Minakshi Samal

Tragedy

5.0  

Minakshi Samal

Tragedy

ସ୍ବପ୍ନଭଙ୍ଗ

ସ୍ବପ୍ନଭଙ୍ଗ

4 mins
263



ଦୁଇ ମାସ ହେଇଗଲା ଚେମାର ଗାଁରୁ ସହରକୁ ଆସିବାର।ଗାଁ ପରିବେଶ ତାକୁ କୁଆଡେ ଭଲ ଲାଗୁନଥିଲା ଆଉ।ସହରର ଆକର୍ଷଣ ଭାରି ଟାଣୁଥିଲା ତାକୁ।ତାଙ୍କ ଗାଁର ହରିଆ ଭାଇ ବରା ଆଳୁଚପ୍ ଦୋକାନଟିଏ ଦେଇଛି ରୂପାଲି ଛକରେ।ତାକୁ ତେଲ ମାଲିସ କରିକରି ଏଥର ତା ସହିତ ଭୁବନେଶ୍ୱର ଆସିଛି ଚେମା।ଓଃ ହୋଃ।ଏତେ ଦିନ ପରେ ମଣିଷର ସପନ ସତ ହେଲା।ଗ୍ରାମ ଦେବତୀଙ୍କ ଉଦ୍ଦେଶ୍ୟରେ ହାତ ଟେକିଲା ଚେମା।


ଦୁଇ ମାସ ହେଲା ହରିଆ ଭାଇକୁ ଦୋକାନ କାମରେ ସାହାଯ୍ୟ କରି କରି ପୁରା ସମୟ କଟୁଥିଲା ଚେମାର।ସାତ ସକାଳୁ ଉଠି ବିଭିନ୍ନ ଜଳଖିଆର ପ୍ରସ୍ତୁତିରେ ସାତଟା ବାଜୁବାଜୁ ଗ୍ରାହକ ମାନେ ଦୋକାନରେ ଭିଡ ଜମେଇ ଦେଉଥିଲେ।ବରା,ଆଳୁଚପ,ଉପମା,ଇଡଲୀ ଚଟଣୀର ପ୍ଲେଟ ଗୁଡିକୁ ଟେବୁଲ ଉପରେ ଯୋଗାଉ ଯୋଗାଉ ପୁଣି ଅଇଁଠା ପ୍ଲେଟ୍ ସବୁ ଉଠାଉ ଉଠାଉ ବାରଟା ବାଜିଯାଉଥିଲା।ଦଶ ବର୍ଷର ପିଲାଟିକୁ 'ଭୋକ କରିବଣି।ଯା ଖାଇଦବୁ।' ବୋଲି ହରିଆ ଭାଇ କେବେବି କହେନି।ଗରାଖ ନଥିଲେ କ'ଣ ଟିକେ ଚଟାପଟ ମୁହଁରେ ଦେଇଦିଏ ନହେଲେ ସେଇ ତିନିଟା ଚାରିଟା ହେଇଯାଏ ଖାଉ ଖାଉ।ପୁଣି କାମ ଆରମ୍ଭ ହୋଇଯାଏ ଆଉ ଶୋଇବାକୁ ଗଲା ବେଳକୁ ରାତି ବାରଟା କି ଗୋଟାଏ।


ମନ ଭିତରେ କେତେ ଆଶା ନେଇ ଆସିଥିଲା ଚେମା।ଫୁଲବାବୁ ହେଇ ବୁଲିବ,ସହରର ଗାଡି ଘୋଡା ଦେଖିବ,ରାତିହେଲେ ରଙ୍ଗୀନ ଆଲୁଅରେ ସଜା ହୋଇଥିବା ଜାଗାଗୁଡିକୁ ନିରେଖି ଦେଖିବ,ସହରୀ ଢଙ୍ଗ ଢାଙ୍ଗ ଶିଖିବ ,ସହରୀ ଖାଦ୍ୟ ଖାଇବ ଇତ୍ୟାଦି ଇତ୍ୟାଦି।


