STORYMIRROR

Satyabati Swain

Inspirational

4  

Satyabati Swain

Inspirational

ପ୍ରେମିକ ନମ୍ବର ଟୁ

ପ୍ରେମିକ ନମ୍ବର ଟୁ

3 mins
396


ମୁଁ ରହି ପାରେନି ମୋ ଅକ୍ତିଆରରେ ତାକୁ ଦେଖିଲେ। ହାତ ଗୋଡ଼ ଖୁଜୁରୁ ବୁଜୁରୁ ହୁଅନ୍ତି। ସେ ମୋତେ ସତେକି ଆଖି ମାରି ଡାକେ। ଆ ମୋତେ ଛୁଉଁ ; ଟିକେ ଆଉଁସୁ କୁହେ।ସୁଦୁ ଫୁଲାଟା ; କି ରଙ୍ଗ କାଢେ ମୋ ଆଗେ  ! ତା ରଙ୍ଗ ଢଙ୍ଗ , ମୂର୍କି ହସା, ସର୍ ସର୍ ଶବ୍ଦ, ଟିଙ୍ଗି ଟିଙ୍ଗି ଗୀତ ବାଉଳା କରେ ମୋତେ। ମାତ୍ର ପାଞ୍ଚ ବର୍ଷରୁ ମୁଁ ତା ପ୍ରେମରେ ପାଗଳ। ସେ ମୋ ପ୍ରେମିକ ନମ୍ବର ଟୁ।

ତା ଯୋଗୁ ବହୁବାର ଗାଳି ଖାଏ । ଏମିତି ବି ମାଡ଼ ବି ଖାଇଛି ତା ପାଇଁ। କିନ୍ତୁ ଛାଡିନି ତାକୁ ଭଲ ପାଇବା। ଲୁଚି ଲୁଚି ତାକୁ ଭଲ ପାଇଛି। ଛକି ଛକି ଥିବି, ଟିକେ ନେଇ ଯାଏ ବାଡ଼ି ପଟକୁ ତାକୁ। ଖେଳେ ଟିକେ ତା ସହ। ତାକୁ ଗଡାଉ ଗଡାଉ ପଡ଼ିଯାଏ। ସେ ଖଣ୍ଡିଆ ହୁଏ, ତା ସହ ମୁଁ।ମୋ ଖଣ୍ଡିଆ ଅପେକ୍ଷା ତା ଖଣ୍ଡିଆଟା ଭାଇଙ୍କ ଆଖିରେ ଆଗ ପଡେ। ମୋ ଖଣ୍ଡିଆ ପୋଡ଼ା ସାଙ୍ଗକୁ ଭାଇଙ୍କ ଗାଳି ଲୁଣ ଲଙ୍କା ପଶି ଜଳିଲା ପରି ଲାଗେ।

ତେବେ ବି ସେ ମୋତେ ଭଲ ଲାଗେ। ତାକୁ ଭଲ ପାଇଲି ବୋଲି ଲୋକେ କହିଲେ ଅଣ୍ଡିରି ଚଣ୍ଡି। ମୋ ଭଲ ପାଇବା ଚିଜଟି ଭାଇଙ୍କର ଭାରି ପସନ୍ଦ। ସେ କାହାକୁ ତାଙ୍କ ପସନ୍ଦ ଜିନିଷଟିରେ ହାତ ଲଗାଇ ଦିଅନ୍ତି ନାହିଁ। ନୂଆ ନୂଆ ଷ୍ଟାଇଲିଷ୍ଟ୍ ସାଇକେଲ୍ ଚଳାଇବା ତାଙ୍କର ଭାରି ପସନ୍ଦ।ବର୍ଷକୁ ଦି ତିନିଟା ସାଇକେଲ୍ କିଣୁଥିଲେ। ପୁରୁଣାଟିକୁ ଅଧା ଦାମ୍ ରେ ଦେଇ ପୁଣି ନୂଆଟିଏ ଆଣୁଥିଲେ। ଧୂଳି ଟିକେ ପକାଇ ଦେଉ ନଥିଲେ ତାଙ୍କ ସାଇକେଲ୍ ରେ। ନିତି ପାଟ କନାରେ ପୋଛୁଥିଲେ। ଭାଇ ଘରେ ନଥିଲେ ମୁଁ ତାକୁ ଗେଲ କରୁଥିଲି। ବ୍ରେକ ଚାପୁଥିଲି। ପେଡାଲ ଘୁରାଉ ଥିଲି। ବେଲ୍ ଟିଙ୍ଗି ଟିଙ୍ଗି କରୁଥିଲି। ତାଠାରୁ ଉଚ୍ଚତାରେ ଅନେକ ଛୋଟ ହେଲେ ମଧ୍ୟ, କୁନ୍ଥେଇଁ ମୁନ୍ଥେଇଁ ତାକୁ ଗଡାଉଥିଲି। କେବେ କେବେ ସେ ପଡି ଯାଇ ଖଣ୍ଡିଆ ହେଉଥିଲା। ହ୍ୟାଣ୍ଡେଲ ବଙ୍କା ହୋଇଯାଉଥିଲା। ଚେନ୍ ଖସୁଥିଲା। ମୋ ପିଠିରେ ବସୁଥିଲା ଧୁମ୍ ଧୁମ୍।

