ସ୍ୱାଧୀନତା
ସ୍ୱାଧୀନତା
ଆୟୁଷ ଆଉ ବେବିନା ଙ୍କ ଗୋଟିଏ ବୋଲି ସନ୍ତାନ ରାହୁଲ। ବାହାଘରର ବହୁ ବର୍ଷ ପରେ ଗୋଟିଏ ସନ୍ତାନ ହୋଇ ଥିବାରୁ ଘରେ ରାହୁଲଙ୍କୁ ଆୟୁଷ ଓ ତାର ଜେଜେମା ଜେଜେବାପା ବହୁତ ମୁହଁ ଦେଇଛନ୍ତି। ଯାହା ମାଗେ ସାଙ୍ଗେ ସାଙ୍ଗ ପୂରଣ ହୋଇ ଯାଏ ।ବେବିନା ବି ରାହୁଲକୁ ବହୁତ ଭଲ ପାଆନ୍ତି। ହେଲେ ତାର ଜିଦ୍ ମାନନ୍ତି ନାହିଁ। କାରଣ ସେ ଜାଣିଛନ୍ତି ଯେ ସବୁ ଯଦି ମୁହଁ ଦେବା ତାହା ହେଲେ ରାହୁଲ ହାତ ଛଡା ହୋଇ ଯିବ..... ଆଉ କାହାକୁ ଡରିବ ନାହିଁ।
ରାହୁଲ ସବୁ ଶୋଇଗଲା ପରେ ଅଧା ରାତିରେ ଉଠି ମୋବାଇଲ ଗେମ ଖେଳେ। ତେଣୁ ରାହୁଲକୁ ବେବିନା ଗାଲି ଦିଅନ୍ତି।
ରାହୁଲ ପଞ୍ଚମରୁ ଷଷ୍ଠ ଶ୍ରେଣୀକୁ ଯାଇ ଥାଏ। କରୋନା ଲକଡାଉନ ପାଖରୁ ଅନ ଲାଇନ କ୍ଲାସ ଚାଲିଛି। ସେଥିପାଇଁ ରାହୁଲ ଜିଦ ଧରିଛି ଗୋଟିଏ ମୋବାଇଲ କି ତାର ଅଲଗା ଲାପଟପ କି ମୋବାଇଲ ଗୋଟିଏ ଆଣିବା ପାଇଁ। ବେବିନା ବାରମ୍ବାର ମନା କରି କହିଲେ ଘରେ ଆୟୁଷ ଙ୍କ ଲାପଟପ ଅଛି। ପୁଣି ତାଙ୍କ ମୋବାଇଲ ବି ଅଛି। ତେଣୁ ରାହୁଲ ର ଅଲଗା ଲାପଟପ କି ମୋବାଇଲ କଣ ପାଇଁ ଦରକାର। ଖାଲି ରାତି ଅଧା ଯାଏଁ ସବୁ ଶୋଇଲା ପରେ ମୋବାଇଲ ଖେଳୁ ଥିବ। ବାରମ୍ବାର ବେବିନା ମନା କରିବାରୁ ଆୟୁଷ କହିଲେ ଛୁଆ ବଡ ହେଲାଣି।ତାର ବି ସ୍ୱାଧୀନତା ଦରକାର। ତେଣୁ ତାକୁ ଅଲଗା ମୋବାଇଲ ଆଣି ଦେବା ଭଲ ହେବ।ଆଉ ତାର ସାଙ୍ଗମାନେ ବି ତ ଲକଡାଉନ ପାଇଁ ଆସି ପାରୁ ନାହାଁନ୍ତି କି ଇଏ ବି ଖେଳିବାକୁ ଯାଇ ପାରୁ ନାହିଁ। ତେଣୁ ମୋବାଇଲରେ ଖେଳୁଛି। ତାକୁ ବୁଝାଇ ଦେଲେ ହେବ ରାତିରେ ନ ଖେଳିବା ପାଇଁ। ଆୟୁଷ ପୁଅର ସ୍ନେହରେ ଅନ୍ଧ ହୋଇ ମୋବାଇଲ ଗୋଟିଏ ଆଣି ଦେଲେ।
