ସୂର୍ଯ୍ୟାସ୍ତ ର ଶେଷ ଦୃଶ୍ୟ
ସୂର୍ଯ୍ୟାସ୍ତ ର ଶେଷ ଦୃଶ୍ୟ
ପହଲି ର ପାଦ ତଳେ ଲାଗୁନି। ଲାଗିବ ବା କେମିତି ।ଆଜି ପରା ମାନିଆ ର ବାହାଘର। ଘରେ କେତେ କାମ , କାଲିଠାରୁ ସବୁ ବନ୍ଧୁ ବାନ୍ଧବ ଆସି ଗଲେଣି। ପହଲି ବି କାଲି ରାତିସାରା ଅନିଦ୍ରା। ସଜା ସଜି, ରୋଷେଇ ବାସ କେତେ କାମ, ରାତିକି ବରଯାତ୍ରୀ ଆସିବେ। ଏଇ ଚାରିଟା ଗାଁ ଛାଡି ବରଘର। ଜ୍ବାଇଁ ନାଁ ଦିଲେଶ୍ବର ଓରଫ ଦିଲା। ପହଲି ତାକୁ ଦିଲୁଆ ବୋଲି ଡାକେ। ପହଲି ଆଜକୁ ସାତ ବର୍ଷ ହେଲା ତାକୁ ଜାଣିଛି। ବେଶ ଭଲ ଶାନ୍ତ ସରଳ ପିଲାଟିଏ। ଆଜକୁ ସାତ ବର୍ଷ ତଳେ ପହଲି ସହ ତାର ଦେଖା ସାକ୍ଷାତ ପଣ୍ଡିଚେରୀ ରେ । ଦି ଜଣ ସେଠି ଗୋଟିଏ କମ୍ପାନୀରେ କାମ କରୁଥିଲେ।ପହଲି ସୁପରଭାଇଜର ଆଉ ଦିଲା କ୍ରେଏନ ଅପେରେଟର୍।
କାଲି ରାତିରେ କାମ କରି ଘରେ ପ୍ରାୟଲୋକ ଶୋଇ ପଡିଛନ୍ତି। ପହଲି ଚୁପଚାପ୍ ଚେୟାର ଉପରେ ଚଢ଼ି ତାଜା ଉପରୁ ପୁରୁଣା ଟ୍ରକଂ ଟିକୁ ଆଣିଲା। ସେଥିରେ ଅଛି ଶାନ୍ତି ର ଶାଢ଼ି, ସେମାନଙ୍କ ଗୋଟିଏ ପୁରୁଣା ଫଟୋ ଆଉ କିଛି ପୁରୁଣା ସୁନା, ରୁପାର ଗହଣା।ଆଜକୁ ଚାରି ବର୍ଷ ତଳେ ଶାନ୍ତି ସେମାନଙ୍କୁ ଛାଡି ଆରପାରିକୁ ଚାଲିଗଲା। ଶାନ୍ତି ର ଭାରି ଇଚ୍ଛା ଥିଲା ତା ଝିଅ ବାହା ହେବ ସେ ତା ବାହାଘର ଦେଖିବ ,ହେଲେ ବିଧାତା ର ବିଚାର କିଛି ଅଲଗା ଥିଲା ଯିବାପୂର୍ବରୁ ଶେଷ ଅନୁରୋଧ ଏ ଗହଣାତକ ମୋ ଝିଅ କୁ ଦେବ ସେ ତାକୁ ପିନ୍ଧି ଶାଶୁଘର ଯିବ। ସତରେ ଶାନ୍ତି ଥିଲେ ଆଜି କେତେ ଖୁସି ହେଇନଥାନ୍ତା। ବେକରେ ପଡ଼ିଥିବା ଗାମୁଛାରେ ଆଖି ଲୁହ ପୋଛିଲା ପହଲି। ଶାନ୍ତି