ରିଙ୍ଗ୍ ଟୋନ୍
ରିଙ୍ଗ୍ ଟୋନ୍
' ରାତି ପାହିଲାଣି ରାବଇ କାଉ , ଉଠ ଉଠ ... ।'
ରାତି କେବେ ହେଇଥିଲା ଯେ', ପାହିବ ? ସମୟଟା ସଠିକ୍ ମନେନାହିଁ , ' ରୋମିନା ' କୁ ମେସେଞ୍ଜର୍ ରେ ଗୁଡନାଇଟ୍ କହିବା ବେଳକୁ ପ୍ରାୟ ଦୁଇଟା !
ଦୁଇଟା ବେଳଟା ରାତି ହେବ ନା' ପରବର୍ତ୍ତୀ ଦିନର ସକାଳ ? ଅଧାପୋଡା ସିଗ୍ରେଟ୍ ଟାକୁ ଫୋପାଡ଼ି ଦେଇ , ଶୋଇବାକୁ ଚେଷ୍ଟା କଲି ଏଥର।
ଚେଷ୍ଟାକରି ନିଦ ହୋଇପାରେ , କିନ୍ତୁ ଚେଷ୍ଟାକରି ମଣିଷ ଟେ କଣ ଶୋଇପାରେ ?
ଠିକ୍ ପାଞ୍ଚୁଟା ରେ 'ସୁପ୍ରୀତି' ର କଲ୍ ।
' ରାତି ପାହିଲାଣି ରାବଇ କାଉ , ଉଠ ଉଠ ... !!!'
ସେ କାଉଟା ହେଲା ସୁପ୍ରୀତି' ! ନ ଉଠିଲାଯାଏଁ ସେ ବାରମ୍ବାର ଫୋନ୍ କରି ଏବେ ରାଉରାଉ ହେବ । ଗାଁ ରେ ଥାଇ ସ୍ତ୍ରୀ ଧର୍ମ ପାଳୁଛି। ସତରେ ସ୍ତ୍ରୀ ମାନେ କଣ ଗୋଟେଗୋଟେ କାଉ ??? ଧେତ୍ ।
- ହଁଅଁ , ହ୍ୟାଲୋ ?
- ଉଠ । ପାଞ୍ଚଟା ପଚିଶ୍ । ମର୍ଣୀୱକ୍ ରେ ଯାଅ ।
- ଓଃ !
- ଏ ବୟସରେ ପେଟଟାକୁ ଦେଖିଲଣି ? କେମିତି ଗୋଟେ ଫୁଲିଗଲାଣି। ଗେଲ୍ହ୍ କରିବାକୁ ଆଉ ମନ ହେଉନି। ଉଷୁମ ପାଣିରେ ମହୁ ଚାମୁଚେ ...
- ଓଃ ! ସକାଳୁ ସକାଳୁ ଗୋଟେ ରାଉରାଉ ??
ଫୋନ୍ କାଟିଦେଲି ବିରକ୍ତରେ ।
★★★
ବ୍ରଶ୍ ଟା ଧରୁଧରୁ ବାଜିଲା " ଓଁ ବକ୍ରତୁଣ୍ଡଂ ....
ଶର୍ମା ଆଣ୍ଟି ପଚାରୁଥିଲେ -
- ହାଏ ହ୍ୟାଣ୍ଡସମ୍ ! ଅଙ୍କଲ୍ ଙ୍କ ସହ ଛକରେ ଅପେକ୍ଷା କରିଛୁ । ୱକିଂରେ ଜଏନ୍ କର ଜଲଦି ।କମସୁନ୍।
★★★
ୱକିଂରୁ ଫେରି ଅଫିସ ପାଇଁ ରେଡି ହେବାବେଳେ, ବାଜିଲା " ଜିନ୍ଦାରେହେନେ କେଲିଏ ତେରି କସମ୍ ....!
'ଶ୍ରେୟା' କଲିଂ ।
- ହାଏ ! ଆଜି ଅଫିସ୍ କୁ କୁହ କେଉ କଲର୍ ପିନ୍ଧି ଯିବି ? ଟ୍ୟୁଜ୍ ଡେ , ୟେଲୋ ଚଳିବତ ?
- ୟେସ୍ ! ସେ ସୋଲ୍ଡରକଟ୍ ଟା ପିନ୍ଧ ।
- କାଇଁ ?
