ସାହାଜୀ ବୁଢୀ
ସାହାଜୀ ବୁଢୀ
ଦି ‘ ତାଲା ଘରଟେ । ରଙ୍ଗଛଡା, ବର୍ଷ ବର୍ଷର ବର୍ଷା କଳାଛିଟି ମାରି ତା ଦେହ ସାରା ଦେଇଛି ଆଜୁବାଜୁ ମାନଚିତ୍ର ପରି ପାଣିଅଙ୍କା ଶୁଖା ଦାଗ ସବୁ, ଭାରି ସ୍ପଷ୍ଟ । ପୁରୁଣା ବୋଲି କହିବା ଦରକାର ନାହିଁ, ତା ରୂପ କହୁଛି । ହେଇପାରେ ନୂଆଟିଏ ବି ଅଯତ୍ନ କହରିଆ ଦିଶେ । ପୁରା ଉପର ଛାତ ବାଡା କଡକୁ କୋଉ ଚଢେଇ ଆଣି ଲଗେଇ ଦେଇ ଯାଇଛି ଓସ୍ତ ଗଛରୁ ଗୋଟେ ଯୋଉ ଉପାୟରେ ହଉ…..ସିଏ ଜୀଇଁଛି ମୁଣ୍ଡ ଟେକିଛି ପତ୍ର ମେଲିଛି ପ୍ରମାଣ କରୁଛି ସବୁଠି ଚେର କାନ୍ଥକୁ ଫଟେଇପାରେ, ଛୋଟିଆ ମଞ୍ଜିଟି ଭିତରେ ଅସୁମାରୀ ସମ୍ଭାବନା ସବୁ ଲୁକ୍କାୟିତ ଥାଏ । ଅପେକ୍ଷା କରେନି, ଖୋଜିନିଏ ନିଜ ପାଇଁ ପାଣି, ମାଟି, ପବନ । ଏତକ ତ ଗଢିବା ଲୋକ ଅକୁଣ୍ଠିତ ଭାବେ ଯାଚି ଯାଚି ଦେଇଛନ୍ତି ପାଦପ ଠୁ ମାନବ ଯାଏ, ଅସୁମାରୀ ଦୟାର ଶାନ୍ତ ସାଗର ସେ ….. ଅନ୍ତରରୁ କରୁଣା ବାରିଧି, କୂପାରତ୍ନାକର ।
ସେଇ ଦୋ’ ତାଲାର ଆଗପଟୁ ଉପରକୁ ମୋଡା ମୋଡା କୋଉ କାଳର ଲୁହା ଚକରି ପାହାଚଟେ ମୋ ରୁମକୁ ଯାଇଛି । ଆଜବେଷ୍ଟସ୍ ପକା ଫାଳେ ଆଉ ଫାଳେ ଛାତ । ମାଲିକ ବାହାରେ, ଝିନଝଟ୍ କମ୍ … ଏକ ତାରିଖରୁ ପାଞ୍ଚ ତାରିଖ ଭିତରେ ମାଲପାଣିଟା ତା ଆକାଉଣ୍ଟରେ ମନିଅର୍ଡର କରିଦେଲେ ଗଲା ସମ୍ପର୍କ ସେତିକି । ଆଠ ମାସରୁ ଚାକିରି ଖୋଜାଖୋଜି ପରେ କଲେଜ ଛକ ପାଖ ଏଇଠି ଅଳ୍ପ ଭଡାରେ ମିଳିଗଲା, ଏବେ ପାଇଁ ଠିକ୍ ଅଛି….ପରେ ଦେଖିବା …. ବଦାଳିବା…ଭାବି ରହିଗଲି ତ ରହିଗଲି, ଦେଖୁଦେଖୁ ମାଘକୁ ଯୋଡେ ବରଷେ ପୁରିବ । ତଳ ଘରେ ରୁହନ୍ତି ସେମାନେ,ହଳେ ଟୁଆଁ ଟୁଇଁ … ନୂଆବାହାପାଣି ପଡିଥିବା ଯୋଡି । ସୁନ୍ଦର ଚଳନ୍ତି, ହସଖୁସି ହୁଅନ୍ତି, ସୁଖଦୁଃଖରେ ସହଭାଗୀ ହୋଇ ଚାଲୁଥାନ୍ତି ଗ୍ରୀଷ୍ମ, ବର୍ଷା,ଶୀତକାକର । ଭଲ ମଣିଷ ଦିହେଁ, ଯା’ ହଉ ପାଖରେ ଅଛନ୍ତି ବୋଲି ପୁନିଅଁ ପରବ ଭଲ ମନ୍ଦରେ ସାହା ଠିଆ ହଉ, ଘରମଣିଷ ପରି ଚଳୁ । ଭାଇ ଭାଉଜ ଡାକୁ, ଥଟ୍ଟା, ମଜା, ରାଗରୁଷା, ଭାବପୀରତି ତରକାରୀ ଦିଆନିଆ ଚଳେ । ୟା ଭିତରେ ମୋ ସାଙ୍ଗରେ ବି ମୋର ଚାକିରିଆ ମିତଟିଏ ହାଣ୍ଡିକୁଣ୍ଢି, ଶୀତଲୁଗାଠୁ ଦରମା ଯାଏଁ ସବୁ ବାଣ୍ଟିଲାଣି …. ସୁନନ୍ଦ । ବୋଉ ଗାଁରୁ ଶହେ ଥର ଖବର ପଠେଇଲାଣି, ଚାରିଥର ଆସିକି ଗଲାଣି … ସବୁଥର ସେଇ ଗୋଟିଏ କଥା ହାତକୁ ଦି ହାତ ହେଇଯାରେ ଦେବନ, କାଇଁ ବୋଲ ମାନୁନୁ, ଅମାନିଆ ଧରୁଛୁ… କୁଆଡିକି ଯଦି ମନ କରିଛୁ ହେଲେ କହ,ନହେଲେ ଅନାନି ଏଇ ଦୋଳକୁ ମାମୁଁ ଘରକୁ ଗଲେ ଭାରି ଆଉ ଆସିବିନି ଜାଣିଥା … ଖୋଜୁଥିବୁ ବୋଉକୁ । ବଳବୟସ କଣ ଦିନୁଦିନ ମାଡି ଆଉଚି କିରେ ପୁଅ ? ସଞ୍ଜ ନଇଁଲାଣି ପରା ବନ୍ଧ ନ ବାନ୍ଧିଲେ କୂଳ ରହିବଟି । କଣ କିଛି ପଶୁଛିଟି କାନେରେ, ନା ଏକାନେ ପଶି ସେକାନେ ବାହାରୁଛି ଯେ, ଭୂତୁଟା ଭଳିଆ ଖାଲି ହୁଁ ହୁଁ ମାରୁଥା…. ହେଇଟି କାନିରେ ଗଣ୍ଠି ପଇଲା…. ମିଛ ମଣୁଛୁଟି । ତୋର ସବୁଦିନିକି ମୋର ଦିନେ ଜାଣିଥା । ଗଲା ଦିନ ତଳଘର ନେଖା ଭାଉଜକୁ ଜଗେଇ ଯାଏ …..ଆଖି ରଖିଥିବ ଝିଅ, ମୋ ପୁଅ ମାନେ ରହିଲେ ….. ଆର ଥରକୁ ତମ ପାଇଁ କଖାରୁବଡି, ଆଉ କୋଳି ଆଚାର କରି ଆଣିବି …. ଅଇସୁଲକ୍ଷଣୀ ହେଇଥା, ପାଚିଲା ବାଳରେ ସିନ୍ଦୂର ନା, କାଳିଗାଈ କ୍ଷୀରଖିଆ ପୁଅଟିଏ ହଉ । ମୁଁ ଚିଡିଲେ କହେ, ହେଁ! ତତେ ଚାହିଁ ଚାହିଁ ତ ପାଣି ମରିଲାଣି ।
ଏମିତି ଗଣ୍ଠି ତା କାନିରେ ବଢି ବଢି ଯାଏ, ପିଲାଦିନୁ ମାମୁଁ ଘରକୁ ଯିବା ଆଉ ନ ଆସିବାର ମିଠା ଧମକାଣଟି ବି ଆଜି ଯାଏ ଦିଏ । ବୋଉ ମାନେ ସବୁବେଳେ ଏମିତି ସରଳିଆ ଆଉ ତାଙ୍କ ପିଲେ ତାଙ୍କର ସେଇ ଧୂଳିଖେଳିଆ,ବନମାଳିଆ।କୋଉଦିନ ବଡ ହୁଅନ୍ତିନି ତାଙ୍କ ଆଖିରେ । ଏମିତି ଚାଳିଥାଏ ସୁଖେଦୁଃଖେ । ସେ ଦୁଇ ପରାଣି ତଳେ, ଆମେ ଭାଡିପାରା ଯୋଡେ ଉପରେ ।
**************************
ଫଗୁଣମାସିଆ ଦିନ । ବୋଉ ଆସିଥାଏ ମାମୁଁ ଘର ଫଗୁଣ ମେଲଣ ସାରି । ମୁଁ ଅଫିସରୁ ଫେରିବା ବାଟରେ ଜୋବ୍ରା ପୋଲରୁ ସରସା ମଧୁର ଚିଙ୍ଗୁଡି ଆଣିଥାଏ, ତା' ହାତ ତିଆରି ବେସର ଖାଇବା ମୋହରେ । ତଳ ଭାଉଜ ତାଙ୍କର କିଏ ଅବେଳିଆ ଗୁଣିଆ ଆସିଆର ଅଛି ଖବର ପାଇ ବରାଦ କରିଥାନ୍ତି ଅଧିକା କି ଟିକେ ସଜରୋହି କି ଇଲିସି ପାଇଁ, ତାକୁ ତାଙ୍କ ଘରଠି ଦେଇ ଆସିଲି, ସେ ମତେ ଏମିତି ହାତବାରିସି କରିଥାନ୍ତି ଅକାଳେ ସକାଳେ ।
