ରିଲିଫ୍ ଚାଉଳ
ରିଲିଫ୍ ଚାଉଳ
ସମୟର ଚକ ଯେ କେତେବେଳେ କେମିତି ଘୁରୁଥାଏ ତାହା ନିୟତି ଭିନ୍ନ ଆଉ କାହାରିକୁ ବି ଅଜଣା। ଏଇ ଯେମିତି ସର୍ବାନନ୍ଦ ବାବୁଙ୍କ ସ୍ବକୀୟ ଅନୁଭୂତିର କଥା। ବର୍ଷ କେଇଟାର ବ୍ୟବଧାନରେ ମଣିଷର ଏମିତି ଚାରିତ୍ରିକ ପରିବର୍ତ୍ତନ ଘଟିବ ତାହା ସହଜରେ ଗ୍ରହଣ କରିବାକୁ ସେ ଆଦୌ ନାରାଜ୍। ଜୀବନ ତମାମ ନୀତି ଆଦର୍ଶକୁ ପାଥେୟ କରି ନିଜ ହାତରେ ଅତି ଯତ୍ନପୂର୍ବକ ଗଢିଥିବା ଗାଁର ପିଲାମାନେ ଯେ ମୁଣ୍ଡକୁ ହାତ ପାଇଯିବା ପରେ ତାଙ୍କର ପରିଣତ ବୟସରେ ନିଜର ଅସଲି ରୂପ ଦେଖାଇବେ, ସ୍ଵପ୍ନରେ ସୁଦ୍ଧା କଳ୍ପନା କରିନଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସର୍ବାନନ୍ଦ ବାବୁ। ଏକଥାକୁ ଭାବି ଭାବି ତାଙ୍କର ଅନ୍ତରାତ୍ମା ବିଳାପ କରି ଉଠେ କେବେ କେବେ। କିନ୍ତୁ ସେ ନିଜର ଭାବାବେଗକୁ କାହା ପାଖରେ ପ୍ରକାଶ କରନ୍ତି ନାହିଁ। କରିକି ବା କି ଲାଭ? ନୂଆ ପୀଢ଼ିର ଲୋକଙ୍କ ଭିତରେ ତାଙ୍କ ଭାବନାକୁ ବୁଝିବ ବା କିଏ? ଲୋକହସା ହେବା ଯାହା ସାର!
ଦିନେ ଗାଁ ସ୍କୁଲରେ ଶିକ୍ଷକତା କରିବା ପାଇଁ ରାଜଧାନୀ ଭୁବନେଶ୍ଵରରେ ପ୍ରାପ୍ତ ହୋଇଥିବା ଉଚ୍ଚ ବେତନର ଚାକିରୀକୁ ପ୍ରତ୍ଯାଖ୍ଯାନ କରି ଦେଇଥିବା ସର୍ବାନନ୍ଦ ବାବୁ ଅବସର ପରବର୍ତ୍ତୀ କାଳରେ ନିଜକୁ ଖୁବ୍ ଅସହାୟ ମନେ କରନ୍ତି ଆଜିକାଲି। ଜନ୍ମିତ ପୁତ୍ର କନ୍ଯା ଯିଏ ଯାହାର ଭାଗ୍ୟ ନେଇ ଦେଶ ବିଦେଶରେ ପ୍ରତିଷ୍ଠିତ। ବାପ ଅଜା ଚଉଦ ପୁରୁଷର ଅତି ଆପଣାର ଗାଁକୁ ପର କରି ପାରିବେ ନାହିଁ ବୋଲି ସସ୍ତ୍ରୀକ ପରିଣତ ବୟସରେ ଯାବତୀୟ ଅସୁବିଧା ସତ୍ତ୍ୱେ ମଧ୍ୟ ଭିଟାମାଟିକୁ ଜାବୁଡ଼ି ଧରି ପଡିରହିଛନ୍ତି। ବେଳକୁ ବେଳ ବଦଳୁଥିବା ଗାଁର ରାଜନୈତିକ ପାଣିପାଗରେ ଦୁର୍ବିସହ ହୋଇ ପଡୁଛି ଏବେ ଜୀବନ। ଅବିଶ୍ଵାସର ବିଷ ବଳୟରେ ଜଳିଯାଉଛି ଅନ୍ତରାତ୍ମା।
