ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ରାମୁକାକା ଓ ମୁଁ

ରାମୁକାକା ଓ ମୁଁ

5 mins
397


ସବୁବେଳେ ଘରର ସମସ୍ତେ ତାଙ୍କୁ ଲୋଡୁଥାନ୍ତି। ଡାକରା ପଡୁ ପଡୁ ସେ ବି ହଜାର ହେଇଯାନ୍ତି ପାଖରେ। ବାପା,ବୋଉ, ପିଉସୀ,ଭାଇ ଆଉ ମୋର, ଆମ ସମସ୍ତଙ୍କର ସେ ପ୍ରିୟର ରାମୁକାକା। ପିଲାବେଳୁ ଶୁଣି ଆସୁଛି ତାଙ୍କୁ ସମସ୍ତେ ସେଇ ନାଁ ରେ ହିଁ ଡାକନ୍ତି। ମଣିଷ ହିସାବରେ ବହୁତ ଭଲ, ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, ଆଉ ମେଳାପୀ ମଧ୍ୟ। ସବୁବେଳେ ହସ ହସ ମୁହଁ। ସକାଳୁରୁ ରାତି ପର୍ଯ୍ୟନ୍ତ ଯନ୍ତ୍ର ଭଳି କାମ କରୁଥାନ୍ତି। କେବେ ବି ଗୋଟିଏ ଜାଗାରେ ବସିବାର ମୁଁ ତାଙ୍କୁ ଆଜି ଯାଏ ଦେଖିନି।ଆମ ପରିବାରର ସେ ଏକ ଅଭିନ୍ନ ସଦସ୍ୟ।


   ଘରେ ପର୍ବପର୍ବାଣିରେ ବାପା ଆମ ସମସ୍ତଙ୍କ ପାଇଁ ନୂଆ ପୋଷାକ ଆଣିବା ସହ ତାଙ୍କ ପାଇଁ ମଧ୍ୟ ନୂଆ ଧୋତି, ଗାମୁଛା ଆଉ ହାଫ ଶାର୍ଟ ଗୋଟେ ଆଣିବାକୁ ଭୁଲନ୍ତିନି। ସେଇଟିକୁ ବାପା ରାମୁକାକାଙ୍କ ହାତକୁ ବଢ଼େଇଦେଲେ ସେ ଆଖି ଛଳ ଛଳ କରିପକାନ୍ତି। ବୋଉ କହୁଥିଲା ରାମୁକାକାଙ୍କ ଘର କୋଉ ଗୋଟେ ନିପଟ ମଫସଲରେ। ମାଉସୀ(ରାମୁକାକାଙ୍କ ସ୍ତ୍ରୀ) ମରିଯିବା ପରେ ରାମୁକାକାଙ୍କୁ ତାଙ୍କ ପୁଅମାନେ ପଚାରିଲେନି।ଖାଇବା ପିଇବାକୁ ଦୁଇ ଓଳି ଦେଲେନି। ଭୋକିଲା ପେଟକୁ ବୁଝେଇବାଟା ଭାରି କଷ୍ଟ। ରାତା ରାତି ରାମୁକାକା ଘର ଛାଡ଼ି ଚାଲିଆସିଲେ ସହରକୁ। ସେହି ଦିନ ଠାରୁ କେହି ଆଉ ଗାଁ ରେ ରାମୁକାକାକୁ ଦେଖିନାହାନ୍ତି। ବସଷ୍ଟାଣ୍ଡରେ ରାମୁକାକା କାନ୍ଦୁଥିବାର ଦେଖି ବାପା ତାଙ୍କୁ ନେଇ ଆସିଥିଲେ ଘରକୁ।ସେତେବେଳେ ମତେ ଦୁଇ ବର୍ଷ ହୋଇଥିଲା।