ବୋଉ ମୋ ହାତରୁ ଚୁଙ୍ଗୁଡି ନେଇ କେଳେଇବାକୁ ବସିଲା ଆଗପଟ ସରୁ ବାରେଣ୍ଡା କୋଣ କଳଠିଁ । ପୁଣି ଗେଜେଗେଜେ ହେଲା, ଏଇମିତି ତ ଗଲା ମୁଁ ତୋ ପାଇଁ କରୁଥିବି ଆଉ …. ..... ପାକେଲି ଯାଉ କେରାକ କେଶ, ତୋର କଣ ଯାଏ ଆସେ । ଆଣ୍ଠ ଗଣ୍ଠି ହାତ ସତ୍ୱେଥି ଶିଳରେ ବାଟିଲେ ପାଲିସି ଆଉ ସୁଆଦିଆ ହବ ବୋଲି ଆମ୍ବକାଠ ପିଢା ଖଣ୍ଡକ ପକେଇ ବସିଗଲା । ମତେ ହସ ଲାଗେ ତା ମିଛ ରାଗ ଦେଖି । ବୋଉ ମାନେ ସବୁ ଏମିତି । ମୁଁ ଆଉ ସୁନନ୍ଦ ରେଡିଓଟା ବଜେଇଦେଇ ରସୁଣ ଚୋପା ଛଡଉଛୁ ବୋଉକୁ ସାହାଯ୍ୟ କରିବାକୁ । ରେଡିଓ କହୁଛି
_ ଆକାଶ ବାଣୀ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା କଟକ। ସମ୍ବାଦ ପଢୁଛନ୍ତି ଜତୀନ୍ ଦାସ .........
ତଳୁ ଦିଶୁଥାଏ ଆଗ ପଟ ପଲା ମରା ଅଧା କାନ୍ଥ ପକା ଫାଳିକିଆ ଭଙ୍ଗା ଆଜବେଷ୍ଟସ ବାଟେ ଭାଉଜ ବି ମାଛ ଭାଜୁଥାନ୍ତି । ବାସ୍ନା ମହକୁଥାଏ । ତାଙ୍କର ତଳ ଗୋଟେଇ ବଖରାରେ ଶୁଆବସା ହୁଏ ବୋଲି ଏଇ ବାହାର ମେଲାରେ ଗୋଟେ ଚୁଲି ହୁଙ୍କା ଲିପିଦେଇ ଆଇଁଷ ଉଷୁନା କରନ୍ତି ଆଉ ଷ୍ଟୋଭ ଖଣ୍ଡଟି ତ ମାସିକିଆ କଣ୍ଟ୍ରୋଲ ଦୋକାନକୁ ଚାହିଁ ଥ । ସେଇ ଲାଗି ବେଶୀ ସାରନ୍ତିନି, ପୁଣି ମାଟିତେଲ ଡିବିର, ଲଣ୍ଠନ ସବୁକୁ ଯୋଗା.... ଯେତିକି ଆଣ ସେତିକି ପିଠା ହବନା .... ଯେଡିକି ଚଦର ସେତିକିକୁ ପାଦ ପସାରିବ ।
ସିଏ ଯା ହଉ ବୋଉ ତାଙ୍କ ଘରଠିକି ଚୁଙ୍ଗୁଡି ବେସର ଦବ ଆଉ ତାଙ୍କ ଘରୁ ମାଛ ତରକାରୀଟା ଆସିବ, ପକ୍କା । ଆଜି ଭାତଖିଆଟା ଜମିଲା । ମନଟା ଖୁସୁଖୁସିଆ ହେଲେ ଓଠଟା ଆପେ ତାର ଗୋଟେ ସ୍ୱର, ତାଳ ଛନ୍ଦି ପକାଏ...... ଆଖିଟା ବେଶୀ ଚିକ୍ ଚିକିଆ ଦିଶେ । ଏମିତି ସୁଆଦିଆ ଭୋଜନମୟ ସ୍ୱପ୍ନ ଭିତରୁ ଗୋଟେ ଉଚ୍ଚାଟିଆ ଶବ୍ଦ ଜବରଦସ୍ତ ଘୋଷାରି ଆଣିଲା । ବୋଉ ରୋଷେଇ ଠଉଁ ଚମକିଲା, ହା'ରେ କଣ ହେଲା କି ? ପଚାରିଲା ଭୟ ସ୍ପଷ୍ଟ ସ୍ୱରରେ ।
ତଳୁ ସେ ସୁକାନ୍ତଭାଇଙ୍କର ହଲ୍ଲା ଶୁଭିଲା । ଆମେ ସବୁ ତଳକୁ ନାଇଁ ନ ଥିବା ସ୍ପିଡରେ ଧାଇଁଲୁ । ଦୁଆର ମୁହଁରେ ସୁକାନ୍ତାଇ ବୋଉ ହାତକୁ ଧରିପକେଇ କହିଲେ, ମାଉସୀ ଆସିବଟି, ଦେଖିବଟି କଣ ହଉଛି ୟାର । ଆମେ ସମସ୍ତେ ଭିତରେ ।