ସାଂପ୍ରତିକ ପରିସ୍ଥିତିରେ ଗାଁଟାକୁ ଦଳଗତ ରାଜନୀତି ବହୁଭାଗରେ ବିଭକ୍ତ କରିଦେଇଛି। ଆପଣାର ମଣି ଯଦି କାହା ସହିତ ବସିଲେ, ଉଠିଲେ, ମନ ଖୋଲି କଥା ପଦେ ହେଲେ ବିପକ୍ଷ ଗୋଷ୍ଠୀର ଗାତ୍ରଦାହ ହେଉଛି। ଅଯଥାରେ ଉଦରପୀଡାର କାରଣ ପାଲୋଟୁଛି। ହୀନମନ୍ୟତାର ଶୀକାର ହୋଇଥିବା ଏବେକାର ତରୁଣ ପିଢ଼ୀ କେବଳ ସନ୍ଦେହରେ ହିଁ ଜୀଉଁଛନ୍ତି। ସୂତରାଂ ଭଦ୍ର ଲୋକମାନେ କ୍ଷମତାସୀନ ଗୋଷ୍ଠୀର ରୋଷର ଶିକାର ହେଉଛନ୍ତି ଦୈନନ୍ଦିନ ଜୀବନରେ। ଗାଁଟା ଯାକର ପିଲାମାନଙ୍କର ଗୁରୁ ହୋଇଥିଲେ ମଧ୍ୟ ସର୍ବାନନ୍ଦ ବାବୁ ଏହି ନବ୍ଯଧାରାର ବ୍ଯତିକ୍ରମ ନୁହଁନ୍ତି। ତାଙ୍କ ସହିତ ମଧ୍ଯ ରାଜନୈତିକ ଭେଦଭାବ ଓ ପାତରଅନ୍ତର ପୋଷଣ କରୁଛନ୍ତି ତାଙ୍କର ଅତିପ୍ରିୟ ଶିଷ୍ୟଗଣ ଗୁରୁଙ୍କର ଗୋଷ୍ଠୀ ନିରପେକ୍ଷତା ଓ ସ୍ପଷ୍ଟବାଦିତାର ପୁରସ୍କାର ସ୍ୱରୂପ।
କି ବିଚିତ୍ର ହୀନମନ୍ୟତା ଏଇ ନୂଆ ପୀଢ଼ିର ପିଲାମାନଙ୍କର?
ବୟାଅଶି ମସିହାରେ ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରିଲିଫ୍ ସାମଗ୍ରୀ ବାଣ୍ଟିବାର ଦାୟିତ୍ଵ ନ୍ୟସ୍ତ ହୋଇଥିଲା ସର୍ବାନନ୍ଦ ବାବୁଙ୍କ ଉପରେ ରାଜସ୍ବ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ। ନଦୀବନ୍ଧ ଉପରେ ଜରି ତଳେ ଆଶ୍ରୟ ନେଇଥିବା ଗାଁର ଲୋକେ ଧାଡ଼ି ବାନ୍ଧି ଠିଆ ହୋଇଥାନ୍ତି ଚୁଡ଼ା ଚାଉଳ ମୁଠେ ପାଇବା ପାଇଁ ଜଠରାଗ୍ନି ପ୍ରଶମିତ କରିବାକୁ। ଚାରିଆଡ଼େ ହାହାକାର, ହାଃ ଅନ୍ନ ହାଃ ଅନ୍ନର ଚିତ୍କାର। ଅବର୍ଣ୍ଣନୀୟ ସେ ଦୃଶ୍ୟ! କୁହାଳିଆ ଟାଉଟର କେତେକ ଟାକି ବସିଥାନ୍ତି ସମସ୍ତ ସାମଗ୍ରୀ ହଡ଼ପ କରି ନିଜ ନିଜ ଭିତରେ ଭାଗକରି ନେବା ପାଇଁ। ହୋହାଲ୍ଲା କରୁଥାନ୍ତି ତୁଛାକୁ। ଏସବୁ କଥାକୁ ଦୃଷ୍ଟିରେ ରଖି ବେଶ୍ ଧୈର୍ଯ୍ୟର ସହିତ ସଭିଙ୍କୁ ବାଣ୍ଟି ଚାଲିଥାନ୍ତି ରିଲିଫ୍ ସାମଗ୍ରୀ ସର୍ବାନନ୍ଦ ବାବୁ।
