Padmalaya Padhy

Inspirational

3  

Padmalaya Padhy

Inspirational

ସଧବା :

ସଧବା :

6 mins
229



କାଣୀ ହେଉ କି ଟେରି ହେଉ ତା ସ୍ୱାମୀ ଆଖିରେ ଯଦି ସେ ସୁନ୍ଦର ତେବେ ଦୁନିଆରେ କାହାରିକୁ ଖାତିର ନାହିଁ ତାର l ଗୋଲାପର ସ୍ୱାମୀ ସୀମାଦ୍ରୀ କହିବ "ଗୋଲାପ ଲୋ ତୁ ମୋର ସରଗ ଚାନ୍ଦ l ତୁ ଟେରି ନ ହୋଇଥିଲେ ତୋତେ ମୁଁ କେବେ ବି ବିବାହ କରି ନଥାନ୍ତି l "


ଏତକ କଥାରେ କୋଟି ନିଧି ମିଳିଯାଏ ଗୋଲାପକୁ l ସୀମାଦ୍ରୀ କାନ୍ଧରେ ମୁଣ୍ଡ ରଖି ଆଗାମୀ ଭବିଷ୍ୟତକୁ ସୁରକ୍ଷିତ ଦେଖି ପାରେ l ସୀମାଦ୍ରୀ ମିସ୍ତ୍ରୀ କାମ କରି ଯାହା ପାଏ ପ୍ରତିବର୍ଷ ବନ୍ୟା ବାତ୍ୟାରେ ଉଡି ଯାଇଥିବା ଘରକୁ ସଜାଡୁ ସଜାଡୁ ପୁଣି ତହିଁ ପର ବର୍ଷ ଯୋଉଟାକୁ ସେଇଟା l ହେଲେବି ଗୋଲାପ ସୁଖୀ l


ଏକମାତ୍ର ପୁଅ ରଙ୍କି ଉପରେ କିନ୍ତୁ ଗୋଲାପର ବହୁତ ଆଶା l ରଙ୍କି ବଡ଼ ହେଲେ କଣ୍ଟ୍ରାକ୍ଟର ହେବ କେତେ ଲୋକଙ୍କ ପାଇଁ କେତେ ଘର ତିଆରି କରିବ ସେଥିରୁ ଗୋଟିଏ ଘର କିନ୍ତୁ ତା ମା ବାପା ପାଇଁ ରଖିଥିବ l ବନ୍ୟା ପ୍ଲାବିତ ଅଂଚଳରେ ଘର କଣ l ଆଜି ଏଠି କାଲି ସେଠି l ପାଣି ମାଡି ଆସିଲେ ଲୁଗାପଟା ଦି ଖଣ୍ଡ ହାଣ୍ଡି ମାଠିଆ ଦୁଇଟି ଧରି ଦୌଡିବ ଉଚ୍ଚା ଜାଗାକୁ l ସେଠି ଚୁଡା ମୁଢି ଖାଇ ଖାଇ ବସି ରହିବ କେତେଦିନ ପୁଣି ଫେରିକି ପଲା ବାନ୍ଧ ଏବଂ ନୂଆରେ ରହିବା ଆରମ୍ଭ କର ଯାହା ମାତ୍ର ଗୋଟିଏ ବର୍ଷ ପାଇଁ l ହେଲେବି ସବୁ ବାରମ୍ବାର ସଜାଡ଼ିବାକୁ ହୁଏ l ଖାଲି ରଙ୍କି ବଡ଼ ହେଲେ ସବୁ ଦୁଃଖ ଯିବ l ରଙ୍କି ବଡ଼ କଣ୍ଟ୍ରାକ୍ଟର ହୋଇ ତା ମା ବାପା ପାଇଁ କୋଠା ଘର ତିଆରି କରିଦେବ l


