STORYMIRROR

Suryakanta Kanungo

Inspirational

4  

Suryakanta Kanungo

Inspirational

ସବାଖାଇ

ସବାଖାଇ

5 mins
6

ଅକାଂବକାଂ ଗାଁ ରାସ୍ତା ପାର ହୋଇ ରାଜେଶକଂ ଘରେ ପହଞ୍ଚିଲା ବେଳକୁ ଦିନ ବାରଟା। ମୋତେ ପାଛୋଟି ନେବା ପାଇଁ ରାଜେଶ ବାଇକ୍ ଆଣି ବସଷ୍ଟାଣ୍ଡ ଆସିଥିଲା। ରାଜେଶଙ୍କ ଘରେ ମୋତେ ଦେଖି ସମସ୍ତେ ବେଶ୍ ଖୁସି ହେଲେ। ଆଉ ଦି ଦିନ ପରେ ରାଜେଶ ର ଭଉଣୀ ବାହାଘର। ଦାଣ୍ଡ ଦୁଆରେ ଆଠ ଦଶଟା ବାଉଁଶ ପୋତା ହୋଇଛି ତା ଚାରିପଟେ ରଗିଂନ କପଡ଼ା, ବୋଧହୁଏ ବାହାଘର ପାଇଁ ପ୍ରାକ୍ ପ୍ରସ୍ତୁତି।ଆଦର ସହିତ ରାଜେଶ ର ବାପା ମୋ ହାତରୁ ବ୍ୟାଗ ନେଇ ମୋତେ ରାଜେଶ ରହୁଥିବା ଘର ଭିତରକୁ ପାଛୋଟି ନେଲେ। ରାଜେଶ ର ବୋଉ ରାଜେଶ ଆଉ ମୋ ପାଇଁ ଖାଇବା ବଢାବଢି କଲେ। ମୁଁ ରାଜେଶ ସହିତ ତାଙ୍କ ବାଡିପଟ ନଳକୂପ ପାଖକୁ ଗୋଡ଼ହାତ ଧୋଇଦେବା ପାଇଁ ବାହାରିଲି। ରାଜେଶ ମୋତେ ତାଙ୍କ ବାଡ଼ିରେ ଥିବା ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଦେଖାଇଲା। ସେ ସବୁ ଦେଖି ଗୋଡ଼, ହାତ ଧୋଇ ଫେରୁଥିବା ବେଳେ ମୋ ନଜର ଏକ ଭଗାଂ ଆଜବେଷ୍ଟସ ଘର ଉପରେ ପଡ଼ିଲା। ରାଜେଶ ଆଗେ ଆଗେ ଚାଲିଥାଏ। ଘର ଟି ବେଶ ପୁରୁଣା ଜଣା ପଡୁଥାଏ। ଘର କାନ୍ଥ ରେ ଚଡକା ଫାଟ, ଆଜବେଷ୍ଟସ ଖଣ୍ଡେ ଖଣ୍ଡେ ଭାଂଗି ଯାଇଛି। ଖରା ନ ହେବା ପାଇଁ ଘର ଉପରେ ପୁଞ୍ଜାଏ ନଡ଼ା ପଡ଼ିଛି। ମୁଁ ଭାବିଲି ଛାତଘର ତିଆରି କରିବା ପୂର୍ବରୁ ରାଜେଶ ର ପରିବାର ବୋଧହୁଏ ଏଇଠି ରହୁଥିଲେ। କିନ୍ତୁ ହଠାତ୍ ଏକ ଅସ୍ପଷ୍ଟ ସ୍ବର ଶୁଣି ଅଟକି ଗଲି। କିଏ ବୋଧେ ସେ ଘର ଭିତରେ କାହାକୁ ଡାକୁଛି! ବସୁ...ବ..