- ଠାଏଠାଏ ଛିଣ୍ଡାମିଣ୍ଡା ଦେଖିଲେ ଭଲଲାଗେ ମୋତେ ।
- ଚୁପ୍ ନଟି ।
★★★
ଗାଡି ଷ୍ଟାର୍ଟ କରୁକରୁ ବାଜିଲା " ଦବଙ୍ଗ ଦବଙ୍ଗ...
!"
ଅଫିସ୍ ର ମୋ ବସ୍ 'ସରଳା' ମାମ୍ ଫୋନ୍ କରିଥିଲେ
- ଜଲଦି ଆସ '। ମୁଁ ପହଞ୍ଚିଲିଣି । ଅଡିଟ୍ ଅଛି । ମନେନାହିଁ ?
- ଏଇ ପହଞ୍ଚିଲି ମାମ୍ ।
★★★
କିଛିବାଟ ଗଡିଛିକି ନାହିଁ , " ଆଜ୍ ଫିର୍ ତୁମ୍ ପେ' ପ୍ୟାର୍ ଆୟାହେ ...."!
'ବନ୍ଦିତା' କହିଲା -
- କଣ ? ମନେପଡୁନି ? ପୁରୁଣା ହେଇଗଲିକି ?
- ଆରେ ନା ନା । ଭାରି ୱର୍କଲୋଡ ।
- ଓକେ।
- ଉଁଉଁଉଁ।
ହେଲମେଟ୍ ଭିତରେ ମୋବାଇଲଟାକୁ ପୁରାଇ ଗପୁଥିଲି। ସାମ୍ନାଆଡୁ ସାଏଁକିନା ଗାଡିଟେ ମାଡିଆସିଲା। ଯାହେଉ ଅଳ୍ପରେ ବଞ୍ଚିଗଲି।
★★★
ଅଫିସ୍ ରେ ଫାଇଲ୍ ଟା ଖୋଲିଛିକିନାହିଁ , ହ୍ୱଆର୍ଟସ୍ଆପ୍ ବିପ୍ କଲା ଟୁଁ ଟୁଁ।
ଆଳୁପରାଠା ର ଫଟୋ । ମୁଣ୍ଡ ଟେକି ଚାହିଁଲି ସାଇଡ୍ କ୍ୟାବିନ୍ କୁ । " ରୋଜାଲିନ୍ " ହସୁଥିଲା ଖିଲିଖିଲି । ଠାରିଲା କାଚ ସେପଟରୁ -
- ଆଜି ଲଞ୍ଚ୍ ରେ ତୁମପାଇଁ ।
★★★
ଟ୍ରିଂ ଟ୍ରିଂ ଟ୍ରିଂ
ଝିଅଟେ !
- ମିଷ୍ଟର ଦାଶ୍ ?
- ନା ମିଶ୍ର ।
- ସରି । ରଂଗ୍ ନମ୍ବର।
ହ୍ୟାପ ମୋ ନମ୍ବର କାଇଁ ରଂଗ୍ ହେବମଁ ?
★★★
ଦଶମିନିଟ୍ ଯାଇନି ପୁଣି ଝିଅଟେ କଅଁଳେଇ ଫୋନ୍ କଲା -
- ସାରେ । ଏସ୍ . ବି . ଆଇ ରୁ କହୁଥିଲି , ଆପଣଙ୍କ ଏଟିଏମ୍ କାର୍ଡ ବ୍ଲକ୍ ହେଇଯାଇଛି । ଠିକ୍ କରିବାକୁ କାର୍ଡ ଉପରେ ଲେଖା ନମ୍ବର ଟା କୁହନ୍ତୁ।
ଓଲା ଭାବିଲା ନା କଣ ମୋତେ ? ଝିଅଟା ବୋଲି ଗାଳି ନକରି କାଟିଦେଲି ।
★★★
ଟ୍ରିଙ୍ଗ୍ ଈଈଈଈଈଈ !
- ସାର ! ଷ୍ଟାର୍ ହେଲଥ୍ ଇନ୍ସ୍ୟୁରାନ୍ସ୍ ରୁ କହୁଥିଲି ।
ରାଗି କାଟିଦେଲି ପୁଣି । ଶଃ! ବିନା ଇନ୍ସ୍ୟୁରାନ୍ସ୍ ରେ ସୁନ୍ଦରୀ ମାନେ କଥାହେବେନି ନା କଣ ??