ସବୁ ବର୍ଷ ଭଳି ସେ ବର୍ଷ ବି ସେମିତି ଲଘୁଚାପ ଓ ଲଗାଣ ବର୍ଷା ଆରମ୍ଭ ହୋଇ ଯାଇଥିଲା l ଗୋଲାପକୁ କିଛି ଭଲ ଲାଗୁନଥିଲା l ପାଗ ଯେମିତି ବାତ୍ୟା ଆଗମନର ସୂଚନା ଦେଉଥିଲା l ସକାଳୁ ବର୍ଷା ଓ ତା ସହ ପବନର ଅନୁପାତ ବଢ଼ିବାରେ ଲାଗିଛି l ପବନର ପ୍ରକୋପରେ ଚୁଲି ଜଳୁନି l ରାତିର ବାସି ପଖାଳ ରଙ୍କିକୁ ଦେଇ ସୀମାଦ୍ରୀ ଓ ଗୋଲାପ ସାରା ଦିନ ଉପାସରେ ରହିଥିଲେ l ଦୁଇ ଦିନ ହେଲା ଟି ଭି ରେ କହି ଆସୁଥିଲା ବାତ୍ୟା ବିଷୟରେ l ସୀମାଦ୍ରୀ କି ଗୋଲାପ କେହି ମୁଣ୍ଡକୁ ନେଇ ନାହାନ୍ତି l ହଁ କଣ ହୋଇଯିବ କି ? ସ୍କୁଲ ଘରଟି ଆର ସାହିରେ ଅଛି ପହଞ୍ଚି ଗଲେ ହେଲା l ରଙ୍କି ବି ବହୁତ ଖୁସି ଯେ ଏଇ ମଉକାରେ ଛାତ ଘରେ ସେମାନେ କେତେ ଦିନ କଟାଇବେ !


ଦିନ ତିନିଟା ପରେ ପବନର ମାତ୍ରା ବଢ଼ିବାରେ ଲାଗିଲା l କିନ୍ତୁ ଗୋଲାପ ଦେଖୁଛି ସବୁଠାରୁ ଡରୁଆ ସୀମାଦ୍ରୀ ସେ ପର୍ଯ୍ୟନ୍ତ ଯିବାକୁ ବାହାରୁ ନାହିଁ l ଅନ୍ୟ ଦିନେ ତ ପବନ ଆସିବା ଆଗରୁ ଗଣ୍ଠିଲି ନେଇ ପ୍ରସ୍ତୁତ ଥାଏ l ପବନ ଆହୁରି ବଢୁଛି l ତାଟି କବାଟଟା ଉଡି ଯାଇ ପଡିଶା ଘର ଦାଣ୍ଡରେ ପଡିଲାଣି l ଗୋଲାପ ତର ତର ହେଲାଣି l ଚାଲ ଯିବା ସ୍କୁଲରେ ପହଞ୍ଚିବାକୁ ସମୟ ଲାଗିବ l ବାହାରି ହେଉ ନାହିଁ l ଆଜି ଏ ଲୋକଟା ଏତେ ଧୀରେ ଧୀରେ କାହିଁକି ବାହାରୁଛି କେଜାଣି l ବିରକ୍ତ ହେଉଥିଲା ଗୋଲାପ l


ମଝିରେ ରଙ୍କିର ହାତ ଧରି ବାହାରିଲେ ଦୁଇଜଣ l ଅନ୍ଧାର ଘୋଟି ଆସିଲାଣି l ଘରୁ ବାହାରି ଅଳ୍ପବାଟ ଯାଇଥିବେ ଗୋଟେ ଧକ୍କା ଖାଇଲା ଗୋଲାପ l ପବନର ଏତେ ବଡ଼ ଧକ୍କା ସମ୍ଭାଳୁ ସମ୍ଭାଳୁ ସୀମାଦ୍ରୀ ଛିଟିକି ଗଲା ଓ ରଙ୍କି ଠେଲି ହୋଇ ଆଗକୁ ଚାଲିଗଲା l ଗୋଲାପ ଦୌଡ଼ି ଯାଇ ରଙ୍କିକୁ ଧରୁ ଧରୁ ସୀମାଦ୍ରୀ ଆହୁରି ପଛରେ ରହିଗଲା l