ସୁ .. କିରେ କଣ କରୁଛୁ... । ମୁଁ ଆଗ୍ରହ ର ସହିତ ସେ ଆଡ଼କୁ ଯାଉଥିବା ବେଳେ ରାଜେଶ ମୋ ହାତକୁ ଧରି ଟାଣି ଆଣିଲା। ସେଠି କିଏ??? ବୋଲି ପଚାରିଲି। " କେହି ନାହାନ୍ତି ଚାଲ ଯିବା ଖାଇବା" କହି ରାଜେଶ ମୋତେ ତାଙ୍କ ଘର ଭିତରକୁ ଏକ ପ୍ରକାର ଟାଣି ଟାଣି ନେଇଗଲା। ଖାଇବା ବେଳେ ବି ମୋ ମନରେ ସେଇ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ। ଖାଇବା ପରେ ରାଜେଶ ହାଡିବାଜା ବାଲାକୁ ଡାକିବା ପାଇଁ ପାଖ ଗାଁ କୁ ଗଲା। ମୋତେ ସାଙ୍ଗରେ ଯିବା ପାଇଁ ଡାକୁଥିଲା। ମୁଁ ଟିକେ ବିଶ୍ରାମ ନେବି କହି ଯିବାକୁ ମନାକଲି। ରାଜେଶ ଯିବା ପରେ ମୋ ପାଇଁ ବିଶ୍ରାମ ନେବାର ବ୍ୟବସ୍ଥା କରାଗଲା। ମୋ ମନ କିନ୍ତୁ ସେଇ ଭଙ୍ଗା ଆଜବେଷ୍ଟସ ଘରେ, ସେ ଘରେ କିଏ ଥିଲା ଜାଣିବା ପାଇଁ ବେଶ୍ ଉତ୍ସୁକ ଥାଏ ମୁଁ। ଏତେ ବାଟ ବସ୍ ରେ ଯାତ୍ରା କରି ଆସିଥିଲେ ବି ଆଖି କୁ ନିଦ ଆସୁ ନଥାଏ। କିଛି ସମୟ ଖାଲି କଡ଼ ଲେଉଟାଇଲା ପରେ ମୁଁ ଖଟରୁ ଉଠି ଘର ବାହାରକୁ ଆସିଲି। ବାହାରେ କେହି ନଥିଲେ ମୁଁ ଦାଣ୍ଡ ଆଡେ ବୁଲି ରାଜେଶକଂ ଘର ବାଡ଼ି ପଟକୁ ଚାଲିଲି। ଠିକ୍ ସେଇ ଆଜବେଷ୍ଟସ ଘର ଆଗରେ ମୋ ପାଦ ଅଟକିଗଲା। ଦେଖିଲି ଗୋଟିଏ ପୁରୁଣା ରସ ଥାଳିରେ ଭାତ,ତା ଉପରେ ଡାଲି କଡ଼ରେ ଟିକିଏ ଭଜା ଅଧାଅଧି କିଏ ଖାଇଛି। କିଛି ଭାତ ଥାଳି ବାହାରେ, କିଛି ପାଣି ଏଣେ ତେଣେ ଢ଼ାଳି ହୋଇଯାଇଛି। ଘର ଭିତରଟା ଅନ୍ଧାରୁଆ ଲାଗୁଥାଏ। ପୁଣି ଥରେ କିଏ ଡାକିଲା ବସୁ.. ରାଜେଶ ର ବାପାଙ୍କ ନାମ ବସନ୍ତ। ଦେଖିଲି ଜଣେ ବୁଢି ଲୋକ ବୟସ ୮୦ ଉପରେ ହେବ। ଗୋଟିଏ ମସିଣା ଉପରେ ବସି ମୋ ଆଡ଼କୁ ଚାହିଁଛନ୍ତି। ମୁଁ ଜାଣି ପାରିଲି ଇଏ ନିଶ୍ଚୟ ରାଜେଶ ର ଜେଜେ ମା। ନମସ୍କାର କରି କହିଲି ମା ମୋ ନାଁ ଦିପୁ , ରାଜେଶ ର ସାଙ୍ଗ। ପେଜୁଆ ଆଖି