ସ୍ୱର୍ଗର ଠିକଣା
ସ୍ୱର୍ଗର ଠିକଣା
ପରିଚିତ ପୃଥୁବୀରେ ଅପରିଚିତ ସମ୍ପର୍କ
ଭିଡ଼ରେ ବାଟବଣା ମଣିଷ ପାଇଁ ସ୍ଥାୟୀ ଠିକଣାଟେ କେଉଁଠି ଥାଏ ଯେ ? ସଭିଏଁ ତ ପାନ୍ଥ !
**********************
ଠିକ ପାଦ ଆକୃତିର ପା ପୋଛ ,ଗାଢ଼ କଳା ରଙ୍ଗର ସ୍ୱାଗତମ ଲେଖାଥିବା ; ଦର୍ଜା ଆଗରେ । ସେ ତା' ପାଦ ଯୋଡ଼ାକ ସେଥିରେ ଥାପି ଦେଖିଲା । ଆହୁରି ଅଧିକ ଗୋରା ଦିଶିଲା ଆଖିକୁ । ଦର୍ଜା ଡାହାଣ ପଟେ ସୁନ୍ଦର କଳସରେ ଗେଣ୍ଡୁ ଫୁଲ ଆଉ ଆମ୍ବପତ୍ର । ଓଃ ! ଆଜି ଗୁରୁବାର ପରା । ଆହୁରି ଦୃଷ୍ଟି ଗଲା ସୁନ୍ଦର ଝୁଲନ୍ତା ଫେଂସୁଇ କଳାକୃତି ଉପରେ । ଜଣିଛି ସେ ଏଇଟି ଘରପାଇଁ ଦୁଷ୍ଟ ଦୃଷ୍ଟିର ପ୍ରଭାବ ରୋଧକ ଶୁଭଙ୍କର ଝୁଲଣ ।
ଘଡ଼ିଏ ସେଇ ବ୍ଲୁ ରଙ୍ଗର ଝୁଲଣ ପାଖରେ ଅଟକି ଗଲା ତା' ମନ । ଏଇ ନିର୍ଜୀବ ଝୁଲନ୍ତା ବସ୍ତୁଟି କ'ଣ ଏ ଘରକୁ ସୁରକ୍ଷିତ କରିବାକୁ ଅକ୍ଷମ ?.......
କଲିଂ ବେଲ୍ ବଜେଇବା ପୂର୍ବରୁ ଘଡ଼ିଏ ଅଟକିଗଲା ସେ । ଦୀର୍ଘ ନିଶ୍ଵାସ ନେଲା , ବଟଲ ଖୋଲି ଢୋକେ ପାଣି ପିଇଲା ଆଉ ନିଜକୁ ଶକ୍ତ କରିନେଲା । ଝଡ଼ ପୂର୍ବର ନୀରବତା ଥିଲା ଏବେ ତା' ଭିତରେ ।
କଲିଂ ବେଲ୍ ଶବ୍ଦ ଯାହାଙ୍କୁ ଶୁଭାଗଲା ସେ ଥିଲେ ବୟସ୍କା ସୁନ୍ଦରୀ ମହିଳା ଜଣେ । ଚିହ୍ନିଲା ସେ , ଏ ଅଭିଜିତଙ୍କ ମା' । ସେ ଦର୍ଜା ଖୋଲିଲେ ଆଖିରେ ଆଶ୍ଚର୍ଯ୍ୟ ନେଇ । ଅପରିଚିତ ମଣିଷ ପାଇଁ ଏମିତିହିଁ ତ' ଆମ ଆଖିର ଭାଷା । ବୟସ୍କା ବୋଲି ଖୋଲିଲେ ଆଜିର ମଣିଷ ହେଇଥିଲେ ଖୋଲି ବି ନଥାନ୍ତେ । ସେ ହସିଲା ବାଧ୍ୟ ହସ ଅତ୍ମୀୟତା
ଯତେଇ । ଅଭ୍ୟାସ ନଥିବା ସତ୍ତ୍ୱେ ପାଦ ଛୁଇଁଲା ମହିଳାଙ୍କର । ପରିଚୟ ଦେବାର ପ୍ରୟାସ କଲା ନିଜର ମଣିଷ ଭଳି।
--'' ଆଣ୍ଟି ମୁଁ ଅନିମା ........
