ସେଇ ଭୁଲ ପାଇଁ
ସେଇ ଭୁଲ ପାଇଁ
ଚଲାପଥରେ ସାଥି ଟିଏ ଯେ କେତେ ମାତ୍ରାରେ ଆବଶ୍ଯକ, ତାହା ସମସ୍ତଙ୍କୁ ଜଣା। ଚଲାପଥ କଣ୍ଟକଲତା ର ସେ ଘଞ୍ଚ ଜଙ୍ଗଲ ହେଉ କି ଅବା ହେଉ ଗୋଲାପ ପାଖୁଡା ର ମୁଲାୟମ ଶଯ୍ୟା ,ସବୁବେଳେ, ସବୁ ମୁହୂର୍ତ୍ତରେ ସାଥୀ ଟିଏ କେତେ ଯେ ଜରୁରୀ ଜଣେ ସାଥିହୀନ ମଣିଷ କୁ ପଚାରିଦେଖ।ପଚାରିଦେଖ ଉପରକୁ ଶଙ୍ଖ ମଲମଲ୍ ପରି ଚମକୁଥିବା ସେ ଚେହେରା କୁ ଆଉ ଅନୁଭବ କର ସେ ହୃଦୟ ତଳର ଗଭୀର କୋହ କୁ। ବିରହ ଯନ୍ତ୍ରଣା ରେ ସେ ଛଟପଟ। ସତେ ଅବା ଚକ୍ରବାକ ପକ୍ଷୀ।
ଠିକ୍ ସାଥିର ଚୟନ ଜୀବନ ସରସ ଆଉ ସୁନ୍ଦର କରିଦିଏ। ଆଉ ଭୁଲ ସାଥୀ ର ଚୟନ ଜୀବନ କୁ ତିମିରତା ମଧ୍ଯ କୁ ଠେଲି ଦିଏ ଆଉ ଛାଡିଯାଏ କିଛି ପାପର ଦରଜ ଯାହାକୁ ମନ କି ଶରୀରରୁ ଏତେ ଶୀଘ୍ର ଲିଭେଇ ହୁଏନା। ଭାଗ୍ୟ ର ବିଡମ୍ବନା କି କଲା କର୍ମ ର ଫଳ, ଏସବୁ ଜାଣିବା ପାଇଁ ଆମେ ତ ନିମିତ୍ତ ମାତ୍ର।
ଜୀବନ ରେ ବେଳେବେଳେ ଏମିତି ଲୋକ ସହ ଦେଖାହୁଏ କି ପର ମୁହୂର୍ତ୍ତ ରେ ଆଉ କାହାରିକୁ ଆଖି ଟେକି ଅନେଇବା ର ସତ୍ ସାହାସ ହୁଏନା। ସବୁ ଭଲ ଲୋକ ବି, ଧୋକା ଦେଇ ଚାଲିଯାଇଥିବା ସେହି ଠକ, ଦଗାବାଜ୍, ଲମ୍ଫଟ ପୁରୁଷ ପରି ମନେ ହୁଅନ୍ତି। ଅବଶ୍ଯ ସମଗ୍ର ପୁରୁଷ ଜାତି ଏମିତି ନୁହଁନ୍ତି କି ସେମାନଙ୍କୁ ଅସମ୍ମାନ କରିବା ମୋ ଲେଖା ର ଉଦ୍ଦେଶ୍ଯ ନୁହେଁ।
ମାତ୍ର କାହାଣୀ ର ନାୟିକା ଋତୁ , ପ୍ରେମ ର ସେ ଶ୍ରାବଣ ରେ ମନ, ପ୍ରାଣ ଆଉ ଶରୀରକୁ ଭିଜେଇ ଦେଇଥିଲ।, ହେଲେ ସେ କ'ଣ ଜାଣିଥିଲା କି ତା'ର ଏହି ଭିଜିବା ତାକୁ ମହଙ୍ଗା ପଡିବ। ଆଉ ତା'ର ପ୍ରେମିକ ଯେ ଋତୁ ପାଇଁ ଜଣେ ସଚ୍ଚୋଟ ପ୍ରେମୀ ନୁହେଁ ବରଂ ତା' ଜୀବନ ରେ ହଠାତ୍ ଆସିଥିବା ଅଦିନିଆ ଝଡ଼ ଟିଏ। ଝଡ଼ ଚାଲିଯିବା ପରେ ଅସୁମାରି କ୍ଷତି, ଯାହାର ଭରଣା କରିବା ଏତେ ସହଜ ବି ନୁହେଁ। ପରିବାରର ଏତେ ବାରଣ ସତ୍ୱେ ବି ଆକାଶ ସହ ମନ୍ଦିର ରେ ବିବାହ ଆଜି ତାକୁ ମହଙ୍ଗା ପଡୁଛି। କ'ଣ କରିବ ସେ? ଘରକୁ ଫେରିଯିବା ର ରାସ୍ତା କୁ ସେ ସବୁଦିନ ପାଇଁ ବନ୍ଦ କରିଦେଇ ଆସିଛି। ଜୀବନ ହାରି ଦେବକି?
