ସ୍ୱାଭିମାନୀ ଯୁବକ
ସ୍ୱାଭିମାନୀ ଯୁବକ
ପିତାଙ୍କ ନାମ ଲକ୍ଷ୍ମୀ ନାରାୟଣ ଏବଂ ମାତାଙ୍କ ନାମ ଆଶା ଦେବି ଙ୍କ ଆଶାକୁ ଚରିତାର୍ଥ କରି ୧୯୧୬ ମସିହା ମାର୍ଚ୍ଚ ମାସ, ପାଞ୍ଚ ତାରିଖରେ ଜନ୍ମ ନେଲା ଗୋଟିଏ ଶିଶୁ। ସେ ପ୍ରଥମେ କଟକର ମିଶନ୍ ସ୍କୁଲରେ ଅଧ୍ୟୟନ କଲେ;ମାତ୍ର କେତେକ କାରଣ ନେଇ ପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କଲେ। ବାଲ୍ୟ କାଳରୁ ସେ ଥିଲେ ଚପଳମତୀ ଏବଂ ସାହସୀ। ବିଦ୍ୟାଳୟରେ ଅଧ୍ୟୟନ କାଳରେ କେତେଜଣ ସାଥୀଙ୍କୁ ନେଇ ସେ ସାଇକେଲରେ ପେଶୱାର ଅଭିମୁଖେ ଭ୍ରମଣ କରିଥିଲେ। ୧୯୩୨ ମସିହାରେ ସଫଳତାର ସହିତ ଏନ୍ଟ୍ରାନ୍ସ ପାସ୍ କରି ସେ ରେଭେନ୍ସା କଲେଜରେ ବି.ଏସ୍.ସି ଅଧ୍ୟୟନ କଲେ। ଖେଳକୁଦରେ ତାଙ୍କର ଅସାଧାରଣ କୃତିତ୍ବ ପ୍ରଦର୍ଶନ କରି କ୍ରମାଗତ ତିନି ବର୍ଷ ଧରି, ରେଭେନ୍ସାରେ ଚମ୍ପିଆନ ହୋଇ ସବୁରି ଦୃଷ୍ଟି ଆକର୍ଷଣ କରିଥିଲେ।
ସେ ଥିଲେ ଅସାଧାରଣ ମେଧାସଂପନ୍ନ ବିଚକ୍ଷଣ ଛାତ୍ର। ପିଲାଦିନରୁ ବିଦେଶୀ ଇଂରେଜ ଶାସକର ଅନ୍ୟାୟ ଅତ୍ୟାଚାରକୁ ସେ ଘୃଣା କରୁଥିଲେ। ସୁଯୋଗ ପାଇଲେ, ଏମାନଙ୍କୁ ଦେଶରୁ ତଡି ଦେବାକୁ ସେ ଇ ଚଚ୍ଛା କରିଥିଲେ। ବ୍ରିଟିଶ୍ ଶାସକର ଏକ ଉଡାଜାହାଜ, କଟକର ବାଲିଯାତ୍ରା ପଡିଆରେ ଅଟକି ଥିଲା। ସେ କୌତୂହଳ ବଶତଃ ଏହାର ଡେଣାରେ ହାତମାରି, ସେଦିନ ବ୍ରିଟିଶ୍ ପୋଲିସ ଦ୍ୱାରା ଲାଞ୍ଚିତ ହେଲେ। ସେଦିନଠାରୁ ସେ ଶପଥ ନେଲେ, ସେ ଉଡାଜାହାଜ ଚାଳନା କରିବେ, ଦୂର ଆକାଶରେ ଉଡି ବୁଲିବେ। ସୁଦୂରର ମୋହ ତାଙ୍କୁ ଆକର୍ଷିତ କରିଥିଲା। ସେତେବେଳେ ପିତାଙ୍କର ଅନୁମତି ନେଇ ଦିଲ୍ଲୀରେ ଥିବା "ଏରୋନୋଟିକସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ" ନାମକ ସଂସ୍ଥାରେ ଉଡାଜାହାଜ ଚାଳନା ଶିକ୍ଷା କରି, ଏଥିରେ ଅସାଧାରଣ ସଫଳତା ହାସଲ କଲେ। ଏହା ପରେ ଇଣ୍ଡିଆନ୍ ଏୟାର୍ ୱେଜରେ ସେ ଚାକିରି ଆରମ୍ଭ କଲେ।