ରାହୁଲ ଆୟୁଷ ଓ ବେବିନାଙ୍କ ପାଖରେ ଶୋଉଥିଲା। ହେଲେ ମୋବାଇଲ ଆସିଲାରୁ ସେ ଜିଦ ଧରି କହିଲା ମୁଁ ଏକୁଟିଆ ଶୋଇବି ମୋ ପଢା ରୁମରେ। ସେଇଠି ପଢିବି ଆଉ ସେଇଠି ଶୋଇବି। ବେବିନା ମନା କଲାରୁ ତାର ଜେଜେମା ଆଉ ଜେଜେବାପା କହିଲେ ଛୁଆ ବଡ ହେଲାଣି। ସେ କଣ ଏବେ ବି ବାପା ମାଆ ପାଖରେ ଶୋଇବ। ତାର ବି ତ ସ୍ୱାଧୀନତା ରହିଛି। ତାପରେ ତାକୁ ତାର ରୁମରେ ଶୋଇବା ପାଇଁ ଦିଆ ହେଲା।
ଏଥିରେ ବେବିନା ରାଗି ହେଉଥିଲେ ହେଲେ କଣ ତାଙ୍କ ମନ ବୁଝୁ ଥାଏ। ରାତିରେ ରାହୁଲକୁ ଦେଖିବା ପାଇଁ ଗଲା ବେଳକୁ ତା ରୁମର କବାଟ ବନ୍ଦ ହୋଇଛି। ତାକୁ ଡାକିବା ପାଇଁ ଗଲାରୁ ଆୟୁଷ ବିରକ୍ତ ହୋଇ ପାଟି କଲେ। ସେ କହିଲେ ତୁମେ ତା ଜୀବନର ସ୍ୱାଧୀନତାରେ ହସ୍ତକ୍ଷେପ କରୁଛ। ଶେଷରେ ଆମ ଛୁଆ ଆମ ଠାରୁ ଦୂରେଇ ଯିବ। ଏ କଥା ବେବିନାଙ୍କୁ ବାଧିଲା। ସେ ଅଭିମାନ ମାରି ଆଉ ରାହୁଲ କଣ କରୁଛି ତା ଉପରେ ଧ୍ୟାନ ଦେଲେ ନାହିଁ। ଆୟୁଷ ପାଠ ପଢୁଛି କହି ସବୁବେଳେ ନିଜ ରୁମରେ ରହି ଥାଏ।
ଦୁଇ ମାସ ବିତିଗଲାଣି। କିଛି ଦିନ ତଳେ ରାହୁଲର ସବୁଠାରୁ ବଡ ସାଙ୍ଗ ଦେବେନ ର ଛାତ ଉପରୁ ପଡି ମୃତ୍ୟୁ ହୋଇଛି। ହେଲେ କାହିଁକି ଦେବେନ ଛାତରୁ ଡିଆଁ ମାରି ଆତ୍ମହତ୍ୟା କଲା ସେ କଥା କେହି ଜାଣି ପାରିଲେ ନାହିଁ। ରାହୁଲ ବି ମନ ଦୁଃଖରେ ଥାଏ। ଦିନେ ହଠାତ୍ ରାତିରେ ବେବିନା ପାଣି ନେବା ପାଇଁ ରୋଷେଇ ରୁମକୁ ଆସିଲା ବେଳକୁ ସେ ଦେଖିଲେ ଯେ ରାହୁଲ ରୋଷେଇ ରୁମରୁ ବାହାରି ତା ରୁମକୁ ଯାଉଛି। ବେବିନା ରାହୁଲ ରାହୁଲ ଡାକିଲେ। ହେଲେ ସେ ଶୁଣିଲା ନାହିଁ। ଆଉ କବାଟକୁ ଜୋରରେ ବନ୍ଦ କରି ଦେଲା। ବେବିନା ଚାହିଁ ରହିଥାନ୍ତି। ହଠାତ ରାହୁଲ ରୁମରେ କିଛି ଗୋଟିଏ ଜୋରରେ ପଡିବା ଶବ୍ଦ ହେଲା ଆଉ ରାହୁଲ କଷ୍ଟରେ ଚିଳାଇବା ଶୁଣା ଯାଉ ଥାଏ। ବେବିନା ଦୌଡି ଯାଇ ଦେଖିଲ ଯେ କବାଟ ବନ୍ଦ ଅଛି। ସେ କବାଟ ବାଡ଼େଇ ରାହୁଲ ରାହୁଲ ଡାକୁ ଥାନ୍ତି। ହଠାତ୍ ଦେଖିଲେ ଯେ କବାଟ ତଳୁ ରକ୍ତ ବହୁଛି। ସେ ଚିଳାଇ ଆୟୁଷ ଙ୍କୁ ପାଟି କରି ଡାକି କହିଲେ ଯେ ରାହୁଲ ରୁମର ଚାବି ନେଇ ଆସିବାକୁ।
ବେବିନାଙ୍କ ପାଟି ଶୁଣି ସବୁ ଆସି ପହଞ୍ଚିଲେ। କବାଟ ଖୋଲି ଦେଖିଲା ବେଳକୁ ରାହୁଲ ନିଜେ ନିଜର ଦୁଇ ହାତର ଶିର ଓ ବେକର ଶିର କାଟି ଦେଇଛି। ଆଉ ଟେବୁଲ ଉପରେ ତା ମୋବାଇଲରେ R. G ବୋଲି ଗୋଟିଏ ଗେମ ଚାଲିଛି।
ରାହୁଲକୁ ସାଙ୍ଗେ ସାଙ୍ଗ ଡାକ୍ତର ଖାନା ନେଇ ଗଲେ। ସେଠାରେ ଡାକ୍ତର କହିଲେ ରକ୍ତ ବହୁତ ବହି ଯାଇଛି। ରକ୍ତ ଦରକାର। ବେବିନା ଆଉ ରାହୁଲ ର ସମାନ ରକ୍ତ ଗ୍ରୁପ ହୋଇ ଥିବାରୁ ବେବିନା ରକ୍ତ ଦେଲେ। ପୋଲିସ ଆସି ବେବିନା ଆଉ ତାଙ୍କ ଘର ଲୋକଙ୍କ ଠାରୁ ବୟାନ ନେଲେ। ଡାକ୍ତର କହିଲେ ଯେ ରାହୁଲଙ୍କ ବେକ ଶିର ଜୋରରେ କଟି ଥିବାରୁ ତାଙ୍କୁ ପୁରା ଠିକ ହେବାରେ ସମୟ ଲାଗିବ। ସେ ଭଲ ଭାବରେ କଥା ହୋଇ ପାରିବେ କି ନାହିଁ ସନ୍ଦେହ। ଏ କଥା ଶୁଣି ପରିବାରର ସମସ୍ତେ କାନ୍ଦିବାକୁ ଲାଗିଲେ। ପୋଲିସ କହିଲେ ଯେ ରାହୁଲର ସାଙ୍ଗ ଦେବେନ ବି R. G ଗେମ ଖେଳୁ ଥିଲା। ନିହାତି ଏହି ଗେମର ଏ ସବୁ ଘଟଣା ସହ ସମ୍ପୃକ୍ତ ଅଛି।
