STORYMIRROR

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ସାବିତ୍ରୀ ବ୍ରତ ଦିନ

ସାବିତ୍ରୀ ବ୍ରତ ଦିନ

2 mins
146

ସାବିତ୍ରୀ ଅମାବାସ୍ୟା ଦିନ ଶୁଦ୍ଧ ପୁତ ହୋଇ ଫ୍ଲାଟ ସାରା ସ୍ତ୍ରୀ ଲୋକମାନେ ତଳେ ଦିଦିଙ୍କ ଘରେ ପୂଜା କରିବାକୁ ପ୍ରସ୍ତୁତ ହେଉଥିଲେ। ଧୁଆମୁଗ, କଦଳୀ, ତାଳ, ସେଓ, ଅଙ୍ଗୁରୁ, ପଣସ, ଖଜୁରୀକୋଳି, ଆମ୍ବ, ଲିଚୁ, ନଡ଼ିଆ ସହ ନୂଆଶାଢ଼ୀ, ଚୁଡ଼ି, ଅଳତା ସିନ୍ଦୁର ଇତ୍ୟାଦି ଭୋଗ ସାମଗ୍ରୀ ପ୍ରସ୍ତୁତ କରି ସମସ୍ତଙ୍କ ଭଳି ସାରା ବି ପ୍ରସ୍ତୁତ ହେଉଥିଲେ।

ଏବେ ଖାଲି ପଡିଥିବା ସାରାଙ୍କ ପାଖ ଘରେ କେତେଜଣ ପିଲା ଆସି ଭଡ଼ାରେ ରହିଛନ୍ତି। କି ଦିନ କି ରାତି ହିନ୍ଦୀ ସଂଗୀତ ତାଳେ ତାଳେ ଗୀତ ବୋଲିବା ସହ ଦେଶୀ କୁକୁଡା ମୋଡ଼ି ଭୋଜିଭାତ କରି ଜୀବନକୁ ଉପଭୋଗ କରୁଛନ୍ତି। କେହି ପ୍ରତିବାଦ କରିବାର କିଛି ବି କାରଣ ନଥିଲେ ବି ,ଏଇ ଅଳ୍ପଦିନ ତଳେ ଗୋଟେ ରୁମରେ ରହିଥିବା ତିନିଜଣ ଯୁବକ ମଧ୍ୟରୁ ଜଣେ ଆତ୍ମହତ୍ୟା କରିବା ଘଟଣାରେ ଫ୍ଲାଟମାଲିକଙ୍କ ସହ ପ୍ରତି ଘରର ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ପୋଲିସର ତନାଘନା ସାଙ୍ଗକୁ ଡର ଭୟ ଭିତରେ ସମସ୍ତେ ରହିବା ଭିତରେ ମାଲିକଙ୍କ ସହ ଆଲୋଚନା ହୋଇଥଲା ଏଣିକି ଯେଉଁମାନଙ୍କୁ ରଖିବେ ସେମାନଙ୍କର ଇତିବୃତ୍ତି ଜାଣି ରଖିବାକୁ ଅନୁରୋଧ କରିଥିଲେ। ଆଉ ଏବେ ସାରାଙ୍କ ପାଖ ରୁମରୁ ସବୁବେଳେ ଆସୁଥିବା ଚିକେନ ବାସ୍ନା ସହ ନାଚଗୀତ, ସାରାଙ୍କ ମନକୁ ବିଚଳିତ କଲେ ବି କାହାକୁ କହିପାରନ୍ତି ନାହିଁ, ଏଇଥିପାଇଁ କି ସ୍ଵାମୀ ଦୂରରେ ଓ ଅନ୍ୟମାନଙ୍କର କିଛି ଅଭିଯୋଗ ନଥିଲା।