ବୋଉ ସୁକାନ୍ତାଇ ଭାଉଜକୁ ନଇଁ ପଡି ଚାହିଁ ଚାହିଁ ଉଠିପଡି କହିଲା, ଏ ପୁଅ ୟା'ଠି କିଏ ଗୋଟେ ଲାଗିଛି, ତା ଆଖିପତା ସବୁ ଯୋଡି ହେଇଗଲାଣି, ଧର ତା ହାତ ପାଦ ବାନ୍ଧ ଆଗେ । ଚଞ୍ଚଳ ଯ । ଭଲ ବଇଦ ଡାକତର କାହାକୁ ଖୋଜିଆଣ, ଆଉ ଯଦି ଜାଣିଛ କିଏ ଝଡା ଝଡି ଭଲ କରୁଥିବେ ଧରିଆଣ ଚଞ୍ଚଳ । ତାକୁ ଜଗିଥରେ ପିଲେ ସିଏ ଯାଇକି ଆସିଆ ଯାଏ ...... ଏତିକି କହି ସିଏ ଭାଉଜର ମୁଣ୍ଡରେ ଗଣ୍ଠିଟେ ମାରିଦେଲା ....ଏବେକା ଯୋ' ଚୁଟି ମେଲା ଫେସନ ଆଉ କିଏ ଗଣ୍ଠି ପାରୁଛି କି । ଆମ ଦିହିଁଙ୍କି ଜୋଡେ ଲୁହା ପିରିଗ ଦେଲା ଧରିବାକୁ ......କହିଲା, ଥାଅକି ଏଇଠି ମୁଁ ଉପରୁ ଆସେ, ତା ସାଙ୍ଗରେ ଲାଗିବନି, ଦୁରୁଆ ବସ, ସିଏ ଯେମିତି ନ ଶୁଏ ନିଘା ରଖିଥ । ଲୁନା ମାରି ସୁକାନ୍ତାଇ ବାହାରି ଗଲେ କାହାକୁ ଖୋଜିବେ ଆଉ ଆଣିବେ ବୋଲି ।
ସିଏ ଗଲାଭରି । ସେ ରୁମରେ ମୁଁ, ସୁନନ୍ଦ ଓ ଭାଉଜ । ବାସ୍ ।
ଆମେ କଷି ପାହାଚରେ । ମନମଉଜିଆ । ଶିଉଳି ଖସା ପରି କଥା ଖାଲି ପାଟିରୁ ଖସିବ । ଭାଉଜ ତାର ଆଖି ତରାଟି କାପାଳିନୀ ଭଳିଆ କିଳିକିଳିଆ ରାବ ମଝିରେ ମଝିରେ ଛାଡୁଥାଏ, ଫଣ ଫଣ ଗଣ ଗଣ ହଉଥାଏ .....ମୁଣ୍ଡକୁ ଝିଙ୍କି ଝାମ୍ପୁରି ଯାଉଥାଏ । ଆମକୁ ଡର ତ ଲାଗୁଥାଏ ତଥାପି ଜୁଆନ ବେଳ, ହଟ୍ ବ୍ଲଡ .... ଇଜ୍ଜତ ମହତ କଥାଟି ... କଣ ଅଳପ । ନ ଡରିବାର ତୋଡଟା ଦେଖଉଥାଉ । ସିଏ ଖାଲି ଫଁ କାଢୁଥାଏ । ଆଡେ ବୋଉ କହିଯାଇଛି ତାକୁ ଜଗିଆକୁ । ଆମେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଆରମ୍ଭ କଲୁ ଦୁଇ ପକ୍ଷର ମନୋରଞ୍ଜନ ଓ ବ୍ୟସ୍ତ ରଖିବା ଉଦ୍ଦେଶ୍ୟେ ।
_ ଏ କିଏ ସେ ତୁ ? କାହୁଁ ଅଇଲୁ? ଆ'ଠି କାଇଁ ଲାଗିଛୁ? କଣ କଥା? ଦରକାର କଣ ? କହୁନୁ କାଇଁ ? ର ଏଇନା ଆସିବ ଯେ ଗାରେଡି ବାବା .... ବେକ ମୋଡି ଖାଇବ । ଭଲରେ ଭଲରେ ଯା ହେରି ଏଇକ୍ଷିଣା ।
ଦି ଚାରିଥର ସମାନ ପ୍ରଶ୍ନ ଉତକ୍ଷେପଣ ପରେ ସେ ପ୍ରଥମେ ଉତକ୍ଷିପ୍ତ ଓ ପରେ ବାଟକୁ ଆସି ବୋଲିବା ହେଲେ ।
_ ଦେରେ ପୁଅ, କୋଉ ବାବା ଫାବା କାଇଁ ଡାକୁଛ ? ମୁଁ କଣ ୟା'ଠି ରଇଆକୁ ଆଇଚି?
