Padmalaya Padhy

Inspirational

4  

Padmalaya Padhy

Inspirational

ରିକ୍ସାବାଲା

ରିକ୍ସାବାଲା

5 mins
308



ରାସ୍ତାରେ ସବୁ ପ୍ରକାର ଯାନ ବାହନ ମିଳିଯିବ କିନ୍ତୁ ରିକ୍ସାଟିଏ ଦେଖିବାକୁ ମିଳିବ ନାହିଁ । ଆଜିକାଲି ପରିସ୍ଥିତି ସେମିତି ହେଲାଣି । ରିକ୍ସା ପ୍ରାୟ ଉଠିଗଲାଣି କହିଲେ ଚଳେ । ରିକ୍ସାବାଲା ମାନେ କିଏ କେଉଁଠି ଅନ୍ୟ ଧନ୍ଦା କରି ପେଟ ପୋଷିଲେଣି । ଯେଉଁ ଗୋଟେ ଦିଇଟା ରିକ୍ସା ଆଖିରେ ପଡେ ସେମାନେ ହୁଏତ ଅନ୍ୟ ଉପାର୍ଜନ ର ପନ୍ଥା ଜାଣି ନାହାନ୍ତି ଅଥବା ନିଜ ରିକ୍ସା ର ମାୟା ମୋହ କୁ ଛାଡି ପାରିନାହାନ୍ତି । ଆଜି ବସଷ୍ଟାଣ୍ଡ ରେ ରିକ୍ସାଟିଏ ଦେଖି ଅମିତା ର ମନେ ପଡିଗଲା ଦଶ ବର୍ଷ ତଳର ଗୋଟିଏ ଘଟଣା ।


ଗୋଟେ ବର୍ଷା ରାତି ପୁଣି ଖରାପ ରାସ୍ତା ରେ ଚାଲି କି ଯିବାର ଦୁର୍ଦ୍ଦଶା ସାଙ୍ଗକୁ ଠିକ ଠାକ ଘରେ ପହଞ୍ଚିବାର ଚିନ୍ତା ରେ ଅମିତା ଖୁବ ଜୋରରେ ପାଦ ପକାଇ ଚାଲୁଥିଲା ସେଦିନ । ପାଖପାଖି ଚାଳିଶ ମିନିଟ ର ରାସ୍ତା ଅତିକ୍ରମ କରିବାକୁ ପଡିବ । ସେଦିନ ପୁଣି ଷ୍ଟ୍ରାଇକ ଯୋଗୁଁ ଟାକ୍ସି କି ଅଟୋ ମିଳିବ ନାହିଁ । ଠିକ ଏତିକି ବେଳେ ପଛରୁ ଗୋଟେ ରିକ୍ସା ମା ମା ଡାକି ଘଣ୍ଟି ବଜାଇ ଆସୁଥିଲା । ଅମିତା ଠିକ କଲା ବରଂ ରିକ୍ସା ରେ ଚାଲି ଗଲେ ଭଲ ହେବ  । କିନ୍ତୁ ପଛକୁ ଚାହିଁବା ପରେ ଘୃଣା ରେ ଆଉ ଦ୍ଵିତୀୟ ଥର ଚାହିଁବାକୁ ଇଛା ହେଲାନି ତାକୁ  ।


ରିକ୍ସା ରେ ଚାରି ପାଞ୍ଚ ବର୍ଷ ର ପିଲାଟିଏ ନାକରୁ ଅଜସ୍ର ସିଂଘାଣି ବୁହାଇ ହାଫ ପ୍ୟାଣ୍ଟଟିଏ ପିନ୍ଧି ବସିଛି ଯାହାକୁ ରିକ୍ସାବାଲା ତା ପୁଅ ବୋଲି ଅତି ସରାଗରେ ଚିନ୍ହା ଦେଉଛି । ପିଲାଟି ତାରି ଆଡକୁ ଚାହିଁ ମୁଟୁ ମୁଟୁ ଦେଖୁଛି ପୁଣି । ଏ ପିଲା ସହିତ ସେ କେବେବି ଯାଇ ପାରିବ ନାହିଁ । ଯାହା ହେଲେ ହେଇ ଯାଉ ପଛକେ । ଚାହିଁବାକୁ ଘୃଣା ଲାଗୁଛି ତା ସହିତ ଲାଗି ଲାଗି ବସିବ ସେ ? ଦରକାର ନାହିଁ ସେ ଚାଲିକରି ପହଞ୍ଚି ଯିବ ।