ଭଦ୍ର ମହିଳା ବାଧ୍ୟ ହସଟିଏ ଖେଳେଇଲେ ଓଠରେ ଆଉ ନୀରବରେ ଘର ଭିତରକୁ ବାଟ କଢେଇ ନେଲେ । ଏବେ ତାଙ୍କ ଆଖିରେ ଅଜଣା ରଙ୍ଗ ଥିଲା : ଟିକେ ଘୃଣା , ଟିକେ ଅସହଜପଣ ଆଉ ଟିକେ ଦ୍ଵିଧା ର ।ଯେମିତି ସେ ଅନିମା କୁ ନେଇ ସଂଶୟ ରେ ।
***************************
ସହଜ ନଥିଲା ସିଦ୍ଧାନ୍ତ ନେବା । ଏମିତି ପଦକ୍ଷେପ ଟେ ନେଇ ଅନ୍ଧାରଚ୍ଛନ୍ନ ଭବିଷ୍ୟତକୁ ଆମନ୍ତ୍ରଣ କରିବା । ନିଜ ସୃଷ୍ଟି ପ୍ରତି ବୀତସ୍ପୃହ ହେଇ ଭୁଲିଯିବା । କିନ୍ତୁ ଅନିମା କୁ କରିବାକୁ ପଡିଥିଲା । ପରିସ୍ଥିତିର ତାଡନା ରେ , ଦାରିଦ୍ର୍ୟର କଷାଘାତ ରେ , ଆବଶ୍ୟକତା ର ପ୍ରରୋଚନାରେ ।
ଘରର ପରିସ୍ଥିତି ବା' ଯିବା ପରେ ବଡ଼ ଦୁଃସ୍ଥ ହେଇଯାଇଥିଲା । ପେଟର ଭୋକ ଆଗରେ ମନର ଦୁଃଖ ହାର ମାନିଯାଇଥିଲା ଆଉ ସେ ରାଜି ହେଇଯାଇଥିଲା ।
ରାଜି ହେଇଗଲା ସିନା କିନ୍ତୁ ମନ କ'ଣ
ସେଇ ସ୍ମୃତି କୁ କବର ଦେବାରେ ସଫଳ ହେଇ ପାରିଥିଲା ??......
**********************
ଅସମ୍ପୂର୍ଣ୍ଣା ସ୍ତ୍ରୀ ଟିଏ ଚିରକାଳ କୋଳ ଖାଲି ଥିଲେ ।.................
ସେ ଶିଳ୍ପୀ : କିନ୍ତୁ ସୃଷ୍ଟି ପାଇଁ ଅସମର୍ଥ । ତା' ହାତରେ ନିହାଣ , ମୁଗୁର କିନ୍ତୁ ମୂର୍ତ୍ତି ଖୋଦେଇ ଅସମ୍ଭବ ।......