_ ଆଉ ? କୁଆଡେ? ମତଲବ କଣ ?
ଭାଉଜର ସ୍ୱର ସତରେ ଆଉ କୋଉ ଦୁନିଆର ଜୀବ ପରି ଶୁଭୁଥାଏ, ଭୟଶଙ୍କୁଳ ଅବସ୍ଥା ଆମର, ତଥାପି ଜିଗରଟା ଅଛିନା ଉ ।
_ ମୁଁ ସେଇ ତମ ପିଣ୍ଢା ଆଘ ସାମେନା ରାସ୍ତା ପାରି ଯୋଉ ସାହାଡା ଗଛ ସେଇଠି ରହେ, ଆଉ ବକଟେ ପିଲା ବି ରହେ ମୋ ସାଙ୍ଗରେ । ଆମେ ଏଇଠି ଆସି ଚିହ୍ନା ହେଲୁ । ଆଈ ନାତୁଣୀ ପରି ଚଳଉ । ଉଡିବୁଲୁ ରାତିକି ଝୁଲୁ ।
ଆରେ ଏ ଶଃ । ସୁନନ୍ଦ ପାଟିରୁ ବାହାରିଗଲା । ମୁଁ ଓଠରେ ଟିପ ଦେଇ ଆଖି ଦେଖେଇଲି ।
_ ହଁ ସେଇଠୁ ।
_ ଆଜି ଇୟେ ତା'ର ତଟକା ମାଛ ଭାଜୁଥେଲା । ବାସ ବାଜିଲା ...... ମୁଁ ମୋର କୁକୁରୁଟା ଭିତର ଦେଇ ଲୋଭେଇକି ଆଇଥିଲି ଝାମ୍ପି ନେବି ଖଣ୍ଡ ବେଲିକା । ଇଏ କାଇଁ ମତେ କାଠ ଫାଳିଆ ଉଞ୍ଚେଇଲା କି .... ମୁଁ ଘାଉଁ କି ଖେଙ୍କାରି ଦେଲି । କୁକୁର ଦିହେରେ ଥେଲି ତାରି ପ୍ରକୃତି କଲି । ସେଇଠୁ ଆ'ଠିକି ପଶିଆଇଲି । ମନ ପୁରେଇକି ସବୁ ତକ ଖାଇଦେଲି ..... ଭଲ ହାତଟି, ଭଲ ରାନ୍ଧୁଆଣୀ । ଆଉ ଯିବିନି ଭାବୁଛି .... ଛାଡିବି ଲାଗିବି ଛାଡିବି ..... ଖାଇଆକୁ ମନ ଭଲ ମନ୍ଦ । ମଲାଦିନୁକୁ କିଏ ପାଣି ମୁନ୍ଦେ ନସିବ କରେଇଲେନିରେ ଅଭାଗୀକୁ ।
କହି ସକ ସକ କି ଲୁହ ବୁହେଇଲାକି ଆମେ ଭାବୁଥିଲୁ ଯା ହ୍ଉ ସୁକାନ୍ତାଇ ଭାଉଜକୁ ପ୍ରଶଂସା ପତ୍ର ମିଳିଲା ତ ମିଳିଲା, ବଡ ବିରଳ .... ବୋଧହୁଏ ପୃଥିବୀରେ ଏକମାତ୍ର .... ଆଉ କିଏ କୁଆଡେ ପାଇନି କି ପାଇବନି । ଆମେ ବି ଖାଇଛୁ ଯେ ତା'ହାତରନ୍ଧା ।
ଆମେ ଦେଖିଲୁ କଢେଇ ଚଟା ହେଇଯାଇଛି ସତୁକୁ ସତ । ହେ ବୋଉକିଲ ପାଞ୍ଚ କିଲିକିଆ ଇଲିସି ଗୋଟା ପୁରା ମସଲା ମସଲି ସହ ଘଟକି ଗଲା ଏ ବୁଢୀ ..... ପେଟ ନା ଘୁମ କିରେ । ହ କୋଉ ଜୀଇଁଚି କି.... ନା ତା' ପେଟ ଯେ ଏତେ କଥା!: ହେ ଏ ଯାଏ ସେ ସୁକାନ୍ତାଇଟା କୁଆଡେ ହଜିଲା କେଜାଣି, ବୋଉଟା ବି ପୂଜାରେ ବସିଗଲା କି କଣ କି ମଙ୍ଗଳାଦାଣ୍ଡୁକୁ ବାହାରିଗଲା କେଜାଣି କଣ ଇଲାଜ ଖୋଜିଆକୁ ।
ପୁଣି କଥା ଟାଣିଲୁ, ସୂତା ମାଜିଲେ ସରୁ, କଥା ମାଜିଲେ ମୋଟ ପରା ।
