ରୁଦ ଆଈମା ଓ ଛେଳିପଲ
ରୁଦ ଆଈମା ଓ ଛେଳିପଲ
ରୁଦ ଆଈମାଆ ନାମ ରୁଦ ନୁହେଁ, ମୁଁ ଡାକେ ସେମିତି। ସେ ରୁଦ୍ରାଣୀ ସିଂହ। ଅନ୍ୟ ସମସ୍ତେ ଡାକନ୍ତି ରୁଦାନୀ। ସେ ମୋ ଆଈମାଆ ନୁହନ୍ତି, ମୋ ମାଆଙ୍କ ଆଈମାଆର ଲେଖାଯୋଖାର ଝିଆରୀ, ମାନେ ମାଆଙ୍କ ମାଉସୀ। ହେଲେ କଣ ହେଲା ତାଙ୍କ ବୟସ ମାଆଙ୍କ ଠାରୁ ଅଳ୍ପ କିଛି ମାତ୍ର ବେଶୀ। ସେ ମଧ୍ୟ ଆମ ଗ୍ରାମର ବୋହୁ। ମୋ ଛୁଆବେଳୁ ସେ ଏକୁଟିଆ। ସ୍ୱର୍ଗତଃ ଅଜାଙ୍କ ନାମ ଭୀମ ସିଂହ। ଲୋକେ କହନ୍ତି, ସେ ଯାଇଥିଲେ ରେଙ୍ଗୁନ, ଦାଦନ ଖଟିବାକୁ। ଭୀମ ଅଜାଙ୍କ ସହ ସାନଭାଇ ନକୁଳ ଅଜା ମଧ୍ୟ ଯାଇଥିଲେ। ଭୀମ ଅଜା ସେଇଠି ଚାଲିଗଲେ। ସେତେବେଳେ ଜାଣିନଥିଲି ରେଙ୍ଗୁନ ସହରଟି ବିଦେଶରେ ବୋଲି। ସମ୍ଭବତଃ ଏ ଦୁଇ ସିଂହ ଆମ ଗାଆଁର ପ୍ରଥମ ବିଦେଶ ଯାତ୍ରୀ।
"ଦାଦନ" ସହଜେ ତ ଏକ ଦୁଃଖର ଶବ୍ଦ କିନ୍ତୁ ଆମ ଗାଁର ପିଲାମାନଙ୍କ ପାଇଁ ଥିଲା ଅତି ଭୟଙ୍କର, ସତେ କି ମଣିଷମରା ବ୍ୟବସ୍ଥା। ନକୁଳ ଅଜା ଘରକୁ ଫେରିଥିଲେ ଯକ୍ଷ୍ମାରୋଗ ସହ। ସେ ବାହା ସାହା ହୋଇନଥିଲେ। ଦୁଇମାସରେ ସମ୍ପୂର୍ଣ୍ଣ କ୍ଷୟ ହୋଇଗଲେ। ଏମିତି ଆମ ଖଣ୍ଡାୟତ ଗାଁର ଏକମାତ୍ର ପାଇକ କ୍ଷତ୍ରିୟ, ସିଂହ ପରିବାର ଦାୟାଦ ଶୂନ୍ୟ ହୋଇଗଲା।
ଶୁଣାଯାଏ ଏ ପରିବାର ଆମ ଗାଁରେ ଅନୁପଗଡ ଜମିଦାରଙ୍କ ପ୍ରତିନିଧି ଥିଲେ, ଆଉ ଚାରି ଗାଁର ଦାୟିତ୍ୱ ମଧ୍ୟ ଥିଲା। ତାହେଲେ, ତାଙ୍କର ବହୁତ ଜମିବାଡି ଥିବା କଥା! ହୁଏତ ଏହା ସତ, କାରଣ ଆମ ଗ୍ରାମର ବିଶାଳ କୃଷିକ୍ଷେତ୍ର ଦକ୍ଷିଣପଶି'ର ଏକ ବୃହତ ଅଂଶକୁ ଆଜିମଧ୍ୟ କୁହାଯାଏ "ସିଂହ ଚକ"। ସିଂହ ଚକ ଖୁବ୍ ଉର୍ବର ଓ ଆମସାହିରେ ଉଣାଅଧିକେ ସମସ୍ତଙ୍କର ସେଇଠି କିଆରୀ ଦୁଇ କିଆରୀ ଜମି ଅଛି କେବଳ ଆମ ସିଂହ ଘରକୁ ଛାଡି।
ବହୁତ ଅର୍ଥ ରୋଜଗାର କରି ଫେରିଲେ ଗ୍ରାମରେ ଜମି କିଣିବେ, ଏହି ଆଶାରେ ଦୁଇଭାଇ ଯାଇଥିଲେ ରେଙ୍ଗୁନ। ପରେ ଜଣା ପଡିଲା ସେମାନେ ଦାଦନ ଖଟିବାକୁ ଯାଇଛନ୍ତି। ଆଉ କିଏ କହେ ଗୋତି ଶ୍ରମିକ। ଏ ଦୁଇଟି ଶବ୍ଦର ପ୍ରକୃତ ଅର୍ଥ ଅଦ୍ୟାବଧି ମୋତେ ଜଣାନାହିଁ। ଶବ୍ଦ ଦୁଇଟି ଏ ବୁଢା କାଳରେ ମଧ୍ୟ ମନରେ ଭୟ ସୃଷ୍ଟି କରେ।
ସିଂହ ଘର ପାଖରେ ମୋ ସାଙ୍ଗ ଚଗଲା ତନ୍ତୀର ଘର। ସେ କହେ ଦାଦନରେ କୁଆଡେ ମଣିଷକୁ ବଳଦ ପ୍ରାୟ ଦଉଡିରେ ବାନ୍ଧି କାମ କରାନ୍ତି। ଅଳସ ଲାଗିଲେ ଚାବୁକରେ ପିଟନ୍ତି। ଖାଇବା ପିଇବାରେ ଠିକଣା ନଥାଏ। ମୁଁ, ଚଗଲା କଥା ମାନେ ନାହିଁ। ମୁଁ କହେ, ଖାଇବାକୁ ଦେଉଥିବେ ଅଧିକ ନହେଲେ କାମ କେମିତି କରିବେ! ଚଗଲା କହେ, ତାହେଲେ ସେମାନେ ମଲେ କେମିତି?