ମନା କରିଦେଇ ଆହୁରି ଯୋରରେ ପାଦ ପକାଇ ଚାଲିବାକୁ ଆରମ୍ଭ କରୁଥିଲା । ହେଲେବି ରିକ୍ସାବାଲା ଟି ପାଖ ଛାଡ଼ୁନି । ଆଜି ବୋଧେ ଗରାଖ ନଥିବାରୁ କିଛି ଆଦାୟ ହୋଇନାହିଁ ତେଣୁ ଅମିତା ଠୁ ସୁଧ ମୂଳ ଅସୁଲ କରିବ ବୋଲି ଭାବିଛି । ବିରକ୍ତ ହେଲାଣି ଅମିତା । ସିଂଘାଣିନାକୁଆ ପିଲାଟି ତା ବାପା ପାଇଁ ସରଗ ର ଚାନ୍ଦ ହୋଇପାରେ ମାତ୍ର ତା ପାଇଁ ନୁହେଁ । ୟା ସହିତ ଅମିତା ଚାଳିଶ ମିନିଟ ବସିକରି ଯିବ ? ଛି ଛି ! କେମିତିକା ମା ଯିଏ ପିଲାଟିକୁ ସଫା ସୁତରା ରଖି ପାରୁନାହିଁ । ଧିକ ତା ଜୀବନ ! ଏମିତିଆ ସ୍ତ୍ରୀ ଲୋକ ଗୁଡିକ ମା ତ ହୋଇଯିବେ କିନ୍ତୁ ମା ର କର୍ତ୍ତବ୍ୟ କରିବେ ନାହିଁ । ଅଳସୁଇ କୋଉଠିକାର ! ଏମିତି ମନେ ମନେ ଗାଳି ଦେଇ ଅମିତା ଚାଲିଥିଲା ଓ ପଛେ ପଛେ ରିକ୍ସାବାଲା ବାପ ପୁଅ ଦୁଇ ଜଣ ।


ରିକ୍ସାବାଲା ଟି ବାରମ୍ବାର ବିରକ୍ତ କରିବାରୁ ପରିଶେଷରେ ମୁହଁ ଖୋଲି କହିବାକୁ ପଡିଥିଲା ।

--କାହିଁକି ପଛେ ପଛେ ଆସୁଛ ଭାଇନା ? ବାରମ୍ବାର କାହିଁକି ଡାକୁଛ ? ଜାଣୁ ନାହଁ କି ଆଜିକାଲି ରିକ୍ସା ର ଚାହିଦା ଆଉ ନାହିଁ ? ମୁଁ ଗୋଟେ ଅଟୋ କି ଟାକ୍ସି ଖୋଜୁଛି ମିଳିଲେ ଚାଲି ଯିବି । ତୁମେ ବରଂ ତୁମ ରାସ୍ତା ରେ ଯାଅ । ରିକ୍ସା ଦରକାର ନାହିଁ ମୋର ।


ଏମିତି କହିଲା ପରେ ଅମିତା ଚାଲିଥିଲା ଅସରନ୍ତି ରାସ୍ତା । ରାତି ସାଢେ ନ ହେଲାଣି । ଏତେ ରାତି ବାହାରେ ରହିବା ଠିକ ହେଲାନି । କିନ୍ତୁ କଣ କରିବ ସେ ? ନିଜର ବେଷ୍ଟ ଫ୍ରେଣ୍ଡ ର ଜନ୍ମଦିନ କୁ ସେ କଣ ଯାଇ ନଥାନ୍ତା କି ? ଆଉ ଭାବିଲେ କଣ ହେବ ଯାହା ହେବାର ହେଲାଣି ଛାଡ଼ ।

