Jyotiranjan Sahu

Tragedy

3  

Jyotiranjan Sahu

Tragedy

ରାସ୍ତାର ଏପାଖ ସେପାଖ

ରାସ୍ତାର ଏପାଖ ସେପାଖ

3 mins
495



ଆଜି ମୁଁ କୌଣସି କାହାଣୀ କହୁନାହିଁ । ଆଜି ମୁଁ ଲେଖୁଛି ମୋର ଭିନ୍ନ ଏକ ଅନୁଭୂତି । ମୋ ନିଜ ଅନୁଭୂତି ; ଯାହା ମୁଁ ଅନୁଭବ କଲି ବିଗତ ଗୋଟିଏ ଘଟଣାରୁ । ଘଟଣାତ କୁହାଯିବ ନାହିଁ ; ଥିଲା ଗୋଟିଏ ଦୁର୍ଘଟଣା । ଏବେ ପ୍ରାୟ ସମସ୍ତେ ଟିଭି ଆଉ ପେପର ପଢି ଜାଣିସାରିଥିବେ ପୁରୀର ଜଣେ ରେଲୱେ ଡାକ୍ତରଙ୍କ ପତ୍ନୀ ସୁଜାତା ସାହୁଙ୍କ ମର୍ମନ୍ତୁତ ମୃତ୍ୟୁ ଖବର । ସେହି ସୁଜାତା ସାହୁ ମୋର ସବୁଠାରୁ ସାନ ମାଉସୀ । ମୁଁ ଯେତିକି ଜାଣିଛି ସେ ଖୁବ୍ ଖୋଲା ହୃଦୟର, ସ୍ନେହୀ ଆଉ ମେଳାପି । ମୁଁ କିନ୍ତୁ କରିପାରିନାହିଁ ତାଙ୍କ ଶେଷ ଦର୍ଶନ । ନିକଟରେ ପହଞ୍ଚି ମଧ୍ୟ ସମ୍ପର୍କୀୟଙ୍କ ଠାରୁ ମୃତ୍ୟୁର ବିଭତ୍ସତା ବିଷୟରେ ଶୁଣି ଆଉ ସାହସ କରିପାରିଲି ନାହିଁ ତାଙ୍କୁ ଦେଖିବା ପାଇଁ ।


ସାମାନ୍ୟ ଗୋଟିଏ ଇଞେକସନ୍ କୁ ଡରୁଥିବା ମୋଭଳି ଜଣେ ଲୋକ କେମିତି ତାଙ୍କର ସେ ମୃତ ଶରୀରକୁ ଦେଖିବାର ସାହସ ଜୁଟାଇପାରିଥାଆନ୍ତା ! ଥାଆନ୍ତା କି ମୋପାଖରେ ଏପରି କିଛି ଶକ୍ତି ଯେ ମୁଁ ତାଙ୍କୁ ଦେଖିଦେଲେ ସେ ପୁଣିଥରେ ଆଖିଖୋଲି ଦେଖିପାରନ୍ତେ ! ତାହାହେଲେ ମୁଁ ନିଶ୍ଚୟ ମନରେ ସାହସ ବାନ୍ଧି ମାଉସୀଙ୍କୁ ଥରେ ଦେଖିଥାଆନ୍ତି ।ହେଲେ ମୁଁ ତ ସେ ବଡ ଦେଉଳର ଅଧଗଢା ଅସହାୟ ଠାକୁର ଠାରୁ ମଧ୍ୟ ଆହୁରି ଅସହାୟ । ତେଣୁ ଦୁଃଖର ଅଶ୍ରୁକୁ ଆଖିର କେଉଁ ଏକ ଗଭୀରତମ ସ୍ଥାନରେ ସମାଧି ଦେଇ ମୁଁ ପାଲଟିଯାଇଥିଲି ଗୋଟିଏ ଅନୁଭବିଶୂନ୍ୟ ମନୁଷ୍ୟ । ଚୁପଚାପ ଅନୁଧ୍ୟାନ କରୁଥିଲି ପରିସ୍ଥିତିକୁ । ପୋଲିସର ତର୍ଜମା ଆଉ ତାପରେ ପୋଷ୍ଟ ମୋର୍ଟମ୍ ; ଆଉ ଏହାପରେ ମାଉସୀଙ୍କ ଚରିତ୍ରର ଏହି ଧରାଧାମରେ ଅଭିନୟର ଶେଷଦୃଶ୍ୟ । ସ୍ଥାନଟା ସେଇଠି ଯେଉଁଟା ଏ ସଂସାର ର ପ୍ରତ୍ୟେକ ଅଭିନୟରତ ଚରିତ୍ର ଗୁଡାର ଶେଷ ଆଉ ସ୍ଥାୟୀ ଠିକଣା । ମାନେ ସ୍ବର୍ଗଦ୍ବାର । ବେଳେବେଳେ ଭାବେ ସରକାର ମଧ୍ୟ ସମସ୍ତଙ୍କ ଆଧାର କାର୍ଡ ର ପରମାନେଣ୍ଟ ଏଡ୍ରେସ୍ ରେ ଏହି ଠିକଣାଟା ଲେଖୁଥିଲେ ଭଲହୋଇଥାଆନ୍ତା ; ଅତି କମ୍ ରେ ଲୋକଙ୍କ ମନରେ ଅର୍ଥ ପଦପଦବୀ କୁ ନେଇ ଥିବା ଅହଂ ଭାବଟାତ ମରିଯାଆନ୍ତା । ସେଦିନ ସେହି ସ୍ଥାୟୀ ଠିକଣାରେ ଯବନିକା ପଡିବାକୁ ଯାଉଥାଏ ମୋ ସାନ ମାଉସୀଙ୍କର । ମୋର ତଥା ମୋପରି ସେଠାରେ ଉପସ୍ଥିତ ସମ୍ପର୍କୀୟଙ୍କ ମନରେ ତାଙ୍କ ଅନୁପସ୍ଥିତି ଆଉ ଅଭାବର ପ୍ରଭାବ କେତେ ପରିଲିକ୍ଷିତ ହେଉଥାଏ ସେକଥା ମୁଁ କହିପାରିବିନି କିନ୍ତୁ ମାଉସୀଙ୍କ ନବମ ଶ୍ରେଣୀ ପଢୁଥିବା ସାନ ପୁଅ ଶୁଭମ୍ ର " ମା'ଲୋ ତୁ କୁଆଡେ ଗଲୁ ଲ ମା-ଆ-ଆ... ଏ .. ମା-ଆ-ଆ-ଆ "ର ଶବ୍ଦଗୁଡା ମୋ ହୃଦୟକୁ ଖଣ୍ଡଖଣ୍ଡ କରିପକାଉଥାଏ ।


ସେଦିନ ପୁରୀ ସ୍ବର୍ଗଦ୍ବାରରେ ସେଇଟା ଥିଲା ମୋର ପ୍ରଥମ ଉପସ୍ଥିତି । ସେଦିନ ସେଠାକାର ଦୃଶ୍ୟ ଥିଲା ଜୀବନରେ ସ୍ବର୍ଗଦ୍ବାର ପରିବେଶ ବିଷୟରେ ମୋ ଧାରଣା ର ପ୍ରଥମ ଅନୁଭୂତି । ଚାରିଆଡେ ଚିତାର ଅଗ୍ନିଶିଖା ; ପବନରେ ଚିତାଭସ୍ମର ରାଜତ୍ବ ଆଉ ପରିବେଶରେ ଖେଳୁଥାଏ ଆର୍ତ୍ତଚିତ୍କାର । ଲାଗୁଥାଏ ଯେମିତି ଶୀଘ୍ର ଏହି ଘୃଣ୍ୟ ପୃଥିବୀରୁ ବିଦାୟ ନେବାକୁ ଶବକଂ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ସତେଯେପରି ସେହି ମୃତ ମଣିଷଗୁଡା ଜୀବିତ ମଣିଷଗୁଡିଙ୍କୁ ଦେଖାଇଦେଉଥାଆନ୍ତି ତାଙ୍କ ଭବିଷ୍ୟତ । ସେହି ପରିବେଶରେ ମନଟା ମୋର ଭାରାକ୍ରାନ୍ତ ହୋଇପଡିଲା । ସ୍ବର୍ଗଦ୍ବାର ମଧ୍ୟଦେଇ ଯାଇଥିବା ରାସ୍ତାରେ ମୁଁ ଚାଲିଲି ସମୁଦ୍ର କୂଳ ରାସ୍ତାକଡ ପାଚେରୀରେ ଟିକିଏ ବସିବା ପାଇଁ । ଭାରାକ୍ରାନ୍ତ ମନର ଭାରାକୁ ଟିକିଏ ଲାଘବ କରିବା ପାଇଁ । ଉତ୍ତପ୍ତ ଚିତାର ଜ୍ବାଳାରୁ ଏ ଶରୀରକୁ ଟିକିଏ ଶିତଳତା ଦେବାପାଇଁ ।


