STORYMIRROR

Kalpana Mishra

Classics

3  

Kalpana Mishra

Classics

ରୂପାନ୍ତର

ରୂପାନ୍ତର

3 mins
152

 

  ଗୋପାଳ...... ଏ ଗୋପାଳ...... ଗୋପୀନାଥ, କଣ ଶୁଭୁନି ମୋ ଡାକ...... ସନ୍ଧ୍ୟା ଗଡ଼ି ରାତ୍ରୀ ହେଲାଣି ପରା ।ଅପେକ୍ଷା କରି ବସିଛି ତୁମକୁ ।ଅବଶ୍ୟ ଅଁଳା ନବମୀ ଆଜି।ଭକ୍ତଙ୍କର ଭିଡ଼ ଲାଗିଥିଲା ରାତି ହେବା ପର୍ଯ୍ୟନ୍ତ। ଦେଖୁଥିଲେ ସେମାନେ ଆମକୁ ଆଉ ମୋ ପାଦକୁ ।କେତେବେଳୁ ମୁଁ ଏଇଠି ବସିଛି ତୁମ ପାଇଁ ମୋ ସମାଧି ଉପରେ ସବୁ ରାତି ଭଳି . 


    ଗୋପାଳ ମନେ ପଡୁଛି ସେତେବେଳର କଥା ?ମୁଖ୍ୟ ପୂଜକଙ୍କ ଘରେ ଜନ୍ମ ନେଲି ମୁଁ ଅନୁପମା, ଅପରୂପା ।ଶ୍ରଦ୍ଧାରେ ମୋ ନାଁ ଦିଆଗଲା ଲକ୍ଷ୍ମୀ ପିତାମାତାଙ୍କର ଗେଲବସରୀ ।

ତୁମେ ତ କୋଉ ଯୁଗରୁ ବୃନ୍ଦାବନରୁ ସାକ୍ଷୀ ଦେବାକୁ ଆସି ଅଟକି ଯାଇଥିଲ ଏଇଠି ,ଏଇ ରତ୍ନଚିରା ନଦୀ କୂଳରେ ।ଟିକେ ବଡ଼ ହେଲାପରେ ସବୁଦିନ ପିତାଙ୍କ ସହ ତୁମ ମନ୍ଦିରକୁ ଯାଉଥିଲି।ତୁମପାଇଁ ତୁଳସୀ, ଫୁଲ ତୋଳି ମୋ କୁନି ହାତରେ ମାଳା ଗୁନ୍ଥୁଥିଲି, ବେଳେ ବେଳେ ବି ନିଜକୁ ସଜେଇ ଦେଉଥିଲି ।ଜାଣ, ତୁମ ଭୋଗକୁ ବି ଅଇଁଠା କରି ପିତାଙ୍କ ଆକଟଭରା ଗାଳି ବି ଶୁଣୁଥିଲି।

    

   ଦିନ ପରେ ଦିନ ଗଡି ଚାଲିଲା।କୈଶୋରରେ ମୁଁ ବଡ଼ ହେଲି ତୁମରି ମୁହଁକୁ ଚାହିଁ ।ତୁମର ସେ ରଙ୍ଗା ଅଧର ଆଉ ଗଭୀର ଆଖିର ମାୟାରେ ପଡ଼ିଗଲି ମୁଁ ହଜି ଯାଉଥିଲି । ତୁମକୁ ନିବିଡ଼ ଭାବରେ ଭଲ ପାଇ ବସିଲି ମୁଁ ।ତୁମେ ଜାଣି ପାରିଲ ନା?କାହିଁକି ନା ତୁମେ ପରା ଅନ୍ତର୍ଯ୍ୟାମୀ, ଭାବର ଠାକୁର।