ସିଂହ ଚକର ମାଲିକ ହାତରେ ଚକିଏ ମଧ୍ୟ ଜମି ନଥିଲା। ତାଙ୍କ ସମ୍ପୂର୍ଣ୍ଣ ଘରଡିହଟିରେ ଦରଭଙ୍ଗା ବିରାଟ ଖଞ୍ଜାଘର କେବଳ ଯାହା ଅତୀତର ସ୍ୱଚ୍ଛଳତାର ନିଶାଣି। ଯେତେବେଳେ କେହି ଗୁରୁଜନ କହନ୍ତି, "ଚକ୍ରବତ ପରିବର୍ତ୍ତନ୍ତେ, ଆଜି ଯେ ରାଜା କାଲି ସେ ଫକୀର....", ସେତିକିବେଳେ ମୋର ମାନସପଟକୁ ଆସେ ରୁଦ ଆଈମାଆ ଓ ସିଂହ ଘର। ଭୀମ ଓ ନକୁଳ ଅଜାଙ୍କୁ ମୁଁ ମନେପକାଇ ପାରେନି। ଯାହା କେବଳ ମାଆଠୁ ଶୁଣିଛି।
ମାଆ କହେ।
-ଭୀମ ଅଜା ଓ ନକୁଳ ଅଜା ଆଉ ସେକାଳର ଦଶଜଣଙ୍କ ଭଳି କଲିକତା ଯାଇଥିଲେ କାମ କରିବାକୁ। ସେଇଠୁ ସେମାନେ ପରବୁଦ୍ଧିରେ ପଡି ରେଙ୍ଗୁନ ପଳାଇଲେ। ଆଉ ଖବର ଆସିଲା ନାହିଁ କି ସେମାନଙ୍କଠାରୁ କିଛି ମନିଅର୍ଡର ମଧ୍ୟ ଆସିଲା ନାହିଁ। ରୁଦ ଆଈମାଆ ଓ ତା ଶାଶୁଙ୍କ କନ୍ଦାକଟା କେବଳ ବୃଥା। ସରପଞ୍ଚ ଓ ଆଉ ଯେତେ ଶିକ୍ଷିତ ଲୋକ ବିଭିନ୍ନ ମହଲରେ ଏ ପ୍ରସଙ୍ଗ ଆଲୋଚନା କରିଥିଲେ ମଧ୍ୟ କିଛି ଫଳ ପାଇନଥିଲେ। ଦୁଇ ଭେଣ୍ଡିଆ ପୁଅଙ୍କୁ ଝୁରି ଝୁରି, କାନ୍ଦି କାନ୍ଦି ବିଧବା ମାଆଟି ଚାଲିଗଲା। ସେବେଠୁ ବୋଧେ ସିଂହ ଘରର ବୋହୁ, ଆମ ରୁଦ୍ରାଣୀ ଆଈମାଆ, ରୁଦାନୀ ହୋଇଗଲା; ମୋ ଦରୋଟି ପାଟିରେ ହେଲା ରୁଦ ଆଈମାଆ।
ସମସ୍ତେ କହନ୍ତି ନକୁଳ ଅଜା ସାରା ଗାଁରେ ସବୁଠୁ ସୁନ୍ଦର ଯୁବକ, ରଙ୍ଗ, ରୂପ, ଗଠନ ଓ ବଳରେ, ଅଥଚ ହଠାତ ଦିନେ ନରକଙ୍କାଳସାର ନକୁଳ ଅଜା ପହଞ୍ଚି ଗଲେ, ଯେମିତି ସେ ନୁହନ୍ତି ତାଙ୍କ ଭୂତ।
ଲୋକେ ପଚାରିଲେ -ଭୀମ? ସେ ତାଙ୍କ ଦୁର୍ବଳ ଶରୀରର ସମସ୍ତ ଶକ୍ତି ସଞ୍ଜୟ କରି ଏକ କୁହାଟ ଛାଡିଲେ । ସାରା ସଂସାର ଜାଣିନେଲା, ତାଙ୍କ ଭୀମ ଭଳି ଭୀମ ଭାଇ ଆଉ ନାହିଁ। ରୁଦ ଆଈମାଆ କାଳେ ଧାଇଁ ଆସି କୁଣ୍ଢେଇ ପକାଇଲା ତା ପୁତ୍ରବତ୍ ଦେବରକୁ। ଭାଉଜ ହାତକୁ ନିଜ ମୁଣ୍ଡରେ ପିଟିପିଟି କ୍ରନ୍ଦନ ରୋଳ ମଧ୍ୟରେ ତା ସବୁତକ ଚୁଡି ତୁଟାଇ ଦେଲେ ନକୁଳ ଅଜା।
ଭୀମ ଅଜା ଓ ନକୁଳ ଅଜା ରେଙ୍ଗୁନରେ ରୋଗୀଣା ହୋଇଗଲେ, କାମ କରିବାକୁ ଅକ୍ଷମ। ଚିକିତ୍ସା ଦୂରର କଥା, ଖାଇବା ପିଇବା ଖର୍ଚ୍ଚ ଦେଲାନି ମାଲିକ। ଘରକୁ ଫେରିବା ଅସମ୍ଭବ। ସେଠାକାର ପୋଲିସ ପାଖରେ ଫେରାଦ ହେଲେ ଦୁଇଭାଇ। କିଛି ବିଶେଷ ଲାଭ ହେଲାନାହିଁ। ଭୀମ ଅଜା ମରିଗଲେ। ସ୍ଥାନୀୟ କିଛି ସ୍ୱେଛାସେବୀ ହୋ ହାଲା କଲେ। ମାଲିକେ କିଛି ଅର୍ଥ ନକୁଳ ଅଜାକୁ ଦେଇ ତାଙ୍କ ଫେରିବାର ବନ୍ଦୋବସ୍ତ କରିଦେଲେ।
କି ଲାଭ?
