ସାଉଁରି (ସ୍ପର୍ଶ )
ସାଉଁରି (ସ୍ପର୍ଶ )
ଆଜି ସୁଜିତ ବାବୁ ନିଜ ବାଲକୋନୀରେ ବସି ଚା ପିଇଲାବେଳେ ସାଉଁରିର ଗୀତ କାହିଁକି ଶୁଣିବାକୁ ପାଇଲେ ନାହିଁ।ସେଥିପାଇଁ ଅର୍ଧ୍ୟାଙ୍ଗିନୀଙ୍କୁ ଡାକ ପକାଇଲେ, ଆରେ ଶୁଣୁଛ କମଳିନୀ,ଆଜି କଣ ସାଉଁରି ନାହିଁ କି,କାହିଁକି ତା ଗୀତ ଶୁଣାଯାଉନାହିଁ।
ଏହା ଶୁଣି କମଳିନୀ ଦେବି କହିଲେ,କଣ ଆଉ କହିବି, କାଲିରାତିରେ ରାଧୁଆ ଘରକୁ ଡେରିରେ ଫେରିଲା ,ତା ଉପରେ ପୁଣି ନିଶାଶକ୍ତ ଅବସ୍ଥାରେ।ଆସି ସାଉଁରି କୁ ମାରପିଟ ବି କରିଛି ।ରାତିଯାକ ସାଉଁରି ଛୁଆକୁ ଧରି ଆମ ପିଣ୍ଡାରେ ବସିଥିଲା।ଯେତେ କହିଲି ଭିତରକୁ ଆସି ଶୋଇଯାଆ ଛୁଆଟାକୁ ଧରି କାହିଁକି ବସିଛୁ ,ମୋ କଥା ଆଦୌ ଶୁଣିଲା ନାହିଁ।ଏଇ ସକାଳୁ ଯାଇ ଶୋଇପଡିଥିବ।ସେଥିପାଇଁ ତୁମେ ତା ଗୀତ ଶୁଣି ପାରୁନଥିବ।
ଏହା ଶୁଣି ମନେ ମନେ ଦୁଃଖ ପ୍ରକାଶ କଲେ ସୁଜିତବାବୁ।
ମନେ ପଡିଲା ସାଉଁରି ର ପିଲାଦିନ କଥା।ଦିନେ ପ୍ରବଳ ଝଡିତୋଫାନ ସମୟରେ ଆସି ଏକ ଦଶ ବାର ବର୍ଷ ର ଝିଅଟିଏ କବାଟ ବାଡେଇବାର।ଏଇ ସାଉଁରି।ସେତେବେଳକୁ ତିନି ଦିନ ହେବ କିଛି ଖାଇନଥାଏ।ଫନି ବାତ୍ୟାରେ ସମୁଦ୍ର କୂଳରେ ଥିବା ତାର ଘରଟି ସମ୍ଫୁର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥାଏ।ତାର ବା ଓ ମାଇ ଦୁଇଜଣ ପାଣିରେ ଭାସିଗଲେ।
ତଥାପି ସେ ଚେଷ୍ଟା କରିଥିଲା ସେହି ବସ୍ତିରେ କୁଡିଆକରି ଲୋକଙ୍କ ଘରେ ପାଇଟି କରି ଚଳିବ ବୋଲି ମାତ୍ର ଆଜିର କ୍ରୁର ରାକ୍ଷସ ମାନଙ୍କ ଲୋଲୁପ ଦୃଷ୍ଟି ତା ଉପରେ ପଡିଲାରୁ ଦିନେ ରାତିରେ ସେ ବସ୍ତି ଛାଡି ଚାଲି ଆସିଲା।