Seetaram Dash

Tragedy Others

2  

Seetaram Dash

Tragedy Others

ସେଇ ଭୁଲ ପାଇଁ

ସେଇ ଭୁଲ ପାଇଁ

3 mins
487



       ଆର ସାହି ନଟ ଭାଇଙ୍କ ପୁଅ ପପୁକୁ ଛ ବର୍ଷ ପୁରିଲା। ଭାରି ଚଗଲା। ଆଜି କାହାକୁ ମାରିଲାଣି ତ କାଲି କାହାକୁ ଟେକା ପକାଇଲାଣି। କାହାକୁ ଛେପ ପକାଇଲାଣି ତ କାହାକୁ ବିଲୁଆ କୁକୁର କହିଲାଣି। ଛୋଟ ପିଲା କହି ସବୁ ଦୋଷ ଘୋଡାଇ ଦିଅନ୍ତି ବାପ,ମା। କେବେ କେମିତି ନଟ ଭାଇ ମାରିଲେ ପପୁର ବୋଉ କରି ବସନ୍ତି ମହାଭାରତ। କୁହନ୍ତି ତାର କଣ ମାଡ଼ ଖାଇବା ବୟସ ହେଲାଣି? ପିଲା ମାନେ ଏମିତି ଦୁଷ୍ଟ ହୁଅନ୍ତି, ତମେ ସବୁ କଣ ଏମିତି ମାଡ ଖାଇ ବଢିଥିଲ?


    ଦିନେ ନଡିଆ ବଗିଚାରୁ ନଡ଼ିଆ ତୋଳା ହେଉଥାଏ। ଆମେ ସମସ୍ତେ ବସି ଥାଉ। ସାହିର କିଛି ଲୋକ ବି ଥାଆନ୍ତି। ଚମାର (ଗଛ ଚଢାଳି) ଯେତେବେଳେ ଅଣ୍ଟାର ଦଉଡିକୁ ଗଛରେ ବାନ୍ଧି ଚଢ଼ିବାକୁ ଆରମ୍ଭ କଲା, ପପୁ ବଡ ପାଟିରେ କହିବାକୁ ଲାଗିଲା "ଦେଖ ଦେଖ ମାଙ୍କଡ଼ ଟା ଗଛରେ ଚଢୁଛି। ମାଙ୍କଡ଼ ଟାରେ ମାଙ୍କଡ଼"। ଗଛରେ ଚଢୁଥିବା ଲୋକ ଛୋଟ ପିଲା ଭାବି କିଛି କହିଲା ନି, ହେଲେ ମନେ ମନେ ବିରକ୍ତ ହେଉଥାଏ। ମୁଁ ନିଜକୁ ଆଉ ସମ୍ଭାଳି ପାରିଲିନି। ପାଖରେ ବସିଥିବା ପପୁର ଅଜାଙ୍କୁ ଧୀରେ କହିଲି "ପିଲାଙ୍କୁ ଟିକେ ଭଦ୍ରାମି ଶିଖାଅ"। ଛୋଟ ପିଲା ବୋଲି କଣ ମୁଣ୍ଡରେ ବସିବ ନା କଣ? ଲୋକ କଣ କହିବେ"। ପପୁର ଅଜା ବିରକ୍ତ ହୋଇ କହିଲେ, ଛୋଟ ଛୁଆ। ସେ ଭଲ ମନ୍ଦ କଣ ଜାଣିଛି। "ଆଲୋ ସଖି ଆପଣା ମହତ ଆପେ ରଖି" ନ୍ୟାୟରେ ମୁଁ ବି ଚୁପ ରହିଲି।


