Rabinarayan Senapati

Tragedy Inspirational

4.5  

Rabinarayan Senapati

Tragedy Inspirational

ରାମଜାନି

ରାମଜାନି

11 mins
273



 ପ୍ରବାସରେ ଥାଇ ପ୍ରଭାସ ଶୁଣିଲେ ରାମଜାନି ଘର ଜଳି ଯାଇଛି। ପ୍ରଭାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ। ସେ ବିଶେଷ ଚିନ୍ତିତ ହେଲେ ନାହିଁ। ଯେଉଁ ତ ଘର, କୁଡିଆଟିଏ କହିଲେ ଚଳେ। ଏବେ ନିଶ୍ଚିତ ସରକାରୀ ସାହାଯ୍ୟ ମିଳିବ। ବିପଦ କେବେ କେବେ ସମ୍ପଦ ଆଣିଥାଏ। ପ୍ରଭାସ ଭାବୁଥିଲେ, ଘରଟିଏ କରିବା ଦିନକର କଥାନୁହେଁ। ରାମଜାନି ରହିବ କେଉଁଠି? ହଁ ସରପଞ୍ଚ ଓ ଗ୍ରାମବାସୀ କିଛି ବ୍ୟବସ୍ଥା କରିଥିବେ। ତାଙ୍କ ଅଧିକାରୀ ମନ ପ୍ରଶ୍ନ କରୁଥିଲା, ରାମଜାନିର ପକ୍କା ଘର ଏଯାଏ ହୋଇନଥିଲା କାହିଁକି? ସେ ଜାଣିଛନ୍ତି ରାମ ତାଙ୍କ ଗ୍ରାମ ରାମପୁରର ସବୁଠୁ ଦରିଦ୍ରତମ ବର୍ଗରେ ଅନ୍ତର୍ଭୁକ୍ତ ଅଥଚ ଅପେକ୍ଷାକୃତ ସ୍ବଛଳବର୍ଗ ଈନ୍ଦିରା ଆବାସ ପାଇଲା ବେଳେ ରାମ ଏପର୍ଯ୍ୟନ୍ତ ପାଇନଥିଲା! ଅଧିକାରୀ ମନ ବିଚଳିତ ହେଲା, ସେ ନିଜେ କେବେ ଏମିତି ଅନ୍ୟାୟ କରିନାହାନ୍ତି? ନିଜକୁ ପ୍ରଶ୍ନ କଲେ। 


ପରେ ପ୍ରଭାସ ଜାଣିଲେ ଏହା ଦୈବ୍ୟ ଦୁର୍ବିପାକ ନଥିଲା, ଜଣେ ଦୁର୍ବୃତ୍ତ ରାମ ଘରେ ନିଆଁ ଲଗାଇ ଦେଇଥିଲା। ଅବଶ୍ୟ ଶୁଣାକଥା, ରାମଜାନି ଏକଥା ମାନିବାକୁ ପ୍ରସ୍ତୁତ ନଥିଲା। ସେ କହିଲା, ତା ଫିତାବାଲା କିରୋସିନି ଷ୍ଟୋଭରେ କିରୋସିନି ଉଛୁଳି ପଡିଥିଲା, ତାହା ନିଆଁ ଧରିନେଲା ପାଖରେ ଛଣବିଡାଟିଏ ଜଳିଗଲା, ତାପରେ ଛପର। ତା ଝିଅ ମଲ୍ଲିକା ପ୍ରଭାସଙ୍କ ସାନ ଭଉଣୀ ପ୍ରତିମାର ସାଙ୍ଗ। ରାମଜାନି ସର୍ବ ସମ୍ମୁଖରେ ଓ ଏପରିକି ପୋଲିସ ସମ୍ମୁଖରେ କାହିଁକି ମିଛ କହିଲେ? ସେ ଏମିତି ମିଛ କହିବେ ବୋଲି ମଲ୍ଲିକା ଭାବି ନଥିଲା। ସେ ପ୍ରତିମା ସମେତ ଆଉ କେତେ ସାଙ୍ଗଙ୍କୁ ସେବେଳକୁ ସତ କଣ କହି ସାରିଥିଲା। ଗାଁ ସାରା ସଭିଏଁ ଜାଣନ୍ତି, ଏହା ବିଶିଆର କାମ। ପୋଲିସକୁ କେହି ଡାକିଦେଲା। କେବଳ ପୋଲିସ ନୁହେଁ ଫୋର୍ସ ବି ଆସିଥିଲେ।