ଆଉ ମାତ୍ର ପନ୍ଦର ମିନିଟ ର ରାସ୍ତା । ଘର ପାଖ ହୋଇ ଆସିଲାଣି । ପାଖରେ ଦୁଇ ଚାରୋଟି ଝୁମ୍ପୁଡ଼ି ଅଛି । ତେଣୁ କିଛି ଅସୁବିଧା ହେଲେ ସାହାଯ୍ୟ ମିଳି ପାରିବ ବୋଲି ଆଶା । ଠିକ ଏଇ ସମୟରେ ଗୋଟେ ଘର ର ତାଟି କବାଟ ଖୋଲି ଯାଇଥିଲା । ଅମିତା ଯିବା ଆସିବା କଲା ବେଳେ ସେଠାରେ ଆଜି ଯାଏଁ କାହାକୁ ଦେଖି ଥିବାର ମନେ ପଡୁନି । ଲୋକଟିଏ ପଚାଶ ରୁ ପଞ୍ଚାବନ ବର୍ଷ ପାଖାପାଖି ହେବ ବାହାରି ଆସିଲା ଓ ଅମିତା ର ପାଖକୁ ଲାଗି ଚାଲିବାକୁ ଆରମ୍ଭ କରିଥିଲା । ବୋଧେ ପିଇଛି କି କଣ । ଦୁର୍ଗନ୍ଧ ରେ ଖଣ୍ଡ ମଣ୍ଡଳ କମ୍ପିଲାଣି ।

ଅମିତା ଆଉ ଅଧିକ ବେଗରେ ଚାଲି ପାରିବ ନାହିଁ । ପ୍ରଚୁର ପିଇବା ସତ୍ତ୍ୱେ ଲୋକଟି ଭାରସାମ୍ୟ ହରାଉ ନାହିଁ ତ । ଧରି ପକାଇବକି ?


ଯଦି ପାଟି କରିବ ତେବେ ସେ ଆହୁରି ଉଗ୍ର ରୂପ ଧାରଣ କରିବ । ପାଖରେ କିଛି ବି ନାହିଁ ଯାହା ତାକୁ କିଛି ସେକେଣ୍ଡ ପାଇଁ ହେଲେ ବି ସୁରକ୍ଷା ପ୍ରଦାନ କରିବ ।

ଲୋକଟି ପାଖକୁ ଲାଗି ଆସିଲାଣି । ମଣିଷ ଜଣେ କେହି ନାହାନ୍ତି କି କୋଉ ଭଗବାନ ଙ୍କ ନାଁ ବି ମନେ ପଡୁନି ଏବେ । ଦୂରରୁ ଟିଙ୍ଗ ଟିଙ୍ଗ ଘଣ୍ଟି ପୁଣି ଶୁଭୁଛି । ରିକ୍ସାବାଲାଟିର ଲୋଭ କମୁନାହିଁ । ମଣିଷ ଏତେ ହୀନସ୍ଥା ହେଲା ବେଳକୁ ୟାକୁ ୟାର ଭଡା ଚିନ୍ତା ଲାଗିଛି । ସିଂଘାଣିନାକୁଆ ପିଲାଟି ପାଇଁ ବାପ କୁ ତାର ମୋଟା ରକମ ର ଭଡା ଦରକାର । ଯେତେ ପଇସା ମିଳିଲେ କଣ ହେବ ଏମାନେ ଏମିତି ଗନ୍ଧିଆ ଓ ଅପରିଚ୍ଛନ୍ନ ରହିବେ ହିଁ ରହିବେ ।


ରିକ୍ସା ଟି ପାଖେଇ ଆସିଲାଣି । ଏବେ ଅମିତା ଓ ସେ ମଦୁଆ ଭିତରେ ବ୍ୟବଧାନ ବି କମି ଆସିଲାଣି । ଏ ଦୁଇ ଜଣକ ମଧ୍ୟରେ ରିକ୍ସା ଟି ଆସିବାକୁ ଚେଷ୍ଟା କରୁଛି । ହଠାତ ସିଂଘାଣିନାକୁଆ ପିଲାଟି ଖପା ଖପ ରିକ୍ସା ରୁ ତଳକୁ ଡେଇଁ ପଡ଼ିଲା । ମଦୁଆ କିଛି ବୁଝିବା ଆଗରୁ ପିଲାଟି ତାର ପେଟ କୁ ଦି କେଞ୍ଚା ଦେଲା । ମଦୁଆ ଭାରସାମ୍ୟ ହରାଇ ଘିରି ଘିରି ଚାରି ଘେରା ଘୁରି ତଳେ କଚାଡି ହୋଇ ପଡିଲା । ପଡିଲା ପରେ ବୋଧେ ଆଖି ଖୋଲିବା ଅବସ୍ଥା ରେ ସେ ଆଉ ନଥିଲା । ରିକ୍ସା ରୁ ଓଲ୍ହାଇ ରିକ୍ସାବାଲାଟି ଠିଆ ହୋଇ ଅମିତା କୁ ଏଥର ନିଶ୍ଚିନ୍ତ ରେ ଚାଲିଯିବାକୁ ଠାରିଲା ।