ଏ ଘଟଣାର କିଛି ଦିନ ପରେ ନିଉଜରେ ବାହାରାଲା ଯେ R. G ଗେମଟିକୁ ଆତଙ୍କବାଦୀମାନେ ବାହାର କରିଛନ୍ତି। ଏହି ଗେମରେ ସେମାନେ ଗେମ ଖେଳୁ ଥିବା ଛୁଆ ଓ ଲୋକମାନଙ୍କୁ ଗେମ ଦ୍ୱାରା ବଶୀଭୂତ କରନ୍ତି ଏବଂ ନିଜ ଇଚ୍ଛା ଅନୁସାରେ କାମ କରାନ୍ତି। ଆସ୍ତେ ଆସ୍ତେ ସେମାନେ ଗେମ ଖେଳୁଥିବା ଲୋକଙ୍କୁ ଆତଙ୍କବାଦୀରେ ପରିଣମ କରିବାର ଉଦ୍ଦେଶ୍ୟ ରେ ଏହି ଗେମଟିକୁ ସାରା ପୃଥିବୀରେ ପ୍ରସାରଣ କରିଛନ୍ତି ଇଣ୍ଟରନେଟ ସାହାଯ୍ୟ ରେ ପ୍ରସାରଣ କରିଛନ୍ତି ।ଆମ ଦେଶରେ ଦଶ ଜଣ ଛୁଆ ଏହି ଗେମ ଖେଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ସେଥିରୁ ଚାରି ଜଣ ବଞ୍ଚିଛନ୍ତି। ଆଉ ଗୋଟିଏ ଛୁଆ ନିଜ ମାଆକୁ ମାରି ଦେଇଛି। ସେଇଥି ପାଇଁ ସେଇ R.G ଗେମକୁ ସମଗ୍ର ପୃଥିବୀରେ ନିଷେଧ କରାଯାଇଛି।
ଏ କଥା ଶୁଣି ବେବିନା ରାଗି ଯାଇ ପରିବାର ଲୋକଙ୍କୁ କହିଲେ ଆପଣମାନଙ୍କ ପାଇଁ ମୋ ଛୁଆର ଅବସ୍ଥା ଏମିତି। ଆପଣମାନେ ତାର ସ୍ନେହ ରେ ଅନ୍ଧ ହୋଇ ତାକୁ ବିଗାଡି ଦେଲେ। ତାର କଣ ମୋବାଇଲ ଧରିବା ବୟସ ହୋଇ ଯାଇଥିଲା। ଅଧା ରାତି ପର୍ଯ୍ୟନ୍ତ ସବୁ ଶୋଇଗଲା ପରେ ବି ମୋବାଇଲ ଧରି ବସି ଥିବ। ଆଉ ମୁଁ ମନା କଲେ ଆପଣମାନେ କହିବେ ମୁଁ ମୋ ଛୁଆର ସ୍ୱାଧୀନତା ରେ ହସ୍ତକ୍ଷେପ କରୁଛି। ସେ କଣ ବା ଦୁନିଆ ବିଷୟରେ ଜାଣି ଥିଲା। ସାଙ୍ଗ ମେଳରେ ପଡି ଏତେ ଭୟଙ୍କର ଗେମ ଖେଳି ଆଜି ତାର କି ଅବସ୍ଥା ହେଲା। କୁହନ୍ତୁ ଏଇଠି ପାଇଁ ଦାୟୀ କିଏ?
