ସାବିତ୍ରୀ ବ୍ରତ
ସାବିତ୍ରୀ ବ୍ରତ
ଲକ୍ଡାଉନ୍ ସମୟ ଥିଲେ ବି ମାର୍କେଟ୍ ରେ ଖଚାଖଚ୍ ଭିଡରେ ଭରି ରହିଥାଏ । ଦୋକାନୀ ସବୁ ଜୋର ଜୋର ସେ ଚିଲାଇ ଡାକ ଛାଡୁଥାନ୍ତି
ନେଇ ଯାଅ ଭାଇ ଆମ୍ବ କିଲ କୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରି ଆମ୍ବ ...........
ପଣସ ଗୋଟା ଦୁଇଶହ ....ସଜତୋଳା ଗୋଟା ପଣଷ .....ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ.....
ହୋ ହାଲ୍ଲା ଶବ୍ଦ ରେ କାନ ଫାଟି ପଡୁଥାଏ । ଲୋକ ସବୁ ହାତରେ ବଡ ବଡ ବ୍ୟାଗ୍ ରେ ଭରି ଭରି ଆମ୍ବ ,ପଣସ , ଲିଚୁ,ଖଜୁରୀ ,କଦଳି , ନଡିଆ ବାଇକ୍/କାର୍ ଭରି କରି ନେଇକି ଯାଉଥାନ୍ତି ।
ହେଲେ ହାଟର କୋଳାହଳ ଠାରୁ ଦୁର ରେ ହାତ ରେ ସାଇକେଲ୍ ଟାକୁ ଧରି ଛିଡା ହୋଇଥାଏ ବାଇନ । ସାହାସ କରିପାରୁ ନଥାଏ ହାଟ ଭିତରକୁ ପସିବା ପାଇଁ କିନ୍ତୁ ନାଚାର । ଲକ୍ଡାଉନ୍ ଭିତରେ ସିନା ଧାର ଉଧାର କରି ଝିଅ ଟାକୁ ଖାଲି ଖାଲି ବିଦା କରିଦେଲା ହେଲେ..... ଉଷା ବ୍ରତରେ କଣ ମନ ବୁଝିବ ? ପ୍ରଥମ କରି ଝିଅ ତାର ସାବିତ୍ରୀ ଉଷା କରୁଛି .....ତାର ସ୍ବାମୀ ପାଇଁ! ଯିଏ ଦିନେ ଟିକେ ଭୋକ ସମ୍ଭାଳି ନପାରି ପାଦକୁ କଚାଡି ମାଁ ଉପରେ ରାଗି ଦୁମୁ ଦୁମୁ ହୋଇ ଚାଲି ଯାଉଥିଲା । ସେ ଆଜି ଉପବାସ ରେ ରହି ତା ସ୍ବାମୀ ପାଇଁ ପୂଜା କରୁଛି। ଝିଅ ଟା ମୋର ବାହା ହୋଇଗଲା ନି ଯେ ବଡ ହୋଇଗଲା । ଘରର ସବୁ ଭଲ ମନ୍ଦ ବୁଝିବାକୁ ଲାଗିଲାଣି।
ଗୋଟିଏ ଦୀର୍ଘ ନିଶ୍ବାସ ନେଇ ହାଟ ଭିତରକୁ ପସିଲା ବାଇନ । ଗୋଟି ଗୋଟି କରି ସବୁ ଦୋକାନ ରେ ବୁଲିଲା , ବାରମ୍ବାର ଫଳ ଗୁଡିକର ଦାମ୍ ପଚାରି ପଚାରି ଦୋକାନୀ କୁ ବିରକ୍ତ କରୁଥାଏ ଆଉ ଦୋକାନୀବି ନା ବିରକ୍ତ ହୋଇ କହୁଥାଏ .......ଦାମ୍ ଦେବାର ଅକାତ୍ ନାହିଁ ଯଦି ଫଳ ଖାଇବ କାହିଁକି? ଯାଅ ଯାଅ ଭିଡ ଛାଡ
ମନକୁ କଷ୍ଟ କରି , ମନମୁତାବକ ଦାମ୍ ନପାଇ ପୁଣି ଫେରି ଆସି ନିଜ ଜାଗାରେ ଛିଡା ହେଲା ବାଇନ । କଣ୍ଠ ବାଷ୍ପରୋଳ ହୋଇ ଯାଉଥାଏ ଖାଲି କହୁଥାଏ . ଭଗବାନ ତୁମର ଏକି ବିଚିତ୍ର ପରିକ୍ଷା , ଗୋଟିଏ ପଟେ କାମ ନଥିବାକୁ ଅନ୍ୟ ପାଖରେ ଦରଦାମ୍ ବୃଦ୍ଧି ଝିଅ ମୋ ସାବିତ୍ରୀ ଓଷା କରିବ କେମିତି, ଶାଢି,ଚୁଡି,ସିନ୍ଦୁର, ଫଳ-ମୂଳ ଦେବ ମୋତେ କିଏ .....ତର ତର ହୋଇ ହାତରେ ପାଇଜାମା ପକେଟ ରୁ ଅଣ୍ଡାଳି ଆଣିଲା ଦଶ ଟଙ୍କିଆ,ପଚାଶ ଟଙ୍କିଆ ଆଉ ଶହେ ଟଙ୍କିଆ ର ମେଞ୍ଚାଏ ନୋଟ କୁ ଆଦରରେ ଗଣିବାରେ ଲାଗିଲା ମନ ଭିତରର ଚାପିଥିବା କୋହକୁ ଆଉ ସମ୍ଭାଳି ପାରିଲା ନାହିଁ ଠୋପା ଠୋପା ହୋଇ ଝରି ପଡୁଥାଏ ଲୁହ ପଇସା ଉପରେ.
କାହିଁକି ନା ହାତରେ ମାତ୍ର ଚାରିଶତ ପଚାଶ ଟଙ୍କା ।