ରୁଦ ଆଈମାଆ ମୁର୍ଖ। ମୁର୍ଖ ଦୁଇପ୍ରକାର, କିଛିଲୋକ ପାଠ ନପଢିଥିବାରୁ ମୁର୍ଖ ହେଲେ ମଧ୍ୟ ବୁଦ୍ଧି ବହୁତ। ସୁଯୋଗ ମିଳିଥିଲେ ସେମାନେ ପାଠୁଆ ହୋଇଥାନ୍ତେ। ଆଉ କିଛିଙ୍କ ମଗଜ ଦୁର୍ବଳ। ସେମାନେ ଭିତର ବାହାର ମୁର୍ଖ। ରୁଦ ଆଈମାଆ ସେମିତି। ନିର୍ବୁଦ୍ଧିଆ। ଏକ ଦୁଇ ଗଣି ଶିଖିନି, କଥା ଓ କାମରେ ଧାଡି ନଥାଏ। କିନ୍ତୁ ସଭିଏଁ କହନ୍ତି, କୁଆଡୁ ତାର ଏତେ ବୁଦ୍ଧି ଆସିଲା, ସାରା ଗାଁକୁ ନେହୁରା ହେଲା, ସିଂହ ପରିବାର ଡିହରେ କଣ ଶୃଗାଳ ଭୁକିବେ, ତା ଦିଅରକୁ ସମସ୍ତେ ମିଳିମିଶି ଭଲ କରନ୍ତୁ। ଗାଁରେ ମୋ ବଡ ଭଉଣୀର ନେତୃତ୍ବରେ ଘରୁ ଘରୁ ଚାନ୍ଦାଭେଦା ଉଠିଲା। ଯୁବକସଂଘ ପିଲାଏ ନକୁଳ ଅଜାକୁ କଟକ ବଡଡାକ୍ତରଖାନା ନେଲେ ସିନା ସେ ବେଳକୁ ରୋଗ ଅସାଧ୍ୟ। ବଡ ପ୍ରଫେସର ବୁଝାଇଦେଲେ, ଆଉ କିଛି କରିହେବ ନାହିଁ। ସେତେବେଳେ ଯକ୍ଷ୍ମାରୋଗ ଆଜି ଭଳି ସାମାନ୍ୟ ନଥିଲା।
ରୁଦ ଆଈମାଆ ନକୁଳ ଅଜାଙ୍କ ପାଇଁ ବଇଦ ଡାକିଲା। ନିଜର ଯାହା ଅଳ୍ପ ଗହଣା ବଳିପଡିଥିଲା ଓ ବିକ୍ରି ଯୋଗ୍ୟ ଅନ୍ୟ କିଛି ଥିଲା, ସେସବୁ ବିକିଦେଲା। ବଇଦେ ନାନାବିଧ ମୋଦକ ତିଆରି କଲେ। ସେ ବତାଇଲେ କେବଳ ଛେଳି କ୍ଷୀର ହେବ ତାଙ୍କ ପଥ୍ୟ। ରୁଦ ଆଈମାଆ ବାକି ସର୍ବସ୍ୱ ବ୍ୟୟକରି ତିନୋଟି ଛେଳି ଓ ତାଙ୍କ ଛୁଆକୁ କିଣିଲା। ଯାହା ସାମାନ୍ୟ କ୍ଷୀର ବାହାରେ ସେତିକି ପିଇବାକୁ ନକୁଳ ଅଜା ସକ୍ଷମ ନଥିଲେ। ମୋ ମାଆ, ଆଖିରେ ଲୁହ ଛଳ ଛଳ କରି କହେ, ତା ରୁଦ୍ରାଣୀ ମାଉସୀ ତା ପାରୁ ପର୍ଯ୍ୟନ୍ତ ଯତ୍ନ ନେଇଥିଲା ନକୁଳ ଅଜାଙ୍କର। ଦିନ ଯାକ ଲାଗିଥାଏ ତାଙ୍କ ସେବାରେ। କୋଳରେ ମୁଣ୍ଡ ରଖି ଚାମଚରେ ଖୁଆଏ। ସବୁବେଳେ କହେ ନକୁଳ ଭଲ ହେବ, ତାପାଇଁ ସେ କନିଆ ଆଣିବ। ସିଂହ ଖଞ୍ଜାରେ ଛୁଆ ଖେଳିବେ। ଦେଖିଥିବା ଲୋକେ କହନ୍ତି, ମୃତ୍ୟୁ ଆସନ୍ନ ହୋଇଥିଲେ ମଧ୍ୟ ମୃତ୍ୟୁଭୟ ନଥିଲା ନକୁଳ ଅଜାଙ୍କ। ସେ ଯେମିତି ମାଆର ପଣତ ତଳର ଛୁଆ। ତାଙ୍କର କି ଭୟ! ଦିନେ ରୁଦ ଆଈମାଆ କୋଳରେ ଛେଳିକ୍ଷୀର ପିଉ ପିଉ ଟଳିପଡିଲେ ନକୁଳ ଅଜା, ରୁଗ୍ଣ ଶରୀର ସିନା, ମୁହଁରେ ଲାଖିରହିଥିଲା ଧାରେ ହସ।
ରୁଦ ଆଈମାଆ ତେଣିକି ହୋଇଗଲା ଚିଡିଚିଡା। ତା ବାପଘର ଡାକିଲେ ମଧ୍ୟ ସେ ସିଂହ ଖଞ୍ଜାର ଏରୁଣ୍ଡି ଟପିବାକୁ ରାଜି ନଥିଲା। ଗାଁ ମନ୍ଦିର ସଫାସୁତୁରା କରେ ଦ୍ୱିପ୍ରହର ନିତି ବଢିଲେ ଥାଳିଟିଏ ମିଳେ। ବୋଧହୁଏ ସେତିକି ହୁଏ ତା ସମୁଦାୟ ଦିନର ଆହାର। କାହା ଘରୁ କିଛି ମାଗିବା ତା ଜାତକରେ ନଥିଲା।