ସୀମାଦ୍ରୀକୁ ପଛରେ ଆସିବାକୁ ଛାଡି ଦେଇ ଗୋଲାପ ରଙ୍କିକୁ ନେଇ ଅତରଛ୍ୟା ହୋଇ ପ୍ରାଣ ବିକଳରେ ସ୍କୁଲ ଭିତରେ ଯାଇ ପଶିଗଲା l ଯା ହେଉ ପ୍ରାଣ ରହିଗଲା l ସୀମାଦ୍ରୀ ପଛରେ ଆସୁଥିବ କି କଣ l ସାରା ରାତି ସୀମାଦ୍ରୀକୁ ଅପେକ୍ଷା କରି କରି ଗଲା l ସ୍କୁଲରେ ଦିଆ ଯାଇଥିବା ଚୂଡ଼ାରୁ ଅଧେ ସୀମାଦ୍ରୀ ପାଇଁ ରଖି ଦେଇଥିଲା l ହେଲେ ସେ ସେମିତି ରହିଲା ସିନା ସୀମାଦ୍ରୀର ଦେଖା ନାହିଁ l ତହିଁ ପରଦିନ ବି ସୀମାଦ୍ରୀ ଫେରିଲା ନାହିଁ l ବନ୍ୟା ବାତ୍ୟା କମିବା ପରେ ଘରକୁ ଫେରିଥିଲା ଗୋଲାପ l ହେଲେ ଚାଳ ତ ଉଡିଯାଇଛି l କାନ୍ଥ ବି ନାହିଁ l ସବୁ ନୂଆରେ କରିବାକୁ ହେବ ଏବେ l ସୀମାଦ୍ରୀ ନାହିଁ କିଏ କରିବ ଏ ସବୁ ?


 ସାଇର କେତେ ଜଣ ଦୟା କରି ଯାହିତାହି ପଲାଟି କରିଦେଲେ l ରଙ୍କିକୁ ନେଇ ବସି ରହିଲା ଗୋଲାପ ସୀମାଦ୍ରୀକୁ ଅପେକ୍ଷା କରି l ସୀମାଦ୍ରୀ ଆଉ ଫେରିଲା ନାହିଁ l ସାହିରେ କହିଲେ ସୀମାଦ୍ରୀକୁ ତୋଫାନ ଉଡାଇ ନେଇଛି ଓ ସେ ଏତେ ବଡ଼ ବାତ୍ୟାରେ କୁଆଡେ ମରି ହଜି ଯିବଣି ସୁତରାଂ ସେ ଆଉ ଫେରିବ ନାହିଁ l ତେଣୁ ଗୋଲାପ ଏବେ ବିଧବା l କିନ୍ତୁ ଗୋଲାପ ଦୃଢ଼ମନା l ମଣିଷଟା ଉଡିଗଲେ କୁଆଡେ ଯିବ l କୋଉଠି ହେଲେ ଲାଗିବ ତ l ସୀମାଦ୍ରୀ ଯୋଉଠି ବି ଥିବ ଫେରିବ ନିଶ୍ଚୟ l ତାକୁ ଲାଗୁଥିଲା ସୀମାଦ୍ରୀ ମରିନାହିଁ ବଞ୍ଚିଛି ଓ ନିଶ୍ଚୟ ଫେରି ଆସିବ l ତେଣୁ ସେ ବିଧବା ନୁହଁ ସଧବାର ଜୀବନ ଜିଉଁ ଥିଲା l


ହେଲେ ଏତେ ଲୋକ ଥାଉ ଥାଉ ସୀମାଦ୍ରୀ ହିଁ ଉଡ଼ିଗଲା କେମିତି ? ଆରେ ନାହିଁ ନାହିଁ ଗଉଡ଼ ସାହିର ଲଳିତା ବି ମିଳୁନାହିଁ ତେଣୁ ତାଙ୍କ ଘରେ କାନ୍ଦ ବୋବାଳି ପଡିଛି ବୋଲି ପଡିଶା ଘର ମାଉସୀ କହିଲେ l ବିଧିର ବିଧାନ l କଣ କରିହେବ ଆଉ l