ଭାଇ ଯେଉଁଠି ଚାବି ଲୁଚାଇଲେ ବି ମୁଁ ଯେମିତି ହେଲେ ଖୋଜି ନେଉଥିଲି । ବନ୍ଧୁ ବାନ୍ଧବ କେହି ସାଇକେଲ୍ ଟିଏ ଆଣି ଆମ ଦାଣ୍ଡରେ ରଖିଲେ ମୁଁ ଅତି ଖୁସି ହୋଇ ଗଡାଉଥିଲି। ବନ୍ଧୁ ଘରକୁ ଆସିଛନ୍ତି ଯେତିକି ଖୁସି ନ ହେଉଥିଲି ସେ ସାଇକେଲ୍ ଆଣିଛନ୍ତି ଭାବି ତା ଠାରୁ ଅଧିକ ଖୁସି ହେଉଥିଲି।

ପ୍ରଥମେ ଖାଲି ଗଡାଉଥିଲି।ତାପରେ ଗୋଡ଼ ଗଳାଇ ହପିଙ୍ଗ୍ କରି ଗୋଟିଏ ଗୋଡ଼ରେ ପେଡାଲ ମାରି ଛୋଟାଙ୍କ ପରି ଚଲଉ ଚଲଉ ଦି ଗୋଡ଼ିଆ ତଳୁଆ ଚଲେଇଲି।ତାପରେ ହଠାତ୍ ଦିନେ ସିଟ୍ ରେ ବସି ଚଳାଇଲି। ଓଃ କି ଖୁସି ସେଦିନ ଦେଖିବ ମୋର !ଲାଗିଲା ଅତି ଗୋଟେ ଅସମ୍ଭବ ମନେ ହେଉଥିବା କାମ କରି ଦେଇଛି କି?ସତେକି ଉଡାଜାହାଜ ଉଡେଇବା ଶିଖି ଯାଇଛି।ପିନା,ମୁନୀ,ଲୁସି,ଗୁଡି ସମସ୍ତଙ୍କୁ କହି ବୁଲିଲି ଏ....ହେ ମୋର ଉପରିଆ ସାଇକେଲ୍ ହୋଇଗଲା ଏ.. ଏ ।

ପ୍ରଥମେ ପ୍ରଥମେ ଆଗକୁ ନ ଚାହିଁ ଗୋଡ଼ ପେଡାଲକୁ ଚାହୁଁଥିଲି।କେତେ ପଡିଛି,ଖଣ୍ଡିଆ ହୋଇଛି ତାର ହିସାବ ନାହିଁ।କିନ୍ତୁ ଛାଡିନି ତାକୁ ଭଲ ପାଇବା।ଦିନେ ଆଗରୁ ଟେକର୍ ଟିଏ ଆସୁଥିବା ଦେଖି ଭମରା ମଉସାଙ୍କ ବାଉଁଶ ଖୁଣ୍ଟ ଧରୁ ଧରୁ ସେ ଖୁଣ୍ଟ ମୋ ସହ ଭାଙ୍ଗି ଚାଲିଗଲା ଅନେକ ଦୂର୍।ଯେଉଁ କଳି ସେ ଲଗାଇଲା ମୋ ମା ସଂଗେ ! ଭାଇ ମାଇଲେ ମୋତେ।ଭଲ କି ଶିଖିନୁ,ରାସ୍ତାକୁ କାଇଁକି ଯାଉଥିଲୁ କହିଲେ।ଆଉ ଦିନେ ଶଶୀ ସାର୍ ମୋ ଆଡକୁ ଆସୁଥିବା ଦେଖି ଏମିତି ଆଗ ଚକ ମୋଡି ଦେଲି ଯେ ରାସ୍ତାରେ ଗଦା ହୋଇଥିବା ବାଲିରେ ଘୁଷୁରି ଗଲି କୋଷେ।ପ୍ରବଳ ମାତ୍ରାରେ ଗୋଡ଼ ହାତ ଛିଡ଼ିଗଲା।ସାଇକେଲ୍ ହୋଇଗଲା ଧନୁ।