ସେହି ତିନୋଟି ଛେଳିରୁ ସଂଖ୍ୟା ବଢି ବଢି ପହଞ୍ଚିଲା ଅନେକରେ। ଏ ଅନେକ ସଂଖ୍ୟାଟି ପ୍ରକୃତରେ କେତେ ତାହା କହିବା ମୁସ୍କିଲ। ରୁଦ ଆଈମାଆକୁ ଗଣି ଆସେନି। ଆଉ ଯଦି କିଏ ଗଣିଲା, ତା ଚଉଦ ପୁରୁଷ ଉଦ୍ଧାର କରେ ଆଈମାଆ। ସେ ଯେଉଁ ଅଦ୍ଭୁତ ଭାଷା ବ୍ୟବହାର କରେ ତାହାର କିଛି ନମୁନା ହେଲା, - ବାଡିପଶେ ମୋ ଛେଳିଙ୍କୁ ନଜର କରୁଛ, ତୁମର ରଖୁନ, ହେ ଅଳପାଇସେ, ଚାଞ୍ଚ ଖିଏ, ତୋ ମାଆ ରାଣ୍ଡ ଆଣ୍ଠୁକୁଢୀ ହେଉ, ଭଁସୁଆଁ ତୋ ବଅଁଶ ବୁଡୁ, ତୁମ ଡିହରେ ଶିଆଳ ଭୁକୁ ...। ତାପରେ ସେ କାନ୍ଦେ, କାନ୍ଦି କାନ୍ଦି କହେ, - ନା ନା ଏସବୁ ସଅଁପା ମୋ ନିଜ ପାଇଁ ଫଳିଛି, ଆଉ କାହାର ନହେଉ। ଆଈମାଆର ଖର୍ଚ୍ଚ କିଛି ନଥାଏ। ଛେଳି, ସେ ପ୍ରାୟ ବିକ୍ରି କରେ ନାହିଁ। ଦେହପା କେବେ ଅଧିକ ହେଲେ ବଡ କଷ୍ଟରେ ଗୋଟେ ଛେଳି ବିକେ। କୌଣସି ଛେଳି ଗୁହାଳ ନଥାଏ। ସେହି ଖଞ୍ଜାରେ ରୁହନ୍ତି। କ୍ରମେ ସେ ବିରାଟ ଖଞ୍ଜାରେ ସବୁଆଡେ ରହିଲେ ଛେଳି। ରୁଦ ଆଈମାଆ ଦିନ ସାରା ରହେ ସେମାନଙ୍କ କାମରେ। ଘରକୁ ସଫା କରିବା ତା ପାଇଁ କାଠିକର ପାଠ, କିନ୍ତୁ ସେ ଲାଗିଥାଏ।
ବେଲାଏ ଲୁଣି ଚା'ରେ ଆଞ୍ଜୁଳାଏ ମୁଢି ପକାଇ ସେ ପିଇଦିଏ, ବହୁତ ସକାଳୁ ଛେଳି ନେଇ ବାହାରି ଯାଏ ଆମ ଗାଆଁ ଜଙ୍ଗଲ ଆଡେ। ବଡ ନଗିରେ ବିଭିନ୍ନ ଗଛରୁ ଡାଳ ଭାଙ୍ଗେ, ଛେଳିପଲ ଖାଆନ୍ତି। ପୁରା ଦିନ ଏମିତି କରେ, ତଥାପି ଏତେ ଛେଳିଙ୍କ ପେଟ ଭରିବା ସମ୍ଭବ ହୁଏ କି ନାହିଁ କହି ହେବ ନାହିଁ। ତା ଛେଳିଙ୍କ ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି, ସେମାନେ ପର ବିଲକୁ ଉଜାଡୁଛନ୍ତି ଓ ଏମିତି କି ସେମାନେ ଘାସ ଚରିବା ଦ୍ୱାରା ମୃତ୍ତିକା କ୍ଷୟ ହେବାର ଅଭିଯୋଗ କରନ୍ତି କେତେକ ଅସହିଷ୍ଣୁ ଲୋକ। ଆଉ କେତେକ କହନ୍ତି, ସେ ଆଉ ମନ୍ଦିର କାମରେ ଆଗଭଳି ସମୟ ଦେଉନି, ତାକୁ ଥାଳି ଦିଆଯିବ କିଆଁ? ମୁଁ ଟିକେ ସିଆଣିଆ ହେଲାପରେ ଜାଣିଲି, ଅସଲରେ ଲୋକେ ଈର୍ଷା କଲେଣି, ଜାଣି ସାରିଲେଣି, ଆପଣା ଅଜାଣତରେ ରୁଦ ଆଈମାଆ ଏବେ ଧନୀ। ଦୁଇଜଣ ବଡଲୋକ କଥା ହେବାର ଶୁଣିଥିଲି; - ଏବେ ଛେଳି ଗୋଟା ହଜାର, ତା ପାଖେ ଦୁଇଶହ ଛେଳି ଅଛନ୍ତି। ମାନେ, ସେ ଦୁଇଲକ୍ଷ ଟଙ୍କା ଚରାଉଛି। ଜଣେ ମାଷ୍ଟର ଦରମା ପାଉଛନ୍ତି ହଜାରେ ଟଙ୍କା, କେଉଁ ଚାକିରିଆ ଏମିତି ଦୁଇଲକ୍ଷ ପକେଟରେ ପୁରାଇ ବୁଲିବ!