ଗୋଲାପକୁ କିଛି କାମ ଆସେନି l ସେ ଓ ରଙ୍କି କେମିତି ଚଳିବେ ଚିନ୍ତା ପଶିଲା ମୁଣ୍ଡରେ l ଗୋଲାପର ବଉଳ ସହରରେ ଦୁଇ ଜଣ ବାବୁଙ୍କ ଘରେ ଛୋଟ ଛୁଆ ମାନଙ୍କୁ ଦେଖାଶୁଣା କରେ l ଛୁଟି ଦେଖି ଆସିଥିଲା l କହିଲା ଆଜିକାଲି ତ ଗାଁ ଗୁଡିକ ସହର ସାଙ୍ଗରେ ମିଶିଗଲାଣି l ଗାଁ କଣ ଆଉ ସହର କଣ l ଚାଲ ମୋ ସହିତ ସେଇଠି ହିଁ ଯାହା କିଛି କରି ଚଳି ଯିବା l ହେଲେ ଯଦି ସୀମାଦ୍ରୀ ଫେରି ଆସେ ? ବଉଳର ଠିକଣାରେ ଗୋଲାପ ରହୁଛି ବୋଲି ଗାଁ ରେ କହି ଦୁଇ ଜଣ ବାହାରିଲେ l


ବାହାରିବା ଆଗରୁ ଥରେ ପଲାଟିକୁ ଚାହିଁ ଦେଇଥିଲା ଗୋଲାପ l ଏଠାରେ ସୀମାଦ୍ରୀ ସହିତ କେତେ ଆବେଗ ଭରା ମୁହୂର୍ତ୍ତ ମାନ କଟାଇଛି l ଯେ କେହି ତାକୁ କାଣୀ ଟେରି କହିଲେ ବି ସୀମାଦ୍ରୀର ଆଖିରେ ଅପସରା ଥିଲା ସେ l କୁଆଡେ ଚାଲି ଗଲ ହେ ତୁମେ ! ଶୂନ୍ୟରେ ମିଳାଇ ଗଲ ନା ଉଭେଇ ଗଲ ! କୋଉଠି ଖୋଜିବି ଏବେ ? ବୋହି ଆସୁଥିବା ଲୁହ ଧାରକୁ ପୋଛି ପୋଛି ବଉଳ ପଛେ ପଛେ ରଙ୍କିକୁ ନେଇ ବସରେ ଚଢିଲା l ଏଇ ସହରକୁ କେତେଥର ସୀମାଦ୍ରୀ ସହିତ ଆସିଛି କେତେ ବୁଲିଛି l ସୀମାଦ୍ରୀର ସ୍ମୃତି ଗୁଡିକ ଉଜ୍ଜୀବିତ ହୋଇ ପଛରେ ଗୋଡାଉଛନ୍ତି l 


ବଡ଼ ବଡ଼ ବିଲଡିଂ ଓ ଆପାର୍ଟମେଣ୍ଟ ର ସହର ଏଇଟା l ଗୋଲାପର ସ୍ବପ୍ନ ଥିଲା ରଙ୍କି କଣ୍ଟ୍ରାକ୍ଟର ହେବ l ମିସ୍ତ୍ରୀର ପୁଅ କଣ୍ଟ୍ରାକ୍ଟର l କାହିଁ ଭାଗ୍ୟରେ l ବଉଳ ଯେଉଁ ବାବୁଙ୍କ ଘରେ କାମ କରୁଛି ତା ପାଖରେ ନୂଆ ଘର କେତୋଟି ପାଖାପାଖି ତିଆରି ହେଉଛି l ରଙ୍କି ବଡ଼ ହେଲା ପରେ ବାପା ସହିତ ଅସିଥାନ୍ତା କାମ ଶିଖିବା ପାଇଁ l ଲୁହ ଗୁଡିକ ବାହାରି ଆଖି କୁ ଝାପ୍ସା ଦିଶିଲାଣି l


