Lopamudra Mishra

Tragedy

3.9  

Lopamudra Mishra

Tragedy

ସେହି ଦୁଇ ଗୋଇଠି

ସେହି ଦୁଇ ଗୋଇଠି

14 mins
320


     

ଗାଁର ପୁରୁଣା ଏକତାଲା କୋଠାଘରର ଛୋଟିଆ ଛାତ ଉପରେ ଶୀତ ସକାଳର କଅଁଳ ଖରା ବିଛାଡ଼ି ହେଇ ପଡିଛି l ମାଆ ଆଗଭଳି ଆଉ ଉପରକୁ ଏତେ ଆସିପାରନ୍ତିନାହିଁ ତଥାପି ଛାତ ଉପରଟାକୁ ବେଶ୍ ପରିଷ୍କାର ପରିଚ୍ଛନ ରଖିଛନ୍ତି ଠିକ୍ ତାଙ୍କ ନିଜ ସଫା ହୃଦୟ ପରି l ଛାତର ଆଗ ପଟକୁ ଛୋଟ ଛୋଟ ମାଟିର କୁଣ୍ଡରେ ବାପା ଗେଣ୍ଡୁ ଓ ଗୋଲାପ ଫୁଲ ଫୁଟେଇଛନ୍ତି l ମାଆ ବି ଛାତ ଉପରେ ଇଟା ଆଡ଼ ଦେଇ, ମାଟି ଭର୍ତ୍ତି କରି ସେଥିରେ ଧାନୁଆଁ ଲଙ୍କା ଓ ବାଇଗଣ, ଭେଣ୍ଡି ଗଛ କେତୋଟି ଲଗେଇଛନ୍ତି l "ମାଆ ହାତରେ ଗଛ ଭଲ ହୁଏ", ବାପା ସବୁବେଳେ କହନ୍ତି l


  ପ୍ରତ୍ୟୁଷ ଓ ପ୍ରାଚୀ ପିଲାଦିନେ ଏଇ ଘର ତିଆରି ବେଳେ ବାପା ଓ ମିସ୍ତ୍ରୀଙ୍କୁ କହି ବାଘଛେଳି ଓ ଲୁଡୁ ଖେଳର ଘର ଛାତ ଉପରେ ଠିକ ସେହି ପୁଣ୍ଟିଆ ଗଛର ଛାଇ ତଳକୁ ତିଆରି କରେଇଥିଲେ l ସିମେଣ୍ଟରେ ଗାର ପକା ସେହି ଘରଗୁଡିକ ଲିଭି ଲିଭି ଆସିଲାଣି l ପୁଣ୍ଟିଆ ଗଛଟା କେବେଠୁଁ କଟା ହେଇସାରିଲାଣି, ପ୍ରାଚୀର ବାହାଘର ପୂର୍ବରୁ l ପ୍ରତ୍ୟୁଷ ଚା' କପ୍ ଧରି ଛାତ ମଝିରେ ପଡ଼ିଥିବା ସପ ଉପରେ ଆସି ବସିଲା l ବାପା ସକାଳୁ ସକାଳୁ ଯୋଗ କରିବାକୁ ଆସି ସପଟା ପକେଇ ଦେଇଯାଇଛନ୍ତି l ମାଆ ବି ଗାଧୋଇ ସାରି ତାଙ୍କ ସୂତାଶାଢ଼ିଟାକୁ ତାର ଉପରେ ଶୁଖେଇ ଦେଇଯାଇଛନ୍ତି l 


  ଚା' ରୁ ଢୋକେ ଢୋକେ ପାଟିକୁ ନେଉ ନେଉ ପ୍ରତ୍ୟୁଷ ଭାବୁଥିଲା ପୁରୁଣା କଥା l କେମିତି ଶୀତଦିନେ ଏଇ ତାଙ୍କରି ଛାତଟି ସକାଳୁ ସକାଳୁ ଭାରି ବ୍ୟସ୍ତମୟ ହୋଇଉଠେ l ଛାତ ଉପରେ ଖରାଟିଆ ଜାଗା ଦେଖି ସପ ବିଛେଇ ଦିଆଯାଏ l ଗୋଟେ ପାଖରେ ବାପା ଖବର କାଗଜ ଓ ଚା' କପ୍ ଧରି ବସନ୍ତି l ଆର ପାଖରେ ପ୍ରାଚୀ ଓ ପ୍ରତ୍ୟୁଷ ବହି ଖାତା ଖୋଲି ପାଠ ପଢିବାକୁ ବସିଯାଆନ୍ତି l ମାଆ ମଝିରେ ମଝିରେ ଆସୁଥାନ୍ତି ଲୁଗା ଶୁଖେଇବାକୁ, ଆଚାର ଡବା ଖରାରେ ରଖିବାକୁ, ବଡ଼ି ଶୁଖେଇବାକୁ, ବାପାଙ୍କ ପାଖରୁ କପ୍, ଗ୍ଲାସ୍ ଉଠେଇ ନେବାକୁ ଓ ତଳେ ବାପାଙ୍କୁ କେହି ଖୋଜୁଛନ୍ତି କହିଯିବାକୁ l 

  ଜେଜେଙ୍କ ସମୟରୁ ଜାଗା ବାଡ଼ି ବାଣ୍ଟ ହେଲାବେଳେ ପ୍ରତ୍ୟୁଷର ବାପାଙ୍କୁ ଘରଢିହ ହିସାବରେ ଖୁବ୍ କମ୍ ଜାଗା ମିଳିଥିଲା l ସେଥିପାଇଁ ଶୀତଦିନେ ଖରାରେ ବସା ଉଠା କରିବା ପାଇଁ ସେମାନେ ଛାତ ଉପରଟା ଉପରେ ହିଁ ନିର୍ଭର କରୁଥିଲେ l


    ପ୍ରତ୍ୟୁଷ ପିଲାବେଳୁ ଦେଖିଛି ଯେତେ ଶୀତ ପଡିଲେ ବି ମାଆ କେବେ ଛାତ ଉପରେ ଖରାରେ ବସି ଖରା ପୁଅଁନ୍ତି ନାହିଁ,ବାପାଙ୍କ ସହ ଗପନ୍ତି ନାହିଁ l ସେ ସବୁବେଳେ ତାଙ୍କ କାମରେ ଲାଗିଥାନ୍ତି l ଖୁବ୍ ସକାଳୁ ଗାଧୋଇ ପଡ଼ନ୍ତି,ଠାକୁର ପୂଜା କରନ୍ତି, ଚା' ବସାନ୍ତି, ଜଳଖିଆ ତିଆରି କରନ୍ତି,ସମସ୍ତଙ୍କ ଲୁଗାପଟା ସଫାକରି ଧୋଇ ଛାତ ଉପରେ ନେଇ ଶୁଖାନ୍ତି l ସକାଳର ସବୁ କାମ ସରିଲେ ପୁଣି ରୋଷେଇ ଘରେ ରୋଷେଇ କାମରେ ଲାଗିପଡନ୍ତି l ମାଆଙ୍କୁ ଫୁରସତ୍ ନଥାଏ l ସେ ଉପରୁ ତଳ, ତଳୁ ଉପର ହେଉଥାନ୍ତି l ଶୀତଦିନେ ମାଆଙ୍କ ପାଦ ତଳ ଓ ଗୋଇଠି ଫାଟେ l ହାତକୁ ଆଞ୍ଛୁଆଞ୍ଛୁଡ଼ିଆ ଲାଗେ l ବାପା କହନ୍ତି, "ସେ ଫଟା ଗୋଇଠିରେ କେତେ ଏପଟ ସେପଟ ହେଉଛ ? ମନେ କରିକି ରାତିରେ ଟିକେ ମଲମ ଲଗାଅ ସେଥିରେ" l ମାଆ ହସିଦେଇ, "ହଁ ଲଗେଇବି " କହି ଚାଲିଯାଆନ୍ତି l 