ଏତିକି ବେଳେ କେଉଁ ଆଡୁ ଅପରିଚିତା ମହିଳାଟିଏ ସାତସିଆଁ ଲୁଗାଟିଏ ପିନ୍ଧି କୋଳରେ ବର୍ଷକର ଶିଶୁପୁତ୍ରକୁ ଧରି ଆସି ତାଙ୍କୁ ନେହୁରା ହୋଇ କହିଥିଲା, "ବାବୁ! ଦି' ଦିନ ହେଲା କିଛି ବି ଖାଇନୁ ଦୁହେଁ, ହଂସା ଉଡିଯାଉଛି। ମୁଠାଏ ଚୁଡା କି ଚାଉଳ ମିଳିଲେ କୋଟିନିଧି ହୁଅନ୍ତୁ। ଏତେ ଲୋକଙ୍କୁ ବାଣ୍ଟୁଛନ୍ତି, ମୋତେ ବି କିଛି ଦିଅନ୍ତୁ ଆଜ୍ଞା। ନହେଲେ ଜୀବନ ଚାଲିଯିବ ଆମର। ଟିକେ ଦୟାକରନ୍ତୁ ଆମକୁ। ଭଗବାନ ଆପଣଙ୍କର ମଙ୍ଗଳ କରିବେ..."
ଖବର ନେବାରୁ ବୁଝା ପଡିଲା ଯେ, ମହିଳାଟି ସଦ୍ୟ ସ୍ବାମୀ ପରିତ୍ଯକ୍ତା। ଭିନ୍ନ ଏକ ଜିଲ୍ଲାରୁ ବୁଲି ବୁଲି ଆସି ପହଞ୍ଚିଛି ଗାଁରେ। ଏପରି ଘୋର ଦୁର୍ଦ୍ଦିନ ସମୟରେ ପରିସ୍ଥିତିର ଫାଇଦା ଉଠାଇ ସ୍ବାମୀ ତାର ଦ୍ବିତୀୟ ବିବାହ କରିବା ପାଇଁ ଘରୁ ତଡି ଦେଇଛି ମହିଳାଟିକୁ। ତା' ଠାରୁ ସବୁକଥା ଶୁଣି ସର୍ବାନନ୍ଦ ବାବୁଙ୍କ ହୃଦୟ ବିଚଳିତ ହୋଇ ପଡିଲା। କେମିତି କଣ ମହିଳାଟିକୁ ସାହାଯ୍ୟ ସହଯୋଗ କରି ହେବ ସେଥିପାଇଁ ସେ ତତ୍ପର ହୋଇ ଉଠିଲେ।
ଗାଁ ବାହାରର ଲୋକ ହୋଇଥିବାରୁ ହିତାଧିକାରୀ କିମ୍ବା ଭୋଟର ତାଲିକାରେ ନାମ ନଥାଏ ମହିଳାଟିର। ବାହାର କେଉଁଠିକାର ଲୋକ ହୋଇଥିବାରୁ ଗାଁ ଲୋକେ ସଭିଏଁ ଘଉଡାଇ ଦେଲେ ତାକୁ ଦୂର୍ ଦୂର୍ ମାର୍ ମାର୍ କରି। ବିଚାରିଟି ଭୂଇଁରେ ମଥା ପିଟି କାନ୍ଦୁଥାଏ ଭୋକ ବିକଳରେ। ଶିଶୁପୁତ୍ରଟି ଏସବୁ କିଛି ବୁଝି ନ ପାରି ଜୁଳୁଜୁଳୁ ହୋଇ ଚାହିଁ ରହିଥିଲା ଯାହା। କାହାରି ଆଖିକୁ ତାର ଦୁଃଖ ଦେଖା ଯାଉନଥିଲା। ସର୍ବାନନ୍ଦ ବାବୁ ସଭିଙ୍କୁ ଅନୁରୋଧ କରିଥିଲେ ମହିଳାଟିକୁ କିଛି ରିଲିଫ୍ ଚାଉଳ ଦେବା ପାଇଁ ମାନବିକତାର ଆଧାରରେ। ଆପଣା ଆପଣା ଭାଗ କମିଯିବା ଭୟ ହେତୁ ଏହି ପ୍ରସ୍ତାବରେ କିନ୍ତୁ ଆପତ୍ତି ଉଠାଇ ଥିଲେ ଗାଁର ମୁରବୀସ୍ଥାନୀୟ ବ୍ଯକ୍ତିବିଶେଷ ତଥାକଥିତ ମାମଲତକାରଗଣ।