ବଉଳ ଯାଇ ବାବୁ ଘର ମା ଙ୍କ ସାଙ୍ଗେ ଗୋଲାପର ଭେଟ କରାଇ ଦେଲା l ମା ଙ୍କ ଶାଶୁ ତିନି ମାସ ପାଇଁ ଆସି ରହିବେ ତେଣୁ ତାଙ୍କ ସେବା ପାଇଁ ଗୋଟେ ଲୋକ ଦରକାର l ଗୋଲାପ ଖୁସିରେ ରାଜି ହୋଇଗଲା l କାମ ଠିକ ହୋଇଯିବା ପରେ ବଉଳ ସାଙ୍ଗେ ଆଉଟ ହାଉସରେ ଗୋଲାପ ଓ ରଙ୍କି ଆସି ରହିଲେ l ଦୁଇ ତିନି ଦିନ ଗଲା l ଗୋଲାପକୁ ଘର ଭିତରେ ବସି ବସି ବିରକ୍ତ ଲାଗିଲାଣି l ବଉଳର କାମ ଅଛି ଯାଇ ପାରିବ ନାହିଁ l କେତେଟା ଜରୁରୀ ଜିନିଷ ଆଣିବାକୁ ହେବ l ମା ଙ୍କ ଶାଶୁ ଆସିଗଲା ପରେ ଗୋଲାପକୁ ଆଉ ସମୟ ମିଳିବ ନାହିଁ l ରଙ୍କିକୁ ବଉଳ ପାଖରେ ଛାଡି ବାହାରିଲା l


କେଡେ କେଡେ ଆପାର୍ଟମେଣ୍ଟ ବିଲଡିଂ ସବୁ ତିଆରି ହେଉଛି l କେତେ ଲୋକ କାମ କରୁଛନ୍ତି l କିନ୍ତୁ ତାଙ୍କ ଭାଗ୍ୟରେ ରହିବା ପାଇଁ ଠାବନାହିଁ l ରହିବେ ଅନ୍ୟ ମାନେ l ତାଙ୍କ ପିଲା ମାନେ ଖରା ବର୍ଷା ଶୀତ ଖାଇ ବାହାରେ ପଡି ରହିବେ l ପଡି ପଡି ମରି ହଜି ଗଲେ ବି ତାହାର ହିସାବ କେହି ରଖନ୍ତି ନାହିଁ l ଏହାହିଁ ହେଉଛି ଗରୀବର ଆତ୍ମକାହାଣୀ l ରଙ୍କି ଏଠାରେ ବାପା ପାଖରେ ରହି କାମ ଶିଖିଥାନ୍ତା l କେତେ ହାତ ଗୋଡ଼ ଚାଲୁଛି l କେତେ ଜିନିଷ ବୁହା ହେଉଛି l ରକ୍ତ ନିଗାଡ଼ି ମୁଲିଆ ମାନେ ବଡ଼ ବଡ଼ିଆଙ୍କ ରହିବା ପାଇଁ ବାସସ୍ଥାନ ନିର୍ମାଣ କରୁଛନ୍ତି l ଅଧା ପେଟ ଖାଇ ବି ଏମାନେ କେଡେ ଉଚ୍ଚା ଘର ମାନ ଠିଆ କରି ଦେଉଛନ୍ତି l ରଙ୍କି ତା ମା ବାପା ପାଇଁ କୋଠା ଘର ତୋଳି ଦେଇଥାନ୍ତା l


ପଛରୁ ଗୋଲାପ ଦେଖୁଛି ଟିକିଏ ଦୂରରେ ପୁରୁଷ ଶ୍ରମିକଟିଏ ଓ ସ୍ତ୍ରୀ ଲୋକ ଜଣେ ପରସ୍ପରକୁ ଖୁଆଇ ଦେଉଛନ୍ତି l ସ୍ୱାମୀ ସ୍ତ୍ରୀ ହେବେ ବୋଧେ l ସ୍ତ୍ରୀଟିର କେତେ ଭାଗ୍ୟ l ଗୋଲାପର ଏଡେ ଭାଗ୍ୟ କାହିଁ l ତାକୁ ତ ଦୁର୍ଭାଗ୍ୟ ହିଁ ଗୋଡ଼ାଇଛି l ଗୋଲାପ ଏକ ଲୟରେ ଦେଖୁଛି l ଆଉ ଟିକିଏ ପାଖକୁ ଗଲା ସେ l ହଠାତ ସାପ ଦେଖିଲା ପରି ଚମକି ଉଠିଥିଲା l ଇଏ ତ ସୀମାଦ୍ରୀ ? ସୀମାଦ୍ରୀ ପୁଣି ତା ସହିତ ଆଉ ଗୋଟିଏ ଝିଅ ? ପରସ୍ପରକୁ ଖୁଆଇ ଦେଉଛନ୍ତି ? ଟିକିଏ ପାଖରୁ ଦେଖିଲା ଗୋଲାପ l ଆରେ ଇଏତ ଗଉଡ଼ ସାହିର ଲଳିତା ? ଉଭୟେ ବାତ୍ୟା ହେଲା ଦିନ ଏକାଠି ନିଖୋଜ ହୋଇ ଯାଇଥିଲେ l ଭାଷା ନଥିଲା ଆଉ ଗୋଲାପ ପାଖରେ l