       ଶୀତଋତୁ ଆରମ୍ଭ ହେଉଣୁ ମାଆ ପୁରୁଣା କମ୍ବଳ, ଚଦର,ସାଲ୍,ସ୍ଵେଟର୍, ଉଲ୍ ର ମଙ୍କି ଟୋପି, ମଫ୍ଲର୍, ସ୍କାର୍ଫ୍ ସବୁ ଶୀତ ଦିନିଆଁ ଲୁଗାପଟା ଟ୍ରଙ୍କ୍, ଆଲମିରାରୁ କାଢିଆଣି ସଫାକରି ଖରାରେ ପକେଇ ଆଲଣା ଓ ଶୋଇବାଘର ଭିତରେ ପଡ଼ିଥିବା ଲଙ୍ଗବେଞ୍ଚ୍ ଉପରେ ଥାକକରି ରଖନ୍ତି l ମାଆ ଶୀତଲୁଗା ସବୁ ସଫା କରିବାକୁ କାଢୁଥିଲା ବେଳେ ସବୁଥିରୁ ଗନ୍ଧକର୍ପୁରର ବାସ୍ନା ବାହାରୁଥାଏ l ମାଆ ଭଲକରି ସଫାକରି ସେଥିରେ ଗନ୍ଧକର୍ପୁର ଦେଇ ରଖିଥାନ୍ତି, ବାହାର କଲାପରେ ଆଉଥରେ ସଫାକରନ୍ତି l ସମସ୍ତେ କହନ୍ତି ଶୀତଦିନ ଶୋଇବାକୁ ଭଲ l ଶୀତ କାଳେ ସଭିଙ୍କୁ ଅଳସୁଆ କରିଦିଏ l କିନ୍ତୁ ପ୍ରତ୍ୟୁଷ ଦେଖିଛି ତା' ମାଆ ସବୁ ଋତୁ ପରି ଶୀତରେ ବି ଡେରିରେ ଶୁଅନ୍ତି ଏବଂ ଶୀଘ୍ର ଉଠନ୍ତି l ମାଆମାନଙ୍କୁ ବୋଧେ ଅଳସେଇ ଯାଇ ଟିକେ ନିଜ ପାଇଁ ବଞ୍ଚିଯିବା ମନା l ପ୍ରତ୍ୟୁଷକୁ ସେମିତି ହିଁ ଲାଗେ ତା' ମାଆଙ୍କୁ ଦେଖିଲେ l


     ଗୋଟେ ଥର ଶୀତରେ ପ୍ରତ୍ୟୁଷର ସାନ ପିଉସୀ ବୁନିନାନୀ ଆସିଥିଲେ l ସେ ତାଙ୍କ ସ୍ୱାମୀଙ୍କ ସହ ଦିଲ୍ଲୀରେ ରହନ୍ତି l ଦିଲ୍ଲୀରୁ ଆସିଲାବେଳେ ପ୍ରତ୍ୟୁଷର ବାପାଙ୍କ ପାଇଁ ସୁନ୍ଦର ଜ୍ୟାକେଟ୍ ଟିଏ ଓ ପ୍ରତ୍ୟୁଷ ଓ ପ୍ରାଚୀଙ୍କ ପାଇଁ ଉଲେନ୍ ସ୍ଵେଟର୍ ଦୁଇଟି କିଣିଆଣିଥିଲେ l ସେଠି ସବୁ ଉଲ୍ ଜିନିଷ ଶସ୍ତାରେ ମିଳେ ବୋଲି ସେ କହୁଥିଲେ l ବୁନିନାନୀ ସମସ୍ତଙ୍କୁ ସବୁ ଜିନିଷ ଦେଇସାରିଲା ପରେ ବ୍ୟାଗ୍ ଭିତରୁ ଫିକା ଗୋଲାପି ରଙ୍ଗର ହଳେ ମୋଜା ବାହାରକରି ପ୍ରତ୍ୟୁଷର ମାଆଙ୍କୁ ଡାକି ସେଇଟି ଦେଖେଇ କହିଥିଲେ, "ଭାଉଜ ଏଇ ହଳକ ତୁମେ ରଖ l ତୁମ ତଳିପା ଫାଟି ଆଁ କରିଛି l ୟାକୁ ପିନ୍ଧି ଚଲାବୁଲା କଲେ ଟିକେ ଆରାମ ଲାଗିବ" l ମାଆ ରଖିଲେ l ପିନ୍ଧିନଥିଲେ, ପ୍ରାଚୀ ଦିନେ ଥାକ ଉପରେ ସେଇଟି ଦେଖିନେଇ ମାଆଙ୍କୁ ପଚାରିଲା, "ମାଆ ଏ ଲେଡ଼ିଜ୍ ସକ୍ସ୍ କାହାର ? ବହୁତ ସୁନ୍ଦର ହେଇଛି ତ ! ମୁଁ ଏଇଟା ନେଉଛି ପିନ୍ଧିବି ? " l ମାଆ ହସିଦେଇ କହିଥିଲେ, "ନେ ପିଇନ୍ଧେ l ମୋତେ ତୋ ବୁନିନାନୀ ଦେଇଯାଇଥିଲା l ମୋର ତ ସବୁବେଳେ ପାଣିରେ କାମ l ଗୋଡ଼ ଶୁଖିଲା ରହୁଛି କେତେବେଳେ ଯେ ପିନ୍ଧିବି ? ତୁ ନେଇଯାଆ ପିନ୍ଧିବୁ l ଏ ଯୋଉ ଶୀତ ପଡିଛି,ଚଟାଣ ପା ବରଫ ଭଳି ଥଣ୍ଡା ହେଇଯାଉଛି l ତୁ ଘରେ ଏବେ ଏଇ ମୋଜା ପିନ୍ଧିକି ଚାଲବୁଲ କର "l


    ମାଆଙ୍କ ପାଦ ତଳିପା ଫାଟେ ବୋଲିକି କ'ଣ ମାଆ କେବେ ପାଦରେ ଅଳତା ଲଗାନ୍ତିନି l ଶୀତ ଦିନେ ବିଛଣାକୁ ଯିବା ପୂର୍ବରୁ ମାଆ ଗରମ ପାଣିରେ ପାଦକୁ ଭଲକରି ଧୋଇକି ତାଙ୍କ ଶୋଇବା ଘରକୁ ଯାଆନ୍ତି l ବାପା ଗୋଟେ ଗୋଡ଼ଫଟା ମଲମ ଆଣିଦେଇଥିଲେ, ମାଆ ଗୋଡ଼ ଧୋଇକରି ମଲମ ଲଗେଇ ଶୁଅନ୍ତି l ମଲମ ନଲଗେଇ ଶୋଇଲେ ବାପା ରାଗନ୍ତି l ତଥାପି କାହଁକି କେଜାଣି ମାଆଙ୍କର ତଳିପା ଫାଟିବା ଟିକେ ବି କମେନାହିଁ !