ମନଟା ଧିରେ ଧିରେ ମରି ଆସିଲାଣି।ସପନ ସବୁ ଫିକା ପଡି ଆସିଲାଣି।ସହରର ନିଶା ଧୀରେଧୀରେ ମୁଣ୍ଡରୁ ଖସି ଆସିଲାଣି।ଗାଁରେ ହେଣ୍ଡି ମାରି ବୁଲୁଥିଲାବେଳେ ଖୋଜି ଖୋଜି ବୋଉ ତାର ଝାଳ ସରସର ଦେହକୁ ପୋଛି ଦଉଥିଲା ଆଉ ଟାଣି ଟାଣି ନେଇ ପିଣ୍ଡାରେ ବସେଇ ପଖାଳ କଂସାରୁ ଭାତ ଗୁଣ୍ଡା ଗୁଡିକ ଖୁନ୍ଦେଇ ଖୁନ୍ଦେଇ ଖୁଆଇ ଦେଉଥିଲା।ଏଠି ପେଟର ଭୋକ ପେଟରେ ହିଁ ରହିଯାଉଛି।କେହି ପଚାରିବାର ନାହିଁ।ଗାଁ ର ସାଙ୍ଗ ସାଥି ମେଳରେ ,ଖେଳ କୌତୁକରେ କେତେ ଆନନ୍ଦ ଥିଲା।ଗାଁରେ ରହି ତା ବା' କୁ ତ ସାହାଯ୍ୟ କରି ପାରିଥାନ୍ତା।କେତେଥର ତାକୁ କହିଛନ୍ତି ..... ଚେମାରେ ବଳଦ ଦିଟାଙ୍କୁ ଟିକେ ଯୋଚିଦେ। ସେ ଶୁଣିକି ନଶୁଣିଲା ପରି ଚାଲିଯାଏ।ଆଉ କେତେ ବେଳେ ବୋଉ ତା'ର କହେ....ଚେମା ତୁ ଆଜି ବିଲକୁ ଯାଇ ବାପାଙ୍କୁ ଖାଇବା ଦେଇ ଆସିବୁ।ଚେମା ଆଉ ବୋଉ କଥା କି ଶୁଣେ। ଦଉଡିକି ଦାଣ୍ଡ ଆଡେ ପଳାଏ।ଆଉ ଏଠି.....କାମ ପରେ କାମ।ଘଡିଏ ବି ଫୁରୁସତ ନାହିଁ।ଅଣ୍ଟା ପିଠି ଲାଗିଗଲେ ବି ଆହା ପଦେ କରିବାକୁ କି ଦେହମୁଣ୍ଡ ଟିକେ ଆଉଁଷି ଦବାକୁ କେହି ନାହାଁନ୍ତି।ଘରକୁ ପଶୁ ପଶୁ ବା' ତାକୁ ଆଗ ଡାକ ପକାଏ।ଯଦି ଗାଁ ମୁଣ୍ଡ ଶତୁରା ଗୁଡିଆ ଦୋକାନରୁ କୋଉଦିନ ବରା ଦିଟା କି ଜଲିପି ଟିଏ କିଣି ଆଣିଥାଏ ସେଇଟା ବା' ତା'ର ହାତରେ ଧରାଇ ଦିଏ।


ଯୋଉ ହରିଆ ଭାଇକୁ ଏତେ କାକୁତି ମିନତି କରି ଚେମା ଏଠିକି ଆସିଥିଲା ସେ ତ ଚବିଶି ଘଣ୍ଟା ତା ଉପରେ ନାଲିଆଖି ଦେଖାଉଛି,ଗଧ ଭଳି ଖଟଉଛି।କେତେଥର ନେହୁରା ହେଇ କହିଛି,ହରିଆ ଭାଇ ଟିକେ ଲିଙ୍ଗରାଜ ମନ୍ଦିର ନେଇକି ଚାଲ।ଠାକୁର ଦର୍ଶନ କରି ଆସିବା।ଆଜି... କାଲି,ଆସନ୍ତା ରବିବାର କହି କହି ଦି ମାସ ହେଇଗଲା କିନ୍ତୁ ସେ ଠାକୁରଙ୍କ ଦର୍ଶନ କରି ପାରିଲାନି।ଭୁବନେଶ୍ୱର ବୁଲିବା ତା ପାଇଁ ସ୍ବପ୍ନ ଭଳି ଲାଗିଲା।ନୂଆ ନୂଆ ବେଳେ ତାକୁ ଲାଗୁଥିଲା ହଁ ମ ଏଇନେ ତ ଆସିଛି।ଧିରେ ଧିରେ ଗୋଟିକ ପରେ ଗୋଟିଏ ଜାଗା ହରିଆ ଭାଇ ନିଶ୍ଚୟ ଦେଖେଇ ଦବ।ହେଲେ ଗାଁର ହରିଆ ଭାଇକୁ ସେ ଏ ହରିଆ ଭାଇ ଭିତରେ ଖୋଜି ଖୋଜି କାହିଁ ପାଉନି।ଭୁଆଁ ବୁଲେଇ ବୁଲେଇ ଦି ମାସ କଟେଇ ଦେଲାଣି।ଲିଙ୍ଗରାଜ କିଏ ନା ସେ କିଏ।