   ମୁଁ ଛୋଟ ଥିଲା ବେଳେ ସକାଳୁ ବଗିଚାରୁ ଫୁଲ ତୋଳିଲା ପାଇଁ ମତେ ସାଙ୍ଗରେ ନେଇ ଯାଆନ୍ତି ରାମୁକାକା।ମୁଁ ବି ତାଙ୍କ ସହ ମିଶି ଫୁଲ ତୋଳେ।କଙ୍କି, ପ୍ରଜାପତି ଧରି ମତେ ଦିଅନ୍ତି। ମୁଁ ଖୁସିରେ ନାଚିଯାଏ ବଗିଚା ସାରା। ସେ ବି ମତେ ଦେଖି ହସିଦିଅନ୍ତି। 


  ପିଲାବେଳ ସବୁ ଚଗଲାମୀ, ଦୁଷ୍ଟାମୀକୁ ରାମୁକାକା ସମ୍ଭାଳି ନିଅନ୍ତି। ଦୁଷ୍ଟାମୀ କରେ ବୋଲି ବହୁତ ମାଡ଼ ଖାଏ। ବୋଉ ମାରିଲେ ରାମୁକାକା ବୋଉ ହାତରୁ ମତେ ଛଡେଇ ଆଣି ପଛପଟେ ଲୁଚାଇ ଦିଅନ୍ତି। ଆଉ ବୋଉକୁ ତାଗିଦ କରି କୁହନ୍ତି,"ହେଇଟି ମାଆ ଏଗୁଡା ଭଲ ହଉନି। ଛୋଟ ଛୁଆ ଟିକେ ଭୁଲ କରିଦେଲା ବୋଲି ମଲା ସମାନ ମାରିବ ନା କଣ? ଏଡିକି ବକଟେ ପିଲା ତମ ହାତ ମାଡ଼ ସେ ସମ୍ଭାଳିବଟି? ଯାହା କରୁଚ କର କିନ୍ତୁ ମୋ ଆଗରେ ପିଲାଙ୍କୁ ମାରିବନି।ଦେହ ସହୁନି ମୋର।ମୁଁ ବା କିଏ ଏ ଘରର, କାହାର କ'ଣ ବା ମୁଁ କରିପାରିବି। ତେଣୁ ଏ ଘର ଛାଡ଼ି ଚାଲିଯିବି।" ଏତକ କହି ରାମୁକାକା କାନ୍ଦି କାନ୍ଦି ମତେ କାଖ କରି ଚାଲିଯାନ୍ତି ମୋ କୋଠରୀକୁ। ମତେ ବୁଝାନ୍ତି ଏମିତି ଆଉ ଦୁଷ୍ଟାମି ନ କରିବାକୁ।


ବଜାରରୁ ହାଟ, ସଉଦା କରି ବୋଉକୁ ଧରେଇଦିଅନ୍ତି। ରୋଷେଇବାସ ସବୁ ବୋଉର କାମ, ହେଲେ ମଧ୍ୟ ରାମୁକାକା ରୋଷେଇ ଘରେ ଘେରାଏ ବୁଲିଦେଇ ଆସନ୍ତି। ମତେ ସ୍କୁଲରେ ଛାଡିବା ଦାୟିତ୍ୱ ତାଙ୍କର। ଛୋଟ ବେଳେ ଲୁଡୁଖେଳ ତାଙ୍କ ସହ ମୋର ଭାରି ଜମେ। ମତେ ଜିତେଇବା ପାଇଁ ଜାଣି ଜାଣି ହାରିଯାନ୍ତି ସେ।