    କେତେ କେତେ ଶୀତ, ଖରା ଓ ବର୍ଷା ଆସିଛି ଆଉ ଯାଇଛି, ପ୍ରତ୍ୟୁଷ ମାଟ୍ରିକ୍ ସାରି କଟକ ଯାଇଛି ପଢିବା ପାଇଁ l ପ୍ରାଚୀ ଗାଁ ସ୍କୁଲରୁ ପାଠ ଶେଷକରି ବିରଜା ଓମେନ୍ସ୍ କଲେଜରେ ନାଁ ଲେଖେଇଛି l ପ୍ରତ୍ୟୁଷର ଏହି ବ୍ୟାଙ୍କ୍ ଚାକିରୀଟା ହେବାର ଛଅମାସ ଆଗରୁ ଓ ପ୍ରାଚୀର ଗ୍ରାଜୁଏସନ୍ ଦ୍ୱିତୀୟ ବର୍ଷର ପ୍ରଥମ ସେମିଷ୍ଟାର୍ ପରୀକ୍ଷା ପୂର୍ବରୁ ହିଁ ଅଂଶୁମାନ ତାଙ୍କ ପରିବାର ଲୋକଙ୍କୁ ସାଙ୍ଗରେ ଧରି ଆସିଛନ୍ତି ପ୍ରାଚୀର ହାତ ମାଗିବାକୁ l ବାପା ଓ ମାଆ ପ୍ରାଚୀର ଭୟମିଶା ଲାଜୁଆ ମୁହଁକୁ ଦେଖି ସେହି ମାର୍ଗଶୀରକୁ ହିଁ ବିବାହ ପାଇଁ ସମ୍ମତି ଜଣେଇଛନ୍ତି l 


 ପ୍ରାଚୀ ବାହାଘରକୁ ଏପଟ ସେପଟ ହେଇ ମାଆଙ୍କର ଗୋଡ଼ ତଳିପା ସେ ବର୍ଷ ଶୀତରେ ବହୁତ ଫାଟିଥିଲା l ପ୍ରାଚୀ ଶାଶୂଘରକୁ ଚାଲିଗଲା ପରେ ମାଆ ସନ୍ଧ୍ୟାରେ ରୋଷେଇଘର ଆଗରେ ଏକା ବସି ପାଦ ତଳିପାକୁ ଆଉଁସୁ ଆଉଁସୁ କାନ୍ଦୁଥିଲେ l ବାପା ମଲମଟେ ଧରି ଚୁପଚାପ୍ ଯାଇ ମାଆଙ୍କ ପାଦରେ ମାଲିସ୍ କରୁଥିବା ପ୍ରତ୍ୟୁଷ ଦେଖିନେଇ ରୋଷେଇ ଘର ବାରଣ୍ଡା ପାଖରୁ ଫେରିଆସିଲା l ଆଉ କହିବାକୁ ଇଚ୍ଛା କଲାନି ଯେ ସେହି ସନ୍ଧ୍ୟାରେ ମାଆଙ୍କ ହାତ ତିଆରି ମସଲା ଚା' ରୁ ଗୋଟେ କପ୍ ତା'ର ଦର୍କାର ଥିଲା l 


     ପ୍ରତ୍ୟୁଷର ଚାକିରୀ, ପ୍ରାଚୀର ବାହାଘର, ବାପାଙ୍କ ରିଟାଏର୍ଡମେଣ୍ଟ୍,ଟିଭିରେ ଓଡ଼ିଆ ସିରିଏଲ 'ତାସର ଘର' ର ଶେଷ ଅଧ୍ୟାୟ, ଓଡିଶାରେ ନୂଆ ସର୍କାର ସବୁକିଛି ସମୟ ସହ ତାଳଦେଇ ସମୟ ଅନୁସାରେ ନୂଆରୁ ପୁରୁଣା ହେଉଥିଲେ, କିନ୍ତୁ ଗାଁ ଘରେ ଶୀତଦିନ ସେମିତି ହିଁ ଆଗପରି ଆସୁଥିଲା ମେଞ୍ଚାଏ ଗେଣ୍ଡୁ ଓ ହରଗୋୖରା ଫୁଲ, ଛାତ ଉପରେ କିଛି ଶୀତଦିନିଆଁ ପରିବା ଗଛ, ଛାତ ମଝିରେ ବାପାଙ୍କ ଖବର କାଗଜ ସହ ଚା' ର ଆସର ଓ ମାଆଙ୍କର ସେହି ଚିରାଚରିତ ଗୋଡ଼ ତଳିପା ଫଟାକୁ ସାଙ୍ଗରେ ଧରି l


     ପ୍ରତ୍ୟୁଷ ତା' ଚାକିରୀର ପ୍ରଥମ ଦରମା ପାଇଲା ପରେ ଗାଁକୁ ଆସିଥିଲା ବାପା, ମାଆଙ୍କ ପାଇଁ ନୂଆ କପଡା ନେଇ l ଶ୍ରୁତିର ସୁନ୍ଦର ଫୋଟୋଟେ ବି ମୋବାଇଲ୍ ରୁ କାଢି ମାଆଙ୍କୁ ଦେଖେଇ ଅଳି କରିଥିଲା ବାପାଙ୍କୁ ଯେମିତି ହେଲେ ରାଜି କରେଇନେବାକୁ l ସେହିଥର ପ୍ରତ୍ୟୁଷ ଗଲାପରେ ପୁଣି ଯାଇ ଫେରିଥିଲା ନୂଆବର୍ଷ ପୂର୍ବରୁ ଡିସେମ୍ବର୍ ପଚିଶରେ l ସକାଳୁ ଚା' ପାଇଁ ମାଆଙ୍କୁ ଖୋଜି ଖୋଜି ରୋଷେଇ ଘର ଆଡ଼କୁ ଗଲାବେଳେ ଦେଖିଲା, ସେ ପୂର୍ବଥର ଛାଡ଼ି ଯାଇଥିବା ତା'ର ପୁରୁଣା ମୋଜାଟାକୁ ମାଆ ଗୋଡ଼ରେ ଗଳେଇ ତାହାର ଢିଲା ହେଇଯାଇଥିବା ଉପରି ଭାଗରେ ଇଲାସ୍ଟିକ୍ ରବର୍ ଗୁଡାଉଛନ୍ତି l ପ୍ରତ୍ୟୁଷକୁ ଟିକେ ଖରାପ ଲାଗିଲା l ମାଆଙ୍କ ପାଖକୁ ଯାଇ କହିଲା, "କ'ଣ ମାଆ ଏ ପୁରୁଣା ଢିଲା ସକ୍ସ୍ ଟାକୁ ଏମିତି ପିନ୍ଧୁଛୁ ଯେ ? ବାପାଙ୍କୁ କହିଲୁନି ବଜାରରୁ ହଳେ କି ଦୁଇହଳ ନୂଆ କିଣିଆଣିବାକୁ ? ରହ ଆଜି ସନ୍ଧ୍ୟାରେ ମୁଁ ତୋ ପାଇଁ ନୂଆ ମୋଜା ଦୁଇ,ତିନି ହଳ କିଣି ଆଣୁଛି l ତୁ ସେ ପୁରୁଣା ଜେଣ୍ଟ୍ସ୍ ସକ୍ସ୍ ପିନ୍ଧ୍ ନାହିଁ l 


-- ଆରେ ମୋଜା ତ ମୋଜା ସେଥିରେ ପୁଣି ଜେଣ୍ଟ୍ସ୍ ଲେଡିଜ୍ କ'ଣ କିରେ ? ଏଇ ତଳିପାଟା ଫାଟିକି ବଥା ଲାଗୁଛି ତ ସେଥିପାଇଁ ଏଇଟା ସକାଳୁ ଟିକେ ଗୋଡ଼ରେ ଗଳେଇ କାମ କଲେ ଆରମ୍ ଲାଗୁଛି l ମୋର ନୂଆ ମୋଜା କ'ଣ ହେବ ? ଏଇ ଆଉ ଟିକେ ପରେ ଖରା ପଡିଆସିଲେ ପାଣିରେ କେତେ କାମ, ମୋ ପାଦ କ'ଣ ଆଉ ଶୁଖିଲା ରହିପାରିବ ଯେ ପିନ୍ଧିବି ? ସକାଳୁ ସକାଳୁ ଟିକେ ବେଶି ଥଣ୍ଡା ପଡୁଛି ତ ତୋରି ପୁରୁଣା ମୋଜା ଟିକେ ପିନ୍ଧି ପକାଉଛି l ହଉ ତୁ ଯାଇ ଦେଖେ ଛାତ ଉପରେ ଖରା ପଡ଼ିଲାଣି କି ନାହିଁ, ମୁଁ ଚା' ନେଇକି ଯାଉଛି l