ଭାଗ୍ୟନିୟନ୍ତା ବୋଧେ ବେଳେବେଳେ ସୌଭାଗ୍ୟର ସ୍ବାକ୍ଷର ଲେଖୁଥିବା ପର କଲମଟିକୁ ହଜେଇ ଦିଅନ୍ତି , ଇଚ୍ଛାକୃତ ଭାବେ । ମଣିଷ ପାଇଁ ଦୁର୍ଭାଗ୍ୟ ସୂଚକ ଆଲେଖ୍ୟ ଲେଖନ୍ତି ନିଷ୍ଠୁର ହେଇ । ଶିଳ୍ପୀ କୁ ଠିକ ସେଇଆ ଲାଗେ । ସେ ନିଜେ ଅଭାବରେ , ସୃଜନ ପାଇଁ ନିଆଣ୍ଟିଆ ତା' ଅସ୍ତିତ୍ୱ । କାହାକୁ ଦୋଷ ଦେବାର କି ଅଭିଯୋଗ ବାଢିବାର ନୁହେଁ । ସବୁ ତା' ଭାଗ୍ୟ ।
ଅଭିଜିତ କେବଳ ଅନ୍ଧ ଭଳି ପ୍ରେମ କରନ୍ତି ବୋଲି ଏଇ ଅବିଗୁଣ କୁ ଅଣଦେଖା କରନ୍ତି କିନ୍ତୁ ସମାଜ ? ଅଭିଜିତର ପରିବାର , ବଂଶ ଲତା ? ଏମାନେ କାହିଁକି କ୍ଷମା ଦେବେ ଭଲା ? ବଂଶ ବୃକ୍ଷ ର ବିସ୍ତାର ହିଁ ସାମାଜିକ ସମ୍ପର୍କର ମୂଳ । ସେତକ ଯଦି ଅପୂର୍ଣ୍ଣ ରହିବ ତେବେ ନିରାଶା ଘାରିବା ସ୍ୱାଭାବିକ ।
ଅନେକ ପ୍ରଚେଷ୍ଟା ପରେ ଯେବେ ଶିଳ୍ପୀ ହତାଶା ବ୍ୟତୀତ ଆଉ କିଛି ପାଇଲା ନାହିଁ , ବିଜ୍ଞାନର ସହାରା ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରାଗଲା ଆଉ ସରୋଗେଟ୍
ମା' ଟିଏ ବନ୍ଦୋବସ୍ତ କରାଗଲା ।
ଏଠି ଆମେ ଖୁବ୍ ସ୍ୱାର୍ଥପର , ମାତୃତ୍ୱକୁ ନେଇ ବଡ଼ ନିଷ୍ଠୁର । ଯେଉଁ ମା' ଦଶ ମାସ ଦଶ ଦିନ ଧରି ନିଜ ଭିତରେ ସାଇତିବ ପିଲାକୁ କିନ୍ତୁ ନିଜର ବୋଲି ଅଧିକାର ଯତେଇବ ନାହିଁ , ସେ ହିଁ ସରୋଗେଟ୍ ମା' ।ଭଡାରେ ଦେବ ନିଜ ସୃଜନ ସମ୍ଭାର କେବଳ ଅନ୍ୟର ପରିଚୟ ଆଉ ପରିପୂର୍ଣ୍ଣତା ପାଇଁ । ସେଇ ମା' କୁ କେହି ଜାଣିବାର ନୁହେଁ କି ଲୋଡିବାର ନୁହେଁ । ସେ ସ୍ରଷ୍ଟା
ନେପଥ୍ୟରେ । ଏମିତି ଅନାବେଗିକ ବିଜ୍ଞାନ ଆଉ ଆଜି ମଣିଷର ପଥର ହୃଦୟ ।
ଠିକ ଥିଲା ସୃଜନ ର ସାଧାରଣ ପ୍ରକ୍ରିୟା ଖୁସି ଖବର , ଗୁଡ଼େ ପ୍ରତୀକ୍ଷା ଆଉ ନୂଆ ଆଗନ୍ତୁକ ପାଇଁ ପ୍ରସ୍ତୁତି । ସାବଲୀଳ ଭାବେ କୁନୁମୁନିଆ ପୁଅଟେ ଘରକୁ ଆସି ଶିଳ୍ପୀକୁ ସମ୍ପୁର୍ଣ୍ଣା କରିଦେଲା ।
ପରିବାର , ସମାଜ , ପରିଚିତ , ଅପରିଚିତ ସଭିଏଁ ସୁଖୀ ହେଲେ ଏଇ ପ୍ରୟାସ ରେ । ସବୁଠାରୁ ଅଧିକ ସୁଖୀ ଥିଲା ଅଭିଜିତ । ତା'
ନିଜ ପିଲାକୁ ଅନୁଭବ କରି ଭିନ୍ନ ଆନନ୍ଦ ମିଳୁଥିଲା ପିତୃତ୍ୱର ।
