ରତ୍ନ ଟିଏ
ରତ୍ନ ଟିଏ
ଆଜି ମୋ ହୃଦ କନ୍ଦର ଦୁଃଖ ରେ ଜର୍ଜରିତ, ମୁଁ ଏବେଭି ଏହି ନିଷ୍ଠୁର ସତ୍ୟକୁ ଗ୍ରହଣ କରିପାରୁନି ଯେ ଆମ କଲୋନୀ ର ରନ୍ନ ହଜିଗଲା ଅର୍ଥାତ୍ କୋରୋନା ର ପ୍ରହାରରେ ସେ ଟଳିପଡିଛି ।
ହସହସ ମୂଖମଣ୍ଡଳ, ବୃତ୍ତିରେ ଆଇନ ଜିବୀ,ଭାଇର ସାଙ୍ଗ ହୋଇଥିବାରୁ ତାର ଆମ ପରିବାର ସହିତ ନିବିଡ଼ ସମ୍ପର୍କ,ଆମ ମାନଙ୍କର ସେ ଏକ ଭାଇ ଥିଲା, କହିଲେ ଭୁଲ୍ ହେବନି, କେବଳ ମୋ ପରିବାର ର ନୁହେଁ ଭୂବନେଶ୍ବରର ଏକ ଚିହ୍ନା ମୁହଁ ଅଟେ, ସମସ୍ତଙ୍କର ଦୁଃଖ ସୁଖ ରେ ଅଣ୍ଟା ଭିଡି ଆଗ ଠିଆ ହୁଏ, ସେ ଯେଉଁଠି ପହଞ୍ଚି ଥାଏ ଯାଣ ଆଉ ଅସୁବିଧା ନାହିଁ,ହସି ହସି ସବୁ କାମକୁ ମୁଣ୍ଡେଇ ଦିଏ ଓ ଅତି ସୂଚାରୁରୂପେ ସେ କାମକୁ ସମ୍ପାଦନ କରିଥାଏ।
କଲୋନୀରେ ଯଦି କାହା ଘରେ କିଛି ଅଘଟଣ ଘଟେ ସେ ଖବର ପାଇ ତାଙ୍କ ଘରେ ପହଞ୍ଚି ଶବ ଉଠେଇ ବାକୁ ଆରମ୍ଭ କରି ଯାତ୍ରା ଶେଷ ପର୍ଯ୍ୟନ୍ତ ଠିଆ ହୋଇ କାମ କରିଥାଏ, ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଏତେ ଭଲ ଗୁଣର ଅଧିକାରୀ କିପରି ଏହି ପିଲାଟି? ନାହିଁ ପର ଆପଣା ଭାବ, ତା ପାଇଁ ସବୁ ସାଙ୍ଗମାନଙ୍କ ର ମାଆ ବାପା ନିଜ ପିତା ମାତା ସଦୃଶ, ସବୁ ଭାଇ ଭଉଣୀ ମାନଙ୍କୁ ନିଜର ବୋଲି ଭାବେ, ବେଳେ ବେଳେ ମୁଁ ଭାବେ କେତେ ଭଲ ସସ୍କାରି ଯୁବକ ଟି, ଇଶ୍ଵର ତାକୁ ଦିର୍ଘଜିବୀ ରଖନ୍ତୁ,ତା ଚଲାପଥ ସୁଖମୟ ହେଉ, ମୁଁ ଦେଖେ ସେ ଯେତେବେଳେ କାହା ବାହାଘର କୁ ଯାଏ ଆଗରୁ ପହଞ୍ଚି ବର ଚର୍ଯା ଠୁ ଆରମ୍ଭ କରି ବିଦାୟୀ ପର୍ଯ୍ୟନ୍ତ ରହି ସର୍ବ କାମ କରିଥାଏ, ଯେତେ କାମ କଲେଭି ସବୁବେଳେ ହାସ୍ୟ ବଦନ ଥାଏ, ସତେଯେମିତି ଅନ୍ୟର ଉପକାର ପାଇଁ ସେ ଜନ୍ମ, ସେ ଏଥିରେ ଖୁସି ପାଏ, ଅନ୍ୟକୁ ମଧ୍ୟ ସବୁବେଳେ ମିଠା କଥା କହି ହସଉ ଥାଏ ।