    ପ୍ରତ୍ୟୁଷ ସେଦିନ ସନ୍ଧ୍ୟାରେ ବଜାର ଗଲା l ସ୍କୁଲ୍ ସାଙ୍ଗ ମାନଙ୍କ ସହ ଦେଖା କଲା ଓ ଫେରିଲା ବେଳକୁ ମାଆଙ୍କ ପାଇଁ ଦୁଇହଳ ସୁନ୍ଦର ଲେଡିଜ୍ ସକ୍ସ୍ ନେଇକରି ଆସିଲା l ମାଆ ବହୁତ ଖୁସି ହେଲେ ସାମାନ୍ୟ ମୋଜା ଦୁଇହଳ ପାଇ l ମାଆଙ୍କ ପାଦରେ ନୂଆ ମୋଜା ଦେଖି ପ୍ରତ୍ୟୁଷ ବି ଖୁସି ହେଲା l ଛୁଟି ସରିଗଲା, ପ୍ରତ୍ୟୁଷ ଫେରିଗଲା l ପୁଣି ଛୁଟି ଦେଖି ଆସିଲାବେଳକୁ ଛାତ ଉପରେ ଆଉ ଶୀତଦିନିଆଁ କଅଁଳ ଖରା ନାହିଁ, ତା' ବଦଳରେ ମୁଣ୍ଡ ଫଟା ଗ୍ରୀଷ୍ମର ରୌଦ୍ର l


  ସେହିଥର ଯେଉଁ ପ୍ରତ୍ୟୁଷ ଘରକୁ ଆସିଥିଲା, ଦିନେ ଖରାଦିନିଆଁ ସଞ୍ଜବେଳେ ଶ୍ରୁତିର ବାପା ଓ ମଉସା ଆସି ପହଞ୍ଚିଲେ ପ୍ରତ୍ୟୁଷଙ୍କ ବାପା, ମାଆଙ୍କ ସହ ବିବାହ ବିଷୟରେ ଆଲୋଚନା କରିବାପାଇଁ l ଜ୍ୟେଷ୍ଠରେ ଜ୍ୟେଷ୍ଠ ସନ୍ତାନର ବିବାହ କରିବାକୁ ପ୍ରତ୍ୟୁଷର ବାପା ରାଜିହେଲେନାହିଁ l ବର୍ଷାରେ ବାହାଘର କରେଇବାକୁ ବି କେହି ସମ୍ମତି ଦେଲେନାହିଁ l ଲଗ୍ନ କରି ମାର୍ଗଶୀର ଯାଏଁ ବାହାଘର ଘୁଞ୍ଚେଇ ରଖିଦେବାକୁ ସମସ୍ତେ ପ୍ରସ୍ତାବ ଦେଲେ l ସଭିଙ୍କ ମନକୁ କଥାଟା ପାଇଲା l ପ୍ରତ୍ୟୁଷ କିନ୍ତୁ ଟିକେ ଉଦାସ ଉଦାସ ଦିଶିଲା l ସେ ବୋଧେ ଶ୍ରୁତିକୁ ଖୁବ୍ ଶୀଘ୍ର ନିଜ ପାଖରେ ପାଇବାକୁ ଚାହୁଁଥିଲା l  


    ପ୍ରତ୍ୟୁଷ ବାହା ହେଲା ଶୀତର ଆରମ୍ଭରେ l ଶୀତଳ ପଡିଆସୁଥିବା ପୃଥିବୀରେ ଦୁହିଁଙ୍କ ନୂଆ ସମ୍ପର୍କର ଉଷ୍ମତା ଦୁହିଁଙ୍କୁ ନୂଆ ଏକ ମନୋରମ ଦୁନିଆଁକୁ ନେଇଯାଉଥିଲା l ସେମାନଙ୍କ ପାଇଁ ଏ ଋତୁ,ଏ କାକର ବିନ୍ଦୁ,ଏ କୁହୁଡ଼ିଆ ସକାଳର ଦୃଶ୍ୟ ସବୁକିଛି ଥିଲା ସୁନ୍ଦର l ଏମିତିକି ରାତିର ହାଡ଼ଭଙ୍ଗା ଶୀତ ଓ ପରସ୍ପରଙ୍କ ରୁକ୍ଷ ତ୍ୱଚା ବି ସେମାନଙ୍କୁ ସୁକୋମଳ ମନେ ହେଉଥିଲା l 


  ଶ୍ରୁତି ଓ ପ୍ରତ୍ୟୁଷଙ୍କ ପାଇଁ ସେହି ବର୍ଷ ଶୀତର ସବୁକିଛି ଜିନିଷ କୋମଳ ହେଇଉଠିଥିବା ବେଳେ ମାଆଙ୍କର ପାଦଫଟାର ରୁକ୍ଷତା ସେଥର ବେଶି ବଢିଯାଇଥିଲା l ମାଆ ଖାଲି ପାଦରେ ବାହାଘରର ଯାବତୀୟ କାମ କରିବା ଦ୍ୱାରା ତାଙ୍କ ହାତ ଓ ପାଦ ଉଭୟ ସେ ବର୍ଷର ଥଣ୍ଡା ଓ ଶୀତରେ ଭୀଷଣଭାବେ ପ୍ରଭାବିତ ହୋଇଥିଲେ l ମାଆଙ୍କ ପାଦ ତଳ ଛିଣ୍ଡିଯାଇ ରକ୍ତ ବି ବାହାରିଥିଲା l ସେ କିନ୍ତୁ ବେଶ୍ ଖୁସି ଥିଲେ ଶ୍ରୁତି ପରି ସୁନାନାକୀ ନୂଆବୋହୂକୁ ପାଇ l 


    ପ୍ରତ୍ୟୁଷ ବାହାହେଲା ପରେ ବି ଛୁଟି ଦେଖି ଶ୍ରୁତିକୁ ସାଙ୍ଗରେ ଧରି ଗାଁକୁ ପ୍ରାୟ ଆସେ l ପ୍ରାଚୀ ମଧ୍ୟ ତା' ପୁଅ ରୋନକ୍ ସାଙ୍ଗରେ ବେଳେ ବେଳେ ବୁଲିଆସେ ବାପା ମାଆଙ୍କୁ ଦେଖା କରିବାକୁ l କିନ୍ତୁ ଏହି କିଛି ବର୍ଷ ହେବ ପ୍ରତ୍ୟୁଷ ଆଉ ଶ୍ରୁତିକୁ ସବୁଥର ସାଙ୍ଗରେ ଧରି ଆସିପାରୁନି l ଶ୍ରୁତି ନୂଆକରି ଚାକିରୀରେ ଜଏନ୍ କରିଛି, ଗୋଟେ ବେସରକାରୀ ସଂସ୍ଥାରେ l ତା'କୁ ବେଶି ଛୁଟି ମିଳୁନି l ଲମ୍ବା ଛୁଟି ମିଳିଲେ ସେମାନେ ଦୁହେଁ ଓଡିଶା ବାହାରକୁ ଭଲ ଗୋଟେ ଟୁର୍ ରେ ବାହାରି ଯାଉଛନ୍ତି l ପ୍ରାଚୀ ବି ବାପଘରକୁ ଆଉ ଏତେଟା ଆସିପାରୁନି l ରୋନକ୍ ର ପଢାପଢି ଚିନ୍ତାରେ ସେ ଆଉ କୁଆଡେ ବୁଲିଯିବାକୁ ମଧ୍ୟ ଭୟ କରୁଛି l


   ଶୀତରେ ଗୁଡ଼ାଏ ପର୍ବ ପର୍ବାଣୀ ପଡ଼େ l ମାଆ ସବୁ ପର୍ବରେ ସୁଆଦିଆ ପିଠା ପଣା କରନ୍ତି l ପିଲାମାନେ ଆସୁନଥିବାରୁ ଏବେ ମାଆଙ୍କର ବି ଆଉ ସେସବୁ କରିବାକୁ ଇଚ୍ଛା ହୁଏନି l ଏଥର ଶୀତରେ ପ୍ରତ୍ୟୁଷ ଏକା ଆସିଛି, ଶ୍ରୁତି ଯାଇଛି ତା'ର ବାପଘରକୁ l ସେ ବିଚାରୀ ବି ତା' ଘରକୁ ଯିବାକୁ ସମୟ ପାଉନି l ବଡ଼ କଷ୍ଟରେ ସମୟ ବାହାର କରି ଦୁହେଁ ଦୁହିଁଙ୍କ ଜନ୍ମସ୍ଥାନକୁ ଆସିଛନ୍ତି l 