   ଦିନେ ପପୁ ବାପା, ବୋଉଙ୍କ ସହ ମାମୁଁ ଘରକୁ ଯିବା ପାଇଁ ବାହାରିଥାଏ। ଜେଜେ ଦାଣ୍ଡ ପିଣ୍ଡାରେ ବସିଥିଲେ। ପପୁ ଗଲାବେଳକୁ କହିଲା ଜେଜେ ଆମେ ସବୁ ଯାଉଛୁ। ଜେଜେ କହିଲେ ହଉ ଯାଅ। ପପୁ ତୁରନ୍ତ କହିଲା "ହଉ, ହଉ ଭଲ କରି ଖାଇବ ଯେ, ହାତରେ ରୋଷେଇ କରି"। ମୁଁ ଟିକେ ଦୂରରେ ଛିଡା ହୋଇଥିଲି,ଦେଖିଲି ଜେଜେଙ୍କ ମୁହଁ ଶୁଖି ଗଲା।କିନ୍ତୁ ଆଶ୍ଚର୍ଯ୍ୟ ହେଲି ଏତେ ଛୋଟ ପିଲା ଏସବୁ କଥା ଶିଖୁଛି କେମିତି? 


     ଆମ ବାରିପଟେ ଘରକୁ ଲାଗି ଛୋଟ ବଗିଚାଟିଏ। ଅନେକ ପ୍ରକାର ଜାତି ଜାତିକା ଫୁଲ ଗଛ। ଚାରିପଟେ ବାଉଁଶର ବାଡ଼। ଭିତରକୁ ଯିବାକୁ ଛୋଟ ବାଉଁଶ ତାଟି। ମୁଁ ବଗିଚାଟିର ବହୁତ ଯତ୍ନ ନିଏ। ଦିନେ ନିରାଟ ଖରାବେଳେ ପପୁ ବଗିଚା ଭିତରେ ପଶି ସବୁ ନାରଖାର କରିଦେଲା। ଗଛ ଗୁଡିକର ଡାଳ ପତ୍ର ଭାଙ୍ଗି ସବୁ ଭୂମିରେ ପଡିଥିଲା। ଏସବୁ ଦେଖି ମୋ ମନ ବହୁତ ଦୁଃଖ ହେଲା। ମୁଁ ନିଜକୁ ଆଉ ରୋକି ପାରିଲିନି। ରାଗରେ ଦୁଇ ଚାରିଟା ଥାପଡ଼ ବସେଇ ଦେଲି ଦୁଇ ଗାଲରେ। ପପୁର କାନ୍ଦ ଶୁଣି ପଡିଶା ଘର ଅନୁ ମାଉସୀ ଦୌଡ଼ି ଆସିଲେ। ମାଉସୀ ବହୁତ ସୁନ୍ଦର ମଣିଷ। ସମସ୍ତେ ତାଙ୍କୁ ଭଲ ପାଆନ୍ତି ଏବଂ ଆଦର କରନ୍ତି। ପ୍ରଥମେ ସେ ପପୁକୁ କୋଳେଇ ନେଇ ଚୁପ କରାଇଲେ। ମୁଁ ତାଙ୍କୁ, ପପୁ ବିରୋଧରେ ଅନେକ କିଛି କହିଲି। ଅନୁ ମାଉସୀ ସବୁ ଶୁଣିଲେ, ଧୀର ଏବଂ ଶାନ୍ତ ସ୍ୱରରେ କହିଲେ ଦୋଷ ପିଲାଟିର ନୁହେଁ। ଛୋଟ ଶିଶୁ ଈଶ୍ୱରଙ୍କ ପ୍ରତିରୂପ। ସେମାନେ କଣ ଭଲ ମନ୍ଦ ଜାଣିଲେଣି? ଆମେ ଯାହା ଶିଖାଇବା, ସେମନେ ତାହା ଶିଖିବେ। ଭଗବାନ କାହାକୁ ବି ମନ୍ଦ କରି ଗଢ଼ି ନଥାନ୍ତି। ପରିସ୍ଥିତିରେ ପଡ଼ି କିଏ କେମିତି ହୁଏ। ତେଣୁ କାହାକୁ ଖରାପ କହିବା ଆଗରୁ ନିଜକୁ ସେ ପରିସ୍ଥିତିରେ ରଖିବା ଦରକାର।