ଆଜି ସକାଳୁ କାହିଁକି କେଜାଣି ଚେମାର ଦେହଟା ଜମା ଭଲ ଲାଗୁନି।ମନତ ଭଲ ନଥିଲା ତା ସାଙ୍ଗରେ ଦେହଟା ଭଲ ନଲାଗି ତାର କଷ୍ଟଟା ଟିକେ ବଢିଯାଇଥିଲା।ମୁଣ୍ଡ ଭିତରଟା ଝିମଝିମ ହେଇଯାଉଥାଏ।ଗାଁ କଥା ମନେ ପଡିବାରୁ ପୂର୍ବଦିନ ରାତିରେ ନଖାଇ କାନ୍ଦି କାନ୍ଦି କେତେବେଳେ ଶୋଇଯାଇଥିଲା ସେ ଜାଣିନି।ଘରେଥିଲେ ଏତେବେଳକୁ ବୋଉ ତାର ଦେହରେ ମୁଣ୍ଡରେ ହାତ ବୁଲାଇ ,ଗୋଡହାତ ଘଷିଦେଇ,ମଥାକୁ ଆଙ୍ଗୁଠି ଟିପରେ ଦବେଇ ଦବେଇ ମଜରା ଛଡେଇ ସାରନ୍ତାଣି।ଏଠି ତାକୁ ଆଡ ଆଖିରେ କେହି ଚାହିଁବାକୁ ନାହାଁନ୍ତି।ଭିତରୁ ଯେମିତି ତାର କୋହ ଉଠି ଆସୁଥିଲା।ତୁହାକୁତୁହା ମନେ ମନେ ଗୁଣୁଗୁଣୁ ହେଇ କହୁଥିଲା କାହିଁକି ମୁଁ ଆସିଲି ଏଠିକି।ମସ୍ତବଡ ଭୂଲ ଟିଏ କରିଛି ମୁଁ।ନା....ନା...ମୁଁ ଆଉ ଏଠି ରହି ପାରିବିନି।ହଠାତ ମୁଣ୍ଡ ବୁଲାଇଦେଲା ଜୋର୍ ରେ।ବାନ୍ତି ଦେଖାଇ ବାରୁ ଦୋକାନ ପଛପଟ ନଳା ପାଖରେ ଯାଇ ପେଟକୁ ଚାପି ବସିରହିଲା ସେ।


ହରିଆ ଭାଇର ଡାକରେ ଧଡପଡ ହେଇ ଉଠି ବସିଲା।


ଆରେ କ'ଣ କରୁଛୁ ଭିତରେ ପଶିକି?ଗରାଖ ଆସିବା ବେଳ ହେଲାଣି ପରା।


ହରିଆ ଭାଇ.... ଏ ହରିଆ ଭାଇ....ଗାଁ କଥା ଭା..ଆ...ରି ମନେପଡୁଛି।ମତେ ଟିକେ ଗାଁରେ ଛାଡିଦେଇ ଆସିବ?


