Aravinda Das

Comedy Fantasy

3  

Aravinda Das

Comedy Fantasy

ସାହିତ୍ୟିକଙ୍କ ଏସିଆଡ଼

ସାହିତ୍ୟିକଙ୍କ ଏସିଆଡ଼

3 mins
7.5K


"ଏହି ବର୍ଷ ଠାରୁ, ରାଜ୍ୟ ସାହିତ୍ୟ ପାଇଁ ଅତି କମ୍ ରେ ପୁରସ୍କାର ରାଶି, ଏକ କୋଟି ବୋଲି ଘୋଷଣା କରାଯାଉ।"

ସଭାରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ,ଆସନ୍ତାକାଲି ସାର୍ ଙ୍କୁ ଏ ବିଷୟରେ ଦାବି ପତ୍ର ଦିଆଯିବ।

"ସାର୍ କଣ ମାନିବେ ?ପୁରସ୍କାର ରାଶିଟା ବହୁତ ବେଶୀ ହୋଇଯାଉନି ?ମାନେ ଜ୍ଞାନପୀଠ ଠାରୁ ବି ଅଧିକ ...."

ପ୍ରଶ୍ନଟି ଶୁଣି ଶୁଣି ବିରକ୍ତ ହୋଇ "ଅବହେଳିତ ସାହିତ୍ୟିକ ସଂଘ"ର କୋଷାଧ୍ୟକ୍ଷ କହିଲେ, "ଏଇ ରୁଗ୍‌ଣ ମାନସିକତା ପାଇଁ ଆମ ଓଡ଼ିଆ ସାହିତ୍ୟ ଆଗଉନାହିଁ ।କିରେ ,ବେଶୀ କଣ ?ଖେଳ ପାଇଁ ପରା କୋଟି କୋଟି ଦିଆ ଯାଉଛି। ଆମ ସାହିତ୍ୟ କଣ ଖେଳ ଅପେକ୍ଷା ହୀନ ?"

ପାନ ଚୋବାଉ ଚୋବାଉ ଗୋବର୍ଦ୍ଧନ ବାବୁ କହିଲେ,"ମୋ ଘରଣୀ ପରା ମୋତେ ଖୁଣ୍ଟା ଦେଇ କହୁଛି, ଖାଲି ବସିକି ଲେଖିଲେ କଣ ମିଳିବ ?ଦୂତି ପରି ଏଣିକି ଦୌଡ଼। ଆଛା, ଆମ ଜୀବନ କଣ ସଂଘର୍ଷମୟ ନୁହେଁ ?"

'ସେଇଥିପାଇଁ କହୁଛି, ଆଗକୁ ଇଲେକ୍‌ସନ ।ଲୁହା ଏବେ ଗରମ ଅଛି, ଏଇ ସମୟରେ ପାହାର ଦେବା ଦରକାର। କୋଟିଏ ମାଗିଲେ ପଚାଶ,ନହେଲେ ଦଶ ଲକ୍ଷ ତ ମିଳିବ।"

ସମସ୍ତେ ସମସ୍ତଙ୍କ ମୁହଁକୁ ଚାହୁଁଥିଲେ କେବଳ....

ପରଦିନ ଦାବି ପତ୍ର ଓ ଫୁଲତୋଡା ନେଇ ସମସ୍ତେ ପହଁଚିଲେ ସାରଙ୍କ ଅଫିସରେ। କେବଳ ତିନିଜଣ ପ୍ରତିନିଧିଙ୍କୁ ଆଲୋଚନା ପାଇଁ ପରମିସନ ମିଳିଲା।

"କୁହନ୍ତୁ,ଆପଣଙ୍କର ଗ୍ରିଭାନ୍ସ।"

"ସାର୍,ଓଡ଼ିଆ ଭାଷା ଶାସ୍ତ୍ରୀୟ ଓ ସରକାରୀ ଭାଷାର ମାନ୍ୟତା ପାଇଥିଲେ ବି,ସାହିତ୍ୟ ନିମନ୍ତେ ଥିବା ପୁରସ୍କାର ରାଶିର ପରିମାଣ ବହୁତ ଦିନରୁ ବଢିନି।"

"ହ୍ବାଟ ଡ଼ଜ୍ ଦ୍ୟାଟ ମିନ ?"

"ସାର୍,ପ୍ରତି ଛ ମାସରେ ସରକାରୀ କର୍ମଚାରୀଙ୍କ ଡିଏ ବଢୁଛି,ପାଞ୍ଚ ବର୍ଷରେ ପେ ସ୍କେଲ ବଢୁଛି,ପ୍ରତି ବର୍ଷ ଯିଏ ପି ଏମ ଜିରେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ଦରମା ଟଙ୍କା ବଢୁଛି,ଅଥଚ କେବଳ ସାହିତ୍ୟିକ ମାନଙ୍କ ପୁରସ୍କାର ରାଶି ବଢିନି।"

ସେକ୍ରେଟେରୀ ଫୁସ ଫୁସ କରି ସାରଙ୍କ କାନରେ ଅନୁବାଦ କରି କିଛି କହିଲେ ବୋଧେ।

"ସୋ ,ହ୍ବାଟ ଇଜ ୟୋର ୱିସ୍ ?"