ବାଲ୍ୟକାଳରୁ ସେ ଥିଲେ ଖାରବେଳଙ୍କ ଆଦର୍ଶର ଅନୁଗାମୀ। ଚାକିରି କରିବା ପରେ ସେ ଦେଶ ସେବା କରିବାର ଆଗ୍ରହ ପୋଷଣ କରିଥିଲେ। ମହାତ୍ମା ଗାନ୍ଧୀ ଏତେବେଳକୁ, ଜାତୀୟ କଂଗ୍ରେସର ନେତୃତ୍ବ ଗ୍ରହଣ କରିଥିଲେ। ତାଙ୍କରି ନେତୃତ୍ଵରେ ଦେଶ ସେବା କରିବାର ଇଚ୍ଛା ପ୍ରକଟ କଲେ ସେ। ଜୟ ପ୍ରକାଶ ନାରାୟଣଙ୍କ ସହିତ, ତାଙ୍କର ବ୍ୟକ୍ତିଗତ ଆଳାପରେ, ସେ ଚାକିରି କରି ମଧ୍ୟ ଦେଶସେବା ନିମିତ୍ତ ଆଗେଇ ଆସିଲେ। ସେ ସେତେବେଳେ ଜାତୀୟ ସ୍ତରରେ ନେତାମାନଙ୍କୁ ଉଡାଜାହାଜରେ ନେବା ଆଣିବା କରି, ଜାତୀୟ ସଂଗ୍ରାମକୁ ତ୍ୱରାନ୍ୱିତ କରିଥିଲେ। ପରୋକ୍ଷରେ ସାହାଯ୍ୟ କରି, ସେ ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ।
ସେ ଥିଲେ ଜାତିପ୍ରାଣ, ଦୁଃସାହସୀ ଏବଂ ବନ୍ଧୁବତ୍ସଳ। ସେତେବେଳେ ଇଣ୍ଡୋନେସିଆ ଡଚ୍ ମାନଙ୍କ କବଳିତ ଥିଲେ। ଏହାର ରାଷ୍ଟ୍ରପତି ସୁକର୍ଣ୍ଣ, ଇଣ୍ଡୋନେସିଆର ବାର୍ତ୍ତା, କାହା ନିକଟକୁ ପ୍ରେରଣ କରିବାର କୌଣସି ସୁଯୋଗ ପାଉନଥିଲେ। ମାତ୍ର ପଣ୍ଡିତ ନେହେରୁଙ୍କ ଅନୁରୋଧ କ୍ରମେ, ତାଙ୍କର ଡାକୋଟା ବିମାନରେ ଜାକର୍ତ୍ତାରେ ଅବତରଣ କରି, ବିପନ୍ନ ରାଷ୍ଟ୍ରପତି ସୁକର୍ଣ୍ଣ, ପ୍ରଧାନମନ୍ତ୍ରୀ ହରିହର ଏବଂ ଉପରାଷ୍ଟ୍ରପତି ମହମ୍ମଦ ହଟ୍ଟାଙ୍କୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଥିଲେ। ଡଚ୍ ସେନାବାହିନୀ ତାଙ୍କୁ ଅବରୋଧ କରିବାରେ ସଂପୂର୍ଣ୍ଣ ବିଫଳ ହେଲେ। ଏହାର ଅଳ୍ପକାଳ ପରେ ଇଣ୍ଡୋନେସିଆ ଅବଶ୍ୟ ସ୍ୱାଧୀନ ହେଲା। ଇଣ୍ଡୋନେସିଆର ସ୍ୱାଧୀନତା ପାଇଁ, ତାଙ୍କର ଦୁଃସାହସିକ କର୍ମଧାରା ହିଁ, ମୁଖ୍ୟତଃ ଦାୟୀ। ତାଙ୍କର ତ୍ୟାଗ ପାଇଁ ତାଙ୍କୁ, ଇଣ୍ଡୋନେସିଆ ସରକାର ପାଞ୍ଚଶହ କୋଟି ଟଙ୍କା ଦାନ କରିଥିଲେ, କିନ୍ତୁ ତାଙ୍କର ଉଦାର ହୃଦୟ ଯୋଗୁଁ ତାହାକୁ ଫେରାଇ ସେ ଯଥାର୍ଥ ଓଡିଆତ୍ୱ ଓ ସ୍ୱାଭିମାନୀ ଭାରତୀୟର ପରିଚୟ ଦେଲେ। ତାଙ୍କୁ ସେଥିପାଇଁ ଇଣ୍ଡୋନେସିଆ ସରକାର "ଭୂମିପୁତ୍ର" ଉପାଧିରେ ବିଭୂଷିତ କରି ସମ୍ମାନ ଜଣାଇଥିଲେ।
ଏଇ ଶିଶୁ ପୁତ୍ରଟି ଅନ୍ୟ କେହି ନୁହଁନ୍ତି, ସେ କଳିଙ୍ଗବୀର ସ୍ୱାଭିମାନୀ ଯୁବକ ବିଜୁ ପଟ୍ଟନାୟକ କିମ୍ବା ବିଜୟାନନ୍ଦ ପଟ୍ଟନାୟକ।