   ଏବେବି ମନେ ପଡିଯାଉଛି ସେ ଦିନର କଥା।ତୁମେ ଚାଲି ଆସିଥିଲ ଆମ ଘରର ଅଗଣାକୁ ଗହନ ରାତ୍ରୀରେ।ଓଃ...... କି ଅବର୍ଣ୍ଣନୀୟ ସେ ଅନୁଭୂତି ।ତୁଳସୀ, ଅଗୁରୁ, ଚନ୍ଦନର ମହମହ ବାସ୍ନାରେ ମହକି ଉଠିଲା ଆମ ଘର।ନିଦୁଆ ଆଖିରେ ସମ୍ମୋହିତ ଅବସ୍ଥାରେ ମୁଁ ଦେଖିଲି ତୁମକୁ।ହେ ପ୍ରିୟ, ହାତଧରି ନେଇ ଆସିଲି ମୋ କକ୍ଷକୁ ।ପ୍ରୀତିଭରା ରଜନୀ ଆହୁରି ମୋହମୟୀ ହୋଇ ଯାଇଥିଲା ।ମୁଁ ହଜି ଯାଇଥିଲି ତୁମ ମୋହନ ବଂଶୀର ଅପୂର୍ବ ମୂର୍ଚ୍ଛନାରେ ।ଓଃ........ କି ଅପୂର୍ବ ତୁମ ସ୍ପର୍ଶ।ପ୍ରଭାତୀ ତାରା ଲୁଚିବା ଆଗରୁ ତୁମେ ଫେରି ଯାଇଥିଲ ତୁମ ମନ୍ଦିରକୁ।ଆଉ ମୁଁ ନିଦ୍ରା ଯାଇଥିଲି ମୋ କକ୍ଷରେ ।ଏମିତି ସବୁଦିନ ତୁମେ ଆସିବାକୁ ଲାଗିଲ ମୋ ପାଖକୁ ।ଆଉ ସନ୍ତକ ସ୍ୱରୂପ ଛାଡ଼ି ଯାଉଥିଲ କେବେ ତୁମ ନୂପୁର ତ କେବେ ପୁଣି ହାତର ମୁଦି ।ଦିନେ ତ ତୁମ ବଂଶୀ ବି ଛାଡିଯାଇଥିଲ ମୋ ଶଯ୍ୟା ଧାରରେ।


   ମୋହନ, ଏମିତି ଯେ କାହିଁକି କରୁଥିଲ, ମୁଁ ଏଯାଏଁ ଜାଣି ପାରିନି।କିନ୍ତୁ ବାରମ୍ବାର ଶରବ୍ୟ ହେଉଥିଲେ ମୋ ନିରୀହ ପିତା।ତୁମ ହଜିଲା ଅଳଙ୍କାର ଆମ ଘରୁ ପାଇ ସମସ୍ତେ ତାଙ୍କୁ ଅପରାଧୀର ଆଖ୍ୟା ଦେଇ ସାରିଥିଲେ।ପରିଣାମ ସ୍ୱରୂପ ମୋ ମନ୍ଦିରକୁ ଯିବାରେ ବି ଆପତ୍ତି ଉଠିଲା।


   ସେଦିନ କଥା ମନେ ପଡୁଛି ପ୍ରିୟ ?ବୃନ୍ଦାବନରୁ କିଛି ସାଧୁସନ୍ଥ ପୁରୀ ଯିବା ବାଟରେ ଏଇଠି ଅଟକିଲେ ।ପିତାଙ୍କ ନିର୍ଦ୍ଦେଶରେ ସେମାନଙ୍କର ଚର୍ଚ୍ଚା କଲି ମୁଁ।ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କଲି ତାଙ୍କୁ।ମନ୍ଦିରକୁ ଯାଇ ତୁମ ଏକାଙ୍ଗ ମୂର୍ତ୍ତିକୁ ଦେଖି କିନ୍ତୁ ବିସ୍ମିତ ହେଲେ ସେମାନେ।ତୁମ ପାଖରେ ରାଧାଙ୍କ ମୂର୍ତ୍ତି ସ୍ଥାପନା କରିବାକୁ ପ୍ରସ୍ତାବ ଦେଲେ। ସେମାନେ ବି କେମିତି ଜାଣିଥାନ୍ତେ ଯେ,ମୁଁ ତୁମପାଇଁ ଜନ୍ମ ନେଇଛି ବୋଲି? ପ୍ରସ୍ତାବ ଅନୁସାରେ ବୃନ୍ଦାବନରୁ ଶିଳ୍ପୀ ଆସି ରାଧାଙ୍କ ବିଗ୍ରହ ଗଢିବାକୁ ସ୍ଥିର କରାଗଲା।ମନେ ମନେ ହସୁଥିଲି ମୁଁ ........