ଖୁସିରେ ଛାତିଟା କୁଣ୍ଢେମୋଟ ହୋଇଗଲା ସଭାପତିଙ୍କର।

ଏକସ୍ୱରରେ ସମସ୍ତେ କହିଉଠିଲେ, "ମାତ୍ର ଏକ କୋଟି ".

"ୱାନ୍ କ୍ରୋର ?ୱାନ୍ ପ୍ରାଇଜ ?ନୋବେଲ ହେଲା ନା କଣ ? "

ସାହିତ୍ୟିକମାନେ ଏ ପ୍ରଶ୍ନ ପାଇଁ ପ୍ରସ୍ତୁତ ଥିଲେ।

"ଦେଖନ୍ତୁ ସାର୍,ବିଶ୍ଵରେ ଆମ ରାଜ୍ୟକୁ ସମସ୍ତେ ନମ୍ବର ୱାନ ସ୍ମାର୍ଟ ସିଟି ଓ ଆପଣଙ୍କୁ ବି ନମ୍ବର ୱାନ୍ ବୋଲି ଜାଣିଛନ୍ତି । ତେଣୁ ଭାଷା ପୁରସ୍କାରରେ ଆମେ ନମ୍ବର ୱାନ୍ ହେଲେ କ୍ଷତି କଣ ?ହୁଏତ ଏହା ଯୋଗୁଁ ଅନ୍ୟ ରାଜ୍ୟ ଓ ଦେଶର ସାହିତ୍ୟିକ ମାନେ ଓଡିଆ ଭାଷାରେ ଲେଖିବାକୁ ଆରମ୍ଭ କରିବେ। ଆମେ ପୋଷ୍ଟର ମାରିବା, "ମୋ ରାଜ୍ୟ,ମୋ ସାହିତ୍ୟ।"

ସଂସ୍କୃତି ସଚିବ ଆପତ୍ତି ଜଣାଇ କହିଲେ, "ଅଡିଟ ଅବଜେକସନ କରିପାରେ।"

"କାହିଁକି ସାର୍ ?ଅନ୍ୟ ରାଜ୍ୟରେ ଖେଳରେ ପଦକ ଜିତିଥିବା ଖେଳାଳୀ ପାଞ୍ଚ,ଦଶ ଲକ୍ଷ ପାଇଲା ବେଳେ ଆମର କୋଟିଏ,୩କୋଟି ପାଉଛନ୍ତି । ସାହିତ୍ୟ କଣ ଖେଳ ଠାରୁ ହୀନ ?ଲୋକେ କୁହାକୁହି ହେଉଛନ୍ତି କ୍ରୀଡା , ସଂସ୍କୃତିକୁ ଖାଇ ଗଲାଣି।"

"ଅନ୍ୟ କିଛି ପ୍ରସ୍ତାବ ଅଛି ତ କୁହନ୍ତୁ।"

"ସାର୍, ବିଭିନ୍ନ କାଟେଗୋରିରେ ପୁରସ୍କାର ଅଛି। ତେବେ ପ୍ରତି କାଟେଗୋରିକୁ ଏକ କୋଟି ଦେଲେ ବହୁତ ଫାଇଦା ହେବ ଆଗାମୀ ନିର୍ବାଚନ ପାଇଁ।

"କେମିତି  ? ହାଓ ?କେତେ ସାହିତ୍ୟିକ ଲାଇନରେ ଅଛନ୍ତି ?ଅଲଟରନେଟିଭ ପ୍ରସ୍ତାବ କଣ ?"

ମୃଦୁ ହସି ସଭାପତି କହିଲେ,"ସାର୍, ଅନ୍ୟ ପ୍ରସ୍ତାବ ହେଲା ; ଏଥିପାଇଁ ପ୍ରାର୍ଥୀ ,ହଜାର ହଜାର ସଂଖ୍ୟାରେ ଅଛନ୍ତି ।ଏବେ ଗୋଟେ ପୁରସ୍କାରକୁ ରିଲେ ରେସ୍ ବିଜେତା ଭଳି ବି ବଣ୍ଟା ଯାଉଛି । ଯଦି ପୁରସ୍କାର ରାଶି କୋଟିଏ ହୁଏ, ତେବେ ପ୍ରତି କାଟିଗୋରୀରେ ଆମେ ପ୍ରତି ଜିଲ୍ଲାରୁ ଜଣେ ,ଅର୍ଥାତ୍ ୩୦ ଜଣଙ୍କୁ ବି ମନୋନୀତ କରିପାରିବା ।ଜଣକା ତିନି ଲକ୍ଷ ତେତିଶ ହଜାର ଟଙ୍କା । ଅଧିକ ଲୋକ ଉପକୃତ ହେବେ । ସେମାନଙ୍କ ପରିବାର,ବନ୍ଧୁବାନ୍ଧବ ଏବଂ ଅନ୍ୟ ଭବିଷ୍ୟତରେ ପୁରସ୍କାର ପାଇଁ ମନୋନୀତ ଲୋକେ ବି ଭୋଟ କେବଳ .....