  

  ପ୍ରତ୍ୟୁଷ ଏକା ଏକା ଶୀତଋତୁରେ ତା ସୁନ୍ଦର ଗାଁର ମନୋରମ ଦୃଶ୍ୟକୁ ଏଇ ତାଙ୍କ ପୁରୁଣା ଛାତଘରର ଛାତ ଉପରେ ପୁରୁଣା କଥା ମନେପକେଇ ଉପଭୋଗ କରୁଛି l 


    ପ୍ରତ୍ୟୁଷର ଚା' ପିଆ ସରିନି ମାଆ ଗୋଟେ ଥାଳିଆରେ ଗତରାତିରେ ପୋଡି ରଖିଥିବା ପୋଡ଼ପିଠାରୁ କେଇଖଣ୍ଡ ଆଣି ରଖିଦେଇଗଲେ l ମାଆ ଚାଲିଯାଉଥିଲେ ପ୍ରତ୍ୟୁଷ ପଛରୁ ଡାକିଲା, " ମାଆ ତଳେ ଭାରି ଶୀତ, ଆସୁନୁ ଟିକେ ଏଇଠି ମୋ ପାଖରେ ବସିବୁ " l


--ଆରେ ଆଉ ବସିବି କ'ଣ ? ତଳେ ପା କେତେ କାମ l ରାତି ପାହିଲେ ପଢୁଆଁ ଅଷ୍ଟମୀ ଆଉ ମାଣବସା ଗୁରୁବାର l ବସି ରହିଲେ କାମ ହେବନା ? 


--ତୁ କାହିଁକି ଏତେ ସବୁ କଷ୍ଟିଆ ଓଷା ବାର କରୁଛୁ କହିଲୁ ? ତୋ ଦେହ ପା ଭଲ ରହୁନି ! ଦେଖେଇଲୁ ତୋ ପାଦ ? 


--ମୋ ଦେହ କିଛି ହେଇନି l ଅଷ୍ଟମୀ ଟାରେ ପିଠା ଦିଇଟା କରିବିନି ନା ? ତୁ, ମୋ ପଢୁଆଁ ପୁଅ ଘରେ ଅଛୁ, ଘରେ ମୋର ପିଠା ହେବନି ? ଆହୁରି ପୁଣି ପ୍ରାଚୀ ଘରକୁ ବି ଦିଇଟା ନପଠେଇଲେ ସେ ରୋନକ୍ ଟା ପରା ରୁଷିବ l ହଉ ମୁଁ ଯାଏଁ, ତୁ ପୋଡ଼ପିଠା ଖାଇସାରି ତଳକୁ ଆସେ ବାପା ଡ୍ରଇଂ ରୁମ୍ ରେ ତୋତେ ଖୋଜୁଥିଲେ l 


   ମାଆ ତରବର ହେଇ ଚାଲିଗଲେ l ତାଙ୍କ ପାଦକୁ ଫୁରସତ ନାହିଁ l ପ୍ରଥମା ଅଷ୍ଟମୀ ପରଦିନ ଶୁକ୍ରବାର,ସେଦିନ ବି ପ୍ରତ୍ୟୁଷ ଛୁଟି ନେଇଛି, ଶ୍ରୁତି ବି ଛୁଟିରେ l ଶନିବାର, ରବିବାର ବି ଛୁଟି l ସେମାନେ ଦୁହେଁ ସୋମବାର ସକାଳୁ ଯିବେ l ଶ୍ରୁତି ଶୁକ୍ରବାର ସନ୍ଧ୍ୟାରେ ତା' ବାପଘରୁ ଶାଶୂଘରକୁ ଆସିଲା l ଦୁଇଦିନ ଶାଶୂଘରେ ବେଶ୍ ଖୁସି ମଜାରେ କାଟିଲା l ଶ୍ରୁତିର ଥଣ୍ଡା ଦେହ l ଶୀତ ଦିନକୁ ତା'ର ବେଶି ଡର l ଟିକେ ଏପଟ ସେପଟ ହେଇଗଲେ ତା'କୁ ସର୍ଦି, କାଶ ଲାଗିଯାଏ l ସେଥିପାଇଁ ସେ ଶୀତଦିନରେ ସବୁବେଳେ ସତର୍କ ରହେ l ଦେହରୁ ସ୍ଵେଟର୍ ଆଉ ପାଦରୁ ମୋଜା ପ୍ରାୟ ତ ଖୋଲେନାହିଁ l 


      ଶ୍ରୁତିର ହଳେ ମୋଜା ତା' ପାଦର ଝୁଣ୍ଟିଆ ଲାଗି ଉପର ଆଡୁ ଛିଡ଼ି ଯାଇଥିଲା l ଶ୍ରୁତିକୁ ଚିରା ଫଟା ପିନ୍ଧିବା ଆଦୌ ଭଲ ଲାଗେନି l ସେ ସେଇଟିକୁ ଖୋଲି ଶାଶୂଘର ଛାତ ଉପରେ ପକେଇ ଦେଇଥିଲା l ଶ୍ରୁତି ଓ ପ୍ରତ୍ୟୁଷ ଚାଲିଗଲା ପରେ ମାଆ ସେମାନଙ୍କ ରୁମ୍ ଓ ଛାଡ଼ି ଯାଇଥିବା ସବୁ ଜିନିଷକୁ ସଜାଡ଼ି ରଖିଦିଅନ୍ତି l ସେଇ ଛିଣ୍ଡା ମୋଜାକୁ ବି ସାଇତି ରଖି ଦେଇଥିଲେ l 


    ଗୋଟିଏ ପରେ ଗୋଟିଏ ଶୀତଋତୁ ପ୍ରତି ବର୍ଷ ଆସୁଥିଲା l ପ୍ରତ୍ୟୁଷ ବାପା ହେଲା ଗୋଟେ ହାଡ଼ଥରା ଶୀତରାତିରେ l ଝିଅର ନାଁ ସେମାନେ ଦେଲେ ଶୀତଲ୍ l ପ୍ରତ୍ୟୁଷର ବଦଳି ହେଇଗଲା ବାରିପଦା l ଶ୍ରୁତି ଚାକିରୀ ଛାଡିବାକୁ ବାଧ୍ୟ ହେଲା, ଶୀତଲ୍ ର ଯତ୍ନନେବାକୁ କେହି ନଥିବାରୁ l ପ୍ରତ୍ୟୁଷ ଏବେ ବହୁତ ବ୍ୟସ୍ତ ରହେ l ଘରକୁ ଯାଇପାରେନାହିଁ l ଶ୍ରୁତି କହେ, "ପ୍ରାଚୀ ଘର ପାଖେ ରହୁଛନ୍ତି ସେ ଯାଇ ବାପା, ମାଆଙ୍କ ଦେଖା ଶୁଣା କରୁଥିବେ l ତୁମେ କାହିଁକି ଏତେ ବ୍ୟସ୍ତ ହେଉଛ ସେମାନଙ୍କ ପାଇଁ ? " l କିନ୍ତୁ ପ୍ରାଚୀ ଘର ପାଖେ ରହି ବି ଯାଇପାରେନାହିଁ l ଶାଶୂ, ଶ୍ୱଶୁର, ଦେଢ଼ଶୂର, ଜାଆଙ୍କୁ ନେଇ ତା'ର ବଡ ପରିବାର l ସେଥିରେ ପୁଣି ସ୍ୱାମୀଙ୍କ ସ୍କୁଲ୍ ଚାକିରୀ l ତା'କୁ ବି ସମୟ ମିଳେନି l 