ବଂଚିଥିଲା ବେଳେ ତାର କେବଳ ଗୋଟିଏ ଚିନ୍ତା ମାନିଆ କେମିତି ବାହା ହେବ। ମାନିଆ କୁ ପାଗେଳି ବୋଲି କହି ସାଇ ଭାଇରେ କିଏ ଟାହି ଟାପରା କଲେ ଶାନ୍ତି ଦେହରେ ନିଆଁ ଲାଗିଯାଏ ଯେମିତି। ମୋ ଝୁଅ କାଇଁ ପାଗେଲି ହବ ତମେ ସବୁ ଏତେ ଭଲ କହି ସମ୍ପାକଡା କରେ।ସେ ମେଡିସିନ ଖାଉଛି ଭଲ ହେଇଯିବନି ସମସ୍ତଙ୍କୁ କହିବୁଲେ। ଆଉ ଗାଁ ସାଇ ଭାଇରେ ଯଦି କାହାର ବାହାଘର ହୁଏ ସେଦିନ କଥା ସରିଲା ,ମୋ ଝୁଅ ର କୋଉଦିନ ବାହାଘର ହେବ କହି ଘଣ୍ଟା ଘଣ୍ଟା ବାହୁନେ ଦି ଦିନଯାଏ ଚୁଲି ଜଳେନି ଘରେ। ଆଜି ସେଇ ମାନିଆ ର ବାହାଘର, ଉପରେ ଥାଇ ଆଜି ଖୁସି ରେ ନାଚୁଥିବ ଶାନ୍ତି। ବଂଚିଥିଲେ ଯୋଉ ମାନେ ମାନିଆ କୁ ପାଗେଳି କହି ଥଟ୍ଟା କରୁଥିଲେ ତାଙ୍କ ଆଗରେ ଛାତି ଫୁଲେଇ ଚାଲିଥାନ୍ତା ଆଜି। ସତରେ ମାନିବାକୁ ପଡ଼ିବ ସେ ଦିଲାକୁ ପିଲା ନୂହେଁ ତ ହୀରା ଖଣ୍ଡେ। ସବୁ ଜାଣି ବି ରାଜି ହେଲା ବାହା ହେବାକୁ। ସେମିତି ଦେଖିବାକୁ ଗଲେ ମାନିଆ ବି ଜନ୍ମ ରୁ ପାଗଳି ନଥିଲା,ଭଲ ପଢ଼ୁଥିଲା। ତୃତୀୟ ଶ୍ରେଣୀ ରେ ପଢ଼ୁଥିଲା ବେଳେ ହଠାତ୍ ଦିନେ ମୁଣ୍ଡ କଣ ହେଇଯାଉଚି ବୋଲି କହିଲା ତା ପରେ ଧିରେ ଧିରେ ତା ବ୍ୟବହାର ରେ ପରିବର୍ତ୍ତନ ଆସିଲା। ଅନେକ ଡାକ୍ତର ଦେଖାଇଛି ପହିଲି। ଶେଷରେ ଯାହାବି ହେଉ ମାନିଆର ବାହାଘର ଭଲରେ ଭଲରେ ହେଇଗଲା। ବାହାଘର କୁ ବେଶ ଧୁମଧାମରେ ରେ କରିବା ପାଇଁ ନିଜର ଦେଢ଼ ମାଣେ ବିଲ ଆଉ ରାସ୍ତା କଡ ଜମିକୁ ବିକି ଦେଲା ପହିଲି। ବାହାଘର କିଛି ଦିନ ପରେ ଝିଅ ଜ୍ବାଇଁ ପଣ୍ଡିଚେରୀ ଚାଲିଗଲେ। ଶାନ୍ତି ଚାଲିଯିବା ପରଠୁଁ ପହଲି ଆଉ ପଣ୍ଡିଚେରୀ ଯାଉନି। ସବୁ ଜମିବାଡ଼ି ବିକିବା ପରେ ଗାଁ ରେ ରହି ମୁଲ ମଜୁରି ଲାଗି ଚଳିଲା। ହଁ ବା ଗୋଟିଏ ବୋଲି ପେଟ କଣ ଅପୋଷା ରହିବ। ମନରେ ଅପାର ଆନନ୍ଦ ଝିଅ କୁ ବେଶ ଭଲ ଯାଗାରେ ବାହାଦେଇଛି ସେ। କିନ୍ତୁ ଦିନେ ହଠାତ୍ ତା ଆନନ୍ଦ ର ନିର୍ମଳ ଆକାଶ ରେ ଦୁଃଖ ର କଳା ବାଦଲ ଘୋଟି ଆସିଲା। ସରପଞ୍ଚ ଦିନବନ୍ଧୁ ବାବୁଙ୍କ ହାତରେ ଦିଲା ପଣ୍ଡିଚେରୀ ରୁ ଫେରି ଖବର ପଠାଇଛି ତୁରନ୍ତ ଦିନବନ୍ଧୁ ବାବୁଙ୍କ ସହିତ ତାକୁ ଦେଖାକରିବାକୁ। ତରତର ହୋଇ ସାଇକେଲ ନେଇ ପହିଲି ଗଲା ପଛରେ ମଟର ସାଇକେଲରେ ଦିନବନ୍ଧୁ ବାବୁ।
ସେଠି ଦିଲାର ଭିଣୋଇ କିଶୋର ଆଉ ସେ ଗାଁ ର ସରପଞ୍ଚ ଆଗରୁ ଅପେକ୍ଷା କରିଥାନ୍ତି। ସେଠି ପହଞ୍ଚୁ ପହଞ୍ଚୁ ପହିଲି ଉପରେ ବର୍ଷିଗଲା କିଶୋର। କଣ ପାଇଁ ଗୋଟେ ମସ୍ତବଡ ପାଗଳିକୁ ଆଣି ମୋ ଶଳା ସହିତ ବାହାଘର କଲ?।ପୁରା ମାର ନମାର ଅବସ୍ଥା। ଦି ସରପଞ୍ଚ ତାକୁ ବୁଝାଶୁଝା କଲେ।
ଗୋଟିଏ କୋଣରେ ଚୁପଚାପ୍ ଠିଆ ହୋଇଥାଏ ଦିଲା।
ଶେଷରେ ନିଷ୍ପତ୍ତି ନିଆଗଲା ମାନିଆ ଯେହେତୁ ପୁରା ପାଗଳୀ ତେଣୁ ଏ ବାହାଘର ବୈଧ ନୂହେଁ। ମାନିଆ ସହିତ ଦେଇଥିବା ସବୁ ଯାନିଯୌତୁକ ପହଲି କୁ ଫେରେଇ ଦେବା ପାଇଁ ପଚାଂୟତ ନିର୍ଦେଶ ଦେଲା। କୋର୍ଟ କଚେରୀରେ ଗଲେ କିଛି ଲାଭ ହେବ ନାହିଁ ବୋଲି ସରପଞ୍ଚ ଦୀନବନ୍ଧୁ ବାବୁ ପହିଲି କୁ ବୁଝାଇ ଚାଲିଗଲେ। ଦୁଃଖ ରେ ପହିଲି କୁ ଚାରିଆଡ଼େ ଅନ୍ଧାର ଦେଖାଯାଉଥାଏ। ଲମ୍ବା ହୋଇ ଦିଲା ର ଗୋଡ଼ ଧରି ପଡ଼ିଗଲା ପହଲି। କାନ୍ଦି କାନ୍ଦି କହିଲା ଦିଲୁଆ ରେ ତୁ ତ ସବୁ ଜାଣିଥିଲୁ୍...ଆଉ ବେଶି କିଛି କହି ପାରିଲା ନାହିଁ ପହଲି। ମୁଁ କିଛି କରି ପାରିବନି ପଚାଂୟତ ର ନିଷ୍ପତ୍ତି ଶେଷ ନିଷ୍ପତ୍ତି କହି ଗୋଡଛାଟି ଚାଲିଗଲା ଦିଲା।
