ରଖେ ହରି ତ ମାରେ କିଏ
ରଖେ ହରି ତ ମାରେ କିଏ
ମୋର ଜନ୍ମ ଏକ ସାଧାରଣ ପରିବାରରେ । ଅତ୍ୟାଧୁନିକ ବିଳାସ ବ୍ୟସନ ଜୀବନଯାପନ ଆମ ପାଇଁ ଦୂର ଆକାଶର ଜହ୍ନ ।ମୌଳିକ ଆବଶ୍ୟକତାର ଅଭାବ କେବେ ଅନୁଭବ କରିନାହୁଁ । ଘରଟି ଆମର ସଡ଼କ ଦାଢ଼ରେ । ଆମ ଘର ପଛ ଦେଇ ଖୋଦିତ ହୋଇଛି ଏକ କେନାଲ ।ଶାଳିଆ ନଦୀରୁ ଏହି କେନାଲ ଖୋଲାଯାଇଛି ଚାଷୀମାନଙ୍କର ପାଣି ସମସ୍ୟା ଦୂର କରିବା ପାଇଁ ।ଆଉ ସେଇ କେନାଲ ଓ ମୋର ଜୀବନର ଏଇ ଅଭୁଲା ଘଟଣା ସ୍ମୃତିପଟରେ ଅଲିଭା ହୋଇରହିଛି ।
ବୋଉ ମୁହଁରୁ ସେଦିନର ଦୁର୍ଘଟଣାର କାହାଣୀ ଶୁଣି ଲୋମ ଟାଙ୍କୁରି ଉଠେ ମୋହର ।ସେତେବେଳେ ମୋର ଅନୁଭବ ଭାଷାରେ ବର୍ଣ୍ଣନା କରିବା ମୋ ପକ୍ଷରେ ଯଦିଓ ସମ୍ଭବ ନୁହେଁ ତଥାପି ନାଟକୀୟ ଧାରାରେ ଶାବ୍ଦିକ ରୂପ ଦେବାରେ ସାମର୍ଥ୍ୟକୁ ଅଗ୍ରାହ୍ୟ କରିପାରେନା ।
ବୟସ ବୋଧ ହୁଏ ସାତ କି ଆଠ ବର୍ଷ ହେବ ।ମନେ ନାହିଁ ।ଘରେ ଆମର କୂପର ବ୍ୟବସ୍ଥା ନଥାଏ ।ସବୁଦିନ ସ୍ନାନ କରିବା ପାଇଁ ଆମେ ତିନି ଭଉଣୀ ବୋଉ ସହ କେନାଲକୁ ଯାଉ ।ସେଦିନ ରବିବାର ଥାଏ ।ଆମ ତିନି ଭଉଣୀକୁ ନେଇ ବୋଉ କେନାଲକୁ ଯାଇଥାଉ ଗାଧେଇବାକୁ ।କେନାଲରେ ଠାଏ ଠାଏ ଫଲର ବ୍ୟବସ୍ଥା ଥାଏ ।ଫଲ୍ ଟି ମାନେ ଏକ କୂଅ ଆକାରର ।କେନାଲରେ ପାଣି ନଥିଲେ ମଧ୍ୟ ଫଲ୍ ରେ ପାଣି ରହିଥାଏ ।କିନ୍ତୁ ସେଦିନ କେନାଲରେ କୌଣସି ବଡ଼ ଲୋକଙ୍କ ଅଣ୍ଟାଏ ଯାଏଁ ପାଣି ଥାଏ ।ଫଲ୍ ଠାରେ ହିଁ ପାହାଚ ବ୍ୟବସ୍ଥା ଥିବାରୁ ସମସ୍ତେ ସେଠାକୁ ହିଁ ଗାଧେଇବାକୁ ଯାଆନ୍ତି ।ବୋଉ ଆମ ତିନି ଭଉଣୀକୁ ସାଙ୍ଗରେ ନେଇ ସେଠାକୁ ଯାଇଥାଏ ।