ଅଗତ୍ୟା ସମସ୍ତଙ୍କର ବିରୋଧରେ ଯାଇ ନିଜ ପରିବାରର ଭାଗରେ ପଡିଥିବା ଚାଉଳକୁ ସେ ଦାନ କରି ଦେଇଥିଲେ ସେଇ ନିରାଶ୍ରୟୀ ମହିଳାଟିକୁ। ରାନ୍ଧି ଖାଇବାକୁ ହାଣ୍ଡି ଓ ଜାଳ ବି ଯୋଗାଡ଼ କରିଦେଇଥିଲେ ତା ପାଇଁ। ଏଥିରେ କୃତ୍ୟ କୃତ୍ୟ ହୋଇ ଯୋଡ଼ ହସ୍ତରେ ଧନ୍ୟବାଦ ଅର୍ପଣ କରୁଥିଲା ମହିଳାଟି ସର୍ବାନନ୍ଦ ବାବୁଙ୍କୁ। ଏଥିପାଇଁ ତାଙ୍କର ପରିବାରକୁ ଅବଶ୍ୟ କିଛିଟା ଅସୁବିଧା ଭୋଗ କରିବାକୁ ପଡିଥିଲା ବନ୍ୟା ବିପତ୍ତି ସମୟରେ। କିନ୍ତୁ ପରିବାରର ସଭିଏଁ ଉପାସ ରହି ତାଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ। ଆତ୍ମତୃପ୍ତିର ଚେନାଏ ହସ ଖେଳିଯାଇଥିଲା ସେଦିନ ସର୍ବାନନ୍ଦ ବାବୁଙ୍କ ଓଷ୍ଠ ଧାରରେ।
ଦୁର୍ବିପାକ ଅବା ଦୁର୍ଘଟଣା ଅଚାନକ ଘଟିଥାଏ। ପୂର୍ବ ସୂଚନା ନଦେଇ ଅନିମନ୍ତ୍ରିତ ଭାବେ ଘଟିଥାଏ। ସାଧାରଣ ମଣିଷର କଳନା ଠାରୁ ବହୁମାତ୍ରାରେ ଅଧିକ କ୍ଷୟକ୍ଷତି ଘଟାଇଥାଏ। ଉପରୋକ୍ତ ଘଟଣା ଘଟିବାର ପ୍ରାୟ ତିରିଶ ବର୍ଷ ପରେ ପୁଣି ଶୁଖିଲା ପଡିଥିବା ମହାନଦୀରେ ଅଚାନକ ଆସିଲା ଆଉ ଗୋଟେ ମହାବନ୍ୟା। ଛତିଶଗଡ଼ର ଜଳଭଣ୍ଡାର ଗୁଡିକରୁ ଅବାରିତ ଜଳନିଷ୍କାସନ ହେବା ଫଳରେ ପରିସ୍ଥିତି ଅସମ୍ଭାଳ ହୋଇ ପଡିଲା ତ୍ରିକୋଣଭୂମି ଅଞ୍ଚଳରେ। ଗାଁ ଲୋକେ ନିଶ୍ଚିନ୍ତ ହୋଇ ଶୋଇଥିବା ବେଳେ ରାତି ଅଧରେ ପଥର ବୁରୁଜ ଘେରା ନଦୀବନ୍ଧରେ ବିରାଟ ଆକାରର ଘାଇ ସୃଷ୍ଟି ହୋଇ ବ୍ଯାପକ କ୍ଷୟକ୍ଷତି ଘଟାଇଲା ଅବବାହିକାରେ ଅବସ୍ଥିତ ତଳିଆ ଇଲାକାରେ। ଧୋଇ ନେଇଗଲା ସବୁକିଛି ଉଛୁଳା ପାଣିରେ। ଘରଦ୍ବାର, ଗୋରୁଗାଈ, ଧାନ, ପାନ, ମୀନ, ଫସଲଫୁସୁଲା ସବୁକିଛି ଛଡ଼ାଇ ନେଲା ଏଇ ଧୋୟା ଅଞ୍ଚଳବାସୀଙ୍କ ଠାରୁ। କେବଳ ଯାହା କିଛି ଜୀବନ ରକ୍ଷା ପାଇ ଯାଇଥିଲା ଈଶ୍ବରଙ୍କ କୃପାରୁ।