    ପ୍ରତ୍ୟୁଷ ମାଆଙ୍କ ସହ କଥା ହୁଏ ଫୋନରେ l ସେମାନେ ଭଲ ଅଛନ୍ତି କୁହନ୍ତି l ଶୀତଲ୍ କୁ ଦେଖିବାକୁ ସେମାନଙ୍କ ପ୍ରାଣ ଛଟପଟ୍ ହେଉଥାଏ l ପଡିଶା ଘର ସୁରକକାଙ୍କ ପୁଅ କୁନାର ମୋବାଇଲକୁ ଭିଡିଓ କଲ୍ କରି ପ୍ରତ୍ୟୁଷ, ଶ୍ରୁତି ଓ ଶୀତଲ୍ ଙ୍କ ସହ ବାପା, ମାଆଙ୍କର ସାମ୍ନା ସାମ୍ନି କଥା କରେଇଦିଏ l 


    ଦିନ ଗଡ଼ିଯାଏ l ପ୍ରାଚୀର ପୁଅ ମାଟ୍ରିକ୍ ପରୀକ୍ଷା ଦେଇସାରି କଲେଜ୍ ରେ ଆଡ଼ମିଶନ୍ ନିଏ l ସେ କାଳେ ହଷ୍ଟେଲରେ ରହି କୁସଙ୍ଗରେ ପଡି ଖରାପ ହେଇଯିବ ସେହିକଥା ଭାବି ପ୍ରାଚୀ ଓ ଅଂଶୁମାନ ପୁଅକୁ ଭଡ଼ାଘରେ ରଖିବାକୁ ସ୍ଥିର କଲେ l ରୋନକ୍ ର କଲେଜ୍ ପାଖରେ ଗୋଟେ ଛୋଟଘର ଭଡ଼ା ନେଇ ପ୍ରାଚୀ ଓ ରୋନକ୍ ସେଇଠି ରହିଲେ l


ପ୍ରାଚୀ ଓ ପ୍ରତ୍ୟୁଷ ନିଜ ନିଜ ପରିବାରରେ ଏତେ ବ୍ୟସ୍ତ ରହୁଥିଲେ ଯେ ସେମାନେ ଦୁହେଁ ବେଳେ ବେଳେ ଭୁଲିଯାଉଥିଲେ ପୂର୍ବରୁ ଦୁହିଁଙ୍କ ଭିତରେ କିଛି ସମ୍ପର୍କ ଥିଲା l ଯୋଉ ଦୁଇଜଣ ଲୋକ ଏବେ ଗାଁ ଘରେ ପରଷ୍ପରର ସାହାରା ହେଇ ବଞ୍ଚିଛନ୍ତି ତାଙ୍କୁ ଏମାନେ ଦୁହେଁ ଦିନରାତି ବାପା, ମାଆ ଡାକରେ ବ୍ୟତିବ୍ୟସ୍ତ କରିପକାଉଥିଲେ l ସେ ଦୁହିଁଙ୍କ ମଧୁର ସମ୍ପର୍କର ସେତୁବନ୍ଧ ହୋଇ ରହିଥିଲେ ଏ ଭାଇ ଭଉଣୀ ଦୁଇଜଣ l ଏସବୁ କଥା ସତରେ ଭୁଲିଯାଉଛନ୍ତି ଏବେ ପ୍ରାଚୀ ଓ ପ୍ରତ୍ୟୁଷ l ସେମାନଙ୍କ ବ୍ୟସ୍ତମୟ ସାଂସାରିକ ଜୀବନ ତାଙ୍କୁ ତାଙ୍କ ଅତୀତକୁ ଅନେକ ସମୟରେ ଭୁଲିଯିବାକୁ ବାଧ୍ୟ କରୁଛି l


    ବୟସର ପ୍ରହାର ମାଆଙ୍କ ଅଣ୍ଟାକୁ ଭାଙ୍ଗି ଦେଲାଣି l ବାପାଙ୍କ ପାଦକୁ ଧିର କରିଦେଲାଣି l ଗାଁର ସେ ବୟସ୍କ ପୁରୁଣା କୋଠାରୁ ବି ରଙ୍ଗ ଛାଡ଼ିଗଲାଣି l ଛାତ ଉପରେ ବି ଆଉ ଜାତିଜାତିକା ଫୁଲ ଫୁଟୁନି l ଶୀତ ଦିନ ରାତିସାରା ବାପା ଏବେ ଖୁଁ ଖୁଁ କାଶନ୍ତି, ମାଆ ଚଷମା ପିନ୍ଧି ଔଷଧ ଖୋଜି ଅଣ୍ଡାଳି ବାପାଙ୍କୁ ପିଆନ୍ତି l 


    ବାପାଙ୍କ ଦେହ ବେଶି ଖରାପ ହେଉଛି, ମାଆ ଫୋନ୍ କରିଥିଲେ l ପ୍ରତ୍ୟୁଷ ଏକା ଆସି ବାପା ଓ ମାଆ ଉଭୟଙ୍କୁ ନିଜ ପାଖକୁ ନେଇଯାଇଥିଲା l ବାରିପଦାରେ ବହୁତ ବେଶି ଥଣ୍ଡା l ମାଆର ଗୋଇଠିରୁ ରକ୍ତ ଝରିଲା l ଥଣ୍ଡାରେ ବାପା ବେଶି କଷ୍ଟ ପାଇଲେ l ସେମାନେ ସେଠି ଚଳିପାରିଲେନି l ଦୁହେଁ ଯାକ ଗାଁକୁ ଫେରିଆସିବାକୁ ବ୍ୟାକୁଳ ହେଲେ l ବାପାଙ୍କ ଦେହ ଟିକେ ସୁସ୍ଥ ହେବାପରେ ପ୍ରତ୍ୟୁଷ ପୁଣିଥରେ ଆସି ସେମାନଙ୍କୁ ଛାଡ଼ିଦେଇଗଲା l ପ୍ରାଚୀ ବି ଏବେ କେବେ କେବେ ଆସି ଦୁହିଁଙ୍କ ଭଲ ମନ୍ଦ ବୁଝିଯାଏ l 


        "କାର୍ତ୍ତିକ ପୂର୍ଣ୍ଣିମା ପରେ ପରେ ତୋ ମାଆ କାହିଁକି ଆଉ ବେଶି ଚଳଚଞ୍ଚଳ ରହୁନି l ଓଷା ବ୍ରତ କରି ବୁଢ଼ୀ ମଣିଷଟା ଭାରି ଦୂର୍ବଳ ହେଇଗଲାଣି l ତୁମେମାନେ ଟିକେ ଆସ l ମାଆକୁ ନେଇ ଟିକେ ଡାକ୍ତର ଦେଖାଅ l ବେଳେ ବେଳେ ସେ କାହିଁକି ରୋଷେଇ କରୁ କରୁ ଯାଇ ବିଛଣାରେ ଗଡି ପଡୁଛି, ପଚାରିଲେ କହୁଛି ମୁଣ୍ଡ ବୁଲେଇଦେଲା", ଫୋନରେ ବାପାଙ୍କ ଠୁ ଏମିତି କଥା ଶୁଣି ପ୍ରତ୍ୟୁଷ ଭାବିଲା, "ମାଆର ଦେହତ ବାପାଙ୍କ ଠାରୁ ଭଲ ଥାଏ l ହଠାତ୍ ଏମିତି କାହିଁକି ହେଉଛି ? ହଁ କାର୍ତ୍ତିକରେ ବ୍ରତ, ଓଷା କରି ସେମିତି ଉଇକ୍ ଫିଲ୍ କରୁଥିବ l ହଉ ସମୟ ବାହାର କରି ଯିବି " l 