ରେ ମୋ ଆଡ଼କୁ ଚାହିଁଲେ ବୁଢ଼ୀ ମା ଜଣଙ୍କ। ରାଜୁର ସାଙ୍ଗ .. ଥର ଥର ଗଳାରେ କହିଲେ ବୁଢ଼ୀ ମା। ହଁ ମା ଆପଣ କଣ ଏଇଠି ରୁହନ୍ତି? ହଁ.. ବସୁ ନୁ ପାଖରେ ପଡିଥିବା ଛାପା ଆଡ଼କୁ ଆଙ୍ଗୁଠି ଦେଖେଇ କହିଲେ ମା ଜଣଙ୍କ। ମୁଁ ଚୁପଚାପ୍ ଯାଇ ସେଠାରେ ବସିଗଲି। କିଛି ସମୟ ନିରବ ରହି ମା ଜଣଙ୍କ ପଚାରିଲେ କଣ ବୁଲି ଆସିଥିଲ? ତୁମ ଘର କୋଉଠି? ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ରାଜେଶ ର ଭଉଣୀ ବାହାଘର ମା ଜାଣି ନାହାଁନ୍ତି ନା କଣ? ମୁଁ କହିଲି ହଁ ଏଇ ବାହାଘର କୂ ଆସିଥିଲି। ଆମ ଘର ଜଗତସିଂହପୁର। କିଛି ସମୟ ମୋ ମୁହଁକୁ ଚାହିଁ ମା ପଚାରିଲେ କାହା ବାହାଘର? ଏଇ ଆମ ଝିଲି ର? ମୋର ସନ୍ଦେହ ସତ ହେଲା ବାହାଘର ବିଷୟରେ ମା ଜାଣିନାହାନ୍ତି ବୋଧେ। ମୁଁ କହିଲି ହଁ। କୋଉଠି ବାହାଘର ହେଲା? ପୁଅ କଣ ଚାକିରି କରିଛି ? ମୁଁ କହିଲି ଜାଣିନି..। ଦି ହାତ ଯୋଡି ମୁଣ୍ଡରେ ମାରି ମା ଜଣଙ୍କ କହିଲେ ହଉ ଭଗବାନ ତାର ମଙ୍ଗଳ କରନ୍ତୁ। କିଛି ସମୟ ନିରବ ରହି ପୁଣି କହିଲେ ..ଏଡିକି ବକଟେ ନାକୁରୁ ହେଇଥିଲା। ମୁଁ ତାକୁ ଏଇ ଆଣ୍ଠୁରେ ପକାଇ କେତେ ତେଲ ମାଲସ କରିଛି। ଆଉ ରାଜୁ ର ବି... ସେ ସାନଟା ନାଁ କଣ... ମିଲି ସମସ୍ତଙ୍କର। ଝିଲି ଆଉ ରାଜୁ ବର୍ଷେ ସାନ ବଡ଼ , ରାଜୁର ଚାରି ବର୍ଷ ପରେ ମିଲି। ଜାଣିଛୁ ପୁଅ ରାଜୁ ଟା ପିଲାବେଳେ ଭାରି ପତଳା ଥିଲା ବିଲକୁଲ ଦେହରେ ଲାଗୁନଥିଲା। ସବୁ ବେଳେ ଜର ଝାଡା,ବସୁ ଯେତେ ବଇଦ ଦେଖେଇଲା କିଛି ଲାଭ ନାହିଁ। ଦି ଦିଟା ଛୁଆଙ୍କ ଛଟା ବୋହୂ ସବୁବେଳେ ଗରଗର। ମୁଁ ଦିନେ କାହାକୁ କିଛି ନ କହି ରାଜୁକୁ ନେଇ ଆର ଗାଁ ଜଗୁଆ ଗୁଣିଆ ପାଖକୁ ଗଲି। ସେ ତାକୁ ଝାଡିଦେଲା। ମନ୍ତୁରା ପାଣି