କିନ୍ତୁ ବଞ୍ଚିବା କାଠିକର ପାଠ ହୋଇପଡ଼ିଲା ବେଳକୁ ବେଳ। ଯେଉଁମାନେ ମୃତ୍ୟୁ ବରଣ କରିଥିଲେ ସେମାନେ ଏକପ୍ରକାର ତ୍ରାହି ପାଇ ଯାଇଥିଲେ ଜୀବନର ଜ୍ୱାଳାରୁ। ଯେଉଁମାନେ ପ୍ରାଣ ଧରି ଯେଣତେଣ ପ୍ରକାରେଣ ବଞ୍ଚିରହିଥିଲେ ସର୍ବସ୍ବ ହରାଇ ଅଣ୍ଟା ସଳଖ କରିବାରେ ଲାଗିଥିଲେ। କିନ୍ତୁ ସମ୍ବଳ ବିହୀନ ଜୀବନରେ ସୁଧାର ଆଣିବା ଏତେ ସହଜ ନଥିଲା। ବେଡି ଉପରେ କୋରଡା ମାଡ଼ ସଦୃଶ ଠିକ୍ ଏହି ସମୟକୁ ଦୂଷିତ ଜଳ ପାନକରିବା ହେତୁ ମହାମାରୀ ବ୍ଯାପିବା ଫଳରେ ଜୀଇଁ ଜୀଇଁ ମରିବାକୁ ବାଧ୍ଯ ହେଉଥିଲେ ଅନେକ। ଆଖି ଆଗରେ ଝରିଯାଉଥିଲା ଅମୂଲ୍ୟ ଜୀବନ ଚିକିତ୍ସା ଅଭାବରୁ।
ଅବଶ୍ୟ ତ୍ବରିତ ସରକାରୀ ଓ ବେସରକାରୀ ସାହାଯ୍ୟ କିଛି ମାତ୍ରାରେ ଏହି କଷ୍ଟ ଲାଘବ କରିବାକୁ ସହାୟକ ହୋଇଥିଲା। କିନ୍ତୁ ପରିସ୍ଥିତିରେ ସୁଧାର ଆସିବାକୁ ଅନେକ ଦିନ ଲାଗିଯାଇଥିଲା। ନିଷ୍ଠୁର ନିୟତିର ଦାରୁଣ ତାଡ଼ନାରେ ସର୍ବସ୍ବ ହରାଇଥିବା ପରିଣତ ବୟସ୍କ ସର୍ବାନନ୍ଦ ବାବୁ ଏବେ ନିଃସହାୟ ହୋଇ ଠିଆ ହୋଇଥିଲେ ରିଲିଫ୍ ଚାଉଳ କିଛି ନେବାକୁ ଧାଡ଼ିରେ। ସରକାରୀ ଗୋଦାମରୁ ଆସିଥିବା ପୋକରା ଗମରା ଚାଉଳ ବଣ୍ଟା ଚାଲିଥାଏ ସ୍କୁଲ ବାରଣ୍ଡାରେ। ସେତକ ପାଇଁ ସେ ଧୈର୍ଯ୍ୟଧରି ଅପେକ୍ଷା କରି ରହିଥିଲେ ନିଜର ପାଳିକୁ। ହେଲେ ଏ କଣ? ପାଳି ପଡ଼ିବା ପୂର୍ବରୁ କେହି ଜଣେ ତାଙ୍କୁ କହିଲା, "ମାଷ୍ଟ୍ରେ! ଆପଣଙ୍କର ନାମ ନାହିଁ ହିତାଧିକାରୀ ତାଲିକାରେ ମାନେ ବିପିଏଲ୍ ଲିଷ୍ଟରେ। ଆପଣଙ୍କୁ ମିଳିବ ନାହିଁ ରିଲିଫ୍... କାହିଁକି ତୁଚ୍ଛାଟାରେ ଠିଆ ହୋଇଛନ୍ତି ଧାଡ଼ିରେ?