       ଡିସେମ୍ବର୍ ପଚିଶରୁ ଜାନୁଆରୀ ଦୁଇ ଯାଏଁ ଶୀତଲ୍ ର ସ୍କୁଲ୍ ଛୁଟି, ପ୍ରତ୍ୟୁଷର ବି ଛୁଟି l ସେମାନେ ଏଥର କୁଆଡ଼େ ଟୁର୍ ପ୍ଲାନ୍ ନକରି ଗାଁକୁ ଆସିବାକୁ ସ୍ଥିର କଲେ l ପ୍ରାଚୀ ଓ ରୋନକ୍ ବି ଆସିଥିଲେ l ଅଂଶୁମାନ ଶ୍ୱଶୁର ଘରକୁ ଆସିବାକୁ ବିଲକୁଲ ପସନ୍ଦ କରନ୍ତିନି l ମାଆ ସମସ୍ତଙ୍କୁ ଏକାଠି ଦେଖି ଖୁସିରେ କୁରୁଳି ଉଠିଲେ l ତାଙ୍କ ଦୂର୍ବଳ ଶରୀରରେ ଯେମିତି ନୂଆ ପ୍ରାଣ ସଞ୍ଚରିତ ହେଇଗଲା l କିନ୍ତୁ ସମସ୍ତେ ମାଆଙ୍କୁ  ଦେଖି ଉଦାସ ହେଇଗଲେ l ମାଆ ଆଉ ଆଗଭଳି ସତେଜ୍ ଦିଶୁନଥିଲେ l ତାଙ୍କ ଦେହ, ମୁହଁ ସବୁ ଶୁଖିଲା କାଠ ପରି ଦିଶୁଥିଲା l 


  ଅନେକ ଦିନପରେ ଘର ପୁରି ଉଠିଥିଲା ଆଉ ତା ସହ ବାପାମାଆଙ୍କ ମନ ବି l ଡିସେମ୍ବର୍ ଏକତିରିଶ ରାତିରେ ପିଲାମାନେ ମିଶି ରନ୍ଧାରନ୍ଧି କଲେ l ସମସ୍ତେ ସାଙ୍ଗରେ ଖାଇଲେ l ଡେରି ରାତିରେ ସମସ୍ତେ ଶୋଇବାକୁ ଗଲେ l ପୃଥିବୀ ସୂର୍ଯ୍ୟ ଚାରିପାଖରେ ପରିକ୍ରମା କରିବାର ଆଉ ଗୋଟେ ୩୬୫ ଦିନ ଶେଷ କଲା l ପରଦିନ ସକାଳୁ ନୂଆ ବର୍ଷର ସୂର୍ଯ୍ୟ ପୃଥିବୀ ଉପରେ ନୂଆ ଏକ ସୁନେଲି କିରଣ ଢାଳୁଥିଲେ l ବିଳମ୍ବରେ ଶୋଇଥିବାରୁ ସକାଳୁ କାହାରି ନିଦ ଭାଙ୍ଗୁନଥିଲା l ଘରେ ପ୍ରତ୍ୟେକ ଦିନ ଯିଏ ନୂଆ ସକାଳକୁ ପ୍ରଥମେ ସ୍ୱାଗତକରେ, ସେ ମାଆ ଆଜି ବାର୍ଦ୍ଧକ୍ୟରେ l ତା' ନିଦ ବି ଭାଙ୍ଗୁନି l ସମସ୍ତେ ଉଠିଲେ l ବିଳମ୍ୱରେ ହେଉପଛେ ସମସ୍ତଙ୍କ ଆଖି ନୂଆ ଉଦ୍ଦୀପନାର ସହ ନୂଆସକାଳକୁ ଦେଖିଲା l କିନ୍ତୁ ଜଣଙ୍କ ଆଖି ଆଜି ଖୋଲୁନି l ସେ ତ ଏତେ ଡେରି ଯାଏଁ ବିଛଣାରେ ପଡିରହେ ନାହିଁ ! ସ୍ୱାମୀ, ପୁଅ, ଝିଅ, ବୋହୂ ସମସ୍ତଙ୍କର ସନ୍ଦେହ ହେଲା l ପୁଅର 'ମାଆ ମାଆ' ଡାକ ବି ଆଜି ତା କାନକୁ ଶୁଭୁନି l ଯୋଉ ନାତି,ନାତୁଣୀଙ୍କୁ ଦେଖିବାକୁ ଦିନେ ସେ ଛଟପଟ୍ ହେଉଥିଲା ସେମାନଙ୍କୁ ଦେଖିବାକୁ ସେ ଆଖି ଖୋଲୁନି l ଗେହ୍ଲା ଝିଅ 'ମାଆ ଲୋ.. ' କହି କାନ୍ଦି ଉଠିଲା l ତା' କାନ୍ଦ ଚୁପ୍ କରିବାକୁ ବି ଆଜି ସେ ଉଠିଯାଇ ତା'କୁ ଛାତିରେ ଜାକି କୋଳେଇ ନେଉନି l 


   ଘରେ ଶୋକାକୁଳ ପରିବେଶ l ମାଆ ରାତିରୁ ସମସ୍ତଙ୍କ ଖୁସିକୁ ମନରେ ଭରିନେଇ ଓ ନିଜର ସବୁ କଷ୍ଟକୁ ଛାତିରେ ଚାପିଦେଇ ଚାଲିଯାଇଛନ୍ତି ଅଫେରା ଜଗତକୁ l ସମସ୍ତେ ଆସିଥିଲେ ଦଶଟି ଦିନର ଛୁଟିନେଇ l ରହିବାକୁ ପଡ଼ିଲା ଆହୁରି ଅଧିକା ତେରଦିନ l ମାଆ ସବୁବେଳେ ବାପାଙ୍କୁ କହୁଥିଲେ, "ହେଇଟି ଶୁଣୁଛ, ଦେଖିବ ମୁଁ ମଲାବେଳକୁ ମୋ ପୁଅ, ଝିଅ, ନାତି, ନାତୁଣୀ ସବୁ ମୋତେ ବେଢେଇ ବସିଥିବେ ଆଉ ମୁଁ ତୁମ କୋଳରେ ମୁଣ୍ଡ ରଖି ଚିରନିଦ୍ରାରେ ଶୋଇଯାଇଥିବି l ସେତିକି ଖାଲି ଇଚ୍ଛା ମୋର ବାକି ଅଛି l ଆଉ ସବୁ ତ ତୁମେ ଆଉ ପିଲାମାନେ ପୂରଣ କରିଦେଇଛ l " ମାଆଙ୍କ ଶେଷଇଚ୍ଛା ବି ପୂରଣ ହେଇଗଲା l 


   ସବୁକାମ ସରିଲା l ବାପା ଏବେ ଗୋଟେ ପଥର l ଏ ଘରେ ତାଲା ଲଗେଇ ବାପାଙ୍କୁ ସାଙ୍ଗରେ ନେଇଯିବ ପ୍ରତ୍ୟୁଷ l ପ୍ରାଚୀର ଆଖିରୁ ଲୁହ ଶୁଖୁନି l ଶ୍ରୁତି, ପ୍ରତ୍ୟୁଷ ଓ ପ୍ରାଚୀ ମାଆଙ୍କର ଜିନିଷ ସବୁ ସଜାଡ଼ି ରଖୁଥିଲେ, ଯେମିତି କିଛି ବି ନଷ୍ଟ ନହେଇଯାଏ l ମାଆ ସିନା ରହିଲେନି କିନ୍ତୁ ତାଙ୍କ ସ୍ପର୍ଶ ଲାଗିଥିବା ସବୁ ଜିନିଷକୁ ଚିରଦିନ ପାଇଁ ସାଇତି ରଖିବାକୁ ପ୍ରତ୍ୟୁଷ ଓ ପ୍ରାଚୀ ଲାଗିପଡ଼ିଥିଲେ l ଶ୍ରୁତି, ପ୍ରାଚୀ ମାଆଙ୍କ ଲୁଗାପଟାକୁ ଜରିରେ ପ୍ୟାକିଂ କରି ଆଲମିରାରେ ସାଇତି ରଖୁଥିବା ବେଳେ ପ୍ରତ୍ୟୁଷ ମାଆଙ୍କ ହାତ ତିଆରି ବିଭିନ୍ନ ଘରସଜା ସାମଗ୍ରୀକୁ ପୋଛା ପୋଛି କରି କପବୋର୍ଡରେ ରଖୁଥିଲା l କପବୋର୍ଡ ଖୋଲୁ ଖୋଲୁ ହାତରେ ପଡିଲା ଗୋଟେ କାଗଜ ପୁଟୁଳି l ପ୍ରତ୍ୟୁଷ ଖୋଲିଲା l କାଗଜ ପୁଟୁଳି ଭିତରେ ଆଉଗୋଟିଏ ଜରି ପ୍ୟାକେଟ୍ l ତା' ଭିତରେ 

