ଘାଣ୍ଟ
ଘାଣ୍ଟ
ସେଦିନ ପଟିଆ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଫେରୁ ଫେରୁ ବାଟ ରେ ଗୋଟିଏ ହୋଟେଲ ନଜର ଆସିଲା ହୋଟେଲ "ଘାଣ୍ଟ"। କିଛି ସମୟ ପାଇଁ ଅନ୍ୟମନସ୍କ ହେଇଗଲି ମୁଁ। ବେଶ ସୁଗନ୍ଧିତ ସୁସ୍ବାଦୁ ବ୍ୟଞ୍ଜନର ଭାବନାରେ ପାଟିରେ ଟିକେ ଲାଳ ଆସିଗଲା। ଚିନ୍ତା ଚେତନାରେ ଫେରିଗଲି ଶୈଶବରୁ। ଗାଁ ଦାଣ୍ଡରେ ଭୋଜି ର ଆସର। କେଉଁଠି ଲମ୍ବା ପାଲ ତ କେଉଁଠି ପିନ୍ଧା ଚପଲ ଉପରେ ବସିବାକୁ ପଡୁଥିଲା। ସାମ୍ନାରେ କଦଳୀ ପତ୍ର। ପ୍ରଥମେ ପାଣି ଛିଞ୍ଚା ତା ପରେ ଲୁଣ। ଆଇଟମ କହିଲେ ଭାତ, ତରକାରି, ଖିରି ଖଟା ସାଧାରଣତଃ। କ୍ରିକେଟ ରେ ତେନ୍ଦୁଲକର,ଗାଗୁଂଲି ଆଉ ଓଡ଼ିଆ ଚଳଚ୍ଚିତ୍ରରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି ପରି ସେତେବେଳେ ବାରମ୍ବାର ଶୁଣିବାକୁ ମିଳୁଥିବା ନାମ। ହଁ ତରକାରି ପୁଣି ଦି ଭାଗରେ ବିଭକ୍ତ ସାଧା ଆଉ ଆମିଷ। ଆଉ ସେଇ ଆମିଷ ତରକାରି ଟା ହେଲା ଘାଣ୍ଟ। କେହି କେହି ଏହାକୁ ମୁଢ଼ି ଘାଣ୍ଟ, ମହୁର, ଆଉ ଆଇଁଷ ତରକାରି କହିଥାନ୍ତି, ଆଉ ଘରେ ବୋଉ ରୋଷେଇ କଲେ ମାଛ ଡାଲମା।ଯିଏ ଆମିଷ ନ ଖାଏ ତା ପାଇଁ ସାଧା। ଡାବେ ତରକାରି , ମାନେ ଏସବୁ ତରକାରି ଡାବରେ ବଢ଼ାଯାଏ। ଡାବ କହିଲେ ନଡ଼ିଆ ଷଢ଼େଇ ରେ ଗୋଟିଏ ବାଉଁଶ କାଠି ପୁରେଇ ଡକିଂ ଭଳି , ଆଜି କାଲି ଆଉ ଦେଖିବାକୁ ମିଳୁନାହିଁ। ଯେଉଁଦିନ ଘରେ ମାଛ ଡାଲମା ହେଇଥାଏ ସେଦିନ ଭାତହାଣ୍ଡି ପୋଛାପୋଛି। ଗାଁ ଭୋଜି, ପାର୍ଟି, ପିକନିକ୍ କୁ ଛାଡି ଆମ ଗାଁ ଠାକୁରାଣୀ ମନ୍ଦିର ରେ ବି ଆମିଷ ଭୋଗ ଲାଗି ହୁଏ। ଆମିଷ କହିଲେ ସେଇ ମାଛ ଘାଣ୍ଟ। ବିଶେଷ କରି ପାର୍ବଣ, ମାନସିକ ପୂରଣ ଆଉ ଗାଁ ଭୋଗରେ ମା'କଂ ପାଖରେ ଆମିଷ ଘାଣ୍ଟ ହୁଏ ସେ ପୁଣି ବିନା ପିଆଜ ରସୁଣ। ଆଗରୁ ପୋଖରୀ ର ଜୀଅନ୍ତା ମାଛ ଭୋଗ ଲାଗି ହେଉଥିଲା ଆଜି କାଲି ଯେ କୌଣସି ମାଛ ଚଳୁଛି। ବିଶେଷ କରି ଚିଙ୍ଗୁଡ଼ି, ରୋହି ମାଛ ମୁଣ୍ଡ ଘାଣ୍ଟ ପାଇଁ ବେଶୀ ବ୍ୟବହୃତ ହୁଏ। ଏଇ କିଛି ଦିନ ହେଲା ଜଳଗଂ,ରୁପଚାନ୍ଦି ର ଭାରି ଚାହିଦା। ଏଇ ଘାଣ୍ଟ ତରକାରୀ କୁ ନେଇ ମୋର ଗୋଟିଏ ଛୋଟିଆ ସ୍ମୃତି ଅଛି। ଥରେ ବାପା ଆମର ଠାକୁରାଣୀଙ୍କ ପାଖରେ ମାନସିକ କରିଥିଲେ ଭୋଗ ପାଇଁ । ଆମ ପୋଖରୀ ରୁ ମାଛ ଧରାଯାଇଥାଏ। ମାଗୁର ମାଛ କୁ ବଂଚାଇ ରଖାଯାଇଥାଏ। ଭୋଗ ଦିନ ଗାଁ ର ବୟସ୍କ ରୋଷେୟା ସୁରିଆ ନନାଙ୍କୁ ରୋଷେଇ ଦାଇତ୍ୱ ଦିଆଯାଇଥିଲା। ନନାଙ୍କ ବୟସାଧିକ୍ୟ କାରଣରୁ ଆଖି କୁ ଟିକେ କମ୍ ଦେଖାଯାଉଥାଏ ତଥାପି ରୋଷେଇ ରେ ପୁରା ମାଷ୍ଟର। ଭଲରେ ଭଲରେ ରୋଷେଇ ସରିଲା । ଗାଁ ଗହଳି ରେ ଗୋଟିଏ ନିୟମ ଅଛି ଭୋଜି ହେଉ କି ପୂନ୍ୟପାଳି ରୋଷେଇ ସରିଲେ ବ୍ରାହ୍ମଣ ଆଗ ନେବେ ତା ପରେ ଯିଏ ଖାଇବ। ମନ୍ଦିର ରେ ଭୋଗ ହୋଇଥିବାରୁ ପ୍ରଥମେ ଠାକୁରାଣୀଙ୍କ ପାଖରେ ଭୋଗ ଲାଗି ହେଲା ତା ପରେ ନନା ନେବେ। ଭୋଗ କରୁ କରୁ ନନା ଟିକେ ଝୁଣ୍ଟିଲେ। କିଏ ଜଣେ କହିଲା ନନାଙ୍କୁ ଅନ୍ଧାର କଣା ହେଲାଣି ନା କଣ? ଏତିକି ଶୁଣି ନନାଙ୍କ ରାଗ ପଞ୍ଚମରେ। ନନା କହିଲେ ମୋ ଆଖି ରେ ଯେତେ ପାବାର.. ତୁମର ଅଛି , ମୋତେ ଦିନରେ ବି ତାରା ଦେଖାଯାଏ। ତାପରେ ନନାଙ୍କ କାହାଣୀ ପେଡ଼ି ଖୋଲିଲା। ଏଣେ ବେଳ ଉଛୁର, ଭୋକରେ ଆମ ହାଲ ବେହାଲ୍। ନନା କହିଲେ ହଇହୋ ବାବୁ ତୁମେ ଜାଣିଛ, ମୋ ଆଖିକୁ ମୋଟେ ଦେଖାଯାଉନଥିଲା, ହେଲେ ମୁଁ କଣ କଲି ଜାଣିଛ? ଏଇ ଭଣ୍ଡାରି ଘର ପୋଖରୀ ତୁଠ କୁ ଗଲି, ସେଠି ହେଇଟି ଏତିକି ହିଡିମିଚି ଶାଗ ହେଇଥିଲା। ତାକୁ ସବୁ କାଟି କରି ଆଣିଲି। ସେତିକି ବେଳେ ସାନଭାଇ ପଚାରିଲା ତାକୁ ଶାଗ କରି ଖାଇଲେ ବୋଧେ? ବଡ଼ ପାଟିରେ ଉଠିପଡ଼ି ନନା କହିଲେ ହେ ନାଁ...ଆଉ? ହେ ସବୁ ଆମ ଛଉକି କୁ ଖୁଆଇ ଦେଲି(ଛଉକି ହେଲା ନନାଙ୍କ ଗାଈ)। ତା ପରେ ତା ତା କ୍ଷୀର ସକାଳ ସଂଜ ଦି ଓଳି ପିଇଲି । ସେଦିନଠାରୁ ମୋତେ ଦିନରେ ଚାନ୍ଦ,ତାରା ସବୁ ଦେଖାଗଲା। ହୋଇ ସେ ଯାଏ ବି ମୁଁ ଦେଖି କହିଦେବି କିଏ ଠିଆ ହେଇଛି। ତମେ ପାରିବ? ସେତିକିବେଳେ ବାପା କହିଲେ ହାଁ ହାଁ ନନା ସେତିକି ଥାଉ... ଘାଣ୍ଟ ବୋହି ମୋ ଲୁଙ୍ଗି ନଷ୍ଟ ହେଲା। ହାଁ... ହାଁ ...କହି ସମସ୍ତେ ପଛକୁ ଘୁଞ୍ଚି ଗଲେ।(କଥା କଣ କି ନନା ଏ କଥା ଗପିବା ବେଳେ ଗୋଟେ ଡେକଚିରେ ତାଙ୍କ ପାଇଁ ଘାଣ୍ଟ ପୁରୋଉ ଥିଲେ ହେଲେ କେତେବେଳେ ଡେକଚି ଫୁଲ ହେଇ ଘାଣ୍ଟ ମନ୍ଦିର ଚଉତରା ସାରା। ବାପାଙ୍କ ଲୁଙ୍ଗି ନଷ୍ଟ, ନନାଙ୍କୁ ତ ଦିନରେ ତାରା ଦେଖାଯାଉଛି। ସେଇ ଦିନଠୁ ନନାଙ୍କୁ ଦେଖିଲେ ଥଟ୍ଟାରେ କହୁ ଇସ୍ କି ପାବାର....)।