: ହେଲେ ମୋ ନାଁ ତ ଭୋଟର ତାଲିକାରେ ଅଛି ନା। ମୁଁ ତ ଏଇ ଗାଁର ନିବାସୀ, ମୂଳ ନିବାସୀ...
: ଥିଲେ କଣ ହେବ ଆଜ୍ଞା... ଆପଣ ସରକାରୀ ଚାକିରିଆ ପରା। ସେଥିପାଇଁ ରିଟାର୍ଡ୍ ହେବା ପରେ ପେନସନ ପାଉଛନ୍ତି ମାସକୁ ମାସ। ଆପଣଙ୍କ କଥା ତ ସରକାର ସ୍ପେଶାଲ ଭାବେ ବୁଝୁଛନ୍ତି, ତେଣୁ ଏଇ ସବୁ ସରକାରୀ ଯୋଜନାର ହିତାଧିକାରୀ ତାଲିକାରେ ନାମ ନାହିଁ ଆପଣଙ୍କର। ଆପଣ ତ ମାଷ୍ଟର ଲୋକ, ଏକଥା କଣ ଅଜଣା ଆପଣଙ୍କୁ?
: ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ଚାକିରି କରିଥିବାରୁ କଣ ଆମକୁ ରିଲିଫ୍ ମିଳିବ ନାହିଁ? ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଆସୁଥିବା ରିଲିଫ୍ ପାଇଁ ବିପିଏଲ୍ ତାଲିକାଭୁକ୍ତ ହେବା କଣ ନିହାତି ଜରୁରୀ? ଯେଉଁମାନେ ସବୁ ଏଠି ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି ସେମାନେ କଣ ସମସ୍ତେ ବିପିଏଲ ତାଲିକାଭୁକ୍ତ ନା କେହି ବି ଜଣେ ସରକାରୀ ଚାକିରିଆ ସେମାନଙ୍କ ମଧ୍ୟରେ ନାହାଁନ୍ତି? ସବୁକିଛି ତ ଚାଲୁଛି ହେଲେ କେବଳ ମୋ ପାଇଁ ଏ ଅବିଚାର କାହିଁକି?
: ସେସବୁ କଥା ଆମକୁ ଜଣା ନାହିଁ। ଆମକୁ ଯାହା କୁହାଯାଇଛି ତାହା ଆମେ କହିଦେଲୁ। ଆପଣଙ୍କର ଯାହା ଜାଣିବାର ଅଛି ସେଠି ସରପଞ୍ଚ ଆଜ୍ଞା ବସିଛନ୍ତି ତାଙ୍କୁ ପଚାରନ୍ତୁ...
ଆଉ ଅଧିକ ଯୁକ୍ତି ନକରି ସର୍ବାନନ୍ଦ ବାବୁ ନିରେଖି ଚାହିଁଲେ ସରପଞ୍ଚ ମହାଶୟଙ୍କ ଆଡ଼କୁ। ଜିନ୍ସ୍ ଓ ଟି-ସାର୍ଟ୍ ପରିହିତ ଯୁବକଟିଏ ପାନଖିଆ ଦାନ୍ତ ଦୁଇଧାଡ଼ି ଦେଖାଇ ନିଶ ସାଉଁଳାଇ ନମସ୍କାର ଜଣାଇଲା ତାଙ୍କୁ। କିଛି କହିବାକୁ ଚାହୁଁଥିଲେ ମଧ୍ୟ କହି ପାରିଲେ ନାହିଁ ସେ। ଚୁପ୍ ଚାପ୍ ସେଠାରୁ ଘରକୁ ବାହୁଡ଼ି ଆସିଲେ କାନମୁଣ୍ଡା ଆଉଁଷି ଆଉଁଷି। କହିବା ବାହୁଲ୍ୟ ଯେ, ତିରିଶ ବର୍ଷ ତଳେ ସେହି ନିରାଶ୍ରୟୀ ମହିଳାଟିର