ରାମଜାନି କଥାରେ ସମସ୍ତେ ଫେରିଗଲେ।

ବହୁତ ବର୍ଷ ତଳେ ରାମପୁରରେ ଭୂବନ୍ଦୋବସ୍ତ କାର୍ଯ୍ୟାଳୟ ଖୋଲିଥିଲା, ତାହାର ଅଧିକାରୀ ସହଜରେ କିଛି ଜମିବାଡି କିଣିଦେଇଥିଲେ, ସେମିତି ବେଶୀ କିଛି ନୁହେଁ, ଏକରେ ଦୁଇ ଏକର ଭିତରେ। ରାମଜାନିଙ୍କ ବାପା ଦୌଲତ ଥିଲେ ତାଙ୍କ ବ୍ୟକ୍ତିଗତ ପରିଚାରକ। କାର୍ଯ୍ୟାଳୟ ବନ୍ଦ ହେଲା, ଅଧିକାରୀ ଚାଲିଗଲେ। ଦୌଲତଙ୍କୁ ସେଠାରେ ରହିବାକୁ ପଡିଲା ଜମିବାଡିର ଦାୟିତ୍ବ ନେବାକୁ। ବାଡି କହିଲେ ଦୌଲତ ରହୁଥିବା ଟିକିଘର, ଟୁବି ଗଡିଆଟିଏ ଓ ଅଗଣା। ସେଇଟି ଏବେ ଜଳି ଯାଇଛି। ତାଙ୍କ ବାବୁ ଦୌଲତଙ୍କ ଚଳିବା ପାଇଁ କିଛି କିଛି ଦେଉଥିଲେ, ପରେ କହିଲେ ଚାଷବାସ କରି ଚଳ, ଆୟ ନଥାଇ ବ୍ୟୟ କରିବେ କେମିତି? ଦୌଲତଙ୍କ ନଥିଲା ଏ ଦୁନିଆରେ ଗାରେକ ବସୁଧା। କେଜାଣି କି ପ୍ରକାର ବିଶ୍ବସ୍ତ ଭାବନାରୁ ସେ ପଡି ରହିଲେ ରାମପୁରରେ। ପ୍ରଭାସ ଶୁଣିଥିଲେ ରାମଜାନିର ମାଆ ସହଳ ଚାଲିଗଲେ ଆରପୁରକୁ। ଦୌଲତ ଆଉ ସଂସାର ସୁଖ ନଆପଣେଇ ରାମଜାନିକୁ ଧରି ପଡିରହିଲେ ରାମପୁରରେ। ଚାଷବାସ ତାଙ୍କ ଦ୍ବାରା ହୁଏନାହିଁ। ବର୍ଷକୁ ଥରେ ଭାଗଚାଷୀ ଧାନ ଦେଲେ ସେ ପହଞ୍ଚାଇଦିଅନ୍ତି ମାଲିକ ଘରେ। ପରେ ମାଲିକ କହିଲେ, ଧାନ ଦେବା ଦରକାର ନାହିଁ। ଆଉ କିଛି ପାଇବାର ଆଶା ବି ରଖିବୁ ନାହିଁ ଦୌଲତ, ତୁ ଚଳିବୁ ଯେମିତି ସେକଥା ତୁ ବୁଝିବୁ। କହିବା ବାହୁଲ୍ୟ ସମୟର ଚକ ଚାଲୁଥାଏ, ଅଧିକାରୀ ମାଲିକେ ବି ଅଭାବ ଅନଟନରେ ପଡନ୍ତି। ସେ ବା ଆଉ ଦୌଲତଙ୍କୁ କଣ ସମ୍ଭାଳିବେ। କେତେଥର କହିଲେ, ଜମି ତାଙ୍କ ନାମରେ କରିଦେବାକୁ। ଦୌଲତ ରାଜି ହେଲେ ନାହିଁ। ସେ ଜମି ସେମିତି ଭାଗଚାଷୀଙ୍କ ଦଖଲରେ। ସେମାନେ ଆଉ ଭାଗ ଦିଅନ୍ତି ନାହିଁ। ଶେଷରେ ଦୌଲତଙ୍କ କହିବାରେ ସେ ଜମିତକ ମାଲିକେ ବିକ୍ରି କରିଦେଲେ।


