ମୁହଁରେ ମହିଳାଙ୍କ ନିକଟରେ ଠିଆ ହେଲେ, ତାଙ୍କୁ ଦେଖି ଚମକି ପଡ଼ିଲା ସୌମିତ୍ର । ସେ ଥିଲେ ତାଙ୍କରି ଅଫିସ୍ ରେ ନୂଆ କରି ବଦଳି ହୋଇ ଆସିଥିବା ସମାଜ ମଙ୍ଗଳ ଅଧିକାରୀ ଦୀପକ ରଞ୍ଜନ ସୁନ୍ଦରାୟ । ସାଙ୍ଗରେ ଥିବା ଗୋରାତୋରା ହୋଇ ଛଅ ସାତ ବର୍ଷର ପିଲାଟି ବୋଧହୁଏ ତାଙ୍କର ପୁଅ ହେବ କି କ'ଣ ।

 ''ଗୌତମ ଭାରି ଜିଦିଆ ହୋଇ ଗଲାଣି, ରାସ୍ତା ଆରପଟେ ଥିବା ଟୟ ସପ୍ ରେ ବଡ ଟେଡି ବିଅର୍ ଟା ଦେଖି ଏକା ଜିଦ୍ କଲା ସେଇଟା ନେବ ବୋଲି, ସେଇଟା କିଣି ଆସୁ ଆସୁ ଡେରି ହୋଇଗଲା ବିନି ! ସରି, ଆଉ ତମେ କ'ଣ ଡ୍ରେସ୍ ଦେଖି ସାରିଲଣି ? '' କହି ଭଦ୍ରଲୋକ ଜଣକ ମହିଳାଙ୍କ ପାଖକୁ ଲାଗି ଆସିଲେ । ମହିଳାଙ୍କ ମୁହଁରେ ଉକୁଟି ଉଠିଲା ଗଭୀର ଆତ୍ମୀୟତାର ହସଧାରେ । ମହିଳା ଜଣକ ପସନ୍ଦ କରିଥିବା ଚାରି ହଳ ପୋଷାକ ସବୁକୁ ଖୁବ୍ ଭଲ ହୋଇଛି କହି ଦୋକାନୀକୁ ପେମେଣ୍ଟ୍ କରି ପଛକୁ ବୁଲି ପଡିଲା ବେଳକୁ ସୌମିତ୍ରଙ୍କ ଉପରେ ନଜର ପଡିଗଲା ଦୀପକ ବାବୁଙ୍କର। ଗୋଟିଏ ସୁଖଦ ଆଶ୍ଚର୍ଯ୍ୟରେ ଉଲ୍ଲସିତ ହୋଇ ପାଖକୁ ଚାଲି ଆସିଲେ ତାଙ୍କର । କାନ୍ଧରେ ହାତ ରଖି ପଚାରିଲେ '' ଆରେ ଆପଣ ଏଠି ? କ'ଣ ପିଲାଙ୍କ ଲାଗି ଲୁଗା ପଟା ନେବେ କି ? '' ଉପରିସ୍ଥ ଅଫିସରଙ୍କର ଏଇ ବନ୍ଧୁ ଭାବ ଦେଖି କୃତ୍ୟ କୃତ୍ୟ ହୋଇ ଯାଉଥିଲା ସୌମିତ୍ର । ଦୀପକ ବାବୁ ସ୍ୱଭାବ ସୁଲଭ ଢଙ୍ଗରେ ତା'କୁ ନେଇ ଠିଆ କରେଇ ଦେଲେ ସେଇ ମହିଳାଙ୍କ ସମ୍ମୁଖରେ ଆଉ କହିଲେ '' ମିଟ୍ ମାଇଁ ୱାଇଫ୍ ପଲ୍ଲବିନୀ ଆଣ୍ଡ୍ ମାଇଁ ସନ୍ ଗୌତମ ''। ସୌମିତ୍ର ହାତ ଯୋଡ଼ି ନମସ୍କାର ଜଣାଇଲା ମହିଳାଙ୍କୁ ଏବଂ ସ୍ନେହରେ ହାତ ବୁଲାଇ ଆଣିଲା ପିଲାଟିର ମୁଣ୍ଡରେ । ପ୍ରତି ନମସ୍କାର ଜଣାଇଲେ ମିସେସ୍ ଦୀପକ ସୁନ୍ଦରାୟ। ମହିଳାଙ୍କ ନମସ୍କାର ମୁଦ୍ରାରେ ଥିବା ହାତକୁ ଚାହିଁ ଆଖି ଦୁଇଟା ବିସ୍ଫାରିତ ହୋଇଗଲା ସୌମିତ୍ରର । ହାତର ପାପୁଲି ଉପର ପଟେ ଥିବା କଳାଜାଇ ଟି ତା'କୁ ନେଇ ଯାଇଥିଲା ଆଠ ବର୍ଷ ତଳର ଏକ ଘଟଣା ପ୍ରବାହକୁ। 