ଟିକିଏ ପିଆଇ ଦେଲା। ଗୋଟିଏ ତାବିଜ ଦେଲା ବେକରେ ବାନ୍ଧି ବାକୁ। ମୁଁ ଘରକୁ ଫେରିଲା ବେଳକୁ ବସୁ ର ରାଗ ଦେଖିବୁ ମୋତେ ମାର ନମାର ‌। ବୋହୂ କହୁଥିଲା ତାବିଜ ଟା କାଟିଦେବାକୁ ମୁଁ ବହୁତ ବୁଝାସୁଝା ନେହୁରା ମନ୍ଦ ହେଲାରୁ ସେ ତାବିଜ ଟା ପିନ୍ଧିଲା। ତା ପରଠାରୁ ତା ଦେହ ପୁରା ଚାଙ୍ଗା.. ଦଉଡିଲା ପୁରା। ଏକଥା କହିବା ବେଳେ ବେଶ ଉଜ୍ଜ୍ୱଳ ଦେଖାଗଲା ବୁଢି ମା ର ମୁହଁ। ପାକୁଆ ପାଟିକୁ ହସଟା ବେଶ ମାନୁଥାଏ। ଆଗ୍ରହ ରେ ମୁଁ ପଚାରିଲି ତା ପରେ? ତା ପରେ ଆଉ କଣ ରାଜୁ ତ ସବୁଥେରେ ଫଷ୍ଟେ। ଖେଳ ରେ ପଢାରେ । ହେଲେ ମା ତୁମେ କଣ ତାଙ୍କ ସାଙ୍ଗ ରେ ରହୁନ କି ? ଏଠି ଅଲଗା ? ଉତ୍ସୁକତା ରେ ପଚାରିଲି। ନାଇଁ ଅଲଗା କଣ? ହେଇ ସେଇ ଯୋଉ କୋଠାଘର ବସୁ କରିନେଇ ସେଠି ଆଗରୁ ଚାଳଘର ଥିଲା ଖଞ୍ଜା ରେ। ବାତିଆ ପରେ ରାଜୁ ଏଇ ଆଜବେଷ୍ଟସ ଘର କଲା। ପରେ ପଇସାପତ୍ର ହେଲାରୁ କୋଠା କଲା। ଦୁନିଆ ଧାର କରଜ। ହଉ ଭଗବାନ ତା ଗୋଡ଼ ରେ ବଳ ଦିଅନ୍ତୁ। ମୁଁ ଏଇଠି ବସି ସବୁବେଳେ ଠାକୁରଙ୍କୁ ମୁଣ୍ଡିଆ ମାରୁଛି ମୋ ପିଲାଛୁଆ ଙ୍କୁ ସଂସାର ରେ ରଖ। ଘଣ୍ଟ ଘୋଡେ଼ଇ ରଖ ଠାକୁରେ। ଦି ହାତ ଯୋଡି ମୁଣ୍ଡରେ ମାରିଲେ ମା ଜଣକ। ଆପଣ କଣ ସବୁବେଳେ ଏଇଠି ରୁହନ୍ତି ସେ ଛାତ ଘର କୁ ଯାଆନ୍ତି ନା‌ହିଁ। ମୁଁ ପଚାରିଲି। କିଛି ସମୟ ନିରବ ରହି ମା କହିଲେ ନାଁ... ମୋର ଏଇଠି ଭଲ। କୋଠାଘରେ ନିଦ ହବନି ,ମାଡ଼ି ମାଡ଼ି ପଡ଼ିବ । ଏଇଠି ଖୁସି। ଆଉ ବା‌ହାଘର ଦିନ ଯିବେନି, ବର ଆସିବ ଦେଖିବେନି। ଏଥର ଟିକେ ଚୁପ୍ ହୋଇଗଲେ ବୁଢି ମା ଜଣଙ୍କ। କିଛି ସମୟ ନିରବ ପରେ ତଳେ ଘୁଷୁରି ଥିବା ପଣତ କାନି ରେ ଆଖି ପୋଛିଲେ ବୁଢି ମା ଜଣକ। କାନ୍ଦୁଥିଲେ ବୋଧେ। ଠିକ୍ ସେତିକି ବେଳେ ରାଜେଶ ର ସାନ ଭଉଣୀ ମିଲି ଆସି ମୋତେ ଡାକିଲା। ଭାଇ ଆପଣ ଏଇଠି ଅଛନ୍ତି, ଆମେ ଭାବିଲୁ ଭାଇ ସାଙ୍ଗରେ ଯାଇଛନ୍ତି ବୋଧେ। ଭାଇ ସିଆଡେ କେତେ ଖୋଜିଲାଣି ଆପଣଙ୍କୁ। ହଉ ଆସୁଛି ମା କହି ଘର ବାହାରକୁ ଆସିଲି ମୁଁ। ରାଜେଶ ଦେଖାହେଲା ପରେ ମୁଁ ତାକୁ ତାର ବୁଢ଼ୀ ମା ବିଷୟରେ ପଚାରିଲି ସେ କିଛି କହିଲାନି। ତୁ କଣ ପାଇଁ ସିଆଡେ ଯାଇଥିଲୁ ? ଆଉ ଯିବୁନି। ଏତିକି କହି ଚାଲିଗଲା। ସେଦିନ ସନ୍ଧ୍ୟାରେ ମୁଁ ତାଙ୍କ ଦାଣ୍ଡ ପିଣ୍ଡା ରେ ବସିଥିବା ବେଳେ। ରାଜେଶ ବୋଧେ ଘର ଭିତରେ ତା ବାପା ମାଙ୍କ ସହ ଏ ବିଷୟରେ କଥା ହେଉଥିଲା। ମୁଁ ଶୁଣିବାକୁ ଚେଷ୍ଟା କଲି କିଛି ଭଲ ସେ ଶୁଣାଯାଉ ନଥିଲା। ରାଜେଶ ବୋଉ କିନ୍ତୁ ବାରମ୍ବାର ଗୋଟିଏ କଥା କହୁଥିଲେ ମଲା ସେ ସବାଖାଇ... ସେଇଟାକୁ ମରଣ ନାହିଁ। ଏତେ ପାପ କରିଛି ଯମ କଣ ସହଜରେ ନେବ। ଛିଃ ... ଛିଃ। ଦି ଦିନ ପରେ ବାହାଘର ହେଲା ବେଶ ଧୁମଧାମରେ। ମୋ ମନ କିନ୍ତୁ ବାହାଘର ରେ ନଥିଲା। ଆଖି କାହାକୁ ଖୋଜି ବୁଲୁଥିଲା। ଝିଅ ବିଦା ବେଳେ ଗାଁ ର ଅନେକ ସ୍ତ୍ରୀ ଓ ବୁଢି ଲୋକ ଜ୍ବାଇଁ ଦେଖିବାକୁ ରୁଣ୍ଡ ହୋଇଥିଲେ। ମୁଁ ସେମାନଙ୍କ ଭିତରେ ରାଜେଶ ର ଜେଜେ ମା ଙ୍କୁ ଖୋଜୁଥିଲି। ମନ ହେଉଥାଏ ରାଜେଶ କୁ ପଚାରିବି । ପୁଣି ଇଛା ହେଉଥିଲା ଯାଉଛି ସେ ମା ଙ୍କୁ ଧରି ଆଣିବି ଜ୍ବାଇଁ ଦେଖିବେ ,ଆର୍ଶୀବାଦ କରିବେ। ହେଲେ ପାରିଲିନି। କାଳେ ରାଜେଶ ଖରାପ ଭାବିବ। ବସ୍ ରେ ଫେରିବା ବେଳେ ମୋର ବାହାଘର କଥା କିଛି ମନେ ନଥିଲା ମୋ ଆଖି ଆଗରେ ନାଚି ବୁଲୁଥିଲା ସେଇ ବୁଢି ମା ର ମୁହଁ। ରାଜେଶଙ୍କ ଘର ଲୋକଙ୍କ ଦୃଷ୍ଟିରେ ଗୋଟିଏ ସବାଖାଇ...!


Rate this content
Log in

Similar oriya story from Inspirational