ସେଦିନ ସେହି ମେଘୁଆ ଆକାଶ ତଳେ ଶୀତଳ ପବନଟା ପୁଣିଥରେ ମୋତେ ଭାବୁକଟିଏ କରିଦେଲା । ମୁଁ ଦେଖୁଥାଏ ରାସ୍ତାର ଗୋଟିଏ ପାଖରେ ସୁଉଚ୍ଚ ସମୁଦ୍ର ଲହରୀ । ଲହରୀ ସହ ତାଳଦେଇ ହସୁଥାଏ ଜୀବନ । ଲାଗୁଥାଏ ଜୀବନଟା କେତେ ସୁନ୍ଦର କେତେ ମନୋରମ କେତେ ଶୀତଳ । ଚାରିଆଡେ ଖେଳିବୁଲୁଥାଏ ହସ ଆଉ ଆନନ୍ଦ । ଲାଗୁଥାଏ ଯେପରି ସେହି ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଉପରେ ବିଛାହୋଇଛି ଆନନ୍ଦ ଆଉ ଅଭିଳାଷି ସ୍ବପ୍ନ ରୂପି ଗୋଲାପର ଶେଯ । ଯାହାକୁ ଦେଖି ଲାଗୁଥାଏ ଏ ମଣିଷଟା ବଞ୍ଚୁଥାଆନ୍ତାକି ସମୟର ଦୂର ଦିଗବଳୟ ପର୍ଯ୍ୟନ୍ତ ଯେଉଁଠାରେ ଏକାକାର ହେଉଛି ବିଶାଳ ଅମ୍ବର କୁ ପୁଣି ବିଶାଳ ସାଗର । ହଠାତ୍ ଶ୍ବାସରେ ପ୍ରବେଶ କଲା ପୋଡା ମାଂସର ଗନ୍ଧ । ସ୍ବତଃ ଆଖି ଚାଲିଗଲା ରାସ୍ତାର ଆର ପାଖକୁ ଯେଉଁଠି ଅଦିନରେ ଆଉ ଅସମୟରେ ଝଡି ପଡିଥିବା ଶୂଭ୍ର ପାରିଜାତଟା ଶୋଇଥାଏ ଚିତାର ରକ୍ତିମ ଶେଯଟା ଉପରେ । ଦେଖିଲେ ଲାଗୁଥାଏ ଯେପରି ଚିତାର ଅଗ୍ନି ରୂପି ରାହୁଟା ଗ୍ରାସ କରିଚାଲିଛି ପୂର୍ଣ୍ଣମୀର ଶୂଭ୍ରଚାନ୍ଦକୁ । ଗ୍ରାସକରି ଚାଲିଛି ଜୀବନକୁ ନେଇ ଦେଖିଥିବା ଅନେକ ସ୍ବପ୍ନଗୁଡିକୁ । କିଛି ସମୟର ଗ୍ରହଣ ଆଉ ତାପରେ ଚାନ୍ଦଟା ସବୁଦିନ ପାଇଁ ଲିଭିଗଲା ଆକାଶର କଳାପଟାରୁ । ଦେଖୁଦେଖୁ ମାଉସୀ ମୋର ହଜିଗଲେ ବର୍ତ୍ତମାନରୁ ଆଉ ରହିଗଲେ ଅତୀତର କେଉଁଏକ ପୃଷ୍ଠାରେ । ତାଙ୍କ ସ୍ବପ୍ନର ରାଜମହଲଟା ହଠାତ୍ ପାଲଟିଯାଇଥିଲା ଧ୍ବଂସସ୍ତୁପରେ । ସେହି ଅଗ୍ନି ଶଯ୍ୟାର ଚିତାକୁ ଦେଖୁଦେଖୁ ମୋ ଅଲକ୍ଷ୍ୟରେ ଆଖିର ବାଟକାଟି ଚାଲିଗଲା ଦୁଇ ବୁନ୍ଦା ଅଶ୍ରୁ । ଆଉ ନିଜକୁ ସମ୍ଭାଳିବାକୁ ଯାଇ ମୁଁ ମୁହଁ ବୁଲାଇଦେଲି ରାସ୍ତାର ଆରପଟେ ସାଗର କୂଳରେ ବିଚରୁଥିବା ମାୟାର ସଂସାର ଆଡକୁ । ସେହି ମାୟାର ଶୀତଳ ସ୍ପର୍ଶରେ ହଜିଗଲା ଅଶ୍ରୁର ସତ୍ତା । ଚିତାର ନିଆଁଟା ଶାନ୍ତ ପଡିଲା ଆଉ ତା ସହ ଯବନିକା ପଡିଗଲା ମୋ ମାଉସୀ ଆଉ ମୋର ଭାବୁକ ଚରିତ୍ରଟିର ॥



Rate this content
Log in

Similar oriya story from Tragedy