ହାରାମଜାଦା ! ତାହେଲେ ଏଇଠି ଆସି ରାସଲୀଳା ରଚଉଛି ? ତେଣେ ସ୍ତ୍ରୀ ପିଲା ଭୋକ ଉପାସରେ ମରିବାକୁ ବସିଲେଣି ? ପାଖରେ ପଡ଼ିଥିବା କାଠ ଫାଳିଆଟା ଉଠାଇ ପଛ ଆଡୁ ଯାଉଥିଲା ଓ ଯାଉ ଯାଉ ରହିଗଲା l ଏବେ ଏସବୁ କଣ ହେବ ? ପୋଡ଼ିଗଲା ତିଅଣରେ କି ସୁଆଦ ? ସୀମାଦ୍ରୀକୁ ଟାଣି ନେଇଗଲେ ସେ କଣ ଏବେ ଆଉ ତାର ହୋଇ ରହିବ କି ? ତାର ମନ ରହିବ ଲଳିତା ପାଖରେ l ଏତେ ଅଭିନୟ ଆସୁଥିଲା ତାକୁ ? ଆଉ ସେ ନିଜେ ତାର ଅଭୟ ଆଶ୍ରୟ ତଳେ ଆଖି ବୁଜି ଆଶ୍ରା ନେଇ ଆଜି ଯାଏଁ ନିଜକୁ ସୁରକ୍ଷିତ ମନେ କରିଛି ?


ଫେରି ଆସିଲା ପରେ ସିନ୍ଦୁର ପୋଛି ଚୁଡ଼ି ସବୁ ବାହାର କରି ଫୋପାଡ଼ି ଦେଇଥିଲା ବାହାରେ l ତାଙ୍କ ଗାଁ ର ଗୋବିନ୍ଦ ମଙ୍ଗରାଜ ଦୁଇ ଦୁଇ ଥର ଗୋଲାପକୁ ବିବାହ କରିବା ପାଇଁ ପ୍ରସ୍ତାବ ପଠାଇଥିଲା ଓ ରଙ୍କିକୁ ବି ପୁଅ କରିଥାନ୍ତା ହେଲେ ଏଇ ସୀମାଦ୍ରୀକୁ ଝୁରି ଝୁରି ସେ ତାକୁ ନିରାଶ କରିଥିଲା l ଅଥଚ ଏଭଳି ଲୋକର ମଙ୍ଗଳ ମନାସି ସଧବାର ଜୀବନ ଜିଉଁଛି ସେ ? ଏଥର ସେ ସବୁଆଡୁ ମୁକ୍ତ l କାହା ବିନା କାହାରି ଜୀବନ ଅଟକି ଯାଏନି l ସଂସାର ଚାଲିଛି ଓ ଚାଲିବ l ଏଥର ଗାଁ କୁ ଗଲେ ଗୋବିନ୍ଦ ମଙ୍ଗରାଜ ସହିତ ସେ ବଉଳର ପ୍ରସ୍ତାବ ପକାଇବ l ଭଲ ଲୋକଟା ବଉଳକୁ ସୁଖୀ ରଖିବ l ଏଇ ସହରରେ ରହି ଖଟିବ ଓ ଖାଇବ ଆଉ ହଁ ରଙ୍କିକୁ ଯେମିତି ହେଲେ କଣ୍ଟ୍ରାକ୍ଟର କରିବ l ଆଗ ତା ପାଠ ପଢା ସରିଯାଉ l


Rate this content
Log in

Similar oriya story from Inspirational