   ପଞ୍ଚମ ଶ୍ରେଣୀରେ ପଢୁଥାଏ। ବାର୍ଷିକ ପରୀକ୍ଷାରେ କମ ନମ୍ବର ରଖିଥାଏ। ଗୁରୁଜୀ ବହୁତ ରାଗିଲେ ମତେ ସ୍କୁଲରେ।ଆଉ କହିଲେ କି କାଲିକି ଅଭିଭାବକକୁ ସାଙ୍ଗରେ ନେଇ ସ୍କୁଲ ଆସିବାକୁ। ସ୍କୁଲରୁ ଫେରିଲା ବେଳେ ରାସ୍ତାରେ ଭାବୁଥାଏ ବୋଉ ତ କେବେ ସ୍କୁଲ ଆସିବନି ଆଉ ବାପାଙ୍କୁ ଜଣେଇଲେ ମୋ ପିଠି ଫାଟିଲା ବୋଲି ଜାଣ। କେମିତି କଣ କରିବି?ଏମିତି ଭାବୁ ଭାବୁ ଘରେ ପହଂଚିଗଲି।ମୋ ମନ ଦୁଃଖ ଦେଖି ରାମୁକାକା କାରଣ ପଚାରିଲେ ।ମୁଁ ସବୁ କଥା କହିଲି । ରାମୁକାକା ବି ମନ ଖରାପ କରି କହିଲେ,"ଠିକ୍ ଅଛି ଯାହା ହେବାର ଥିବ ହେବ।ତୁ ବାପାଙ୍କୁ ନେଇ କାଲି ସ୍କୁଲ ଯା" । ମୁଁ କାନ୍ଦି କାନ୍ଦି କହିଲି ," ନାଈଁ ରାମୁକାକା ବାପାଙ୍କ କଥା କୁହନି। ଏ କଥା ମୁଁ ତୁମ ଛଡା କାହାକୁ ଜଣେଇନି। ଜଣେଇଲେ ବହୁତ ମାଡ଼ ପଡିବ। ତମେ କାଲି ଦୟାକରି ମୋ ସ୍କୁଲ ଚାଲ।" ରାମୁକାକା ହଡବଡେଇ କହିଲେ," କ'ଣ ହେଲା!!ପିଲାଦିନରୁ ମୁଁ ସ୍କୁଲ ମାଟି ମାଡିନି। ଆଉ ଆଜି ସ୍କୁଲ ଯାଇ କ'ଣ କରିବି?" ମୁଁ କହିଲି," ତୁମେ ଖାଲି ଏତିକି କହିବ କି ବାପା କାମ ବ୍ୟସ୍ତରେ ଆସିପାରିଲେନି।ସେଥିପାଇଁ ମତେ ପଠେଇଛନ୍ତି। ଏବେଠାରୁ ପଢ଼ାପଢିରେ ସେ ଧ୍ୟାନ ଦେବ।" ରାମୁକାକା ରୋକଠୋକ ମନା କରିଦେଲେ ଏମିତି ସେ କରିପାରିବେନି ବୋଲି।ତାଙ୍କ ପାଟିରେ ହବନି ଏ କଥା। ମୁଁ ରମୁକାକାଙ୍କୁ ବହୁତ ବୁଝାଇ ସୁଝାଇ ଶେଷରେ ମନେଇନେଲି। ତା'ପର ଦିନ ସ୍କୁଲ ଆମେ ମିଶିକି ଗଲୁ। ମୁଁ ଯାହା ଯାହା କହିଥିଲି ରାମୁକାକା ସେୟା କରିଲେ। ଯାହା ହଉ ଗୋଟେ ଗ୍ରହ ଟଳିଲା। ସେଦିନ ଘରକୁ ଫେରିଲା ପରେ ରାମୁକାକା କହିଲା," ଏତିକି ମିଛ ମୁଁ ଆଜି କହିଲି। ଆଉ କେବେ ମତେ କହିବନି ଏପରି କରିବାକୁ। ଏଣିକି ମନ ଦେଇ ପଢ଼।" ମୁଁ ଧୀରେ ହସି ଦେଇ ମୁଣ୍ଡ ହଲେଇ "ହଁ "ବୋଲି କହିଲି।


   ଧୀରେ ଧୀରେ ବଡ଼ ହେଲି, କଲେଜରେ ପଢ଼ିଲି। ସାଙ୍ଗ, ସାଥି ବହୁତ ହେଲେଣି। ସମସ୍ତଙ୍କୁ ଘରକୁ ଡାକି ଭୋଜି କରୁ। ଭୋଜିର ଦାୟିତ୍ୱ ରାମୁକାକାଙ୍କର । ରାମୁକାକଙ୍କ ସହ ସମସ୍ତିଙ୍କୁ ପରିଚିତ କରାଏ। ବହୁତ ଖୁସି ହୁଅନ୍ତି ରାମୁକାକା।ବହୁତ ଭଲ ପାଆନ୍ତି ମତେ ସିଏ।ଆଉ ମୁଁ ବି ବହୁତ ଭଲ ପାଏ।