ବୁଲି ବୁଲି ଯେତେବେଳେ ଆମଘରେ ପହଞ୍ଚିଲା, ସେତେବେଳକୁ ସେ ତିନି ଦିନ ହେବ କିଛି ଖାଇନଥାଏ।ତାକୁ ଦେଖି ମୁଁ ଓ ମୋ ସ୍ତ୍ରୀ ବାରଣ୍ଡାରେ ବସାଇଲୁ।ତାର କିଛି କଥା ଶୁଣିବା ଆଗରୁ ପ୍ରଥମେ ତାକୁ କିଛି ଖାଦ୍ୟ ଦେଇ ତାକୁ ଆସ୍ୱସ୍ଥ କରେଇବାକୁ ଚେଷ୍ଟା କଲୁ।ଖାଇବାପରେ ସେ ସବୁ ତାର ସବୁ ଦୁଃଖ କାହାଣୀ ବର୍ଣ୍ଣନା କଲା।ଉପରବାଲା ଓ ସମାଜର କ୍ରୁର ପ୍ରହାରରୁ ବଞ୍ଚି ସେ କିପରି ଆଜି ଏଠି ପହଞ୍ଚିଛି।
ତାହା ଶୁଣି ଆମ ଚକ୍ଷୁରେ ଆଉ ଲୁହ ରହିଲା ନାହିଁ।ସେବେଠାରୁ ସେ ଆମ ଘରେ କାମ କରି ଆସିଛି।ପିଲାମାନେ ବାହାରେ ରହୁଥିଲେ ।ଆମେ ବୁଢାବୁଢୀ ଦୁଇଜଣ ଏକା ଥିଲୁ ତ ଉଭୟେ ଉଭୟଙ୍କ ସାହାରା ହୋଇଗଲୁ।ଆମ ଝିଅପରି ସେ ଚଳିଗଲା ଆମଘରେ।ସେବେଠାରୁ ଆଜି ପର୍ଯ୍ୟନ୍ତ ତାର ସବୁ ଭଲ ମନ୍ଦ ଆମେ ବୁଝୁ ସେ ବି ଆମ ର ସବୁ କାମ କରିବା ସହକମଳିନୀ ଙ୍କ ଆଣ୍ଟା ଓ ଆଣ୍ଠୁ ର ମାଲିସ ମଧ୍ୟକରେ।ସେ ଆସିବା ଦିନଠୁ କମଳିନୀ ଆଉ ବିଶେଷ ଚଲାବୁଲାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ।ସେ ମଧ୍ୟ ଖୁସିରେ ଥାଏ।
ଦିନେ ପାଖ ବସ୍ତିରେ ରହୁଥିବା ରାଧୁଆ ଆମ ଘରକୁ ଆସି ସାଉଁରି ସହ ବିବାହ ପ୍ରସ୍ତାବ ଦେଲା।ସାଉଁରି ମଧ୍ୟ ମନେ ମନେ ଖୁସିଲାଗୁଥାଏ।ଆମେ ଜାଣିଗଲୁ ଯେ ସେ ମଧ୍ୟ ତାହା ଚାହୁଁଛି ତେଣୁ ତାଙ୍କ ବିବାହ କରେଇ ଦେଲୁ ମାତ୍ର ସର୍ତ୍ତ ଥିଲା ସେମାନେ ଆମରି ଆଉଟ ହାଉସ ରେ ରହିବେଓ ତାହାହିଁ ହେଲା।
ରାଧୁଆ ଅଟୋ ଚଲାଏ ଓ ଦି ପଇସା ରୋଜଗାର କରେ ।ସେମାନେ ଖୁସିରେ ରୁହନ୍ତି।ଏକ ବର୍ଷ ଅନ୍ତେ ସାଉଁରି ଏକ କନ୍ୟା ସନ୍ତାନ କୁ ଜନ୍ମଦେଲା ।ସେବେଠାରୁ ସେ ଛୁଆର କଇଁ କଇଁ କାନ୍ଦରେ ଆମ ଘର ପୁରିଉଠେ।ତାକୁ ଚୁପ କରେଇବାକୁ ଯାଇ ସାଉଁରି ଏକ ଗୀତ ବୋଲେ,