କେନାଲ ବନ୍ଧ ଉପରେ ଆମକୁ ବସାଇ ଦେଇ ବୋଉ ପ୍ରଥମେ ପାଣି ଭିତରକୁ ଗଲା ।ପ୍ରଥମେ ବଡ଼ ଦିଦିକୁ ନେଇ ମୁଣ୍ଡ ସଫା କରିଲା ଆଉ ଆମକୁ ପାଣି ଭିତରକୁ ନ ଆସିବା ତାଗିଦ କରିଥାଏ ।ବୋଉ ଦିଦି ର ମୁଣ୍ଡ ସଫା କରିବା ସମୟରେ ଆମ ଉପରୁ ତା ନଜର ହଟିଯାଇଥାଏ ।ମୁଁ ଯେହେତୁ ସାନ ଥାଏ କୌଣସି ଦୁର୍ଘଟଣାର ଆଶଙ୍କା କରିବା ମୋ ପକ୍ଷରେ ସମ୍ଭବ ନଥିଲା ।କିନ୍ତୁ ପାଣିକୁ ଦେଖି ମୋ ମନ ଆଉ ସମ୍ଭାଳୁନଥାଏ ।ମନର ଇଛା ଆଗରେ ବୋଉର ତାଗିଦ କୁଆଡେ ଉଭେଇ ଯାଇଥାଏ ।ମୁଁ ପାଣିକୁ ପଶିଗଲି ।ଆଉ ବୋଉ ଯେମିତି ଦିଦି ର ମୁଣ୍ଡ ସଫା କରୁଥାଏ ସେମିତି ମୁଣ୍ଡ ଧୋଇବାକୁ ଚେଷ୍ଟା କଲି ।ଚିତେଇ ହୋଇ ମୁଣ୍ଡର ଚୁଟି ଗୁଡିକୁ ପଛକୁ କରି ଧୋଇବା ସମୟରେ କେତେବେଳେ ମୁଁ ସେ ଫଲ୍ ଭିତରକୁ ପଶିଯାଇଥିଲି ଜାଣେନା ।ପହଁରିବା ମୋତେ ଜଣା ହିଁ ନଥିଲା । ପାଣିରେ ବୁଡିଯାଇଥିଲି ମୋର ଅଜାଣତରେ ।ଫଲ୍ ଭିତରେ ମୁଁ ବୁଡୁଥାଏ ଆଉ ଉଠୁଥାଏ ।କିନ୍ତୁ ବୋଉ କୁ ଡାକି ପାରୁନଥାଏ । ପାଣି ଭିତରେ ମୁଁ ଅକ୍ତାମାକ୍ତା ହୋଇପଡୁଥାଏ ।
ହଟାତ ନଜର ପଡିଲା ବୋଉର ।ପାଣିରେ ଭାସୁଥିବା ମୋ ଚୁଟି ଉପରେ ।ବନ୍ଧ ଉପରକୁ ଚାହିଁ ଦେଖେ ତ ମୁଁ ଗାଏବ । ତାହାର ବୁଝିବାକୁ ବାକି ନଥିଲା ଯେ ମୁଁ ପାଣିରେ ବୁଡିଯାଇଛି ।ଯେହେତୁ କେନାଲ ବନ୍ଧ ସେଠାରେ ଧରିବା ପାଇଁ କୌଣସି ସୁବିଧା ନଥାଏ । ଏଣେ ବୋଉ ବି ଫଲ୍ ଭିତରେ ପଶିବା ସମ୍ଭବ ନୁହେଁ କାରଣ ଦୁଇଜଣଙ୍କର ମୃତ୍ୟୁ ସୁନିଶ୍ଚିତ ।ମାଆ କଣ କେବେ ଛୁଆକୁ ହରାଇବାର ଦୃଶ୍ୟ ଦେଖିପାରେ ?ସେଠାରେ ଥିବା ଏକ ଟିକି ଅନାଵନା ଗଛଟିକୁ ଗୋଟିଏ ହାତରେ ଧରି ଅନ୍ୟ ହାତରେ ମୋ ଚୁଟି କୁ ମୁଠାରେ ଧରି ଉପରକୁ ଆଣିବାକୁ ଚେଷ୍ଟା କରୁଥାଏ ।