ଆମ ଗାଁ ଟି ଅତି ନିପଟ ମଫସଲରେ।ମୁଁ ଏଇ ସାଇକେଲ୍ ଚଲାଇଲି ବୋଲି ସମସ୍ତେ ଡାକିଲେ ଅଣ୍ଡିରି ଚଣ୍ଡି।ମୁଁ ଥିଲି ଆମ ଗାଁର ପ୍ରଥମ ସାଇକେଲ୍ ଚଢାଳି ଝିଅ।

ଏବେ କିନ୍ତୁ ସମୟ ବଦଳି ଯାଇଛି।ଝିଅଟିଏ ପ୍ଲେନ ଚଲାଇଲେ ବି କେହି ଅଣ୍ଡିରିଚଣ୍ଡି କହୁ ନାହାନ୍ତି;ବରଂ ସାବାସୀ ଦେଉଛନ୍ତି।ଆଉ ମୁଁ ଷାଠିଏ ସ୍ପୀଡ୍ ରେ ଆକ୍ଟିଭା ଚଲାଇଲା ବେଳେ ସେଇ ଖୁସି ମିଳୁନାହିଁ ଯାହା ଭାଇଙ୍କ ସାଇକେଲ୍ ଲୁଚେଇ ନେଇ ଚଳାଇଲା ବେଳେ ମିଳୁଥିଲା।

ଏଇ ସାଇକେଲ୍ ମୋର ନିହାତି ଆପଣାର ବନ୍ଧୁଟିଏ । ଲାଗେ ବହି ପରେ ୟା ନମ୍ବର ମୋ ପ୍ରେମିକ ହେବାରେ ଟୁ ହେବ। ବହୁ ଦୁର୍ଦ୍ଦିନରେ ସାହାଯ୍ୟ କରିଛି। ଏଇ ସାଇକେଲ୍ ରେ ମୁଁ ରେଭେନ୍ସା ରେ ଏଡିଟର୍ ଥିଲା ବେଳେ "ଅୟସ୍କକାନ୍ତ" ମେଗାଜିନ୍ ଛପା କାର୍ଯ୍ୟ କରିଛି ପ୍ରେସ୍ କୁ ଯିବା ଆସିବା କାମରେ। କାରଣ ବାରମ୍ବାର ରିକ୍ସା ଭଡା ଦେବାରୁ ମୋତେ ଏଇ ସାଇକେଲ୍ ବଞ୍ଚେଇଛି। ପୁଣି ଏମ୍ ଏ ପରୀକ୍ଷା ଏଇ ସାଇକଲ୍ ଯୋଗୁଁ ଦେବା ସମ୍ଭବ ହୋଇଛି। ମୋ ଏମ୍ ଏ ପରୀକ୍ଷା ବେଳେ ବସ୍ ଷ୍ଟ୍ରାଇକ ହୋଇଥିଲା। ମୋତେ ପନ୍ଦର କିଲୋ ମିଟର ଦୂରରୁ ଆସିବାକୁ ପଡ଼ୁଥିଲା। କେହି ନବା ଆଣିବା କରିବାକୁ ନଥିଲେ ତ ଏଇ ସାଇକେଲ ମୋ ପ୍ରେମିକ ନମ୍ବର ଟୁ ମୋତେ ନେବା ଆଣିବା କରିଥିଲା।

ପ୍ରେମିକ ନମ୍ବର ୱାନ୍ ମୋର ବହି। ଅଳ୍ପକେ ସନ୍ତୁଷ୍ଟ ସେଇ ପିଲା ମନଟି ବଡ଼ ହେଲା ପରେ କୁଆଡେ ହଜିଗଲା ଯେ ଯେତେ ଖୋଜିଲେ ମିଳୁନି। ମିଳୁନି ସେଇ ପିଲା ଦିନ "ନିରୋଳା ଖୁସି" ଟିପେ। କିନ୍ତୁ ପ୍ରେମିକ ନମ୍ବର ଟୁ ହୋଇ ରହିଛି ସବୁବେଳେ ମୋ ପ୍ରିୟତମ ସାଇକେଲ।



Rate this content
Log in

Similar oriya story from Inspirational