ରହିଛି ଦୁଇହଳ ଲେଡିଜ୍ ସକ୍ସ୍ l ପ୍ରତ୍ୟୁଷର ଚିହ୍ନିବାରେ ବାକି ରହିଲାନି ଯେ ସେହି ଦୁଇହଳ ମୋଜା ସେ ହିଁ ମାଆଙ୍କ ପାଇଁ ବହୁବର୍ଷ ପୂର୍ବେ ପାଖ ବଜାରରୁ କିଣି ଆଣିଥିଲା l " ମାଆ ୟାକୁ ନପିନ୍ଧି ଆଜିଯାଏଁ ସାଇତି ରଖିଥିଲା l", ପ୍ରତ୍ୟୁଷର ଆଖିରୁ ଦୁଇଟୋପା ଲୁହ ଖସି ପଡି ମାଆଙ୍କ ମୋଜାକୁ ଅଳ୍ପ ଭିଜେଇଲା l "ମାଆ ସେମିତି ହିଁ କରେ, ନୂଆ ଜିନିଷ ସାଇତି ରଖି ପୁରୁଣାରେ କାମ ଚଳାଏ l", ପ୍ରାଚୀ ସେହି ଆଲମିରା ପାଖରୁ ଥାଇ କହୁଥିଲା l


    ରଖା ରଖି ସରିଆସୁଥିଲା ଶ୍ରୁତି କ'ଣ ଗୋଟେ ହାତରେ ଧରି ହଠାତ୍ ବଡ଼ ପାଟି କରି କହିଲା, " ହେଇ ଇଆଡ଼େ ଦେଖିଲ ପ୍ରତ୍ୟୁଷ, ମୁଁ କ'ଣ ଧରିଛି ! ମାଆ କେତେ ପୁରୁଣା ଜିନିଷ ସାଇତି ରଖିଛନ୍ତି ! ଏଇଟା ମୋ ପୁରୁଣା ସକ୍ସ୍ l ଆମ ବାହାଘର ଦୁଇ -ଅଢେଇ ବର୍ଷପରେ ତୁମେ ଆଉ ମୁଁ ଥରେ ଆସିଥିଲେ ଗାଁକୁ, ଛାତ ଉପରେ ବୁଲୁଥିଲା ବେଳେ ଏଇଟା ଛିଡ଼ିଗଲା ଆଉ ମୁଁ ଖୋଲି ପକେଇ ଦେଇଥିଲି l ତୁମର ମନେ ଅଛି ? ହେତ୍, ତୁମର କିଛି ମନେ ରହେନି l ମୋର କିନ୍ତୁ ମନେ ଅଛି l ମାଆ ୟାକୁ ବି କେଡ଼େ ଯତ୍ନରେ ରଖିଛନ୍ତି ଦେଖିଲ !"


  ଶ୍ରୁତିର କଥା ଶୁଣି ପ୍ରତ୍ୟୁଷ ପାଖେଇ ଆସି ସେ ମୋଜାକୁ ନିଜ ହାତରେ ଧରିଲା l ଉପର ଆଡୁ ମାଆ ଛୁଞ୍ଚି ସୂତାରେ ଟିକିଟିକି ସିଲେଇ ପକେଇଛନ୍ତି l ପ୍ରତ୍ୟୁଷ ସେ ମୋଜାକୁ ଧରି ମୁଣ୍ଡରେ ଲଗେଇଲା, ଗାଲରେ ଘଷିଲା l ପ୍ରାଚୀକୁ ପାଖକୁ ଡାକି ମୋଜା ହଳକକୁ ଧରିବା ପାଇଁ କହିଲା l ଶ୍ରୁତି ଆଶ୍ଚର୍ଯ୍ୟ ହେଇ ଦେଖୁଥିଲା, ପ୍ରତ୍ୟୁଷର ଏମିତି ପାଗଳାମୀ ଦେଖି କହିଲା, "ଆରେ ଏ କ'ଣ କରୁଛ ? ଦେଲ ମୋତେ ମୋର ସେ ପୁରୁଣା ମୋଜା l ଦିଅ l"


--ନାଁ ଶ୍ରୁତି ଏ ତୁମ ମୋଜା ନୁହେଁ l ଏ ମୋ ମାଆର ମୋଜା l ଦେଖ ଏ ସିଲେଇ l ସାମାନ୍ୟ ମୋଜାକୁ କିଏ ସିଲେଇ କରି ପିନ୍ଧେ ? ସମସ୍ତେ ଫିଙ୍ଗିଦିଅନ୍ତି l ମାଆ କେବଳ ସିଲେଇ କରା ପୁରୁଣା ମୋଜା ତା ଫଟା ଗୋଇଠି ପାଇଁ ପିନ୍ଧେ l ପ୍ରାଚୀ, ତୋର ମନେ ଅଛି ମାଆର ସେ ଫଟା ଗୋଇଠି ? ଆଁଛୁଆଁଛୁଡ଼ିଆ ଫଟା ଗୋଇଠି ? ସେ ତା'ର ସେଇ ଫଟା ଗୋଇଠିରେ ଏଇ ମୋଜା ପିନ୍ଧୁଥିଲା l ୟାକୁ ସାଇତି ରଖିବୁନି? ଦେଖ୍, ଭଲକି ଦେଖ୍ ଏଇଥିରେ କୋଉଠି ମାଆ ଗୋଇଠିରୁ ରକ୍ତ ଝରି ଲାଗିଥିବ l ନାଁ, ନାଁ ସେ ତା' ଦୁଃଖ, କଷ୍ଟ, ରକ୍ତ ଛିଟା କୋଉଠି ବି ଛାଡ଼ି ଯାଏନି l ସଫା କରିରଖିଥାଏ ସବୁକିଛି l 


   ପ୍ରତ୍ୟୁଷ କାନ୍ଦୁଥିଲା l ପ୍ରାଚୀ ବି ଭାଇକୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା l ଦୁହେଁ ଏବେ ସେହି ରୁକ୍ଷ ଗୋଇଠି ଦୁଇଟିକୁ ଖୋଜୁଥିଲେ l ସେହି ଗୋଇଠିରେ ମୁହଁ ଘଷି ଛାତି ଭିତରର ସବୁତକ ଦୁଃଖକୁ ନିଃଶେଷ କରିଦେବାକୁ ଚାହୁଁଥିଲେ l ମାଆଙ୍କର ଫଟା ଗୋଇଠିରେ ଜୀବନରେ ପ୍ରଥମ କରି ଦୁହେଁ ମଲମ ଲଗେଇ ମାଆଙ୍କୁ ଟିକେ ଆରମ୍ ଦେବାକୁ ଚାହୁଁଥିଲେ l ହାୟ, ତାହାକି ଆଉ ସମ୍ଭବ ?? ସାରା ପରିବାରର ଜଞ୍ଜାଳ ବୋଝକୁ ବୋହି ବୋହି ଫାଟି ଆଁ କରିଥିବା ସେହି ଯୋଡ଼ାକ ଗୋଇଠି ଜଳି ପାଉଁଶ ହେଇସାରିଥିଲା l କିନ୍ତୁ ସେ ତା'ର କାହାଣୀ ଛାଡ଼ି ଯାଇଥିଲା ଏ ସିଲେଇ ହେଇଥିବା ମୋଜା ହଳକରେ l 


   

  


  




     


      




   


      


   


     


      


    



Rate this content
Log in

Similar oriya story from Tragedy