ନୂଆ କରି ଚାକିରୀ କରିବାର ବର୍ଷଟିଏ ନପୁରୁଣୁ ବାହାଘର ପାଇଁ ବୋଉର ବାଧ୍ୟ ବାଧକତା ବଢି ଚାଲିଥିଲା । ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ସୌମିତ୍ରକୁ ବୋଉ ଯେଉଁ ଦୁଃଖ କଷ୍ଟ କରି ପାଠଶାଠ ପଢାଇ ମଣିଷ କରିଥିଲା ସେ ସବୁ ନିଜ ଆଖିରେ ଦେଖିଥିଲା ସେ । ତେଣୁ ସେ ଚାହୁଁଥିଲା ଚାକିରୀଟିଏ ପାଇଲେ ଆଗ ତା' ବୋଉକୁ ସୁଖରେ ରଖିବ । ତାଙ୍କର ଭଙ୍ଗା ଚାଳଘରଟିକୁ ଭାଙ୍ଗି ଭଲ ଛାତଘରଟିଏ କରିବ ଆଉ ତା'ପରେ ଏମିତି ବୋହୂଟିଏ ଆଣିବ ଯିଏ ତା'ବୋଉର ମନ ବୁଝି, ତା'ର ସେବା ଶୁଶ୍ରୁଷା କରିବ । କିନ୍ତୁ ସେ ଚାକିରୀ କରିବା ପରେପରେ ହିଁ ବୋଉ ବୋହୂ ଖୋଜିବା ଆରମ୍ଭ କରି ଦେଇଥିଲା । ଏମିତି ଥରେ ଛୁଟିରେ ଆସିଲା ବେଳେ ବୋଉର ବାଧ୍ୟ ବାଧକତାରେ ସୌମିତ୍ର ଯାଇଥିଲା ନରଣପୁର ଝିଅ ଦେଖି ମଧ୍ୟସ୍ଥି ସାଥିରେ । ନିମ୍ନମଧ୍ୟବିତ୍ତ ପରିବାରର ହେଲେ ବି ଝିଅଟି ଗ୍ରାଜୁଏସନ କରିବା ପରେ ବି ଏଡ୍ କରୁଥିଲା । ଚାଷବନ୍ଦୀ ଘର, ଖାଇପିଇ ବର୍ଷକ ଚଳୁଥିଲା ବାପା ମାଆଙ୍କର ସେ ଥିଲା ଏକ ମାତ୍ର କନ୍ୟା । ସୁଗୁଣବତୀ ବୋଲି ଚାରି ଖଣ୍ଡ ଗାଁ ରେ ତା'ର ପ୍ରଶଂସା ଶୁଣି ବୋଉ ସେ ପ୍ରସ୍ତାବରେ ରାଜି ହୋଇଥିଲା । କନ୍ୟା ଘରେ ପହଞ୍ଚିଲା ପରେ ଖୁବ୍ ଚର୍ଚ୍ଚା ହୋଇଥିଲା ଭାବି ଜ୍ୱାଇଁଙ୍କର। ପଇଡ ପାଣି, ଦହି ସରବତ, ସୁସ୍ୱାଦୁ ଭୋଜନ ଶେଷରେ କନ୍ୟାଟି ଆସିଥିଲା ସୌମିତ୍ର ସମ୍ମୁଖକୁ । ଦୁଇ ହାତକୁ କୋଳରେ ରଖି ବସି ଥିଲା ଝିଅଟି । ଝିଅଟିର କଳା ରଙ୍ଗର ହାତକୁ ଚାହିଁ ଏକା ଝଟକାରେ ଉଠି ପଡିଥିଲା ସୌମିତ୍ର । ତା'ର ମୁହଁକୁ ଚାହିଁଲା ପରେ ଏକ ମୁହାଁ ହୋଇ ଫେରି ଆସିଥିଲା । ସଫା ସଫା ଶୁଣେଇ ଦେଇଥିଲା ବୋଉକୁ ଯେ ସେ କାଳି ଝିଅକୁ ସେ ମୋଟେ ବାହା ହେବ ନାହିଁ । ବୋଉ ତା'ର ଖାନ୍ ଦାନ କି ତା' ଗୁଣର ଯେତେ ପ୍ରଶଂସା କଲେ ମଧ୍ୟ ସେ ଶୁଣି ନଥିଲା । ତା' ପରଦିନ ସକାଳୁ ସକାଳୁ ବାହାରି ଆସିଥିଲା ଭୁବନେଶ୍ବର । ବୋଉ ଅଭିମାନ କରି କିଛି ଦିନ କଥା ବାର୍ତ୍ତା ବନ୍ଦ କରି ଦେଇଥିଲା ସୌମିତ୍ର ସହିତ । ସେଇ ଘଟଣାର କିଛି ମାସ ପରେ ସେଇ ଅଫିସ୍ ରେ ତା'ର ସହକର୍ମୀ ସୁନ୍ଦରୀ ସୁପ୍ରଭାକୁ ପ୍ରେମ ବିବାହ କରିଥିଲା ସୌମିତ୍ର । ବୋଉ ପ୍ରଥମରୁ ଅଭିମାନ କରି ଥିଲେ ବି ପୁଅର ମୁହଁକୁ ଚାହିଁ ଆଦରି ନେଇଥିଲା ସୁପ୍ରଭାକୁ। କିନ୍ତୁ ସୁପ୍ରଭା ଆପଣେଇ ପାରିନଥିଲା ବୋଉକୁ । ସୁପ୍ରଭା ଥିଲା ପ୍ରଚଣ୍ଡ ଉଚ୍ଚାଭିଳାଷୀ । ସୌମିତ୍ରର ସବୁ ଶପଥକୁ ଚୁରମାର କରି ବୋଉକୁ ଏକୁଟିଆ ଗାଁରେ ଛାଡି ସେମାନେ ଆସି ରହିଲେ ଭୁବନେଶ୍ବରରେ। ପିଲାଟି ହେଲା ପରେ ତା'ର ରକ୍ଷଣାବେକ୍ଷଣ ଲାଗି ଚାକିରୀ ଛାଡ଼ିବାକୁ ବାଧ୍ୟ ହୋଇ ଥିଲା ସୁପ୍ରଭା। ସୌମିତ୍ରର କିରାଣୀ ଚାକିରୀର ସ୍ୱଳ୍ପ ବେତନ ନିଅଣ୍ଟ ହେଉଥିଲା ସୁପ୍ରଭାର ସବୁ ଫରମାଇସ୍ ପୂରଣ କରିବା ଲାଗି । ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ଦିନେ ବାହ୍ୟ ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଘୃଣାରେ ଉପେକ୍ଷା କରି ଫେରି ଆସିଥିବା ସୌମିତ୍ର ସେଇ କାଳି ଝିଅକୁ ଆଜି ତା' ନିଜ ଠାରୁ ସୁନ୍ଦର, ତା'ଠାରୁ ଆହୁରି ସୁଯୋଗ୍ୟ ପୁରୁଷଟିଏ ସହିତ ସୁଖୀ ସଂସାରଟିଏ ଗଢି ସୁଖରେ ଜୀବନ କାଟୁଥିବାର ଦେଖି ପଶ୍ଚାତାପର ନିଆଁରେ ଜଳି ଯାଉଥିଲା । ମନେ ମନେ ସେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲା ସେ ସିନା ପଲ୍ଲବିନୀର ହାତରେ ଥିବା କଳାଜାଇଟି ଦେଖି ତା'କୁ ଚିହ୍ନି ପାରିଲା କିନ୍ତୁ ପଲ୍ଲବିନୀ ତା'କୁ ଚିହ୍ନି ନପାରୁ ।


Rate this content
Log in

More oriya story from sushama Parija

Similar oriya story from Inspirational