ପୁଣି ମନ ତା'ର କହୁଛି ଏତେ ଦୁର୍ବଳ ତୁ ନୁହେଁ। ଏତେ ସଂକୀର୍ଣ ଚିନ୍ତାଧାରା ରେ ବି ତୁ ବଡ ହେଇନୁ।ମନ କୁ ଶକ୍ତ କରି ଆଗକୁ ବଢିବାର ଅଛି। ଭୁଲ ତ ଦୁଇ ଜଣଙ୍କର, ତେବେ ତୁ ଏକା କଷ୍ଟ ପାଇବୁ କାହିଁକି? ସେ ଯଦି ଆଜି ତୋର ନୁହେଁ, ଆଗକୁ ସେ କାହାର ବି ନୁହେଁ। ଇଏ ଗୋଟିଏ ଏମିତି ଭୁଲ ଯାହାର ସମାଧାନ ମୃତ୍ୟୁ ନୁହେଁ ବରଂ ନିଜକୁ ଶକ୍ତ କରି ଆଗକୁ ବଢିବା।
ଋତୁ ,ଅଦିନିଆ ଝଡ଼ ରେ ଭାଙ୍ଗି ଯାଇଥିବା ସେ ଗଛ। ଯିଏ ପୁଣି ଥରେ କଅଁଳିଛି। ହେଲେ ଉପରୁ ଟାଣ ଦେଖାଯାଉଥିବା ସେ ଋତୁ ଭିତରୁ କିନ୍ତୁ ଭୟ, ଦୁଖ ଆଉ କୋହ ରେ ଭାଙ୍ଗି ପଡିଥିବା ଗୋଟିଏ ନିରୀହ ମନ ଟିଏ। ଯେଉଁ ଥିରେ ଅନେକ ବସା ବାନ୍ଧିବା ନେଇ ଆସିଛନ୍ତି।ହେଲେ ସେଦିନ ସେ ଅଦିନିଆ ଝଡ଼ ରେ ଉଡିଯାଇଥିବା ସେ ଚଢେଇ ର କଥା ମନେପଡିଲେ ଆଜି ବି ତା'ର ମନ ବିଷାକ୍ତ ହୋଇ ଉଠେ। କାଳେ ପୁଣି ଥରେ ଠୋକର ମିଳିବ ସେଥିପାଇଁ ସେ କେବେ ଦ୍ୱିତୀୟ ଥର ସଂସାର କରିବାର ସ୍ୱପ୍ନ ବି ଦେଖିନି।
ୟା ଭିତରେ ଅନେକ ଦିନ ବିତିଗଲାଣି। ବାପା, ମା' ପୁଣି ଥରେ ଆଦରି ନେଇଛନ୍ତି। ଯାହା ହେଲେ ବି ନିଜ ରକ୍ତ ର ଆକର୍ଷଣ କୁ କିଏ ବା ଏଡ଼ାଇ ପାରିବ। ସବୁ ଜାଣିବା ସତ୍ୱେ ବି ଋତୁ ର ବାପାଙ୍କ ଘନିଷ୍ଠ ବନ୍ଧୁ ଙ୍କ ପୁଅ ରାଜୀବ୍ ଋତୁ କୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ଆଗେଇ ଆସିଛି। ଋତୁ ର ଏକା ଜିଦ୍ ନାଁ। ତା' ପାଇଁ କିଏ ଦୟା ଦେଖାଇ ତା'ର ସ୍ୱାଭିମାନ କୁ ଶକ୍ତ ଆଘାତ କରୁ ସେ ଆଦୌ ଚାହେଁନା। ଆଉ ସେ କାହା ଉପରେ ବିଶ୍ବାସ ବି କରୁନି। ରାଜୀବ୍ ବି ଅନେକ ବୁଝେଇଲାଣି, ତଥାପି ସେ ମାନିବାକୁ ନାରାଜ।
ଋତୁ ଜାଣିଛି ରାଜୀବ୍ ବହୁତ ଭଲ ସ୍ୱଭାବ ର ପିଲା। ହେଲେ ଭଲ ପିଲା ବି ତ ଆକାଶ ଥିଲା। ହେଲେ ଭଲ ସାଥି ଟିଏ କ'ଣ ସିଏ ହୋଇପାରିଲା? ନାଁ ନା, ତେବେ ଆଉ ଥରେ ସଂସାର କରିବାର ଭୁଲ ସେ କେବେ ବି କରିବନି ବୋଲି ବାପାଙ୍କୁ ଶୁଣାଇଦେଲ।।
ସାଥି ବିନା ଜୀବନ ବେରଙ୍ଗ, ବେସୁରା ଆଉ ନିରର୍ଥକ ହେଲେ ବି ଚଳିବ, ମାତ୍ର ଜୀବନ ର ଚଲାବାଟ ରେ ଯଦି ଭୁଲ ସାଥି ଟିଏ ମିଳିଯିବ ଜୀବନ ସବୁ ଦିନ ପାଇଁ ଅନ୍ଧାରୀ ରାସ୍ତା ର ଦିଗହରା ପଥିକ ଭାବେ ଅଣନିଶ୍ୱାସୀ ହେଇ ପଡିବ। ଜୀବନ ଥାଇ କି ବି ମଣିଷ ଶବ ସହ ସମାନ ହେଇ ପଡିବ।