ସାର୍ ହସି ଦେଇ କହିଲେ, "କିନ୍ତୁ ହାଠାତ୍, କୋଟି ଟଙ୍କା ପୁରସ୍କାର କାହିଁକି ?"

" ଲେଖକ,ଲେଖିକାମାନେ କଣ ଗରିବ ନୁହନ୍ତି ?ସେମାନେ କଣ ନିଜେ ବିଶ୍ଵ ସାହିତ୍ୟିକ ଦୌଡ଼ରେ ଭାଗ ନେଇ କୋଟିପତି ହେବାର ସ୍ଵପ୍ନ ଦେଖି ପାରିବେନି ?"ଭାବପ୍ରବଣ ହୋଇପଡିଥିଲେ ସଭାପତି ମହୋଦୟ।

ଶେଷ ବାକ୍ୟଟି ବୋଧେ ସାର୍ ଙ୍କ ମନକୁ ବେଶ ପାଇଥିଲା ।

କିଛି ଆଲୋଚନା ହେଲାପରେ କୁହାଗଲା କି ଆସନ୍ତା କାଲି ନିଷ୍ପତ୍ତି ଜଣାଇ ଦିଆଯିବ।

ଖୁସିରେ ଫେରିଲେ ସାହିତ୍ୟିକମାନେ।

ପରଦିନ ଅବହେଳିତ ସାହିତ୍ୟ ସଂସଦ ସଭାପତିଙ୍କ ପାଖକୁ ଆସିଲା ଫୋନ୍ ;"ଆପଣଙ୍କ କୋଟିଏ ଟଙ୍କା ସାହିତ୍ୟ ପୁରସ୍କାର ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି।"

"ମୁଁ ବିଶ୍ବାସ କରି ପାରୁନି ସାର୍ । ପୁରସ୍କାରଟା ଆଗାମୀ ବର୍ଷ ନା ଏହି ବର୍ଷରୁ ମିଳିବ ?ଧନ୍ୟବାଦ ସାର୍ । ଆମେ ଆପଣଙ୍କୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବୁ, ସବୁ ଜିଲ୍ଲା ତରଫରୁ । "ଖୁସି ହୋଇ କହୁଥିଲେ ସଭାପତି।

ସେପଟୁ ଟେଲିଫୋନରେ " ଓହୋ,ପୁରା କଥାଟା ଶୁଣନ୍ତୁ। ବର୍ତ୍ତମାନ ଆମ ରାଜ୍ୟରେ ହକି ବିଶ୍ୱକପ ହେବାକୁ ଯାଉଛି ।ତା ପରେ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ ସାହିତ୍ୟ ଚାମ୍ପିଆନ୍ସିପ୍।

ପୁରସ୍କାର ପାଇଁ ପ୍ରଥମ ରାଉଣ୍ଡରେ ସିଲେକ୍ଟ୍ ହୋଇଥିବା ସାହିତ୍ୟିକ ମାନଙ୍କ ଭିତରୁ ସାହିତ୍ୟ ରେସ୍ ରେ ଯିଏ ଏସିଆଡ଼ ୧୦୦,୨୦୦ ମିଟର ଦୌଡ଼ ରେସ୍ ର ରେକର୍ଡ ଭାଙ୍ଗିବ, ତାଙ୍କୁ କୋଟିଏ ଟଙ୍କା ପୁରସ୍କାର ମିଳିବ । ତେବେ ୧୧ କିମ୍ବା ୨୩ ସେକଣ୍ଡ ଭିତରେ ଟାଇମିଙ୍ଗ ଦରକାର।"

ସଭାପତି ବେହୋସ।

(ଶୁଦ୍ଧ ମନୋରଞ୍ଜନ ଧର୍ମୀ ବ୍ୟଙ୍ଗ ଲେଖା ଭାବେ ଗ୍ରହଣ କରିବାକୁ ଅନୁରୋଧ)

(ଅରବିନ୍ଦ ଦାସ )


Rate this content
Log in

Similar oriya story from Comedy