ଆଇଁ....ଗାଁ କୁ ଯିବୁ ତୁ।ଆରେ ତୁ ଗାଁ କୁ ଯିବୁ।ଏତେ ତରତର କାହିଁକି।ଏଇତ କିଛି ଦିନ ହେଲା ଆସିଛୁ।

 

ନା ହରିଆ ଭାଇ ମତେ ବୋଉ କଥା ଭାରି ମନେ ପଡୁଛି।ମତେ ଆଉ ଏଠି ରହିବାକୁ ଇଛା ହଉନି।


ଆରେ ରହ ରହ।ଟିକିଏ ଧୈର୍ଯ୍ୟ ଧର।ଏକଥା କହି ହରିଆ କାହାକୁ ଗୋଟେ ଫୋନ କଲା।ଫୋନ କରିସାରି ଚେମାକୁ କହିଲା....ଆରେ ଚେମା ମୋ ପାଖରେ ତ ସମୟ ନାହିଁ ତତେ ଗାଁରେ ନେଇ ଛାଡିବାକୁ।ମୁଁ ମୋର ସାଙ୍ଗକୁ ଫୋନରେ କହିଦେଇଛି ସେ ତତେ ନେଇ ଆଜି ଗାଁରେ ଛାଡି ଆସିବ।


ଖୁସିରେ ମନ କୁଣ୍ଢେମୋଟ ହୋଇଗଲା ଚେମାର।ଦେହ ଯେ ତାର ଖରାପ ଲାଗୁଥିଲା କ୍ଷଣିକେ ସେ ସେକଥା ଭୂଲିଗଲା।ପନ୍ଦର ଦିନ ଆଗରୁ ଦୋକାନକୁ ମନୋହରୀ ଜିନିଷ ବିକାଳୀ ଟିଏ ଜଳଖିଆ ଖାଇବାକୁ ଆସିଥାଏ।ତା ପାଖରେ ନାନା ରକମର ଜିନିଷ ଦେଖି ଚେମାର ମନହେଲା ବୋଉ ପାଇଁ କିଛି କିଣିବାକୁ। କଣ କିଣିବ ଭାବିଭାବି ମନେପକାଇଲା।ହଁ ଏଥର ତାର ମନେ ପଡିଗଲା।ବୋଉ ଥରେ ଗାଁ କାଚରା ପାଖରୁ ଦୁଇପଟ ନକଲି ସୁନାଚୁଡିର ଦାମ ମୁଲୋଉଥିଲା।କେତେ ଦାମ କାଚରା କହିଲା କେଜାଣି ବୋଉ ଆଉ କିଛି ନକିଣି ଘରକୁ ଚାଲି ଆସିଥିଲା।


ମଉସା.....ଏଇ ସୁନା ରଙ୍ଗର ଚୁଡି ଦି'ଟା କେତେ ଟଙ୍କା?


କୋଡିଏ ଟଙ୍କା।କହିଲା ମନୋହରୀ ଦୋକାନୀବାଲା।


ହରିଆ ଭାଇଠୁଁ ପାଇଥିବା ପଚାଶ ଟଙ୍କାରୁ କୋଡିଏ ଟଙ୍କା ନେଇ ବୋଉପାଇଁ ଚୁଡିହଳକ କିଣି ଭାରି ଯତ୍ନରେ ତା ବ୍ୟାଗଭିତରେ ରଖିଦେଲା।


ବ୍ୟାଗ ସଜାଡିବା ସମୟରେ ପୁଣିଥରେ ଚୁଡି ଦୁଇଟିକୁ ଦେଖିନେଲା ସେ।


ହରିଆ ଭାଇ ପାଟିକଲା....ଆରେ ଚେମା ବାହାରିଲୁ ନା ନାହିଁ।


ହଁ ବୋଲି କହି ବାହାରକୁ ବାହାରି ଆସିଲା ଚେମା।ହାତରେ ଧରିଥାଏ ତା ବ୍ୟାଗ ଟି।


ନିଜର ବନ୍ଧୁ ବୋଲି କହୁଥିବା ଲୋକଟି ସହିତ ଚେମାକୁ ପଠାଇ ଦେଲା ହରିଆ।ମୁହଁରେ ତାର ଲାଗି ରହିଥିଲା କୁଟିଳ ହସର ଝଲକ।