ଅମିତା ପଚାରିଲା

-- ଭାଇନା ଶିଖର କଲୋନୀ କେତେ ନେବ ?

ଏହା କହି ଉତ୍ତରକୁ ଅପେକ୍ଷା ନକରି ସିଧା ଯାଇ ରିକ୍ସା ରେ ଚଢି ଗଲା । ସିଂଘାଣିନାକୁଆ ପିଲାଟି ତଳେ ଠିଆ ହୋଇଛି । ତା ବାପ କହୁଛି ଘରକୁ ଚାଲି ଯିବା ପାଇଁ । ଅମିତା ପିଲାଟିକୁ ଉପରକୁ ଡାକିଲା । ପିଲାଟି ସନ୍ତର୍ପଣ ରେ ଚଢିଲା ରିକ୍ସା ଉପରେ । ଏବେ ପିଲାଟି ଆଉ ଅମିତା କୁ ଅସନା ଅପରିଷ୍କାର ଲାଗୁ ନଥିଲା । ତାର ର ଗୋଟିଏ ଡାକରେ ସ୍ନେହ ରଂକୁଣା ପିଲାଟି ତା କୋଳକୁ ଡେଇଁ ପଡିଲା । ରିକ୍ସାବାଲା ବାପା ଅମିତା କୁ ଦୋଷ କଲାଭଳି କୈଫିୟତ ଦେବାରେ ଲାଗିଥିଲା ।


--ମା ନାହିଁ ତ ତାର ଯିଏ ଟିକିଏ ଭଲରେ କଥା ଦିପଦ କହି ଦେଲେ ଇଏ ତା ଆଡେ ମୁହାଇଁ ଯାଏ । ୟାକୁ ଦୁଇ ବର୍ଷ ହୋଇଥିଲା ମୋ ସ୍ତ୍ରୀ ମୋତେ ଛାଡି ସବୁ ଦିନ ପାଇଁ ଭଗବାନଙ୍କ ପାଖକୁ ଚାଲିଗଲା । ରିକ୍ସା ଚଲାଇବା ସାଙ୍ଗରେ ପିଲାଟାର ବି ଧ୍ୟାନ ରଖିବାକୁ ହୁଏ ମା ! ଜନ୍ମ ରୁ ପୁଅ ମୋର ମୁକ ବଧିର । କାଳେ କେଉଁ ପିଲାଚୋର ହାବୁଡ଼ରେ ପଡ଼ିଯିବ ବୋଲି ମୁ ସବୁ ଆଡେ ସାଙ୍ଗରେ ନିଏ । କିନ୍ତୁ ବେଳେ ବେଳେ ଗରାଖ ମାନେ ବିରକ୍ତ ହୁଅନ୍ତି । ଘୃଣା କରନ୍ତି ତାକୁ । ସମସ୍ତଙ୍କ ପାଖେ ତ ଆଉ ତୁମ ଭଳିଆ ଦରଦୀ ହୃଦୟ ନାହିଁ ନା !!


ସେତେବଳେ ତାକୁ ଘରେ ପୁରାଇ ବାହାରୁ ତାଲା ପକାଇ ଦେଇଯାଏ । ଘରେ ଏକୁଟିଆ ରହିବାକୁ ବି ତାର ପୁଣି ଭାରି ଡର । ଥରେ ତ କାନ୍ଦି କାନ୍ଦି କି ବେହୋସ ହୋଇ ଯାଇଥିଲା । କଣ କରିବି କୁହ । ୟାକୁ ଜଗି ବସିଲେ ଖାଇବାକୁ କିଏ ଦେବ ? ପୁଣି ୟାକୁ ଯଦି କିଏ ଧରି ନେଇଯିବ ମୋର ଆଉ କିଏ ଅଛି କୁହ ?