ଶିଶୁ ପୁତ୍ର ଆଜିକାର ସରପଞ୍ଚ। ଗାଁ ମୁଣ୍ଡରେ ଥିବା ଅନାବାଦୀ ଗୋଚର ଜମିରେ ମାଆ ପୁଅ ଘର ଖଣ୍ଡେ କରି ପଡି ରହିଥିଲେ। ମାଆ ପର ଘରେ ପାଇଟି କରି ପେଟ ପୋଷୁଥିଲା ଦୁହିଁଙ୍କର। ଦିନେ ତାଙ୍କର ଛାତ୍ର ବି ଥିଲା ସେଇ ପିଲାଟି ଗାଁ ସ୍କୁଲରେ। ଯାହିତାହି ମ୍ଯାଟ୍ରିକ୍ ପାଶ୍ କରିଥିଲା ତୃତୀୟ ଶ୍ରେଣୀରେ। ସବୁକିଛି କାଲି ପରି ମନେ ଅଛି ସର୍ବାନନ୍ଦ ବାବୁଙ୍କର।
ସମୟକ୍ରମେ ପିତୃ ପରିଚୟହୀନ ପିଲାଟା ଗାଁ ଟାଉଟରଙ୍କ ହାତବାରିସି ହୋଇଗଲା। ଗୋଡାଣିଆ ହୋଇ ସେମାନଙ୍କ ପଛରେ ଗୋଡ଼ାଏ। ବୋଲହାକ କରେ ସେଇ ମହାମାନ୍ଯ ମାମଲତକାରମାନଙ୍କର। ସେମାନଙ୍କର ପ୍ରଦତ୍ତ କିଞ୍ଚିତ ଅର୍ଥରେ ଚଳନ୍ତି ମାଆ ପୁଅ। ଆଜିକାଲି ରାଜନୀତିର ମହାର୍ଘ ମାଧ୍ୟମରେ ସମାଜସେବା କରୁଛି ଗାଁରେ। ଦୁଃଖି ରଙ୍କୀ ମଣିଷଙ୍କ ହାନିଲାଭ ବୁଝୁଛି। ଜନ୍ମ ଠାରୁ ଆରମ୍ଭ କରି ମୃତ୍ଯୁ ପର୍ଯ୍ୟନ୍ତ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରୁଛି। ଅବଶ୍ୟ ଏଥିପାଇଁ ପାଇଁ କିଛିଟା ପାଉଣା ନେଉଛି ହାତ ଚିକ୍କଣ କରି। ଏଥିରୁ ସିଂହଭାଗ ତ ଯାଇଥାଏ ତାର ମାଲିକମାନଙ୍କ ପକେଟକୁ। ସେ ତ ଛାର ସଖୀକଣ୍ଢେଇଟିଏ ଏଇ ଚାଲାକ୍ ଚତୁର ଟାଉଟରଙ୍କ ହାତରେ।
ଗାଁ ଦୋମେଳିରେ କୌଣସି ପକ୍ଷଭୁକ୍ତ ନ ହୋଇ ଗୋଷ୍ଠୀ ନିରପେକ୍ଷ ରହିଥିବାରୁ ଭଲ ଭାବରେ ସର୍ବାନନ୍ଦ ବାବୁଙ୍କୁ ଗୁରୁ ଦକ୍ଷିଣା ଦେଉଛି ସରପଞ୍ଚ ସାଜିଥିବା ମେଞ୍ଚଡ ଟୋକାଟା ସର୍ବସମ୍ମୁଖରେ ଗାଁ ଦାଣ୍ଡରେ ଏପରି ଅପମାନିତ କରି ଚେଲା ଚାମୁଣ୍ଡାଙ୍କ ଦ୍ବାରା। ତିରିଶ ବର୍ଷ ତଳର ସେଇ ଘଟଣା ସଭିଙ୍କର ମାନସପଟରୁ ବିସ୍ମରଣ ଘଟିଥିଲା। ସେଦିନର ଅନାଥ ଶିଶୁପୁତ୍ର ଆଜି କ୍ଷମତା ନିଶାରେ ଚୁର୍ ଥିଲା ଆଉ ଭୁଲି ଯାଇଥିଲା ବଞ୍ଚିଯାଇଥିବା ତାର ପୈତୃକ ପ୍ରାଣଟା ଏଇ ମହାନୁଭବ ପୂଣ୍ୟାତ୍ମା ସର୍ବାନନ୍ଦ ବାବୁଙ୍କ ଅବଦାନ ଥିଲା ବୋଲି...!