ପୁରୁଷ ସବୁବେଳେ ଏଭଳି ସମର୍ଥ ନିଜକୁ ସାବ୍ୟସ୍ତ କରିବାରେ । ସ୍ତ୍ରୀ କୁ ହିଁ କରିବାକୁ ପଡେ ସାଲିସ । କେବେ ନିଜ ସହ ପୁଣି କେବେ ପରିସ୍ଥିତି ସହ । ଶିଳ୍ପୀ ଚେଷ୍ଟା କରିଥିଲା , କିନ୍ତୁ ସଭିଏଁ ହୁଏତ ପାରନ୍ତି
ନାହିଁ ।
ପିଲାଟି ଯେ ତା' ଅଭିଜିତର ଏତକ ବେଶ ବୁଝୁଥିଲା ମନ। ମାତୃତ୍ୱ ପାଇଁ ସେ ଯେ ଅସମର୍ଥ , ବେଶ ଜାଣିଥିଲା ମନ । ପରିବାର ପିଲାଟିଏ ବ୍ୟତୀତ ଯେ ଅର୍ଥହୀନ ବେଶ ଜାଣୁଥିଲା ମନ । କିନ୍ତୁ ତଥାପି ସେ ଯେ ଅସମ୍ପୂର୍ଣ୍ଣା ଏତକ ଲିଭୁନଥିଲା ମନର କନ୍ଭାସ୍ ରୁ ।
କାରଣ ଶାଶୁ ଦେଖେଇ ଶିଖେଇ କହୁଥିଲେ ,'' ଏତେ ଖୋଜି ଖୋଜି ବୋହୁ କଲି ହେଲେ କ'ଣ ଲାଭ । ଛୁଆ ଟେ ପାଇଁ ମଣିଷ କେଡେ ହନ୍ତସନ୍ତ ହେଲା । କୋଉ ଘର ଝିଅଟା କେଜାଣି ସବର୍ଣ୍ଣ କି ଅସବର୍ଣ୍ଣ ... ତାରି ରକ୍ତ ମୋ ନାତି ଭିତରେ ପ୍ରଭୁ ! ''
ଏ କଥା ପଦକ ତୀକ୍ଷ୍ଣ ଛୁରୀ ଭଳି ବିଦ୍ଧ କରେ ଶିଳ୍ପୀର ମନ । କୋଉଠି ଗୋଟେ ହାହାକାର ପ୍ରତିଧ୍ବନିତ ହୁଏ ଭିତରେ ।
ଆହୁରି ମଧ୍ୟ ଥିଲା , ଗୋଟେ ଶକ୍ତ
କାରଣ । ପିଲାଟି ଦିଶୁଥିଲା ଏକଦମ ଭିନ୍ନ ନା' ତ ଅଭିଜିତ ପରି ନା ତା' ପରି । ସେ ହୁଏତ ଥିଲା ତା' ନିଜ ମା' ଭଳି , ଯତେଇ ଦେଉଥିଲେ ଥୋକେ ତଥାକଥିତ ନିଜ ଲୋକ ।
ହୁଏ ଏମିତି ଅନେକ ସମୟରେ ପିଲାଟି ଭିନ୍ନ ଲାଗେ । କେବେ ଜେଜେ କି ଜେଜୀ ମା' ଭଳି ବା ଅଜା କି ଆଈ ଭଳି । ଏତକ ଭାରି ସାଧାରଣ । ଅନେକ ଉଦାହରଣ ଏମିତି ସୃଷ୍ଟି ରେ । ବୁଝେଇ କୁହେ ଅଭିଜିତ କିନ୍ତୁ ଶିଳ୍ପୀ ...............
ସେ ଧୀରେ ଧୀରେ ବିଷାଦ ଭିତରେ ହଜିଲା , ବୀତସ୍ପୃହ ହେଲା ପରିବାର ଆଉ ପରିବେଶ କୁ ନେଇ । ତା' ଅନ୍ୟମନସ୍କତା , ବ୍ୟସ୍ତତା , ନିରୂପଦ୍ରବତା ଏବେ ଯନ୍ତ୍ରଣା ଦେବାକୁ ଆରମ୍ଭ କଲା ।
ସେଦିନର ଘଟଣା ଅଭିଜିତ କେବେ ଭୁଲିବାର ନୁହେଁ । ବାଥ ଟବ୍ ରେ ପାଣି ଖୋଲି ସେଥିରେ ଛୁଆକୁ ବସେଇ ଭୁଲିଗଲା ଶିଳ୍ପୀ । ଅଭିଜିତ ଠିକ ସମୟରେ ଆସି ଉଦ୍ଧାର କଲା ନହେଲେ ହୁଏତ ଛୁଆଟା ଓଃ !..........