  ଥରେ ଗୋଟେ ସାଙ୍ଗର ଜନ୍ମଦିନ ଥିଲା। ସେ ସବୁ ସାଙ୍ଗକୁ ନିମନ୍ତ୍ରଣ କରିଥିଲା ତା ଜନ୍ମଦିନ ଭୋଜିକୁ।ହେଲେ ଭୋଜିଟି ରାତିରେ ଆୟୋଜିତ ହୋଇଥିଲା। ରାତିରେ ତ ବାପା କି ବୋଉ ବାହାରକୁ ଯାଇ ଭୋଜି କରିବାର ଅନୁମତି ଦେବେନି ମୁଁ ଜାଣେ। ସେଥିପାଇଁ ଭୋଜିରେ ଉପସ୍ଥିତ ରହିପାରିବିନି ବୋଲି ସାଙ୍ଗକୁ କହିଦେଲି। ହେଲେ ସାଙ୍ଗ ମାନଙ୍କ ଅନୁରୋଧକୁ ଟାଳି ପାରିଲିନି। ହଉ କିଛି ଗୋଟେ ବ୍ୟବସ୍ଥା କରୁଛି କହି କଲେଜରୁ ଘରକୁ ଆସିଲି।


  ବାପାଙ୍କୁ ତ ମତେ ବହୁତ ଡର।ତାଙ୍କ ଆଗରେ ମୋ ପାଟି ଖୋଲେନି ଆଉ ଏ କଥା କ'ଣ ମୁଁ କହିବି। କହିଲେ ରାଗିବେ ତେଣୁ ତାଙ୍କୁ କହିବା ଉଚିତ ଭାବିଲିନି। ବୋଉକୁ କହିବି ଭାବିଲି। ରୋଷେଇ ଘରେ ବୋଉକୁ ଧୀରେ ଯାଇ କହିଲି," ବୋଉ ଲୋ, ଆଜି ସାଙ୍ଗର ଜନ୍ମଦିନ।ରାତିରେ ପାର୍ଟି ଅଛି।ସମସ୍ତଙ୍କୁ ଇନଭାଇଟ କରିଛି । ଆଉ ସମସ୍ତେ ବି ଯିବେ। ମୁଁ ବି ଯିବି ବୋଲି ଭାବିଛି।" ଓଃ , ଆଉ କାଇଁ କହୁଛ!! ବୋଉ ରାଗି କହିଲା," କ'ଣ ହେଲା ଝିଅ ପିଲା ତୁ !! ରାତିରେ ପାର୍ଟି କରିବୁ ଯେ ମୁଁ ପୁଣି ଅନୁମତି ଦେବି!! ବାପା ଜାଣିଲେ ତୋ କଥା ଛାଡ୍ ମୋ ଉପରେ ଯାହା ବର୍ଷିବେ ଆଉ କହାନା। ପାର୍ଟି, ଫାର୍ଟି ଭୁଲିଯା।ଆଉ ଥରେ କହିବୁନି।"