ଏତକ କଥାବାର୍ତ୍ତା ଭିତରେ ଅମିତା ର ଘର ଆସି ଯାଇଥିଲା । ରିକ୍ସାବାଲା ଠୁ ବେଶି ତା ପୁଅ ପାଖରେ ସେ ସାରା ଜୀବନ ପାଇଁ ୠଣୀ ରହି ଯାଇଥିଲା । ତହିଁ ପରଦିନ ହିଁ ଅମିତା ରିକ୍ସାବାଲାଟିକୁ ଆସିବା ପାଇଁ କହିଥିଲା । ମୁକ ବଧିର ସ୍କୁଲ ରେ ତା ପୁଅର ଆଡ଼ମିସନ ଓ ଅନ୍ୟାନ୍ୟ ଖର୍ଚ୍ଚ ବୁଝିବାକୁ ହେବ । ପିଲାଟି ଅମିତା ର ତତ୍ତ୍ୱାବଧାନ ରେ କାଲିଠୁ ସ୍କୁଲ କୁ ଯିବ ।


ପରଦିନ ପିଲାଟିର ସ୍କୁଲ ରେ ନାଁ ଲେଖା ହେଲା । ଅଇଁଠୁ, ଘୋଡ଼ିଆ ଓ ପିଲୁ ଇତ୍ୟାଦି ସାହି ରେ ଦିଆ ଯାଇଥିବା ଅସଂଖ୍ୟ ନାଁ ବଦଳରେ ତାକୁ ଚନ୍ଦ୍ରମୋହନ ନାମରେ ନାମିତ କରା ହୋଇଥିଲା । ଅମିତା ର ଜୀବନ ଯାକର ପୁଣ୍ୟ ଗୋଟେ ଥରରେ ବୋଧେ ମିଳି ଯାଇଥିବ ।

ଅମିତା କୁ ଲାଗୁନି ଯେ ଏହି ପିଲାଟି କଥା କହି ପାରୁନି କି ଶୁଣି ପାରୁନି । ଅମର ଆଖି କାନ ନାକ ସବୁ ଠିକ ଥାଇକି ବି ଏତେ ବୁଦ୍ଧି ଶୁଦ୍ଧି ଓ ମଣିଷପଣିଆ ଅଛି କି ? କିଏ କହିଲା ପିଲାଟି ମୁକ ବଧିର ? ମୁକ ବଧିର ତ ଆମେ ମାନେ ଯେଉଁ ମାନେ କି ଅନ୍ୟର ଅସୁବିଧା ଦେଖି ତାକୁ ଭୋଗିବାକୁ ଛାଡ଼ିଦେଇ ମୁହଁ ଫେରାଇ ଚାଲିଯାଉ ନହେଲେ ରେକର୍ଡିଙ୍ଗ କରି ସୋସିଆଲ ମିଡ଼ିଆ ରେ ବାହାବା ନେଉ । ଆମେ ସେଭଳି ହୃଦୟବାନ ଅଟୁ କି ? ଅମିତା ମନେ ମନେ ଲଜ୍ଜିତ ହେଉଥିଲା । ମା ଛେଉଣ୍ଡ ପିଲାଟି ଏତେବଡ ହୃଦୟ ର ଅଧିକାରୀ । ଅମିତା ଭଳି ଯେଉଁ କେତେକ ଲୋକ ଚେହେରା ଦେଖି ମଣିଷ ର ପରଖ କରନ୍ତି ଏମିତିଆ ପିଲା ମାନେ ସେଇ ମାନଙ୍କ ପାଇଁ ଗୋଟେ ଗୋଟେ ଶକ୍ତ କୁଠାରାଘାତ ସଦୃଶ ।

ଚନ୍ଦ୍ରମୋହନ ଅମିତାକୁ ଚାହିଁ ହସି ପକାଇଲା । ହୁଏତ ଅମିତା ପାଖରେ ତା ମା ର ସତ୍ତା କୁ ଉପଲବ୍ଧି କରୁଥିଲା ।


Rate this content
Log in

Similar oriya story from Inspirational