ବାଇ ଚଢେଇରେ ବାଇ ଚଢେଇ ,
ତୋ ମାଆ ଯାଇଛି ଗାଈ ଚରେଇ।
କାଳି ଗାଈ ଠାରୁ ଆଣିବ ଖିର,
ଖିରୀ କରି ତତେ ଖୁଆଇ ଦେବ।
କୋଳରେ ବସାଇ କରିବ ଗେଲ,
ଲଗାଇ ଦେବ ସେ ହଳଦୀ ତେଲ।
ତୋ ମାଆର ସତେ କେଡେ ଭରସା ,
ବାଉଙ୍ଗୀ ଅଗରେ କରିଛି ବସା।
ପାଣିପବନକୁ ଖାତର ନାହିଁ,
ବାଆ କଲେ ବସା ଦୋହଲୁ ଥାଇ।
ପ୍ରତ୍ୟେକ ଦିନ ଏହି ଗୀତଟି ଶୁଣି ଶୁଣି ସୁଜିତ ବାବୁ ମନେ ମନେ ବାଇ ଚଢେଇର ବସା ଅଙ୍କନ କରିପକାନ୍ତି ଚା ପିଉପିଉ।ମାତ୍ର ଆଜି ତାର ବ୍ୟତିକ୍ରମ ତାଙ୍କୁ ସାଉଁରି ର ପିଲାଦିନ ମନେପକାଇ ଦେଲା।
ସେଦିନର ଝଡ ତୋଫାନରେ ନିଜକୁ ସମ୍ଭାଳି ପାରୁ ନଥିବା ଝିଅ ଆଜି ନିଜ ଝିଅ କୁ ଭରସା ଦେଉଛି।ଏହା ଭାବି ଆଖି ଦୁଇଟିରେ ତାଙ୍କର ଲୁହ ଜକେଈ ଆସିଲା।ସିଧା ଉଠି ରାଧୁଆ ପାଖକୁ ଗଲେ।ରାଧୁଆର ରାତିର ନିଶା ଛାଡି ଯାଇଥାଏ।ସାଉଁରି ତା କୁନି ଝିଅଟିକୁ ଧରି ଶୋଇ ଯାଇଥାଏ।
ରାଧୁଆ ଧଡ କରି ଆସି ତାଙ୍କ ଗୋଡ ତଳେ ପଡି ସେ କିଛି କହିବା ଆଗରୁ ଭୂଲ ମାଗିନେଲା । ସୁଜିତ ବାବୁ ତାକୁ ତାର ଏପରି ବ୍ୟବହାର ର କାରଣ ପଚାରିବାରୁ କହିଲା, ବାବୁ ମୁଁ କଣ କରିବି ଏ କରୋନା ପାଇଁ ମୋ ଅଟୋରେ ଆଜିକୁ ଛ ମାସ ହେବ କେହି ଯାଉ ନାହାଁନ୍ତି।ଦିନ ଯାକ ବୁଲି ବୁଲି ଟଙ୍କା ଶହେ ମଧ୍ୟ ହେଉ ନାହିଁ ତା ଉପରେ ଏ ମାଆ ଛୁଆଙ୍କ ଦାୟିତ୍ୱ।ମୁଁ ଇଛା କରି ବି କିଛି କରି ପାରୁନାହିଁ।କରୋନାର କରାଳ କାୟାରେ ମୋ ଛୋଟ ସଂସାର ଟି ଭାଙ୍ଗି ଚୁରମାର ହୋଇଗଲାଣି।ଆପଣଙ୍କ ଯୋଗୁଁ ଦି ଓଳି ଦୁଇ ମୁଠା ଖାଇବାକୁ ପାଉଛୁ ନହେଲେ ଆମେ ଓ ଆମର ଏ ଘର ବାଇ ଚଢେଇ ବସା ପରି ଏଇ କରୋନାର କାୟାରେ ଉଡି ଯାଆନ୍ତାଣି।ଆପଣଙ୍କ ସ୍ନେହ ର ସ୍ପର୍ଶ ରେ ଆମେ ଆଜି ଜୀବିତ।