ଆଉ ଦିନେ କାରରେ ଲକ କରି ଛୁଆକୁ ଚାଲିଗଲା ଶିଳ୍ପୀ । ଅଭିଜିତ ବିରକ୍ତ ହେଇଥିଲା ସେଦିନ ଖୁବ୍ ଆଉ ହାତ ଉଠେଇ ଦେଇଥିଲା ଆବେଶରେ।
ଏମିତି ଛୋଟ ବଡ଼ ଘଟଣା ଶିଳ୍ପୀ ଆଉ ଅଭିଜିତ ଭିତରେ ନବାଗତ କୁ ନେଇ ଘଟିଚାଲିଲା । ଶିଳ୍ପୀ ଯେ ପିଲାଟିକୁ ନେଇ ସୁଖୀ ହେଇପାରୁନାହିଁ । ଶ୍ରଦ୍ଧା କରିପାରୁ ନାହିଁ । ଏତକ ସ୍ପଷ୍ଟ ଯତେଇଲା ।
ଶିଳ୍ପୀ ନିଜେ ନେଇଥିଲା ସିଦ୍ଧାନ୍ତ ସରୋଗାସି ର । ଅଭିଜିତର ଇଚ୍ଛା ନଥିଲା , ସେ ଖୁସି ଥିଲା ମୁକ୍ତ ଥିଲା ବିନ୍ଦାସ ଥିଲା । ପିଲାଟେ ଯେ ଜରୁରୀ ଏତକ କେବେ ଅନୁଭବ କରୁନଥିଲା କାରଣ ସେ 'ହୋଲି କ୍ରସ୍ ' ଅର୍ଫାନେଜ୍ ଦାୟିତ୍ୱ ରେ ଥିଲା । ସବୁବେଳେ ମାଳେ ପିଲାଙ୍କ ଗହଣରେ ସମୟ ବିତୁ ଥିଲା । ନିଜ ଠାରୁ ଅଧିକ ଆପଣାର ଥିଲେ ପିଲାଏ । ଶିଳ୍ପୀ କିନ୍ତୁ ସେଇ ପିଲାଙ୍କ ଭିତରେ ନିଜ ପିଲାକୁ ଖୋଜୁଥିଲା ଭୀଷଣ ଭାବରେ । ଜିଦ କରୁଥିଲା ପିଲାଟିଏ ପାଇଁ ।
ଅଭିଜିତର ଅନିଚ୍ଛା ସତ୍ତ୍ୱେ ଶିଳ୍ପୀ ବିଜ୍ଞାନ ର ସାହାଯ୍ୟ ପାଇଁ ଆଗଭର ହେଇଥିଲା । ସବୁ ଶିଳ୍ପୀ ଇଚ୍ଛାରେ ହେଲା ପରେ ଶିଳ୍ପୀ ଏବେ ପିଲାକୁ ନିଜର କରିପାରୁନି । ବଡ଼ ବିଚିତ୍ର ଥିଲା ଏଇ ପରିସ୍ଥିତି । ଅଭିଯୋଗ ନଥିଲା , ଅଭିମାନ ନଥିଲା ଅସୁୟା ବି ନଥିଲା ଶିଳ୍ପୀ ଭିତରେ ; କିନ୍ତୁ ଥିଲା ଗୋଟେ ପ୍ରଛନ୍ନ ଅଭାବବୋଧ ..........