ଦି ଦିନ ପରେ ଗୋଟେ ରିକ୍ସା ଭଡ଼ା କରି ପହଲି ଦିଲା ଘରକୁ ଗଲା। ସେଇ ଦି ଦିନ ଯାଏଁ ପହିଲି କୁ ଗାଁ ରେ କେହି ଦେଖିନଥିଲେ।କବାଟ ବନ୍ଦ କରି ଘରେଥିଲା ବୋଧହୁଏ। ଦିଲା ଘରେ ପହଞ୍ଚିଲା ପରେ ତାକୁ ଦେଖି ମାନିଆ ଛୋଟ ଛୁଆଙ୍କ ପରି ଭେଁ ଭେଁ ବାଜି କାନ୍ଦି ଉଠିଲା। ଗୋଟିଏ ଲୁଗା ଗଣ୍ଠିଲିରେ ମାନିଆ ବୋଉ ଶାନ୍ତି ର ଫଟୋ କିଛି ପୁରୁଣା ଲୁଗା, ସାୟା ,ଆଇନା ,ପାନିଆ ଆଉ ସିନ୍ଦୁର ଫରୁଆ ରଖି ମାନିଆ ପହଲି ସହ ରିକ୍ସା ରେ ବସିଲା । ତା ବିକଳ କାନ୍ଦ ରେ ଗାଁ ଦାଣ୍ଡ ଫାଟି ପଢୁଥାଏ। ପହଲି କିନ୍ତୁ ନିର୍ଜୀବ ଜଡ ପରି ବସିଥାଏ।'ବାକି ସବୁ ଜିନିଷ ତୁମେ ଗାଡ଼ି କରି ନେବ ନା ଆମେ ପଠାଇ ଦେବୁ'? ଦିଲା ର ଭିଣୋଇ କିଶୋର ପଚାରିଲା। କିଛି ଉତ୍ତର ଦେଲାନି ପହଲି। ରିକ୍ସା ଧିରେ ଧିରେ ଗାଁ ଦାଣ୍ଡ ରୁ ବିଦାୟ ନେଲା । ସୂର୍ଯ୍ୟାସ୍ତ ର ସମୟ ଦିଲା ନିଜ ଘର ଛାତ ଉପରେ ସେମାନଙ୍କ ଯିବା ବାଟ କୁ ଉତ୍ସୁକତା ସହ ଚାହିଁ ରହିଥାଏ ଦୂର ଦିଗବଳୟରେ ସେମାନେ ହଜିଯିବା ଯାଏଁ। ମନେ ମନେ ବେଶ ଖୁସି ହେଉଥାଏ ବାଟରୁ ଗୋଟେ କଣ୍ଟା ଗଲା ଭାବି। ଏଣେ ପହଲି ରିକ୍ସା ରେ ମାନିଆ କୁ ନେଇ ତାଙ୍କ ଘରେ ପହଞ୍ଚିଲା। ଗାଁ ଦାଣ୍ଡରେ ରାସ୍ତା ରେ ଦି ଧାଡ଼ି ଲୋକ ଜମା ହୋଇ ତାଙ୍କୁ ଚାହିଁଥାନ୍ତି। ପହଲି କିନ୍ତୁ ନିର୍ଜୀବ ନିର୍ବାକ ସତେ ଯେମିତି ମଣିଷ ନୂହେଁ ଚାଲୁଥିବା ପଥର ମୂର୍ତ୍ତି ,ତାକୁ ଲାଗୁଥାଏ ଏଇ ମୂହୁର୍ତ୍ତ ରେ ଫାଟିଯିବ କି ଆକାଶ ଟା ,ଅଜାଡ଼ି ହେଇ ପଡ଼ିବ ମୁଣ୍ଡ ଉପରେ।