କୋରୋନା ହଳାହଳ ଜୀବାଣୁ ଜାଲରେ ସେ ଛନ୍ଦି ହୋଇଗଲା, ଲୋକ ମାନଙ୍କ ସେବା କାର୍ଯ୍ୟରେ ଲାଗିଥିଲା, ହଠାତ୍ ଜର ଆସିଲା, ଡାକ୍ତର ଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଆଡ଼ମିଶନ ହେଲା, ସ୍ବାସ୍ଥ୍ୟ ଦିନକୁ ଦିନ ପୂରା ବିଗିଡି ବାକୁ ଲାଗିଲା, ଜୀବନ ସହିତ ବହୁତ ସଂଗ୍ରାମ କରି ହାରିଗଲା ।
ଭୋର୍ ରୁ ଚାରିଆଡେ ଏହି ଖବର ଖେଳିଗଲା, ସାଙ୍ଗସାଥୀ ମାନେ ଅଧର୍ଯ୍ୟ ହୋଇ ପଡିଲେ, ସମସ୍ତେ ଯେମିତି ମୂକ ପାଲଟି ଗଲେ, ପ୍ରକୃତ ବନ୍ଧୁ, ଭାଇ ଓ ଏକ ସୁନ୍ଦର ହୃଦୟବାନ ମଣିଷ ଟିଏ ସବୁଦିନ ପାଇଁ ହରାଇ ବସିଲେ,ସେ ବିବାହିତ ଥିଲା, ତାର ସ୍ତ୍ରୀ ଓ ଏକମାତ୍ର ପୁତ୍ର ତାଙ୍କ ଜୀବନ ର ସବୁ ସୁଖ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଥିଲେ । ମୁଁ ଏହି ଖବର ପାଇ ବିଶ୍ଵାସ କରିପାରୁନଥିଲି ।
ଯେଉଁ ମଣିଷ ସମସ୍ତଙ୍କର ଦୁଃଖ ସୁଖ ରେ ପହଞ୍ଚି ପ୍ରତି କାମକୁ କାନ୍ଧରେ ନେଉଥିଲା, ଆଜି କୋରୋନା ଯୋଗୁଁ ସେହି ମଣିଷ ର ଶବକୁ କେହି ଦେଖି ଭି ପାରିଲେନି ଛୁଇଁବା ତ ଦୂରର କଥା,ଏ କୋରୋନା କଣ କରୁଛି?ଆଉ କେତେ ଘର ଉଜାଡିବ? ଯେଉଁ ମାନେ ଭଲ ଲୋକ ସେମାନଙ୍କୁ କଣ ନେଇ ଯାଉଛି? ଇଶ୍ଵରଙ୍କ ର କଣ ହିସାବ କିତାବ? ମୋର ପାଟିରୁ ବାହାରିଲା ହେ ରନ୍ନ ତୁ କୁଆଡେ ହଜିଗଲୁ?ତୋର ଆତ୍ମା ଚିର ଶାନ୍ତି ପାଉ ।
ଆଜି କୋରୋନା ଯୋଗୁଁ ଜୀବନ ପ୍ରଣାଳୀ ଏକ ପ୍ରକାର ଭୁଷୁଡି ପଡିଛି,ଭୟର ଅଜଣା ଆତଙ୍କରୁ ମନୁଷ୍ୟ ବର୍ତ୍ତି ପାରୁନି, ତଥାପି ଆମେ ହାରିବାନି ସମୟ ନଦୀର ଶ୍ରୋତରେ ଏ ଦୁଃଖ ବୋହିଯିବ, ଆମେ ସମସ୍ତେ ହସିବା, ଜୀବନର ରାସ୍ତାକୁ ନିଜେ ସଜାଡି ଅଗ୍ରସର ହେବା।