STORYMIRROR

Namita Pal

Tragedy

4  

Namita Pal

Tragedy

ରେବି

ରେବି

3 mins
262

ଗାଁ ସାରା ଆଜି ରେବିର ଚର୍ଚ୍ଚା। ମିଶ୍ର ବୁଢ଼ୀ ଆଖିରୁ ଲୁହ ଢ଼ାଳି ରେବି ରେବି କହି ବୋବାଳି ଛାଡୁଥାଏ। ସମସ୍ତଙ୍କ ମୁହଁରେ ଆଜି ଗୋଟିଏ ନାଁ ରେବି। ସକାଳ ପହରୁ ମିଶ୍ର ବୁଢ଼ୀ ଘର ଚାରିପଟେ ଗାଁ ସାରା ଲୋକ ଆସି ରୁଣ୍ଡ ହୋଇଛନ୍ତି। କାହା ହାତରେ ବାଲଟି ଟିଏ ତ କାହା ହାତରେ ଢାଳ ଟିଏ। ଭୋରରୁ ଏହି ନିଆଁ ନିଆଁ ଚିତ୍କାର ଶୁଣି ଯିଏ ଯାହା ପାଇଛନ୍ତି ନେଇ ଦୌଡି ଆସିଛନ୍ତି। ଯା ହେଉ ଗାଁ ଲୋକଙ୍କ ସହାୟତାରେ ନିଆଁକୁ କାବୁ କରିହେଲା। ନୋହିଲେ ଦମକଳ ଗାଡ଼ିକୁ ଡକେଇବାକୁ ପଡ଼ିଥାନ୍ତା। ସେ ପୁଣି ଏଠାରୁ ପଚାଶ କିଲୋମିଟର ଦୂରରେ ଅଫିସ୍। ସିଏ ଆସି ପହଞ୍ଚିଲା ବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥାନ୍ତା। ଘରଟା ଅଧାରୁ ବେଶି ପୋଡ଼ି ହୋଇଯାଇଛି। ଜିନିଷ ପତ୍ର କିଛି ବଞ୍ଚି ଯାଇଛି। ପୁରୁଣା ଟାଇଲଛପର ଫେର ଘର । ଘର ପଛ ପଟେ ଛୋଟ ଗୁହାଳ। ଗୁହାଳରେ ଗାଈ ବାଛୁରୀ ମିଶି ତିନଟି। ତାରି ପାଖରେ ଗୋଟେ ବଖରା ଚାଳଘରେ ରହୁଥିଲା ରେବି। ନିଆଁରୁ ସମସ୍ତେ ବର୍ତ୍ତି ଗଲେ ଗାଈ ବାଛୁରୀ, ମିଶ୍ର ବୁଢ଼ୀ। ଯଦି କେହି ରହିଲାନି ସେ ହେଉଛି ରେବି। କିଏ ଏହି ରେବି ? ଏଇ ଘର ସହିତ ତାର ସମ୍ପର୍କ କ'ଣ ? ମିଶ୍ର ବୁଢ଼ୀ ସହିତ ତାର କ'ଣ ସମ୍ପର୍କ ? ରେବି ର ଆତ୍ମକଥା ଲେଖିବାକୁ ହେଲେ ରେବି ସହିତ ଏକାତ୍ମ ହେବାକୁ ପଡ଼ିବ। ରେବି ! ରେବତୀ ହେତୁ ପାଇଲା ଦିନୁ ସେ ଏଇ ନାଁ ହିଁ ଶୁଣି ଆସିଛି। ହଁ କେବଳ ରେବତୀ ସାଙ୍ଗିଆ କିଛି ନାହିଁ। ମାଆକୁ ବହୁତ ଥର ପଚାରିଛି। ମାଆ କେବଳ ଚୁପଚାପ୍ ମୁହଁକୁ ଚାହେଁ କିଛି କୁହେ ନାହିଁ। ରେବିର ମାଆ ସୁଲୋଚନା। ନାଁ ଯେମିତି ଦେଖିବାକୁ ବି ସେମିତି ଗୋଲ ଚାନ୍ଦ ପରି ମୁହଁରେ ସୁନ୍ଦର ଟଣା ଟଣା କଥାକୁହା ଆଖି ଯୋଡିଏ। କୁଳିନ ବ୍ରାହ୍ମଣ ଘରର ଝିଅ, କିନ୍ତୁ କ'ଣ କରିବ ଗୋଟିଏ ଗଉଡ଼ ଘରର ପୁଅକୁ ହୃଦୟ ଦେଇ ବସିଲା। ପିତା,ମାତାଙ୍କର ଶତ ବାରଣ ସ୍ବତ୍ତେ ଦିନେ ସେଇ ଗଉଡ଼ ପୁଅକୁ ମନ୍ଦିରରେ ବିବାହ କରି ଗାଁ ଛାଡ଼ି ଚାଲିଆସିଲା ,ଆଉ ସାଥିରେ ନେଇଆସିଲା ପିତାଙ୍କ ଅଭିଶାପ' ତୁ କଦାପି ସୁଖରେ ରହିପାରିବୁନି '। ବୋଧହୁଏ ଅଭିଶାପ ଫଳିଗଲା। ବାହାଘରର ତିନିବର୍ଷ ପରେ ହଠାତ୍ ଅଜଣା ଦୁରାରୋଗ୍ଯ ବ୍ଯାଧିରେ ସୁଲୋଚନାର ସ୍ବାମୀ ଚାଲିଗଲେ। ବିଧବା ନିରାଶ୍ରୟା ସୁଲୋଚନା ସାଥିରେ ଗୋଟିଏ ବର୍ଷର ରେବିକୁ ନେଇ ଏଇ ମିଶ୍ର ବୁଢ଼ୀ ଘରେ ଆଶ୍ରୟ ନେଲା। ସେତେବେଳେ ବୁଢ଼ା ମଧ୍ଯ ବଞ୍ଚିଥିଲା। ବୁଢ଼ୀର ଦୁଇ ପୁଅ ବାହାରେ ରହୁଥିଲେ। ଘରର ଯାବତୀୟ କାମ, ଗାଈ ,ଗୋରୁଙ୍କ ସେବା ସାଙ୍ଗକୁ ବୁଢ଼ା ବୁଢ଼ୀଙ୍କ ଦେଖାଶୁଣା ସବୁ ସୁଲୋଚନାକୁ କରିବାକୁ ପଡୁଥିଲା। ବୁଢ଼ା ଯିବା ପରେ ଘରର ସବୁ ଦ୍ବାୟିତ୍ବ ସୁଲୋଚନା ଉପରେ ଥିଲା। ବୁଢ଼ୀ ସୁଲୋଚନା ଆଉ ରେବିକୁ ବହୁତ ସ୍ନେହ କରୁଥିଲା। ଏମିତି କିଛିବର୍ଷ ପରେ ଯେତେବେଳେ ରେବିକୁ ଦଶ ବର୍ଷ ହୋଇଥାଏ, ସୁଲୋଚନାକୁ କି ଜ୍ବର ହେଲା କେଜାଣି ଜ୍ବର ଆଉ ଛାଡିଲାନି। ଦିନେ ରେବିକୁ ଏକୁଟିଆ କରି ମାଆ ବି ଆରପାରିକୁ ଚାଲିଗଲା। ମାଆ ଚାଲିଗଲା ପରେ ରେବି ପୁରା ଏକୁଟିଆ ହୋଇଗଲା। ଧିରେ ଧିରେ ଘରର ସବୁ କାମ କରିବା ଶିଖିଗଲା। କିନ୍ତୁ ସୁଲୋଚନା ଗଲାପରେ କାହିଁକୀ କେଜାଣି ମିଶ୍ର ବୁଢ଼ୀ ରେବି ଉପରେ ସବୁବେଳେ ଗରଗର ହେଲା। କିଛି ଦରକାର ହେଲେ ରେବିକୁ ଡାକ ଛାଡିଥିବ ' ଲୋ ରେବତୀ,ଲୋ ରେବି,ଲୋ ନିଆଁ, ଲୋ ଚୂଲି କୁଆଡେ ଗଲୁଲୋ ପୋଡ଼ାମୁହିଁ '। ରେବି ବୁଢ଼ୀ କଥାରେ ମନ ଦୁଃଖ କରେ ,ସତରେ ତାର କପାଳ ପୋଡ଼ା। ଧିରେ ଧିରେ ରେବି ଘର କାମ ଓ ରୋଷେଇରେ ପାରଙ୍ଗମ ହୋଇଗଲା। ଗାଁରେ କାହାଘରେ ବାହାଘର ,ପୁନେଇ ପରବ , ଓଷା ବ୍ରତ, କୁଣିଆଁ ଆସିଲେ ଷଠୀଘର ଏକୋଇଶା ସବୁଠି ରେବୀକୁ ଲୋଡା ହୁଏ। ରେବୀ ନୋହଲେ ଏତେ କାମ କିଏ କରିବ। ସାମନାରେ ସମସ୍ତଙ୍କର ଅତି ଆଦରର ରେବୀର ଅଧାପୋଡ଼ା ନିଷ୍ପ୍ରାଣ ଶରୀର ପଡ଼ି ରହିଛି। ହଁ ଆଜି ଭୋରରୁ ହଠାତ୍ ବୁଢ଼ୀର ଲୋ ରେବି,ଲୋ ନିଆଁ ଡାକରେ ରେବିର ନିଦ ଭାଙ୍ଗିଗଲା ସେ ଦେଖିଲା ଘରେ ନିଆଁ ଲାଗିଯାଇଛି। ସାହସ କରି ନିଜ ଜୀବନକୁ ପାଣି ଛଡ଼େଇ ସେ ଘର ଭିତରକୁ ଯାଇ ବୁଢ଼ୀକୁ ଟାଣି ଟାଣି ଆଣିଲା ବେଳେ ଛାତର ନିଆଁଲଗା କାଠଟି ତା ଉପରେ ପଡିଗଲା। ବୁଢ଼ୀକୁ ଆଗକୁ ଠେଲିଦେଲା କିନ୍ତୁ ନିଜେ ସେ ନିଆଁ ଘେରରେ ପଡିଗଲା। ଗାଁ ଲୋକେ ଆସି ନିଆଁ ଲିଭାଇଲେ, କିନ୍ତୁ ରେବତୀ ଆଉ ନଥିଲା। ଗାଁ ଲୋକେ ରେବିର ଅନ୍ତିମ ସଂସ୍କାର କରିଥିଲେ। ମିଶ୍ର ବୁଢ଼ୀର ଲୋ ରେବି ଲୋ ନିଆଁ ଆଜି ମୁଠଏ ପାଉଁଶରେ ପରିଣତ ହୋଇଯାଇଥିଲା। ସବୁ ଦୁଃଖ, ଶୋକରୁ ମୁକ୍ତ ରେବିର ଆତ୍ମା ସୌଭାଗ୍ଯରେ ପରିପୂର୍ଣ୍ଣ ନୂତନ ରେବତୀର ରୂପ ନେଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Tragedy