ଅଭିଜିତ ଅନୁଭବ କରୁଥିଲା ଆଗ ଅପେକ୍ଷା ଅଧିକ ଅଭାବ ଏବେ ଶିଳ୍ପୀ ଭିତରେ । ଯେମିତି ସେ ପିଲାଟିର ପ୍ରକୃତ ମା' ପ୍ରତି ଅସହିଷ୍ଣୁ । ଅନେକ ସମୟରେ କହିଛି ଶିଳ୍ପୀ , '' ଅଭି ମୋତେ ଥରେ ଭେଟ କରିବାର ଅଛି ସେଇ ମା' କୁ । ତୁମ ପିଲାର ମା' ..............
ଅଭିଜିତ ବ୍ୟତିବ୍ୟସ୍ତ ହେଇ କହିଛି , '' ମୋ ପିଲାର ମା' ତୁମେ ଶିଳ୍ପୀ କେବଳ ତୁମେ । ସେ ଆମ ପିଲା !...........
ଶିଳ୍ପୀ ପିଲାଟିକୁ ନିଜର କରିବାର ସମସ୍ତ ଚେଷ୍ଟା କରି ବିଫଳ ହେଲା । ଆଉ ଦିନେ ଏମିତି ଘୋଷଣା ଟେ କଲା , " ଅଭି ମୁଁ ଚାହେଁ ତୁମ ପୁଅ ନିଜ ମା' ସହିତ ରହୁ । ସେଇଟା ତା' ଅଧିକାର । ମୋ ପାଖରେ ସେ ସମୃଦ୍ଧ ନୁହେଁ । ଏଇଟା ମୋର ଶେଷ ଅଭିଳାଷ । ତୁମକୁ ରଖିବାକୁ ହେବ । ମୋ ପାଇଁ ଏତକ କରିବାକୁ ହେବ । ପ୍ଲିଜ ,ପ୍ଲିଜ ପ୍ଲିଜ'' ........
ବାସ୍ ଏତକ ଜଣେଇ ଚାଲିଗଲା ଶିଳ୍ପୀ ବେଶ ଦୂରକୁ । ବଦଳେଇ ନେଇଥିଲା ସେ ନିଜ ଅଫିସର ଠିକଣା । ବୁଝୁଥିଲା ଅଭିଜିତ ଏତକ ସ୍ବେଚ୍ଛାକୃତ ଭାବେ କରିଛି ଶିଳ୍ପୀ ।
ସ୍ୱାମୀ ଭାବରେ ଶିଳ୍ପୀର ଇଚ୍ଛାକୁ ପୂର୍ଣ୍ଣ କରିବା ଯେତିକି ଜରୁରୀ ଥିଲା ଏବେ ପିତା ଭାବରେ ନିଜ କର୍ତ୍ତବ୍ୟ ପାଳିବା ମଧ୍ୟ ସେତିକି ଜରୁରୀ ।
------------------------------
ଅନିମା ଘର ଭିତରେ ପାଦ ଦେଇ ଅଭିଭୂତ ହେଲା । ଆଜି ପ୍ରଥମ ଥର ନିଜ ପିଲାକୁ ଦେଖିବାକୁ ଯାଉଥିଲା ସେ । ସରୋଗେଟ୍ ମା' ଟେ କେବେ ଏଭଳି ସୁଯୋଗ ପାଇବାର ଉଦାହରଣ ନଥାଇ ପାରେ । ଆସିଲା ବେଳେ ତା' ମା କହିଥିଲା ,'' କି ନାଁ ଅଛି ତୋ ସମ୍ପର୍କର ସେ ପରିବାର ସହ କହିପରିବୁ ? କୋଉ ପରିଚୟ ନେଇ ରହିବୁ ସେ ଘରେ ?''
ନିଜ ପିଲାକୁ ଛାତିରେ ଜଡେଇ ଧରି ବେଶ ଲୁହ ରେ ଭିଜିଲା ମା' ଟେ । ଏବେ ସାରା ସମାଜ ଯାଉ ନର୍କକୁ ପରବାୟ ନାହିଁ । ଏଇ ନାମହୀନ ପରିଚୟ ଭିତରେ ହିଁ ସ୍ୱର୍ଗର ଠିକଣା ତା' ଲାଗି । ............