କୁହନ୍ତି ମାଆର ଚେଷ୍ଟାରେ କେବେ ଖାଦ ନଥାଏ ।ବୁଡିଯାଉଥିବା ବେଳେ କୁଟା ଖିଅକୁ ଆଶ୍ରା କରିବାକୁ ପଡେ ।ସାମାନ୍ୟ ଅନାଵନା ଗଛଟିକୁ ଭରଷା କରି ଈଶ୍ୱରଙ୍କୁ ଡାକି ମୋ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଥିଲା ବୋଉ ।ମୁଁ ତ ବାହାରକୁ ଆସି ବନ୍ଧ ଉପରେ କିଛି ସମୟ ରହିବା ପରେ ଯାଇ ଅନୁଭବ କଲି ଯେ ମୁଁ ବଞ୍ଚିଛି ।ସ୍ଥାଣୁ ହୋଇଯାଇଥିବା ଶରୀରଟା ପ୍ରକୃତିସ୍ଥ ହେବା ବେଳକୁ କିଛି ଲୋକ ଜମା ହୋଇସାରିଥାନ୍ତି ।ପାଣି ପିଇନାହିଁ ବୋଲି ବୋଉ କୁ ଜଣାଇସାରିଥାନ୍ତି ।ବୋଉ ଆଖିରେ ଲୁହ ।ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି ମୋର ବଡ଼ ଦୁଇ ଭଉଣୀ ।ସେଦିନ ଏତେବଡ଼ ଦୁର୍ଘଟଣାରୁ ବଞ୍ଚିବା ଈଶ୍ୱରଙ୍କ ଆଶୀର୍ବାଦ ନୁହେଁ ତ ଆଉ କଣ ?
ସେଦିନର ସେଇ ଦୁର୍ଘଟଣା ଆଜି ବି ମନରୁ ଲିଭିପାରିନି ।ମୁଁ ମନେ ମନେ ଭାବୁଛି ଈଶ୍ୱର ଯେମିତି ପୁନର୍ଜନ୍ମ ଦେଇଦେଇଛନ୍ତି ମୋତେ ।ନଚେତ ଏତେ ଭୟଙ୍କର ବିପଦରୁ ଉଦ୍ଧାର ପାଇବା ମୋ ଭଳି ଛୋଟ ଝିଅ ପାଇଁ ଅସମ୍ଭବ ।ବୋଉ ମୋର ଈଶ୍ୱରଙ୍କ ନିର୍ଦ୍ଦେଶ
ବଳରେ ସାମାନ୍ୟ ଅନାଵନା ସାହାଯ୍ୟରେ ମୋତେ ବଞ୍ଚିପାରିଛି ।
ସେ ଅନୁଭୂତି ଥିଲା ହୃଦୟବିଦାରକ ଏବଂ ଭୟଙ୍କର ।
ଆଜି ଯୌବନରେ କେବେକେବେ ଈଶ୍ୱରଙ୍କ ପ୍ରତି ହୃଦୟରେ ଅଭିମାନ ଭରି ଆସିଲେ ମନରେ ଆଙ୍କିହୋଇଯାଏ ସେ ଦୁର୍ଘଟଣା ଆଉ ମୋହର ଅନୁଭବ ।ଆପେ ଆପେ ବିଶ୍ୱାସର ଖିଅଟିଏ ଯୋଡି ହୋଇଯାଏ ଈଶ୍ୱରଙ୍କ ପାଇଁ ।ପାଟିରୁ ସ୍ୱତଃ ବାହାରି ଆସେ ରଖେ ହରି ତ ମାରେ କିଏ ?ବିପଦ ସମୟରେ ଅଧୈର୍ଯ୍ୟ ନହେବା ପାଇଁ ପ୍ରେରଣା ପାଇଛି ।