ମତେ ଏକଥା ସବୁ ଅଡୁଆ ଲାଗେ।
ସବୁ ସାଙ୍ଗସାଥୀ ଆମ ଗାଆଁର ପଶ୍ଚିମରେ ଥିବା ବିଶାଳ ଖେଳପଡିଆରେ ଫୁଟବଲ ଓ ଆଉ କେତେ ପ୍ରକାର ଖେଳ ଖେଳୁଥିବା ବେଳେ ମୁଁ ଅପେକ୍ଷା କରେ ଆଈମାଆ କେତେବେଳେ ସେହି ବାଟ ଦେଇ ଜଙ୍ଗଲରୁ ଫେରିବ। ଦୂର ପାହାଡ ସେକଡରେ ସୂର୍ଯ୍ୟ ଢଳୁଥାନ୍ତି। ଲୋହିତ କିରଣରେ ଢେଉ ଢେଉକା ବଉଦ ଅନେକ ଆକାରପ୍ରକାରେ ଆକାଶ ଝଲସୁ ଥାଆନ୍ତି। ଛାଇ ମାନେ ଲମ୍ବି ଯାଉଥାନ୍ତି। ଏହି ପୃଷ୍ଠଭୂମିରୁ ବାହାରି ଆସେ ରୁଦ୍ରାଣୀ ସିଂହ ତା ଭାଗ୍ୟର ଉଭୟ ବିପରୀତ ଓ ଅନୁକୂଳ ପରିସ୍ଥିତି ପଲେଛେଳିଙ୍କୁ ଧରି। ମୁଁ ଅପେକ୍ଷା କରିଥାଏ ତାକୁ, ଖେଳକୁଦରେ ମନନଥାଏ। ତା ସହ ଫେରିବାର ଏକ ମାତ୍ର ଉଦ୍ଦେଶ୍ୟ, ତା ଅଜାଣତରେ ଛେଳିଙ୍କୁ ଗଣିବା। ଏତେ ସହଜ ନୁହେଁ। ସବୁବେଳେ ଭୁଲ ହୋଇଯାଏ। ଅନେକ ଦିନର ପ୍ରଚେଷ୍ଟାରେ ଜାଣିଲି, ଛୁଆ ବଡ ଓ ପାକିଳିଆ ମିଶି ରୁଦ ଆଈମାଆର ସମୁଦାୟ ଅଠସ୍ତୋରି ଛେଳି, ଦୁଇଶହ କୁଆଡୁ ଆସିଲେ? ବାକି ସମସ୍ତେ ବିଭିନ୍ନ ଉପାୟରେ ସଞ୍ଚିଛନ୍ତି, ସେକଥା ଆଲୋଚନା ହେଉନି। ଅଥଚ ରୁଦ ଆଈମାଆ ଭଳି ଏକ ଦୁଃଖୀ ମଣିଷର ସାମାନ୍ୟ ଆର୍ଥିକ ସୁରକ୍ଷା, ସହି ପାରୁନାହାନ୍ତି ଲୋକେ। ଅବଶ୍ୟ ସେ ବୟସରେ ଏମିତି ଏକଥା ସ୍ପଷ୍ଟ ଭାବି ପାରିନଥିବି, ତଥାପି କେମିତି ମନରେ ଏକ ଧାରଣା ଆସିଥିଲା ଅନେକ ବୟସ୍କ ଲୋକ ପ୍ରକୃତରେ ସେତେ ବାଗ ନୁହନ୍ତି। ମାଆକୁ ଏକଥା କହିଲାରୁ ସେ କହିଲା - ସେମିତି କହନ୍ତି ନାହିଁ ବଡ ଲୋକଙ୍କୁ। ତେବେ ତା ସହ ମିଶାଇ କହିଲା, -ଶାଗଖିଆକୁ ପେଜଖିଆ ସହି ପାରେନି।
ଏବେ ବୁଝୁଛି, କଥା ଏତିକି ନୁହେଁ, ପଲଉଖିଆ ମଧ୍ୟ ଭାବୁଥାଏ ପେଜଖିଆ କାହିଁକି ଶାଗଖିଆ ସ୍ତରକୁ ଉଠିଲା? ଥରେ ଜଣେ ହୀନ ପଦକୁ ଚାଲିଗଲେ ସମସ୍ତେ ତାକୁ ସେଇଠି ରଖି କୁମ୍ଭୀର କାନ୍ଦଣା କାନ୍ଦନ୍ତି ସିନା, ତାହାର ପ୍ରକୃତ ଉନ୍ନତି କେହି ଚାହାନ୍ତି ନାହିଁ। ଏକଥା ବି ଭାବିଥିଲି ଅସ୍ପଷ୍ଟ।
ରୁଦ ଆଈମାଆ କେବେ କେବେ ଜଙ୍ଗଲରୁ ଇଆଡୁ ସିଆଡୁ ଫଳ ଓ କୋଳି ଆଣିଥାଏ। ମୋତେ ଦିଏ। ମୋର ତାସହ ଫେରିବା ନିତିଦିନିଆ ହୋଇଗଲା, ତାର ମଧ୍ୟ ମୋପାଇଁ ବିଶେଷ ଜଙ୍ଗଲି ଜିନିଷ ଆଣିବା ଧରାବନ୍ଧା ହେଲା। ମୁଁ ଜାଣେ ଏସବୁ ସେ ନିଜେ ଖାଏ ନାହିଁ, ତା ସମୟ ବ୍ୟୟ କରି ଖାସ ମୋପାଇଁ ସଂଗ୍ରହ କରିଥାଏ।
ରୁଦ ଆଈମାଆ ନିଜେ ଖାଏ କଣ? ସେ ଶାଗଖିଆ ନୁହେଁ କି ପେଜପିଆ ନୁହେଁ। ଛେଳିଙ୍କୁ ଘରେ ପୁରାଇଦେଲା ପରେ ଧୁଆଧୁଇ ହୋଇ ମନ୍ଦିର ଯାଏ, ସେଇଠି କିଛି ସେବାକରେ, ସଂଧ୍ୟା ଆଳତି ସରିଲେ, ଦ୍ୱିପ୍ରହରରୁ ଥିବା ଥାଳି ଧରି ଆସେ। ମୁଁ ଦିନେ ତାକୁ ମାଗିଲି, ମୋତେ ଗୋଟେ ଗିନାରେ ଦେଲା। ଡାଲି ବାସି ହୋଇସାରିଥିଲା। ମୁଁ କିଛି କହିଲି ନାହିଁ, ସେ କିନ୍ତୁ କହିଲା। ମଲ୍ଲୀକୁ କହିବି ତୋ ପୁଅକୁ ବାସି ଭୋଗ ଖୁଆଇଲି, ଦେହ ଖରାପ ହେଲେ କହିବୁ ନାହିଁ।
- ଆଉ ତୁ ଆଈମାଆ! ସବୁଦିନ ଏହି ବାସି ଖାଦ୍ୟ ଖାଉଛୁ?