★★★
" ଦିଲ୍ ହେ ଛୋଟାସା , ଛୋଟିସି ଆଶା ...!"
ପ୍ଲସଟୁ ସାନ ଶାଳୀ " ରୁପାଲୀ "
- ହାଏ ଜୀଜୁ ! ଏଥର ହୋଲି ଗିଫ୍ଟ୍ କଣ ?
- ମୁଣ୍ଡଫଟା ରଙ୍ଗ ।
- ଥାଉ ଦର୍କାର ନାହିଁ।
- ଆରେ ? ତୁ କଣ ଅଫଟା ରହିବୁନା କଣ ?
ଏଥର ସେ ରାଗି କାଟିଦେଲା ।
★★★
..........
..........
..........
★★★
ଅଫିସ୍ ରୁ ଫେରି ରୁମ୍ ଅନଲକ୍ କଲାବେଳକୁ , ପେଟରେ ପ୍ରେସର୍ ଖୁବ୍ ଯୋର୍ । ଠିକ୍ ରେ ପ୍ୟାଣ୍ଟ୍ ନଖୋଲି ଟୟଲେଟ୍ କୁ ପଶିଗଲି। ଏପଟେ ମୋବାଇଲ ଚିଲ୍ଲୋଉଥିଲା -
ଜିନ୍ଦାରେହେନେ କେଲିଏ ତେରି କସମ୍ ..../ ଦବଙ୍ଗ ଦବଙ୍ଗ.../ ଆଜ୍ ଫିର୍ ତୁମ୍ ପେ' ପ୍ୟାର୍ ଆୟାହେ ..../ଟ୍ରିଂ ଟ୍ରିଂ ଟ୍ରିଂ/ଟ୍ରିଙ୍ଗ୍ ଈଈଈଈଈଈ/ଦିଲ୍ ହେ ଛୋଟାସା , ଛୋଟିସି ଆଶା ..
ଟୟଲେଟ୍ ରୁ କାମସାରି ଆସିଲା ବେଳକୁ , ବାଜୁଛି , "ଜୀନ୍ଦେଗି କି ତଲାସ୍ ମେଁ ହମ , ମୌତକେ କିତନେ ପାଶ୍ ଆଗେୟେ ...." !!!
ତେରଟା ମିସଡ୍ କଲ୍ !!!
ରୋମିନା , ସୁପ୍ରୀତି , ଶର୍ମା ଆଣ୍ଟି , ଶ୍ରେୟା , ସରଳା ମାମ୍ , ବନ୍ଦିତା , ରୋଜାଲିନ୍ , ରୂପାଲୀ , ରଂଗ୍ ନମ୍ବର , ଇନ୍ସ୍ୟୁରାନ୍ସ୍ ସୁନ୍ଦରୀ , ଫେସବୁକିଆ ସାଙ୍ଗ , ପଡୋଶୀ ଝିଅ , ଅଜଣା ଅଚିହ୍ନା ....... ଏମିତି କେତେକଣ !!!
ରଙ୍ଗ- ଅରଙ୍ଗ , ବଂଧୁ-ଅବଂଧୁ , ପାପ-ପୂଣ୍ୟ , ସତ-ମିଛ , ପ୍ରେମ-ଅପ୍ରେମ , ସ୍ୱକୀୟା-ପରକୀୟା ... ଆଦି କେତେ ସମ୍ପର୍କ ପିଛାକରେ । ଆଗମୁହାଁ ହୋଇ ଧାଉଁଥାଏ ମଣିଷ। ଥରେ ଝୁଣ୍ଟି , ପଡିଗଲେ ଫୁରର୍ ହୋଇଯାଏ ଏ ଯାନ୍ତ୍ରିକ ଜୀବନ।
ଓଃ!!!!!
ତୁଚ୍ଛା ଯନ୍ତ୍ର ଟାଏ ଅକ୍ତିଆର କରି ନେଲାଣି ସାରା ଜୀବନ କୁ !!!
ଏଇ ଏବେଠାରୁ ମୋବାଇଲଟାକୁ ରିଙ୍ଗ୍ ମୁକ୍ତ କରି , ସୁପ୍ତ ଅବସ୍ଥା କୁ ନେଇଗଲି ମୁଁ ।
ବାସ୍ ! ଆଜିଠାରୁ ଖାଲି , ନିଜସହ ନିଜେ ସହବାସ !!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର। ■