   ସେ ଦିନ ଉପର ବେଳା (ଅପରାହ୍ନ)ରେ ପପୁର ବୋଉ ଆସିଲେ। ପପୁର କାର୍ଯ୍ୟକଳାପ ତାଙ୍କୁ ବ୍ୟଥିତ କରିଥାଏ। ଭିତରେ ଭିତରେ ତାଙ୍କର ଅନୁତାପର ବହ୍ନି ଜଳୁଥାଏ। ବିନମ୍ରତା ସହିତ ମୋ ନିକଟରେ କ୍ଷମା ମାଗି କହିଲେ, ପିଲାଟି ପାଇଁ କାହାଠୁ କଣ ନ ଶୁଣିଛି। ମୋର ସବୁ ରାଗରୁଷା କୁଆଡେ ଉଭେଇ ଗଲା କ୍ଷଣକ ମଧ୍ୟରେ। ମୁଁ ପଚାରିଲି, ପପୁ ଏମିତି କାହିଁକି?


   ସେ କହିବା ଆରମ୍ଭ କଲେ.. "ଆଠ ବର୍ଷର ତଳର କଥା। ମୁଁ ଏ ଘରେ ବର୍ଷକର ବୋହୂ। ଭାଇ ତୁମର ରୁହନ୍ତି ବାହାରେ। ଘରେ ସବୁଠୁ ସବୁ କାମ ଏକା କରିବାକୁ ପଡେ। ତା ଉପରେ ଟାହି, ଟାପରା। ଅନେକ ଦୁଃଖ ଅନେକ ଯନ୍ତ୍ରଣା। ପପୁ ସେତେବେଳେ ପେଟରେ ଥାଏ। ସେଇଥିରେ ଘର ବାହାର ସବୁ କାମ, ତା ସହିତ ଶାଶୁ ଶଶୁରଙ୍କୁ ଟାଇମରେ ରୋଷେଇ କରି ଦେବାକୁ ପଡ଼ିବ। ଟିକେ ଡେରି ହେଲେ ଶଶୁର ଭାତ ଥାଳି ଦୁଆରକୁ ପିଙ୍ଗି ଦେବେ। ଆଉ ଶାଶୁଙ୍କ କଥା ନ କହିବା ଆହୁରି ଭଲ। ଏମିତି ସବୁଦିନ ମରିବା ଅପେକ୍ଷା ଦିନେ ମରିଯିବା ଭଲ। ଆଉ ସହି ପାରିଲିନି। ଦିନେ କିଛି ବିଷାକ୍ତ ଔଷଧି ଖାଇଥିଲି ଏସବୁରୁ ମୁକ୍ତି ପାଇଁ। କିନ୍ତୁ ଈଶ୍ଵରଙ୍କ ଇଚ୍ଛା ଅନ୍ୟ କିଛି ଥିଲା। ଦୁଇଦିନ ମେଡ଼ିକାଲରେ ମୃତ୍ୟୁ ସହ ସଂଗ୍ରାମ କରି ପୁଣି ଫେରି ଆସିଥିଲି ଏ ଅଲୋଡ଼ା ଦୁନିଆକୁ। କିନ୍ତୁ ପପୁ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା। ଆଉ ଡାକ୍ତର ବି କହିଥିଲେ ଅନ୍ୟ ଶିଶୁମାନଙ୍କ ଭଳି ସମ୍ପୂର୍ଣ୍ଣ ବିକାଶ ହୋଇ ପାରିବନି। ହେଲେ ପପୁ ଈଶ୍ୱରଙ୍କ ଅପାର କରୁଣାରୁ ସୁସ୍ଥ ଅଛି କିନ୍ତୁ ଅନ୍ୟ ପିଲାଙ୍କ ଠୁ ସେ ଟିକେ ଭିନ୍ନ। ତା ପ୍ରତି ମୁଁ ଯେଉଁ ଅନ୍ୟାୟ କରିଛି, ନିଜକୁ ନିଜେ କେବେ ବି କ୍ଷମା କରି ପାରିବିନି। କେବଳ ସେଇ ଭୁଲ ପାଇଁ ପପୁ ଯେତେ ଭୁଲ କଲେବି ମୋ ହାତ ଉଠେନି ତା ଉପରକୁ"। ଏତିକି କହୁ କହୁ ଦୁଇ ଧାର ଲୁହ ତାଙ୍କ ଆଖିରୁ ବହି ଆସିଥିଲା....


 


Rate this content
Log in

Similar oriya story from Tragedy