   ଠିକ ସମୟରେ ଶିଳ୍ପୀ ମାନେ ଆସିଗଲେ।ବିଗ୍ରହ ଗଢ଼ିବା ଆରମ୍ଭ ହେଲା।କିନ୍ତୁ ମୁଁ ସେଇଦିନରୁ ଅସୁସ୍ଥ ହୋଇପଡ଼ିଲି। ଶିଳ୍ପୀଙ୍କ ନିହଣର ସ୍ପର୍ଶ ମୁଁ ମୋ ଶରୀରରେ ଅନୁଭବ କଲି। ଦେହସାରା ମୋର ଅଦ୍ଭୁତ ଯନ୍ତ୍ରଣାର ଚିହ୍ନ ଓ ଅନୁଭବ । ଆଃ..... ସହି ପାରୁନଥିଲି ସେ ଯନ୍ତ୍ରଣା ମୁଁ।ପିତା ମଧ୍ୟ ଦୁଃଖୀ ହୋଇପଡୁଥିଲେ।କୌଣସି ବୈଦ୍ୟ ମୋ ରୋଗର ନିଦାନ ଜାଣି ପାରୁ ନଥିଲେ।


   ଧୀରେ ଧୀରେ ଦିନ ଗଡି ଚାଲିଲା ।ମୁଁ ମଧ୍ୟ କ୍ଷିପ୍ର ଗତିରେ ଆଗେଇ ଚାଲିଥିଲି ମୃତ୍ୟୁ ଆଡ଼କୁ ।କିନ୍ତୁ ମୂର୍ତ୍ତିଟି ଯେ ଅବିକଳ ମୋରି ପ୍ରତିରୂପ, ଏକଥା ସମସ୍ତଙ୍କ ମୁହଁରୁ ଶୁଣି କିଛି ପରିମାଣରେ ଶାନ୍ତି ପାଉଥିଲି ମୁଁ ।


   ସେ ଦିନ ପହଞ୍ଚିଗଲା ଅବଶେଷରେ।ଅଁଳା ନବମୀ ଦିନ ରାଧା ମୂର୍ତ୍ତି ପ୍ରତିଷ୍ଠା ପାଇଁ ସ୍ଥିର କରାଗଲା।ଅନୁଷ୍ଠାନ ଆରମ୍ଭ ହୋଇଥିଲା।.....ଓଃ..... କି କଷ୍ଟ ।କିନ୍ତୁ ହେ ଗୋପୀନାଥ ମୁଁ ଅନୁଭବ କଲି ତୁମକୁ ମୋ ଶଯ୍ୟା ଧାରରେ।ବଂଶୀର ସ୍ଵନରେ ଅନୁରଣିତ ହେଉଥିଲା ମୋ କକ୍ଷ ।ଅଗୁରୁ, ଚନ୍ଦନ, ତୁଳସୀର ମଧୁ ମହକରେ ଭରି ଯାଇଥିଲା ସେ ସ୍ଥାନଟି ।ତୁମେ ସ୍ପର୍ଶ କଲ ମୋତେ।କି ଦିବ୍ୟ ସେ ଅନୁଭବ ପ୍ରିୟ, ମର ଶରୀର ଛାଡି ମୁଁ ପ୍ରବେଶ କଲି ପ୍ରତିମା ମଧ୍ୟରେ ।ଲକ୍ଷ୍ମୀରୁ ମୁଁ ହେଲି ତୁମ ରାଧାରାଣୀ ।


  ସେଦିନରୁ ପ୍ରତି ରାତ୍ରୀରେ ମୁଁ ଚାଲି ଆସେ ଏଇଠିକୁ ଯେଉଁଠି ମୋ ପାର୍ଥିବ ଶରୀର ବିଲୀନ ହୋଇଥିଲା ଅଗ୍ନିରେ। ପ୍ରତି ଅଁଳା ନବମୀରେ ମୁଁ ଲକ୍ଷ୍ମୀର ବେଶ ଧରେ ସମ୍ପୂର୍ଣ୍ଣ ଓଡ଼ିଆଣି ପରି।ଭକ୍ତ ମାନେ ଦର୍ଶନ କରନ୍ତି ମୋ ପାଦ ଦୁଇଟିକୁ। ଆଉ ମୋ ସମାଧି ପୀଠରୁ ଦର୍ଶନ କରନ୍ତି ତୁମକୁ ମନ୍ଦିର ବାହାରୁ ।


   ରାତ୍ରୀ ଅନେକ ହେଲାଣି।ଫେରିଯିବି ମନ୍ଦିରକୁ ଏବେ । ଆଃ...ଏବେ ଆଉ ମୁଁ ଲକ୍ଷ୍ମୀ ନୁହେଁ ରାଧା... ରାଧା... ଆଉ ରାଧା...ତୁମରି ରାଧାରାଣୀ ।


( ସାକ୍ଷୀ ଗୋପୀନାଥ ମନ୍ଦିରର ଏକ କିମ୍ବଦନ୍ତୀ ର ଛାୟାରେ ଲିଖିତ )


Rate this content
Log in

More oriya story from Kalpana Mishra

Similar oriya story from Classics