ଚୁପଚାପ୍ ଘରକୁ ଯାଇ ଦାଣ୍ଡ କବାଟ ବନ୍ଦ କରିଦେଲା ପହଲି। ତିନି ଚାରିଦିନ ଯାଏଁ ପହଲିର କିଛି ଖୋଜ ଖବର ମିଳିଲାନି।ତା ପରଦିନ ତାଙ୍କ ବାରିପାଖ ଆମ୍ବଗଛ ମୂଳେ ପହଲି ର ମୃତ ଦେହ ମିଳିଲା ଝୁଲନ୍ତା ଅବସ୍ଥାରେ। ଆହାଃ ବିଚରା ଟା ଆତ୍ମହତ୍ୟା କରିଦେଲା ହଁ ଆଉ କରିଥାନ୍ତା ବା କଣ? ଗାଁ ଲୋକେ ଟୁପୁରୁ ଟାପର ହେଲେ। ଦିଲା ଘରୁ ଫେରିବା ବେଳେ ଆଣିଥିବା ଲୁଗା ଗଣ୍ଠିଲି କୁ ଧରି ମାନିଆ ଏଠି ସେଠି ଘୁରି ବୁଲିଲା ।ମନ ହେଲେ ହସେ ମନ ହେଲେ କାନ୍ଦେ, ଯିଏ ଯାହା ଦିଏ ଖାଏ। ବୁଲୁବୁଲୁ ରାତି ଯୋଉଠି ହୁଏ ସେଇଠି ଶୁଏ।
ଏମିତି ଚାହୁଁ ଚାହୁଁ ଷୋହଳ ବର୍ଷ ବିତିଗଲା। ଦିଲା ଓରଫ ଦିଲେଶ୍ବର ପଣ୍ଡିଚେରୀ ରୁ ଫେରି ପାଖ ବଜାରରେ ବଡ ତେଜେରାତି ଦୋକାନ କରିଥାଏ। ବେଶ ଜାକଜମକରେ ପୁଣିଥରେ ଏକ ସୁନ୍ଦର ଝିଅକୁ ବାହା ହୋଇଥାଏ। ସମସ୍ତଙ୍କ ତୁଣ୍ଡରେ ଗୋଟିଏ କଥା ନୂଆ ବୋହୁ ଲକ୍ଷ୍ମୀବନ୍ତ। ସେ ଆସିଲା ପରେ ଦିଲାର ଧନ ସମ୍ପତ୍ତି କାହିଁରେ କଣ ମାଡ଼ିଗଲା। ସରପଞ୍ଚ ଇଲେକ୍ସନ ରେ ଜିତି ଦିଲା ଗାଁ ର ସରପଞ୍ଚ ବି ହେଲା। ସରପଞ୍ଚ ଦିଲେଶ୍ବର ନାୟକ। ଲକ୍ଷ୍ମୀବନ୍ତ ଧର୍ମପତ୍ନୀଙ୍କ ନାଁ ନିଶିଗନ୍ଧା ,ଭିଣୋଇ କିଶୋର ର ଦୂର ସମ୍ପର୍କୀୟ ଭଉଣୀ। ଏକମାତ୍ର ପୁତ୍ର ଏକୋଇର ବାଳା ବିଶିକେସନ ଦିନେଶ। ଭାରି ଗେଲବସରିଆ। ଦିଲା ର ଜୀବନ ଟା ଯେମିତି ତାରି ଠାରେ ଅଟକି ଯାଇଛି। ଯାହା ମାଗୁଥିଲା ତୁରନ୍ତ ଆଣିଦେଉଥିଲା ଦିଲା। ଶାନ୍ତ ସରଳ ଦେଖିବାକୁ ଖୁବ୍ ସୁନ୍ଦର ହେଲେବି ପାଠ ଘରେ ଶୂନ ଦିନେଶ।