Kalyani Nanda

Tragedy

2.5  

Kalyani Nanda

Tragedy

ସ୍ବପ୍ନର ଘର

ସ୍ବପ୍ନର ଘର

3 mins
510



ସକାଳୁ ଝିପିରି ଝିପିରି ବର୍ଷା ଲାଗି ରହିଛି ।ମୁଁ ଚା କପ୍ ଟା ନେଇ ମୋ ଶୋଇବା ଘରକୁ ଲାଗିଥିବା ବାଲକୋନି ରେ ଯାଇ ବସିଲି । ସନ୍ଧ୍ଯା ସମୟ ରେ ମୋର କୁଆଡେ ଯିବାର ନ ଥିଲେ , ଏଇ ବାଲକୋନି ରେ ବସି ସମୟ କଟାଏ । ଚା ପିଇ ସାରି ସେଠି ବସି ବର୍ଷାର ରିମଝିମ ଶବ୍ଦ ଆଉ ଥଣ୍ଡା ପବନ ମୋତେ ବେଶ ଭଲ ଲାଗୁଥାଏ । ରାତ୍ରି ର ଅନ୍ଧକାର ନଇଁ ଆସିବା ଆଗରୁ ଷ୍ଟ୍ରିଟ ଲାଇଟ୍ ସବୁ ଜଳି ଉଠିଲା । ମୁଁ ବାଲକୋନି ର ଲାଇଟ ଜଳାଇ ଦେଇ ଭିତରକୁ ଯାଇ ପୁରୁଣା ଆଲବମ ନେଇ ଆସି ବସିଲି। ପୁରୁଣା ଫଟୋ ରେ ସବୁ ପୁରୁଣା ସ୍ମୃତି । ଗୋଟିଏ ପରେ ଗୋଟିଏ ଫଟୋ ମୁଁ ଦେଖି ଚାଲିଥାଏ। ଜେଜେ ବାପା, ଜେଜୀ , ଅଜା, ଆଈ, ଆମ ଭାଇ, ଭଉଣୀ, ସମସ୍ତଙ୍କର ଫଟୋ । ଜେଜେ, ଜେଜୀ, ଅଜା, ଆଈ କେବେଠୁ ଇହଧାମ ଛାଡି ଚାଲି ଗଲେଣି। ସେଇ ଫଟୋରେ ହିଁ ସେମାନେ ଆମ ପାଖରେ ଅଛନ୍ତି । ହଠାତ୍ ମୋ ଆଖି ପଡିଗଲା ଗୋଟିଏ ଫଟୋ ଉପରେ । ଆମ ଘର । ମୋ ଜେଜେ ବାପାଙ୍କ ସ୍ବପ୍ନର ଘର । ସେଇ ଘର, ଯେଉଁଠି କେତେ ମଧୁର ମୁହୁର୍ତ୍ତ ର ସ୍ମୃତି ଜଡାଇ ହୋଇ ରହିଛି । ଫେରିଗଲି ସେଇ ସମୟକୁ । ଅତୀତର କେତେ କଥା, କେତେ ବ୍ଯଥା ଗୁନ୍ଥା ସେଇ ଘରେ । ଚଳଚ୍ଚିତ୍ର ପରି ଭାସି ଉଠୁଥାଏ ସେଇ ଅଭୁଲା କ୍ଷଣ ।


ମୁଁ ଥିଲି ସେତେବେଳେ ଦଶମ ଶ୍ରେଣୀର ଛାତ୍ରୀ । ଜେଜେ ଚାକିରୀରୁ ଅବସର ନେଇ ଘରକୁ ଆସିଲେ । ଅବସର ପରେ ଗୋଟିଏ ସୁନ୍ଦର, ତାଙ୍କ ମନ ମୁତାବକ ଘରଟିଏ କରିବା ଥିଲା ତାଙ୍କର ସ୍ବପ୍ନ। ନିଜେ ଯେମିତି ଚାହୁଁଥିଲେ ସେମିତି ଘରଟିଏ କରିଥିଲେ ।ବେଶ ଫରଚା ଫରଚା କୋଠରୀ, ବଡ ବଡ ଝରକା, କବାଟ, ଆଲମାରୀ । ନିଜ କଳ୍ପନାର ଘର। କିନ୍ତୁ ଶେଷ ପର୍ଯ୍ଯାୟ ରେ ତାଙ୍କୁ ଘରଟି ଶେଷ କରିବା ପାଇଁ ଆର୍ଥିକ କଷ୍ଟ ଉଠାଇବାକୁ ପଡିଥିଲା । ଆମେ ସମସ୍ତେ ନୂଆ ଘରେ ଆସି ବହୁତ ଖୁସି ହେଇଥିଲୁ। ସେତେବେଳେ ଆମ ଘର ଛଡା ଆଉ ଦୁଇ, ଚାରିଟି ଘର ସେଠି ଥାଏ। ଚାରିଆଡେ ଧାନ ଖେତ । ଦୂରରୁ ଟ୍ରେନ ଯିବାର ଶବ୍ଦ ଶୁଭେ । ବହୁତ ଖୋଲା ଖୋଲା ଜାଗା । ସକାଳ, ସନ୍ଧ୍ଯାରେ ସୁଲୁସୁଲିଆ ଥଣ୍ଡା ପବନ ଘର ଭିତରକୁ ଆସେ। ଖରା ଦିନରେ ଝାଁଜି ପବନରେ ଘର ତାତି ଯାଏ, ହେଲେ ବି ଆମକୁ ସେଇ ଗରମ ପବନ ବି ଭଲ ଲାଗୁଥାଏ। ସେଇ ଘରେ ଆମ ଭାଇ ,ଭଉଣୀ ଙ୍କ ସ୍ନେହ, ବଡ ମାନଙ୍କ ପ୍ରତି ଶ୍ରଦ୍ଧା , ଛୋଟ ଛୋଟ କଳିଗୋଳ, ହସ, ଥଟ୍ଟା ମଜା ରେ ଆମ ଦିନ କେମିତି ବିତି ଯାଉଥାଏ ଆମେ ଜାଣି ପାରୁ ନ ଥିଲୁ । ମୁଁ ସେଇ ଦିନର ସ୍ମୃତିରେ ହଜିଯାଇଥିଲି। ହଠାତ୍ ମୋ ଫୋନ ରିଂ ହେଲା । ଦେଖିଲି ସାନ ଭାଇ ଫୋନ କରିଛି । ତା ଘର ପ୍ରତିଷ୍ଠା ପାଇଁ ମୋତେ ଯିବାକୁ କହୁଥାଏ । 


ମୁଁ ଯାଇଥିଲି ତା ଘର ପ୍ରତିଷ୍ଠା ରେ ଯୋଗ ଦେବାକୁ । ଖୋଜିଥିଲି ସେଇ ଘରକୁ। ମୋ ଜେଜେଙ୍କ ସ୍ବପ୍ନର ଘର । ପୁରୁଣା ଘର ଭାଙ୍ଗି ଭାଇ ସେଇ ଭିଟାମାଟିରେ ତା ଘର କରିଥିଲା । ଆଉ ସେଇ ଘର ନାହିଁ, ନାହିଁ ସେଇ ନିର୍ଜନ ରାତ୍ରି ର ସାଇଁ ସାଇଁ କରୁଥିବା ନିସ୍ତବ୍ଧ ତାର ସୁର । ନା ଶୁଭୁଥିଲା ଝିଙ୍କାରୀ ର ଝିଁ ଝିଁ ଶବ୍ଦ। ଏବେ ଖାଲି ଲୋକ ଗହଳି, ଗାଡି, ମୋଟର ର ପେଁ ପାଁ ଶବ୍ଦ । ଭାଇ ଦେଖାଇଲା ପୁରୁଣା ଘର ଭାଙ୍ଗିବା ଫଟୋ । ଖୁବ୍ ଶକ୍ତ ଥିଲା ସେଇ ପୁରୁଣା ଘର, ଠିକ ମୋ ଜେଜେ ଙ୍କ ଦୃଢ ଇଚ୍ଛା ଶକ୍ତି ପରି । ମୋତେ ସେଦିନ ଲାଗିଲା ଯେମିତି ସେଇ ଘର ଭାଙ୍ଗି ଯାଇନି, ଭାଙ୍ଗିଛି ଆମ ସମସ୍ତଙ୍କ ସ୍ବପ୍ନ । ସେଇ ହସ , ମଜା, ଛାତ ଉପରେ ରାତିରେ ଶୋଇ ଶୋଇ ତାରା ଗଣିବା,ଖରା ବର୍ଷା, ଶିତର ଅନୁଭୂତି ।ସବୁକିଛି ଆଜି ଅତୀତ, ସ୍ମୃତି। ମନଟା ମୋ ଭାରି ଭାରି ଲାଗୁଥାଏ। ମୁଁ ଜାଣିଛି, ଇଟା, ସିମେଣ୍ଟ ରେ ଘରଟିଏ ହୁଏ କିନ୍ତୁ ସେଇ ଘର ତିଆରି ରେ ଯେଉଁ ସ୍ବପ୍ନର ଝରକା ଦେଇ ସ୍ମୃତିର ହାଲକା ହାଲକା ପବନ ଘରକୁ ଆସେ , ସେଇ ପବନର ପରଶରେ ଦେହ, ମନ ସତେଜ ହୋଇ ଉଠେ, ଫେରାଇ ଆଣେ ସେଇ ମୁହୁର୍ତ୍ତ ଗୁଡିକୁ, ସେଇ ଅଭୁଲା କ୍ଷଣକୁ ।

ଆଜି ଜେଜେ ନାହାନ୍ତି କି ତାଙ୍କ ସେଇ ସ୍ବପ୍ନର ଘର ବି ନାହିଁ ,କିନ୍ତୁ ସେଇ ଭିଟାମାଟି ଉପରେ ତିଆରି ତାଙ୍କ ବଂଶଧରଙ୍କ ସ୍ବପ୍ନର ଘରେ ଜେଜେ ଙ୍କ ସ୍ବପ୍ନ ଆଜି ବି ଜୀବିତ ।




Rate this content
Log in

Similar oriya story from Tragedy