କାଲି ଏସବୁ ଭାବି ନିଜକୁ ଆୟତ୍ତ କରି ନପାରି ଟିକେ ନିଶା ସେବନ କରିଦେଇଥିଲି ଓ ସାଉଁରି କୁ ମଧ୍ୟ ଦୁଇ ପାହାର ସେଇ ନିଶାରେ ପକେଇଦେଇଛି।ମୋର ଭୂଲ ହୋଇଗଲା ।ମତେ କ୍ଷମା କରି ଦିଅନ୍ତୁ।ଆଉ ସେ ଭୂଲ ହେବନି।ଏହା ଶୁଣି ସୁଜିତ ବାବୁ ପରିସ୍ଥିତି କୁ ବୁଝି ରାଧୁଆକୁ ତାଙ୍କ ନିଜ ଗାଡି ଚଲେଇବାକୁ କହିଲେ ଏବଂଯେବେ ପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ନ ଆସିଛି ସେ ପର୍ଯ୍ୟନ୍ତ ସେ ତାଙ୍କ ଗାଡି ଚଲେଇବ ଓ ବାହାରକୁ ଯିବନାହିଁ ବୋଲି କହି ଆସିଲେ।
ଇତି ମଧ୍ୟରେ ସାଉଁରି ର ନିଦ ଭାଙ୍ଗି ଯାଇଥାଏ ଓ ସେ ବାବୁଙ୍କ ର ସବୁ କଥା ଶୁଣି ସାରିଥାଏ।ସେ ଉଠିବା ପରେ ରାଧୁଆ ତାକୁ ମଧ୍ୟ ଭୂଲ ମାଗିଲା।ସାଉଁରି ଆଉ ସମ୍ଭାଳି ନ ପାରି ସିଧା ଧାଇଁ ଆସିଲା ସୁଜିତ ବାବୁଙ୍କ ପାଖକୁ ଓ ପଛେ ପଛେ ରାଧୁଆ ତା ଝିଅକୁ ଧରି ଧାଇଁଲା। ଉଭୟେ ସିଧା ତାଙ୍କ ଗୋଡ ତଳେ ପଡିଗଲେ ।
ସାଉଁରି କାନ୍ଦି କାନ୍ଦି କହିଲା ବାବୁ ଆଜିବି ଆପଣ ମତେ ଓ ମୋ ଦୋହଲୁଥିବା ବସାକୁ ବଞ୍ଚେଇଦେଲେ। ଏହା ଶୁଣି ସୁଜିତବାବୁ କହିଲେ ଆରେ ବଞ୍ଚେଇବିନି କେମିତି । ଏହା ତ ମୁଁ ମୋ ପାଇଁ କରୁଛି ,ନହେଲେ ତୋର ସେ ବାଇ ଚଢେଇ ଗୀତ ମୁଁ ସବୁଦିନ ଶୁଣିବି କେମିତି।ଏହା ଶୁଣି କମଳିନୀ ଦେବିଙ୍କ ଆଖିରେ ଖୁସିର ଲୁହ ଛଳ ଛଳ ହୋଇ ଆସିଲା।
ପୁଣି ତା ପର ଦିନଠୁ ସୁଜିତ ବାବୁ ଚା' ପିଇଲା ବେଳେ ସାଉଁରି ର ସେଇ ବାଇ ଚଢେଇ ଗୀତ ଶୁଣି ମନେ ମନେ ଇଶ୍ୱରଙ୍କ ପାଖରେ ସେଇ କୁନି ଝିଅଟିର ଉଜ୍ୱଳ ଭବିଷ୍ୟତ ର କାମନା କରନ୍ତି।