ସେଇଟା ଦିଲା ର ଏକମାତ୍ର ଦୁଃଖ। ହଁ ପାଠ ନହେଲେ ବି ଖୁବ୍ ସୁନ୍ଦର ଚିତ୍ର ଆଙ୍କେ ଦିନେଶ। ପ୍ରକୃତି ଆଉ ଗ୍ରାମ୍ୟ ଜୀବନ କୁ ନେଇ ତା ଚିତ୍ରାଙ୍କନ ବେଶ ନିଆରା। ଅନେକ ଛୋଟବଡ ପୁରସ୍କାର ବି ସେ ପାଇଥାଏ ଚିତ୍ର ଆଙ୍କି।ଏସବୁ କିନ୍ତୁ ଦିଲାର ପସନ୍ଦ ନୂହେଁ। ଆଗକୁ ମାଟ୍ରିକ ପରୀକ୍ଷା ସ୍କୁଲ କୁ ଛାଡି ଅଲଗା ତିନିଟା ମାଷ୍ଟର ଖଞ୍ଜା ଦିନେଶ ପାଇଁ। ଦିଲା ଘରକୁ ଆସନ୍ତି କେବଳ ଦିନେଶ କୁ ପଢେଇବା ପାଇଁ। ପରୀକ୍ଷା ସେଣ୍ଟର କୁ ଯିବାର ମାସେ ପୂର୍ବରୁ ଦିଲା ଘରେ ସେମାନଙ୍କ ରହିବାର ବ୍ୟବସ୍ଥା କରାଗଲା। ଦିନ ରାତି ଖାଲି ପାଠ ହିଁ ପାଠ। ମାଟ୍ରିକ ପରୀକ୍ଷା ସରିଲା। ଫଳ ବାହାରିବା ପୂର୍ବଦିନ ଦିଲା ଆଖି କୁ ନିଦ ନାହିଁ। ଶେଷରେ ଫଳାଫଳ ଆସିଲା ସର୍ବମୋଟ ଶହେରୁ ଵି କମ୍ ନମ୍ବର ରଖି ଦିନେଶ ପରିକ୍ଷାରେ ଫେଲ ହେଇଛି। କ୍ରୋଧରେ ଅନ୍ଧ ହେଇଗଲା ଦିଲା । ଗୋଟିଏ ପାଞ୍ଚଣ ରେ ନିର୍ଘାତ ପିଟିଲା ଜୀବନ ରେ କେବେ ହାତ ଉଠେଇ ନଥିବା ଦିନେଶକୁ। ସେଦିନ ରାତିରେ ତାଙ୍କ ଘରେ ଚୁଲି ଅଜଳା। କବାଟ ବନ୍ଦକରି ଶୋଇଲା ଦିନେଶ। ଖାଲି ପାଣି ପିଇ ଶୋଇବାକୁ ଗଲା ଦିଲା ହେଲେ ନିଦ ହେଲାନି। ଆହାଃ ପିଲାଟାକୁ ଏତେ ବାଡେଇଲି। ଅନୁଶୋଚନା ରେ ସନ୍ତୁଳି ହେଉ ହେଉ କେତେବେଳେ ନିଦ ହେଇଛି ଦିଲାର ମନେ ନାହିଁ। ତା ପରଦିନ ସକାଳ ଥିଲା ଖୁବ କରୁଣ ଆଉ ନିଷ୍ଠୁର।କାହାର ବୁକୁଫଟା କାନ୍ଦଣା ମିଶା ଚିତ୍କାର ରେ ନିଦ ଭାଙ୍ଗିଲା ଦିଲାର। ବାହାରକୁ ଆସି ଦେଖିଲା ଘର ଆଗରେ ଲୋକ ଭିଡ ଆଉ ଭିଡ ଠେଲି ଯାହା ଦେଖିଲା ପାଦତଳେ ପୃଥିବୀ ଦି ଫାଳ ହେଲାଭଳି ଲାଗିଲା ଦିଲା କୁ ।