_ ଆଉ ତମ ନାଁ, ଗାଁ ସବୁ କଣ କୁଆଡେ? ଭୁତ କାଇଁ ହେଲ କହିବଟି ?କଣ କିଛି ଆଶା ରହିଗଲା? ପୁଏ ପିଣ୍ଡପାଣି ଫାଟିଲେଣି ନା ବଡବଡିଆ ଡାକିଲେନି କାଉଁରୀ ଜାଳିକି ?ମାଛ ଭାରି ପ୍ରିୟ ନା ? ଆଉ ସବୁ କଣ କଣ ଖା'ତମେ ମାନେ । ସୁନନ୍ଦଟା ଖୁଁ କିନା ହସିଦେଲା । ହେ ରଃ, ମୁଁ କହୁଣୀ ପେଲିଦେଲି ତା'ଥୋଡିକି ।
_ ହରେ ପୁଅ, ଖେସା କରୁଛ କିଆଁ, ହ କରିବନି କି ଆ ଉ । କି ରହସ୍ୟ ଜୀବନ ଯିଏ ଜୀଇଁଚି ସିଏ ଜାଣିଛି ।
ଭୂତମାନେ ବି ଦୀର୍ଘଶ୍ୱାସ ଛାଡନ୍ତି ଏଇ ଦେଖିଲୁ ।
ନିଆଁରେ ଘିଅ ପକେଇଲା ଭଳିଆ, ଫାଉଁ କିନା ହେଲା ପୁଣି ବୁଢୀ ତ ଉ .....କଟା ଘା'ରେ ଚୂନ ମାରିଦେଲା ପରିକା । ହେ ବୋଉକିଲ ରଡିଟା ପକେଇଲା । ନିଜେ ପୁଣି ତୁନି ପଡିକି ଶକେଇହେଲା ... ଲମ୍ବେଇଲା । କେତେ ବେଳେ କଣ କରୁଥାଏ ।
_ ନିଉଛୁଣିଆ ପରାଣକୁ କିଏ ଆଦରେରେ ବାପ । ବାପ ମା ଥିଲା ଯାଏ ଦିହେରେ ମାଛି ବସେଇଦେଇ ନଥେଲେ । ପଛକୁ ଭଗାରୀଙ୍କ ଆଖିରେ ଶୁକୁଆ କଣ୍ଟା ଗେଞିଲା ପରି ନାଗିଲା ଏ ଅଛମର ଜୀବନ । ଉଲୁଗୁଣା ଦେଲେ, ଯମ ନେଲାନି । ଓଦାକନା ପେଟେରେ ଦେଇଦେଇ କାଳକଟିଲା ..... କହୁଥେଲେ କାଳେ ମୁଁ ପାଗେଳୀଟା, ଉଆଁସୀଟା, ଅନୁକୂଳ ବିଗୁଡୁଛି ଛାଇ ପଡିଲେ .... କଥା ପ୍ରଘଟି ଗଲା ନିଆଁମିତି । ଗେଟମ ଦିହକୁ କୃଷ୍ଣ ବରନ ....ବୋଝକୁ ନଳିତା ବିଡା ପରିକା ବୋହିଲି ...... କେହି ହାତ ଧଇଲେନି, ହଳଦୀ ମାଇଲେନି ..... ଅନ୍ଧାରେ ଶହେ ଥର ଉଜାଣି କଲେ । ଉଆଁସୀ କଲା ଯୋଉ ଦଇବ ତାକୁ ସିନା ପଚରା କରନ୍ତେ, ରଙ୍ଗ ଯିଏ ମସିହା ଦେଲା ତାଠିଁ ସିନା ଫେରାଦ ହନ୍ତେ । ମୋଡି ସବୁ ସାଇଲେ । ଅସାର ନାଗିଲାରୁ କାମୁଡି ଗୋଡେଇଲି । ପୋଡାକପାଳ, ବାପମାଆ କେଡେ ସରାଗରେ ସାହାଜୀ ନାଁ ଦେଇଥେଲେ ସାହେବାଣୀ ହେବି ବୋଲି । ନାଣ୍ଡି କରିଦେଲେ, ନାସନା, ଉଙ୍କୁଣିମୁଣ୍ଡି, ବାୟାଣୀ ଡାକ କରି ଢେଲା ମାଇଲେ, ଟିହେଇଲେ । ଗାଁ କଅଁଳ ପିଲାଙ୍କୁ ମୋ ନାଁ କଇ ଛାନିଆଁ କରେଇଲେ । ଆମ୍ପୁଡାକାମୁଡା କଲାରୁ ରୋଗ ଧଇଲା...... ନଈ ମୁଣ୍ଡ ସାହାଡା ଗଛଠି ଫୋଫାଡି ଦେଇଗଲେ ....