ଗାଁ କୁ ଯିବାର ଖୁସିରେ ଖାଇବା ମଧ୍ୟ ଭୁଲିଯାଇଥିଲା ଚେମା।ଷ୍ଟେସନରେ ଟ୍ରେନରେ ଚଢିବାକୁ ହରିଆ ଭାଇର ସାଙ୍ଗ କହିବାରୁ ସେ କହିଲା......ଆମ ଗାଁ କୁ ତ ଟ୍ରେନ ଯାଏନି।ଆମେ ତ ବସ୍ ରେ ଯାଉ।


ଲୋକଟି କହିଲା ଆରେ......ଟ୍ରେନରେ ଅଧାରାସ୍ତା ଯାଇ ବାକି ରାସ୍ତା ବସ୍ ରେ ଗଲେ ଆମେ ସଅଳ ସଅଳ ତମ ଗାଁରେ ପହଞ୍ଚି ଯିବା।ଏଥର ଖୁସିହେଲା ଚେମା।ଆଉ କୌଣସି ପ୍ରଶ୍ନ ନ ପଚାରି ବସିଗଲା ସିଟ୍ ରେ। ଝରକା ବାହାରୁ ତାକୁ ସବୁକିଛି ଭାରି ସୁନ୍ଦର ଲାଗୁଥାଏ।ଗଛଲତା,ଘରଦ୍ବାର ସବୁକିଛି ଟ୍ରେନ ର ଓଲଟା ଦିଗରେ ଦୌଡୁଥାନ୍ତି।ପ୍ରଥମ ଥର ପାଇଁ ଟ୍ରେନ ରେ ବସିଥାଏ।ଭାରି ମଜା ଲାଗୁଥାଏ ତାକୁ।ସୁଲୁସୁଲିଆ ପବନରେ ଆଖିପତା ମୁଦି ହେଇ ଆସିଲା।


ନିଦ ଭାଙ୍ଗିଲା ବେଳକୁ ରାତି ହୋଇଯାଇଥାଏ।ମନେ ମନେ ଚେମା ଭାବିଲା.....ଏମିତି କି ନିଦରେ ମୁଁ ଶୋଇଲି ଯେ ଦିନ ଯାଇ ରାତି ହେଇଗଲା ଜାଣି ପାରିଲିନି।ଶୋଇବା ଜାଗାରୁ ଉଠି ନିଜକୁ ଏକ ନିବୁଜ କୋଠରୀରେ ପାଇଲା ଚେମା।ଭୟ ପାଇଗଲା ସେ।ଦରଜା ପାଖକୁ ଆସି ଦେଖେ ତ ଦରଜା ବାହାରୁ ବନ୍ଦ।ପାଟିକରି ଦରଜା ଖୋଲିବାକୁ କହିଲା ସେ।କିଛି ସମୟ ପରେ ଅଚିହ୍ନା ଲୋକଟିଏ ଦରଜା ଖୋଲିଲା।ହରିଆ ଭାଇର ସାଙ୍ଗକୁ ଏପଟ ସେପଟ ଅନେଇ ବହେ ଖୋଜିଦେଲା ସେ। କୋଉଠି ବି ସିଏ ଦେଖାଗଲାନି।ତାକୁ ଆଣିଥିବା ଲୋକଟିକୁ ଡାକିଦେବା ପାଇଁ ଅଜଣା ଲୋକଟିକୁ ନେହୁରା ହେଲା ଚେମା।


 ସେଇ ଅନ୍ଧାରିଆ କୋଠରୀ ଭିତରକୁ ଚେମାକୁ ଧକ୍କା ଦଉ ଦଉ ଅଜଣା ଲୋକଟି ପାଟିକରି କହିଲା.......ଆରେ ସେ ତ ତତେ ଏଇଠି ସବୁଦିନ ପାଇଁ ଛାଡି ଦେଇ ଯାଇଛି।ଆଜି ଠାରୁ ଏଇ ଜାଗାଟା ହେଲା ତୋର ଘର।

 

ଚେମା ବୋଉ ପାଇଁ ଆଣିଥିବା ଚୁଡିହଳକକୁ ଜାବୁଡି ଧରି ଥମ କରି ସେଇଠି ବସିଗଲା। ଆଖିରୁ ତାର ବୋହି ଚାଲିଥିଲା ଶ୍ରାବଣର ବାରିଧାରା।



Rate this content
Log in

Similar oriya story from Tragedy