ଦୌଲତଙ୍କ ଛାୟା ଦୌଲତ ବି ଗଲା।


ଏସବୁ ଶୁଣାକଥା। ପ୍ରଭାସଙ୍କ ହେତୁ ହେଲା ବେଳକୁ ଦୌଲତ ପରପାରିରେ, ରାମଜାନି ଯୁବକ। ଗାଁ ସାରା ଲୋକେ ରାମ ବା ରାମଜାନି ଡାକନ୍ତି।

ଗରିବ ହେଲେବି ରାମଜାନି ଜଣେ ବିଶିଷ୍ଟ ବ୍ୟକ୍ତି। ଏହାର କାରଣ ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କଥା ହେଲା, ନାମଟି ସିନା ରାମଜାନି ବା ରାମ ଅସଲରେ ସେ କିନ୍ତୁ ଦୌଲତ ଖାଁଙ୍କ ପୁତ୍ର ରମଜାନ। ନାତିବୃହତ ରାମପୁର ଗ୍ରାମର ଏକମାତ୍ର ମୁସଲମାନ ଲୋକ। ହୀନ୍ଦୁ ମାନଙ୍କ ବୋଲିରେ ସହଜରେ ରମଜାନ ହୋଇଯାଇଛି ରାମଜାନି। ପ୍ରଭାସ ନିଜେ ତ ଅନେକ ବଡ ହେଲାପରେ ଏକଥା ଜାଣିଲେ।

 ପୁରାପୁରି ହୀନ୍ଦୁ ଗାଆଁରେ ରହି ମୁସଲମାନ ଆଦବ କାଇଦା ବିଶେଷ ଜଣାନଥାଏ ତାକୁ। ଅବଶ୍ୟ ଏ ଆଦବ କାଇଦାରେ କେତେ ଅବା ଫରକ! ଗରିବ ଲୋକର ଆଦବ କାଇଦା, ସେଇତ ପଖାଳ, ଶୁଖୁଆପୋଡା ଓ ଦୁଃଖକଷ୍ଟର ଢୋକେ ପି ଦଣ୍ଡେ ଜୀ ଚଳନି ଉଭୟ ସମ୍ପ୍ରଦାୟର। 

 

ଜଣା ନାହିଁ, ଗାଁ ମଠ ବଗିଚାର ମାଳି କାମରେ କେଜାଣି କେମିତି ସେ ନିଯୁକ୍ତ ହେଲ! ସେଇଠି ଦ୍ବିପ୍ରହର ଖାଇବାଟି ମିଳିଯାଏ। ବାକି ସେ କେମିତି କେମିତି ଚଳିଯାଏ। ନଚଳିବ କେମିତି, ଗାଁ ମହାଜନ କାହାକୁ ଓପାସରେ ଥିବା ସହିପାରନ୍ତିନି। ରାମଜାନି ନିଜେ କହେ, ଗାଁ ପରା ତାହାର ମାଆ, ସେ କେବେ ପୁଅକୁ ଭୋକିଲା ରଖିବ। ପାଖ ମୁସଲମାନ ବସ୍ତି ସହ ତାହାର ଯାହା ସମ୍ପର୍କ ରମଜାନ ମାସରେ। ସେ ନିଜେ ଜାଣେ ତା ବାପା ମାଆ ଶିଖାଇଥିବାରୁ ଯେ ସେ ରାମଜାନି ନୁହେଁ ରମଜାନ ଖାଁ। ହଁ, ରମଜାନ ଇଦ ପାଳନ କରେ। ସେ ମାସଟି ସେ ଉପବାସ ରଖେ, ତା ଭାଗ ପ୍ରସାଦଟିକୁ ଅନ୍ୟ ଦୁସ୍ଥ ଲୋକଙ୍କୁ ଦାନକରେ।