- ମୋର ଅଭ୍ୟାସ ହୋଇଗଲାଣି, ପ୍ରସାଦରେ ମୋ ଦେହ କେବେ ଖରାପ ହେବ ନାହିଁ।
ବଇଦେ, ଭାରି ଖୁସି ରୁଦ ଆଈମାଆ ଉପରେ। ସେ ତାଙ୍କ ଔଷଧ ତିଆରି ପାଇଁ ଏଣିକି ଶାଗ ମାରିସ ମୂଲ୍ୟରେ ପାଇଯାଆନ୍ତି ଛାଗ ଦୁଗ୍ଧ। ଆଈମାଆକୁ ସେତିକି ପଇସା ଯଥେଷ୍ଟ। ସେ କଥା ମଧ୍ୟ ଆଲୋଚନା ହୁଏ; ବଇଦେ ଠକୁଛନ୍ତି, ଅଭାଗିନୀ ମଣିଷଟାକୁ।
ଏବେ ବୁଝୁଛି, ପ୍ରତିକଥା ଆଲୋଚନା ହେବ, କେଉଁଟା ସମାଜରେ ବାଦ ପଡିବ ନାହିଁ ଏହା ସାମାଜିକ ନିୟମ। ଏ ନିୟମ ଅବଦିମାନ କାଳରୁ ରହିଛି, ଏବେ ସାମାଜିକ ଗଣମାଧ୍ୟମ ଓ ଆଇଟି ସେଲ ହେଲାପରେ ଏ ନୀତି ଉଦ୍ଭାବିତ ହୋଇନାହିଁ।
ମୁଁ ଦିନେ ରୁଦ ଆଈମାଆକୁ ପଚାରିଲି, - ଆଲୋ ଆଈ, ତୁ ଗଣିଶିଖିନୁ, କାହାକୁ ଗଣେଇ ଦେଉନୁ। ଯଦି ତୋର ଗୋଟେ ଛେଳି ହଜିଲା, ଗଧିଆ ଖାଇଲା କିମ୍ବା ଚୋରି ହୋଇଗଲା ଜାଣିବୁ କେମିତି?
- କି କଥା, ମୁଁ ଜାଣି ପାରିବି ନାହିଁ! ତୁ କଣ କହିପାରିବୁ ଆମ ଗାଁରେ କେତେ ଲୋକ, କିନ୍ତୁ ସମସ୍ତଙ୍କୁ ଚିହ୍ନିଛୁ କି ନାହିଁ। କେହି ଜଣେ ହଜିଗଲେ କହି ହେବନି କି ଆମ ଗାଁର ଅମୁକ ଲୋକଟା ହଜିଗଲା।
ମୁଁ ସହଜରେ ବୁଝିପାରିଲି ନାହିଁ ତା କଥା। ମଣିଷକୁ ମଣିଷ ଭିନ୍ନ, ପ୍ରତ୍ୟେକ ମଣିଷକୁ ତା ମୁହଁରୁ, ତା କଣ୍ଠସ୍ୱର ଓ ଏପରିକି ତା ଚାଲିରୁ ଜାଣିହେବ ସେ କିଏ। କିନ୍ତୁ ଛେଳି? ସେମାନଙ୍କୁ ଚିହ୍ନିହେବ?
ଅନେକ ଦିନପରେ ସେ କନ୍ଦାକଟା କଲା। ତାହାର ଦୁଇଟା ଛେଳି କିଏ ଚୋରାଇ ନେଇଛି। ସେ କାନିକୁ ଅଣ୍ଟାରେ ଭିଡି ଥାନାକୁ ଧାଇଁଲା। ଥାନାରେ ପ୍ରଥମେ ତା କଥାକୁ ଗୁରୁତ୍ୱ ଦେଉନଥିଲେ। ସେ ଅଡ଼ି ବସିଲା। ଆଉ ପାଞ୍ଚ ଲୋକ ଥାନାରେ ପହଞ୍ଚିଲେ। ଥାନା ବାବୁ ପଚାରିଲେ, - ତୋର କେତୋଟି ଛେଳି ଥିଲେ?
- କହି ପାରିବି ନାହିଁ।
- କେତୋଟି ଅଛନ୍ତି?
- କହି ପାରିବି ନାହିଁ।
- ତାହେଲେ କେମିତି କହୁଛୁ ଦୁଇଟି ଛେଳି ଚୋରି ହୋଇଛନ୍ତି।
ରୁଦ ଆଈମାଆ ମୋତେ ଯେମିତି କହେ ଥାନାବାବୁଙ୍କୁ ସେମିତି କହିଲା। - କି କଥା, ତୁମେ ଥାନାବାବୁ ହୋଇଛ ଏତିକି ଅକଲ ନାହିଁ। ତୁମେ କଣ ଏ ଥାନା ଇଲାକାରେ କେତେ ଲୋକ ଅଛନ୍ତି ଜାଣିଛ? କେତେ ଏଇଠି ଅଛନ୍ତି ଓ ଆଉ କେତେ ବାହାରକୁ ଯାଇଛନ୍ତି ଜାଣିଛ? ତଥାପି ଗୋଟିଏ ଲୋକ ହଜିଗଲେ ତୁମେ ଜାଣିପାରୁଛ କେମିତି ଯେ ଅମୁକ ଗାଁର ସମୁକ ଲୋକ ହଜି ଯାଇଛି? ପୁଣି ତାକୁ ଖୋଜି ଆଣୁଛ। ମୁଁ ସିନା ଗଣିବା ପାଠ ଜାଣିନି କିନ୍ତୁ ମୋ ଛୁଆ ବଡ ସବୁ ଛେଳିଙ୍କୁ ଜାଣିଛି। ସମସ୍ତଙ୍କର ନାମ ଅଛି; କମଳା, ବିମଳା, ଲକ୍ଷ୍ମୀ, ପଦ୍ମାଳୟା, ପଦ୍ମା, ଶ୍ରୀ, ହରପ୍ରିୟା, ଈନ୍ଦିରା, ଲୋକମାତା, ମା, କ୍ଷୀରବ୍ଧିତନୟା, ରମା, ଉମା, ସୀତା, ଗୀତା, ମିତା .......। ପୁଣି; ବାଳୀ, ସୁଗ୍ରୀବ, ହନୁମାନ, ଜାମ୍ବବାନ, ନଳ, ନୀଳ, ରାମ, ରାବଣ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ, ଜଟାୟୁ, ବିଭୀଷଣ, ମେଘନାଦ, କୁମ୍ଭକର୍ଣ୍ଣ, ମାରୀଚ, ମାରୁତ, ପବନକୁମାର, କପିବର, ରାମଦୂତ, ଅଞ୍ଜନୀପୁତ୍ର, .......।
ଏମିତି ସେ କହିଗଲା ସମସ୍ତଙ୍କ ନାମ।
ଥାନାବାବୁ ହସିଲେ। ପୁଣି ପଚାରିଲେ, - ଏମାନଙ୍କ ମଧ୍ୟରୁ ଚୋରି ହୋଇଛନ୍ତି କିଏ?