ଜୀଁ ଥିଲି । ପିଲାଦିନେ ସେଇ ସାହାଡାକୁ ସାତବରଷରେ ବା'କରେଇଥେଲେ ମା'ବାପ ଉଆଁସୀ ଦୋଷ କଟିଆକୁ । ଆଜି ତାରି ଦୁଆରେ ନିଆଶ୍ରୀ ହେଲି । ପଡି ପଡି ହଂସା ଉଡିଗଲା । ସେଇ ଯା ହାତ ଧରିଥିଲି ଅବୋଧ କାଳେ ଗଛ ହେଲେ ବି ସେଇ ଘର ଦେଲା ...... ଦେହୁଟା ସେଇଠି ପଡିଥେଲା ....ଶହେ ଥର ଝୁନ୍ଟିଲି ....ହେଲେ ପଶି ପାଇଲିନି । କେହି ମଢା ଉଠେଇଲେନି,ମୁନ୍ଦାଏ ପାଣି ବି ପାଟିରେ ଦେଲେନି । ଝୁଲିଲି ଡାଳେରେ । ଆଗେ ଆଗେ ଅବାଗ ନାଗୁଥିଲା, ସେଇଠି ଥାଇ ରାଗସୁଜିଲି ଯିଏ ଗଲା ସେପଟେ ଡରିଲା । କଇଲେ ବାହାଦୋଷ କାଟିନି, ପେଟରେ ବୀଜ ଫୁଟିନି ...... ଡାଙ୍କେଣୀ ହବ । ମୁଁ ଦେଖୁଥିଲି ମୁଁ ଖାଲି ଉଡି, ଝୁଲି ପାରୁଛି ସିନା ହେଲେ ଯେମିତି ଦୁଶୁଥିଲି ସିମିତି, ତିଳେ ବଦଳିନି ।
ଇଇଇଇଇଇଁ..... ଇଇଇଇଇଇଇଁ । ଦାନ୍ତ କାମୁଡିହେଲା ଭାଉଜ ।
ସେଇଠୁ ଦି ଦିନେ ମାଛି ଘେରିଲେ, କୁକୁର ଟାଣିଲାରୁ ଗାଁ ମାଷ୍ଟରାଣୀ ଝୁଅଟି ବୁଝା ସୁଝା କଲାରୁ ସେଠୁ ଘୋସାରି ଆଉ ଠି ଅରମାକୁ ପକେଇଦେଲେ । ଆଉ ମୋ ଗଛକୁ କାଟି ଜାଳିଦେଲେ । ସେ ମାଷ୍ଟରାଣୀ କହୁଥିଲା ଦିନେ 'ଯତ୍ର ପୂଜ୍ୟନ୍ତେ ନାରୀ.....ସେଠୁ ଗୋଟେ କଣ ତତ୍ର ଦେବତା ..... ଏମିତି ..... ପିଲେ କୁହାକୁହି ହେଲେ ଝୁଅ ପିଲାଙ୍କୁ ପୁଜିଲେ କାଳେ ଦିଅଁ ଦେବତା ଖୁସି ହୁଅନ୍ତି । ମୋର ତ ମୁଣ୍ଡୁକୁ ଜହର ଚଢିଗଲା ଉ । ସେ ମାଷ୍ଟରାଣୀକୁ କହିଲି, ଯା ପଳା ଏଠୁ ପଳା,..... ଘିଅରେ ବୁଡା ମିଛଗୁରା କାଇଁ ପେଉଛୁ । ଯା ଯା ଏଠ୍ ଆଉ । ଗୋଡେଇଗଲି ।
ଗୋଟା ନୂଆ ଭୁଆଶୁଣୀ ବା'ହେଇ ଗାଁରୁ ଏଇଠିକି ଆଇଲା, ତାରି ଶଗଡରେ ଝୁଲି ଆଇଲି ହେରି । ଏଠି ତମ ଆଘସାମେନା ସାହାଡା ଗଛୁଟେ ପୁଣି ଦେଖିକି ଅଟକିଲି ।
_ ମା ଲୋ ଏ ବୁଢୀ ତା'ଇତିହାସ କଇ ଲେଖି ସାଇଲାଣି ହେଲା । ଫିସ୍ କି କହିଲା ସୁନନ୍ଦ । ତାକୁ ଆଉ କିଛି ପଚାରେନା । ମୁଣ୍ଡ ଝାଇଁ ମାଇଲାଣି । ଚୋଖା ତରକାରୀଟେ ଆଜି ଖାଇଆର ଥିଲା, ଖାଇ ପି ରେଡ୍ଡି ମାର୍କା ଶୋଇଥାନ୍ତି ..... ମଣିଷ ଏ ଅଳିଆରେ ଭଲ ଫସିଲା!