ଗାଁ ମୁରବିଏ ମସଜିଦ ବାଲାଙ୍କ ସହ ଆଲୋଚନା କଲେ। ରାମଜାନି ସାଦି କଲା। ମା ବାପା ଛେଉଣ୍ଡ ଝିଅଟି ମହକ। ସମସ୍ତଙ୍କ ପାଇଁ ସିନା ଏହା ସଂସାର, ରାମଜାନି ପାଇଁ କିନ୍ତୁ ଏହା ଦୁଇଟି ପେଟପାଇଁ ଆହାର ସଂଗ୍ରହର ଦାୟିତ୍ୱ ମାତ୍ର। ରାମଜାନି ମୂଲ ମଜୁରୀ କରିବା ଆରମ୍ଭ କଲା। ସଂଖ୍ୟା ବଢିଲା ବର୍ଷକୁ ବର୍ଷ। କନ୍ୟା ପରେ କନ୍ୟା। ଦୁଇଜଣ ନଖଟିଲେ ନଚଳେ। ଦୁର୍ବଳ ସ୍ବାସ୍ଥ୍ୟ ମହକର ବାହାର କାମକୁ ସାହାସ ପାଇଲା ନାହିଁ। ଘରକାମ କରିବାକୁ ତାକୁ ସମସ୍ତେ ବାରଣ କଲେ। 

ପ୍ରଭାସ ଏବେ ବୁଝିପାରୁଛନ୍ତି ହଠାତ କାହିଁକି ରାମଜାନିର ଚଳନି ବଦଳି ଯାଇଥିଲା। ସକାଳୁ ସପରିବାରେ ସେମାନେ ଗାଁ ଛାଡିକି ପଳାନ୍ତି ଓ ସନ୍ଧ୍ୟାରେ ଫେରନ୍ତି। ଚାଲିଚାଲି ତିନି ମାଇଲ ଦୂର ମୁସଲମାନ ବସ୍ତିକୁ ସପରିବାରେ ଯିବା ଓ ଫେରିବାକୁ ପଡୁଥିଲେ ମଧ୍ୟ, ଗାଁ ଛାଡି, ଘର ଛାଡି ସବୁଦିନିଆ ପଳାଇବାକୁ ସେମାନେ କଦାପି ଚାହିଁ ନଥିଲେ।

ରାସ୍ତା ଉପରେ ପ୍ରତିଦିନ ସେମାନଙ୍କ ଯିବା ଓ ଆସିବାର ଦୃଶ୍ୟ କ୍ରମେ ସମସ୍ତଙ୍କ ଦେହସୁହା ଏକ ମାମୁଲି ଘଟଣା ପାଲଟି ଯାଇଥିଲା। ସେମାନେ ବି ଭିନ୍ନ ଦେଖାହେବା ଆରମ୍ଭ କରିଥିଲେ। ମହକ ମୁଣ୍ଡରେ ସିନ୍ଦୁର କି ବିନ୍ଦି ନଥାଏ। ଚୁଡି ରଙ୍ଗ ସବୁ ବାରି ହୋଇପଡେ। କେବେ କେବେ ଅତର ବାସ୍ନା ତାଙ୍କଠୁ ଓ ତାଙ୍କ ପିଲାଛୁଆଙ୍କଠୁ ଆସିଥାଏ ଯାହା ଭିନ୍ନ। ରାମଜାନି ଚେକଲୁଙ୍ଗି ପିନ୍ଧେ ମୁଣ୍ଡରେ ଟୋପି ପିନ୍ଧିଥାଏ। ସେମାନଙ୍କୁ ଭଲ ଖାଇବାକୁ ମିଳୁଥିଲା ବୋଧହୁଏ। ସମସ୍ତେ କ୍ରମେ ଦିଶୁଥିଲେ ପୁରିଲା ପୁରିଲା। ଫେରିଲା ବେଳେ ଗୋଟାଏ ପାରାତରେ କଣ ସବୁ ଆଣି ଆସିଥାନ୍ତି। ପରାତଟି ମୁଣ୍ଡରେ ମୁଣ୍ଡାଇ ଗୋଟେ ଛୁଆକୁ କାଖେଇ ଫେରୁଥାଏ ରାମଜାନି। ମହକ ବି ତଦ୍ରୁପ। ବଡ ଦୁଇ ଝିଅ ଚାଲନ୍ତି। 

