ରିଫ୍ୟୁଜି
ରିଫ୍ୟୁଜି
ସିଏ ଏତେ ମଗ୍ନ ହେଇ ହଜିଯାଇଥିଲା ତାର ରଙ୍ଗରେ ତୂଳୀ ବୁଢେଇ ଗୋଲକି ଚକା ଆଖି ଦୁଇଟିକୁ ଆଙ୍କିବାରେ ଯେ ମୁଁ ବି ଘଣ୍ଟେ ହେଲା ଏଇଠି ଠିଆ ହେଇ ଦେଖୁଛି ମୋର ହୋସ୍ ନାହିଁ ।
ମଗ୍ନତାର ମାଦକତା ଧରି ରଖେ ଅନିଶ୍ଚିତ କାଳ ଯାଏ ।ଏମିତିକି ଦେଖୁଥିବା ଆଖି ତକ ବି ଘଡିଏ ବନ୍ଧା ପଡିବା ନିଶ୍ଚେ ।
ଧଳା,କଳା, ହଳଦୀ, ନାଲି,ବ୍ୟତିରେକ ଆଉ ସବୁ ରଙ୍ଗର ଆଧିକ୍ୟ ଏତେଟା ଫୁଟିନଥିଲେ ବି ମନକୁ ବର୍ଣ୍ଣାଳୀର ଛୁଆଁ ଦେଉଥିଲା ତାର ତୂଳୀ ବୁଲେଇବାର ଢଙ୍ଗ ।ଏ ଶୈଳୀ ସବୁ କାଳେ ଈଶ୍ୱରଦତ୍ତ ।ନୋହିଲେ ଗାରଟେ ବି ଟାଣିହୁଏନା ।
ତଳ ଗ୍ୟାରେଜ ଘରଟାରେ ଟିଣ ଚଦରଟେ ପରାହେଇଛି ।ତା ଉପରେ ସିଏ ସଜାଡି ରଖିଛି ଛବି ସରଞ୍ଜାମତକ ସଯତ୍ନେ ।ଆମର ଘର ରଙ୍ଗ କାମ ଚାଲିଛି ।ମିସ୍ତ୍ରୀମାନଙ୍କ ସହ ଆସିଛି ଏଇ କୁନି କାରିଗର ପିଲାଟି ।ବୟସ ବାର କି ତେର ହା ହବ ।ବେଶୀ ନୁହେଁ ।ତା କୋମଳତା କିଶୋରତାକୁ ସାଇତି ହସଉଛି ତା ଚେହେରାରେ ହାଲକେଇକି ।
ଚଞ୍ଚଳତା, ଅନ୍ୟମନସ୍କତା ଯେତେବେଳେ ଏ ବୟସେ ସହଚରୀ ସାଜନ୍ତି ସିଏ କିନ୍ତୁ ଖୁବ୍ ବିଭୋର ରଙ୍ଗତୂଳୀର ବିଭବରେ ।
ସିଏ ହି ଆସିବା ଦି'ଦିନେ ତା ଆଡୁ ପ୍ରସ୍ତାବ ଦେଲା " ମାଆ ବୁଆ, କକା, ଦାଦି ଭରିଆ ତ ସବୁ ତୁମ କାନ୍ଥ ରଙ୍ଗ କାମରେ ମଜ୍ଜିଲେ ।ମୁଇଁ ଏକୁଟିଆଟା ଏକର ସେକର ।ଗୋଟେ କଥା କହନ୍ତି ? ତୁମର ଦିଅଁ ଘରକୁ ଉଣ୍ଡୁଥିଲି ତମେ ପୂଜିଲା ବେଳେ ଯେ ,ତମ କାଳିଆ ଦିଅଁ ଭାରି ମନଉଣାରେ ଅଛି ।ମଳିଚିଟିଆ ଧରିଲାଣି ବଲି କି କଣ ! ଦିଅନ୍ତ ଯଦି ରଙ୍ଗେଇଦିଅନ୍ତି ।ନା କିସ ଭାବୁଛ ? "
ମୁଁ ପୂଜା ଥାଳିରୁ ତା ' ଆଞ୍ଜୁଳିରେ ଭୋଗ ଉଖୁଡା ଭରିଦେଇ କହିଲି, " ଆସିବ ତତେ? ପାରିବୁ? "
ସିଏ ଖାଲି ହସିଦେଲା ।ସୁନ୍ଦର ସେ ହସ ।
ତହିଁ ଆର ଦିନ ମୁଁ ତାକୁ ସବୁ ସଜାଡି ଦେଲି କାମ ନେଇ ।
ସବୁଦିନେ ଯାଇ ଘଡିଏ ଦେଖିଆସେ ।କି ସୁନ୍ଦର କରି ଗଢୁଥାଏ ସିଏ ଆହା ।ପ୍ରଥମେ ପୁରା ଧଳା ଦେଇ ପରକୁ ପର ଫୁଟେଇ ଚାଲିଥିଲା କାରୁକାର୍ଯ୍ୟ ।
ପଚାରିଲି " କୋଉଠୁ ଶିଖିଲୁ କିରେ? ଏଡେ ସୁନ୍ଦର କରି ଆଙ୍କୁଛୁ ।ଭାରି ଭଲ ହାତ ତାର ।" ସିଏ କାମ କଲା ବେଳେ କିଛି କହେନି, ଖାଲି ହସିଦିଏ ।
ଘର ରଙ୍ଗ କାମ ସରି ଆସୁଥିଲା ।ଆଜି ଶେଷ ଦିନ ।ମଜୁରୀ ପାଉଣା ଛିଣ୍ଡେଇ ଆଜି ଲେଉଟି ଯିବେ ମିସ୍ତ୍ରୀ ମାନେ ।ଘର ଗହଳ ପୁଣି ଶୂନ୍ୟ ।
ମୁଁ ଗାଧେଇ ପଡି ଦିଅଁ ଘରକୁ ତରତର କି ପଶୁଛି ଚଞ୍ଚଳ ସାରି ବାହାରିଲେ ଆଜି ଏଇ ସମସ୍ତଙ୍କ ପାଇଁ ରନ୍ଧା ଦାୟିତ୍ୱ ମୋର ।ଆମିଷ ଟୋପେ ହେଲେ କାମ କରୁଥିବା ଲୋକେ ଖୁସିରେ ଖାଆନ୍ତି ।
ମୁଁ ରୋଷେଇ ଘରେ ଥାଏ । ସିଏ ଆସି ଡାକିଲା, " ମାଆ ନିଅ ତମ ପୁଅକୁ " ।ହାତ ଧୋଇ ମୁଁ ବାହାରିଆସିଲି ତା ଡାକରେ ।ତା ହାତର ଧୋତିକପଡା ଉପରେ ମୋ ତିନି ଦିଅଁ ଝକଝକ ଝଟକୁଥାନ୍ତି ।ସିଏ ମୋ କୋଳକୁ ବଢେଇଦେଲା କଅଁଳ ପିଲାଟିଏ କୋଳରେ ଥୋଇଲାପରି ।ମୋ ଭିତରେ ଅଦ୍ଭୁତ ମାତୃତ୍ବ ଟେ ଲଟେଇ ଗଲା ଯେମିତି ।ଅବ୍ୟକ୍ତ ଅଭିବ୍ୟକ୍ତିଟେ ଝଲସିଗଲା ତା ମୁହଁରେ ।ସେ ମତେ କୃଷ୍ଣ କୃଷ୍ଣ ଦିଶିଲା ।ସତେ ଯେମିତି ଦିଅଁ ଗଢିବା ତାର ଖାଲି ବାହାନା ଥିଲା, ସିଏ ତ ପ୍ରକୃତରେ ନୀଳମଣି ।ମତେ ଦର୍ଶନ ଦେଇ କୃତାର୍ଥ କରିବ ଉଦ୍ଦେଶ୍ୟରେ ଆସିଥିଲେ ।ମୁଁ ଯାହା ଚିହ୍ନି ପାରି ନଥିଲି ନା ।
ନେଇ ଦିଅଁ ଘରେ ରଖିଆସି ପୁଣି ରନ୍ଧାରେ ମନଦେଲି।
ଖାଇବା ବେଳେ ସମସ୍ତେ ଖୁସି ଥିଲେ ।ସେଇ ପିଲାଟି ହିଁ ଖାଇ ନଥିଲା ।କହିଲା " ମୁଁ ତ ହବିଷ ପାଳିଥିଲି ଗୋ ମାଆ ,ଜଗାସାଆନ୍ତର କାମ ସରିବାରେ ।" ମୁଁ ଆଶ୍ଚର୍ଯ୍ୟ ହେଲି ଆଉ ପଚାରିଲି, " ତୋର ନାଆଁ କଣ ବାପା? ଆଜି ଯାଏ ପଚାରିପାରିନି ।"
ସେ ଉତ୍ତର ଫେରେଇଲା ସେଇ ମଧୁର ହସଟି ପିନ୍ଧି " ମୋର ନାଆଁ ? " ।
ମୋ ମୁହଁର ପ୍ରଶ୍ନିଳ ଆଶ୍ଚର୍ଯ୍ୟ ଭାବ ଦେଖି ସିଏ ଖିଲ ଖିଲ ହସି କହିଲା " ମାଆ ମୁଁ ବାଂଲାଦେଶୀ ମୁସଲମାନ ବୋଲି ମୋ ଅବ୍ବୁ କହୁଥିଲା ଆଉ ମୁଁ ପୁରୀ ବ୍ରାହ୍ମଣୀର ରକ୍ତ ବୋଲି ଅମ୍ମା କହେ । ସେମାନେ ମତେ ସାଲବେଗ ଡାକୁଥିଲେ ।ନଦୀ ବଢିରେ ଆଖପାଖ ସବୁ ଗାଁ ଇଲାକା ସହ ପୁରା ସରହଦ ଭାସିଗଲା । ଯୋଉଟା ଗାଆଁ ଦେଶର ବିଭାଜନର ଚିହ୍ନ ସେ ଖୁମ୍ବ ପଥର ସବୁ ପୁରା ନିଶ୍ଚିହ୍ନ ହେଇଗଲେ ।ମୁଁ କେମିତି ଭାସି କୁଆଡୁ ଆସି କୋଉଠି ପହଞ୍ଚି ଲାଖି ବଞ୍ଚିଗଲି ।କିଏ ବଞ୍ଚେଇଲା କୁହ ତ ମାଆ ! ତୁମକୁ କହିଲି ସବୁ ।ଆଉ ଯିଏ ପଚାରିଲେ କହେ ," ମୁଁ ରିଫ୍ୟୁଜି। ବାସ୍ " ମୁଁ ନିଜର ନାଆଁ ନିଜେ ଦେଇଛି ।କୁଆଡୁ କିଏ ଆସେ କୁଆଡେ କିଏ ଯାଏ, ହିସାବ ରଖିଛି କିଏ ? କାହାର ଏଠି ପୁରା ରହିବାର ଅଛି ଯେ ଏତେ ମୋର ମୋର ।"
ହସି ହସି ଚାଲିଯାଉଥିଲା ସିଏ ସତେ ଯେମିତି ମୋ ହାତରେ ଧରେଇଦେଇ ମାନଚିତ୍ରର ବହିଟିଏ ।