ସେତିକିବେଳକୁ ବୋଉ ମଙ୍ଗଳାଙ୍କ ଧଣ୍ଡା ଫୁଲ, ମାଜଣା ପାଣି ଧରି ହାଜର ହେଲା ଆଉ ଆମକୁ ଝାଡିଆରେ ଲାଗିଲା।ଏ ବୋଉଟା ବି ଅଦ୍ଭୁତ .....। ଭାଉଜକୁ ସିଞ୍ଚିଲାରୁ ସିଏ ଖାଲି ଛିଟିକିଲା ।
ସୁକାନ୍ତାଇ ଗୋଟା ଅଦ୍ଭୁତ ବାଆଜୀ ଆଉ କାଳିସୀର ସମନ୍ୱୟ ଥିବା କାହାକୁ ଗୋଟେ ଧରି କିଲିବିଲିଆକି ପଶିଆଇଲେ ।
_ ମାଉସୀ ଇଏ ବଡ ସାଧୁ ବାବା ।
_ ଆଉ ଡାକତର??
_ ନମ୍ବର କରିକି ଆଇଚି ମୁଣ୍ଡ ଡାକତର ଠି, ଇଏ ଆଗେ ସାଷ୍ଟାଙ୍ଗ ହଉ ନେଇକି ଯିଆ । ନା କଣ କଉଚୁ ।
ଆମକୁ ଚାହିଁଲେ, ଆମେ ଏଣ୍ଡୁଅ ପରି ଗୋଟିଏ ଦିଗକୁ ସମାନ୍ତରାଳ ଭାବେ ମୁଣ୍ଡ ଟୁଙ୍ଗାରିଲୁ କି ହେଇଗଲା ସେମିତି କେଜାଣି ।
ବୋଝେ କଣ ଆଡୁସାଡୁ କାଢି ତା କନା ମୁଣାରୁ ଲୋକଟା ସେଠି ଗୋଟେ ଫେର ଆରମ୍ଭୁଥିଲା ।
_ ଓଁ ଆଇସି ମନ୍ତର କାଇସି ମନ୍ତର .....ଭୁଡ୍
ଇଚିଲି ମିଚିଲି ଝାମୁ ଝିଲି ଝିଲି ....... ଭୁଡ୍ । ଯା ଯା ନହେଲେ କାନଗିଲି ମୁଣ୍ଡା ଫଟେଇ ଦେବି, ଦାନ୍ତେରେ ଗରା ବୋହିବୁ, ଛାଞୁଣୀକୁ ଚିହ୍ନିଥା । ହୁଡ୍ ହୁଡ୍ ଭୁଡ୍ ଭୁଡ୍ ।
ଝୁଣା ବୋଝେ ପୁରେଇ କାନନାକରୁ ପାଣି ବୁହେଇଦେଲା । ପ୍ରହସନ ଲାଗେ ଏ ସବୁ, ସରଳ ମନକୁ ଶୋଷନ୍ତି ସିନା ।
ଭାଉଜ ବେହୋସ । ପାଉଣା ଗଣି ଗଣି ଆଠଶ । ଆମେ ମାସ ଯାକ ଖଟି ଖଟି ବାରଶ ଯୁକ୍ତ ପାଆଶଁ ।
*************
ତା 'ଆରଦିନ ଡକ୍ଟର କହିଲେ କିଛି ନାହିଁ, ସାଇକୋଟିକ୍ ଡିସ୍ଅର୍ଡର, ଡିପ୍ରେସନ୍ । କେୟାର ନିଅନ୍ତୁ, ବୁଲେଇ ନିଅନ୍ତୁ, ଖୁସି ରଖନ୍ତୁ । ମେଡିସିନ୍ ଦିଅନ୍ତୁ । ଡରିବାର କିଛି ନାହିଁ.... ସବୁ ଠିକ୍ ହେଇଯିବ । ଅଳ୍ପ ଦିନେ ଭାଉଜ ଆଗ ପରି ହେଇଗଲା ।
ଆମେ ସୁନନ୍ଦର ମୋର ମୁହଁ ଚୁହାଁ ଚୁହିଁ ହେଇ କାନମୁଣ୍ଡା ଆଉଁସି ଆଉଁସି ରହିଲୁ ।
ଆଉ ସେ ସାହାଜୀ ବୁଢୀ? ସିଏ କିଏ ?
ଆଉ ତାର ଯୋଉ ବକଟକ ନାତୁଣୀ, ଡାଳ ସେୟାରିଂ କରେ ?
ଯା ଶଃ ।