ତଳୁ ଡାକରା ଆସିଲାଣି, ପୂଜା ଆରମ୍ଭ ହେବ, ବ୍ରାହ୍ମଣ ଆସିଲେଣି ତ ସାରା ବାହାରିଗଲେ ଭୋଗ ଥାଳି ସହ ଅନ୍ୟାନ୍ୟ ସାମଗ୍ରୀ ଧରି, ତା ସହ ମାଆ ସାବିତ୍ରୀ ଦେବୀଙ୍କ ପାଇଁ ଫୁଲ, ଚନ୍ଦନ, ସିନ୍ଦୁର, ସଞ୍ଜ ଓ ଧୂପ ସହ, ହେଲେ ଚିକେନ ବାସ୍ନାରେ ମନରେ କ୍ଷୋଭ ଆସୁଥିଲା। ଉପାସ ଦିନର ଶାନ୍ତି ଓ ପବିତ୍ରତା ନଷ୍ଟ ହେଇଗଲା ଭଳି ଲାଗୁଥିଲା। ମନକୁ ବୁଝେଇ, ଭଡାଘରେ ଆଉ କଣ କରାଯାଇପାରେ ଭାବି ତଳକୁ ପୁଜାସ୍ଥଳି ନିକଟରେ ପହଁଚିଲା ବେଳକୁ ଚାପା ଗୁଞ୍ଜନ। ସାରାଙ୍କ ଭଳି ସଭିଏଁ ଆଜିପରା ଦିନରେ ଚାରିପଟେ ଚିକେନ ବାସ୍ନାରେ ଅଣାୟତ୍ତ ହେଉଥିଲେ।

ପୂଜା ସରିଲା, ବହି ପଢା ଶୁଣି ନିଜକୁ ଧନ୍ୟ ଧନ୍ୟ ମନେକରି ସବୁ ନାରୀଏ ପଞ୍ଚାମୃତ ପାଇ , ଦୀପ ଧୂପ ବନ୍ଦାଇ , ନୂଆ ଶଙ୍ଖା ସିନ୍ଦୁର ଅଳତା ପିନ୍ଧି ବୟସ୍କ ମାନଙ୍କୁ ପ୍ରଣାମ ଜଣାଇ ଯେଝା ଘରକୁ ଯିଏ ଯିବା ପାଇଁ ବାହାରିଲେ। ସାରା ବି ତାଙ୍କ ରୁମକୁ, ହେଲେ ପାଖଘରୁ ହିନ୍ଦୀ ସଂଗୀତର ତାଳେ ତାଳେ ନାଚଗୀତ ଶୁଭୁନଥିଲା କି ଚିକେନ ବାସ୍ନା ବି ନଥିଲା। ଶାନ୍ତିରେ ଭୋଗ ଖାଇ ନୂଆ ପିନ୍ଧି ସନ୍ଧ୍ୟାରେ ମନ୍ଦିର ଯିବାକୁ ସାରା ସବୁ ସ୍ତ୍ରୀ ଲୋକଙ୍କ ସଙ୍ଗେ ସାଙ୍ଗ ହୋଇ ଯିବାକୁ ତଳେ ପହଞ୍ଚି ଜାଣିବାକୁ ପାଇଥିଲେ, ସବୁ ପୁରୁଷଲୋକମାନେ ଯାଇ ମାଲିକଙ୍କୁ କହି ସେହି ଘରର ପିଲାମାନଙ୍କୁ କାଢିଦେଇଛନ୍ତି, ଯିବା ବେଳେ ପ୍ରସ୍ତୁତ ଚିକେନ ଶୀଘ୍ର ନେଇଯିବାକୁ ବି ତାଗିଦ କରିଛନ୍ତି। ସାରାଙ୍କୁ କଥାଟା କାହିଁକି ଦୁଃଖ ଦେଲା ସେ ଜାଣିପାରୁନଥିଲେ, ରାତିରେ ସ୍ଵାମୀଙ୍କୁ ସବୁକଥା କହି ମନ ହାଲକା କରିଥିଲେ କେବଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract