Arabinda Rath

Horror

5.0  

Arabinda Rath

Horror

ରୁମ୍ ନମ୍ବର ତେର

ରୁମ୍ ନମ୍ବର ତେର

9 mins
301


ବାଟରେ ବସ୍ ଖରାପ ହେବା କାରଣରୁ ହଷ୍ଟେଲରେ ପହଞ୍ଚିବା ବେଳକୁ ଢେର ବିଳମ୍ବ ହୋଇଯାଇଥିଲା। ବସଷ୍ଟାଣ୍ଡରେ ଥିବା ଅଳ୍ପ କେତୋଟି ଦୋକାନ ସେତେବେଳକୁ ବନ୍ଦ ହୋଇ ସାରିଥିଲା। ଗଗନ ଚାରିଆଡକୁ ଦେଖିଲା, ବସ୍ ରୁ ଓହ୍ଲାଇଥିବା ହାତଗଣତି ଲୋକଙ୍କୁ ଛାଡିଦେଲେ ସେ ଅଞ୍ଚଳରେ କାଉକୋଇଲିଙ୍କ ଦେଖା ନ ଥିଲା। କାନ୍ଧରେ ବ୍ଯାଗ୍ କୁ ଭଲରେ ଭିଡି ଲମ୍ବା ପାହୁଣ୍ଡ ପକାଇ ସେ ହଷ୍ଟେଲ ଅଭିମୁଖେ ଅଗ୍ରସର ହେବାକୁ ଲାଗିଲା। ଘରୁ ବାହାରିଲା ବେଳେ ଯାହା ପଖାଳଗଣ୍ଡେ ଖାଇଥିଲା,ତେଣୁ ପହଞ୍ଚିବା ବେଳକୁ ଭୋକରେ ମୂଷା ଦୌଡିବା ଆରମ୍ଭ କରି ଦେଇଥିଲେ ପେଟରେ। ଚଞ୍ଚଳ ପହଞ୍ଚିଥିଲେ ହଷ୍ଟେଲରେ କିଛି ଖାଇବା ମିଳି ଯାଇଥାନ୍ତା ; କିନ୍ତୁ ଭାଗ୍ଯ ଖରାପ ଯେ ଏତେ ଡେରି ହୋଇଗଲା। ବେଳା ଭଲଥିଲେ, ତା ସାଙ୍ଗରେ ରହୁଥିବା ସାଙ୍ଗ ମାନସ ପାଖରେ କିଛି ଖାଦ୍ଯ ମିଳି ଯାଇପାରେ। ନହେଲେ ରାତି ଟା ପାଣି ପିଇ ବିତାଇବାକୁ ପଡିବ। ମାଆଙ୍କ ଦେହ ଖରାପହେବା ଖବର ପାଇବା ପରେ ସେ କାହାକୁ ନ ଜଣାଇ ଗାଁଆକୁ ଚାଲି ଯାଇଥିଲା। ସେ ଗାଁଆକୁ ଯିବା କଥା ଟା ମାନସ ମଧ୍ଯ ଜାଣି ନ ଥିଲା। ତଥାପି ଆସିଲା ବେଳକୁ ଖଣ୍ଡେ କାଗଜରେ ଲେଖିଦେଇ ଆସିଥିଲା। କେଜାଣି, ମାନସ ଆଖିରେ ସେ ଲେଖା ପଡିଥିବ କି ନାହିଁ।

ହଷ୍ଟେଲ ଜଗୁଥିବା ବାହାଦୁର ଗେଟ୍ ଖୋଲିବାବେଳେ ଅବୋଧ୍ଯ ଭାଷାରେ କଣ ସବୁ ଗୁଣୁଗୁଣୁ ହୋଇ କହି ଚାଲିଲା। ସେ ଏତେ ମଦ ପିଇଥିଲା ଯେ ଅଞ୍ଚଳଟା ଦୁର୍ଗନ୍ଧରେ ଫାଟି ପଡୁଥିଲା। କଣ କହିବାକୁ ଚାହୁଁଥିଲା ତାକୁ ହିଁ ଜଣା। ଗଗନ କେବଳ ଏତିକି ଶୁଣି ପାରିଲା ଯେ- - ରୁମ୍ ନମ୍ବର ତେର ର ପିଲା ତ? ସାବଧାନ ହୋଇ ରହିବ। କିନ୍ତୁ କଣ ପାଇଁ ସାବଧାନ ହେବି ବୋଲି ପଚାରିଲା ବେଳକୁ ସେ ପାଟି ଆଁ କରି ଘୁଙ୍ଗୁଡି ମାରିବାରେ ଲାଗିଲା। ଗଗନ ଭାବିଲା ବେଶିଦିନ ଗାଁଆରେ ରହିଥିବା କାରଣରୁ ପ୍ରିନ୍ସିପାଲ୍ ନିହାତି ବିରକ୍ତ ହୋଇଥିବେ। ହଃ, ସେଥିପାଇଁ ଚିନ୍ତା ନାହିଁ। ତାଙ୍କୁ ଟିକେ ତେଲ ମାରି ଗୋଡ ତଳେ ପଡିଗଲେ ବୁଢା ସବୁ ମାଫ୍ କରିଦେବ।

ହଷ୍ଟେଲର ଶେଷ ଆଡକୁ ଥିଲା ରୁମ୍ ନମ୍ବର ତେର। ବାକି ସବୁ ରୁମ୍ ର ଆଲୁଅ ଲିଭି ସାରିଥିଲା। ଅନ୍ଯଦିନେ ପିଲାମାନେ ସାରାରାତି ବାରଣ୍ଡାରେ ଖୁସିଗମାତରେ ମାତି ଥାଆନ୍ତି, କିନ୍ତୁ ସେଦିନ କେହି ନ ଥିଲେ। ଚତୁର୍ଦ୍ଦିଗରେ କେବଳ ନୀରବତା ବିରାଜମାନ କରୁଥିଲା। ଗଗନକୁ ଆଶ୍ଚର୍ଯ୍ଯ ଲାଗିଲା, କାରଣ ସବୁ ରୁମ୍ ର ଝରକା ବନ୍ଦଥିଲା। କାରଣ ପ୍ରାୟ ସବୁଦିନ ଗରମରୁ ରକ୍ଷା ପାଇବାକୁ ପିଲାମାନେ ଝରକା ଖୋଲାକରି ଶୁଅନ୍ତି। ମଶାଙ୍କ ପ୍ରାଦୁର୍ଭାବ ପାଇଁ ପିଲାମାନେ ଝରକା ବନ୍ଦ କରିଛନ୍ତି ବୋଲି ଗଗନ ଭାବିଲା। ବାରଣ୍ଡାରେ ଲାଗିଥିବା ଅର୍ଦ୍ଧାଧିକ ବାରଲାଇଟ୍ ଜଳୁ ନ ଥିଲା। ଯେଉଁ କେତୋଟି ଜଳୁଥିଲା, କାପାସିଟର ଖରାପ ଥିବା କାରଣରୁ ଧପଧପ କରି ଜଳୁଥିଲା। ନିଶୁନ୍ ରାତିରେ ନିଜକୁ ସମ୍ପୂର୍ଣ୍ଣ ଏକୁଟିଆ ପାଇ, ଗଗନର ମନ ଦବିଯିବା ପରି ଲାଗିଲା। ଏତେଦିନ ଭିତରେ ହଷ୍ଟେଲରେ ଏପରି ଅନୁଭୁତି ତା ପାଇଁ ପ୍ରଥମଥିଲା।

ସଦାବେଳେ ପାଠପଢାରେ ସମୟ ବିତାଉଥିବା ଗଗନ, ଥରେ ରୁମ୍ ରେ ପଶିଲେ ଆଉ ବାହାରକୁ ବାହାରେନି। ହଷ୍ଟେଲମେସ୍ ରେ ପିଲାମାନେ ଅନେକ ସମୟରେ ଗଣ୍ଡଗୋଳ କରନ୍ତି ବୋଲି ସେ ନିଜ ରୁମ୍ ରେ ରୋଷଇକରି ଖାଏ। ଗଗନ ସାଙ୍ଗରେ ରୁମ୍ ରେ ରହୁଥିବା ମାନସ ପିଲା ହିସାବ ରେ ବହୁତ ଭଲଥିଲା ଓ ଭଲ ପାଠ ମଧ୍ଯ ପଢୁଥିଲା। ମାତ୍ର କଲେଜ ର ସିନିୟର ପିଲାମାନେ ତାକୁ ସବୁ ସମୟରେ ହଇରାଣ ହରକତ କରିଚାଲିଥିଲେ। ଅନେକ ସମୟରେ ସେମାନେ ମାନସକୁ ଅପମାନିତ କରିବା ସହିତ ବାଡିଆପିଟା ମଧ୍ଯ କରନ୍ତି। ନିରିହ ମାନସ ସେମାନଙ୍କ ଦ୍ବାରା ଅପମାନିତ ହୋଇ ରୁମରେ ବସି କାନ୍ଦେ ସିନା,କିନ୍ତୁ ପ୍ରତିବାଦ କରିପାରେନି। ଗଗନ ତାକୁ ସଦାବେଳେ ବୁଝାଏ ଯେ, ଦିନେ ନା ଦିନେ ସେ ଦୁଷ୍ଟପିଲା ମାନେ ତାଙ୍କ ଭୁଲ ବୁଝିପାରିବେ ଓ ହଇରାଣ କରିବା ବନ୍ଦ କରିଦେବେ। କିନ୍ତୁ ସେପରି କିଛି ହୁଏ ନାହିଁ। ଯେତେଯାହା ହେଲେ ବି ସେମାନେ ଧନୀକ ଶ୍ରେଣୀର ପିଲାଥିଲେ। ସେମାନଙ୍କ ବିରୁଦ୍ଧରେ ପ୍ରିନ୍ସିପାଲଙ୍କୁ ଅଭିଯୋଗ କରିବାର ସାହାସ କାହାର ବା ହେବ ମାନସ ପାଇଁ ଗଗନ କିଛି ସାହାଯ୍ଯ କରିପାରୁ ନଥିଲା, କାରଣ ସେ ପିଲା ମାନଙ୍କ ସହିତ ଶତୃତା କରିବାର ସାହାସ ତା ମନରେ ନଥିଲା।

ବାରଣ୍ଡାରେ ଚାଲୁଥିବା ସମୟରେ ଗଗନକୁ ଲାଗିଲା ପଛରେ କେହିଜଣେ ତାକୁ ଅନୁସରଣ କରୁଛି। ସେ ଲମ୍ବାପାହୁଣ୍ଡ ପକାଇ ଜୋରରେ ଚାଲିବାକୁ ଲାଗିଲା। ଅଚାନକ ଏକ କଳାରଙ୍ଗର ବିଲେଇ ବିକଟାଳ ଶବ୍ଦକରି ତା ଉପରକୁ ଡେଇଁ ପଡିଲା। ଚମକି ପଡି ସେ ପଛକୁ ଘୁଞ୍ଚିଯିବା ବେଳେ ଭାରସାମ୍ଯ ହରାଇ ତଳେ ପଡିଗଲା। ତାକୁ ଲାଗିଲା ତା ଉପରଦେଇ କିଛି ଲୋକ ଦୌଡି ଚାଲିଯାଉଛନ୍ତି।ସେତିକିବେଳେ ତା କାନରେ ଶୁଭିଲା କାହାର ଯନ୍ତ୍ରଣାସିକ୍ତ କରୁଣ ଚିତ୍କାର। ଭୟରେ ତା ପଞ୍ଜରାହାଡ ଥରି ଯିବା ପରି ଲାଗିଲା।

ମରିଗଲି ଲୋ ମାଆ-- - ଭୂତ ଆସିଲା କହି ସେ ଦୌଡିବାକୁ ଲାଗିଲା। ରୁମ୍ ର କବାଟକୁ ଯୋରରେ ଧକ୍କା ଦେଇ ସେ ଚିତ୍କାର କରି କହିଲା - - ଆରେ ମାନସ ମୋତେ ବଞ୍ଚାରେ , ଆମ ହଷ୍ଟେଲରେ ଭୂତ ଅଛନ୍ତି।

ଆଶ୍ଚର୍ଯ୍ଯର କଥା- - କବାଟ ଖୋଲା ଥିଲା। ଗଗନ ପ୍ରାଣବିକଳରେ ରୁମ୍ ଭିତରକୁ ଯାଇ କବାଟ କିଳିଦେଲା। ତା ଦେହରୁ ଗମଗମ ଝାଳ ବୋହି ଯାଉଥିଲା ଓ ଛାତି ଭିତରଟା ଭୟଙ୍କର ରୂପରେ ଧଡ୍ ଧଡ୍ କରି କମ୍ପମାନ ହେଉଥିଲା। ଏକ ଭୟାନକ ଭୌତିକ ଘଟଣାକୁ ସଦ୍ଯ ପ୍ରତ୍ଯକ୍ଷ କରିଥିବା ଗଗନ, ଝାଳରେ ଗୋଟାପଣେ ଭିଜି ଯାଇଥିଲା। କିନ୍ତୁ ରୁମ ଭିତରେ କିଛି ସମୟ ରହିବା ପରେ ତାକୁ ଶୀତ ଲାଗିଲା,କାହିଁକି କେଜାଣି, ରୁମ ଭିତରର ତାପମାତ୍ରା ବାହାର ଅପେକ୍ଷା କମ୍ ଥିଲା। କାଳେ ମାନସ ଶୋଇ ଯାଇଥିବ ଭାବି ସେ ଧିରସ୍ବରରେ ଡାକିଲା- - ଆରେ ମାନସ୍, ସାଙ୍ଗ ଶୋଇ ପଡିଛୁ କି?ମୋତେ ଭୀଷଣ ଡର ଲାଗୁଛି ରେ, ତୁ ଶୁଣୁଛୁ ତ?

କୌଣସି ଉତ୍ତର ନ ପାଇ ସେ ମାନସର ଖଟ ଆଡକୁ ଚାହିଁବାକୁ ଲାଗିଲା। ସେ ରୁମ୍ ରେ ପଶିବା ବେଳକୁ ଲାଇଟ୍ ଜଳୁଥିଲା, ତେଣୁ ମାନସ ସେଠାରେ ଅଛି ବୋଲି ସେ ନିଶ୍ଚିତ ଥିଲା। କାରଣ ମାନସ ସ୍ବଭାବରେ ନିହାତି ଡରୁଆ ଥିଲା ଓ ସେ ଅଧିକାଂଶ ସମୟରେ ଶୋଇବାବେଳେ ଲାଇଟ୍ ଲଗାଇ ରଖୁଥିଲା।

ପ୍ରତି ଆଠ ଫୁଟ ରେ ଦଶ ଫୁଟ ହଷ୍ଟେଲରୁମରେ ଦୁଇଖଣ୍ଡି କାଠ ଖଟ ପଡିଥିଲା। ଖଟ ପାଖରେ ଏକ ସାନ ଟେବୁଲ ପଡିଥିଲା ପଢିବା ପାଇଁ। ଖଟତଳେ ପିଲାଙ୍କର ଟ୍ରଙ୍କ,ବାକ୍ସ ଆଦି ରହୁଥିଲା ଓ ବହିପତ୍ର ସେଇ ଟେବୁଲ ଉପରେ। ମୁଖ୍ଯଦରଜାର ବାମ ପାଖରେ ରଖାଯାଇଥିଲା କିରାସିନି ଷ୍ଟୋଭ୍ ରୋଷେଇବାସ ପାଇଁ। ସେଇ ଷ୍ଟୋଭ୍ ଚାରିପଟେ ଡାଲି,ଚାଉଳ,ପରିବା,ତେଲ,ଲୁଣ ଆଦିର ପସରା ମେଲାଇ ହୋଇ ରହିଥିଲା। ପ୍ରାୟ ସବୁପିଲାଙ୍କ ଟେବୁଲ ଉପରେ ଶୋଭା ପାଉଥିଲା ଏକ ଶହେଟଙ୍କିଆ ଏଫ୍ ଏମ୍ ରେଡିଓ, ଯାହା ମନୋରଞ୍ଜନର ମୁଖ୍ଯ ମାଧ୍ଯମ ଥିଲା। ହଷ୍ଟେଲର ଅନ୍ଯପିଲା ମାନଙ୍କ ନଜରରୁ ଲୁଚାଇ, ଶୋଇବାଖଟ ଉପରେ ଚାଦର ଘୋଡେଇ ରଖାଯାଉଥିଲା ଚୁଡାଭଜା,ମୁଢି ବା ବୁଟ,ମଟର,ଚଣା। ହଷ୍ଟେଲର ଗାଧୁଆଘର ଓ ପାଇଖାନା ଥିଲା ଖଣ୍ଡେ ଦୂରରେ। ଆଗରୁ ଲାଇନ ନ ଲଗାଇଲେ, ନିଜ ପାଳି ପଡିବାକୁ ବେଶ୍ କସରତ କରିବାକୁ ପଡୁଥିଲା। ଗଗନକୁ ଭୀଷଣ ପରିଶ୍ରା ଲାଗୁଥିଲା, ମାତ୍ର ଗାଧୁଆଘର ଯାଏ ଯିବାକୁ ସାହାସ କୁଳାଉ ନ ଥିଲା। ମାନସକୁ ଖଟରେ ନ ଦେଖି ସେ ଭାବିଲା, ମାନସ ବୋଧେ ଗାଁଆକୁ ଯାଇଛି। କାଳେ କିଛି ଲେଖା ଛାଡିଥିବ ଭାବି ଚାରିଆଡେ ଖୋଜିଲା, କିନ୍ତୁ କିଛି ପାଇଲାନି। ଗାଁଆକୁ ଯିବ ବୋଲି ଗଗନ ନିଜ ପାଖରେ ରଖିଥିବା ସବୁ ଚୁଡା,ମୁଢି ଆଦି ଶେଷ କରିଦେଇଥିଲା। ମାନସକୁ ରୁମ୍ ରେ ନ ଦେଖି ବଡ ସନ୍ତର୍ପଣରେ ତା ଖଟର ଚଦରତଳୁ ମୁଢିଡବା ଖୋଲି ତିନିଚାରି କଳ ପାଟିରେ ପକାଇ ଚୋବାଇବାରେ ଲାଗିଲା। ପାଣି ଢୋକେ ପିଇଦେଇ ଶାନ୍ତିରେ ହେଉଡି ମାରି କହିଲା- - ଆହା, ସାଙ୍ଗର ମୁଢି ଥିଲା ବୋଲି ସିନା ଜୀବନ ଟା ବଞ୍ଚିଗଲା ; ନହେଲେ ଆଜି ଭୋକରେ ମରିଥାନ୍ତି। ବାରଣ୍ଡାରେ ଘଟିଥିବା ଘଟଣା ତା ମନକୁ ବାରମ୍ବାର ଆନ୍ଦୋଳିତ କରିଚାଲିଥିଲା ଓ ମନଟା ଦବିଗଲା ପରି ଲାଗୁଥିଲା। ହନୁମାନଙ୍କ ଫଟୋକୁ ମୁଣ୍ଡିଆ ମାରି ସେ ଚାଦର ଘୋଡାଇ ଶୋଇବାକୁ ବାହାରିଲା। ସେତେବେଳକୁ ସମୟ ଜମା ରାତି ଦୁଇଟା, ସକାଳ ପାହିବାକୁ ଅନେକ ସମୟ ବାକିଥିଲା।

କିଛି ସମୟ ପରେ ତାକୁ ଲାଗିଲା ରୁମ୍ ଭିତରେ କିଏ ଅସ୍ତବ୍ଯସ୍ତ ହୋଇ ଚଲାବୁଲା କରୁଛି। ଚାଦର ଭିତରୁ ମୁହଁ କାଢି କିଏ ବୋଲି ଦେଖିବାକୁ ତାର ସାହାସ ନ ଥିଲା। ଅତଏବ ଚାଦର ଭିତରୁ ପଚାରିଲା- - ମାନସ ଆସିଲୁ କିରେ ? କଣ ବାଥରୁମ୍ କୁ ଯାଇଥିଲୁ ନା କଣ? କୌଣସି ଉତ୍ତର ନ ପାଇ ମନଟା ଆହୁରି ଦବିଗଲା। କିନ୍ତୁ ରୁମ୍ ଭିତରେ କିଏଅଛି ବୋଲି ଦେଖିବା କଥା ସେ ଚିନ୍ତା ମଧ୍ଯ କରି ପାରୁ ନଥିଲା। ତାକୁ ଲାଗିଲା ବେଳ କୁ ବେଳ ରୁମ୍ ର ତାପମାତ୍ରା ଆହୁରି କମି ଚାଲିଛି। ତାକୁ ଭୀଷଣ ଶୀତ ଅନୁଭୁତ ହେଲା। ମେ ମାସର ଝାଳବୁହା ଗରମ ରାତିରେ ଏତେ ଥଣ୍ଡା କାହିଁକି ଲାଗୁଛି ବୋଲି ସେ ଜାଣି ପାରୁ ନ ଥିଲା। ଏମିତି କିଛି ସମୟ ବିତିଗଲା। ପୁଣି କିଏ ଚାଲିବାର ଶବ୍ଦ ସ୍ପଷ୍ଟ ଶୁଭିଲା ଓ ସେ ଶବ୍ଦ ତା ଖଟ ପାଖରେ ନୀରବ ହୋଇଗଲା। ସେ ପୁଣି ପଚାରିଲା- - ମାନସ୍ ମୋତେ ଡର ଲାଗୁଛି, ଯଦି ତୁ ମୋ ପାଖରେ ଅଛୁ କିଛି କହୁନୁ କଣ ପାଇଁ?ମୁଁ ପରା ତୋର ଭଲ ସାଙ୍ଗ, ମୋତେ ଡରାଇ ତୋତେ କି ଲାଭ ମିଳିବ କହିଲୁ?

ଏତେ ସମୟ ପରେ ରୁମ୍ ର ନୀରବତା ଭାଙ୍ଗି କିଏ ଜଣେ କହିଲା- - ହୁଁ ମୁଁ ମାନସ । ତୋର ଏତେ ଡରିବା ଦରକାର ନାହିଁ। ମୁଁ ତୋର କିଛି କ୍ଷତି କରିବିନି। ଚୁପଚାପ ଶୋଇପଡ।

କଥା ଟା ଗଗନକୁ ବଡ ବିଚିତ୍ର ଲାଗିଲା। ମାନସ ତ ଏମିତି ଗମ୍ଭୀର ଗଳାରେ କେବେ କଥା ହୁଏନି, ପୁଣି କ୍ଷତି କରିବା କଥା କହୁଛି କାହିଁକି? ସେ ଭାବିଲା ପୁଣି ବୋଧେ ସେ ପିଲାମାନେ ମାନସକୁ ବାଡିଆପିଟା କରିଛନ୍ତି ବୋଲି ମାନସର ମନ ଭଲ ନାହିଁ।

- - ଆରେ ମୁଁ ତୋ ଡବାରୁ ମୁଢି ଟିକେ ଖାଇଦେଇଛି, ଭୀଷଣ ଭୋକ ଲାଗିଲା ତ। ଖରାପ ଭାବିବୁନି ମୋତେ।

- - ହୁଁଃ, ଖରାପ ଭାବିବିନି। ହଉ ଚଦର ତଳେ ଚୁପଚାପ୍ ଶୋଇପଡ। ସକାଳେ କଥାହେବା। କହିଲା ମାନସ।

ରୁମ୍ ରେ ମାନସ ଅଛି ବୋଲି ନିଶ୍ଚିତ ହେବା ପରେ ଗଗନ ମନରେ ସାହାସ ଆସିଗଲା ଓ ଆରାମରେ ଚାଦର ଘୋଡାଇ ଶୋଇରହିଲା। ତାର ମନ ହେଉଥଲା ପଚାରିବାକୁ- - ଆରେ ତୋତେ ଶୀତ ହେଉଛି ନା ମୋତେ ଏକା ଶୀତ ଲାଗୁଛି ? କିନ୍ତୁ ମାନସର ମନର ଅବସ୍ଥା ଦେଖି ପଚାରି ପାରିଲାନି। କିଛି ସମୟପରେ ତାକୁ ଲାଗିଲା କେହି ଜଣେ ବାହୁନି ବାହୁନି କାନ୍ଦୁଛି। ତା ନିଦ ଭାଙ୍ଗିଗଲା ଓ ସେ କାନ ଡେରି ଶୁଣିବାକୁ ଲାଗିଲା। ଏ କଣ? କୌଣସି ବୁଢୀ ଲୋକ କାନ୍ଦିବା ପରି ଶୁଭୁଛି। କିନ୍ତୁ ହଷ୍ଟେଲ ଭିତରକୁ କୌଣସି ପିଲାଙ୍କର ଅଭିଭାବକ ଆସିବା ମନା, ପୁଣି ରାତିରେ ହଷ୍ଟେଲରେ ରହିବାକୁ ଅନୁମତି ପାଇବା ନିହାତି ଅସମ୍ଭବ ଥିଲା। ତେବେ କିଏ ଏ ବୃଦ୍ଧା? ପୁଣି ଶୁଭିଲା ମାନସର କାନ୍ଦ।- ହୁଁ ହୁଁ ଉଁ ଉଁ। ସେ କାନ୍ଦରେ କାରୁଣ୍ଯତା ଅପେକ୍ଷା କ୍ରୋଧ ଓ ବିଫଳତାର ମାତ୍ରା ଅଧିକ ଥିଲା। ଲାଗୁଥିଲା ସେ ଟେବୁଲ ଉପରେ ମୁଣ୍ଡ ବାଡେଇ ଜୋର ଜୋରରେ କାନ୍ଦୁଛି। ଏସବୁ ଘଟଣା ସେଇ ରୁମ୍ ଭିତରେ ଘଟି ଚାଲିଥିଲେ ମଧ୍ଯ ଗଗନର ସାହାସ ନ ଥିଲା ମାନସ କୁ ବୁଝାଇବା ପାଇଁ। ଯେତେବେଳେ ମାନସ ର କାନ୍ଦର ମାତ୍ରା ବଢିଗଲା ସେ ବ୍ଯସ୍ତ ହୋଇ ଉଠିଲା। ସେ ପାଟି କରି କହିଲା- - ଆରେ ମାନସ କଣ ହୋଇଛି ତୋର, କାନ୍ଦୁଛୁ କାହିଁକି? ମାଉସୀ ଆସିଛନ୍ତି କି?

- - ଚୁପ୍ କର ଗଗନ, ତୋତେ କହିଲି ପରା ଚାଦର ଭିତରେ ରହ, ବାହାରକୁ ଦେଖିବାର ସାହାସ ବି କରିବୁନି। ନହେଲେ ଭୟଙ୍କର ବିପଦରେ ପଡିବୁ।

ସେତକିବେଳେ ଗଗନ ଅନୁଭବ କଲା ସେ ନାରୀ ମୂର୍ତ୍ତିଟି ଝଡବେଗରେ ତା ଆଡକୁ ମାଡି ଆସୁଛି। ମାନସ ଚିତ୍କାର କରି କହିଲା- - ରହି ଯାଆ ମାଆ, ସେଇ ଯାଗାରେ ରହିଯା। ମୋ ସାଙ୍ଗ କିଛି ବି ଦୋଷ କରିନି, ତାକୁ ଛାଡି ଦେ।

ଚାଦର ତଳେ ଗଗନ ଗୋଟାପଣେ ଥରିବାରେ ଲାଗିଥିଲା। ତା ରକ୍ତ ପାଣି ଫାଟିଯିବା ମନେ ହେଉଥିଲା। ହୃଦୟର ଗତି ଏତେ ମାତ୍ରାରେ ତୀବ୍ର ହୋଇ ସାରିଥିଲା ଯେ ତାକୁ ଲାଗୁଥିଲା, ଯେ କୌଣସି ସମୟରେ ତା ଛାତି ଫାଟିଯିବ। ବେକରେ ପଡିଥବା ହନୁମାନଙ୍କ ଲକେଟ୍ କୁ ଜାବୁଡି ସେ ମନେମନେ ହନୁମାନ ଚାଳିଶା ବୋଲିବାରେ ଲାଗିଲା। ହଠାତ୍ ରୁମ୍ ଭିତରେ ଭୀଷଣ କୋଳାହଳ ଶୁଭିବା ଆରମ୍ଭ ହେଲା। ବିକଟ ଚିତ୍କାର ଓ ବୁକୁଫଟା କ୍ରନ୍ଦନ ସହିତ ଦୁମ୍ ଦାମ୍ ଶବ୍ଦରେ ରୁମ୍ ଭିତର ଟା ପଡୁଥିଲା ଉଠୁଥିଲା। ମାନସର ଟ୍ରଙ୍କକୁ କେହି ଜଣେ ଘୋଷାରି ରୁମ୍ ଭିତରେ ବୁଲାଇବାକୁ ଲାଗିଲା, ତା ସହ ଶୁଭିଲା ମୁଢି,ଚୁଡା ରଖା ଯାଇଥିବା ଡବାରେ କେହି ଜଣେ ବାଜା ବଜାଇବାର ଶବ୍ଦ ଶୁଭିଲା। ପଚାମାଂସର ଗନ୍ଧ ସାଙ୍ଗରେ ମିଶ୍ରିତ ହୋଇ ଚାଲିଥିଲା ପୋଡାମାଂସର ଗନ୍ଧ ଓ ରୁମ୍ ଭିତରର ଆବହାଓ୍ବା ବେଳକୁ ବେଳ ପୈଶାଚିକ ହୋଇ ଚାଲିଥିଲା। ତା ସାଙ୍ଗକୁ ମାରିଦିଅ ଜାଳିଦିଅ ତଣ୍ଟିକଣା କରିଦିଅ ଆଦି ବିକଟ ଚିତ୍କାର ଗଗନ କାନରେ ଗୁଞ୍ଜରିତ ହେବାକୁ ଲାଗିଲା।

- - - ରହି ଯାଆରେ ଧନ - - ମୋ ସୁନା ଟା ପରା- - ମୋ କଥା ଥରେ ଭାବେ, ସେମିତି କିଛି କରନି ରେ ପୁଅ- - ତୋତେ ମୋ ରାଣ- - ଏମିତି କହି ବୃଦ୍ଧା ଜଣଙ୍କ ରାହାଧରି କାନ୍ଦି ଚାଲିଥିଲେ। ଅଚାନକ୍ କିଛି ଭାରି ଜିନିଷ ଝୁଲିବା ସହ ଗଁ ଗଁ ଓ ହାତଗୋଡ ଛାଟିବାର ଶବ୍ଦ ସ୍ପଷ୍ଟ ଶୁଭିଲା।

ପୁଣି ଶୁଭିଲା ବୃଦ୍ଧାର କରୁଣ ଆର୍ତ୍ତଚିତ୍କାର- - - ମୋ ଧନରେ ମୋତେ ଛାଡି ଯାଆନି ରେ...... ତୁ ପରା ମୋର ଏକୋଇର ବଳା ବିଶିକେସନ। ତୋ ଛଡା ମୋର ଆଉ କିଏ ଅଛି କହିଲୁ? ପାଠପଢି ବଡ ମଣିଷ ହେବୁ ବୋଲି ସହରକୁ ଆସିଲୁ, ଶେଷରେ ଏଇଆ କଲୁ?? ବୃଦ୍ଧାର ଚିତ୍କାର କାହିଁ କେତେଗୁଣରେ ବଢି ଯାଇଥିଲା ଓ ସେ ପୈଶାଚିକ ସ୍ବରରେ କହିଚାଲିଥିଲା କାହାକୁ ଛାଡିବିନି ସମସ୍ତଙ୍କୁ ମାରିଦେବି- - - ମୋ ପୁଅକୁ ଯିଏସବୁ ମାରିଛ ମୁଁ କାହାକୁ ଛାଡିବିନି- - -

ହଠାତ୍ ରୁମ୍ ଭିତରେ ଛାଇଗଲା ଶ୍ମଶାନର ନୀରବତା। ବହୁତ ସାହାସ କରି ଚାଦରକୁ ମୁହଁ ଉପରୁ ଖସାଇ ଗଗନ ଯାହା ଦେଖିଲା, ତା ଦେହହାତ ବରଫ ପରି ଥଣ୍ଡା ହୋଇଗଲା। ଭୟ, ଆଶ୍ଚର୍ଯ୍ଯ ଓ ଆଶଙ୍କାରେ ତା ପାଟି ଜାବ ପଡିଗଲା। ତା ସାମ୍ନାରେ ଝୁଲୁଥିଲା ମାନସର ମୃତଦେହ, ସେ ଦଉଡି ଦେଇ ଆତ୍ମହତ୍ଯା କରି ସାରିଥିଲା। ତାକୁ ଜାବୁଡି ଧରି କାନ୍ଦି ଚାଲିଥିଲା ଜଣେ ବୃଦ୍ଧା। ମାନସର ମୁହଁ କୁ ଗଗନ ନିରେଖି ଦେଖିବା ସମୟରେ ମାନସର ଆଖି ଖୋଲିଗଲା, ଯାହାଥିଲା ରକ୍ତପରି ଲାଲ୍ ଓ ତା ମଧ୍ଯରେ ପ୍ରତିଶୋଧର ବହ୍ନି ଜଳୁଥିଲା। ସେ ବୃଦ୍ଧା କଟମଟ କରି ଗଗନ ଆଡକୁ ଚାହିଁଲା- - ତା ଆଖି ଦୁଇଟି ନିଆଁରଡ ପରି ଜଳୁଥିଲା ଓ ପାଟିରୁ ରକ୍ତଧାର ଝରି ପଡୁଥିଲା। କିଛି ସମୟ ପୂର୍ବରୁ ବାରଣ୍ଡାରେ ଦେଖିଥିବା କଳା ବିଲେଇ ଟା ବୃଦ୍ଧା ପାଖରେ ବସି ଗଗନ ଆଡକୁ ଏକ ଲୟରେ ଚାହିଁ ରହିଥିଲା, ସତେକି ସେ ଗଗନ ଉପରକୁ ଡେଇଁ ପଡିବ। ବୃଦ୍ଧା ପାଟି ମେଲା କରି ଭୟଙ୍କର ହସରେ ରୁମ୍ ଭିତରକୁ କମ୍ପମାନ କରିଦେଲା। ତା ପାଟିଭିତରୁ ଦିଶି ଯାଉଥିଲା ଚକଚକ କରୁଥିବା ମୁନିଆ ଦାନ୍ତ ଗୁଡିକ। ଦୁଇଟି ଭୟାନକ ଶିରାଳ ହାତ ଗଗନର ବେକ ଆଡକୁ ଲମ୍ବି ଆସିଲା। ମାନସ ର ଶରୀର ଦଉଡିରେ ଝୁଲୁଥିଲା ଓ ସେ ମଧ୍ଯ ବିକଟ ଚିତ୍କାର କରି ହସିବାରେ ଲାଗିଲା। ଭୟଙ୍କର ଭାବରେ ଥରିବାକୁ ଲାଗିଲା ଗଗନ ଓ ନିଜର ମୃତ୍ଯୁ ଅବଶ୍ଯମ୍ଭାବୀ ଭାବି ଚେତାଶୂନ୍ଯ ହୋଇ ପଡିଗଲା।

ଘଟଣା ପରଦିନ ଗଗନକୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଗଲା। ବେଶ୍ କିଛିଦିନ ମେଡିକାଲରେ ପଡିବା ପରେ ସେ ଭଲହେଲା। ପରେ ସେ ଜାଣିବାକୁ ପାଇଲା ଯେ, ସେ ଗାଁଆକୁ ଯିବାର କିଛିଦିନ ମଧ୍ଯରେ, ସିନିୟର ମାନଙ୍କ ଅତ୍ଯାଚାରରେ ବ୍ଯଥିତ ହୋଇ ମାନସ ସେହି ତେର ନମ୍ବର ରୁମ୍ ରେ ଦଉଡିଦେଇ ଆତ୍ମହତ୍ଯା କରିଥିଲା। ଏକମାତ୍ର ପୁଅର ମୃତ୍ଯୁରେ ଭୟଙ୍କର ମାନସିକ ଆଘାତ ପାଇ ମାନସର ମାଆ ମଧ୍ଯ ହୃଦଘାତରେ ପ୍ରାଣ ହରାଇଥିଲା। ମାନସର ମୃତ୍ଯୁ ପରେ ହଷ୍ଟେଲରେ ଆରମ୍ଭ ହୋଇ ଯାଇଥିଲା ବିଭିନ୍ନ ଲୋମହର୍ଷକ ଭୌତିକକାଣ୍ଡର ଅସରନ୍ତି ଘଟଣାକ୍ରମ। ମାନସ ଆତ୍ମହତ୍ଯା ପାଇଁ ଦାୟୀଥିବା ଚାରିଜଣ ସିନିୟର ପିଲା ବଡ ଅସ୍ବାଭାବିକ ରୂପରେ ପ୍ରାଣ ହରାଇଥିଲେ। ଜଣେ ପିଲା ଟ୍ରେନ ସାମ୍ନାରେ,ଜଣେ ନିଜ ହାତର ଶିରା କାଟି,ଜଣେ ଛାତରୁ ଡେଇଁ ଓ ଜଣେ କେମିଷ୍ଟ୍ରି ଲ୍ଯାବ୍ ରେ ଏସିଡ୍ ପିଇ ଆତ୍ମହତ୍ଯା କରିଥିଲା। ହଷ୍ଟେଲପିଲା ମାନେ ଧିରେଧିରେ ହଷ୍ଟେଲଛାଡି ବାହାରେ ମେସ୍ କରି ରହିବା ଆରମ୍ଭ କରି ଦେଇଥିଲେ।

ଏହି ଘଟଣା ଘଟିବାର ବହୁବର୍ଷ ବିତି ଗଲାଣି ଓ ଲୋକମାନଙ୍କ ମାନସପଟ୍ଟରୁ ପ୍ରେତାତ୍ମାର ଭୟଙ୍କର ପ୍ରତିଶୋଧର କାହାଣୀ ଲିଭି ଆସିଲାଣି। କିନ୍ତୁ ଏବେ ବି ହଷ୍ଟେଲ ର ରୁମ ନମ୍ବର ତେର ଖାଲି ପଡିଛି। କାହାର ସାହାସ ନାହିଁ ସେ ରୁମ୍ ରେ ବା ତା ଆଖପାଖ ରୁମ୍ ରେ ରହିବାର । ହଷ୍ଟେଲ୍ ପିଲାମାନେ ଏବେ ବି କୁହନ୍ତି- - ସବୁଦିନ ରାତିରେ ଏକ ଛାୟାମୂର୍ତ୍ତି ହଷ୍ଟେଲ ବାରଣ୍ଡାରେ ବ୍ଯସ୍ତ ହୋଇ ଚଲାବୁଲା କରେ ଓ ଦୁଇ ଆଣ୍ଠୁରେ ମୁହଁ ମାଡି ବଡ ବିକଳ ହୋଇ କାନ୍ଦେ। କେଜାଣି କିଏ ସେ ଛାୟାମୂର୍ତ୍ତି?? ତେର ନମ୍ବର ରୁମ୍ ର ମାନସ୍ ନୁହଁ ତ



Rate this content
Log in

Similar oriya story from Horror