ଆପଣାଛାଏଁ ମାନ୍ୟ ବାହାରିଗଲା ବାବୁଙ୍କ ମୁଁହରୁ।
- ଦଶରଥ ଆଉ ଭରତ ଚୋରି ହୋଇଛନ୍ତି। ଆପଣ ଖୋଜି ଆଣନ୍ତୁ।
- ସେମାନଙ୍କୁ ଗଧିଆ ନେଇଯାଇଥିବ।
- ନାଇଁ ଆଜ୍ଞା, କେଡେ କାଇଦାରେ ପଛପଟ କବାଟ ଖୋଲି, ଘରେପଶି ନେଇଯାଇଛନ୍ତି ମଣିଷ। ସେମାନେ ମନ୍ତ୍ର ଶିଖିଥିବେ, ମୋ ଉପରେ ନିଦ ମାଟି ପକାଇଥିବେ। ନହେଲେ ମୁଁ ମଣିଷଟା ଥାଉ ଥାଉ ଉଠିବି ନାହିଁ! ଛେଳିପଲ ମେଁ ମେଁ ହୋଇଥିବେ ନା!
ଆମ ଗାଁର ନକଲିଆ ବୁଢା ଚୋଉକିଆ ଗମ୍ଭୀରତାର ସହ କହିଲେ, -ସେ ଦୁହେଁ ଏବେ ଲୋକଙ୍କ ପେଟରେ ହଜମ ହୋଇ ସାରିଥିବେ। ବାବୁ କାହୁଁ ଆଣିଦେବେ। ବାବୁଙ୍କ କାମ ହେଲା, ଚୋର ଧରିବେ, ଜେଲ ପଠାଇବେ। ଯଦି କ୍ଷତିପୂରଣ ଦିଅନ୍ତି ଅଲଗା କଥା।
ଏତଲା ରଖାଗଲା। ଥାନାବାବୁ ବହୁତ ଲୋକଙ୍କୁ ପଚରାଉଚରା କଲେ। ମୋତେ ମଧ୍ୟ ନାନା ପ୍ରଶ୍ନ ପଚାରିଥିଲେ। ଯେତେଲୋକ ଆମ ଆଖପାଖରେ ଛେଳିମାଂସ ବେପାର କରନ୍ତି, ସମାନଙ୍କଠୁ କଥା ଆଦାୟ କଲେ। ଶେଷରେ ଦୁଇଜଣ ଚୋର ଧରାପଡିଲେ। ମୁଁ ବଡ ଆଶ୍ଚର୍ଯ୍ୟ ହେଲି। ସେ ଦୁଇଜଣ ମାନିଗଲେ, ଜେଲଗଲେ। ଗାଁରେ ସମସ୍ତେ ରୁଦ ଆଈମାଆକୁ ବୁଝାସୁଝା କଲେ। ସେ ଉପଯୁକ୍ତ କ୍ଷତିପୂରଣ ପାଇଲା। ଆପୋଷ ବୁଝାମଣା ହୋଇ ସେ ମାମଲା ସମାପ୍ତ ହେଲା।
ଏଣିକି ରୁଦ ଆଈମାଆ ମୋତେ ଦେଖିଲେ କହେ ଛେଳି ଗଣିବାକୁ। ମୁଁ ମଜାରେ କହେ, - ଛେଳି ଦୁଇଟା ନାହାନ୍ତି, ଚାଲ ଯିବା ଥାନାକୁ।
ସେ ସବୁଆଡେ ନଜର ପକାଇ ମୋ କାନକୁ ଧରିପକାଏ, - ଠକ, ମୋତେ ଠକୁଛୁ? ସମସ୍ତେ ଅଛନ୍ତି।
କ୍ରମେ, ରୁଦ ଆଈମାଆ ଓ ମୋ ମଧ୍ୟର ଭାବ ଗଭୀର ହୋଇଗଲା। କେମିତି କେଜାଣି ମୋତେ ନଦେଖିଲେ ଦୋଉଡି ଆସେ ଆମ ଘରକୁ। ଛେଳି ବିକି ମୋ ପାଇଁ ଜାମା ପେଣ୍ଟ କିଣେ। ମୋତେ ଛେଳିକ୍ଷୀରକୁ ଗରମ କରି ପିଆଏ। ମୋର ମନେହୁଏ ମୁଁ ଯେମିତି ଗାନ୍ଧୀବୁଢା ହୋଇଯିବି ଛେଳିକ୍ଷୀର ପିଇ ପିଇ। ମୋର ମଧ୍ୟ ପାଠଶାଠ ହେଲାନାହିଁ। ମୁଁ ପଢା ଛାଡିଦେଲି। ଏଣିକି ଆମଘରେ ଆଉ ଆକଟ କଲେନାହିଁ। ଦିନ ରାତି ସେଇଠି ଥାଏ। ତା ସହ ମିଶି ଛେଳି ଚରାଏ। ମୋ ମାଆ ମନଦୁଃଖ କରେ, କିନ୍ତୁ ସେମିତି କିଛି ବିରକ୍ତ ହୁଏନି। ମୋ ଭାଇ ଭଉଣୀମାନେ ମଧ୍ୟ ବୁଝିଗଲେ ରୁଦ ଆଈମାଆକୁ ସାହାଯ୍ୟ କରିବା ମୋ ପାଇଁ ଏକ ଭଲ କାମ। ମୁଁ ଆମଘରେ ମଧ୍ୟ ବହୁତ କାମକରେ। ଏକପ୍ରକାର ସନ୍ତୁଳନ। କିନ୍ତୁ ଧୀରେ ଧୀରେ ମୋର କାହିଁକି ମନେହେଲା, ଆମଘର ଅପେକ୍ଷା ରୁଦ ଆଈମାଆ ଘରକୁ ମୁଁ ଅଧିକ ନିଜର ଭାବୁଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୁଦ ଆଈମାଆ ତାର ତିନିପା ପର୍ଯ୍ୟନ୍ତ ଛେଳି ବିକ୍ରି କରିଦେଲା। ସେ ଟଙ୍କାର ଘର ମରାମତି କଲା, ଗୁହାଳ କଲା, ଜମି କିଣିଲା। ସେ ଜମିକୁ ମୁଁ ଚଷିଲି। ଏ ଭଳି ପ୍ରତିବର୍ଷ ସେ କିଛି କିଛି କିଣିଲା। ମୋ ଅଜାଣତରେ ଓ ମୋ ବାପା ମାଆଙ୍କ ଅଜାଣତରେ ଓ ସାରା ଗାଆଁର ଅଜାଣତରେ, ଅତ୍ୟନ୍ତ ସ୍ୱଭାବିକ ଭାବରେ ମୁଁ ହୋଇଗଲି ରୁଦ ଆଈମାଆର ପୁଅ ଯେମିତି। ପ୍ରଚୁର ମେହନତ କଲୁ ଆମ୍ଭେମାନେ। ସିଂହ ଖଞ୍ଜାରେ ଝୋଟି ପଡିଲା। ସିଂହ ଘରକୁ ବୋହୁ ଆସିଲା ମୋ ବାପା ମାଆଙ୍କ ତତ୍ତ୍ୱାବଧାନରେ।
ଲୋକେ ଭିନ୍ନ ଭିନ୍ନ କଥା କହିଲେ, କିଏ ସୁଖରେ କହିଲା ଆହା ମନେହୁଏ ବୁଢ଼ୀକୁ ଆଶାବାଡି ମିଳିଗଲା। ଆଉ କିଏ କହେ ମହାପାତ୍ର ପରିବାର ମାଗଣାରେ ମାରିନେଲେ। ସ୍ନେହ ଶ୍ରଦ୍ଧାର ଡୋରିକୁ ଏସବୁ କଥା ପ୍ରଭାବିତ କରିପାରେନା।
ରୁଦ ଆଈମାଆ, ଅଣନାତି ଅଣନାତୁଣୀ ଖେଳେଇଲା। ଆନନ୍ଦରେ କଟିଗଲା ସମୟ। ତା ଥିବା ଅବସ୍ଥାରେ ମୁଁ ଆଧୁନିକ ପ୍ରଣାଳୀର ବୋଏର ଗୋଟ ଫାର୍ମଟିଏ କଲି। କେଜାଣି କାହିଁକି ମୋ ମନରେ ଏକ ଜିଦ୍ ଓ ଆତ୍ମୀୟତା ପ୍ରବଳରୁ ଅତି ପ୍ରବଳ ଆସିଲା ଯେ ସିଂହ ପରିବାରକୁ ପୁଣି ଏକ ନାମ ଆଣିବି। ମୋ ପିଲାଏ ସାଙ୍ଗିଆ ଲେଖିଲେ "ସିଂହ"।
ରୁଦ ଆଈମାଆ ଆମକୁ କୌଣସି ସେବା ଦେବାର ସୁଯୋଗ ଦେଲାନି, ବୟସ ତାହାକୁ ଆଦୌ ବାନ୍ଧି ପାରିଲା ନାହିଁ। ତା ବୟସର ସବୁ ବୁଢାବୁଢୀ ସଫା ହୋଇଗଲା ପରେ ମଧ୍ୟ ତାର ସବୁଦିନିଆ କାମ ମୋତେ ଦୁଇଗ୍ଲାସ ଛେଳିକ୍ଷୀର ପେଇବା ବନ୍ଦ ହେଲା ନାହିଁ। ତା ବୋହୁ ଓ ନାତିନାତୁଣୀ ଛେଳିକ୍ଷୀରକୁ ନାକ ଟେକନ୍ତି। ଅବଶ୍ୟ ଆମେ ଜର୍ସି ଗାଈଟିଏ ମଧ୍ୟ ପାଳିଲୁ।
ହଠାତ ଦିନେ ରୁଦ ଆଈମାଆ କହିଲା ତାକୁ କିଛି ଭଲଲାଗୁନାହିଁ। ଆମେ ଡାକ୍ତରଖାନା ନେବାବାଟରେ ସେ ଚାଲିଗଲା। ସକାଳେ ମୋତେ ଛାଗଦୁଗ୍ଧ ପେଇଥିବା ମୋର ଏ ଆଈମାଆଟି ସନ୍ଧ୍ୟାକୁ ନଥିଲା। ଏ ମଧ୍ୟରେ ମୁଁ କିନ୍ତୁ ସମ୍ପୂର୍ଣ୍ଣ ଭାବେ ସିଂହ ପରିବାରର ହୋଇଯାଇଥିଲି।
ଜୀବନର ପ୍ରତ୍ୟେକ ପାହାଚକୁ ଯାଇ କାହାଣୀଟି କହୁ କହୁ ମୁଁ ଏବେ ବୁଢା। ଆମ ବୁଢାବୁଢୀ ଘରେ, ଝିଅ ତା ସୁଖର ସଂସାର ସହ ଦୂର ସହର ବାଙ୍ଗାଲୋରରେ କର୍ମଜୀବି। ପୁଅ ବୋହୁ ବିଦେଶରେ। ଦୁଇ ମହଲା କୋଠାର ବାଲକୋନୀରେ ବସି ମୁଁ ଆକଳନ କରୁଛି ଅତୀତର ସିଂହ ଖଞ୍ଜା, ଛେଳିପଲ, ଗୁହାଳ ଓ ମୋ ରୂଦ ଆଈମାଆକୁ। ପୁଣିଥରେ ବୁଝୁଛି, "ଚକ୍ରବତ ପରିବର୍ତ୍ତନ୍ତେ"।