   ବୋଉ ଉପରେ ଯାହାଟିକେ ଆଶା ଥିଲା। ସେତକ ବି ମଉଳିଗଲା। ତା ପରେ ଚିନ୍ତାକାଲି ରାମୁକାକା ହିଁ ଏକମାତ୍ର ବ୍ୟକ୍ତି ଯିଏ କି ମତେ ସାହାଯ୍ୟ କରିପାରିବେ।ରାମୁକାକଙ୍କ ଯାଇ କହିଲି," କାକା, ସାଙ୍ଗର ଜନ୍ମଦିନ ଆଜି । ରାତିରେ ସେ ପାର୍ଟି ଦେବ।ବୋଉ ,ବାପା କେହି ଅନୁମତି ଦେଲେନି।ତମେ ଯଦି ସାହାଯ୍ୟ କରନ୍ତ ମୁଁ ଯାଇପାରନ୍ତି।" ରାମୁକାକା ବି ମନା କରିଦେଲେ କିନ୍ତୁ ମୁଁ ଜାଣେ ମୋ ମନ ଦୁଃଖ ଦେଖିଲେ ସେ ସହିପାରିବେନି। କିଛି ସମୟ ପରେ ରାମୁକାକା ଆସି କହିଲେ ହଉ କହ କ'ଣ କରିବି।ମୁଁ କହିଲି ତେବେ ଶୁଣ ରାତିରେ ସବୁ ଶୋଇଗଲା ପରେ ମୁଁ ଧୀରେ ଚାଲିଯିବି।ଆଉ ମୁଁ ଫେରିବା ପର୍ଯ୍ୟନ୍ତ ତମେ ଅପେକ୍ଷା କରିଥିବ। ମୁଁ ଆସିଲେ ଗେଟ୍ ଟି ଖୋଲିବ।ମୁଁ ଆସି ଶୋଇଯିବି।କେହି ବି ଜାଣିପାରିବେନି। ରାମୁକାକା ମୋ କଥା ଶୁଣି କହିଲେ ଆଛା ସେ ସାଙ୍ଗଟା ଝିଅ ନା ପୁଅ? ମୁଁ କହିଲି କ'ଣ ମ କାକା କୋଉ ପୁଅ ସାଙ୍ଗ ଘରକୁ ଆସିବାର ଦେଖିଛ ତମେ। ମୋର ସବୁ ସାଙ୍ଗ ଝିଅ।" ଯୋଜନା ଅନୁସାରେ କାମ ଠିକ୍ ରେ ହେଇଗଲା।


   

  ପଢ଼ା ସରିଲା ପରେ ଦିଲ୍ଲୀରେ ଏକ ଭଲ କମ୍ପାନୀରେ ମତେ କାମ ମିଳିଗଲା।ଘରୁ ପ୍ରଥମ ଥର ପାଇଁ ସମସ୍ତଙ୍କୁ ଛାଡି ଦୂରକୁ ଯାଉଛି। ଗଲା ବେଳେ ବହୁତ କାନ୍ଦିଲି। ରାମୁକାକା ବି କାନ୍ଦିଲେ। ମୋ ପାଇଁ ସେ କେତେ କ'ଣ ଖାଇବା ଜିନିଷ ତିଆରି କରିଥିଲେ ସାଙ୍ଗରେ ନେବାକୁ। ଦିଲ୍ଲୀରେ ଯାଇ ପହଂଚିଲି। ଏକା ଏକା କିଛି ଭଲ ଲାଗିଲାନି। ଘର କଥା ବହୁତ ମନେ ପଡ଼ିଲା। ରାମୁକକାଙ୍କ ସହ ବିତେଇଥିବା ମୁହୂର୍ତ୍ତ ଗୁଡିକ ମନେ ପଡେ।କାମରୁ ଫୁରସତ ମିଳୁନି । ବର୍ଷେ ପାଖାପାଖି ହେଇଗଲାଣି ଘରକୁ ଯାଇନି। ଫୋନରେ ବି ଭଲରେ କଥା ହେଇପାରେନା କାର୍ଯ୍ୟ ବ୍ୟସ୍ତରେ।


  ମ୍ୟାନେଜରକୁ କହି କିଛି ଦିନ ଛୁଟି ନେଇ ଘରକୁ ଯିବାକୁ ମନସ୍ଥ କଲି। ଛୁଟି ମିଳିବା କ୍ଷଣି ଘରକୁ ଫୋନ କରି ଜଣେଇବି ବୋଲି ବାହାରିଲା ବେଳକୁ ପୁଣି ଭାବିଲି ନାଈଁ ଥାଉ ସିଧା ଘରେ ଯାଇ ସମସ୍ତଙ୍କୁ ସରପ୍ରାଇଜ କରିଦେବି।ସମସ୍ତଙ୍କ ପାଇଁ କିଛି ଭଲ ଭଲ ଜିନିଷ କିଣିଥାଏ।ରାମୁକାକାଙ୍କ ପାଇଁ ଗୋଟେ କୃଷ୍ଣ ମୂର୍ତ୍ତି କିଣିଥାଏ। ସେ ଶ୍ରୀକୃଷ୍ଣ ଭକ୍ତ।