ସେମାନେ ସୁସ୍ଥ ଦେଖାହେବାର ହେତୁ ନାନାଭାବେ ଆଲୋଚନା ହେଉଥାଏ କାନକୁ କାନ। କେହି କେହି ତ ଦେଖିଥିଲା ଭଳି କହିଦିଅନ୍ତି, ହେଡା ଖାଉଛନ୍ତି ସେମାନେ। ଏ ହେଡାର ଅର୍ଥ ବୁଝିବା ପ୍ରଭାସଙ୍କ ପକ୍ଷେ ସହଜ ନଥିଲା। ଦିନେ ସମସ୍ତେ ଯେଉଁ ରାମଜାନିକୁ ଶ୍ରଦ୍ଧା ପୂର୍ବକ ବ୍ୟବହାର କରୁଥିଲେ, ଏବେ ଗ୍ରାମ ପାଇଁ ସେ ଏକ ଭିନ୍ନ ମଣିଷ। ଯେମିତି ଏକ ଗଡଖାଇ ସେପାରିରେ ରାମଜାନି ଓ ଏପାରିରେ ରାମପୁର। 


କେବେ କେବେ ପ୍ରଭାସ ଭାବିଛନ୍ତି; ମହକକୁ ଯଦି ନିଜ ଗାଁରେ କାମ ମିଳିଯାଇଥାନ୍ତା ତେବେ କି ସେମାନେ ନିତିଦିନ ଯିବାଆସିବା ଛଅ ମାଇଲ କଦମତାଲ୍ କରି ଅଯଥା ସମୟ ବ୍ୟୟ କରନ୍ତେ? ଧର୍ମ ଓ ସମ୍ପ୍ରଦାୟ କାହାକୁ କ'ଣ ଦେଉଥିବ କିନ୍ତୁ ରାମଜାନି ଓ ମହକ ମାନଙ୍କୁ ଏମିତି ଅଡୁଆ ପରିସ୍ଥିତି ବାଧ୍ୟ କରେ ।

 ରାମଜାନି ତା ପାଖ ପଡୋଶୀ କେତେଜଣଙ୍କୁ ଛାଡିଦେଲେ ଆଉ କାହାସହ କଥା ହେବାର ସୁଯୋଗ ପାଏନି। ସେ ଆଉ ଗ୍ରାମବାସୀରେ ଗଣାନୁହେଁ।

ଏ ଦୂରତା ଓ ପଶ୍ଚ୍ୟାତ ଆଲୋଚନା ଅନେକଙ୍କ ମନରେ ଏକ ଅଶ୍ରଦ୍ଧା ଭାବ ମଧ୍ୟ ସୃଷ୍ଟି କରୁଥିଲା। ଏକଦା ଏକ ଚୋରି କେଶରେ ତା ନାମକୁ ମିଶାଇ ଦିଆଗଲା କାରଣ ଚୋରି ଜିନିଷ ତା ଅଗଣାରେ ଥିବା ଟୁବି ଗଡିଆରୁ ମିଳିଥିଲା। ଅବଶ୍ୟ ଚୋରମାନେ ଧରାପଡିଲେ ଓ ସେମାନେ ରାମଜାନିର ସମ୍ପୃକ୍ତିକୁ ନାସ୍ତି କଲେ।