ସବୁ ରକ୍ତ ଶୁଖିଗଲା। ମୁଣ୍ଡ ଉପରେ ଯେମିତି ହଜାରେ ବଜ୍ରାଘାତ ହେଲା। ଥମ ହେଇ ବସିପଡ଼ିଲା ତଳେ।ସେପଟୁ ଆସୁଛି ବୁକୁଫଟା କାନ୍ଦଣା ଭାରି କରୁଣ ଆଗରୁ କୋଉଠି ଶୁଣିଲା ଭଳି ଲାଗୁଛି। ହଁ ମାନିଆ ... ମାନିଆ ଏମିତି ଦିନେ କାନ୍ଦୁଥିଲା ଆଉ ଆଜି ପତ୍ନୀ ନିଶିଗନ୍ଧା। ସେମିତି ଅବିକଳ ସେମିତି।ଭିଡ ଭିତରୁ କିଏ ଜଣେ କହିଲା ଆହାଃ କେବେ ସୁନ୍ଦର ପିଲାଟା ବିଚରା ପରୀକ୍ଷା ରେ ଫେଲ୍ ହେଲା ବୋଲି ଆତ୍ମହତ୍ୟା କରିଦେଲା। ଆଉ ଜଣେ କହିଲା ଦେଖ କେଡେ ସୁନ୍ଦର ଚିତ୍ର ଆଙ୍କିଛି ସେ। ଚଟାଣ ରେ ପଡ଼ିଥିଲା ଦିଲା ମୁହଁ ଉଠାଇ ଚାହିଁଲା। ଅଳ୍ପ ଦୂରରେ ପଡ଼ିଛି ଦିନେଶ ର ଚିତ୍ରାଙ୍କନ ଖାତା।ପାଖରେ ବୁଲୁଥିବା ଟେବୁଲ୍ ଫ୍ୟାନ ର ପବନରେ ପୃଷ୍ଠା ପରେ ପୃଷ୍ଠା ଓଲଟି ଯାଉଛି ଖୁବ୍ ସୁନ୍ଦର ଚିତ୍ର। ହେଲେ ଶେଷ ପୃଷ୍ଠା ରେ ଚମକି ପଡ଼ିଲା ଦିଲା। ଘୁଷୁରି ଘୁଷୁରି ଥର ଥର ହାତରେ ଖାତା କୁ ଆଣିଲା।ଆରେ !!ଅବିକଳ ସେଇ ଚିତ୍ର... ପହଲି ଯେତେବେଳେ ମାନିଆ କୁ ନେଇ ରିକ୍ସା ରେ ଫେରୁଥିଲା। ସୂର୍ଯ୍ୟାସ୍ତ ସମୟ । ରକ୍ତିମ ସୂର୍ଯ୍ୟାକଂ କିରଣ ରେ ଲାଲ ପୃଥିବୀ। ଆରେ ଏ କଣ ଲେଖାହେଇଛି! ଆଶ୍ଚର୍ଯ୍ୟ ରେ ଫାଟିଗଲା ଦିଲା ର ଆଖି। ଲୁହଭିଜା ଆଖିକୁ ବେକ ଗାମୁଛାରେ ପୋଛି ପଢିଲା ଆରେ ଏ କାହା ନାଁ !!!କଣ ଲେଖା ହେଇଛି ପ..ହ..ଲି...ପ.. ଆଉକିଛି ଦେଖାଗଲାନି ତାକୁ ଓଃ କି ଯନ୍ତ୍ରଣା ମୁଣ୍ଡ ଭିତରଟା ଫାଟି ପଡୁଛି ଯେମିତି ଧିରେ ଧିରେ ଘୋର ଅନ୍ଧାର ଘୋଟି ଆସିଲା ତା ଆଖି ଆଗରେ।