ମୁଁ ରାହୁଲକୁ ଆକଟ କରୁ ଥିଲି ମାନେ ନୁହେଁ ଯେ ମୁଁ ତାକୁ ଭଲ ପାଏ ନାହିଁ। ମୁଁ ତାକୁ ମୋ ଜୀବନ ଠାରୁ ବେଶୀ ଭଲ ପାଏ। ହେଲେ ତାର ଭଲ ପାଇଁ ନିଜକୁ କଷ୍ଟ ହେଲେ ବି ମୁଁ ତାକୁ ଆକଟ କରେ। ଛୁଆକୁ ସ୍ନେହ କର ତା ସହ ଆକଟ ବି କର। ଆକଟ କରିବା ମାନେ ନୁହେଁ ଯେ ଆମେ ତା ଜୀବନର ସ୍ୱାଧୀନତାରେ ହସ୍ତକ୍ଷେପ କରୁଛୁ। ସମସ୍ତେ ବେବିନାଙ୍କ କଥା ଶୁଣି ନିଜ ଭୂଲର ଅନୁତାପ କରୁଛନ୍ତି।
କିଛି ଦିନ ପରେ ରାହୁଲ ଡାକ୍ତଖାନାରୁ ଘରକୁ ଆସିଲା। ଡାକ୍ତର କହିଲେ ରାହୁଲର ବେକ ଶିର କଟି ଥିବାରୁ ସେ ଏବେ ବେଶୀ ଭଲରେ କଥା ହୋଇ ପାରିବ ନାହିଁ। ଧିରେ ଧିରେ ସେ ଠିକ ହେବ।
ରାହୁଲ ଏବେ ଆଉ ନିଜ ରୁମରେ ନ ଶୋଇ ଆୟୁଷ ଓ ବେବିନାଙ୍କ ସହ ଶୋଉଛି। ମୋବାଇଲ କେବଳ ଅନଲାଇନ କ୍ଲାସ ପାଇଁ ବ୍ୟବହାର କରୁଛି। ଆଉ କୌଣସି କଥାରେ ଜିଦ କରୁ ନାହିଁ। ଆଉ ପରିବାର ଲୋକ ବି ଏବେ ସତର୍କ ହୋଇ ଯାଇଛନ୍ତି। ବେବିନା ସବୁ ଦିନ ରାତିରେ ସବୁ ଶୋଇଗଲା ପରେ ବି ବେଳେ ବେଳେ ଉଠି ରାହୁଲକୁ ଦେଖନ୍ତି। ମନରେ ଗୋଟିଏ ଡର ପଶି ଯାଇଛି ଯେ ସେଦିନ ରାତିରେ ହେ ନ ଉଠି ଥିଲେ କଣ ଯେ ହୋଇ ଥାଆନ୍ତା। ରାହୁଲ ଏବେ ଆଗ ଅପେକ୍ଷା ଟିକିଏ ଭଲ ହୋଇ ଗଲାଣି। ଏବେ ଆୟୁଷଙ୍କ ପରିବାର ପୁଣି ହସ ଖୁସିରେ ଭରି ଉଠିଲା।।
କାହାଣୀର ମର୍ମ ହେଉଛି ଯେ ପିଲାଙ୍କୁ ଭଲ ପାଅ। ହେଲେ ତାଙ୍କର ଭୂଲ ଜିଦକୁ ପୂରଣ କରିବା ଉଚିତ ନୁହେଁ। ଆଉ ପିଲାଙ୍କୁ ଅନଲାଇନ କ୍ଲାସ ପାଇଁ ମୋବାଇଲ ଦେଲେ ଦେଖିବା ଉଚିତ ଯେ ସେମାନେ ମୋବାଇଲରେ କଣ କରୁଛନ୍ତି। ଆଉ ଯଦି ଖାଲି ସମୟରେ ସେମାନେ ମୋବାଇଲ କି ଲାପଟପରେ ଅନଲାଇନ ଗେମ ଖେଳୁଛନ୍ତି ତେବେ କେଉଁ ପ୍ରକାର ଗେମ ଖେଳୁଛନ୍ତି ସେ ସବୁ ବିଷୟରେ ଧ୍ୟାନ ଦେବା ଉଚିତ ନ ହେଲେ ରାହୁଲ ପରି ହେବ। ଆଉ ଛୁଆଙ୍କ ଜିଦରେ ଆକଟ କରିବା ତାଙ୍କ ସ୍ୱାଧୀନତା ରେ ହସ୍ତକ୍ଷେପ କରିବା ନୁହେଁ ବରଂ ତାଙ୍କ ପ୍ରତି ଯତ୍ନଶୀଳ ହେବା।