 ଟ୍ରେନରେ ଘର ଅଭିମୁଖେ ଯାତ୍ରା ଆରମ୍ଭ କଲି। ମନ ବହୁତ ଖୁସି ଥାଏ।କେମିତି ଯାଇ ସମସ୍ତଙ୍କୁ ଟିକେ ଦେଖିବି। ସମସ୍ତେ ହାଠାତ ମତେ ଦେଖି ଆଶ୍ଚର୍ଯ୍ୟ ହେଇଯିବେ।

  

  ଷ୍ଟେସନରୁ ଓହ୍ଲେଇ ଅଟୋ କରି ଗଲି।ଘର ବାହାରେ ଦେଖେ ତ ସାହି ପଡ଼ିଶାର ଲୋକ ଘେରି ଅଛନ୍ତି। କଣ ହୋଇଛି ବୋଲି ଭାବି ଭିଡରେ ପଶି ଦେଖେ ତ କିଏ ଜଣେ ଶୋଇଛି। ଦେହ ରେ ଧଳା କପଡା ଢଙ୍କା ଯାଇଛି। ଚାରିଆଡ଼ ଅନେଇ ଦେଖେ ତ ଗୋଟେ ପାଖେ ବାପା, ବୋଉ, ଭାଇ ଠିଆ ହୋଇଛନ୍ତି। ମନେ ମନେ ଭାବିଲି ତେବେ ଏ କିଏ? ବରଡା ପତର ପରି ଦେହ ମୋର ଥରୁଥାଏ। କପଡା କାଢି ମୁହଁ ଦେଖିବାକୁ ହାତ ଯାଉନଥାଏ। ବ୍ୟାଗ ତଳେ ରଖି ଧୀରେ ଧୀରେ ଚାଲି ଆଣ୍ଠୁମାଡ଼ି ବସିଲି ।କପଡା ମୁହଁରୁ କାଢ଼ି ଦେଖି ଦୁଃଖରେ ମ୍ରିୟମାଣ ହୋଇଗଲି। ଆରେ ଏ ତ ରାମୁକାକା!! "ରାମୁକାକା ଆଉ ଦୁନିଆରେ ନାହାନ୍ତି"ବାପା କହିଲେ। ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି। ତାଙ୍କ ଛାତିରେ ମଥା ରଖି ଅନେକ କାନ୍ଦିଲି।


  ହଠାତ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବି ବୋଲି ଭାବିଥିଲି, ହେଲେ ଏଠି ତ ମୁଁ ଆଶ୍ଚର୍ଯ୍ୟ!! ଚକାପାରି ବସିପଡ଼ିଲି ରାମୁକାକଙ୍କ ଶବ ପାଖରେ। ସ୍ମୃତି ସବୁ ଗୋଟେ ଗୋଟେ ହୋଇ ଆଖି ଦରଜାରେ ଭାସିଗଲ। ଇଏ ସେଇ ରାମୁକାକା ଯିଏ ଚଳଚଂଚଳ ହୋଇ ଘରଟା ସାରା ବୁଲୁଥାନ୍ତି।ରୋବଟ ପରି ବିନା କ୍ଳେଶରେ ସାରା ଘରର କାମ କରିଦିଅନ୍ତି।ନିଜ ସନ୍ତାନ ସୁଖ ବି ପାଇଲେନି ଶେଷ ସମୟରେ।ଆଜି ହାରି ଯାଇଛନ୍ତି ଜୀବନ ଯୁଦ୍ଧରେ।ମୁଁ ମଧ୍ୟ ହାତଭାଗୀଟିଏ।ଶେଷ ଦର୍ଶନର ବି ସୁଯୋଗ ମିଳିଲାନି ମତେ। ବ୍ୟାଗରୁ କାଢି କୃଷ୍ଣ ମୂର୍ତ୍ତିଟି ରଖିଦେଲି ରାମୁକାକାଙ୍କ ମୁଣ୍ଡ ଉପରେ।


   


Rate this content
Log in

Similar oriya story from Tragedy