ପୁଣି ଦିନେ ବାଟରେ ସେ ଫେରୁଥିଲା ବେଳେ ତାଙ୍କୁ ଅଟକାଇ ଦେଲେ ଦୁଇଜଣ ଯୁବକ। ସେମାନେ ତା ପାରାତଟିକୁ ତଳକୁ କରି ଦେଖିବାକୁ ଚାହିଁଲେ କ'ଣ ସେମାନେ ଘରକୁ ନେଉଛନ୍ତି। କେଇଟି ତେଜରାତି ବଜାର ସଉଦା ଥିଲା ସେଥିରେ। ଯେ ଅଧିକ ରୋଜଗାର କରେ ଅଧିକ ଦିନପାଇଁ ସଉଦା କିଣେ, ଦିନ ମଜୁରିଆ କିଣେ ଦିନି ଦିନି। ସେଦିନ ରାମଜାନି ମନରେ ସୃଷ୍ଟି ହୋଇଥିଲା ଭାବାନ୍ତର। ସେ ତାହାକୁ ଜିତିବା ପାଇଁ ସେ ଯୁବକ ଦୁଇଜଣଙ୍କୁ ପଚାରି ପକାଇଲା, "କାହା ପୁଅ କିରେ ତୁମେ ଦୁଇଜଣ?"


ଏ ଗୋଟେ ଜୀବନ! ଏ ଜୀବନରୁ ସେମାନେ ମୁକୁଳିବାକୁ ଚାହିଁ ନଥିବେ! ପିଲାଛୁଆଙ୍କ ପାଠପଢା ଚିନ୍ତା ହୋଇନଥିବ! ପ୍ରଭାସ ଏକଥା କେବେ କେବେ ଭାବିଛନ୍ତି ତାଙ୍କ କିଶୋର ସମୟରେ। ପୁଣି ଭାବନ୍ତି ନା ସେମାନେ ବୋଧହୁଏ ସେତିକିରେ ଖୁବ୍ ଆନନ୍ଦିତ ଥିଲେ। ରାମଜାନି କହେ ଦୁଃଖ କେବଳ ତାଙ୍କର, ପୁଅଟିଏ ନାହିଁ। "ଆଲ୍ଲାଙ୍କୁ ଡାକୁଛି, ମଠଗାଦିର ସେବା କରିଛି, ଗୋସେଇଁଙ୍କୁ ବି ଗୁହାରି କରିଛି ହେଲେ ପୁଅର ଅଭାବ ଦୂର ହୋଇନି।

ପଞ୍ଚମ ଥରର କନ୍ୟା ହେଲା ମଲ୍ଲିକା, ବିଚାରି ମାଆକୁ ଖାଇଲା ବୋଲି ଗାଁ ଲୋକେ କହନ୍ତି ତାହାର ଅର୍ଥ ବୁଝିଲେ ପ୍ରଭାସ ବହୁପରେ। 


ପରିସ୍ଥିତି ବାଧ୍ୟ କଲା, ବିଶେଷକରି ମଲ୍ଲିକା, ରାମଜାନି ଦ୍ୱିତୀୟ ହେଲା। ସେହି ମୁରବି ମାନେ ରାମଜାନିକୁ ଏକ ଦୁର୍ବଳ ତନୁ କନିଆ ବ୍ୟବସ୍ଥା କରିଦେଲେ। ଶୁଣାଯାଏ ଡାକ୍ତର କହିଥିଲେ ସେ ମାଆ ହୋଇପାରିବ ନାହିଁ। ସେପାଇଁ ସେ କୁଆଁରୀ ଥିଲା। ଏକାଥରେ ପାଞ୍ଚଟି ଝିଅର ମାଆ ହେବା ତା ଭାଗ୍ୟ ଡାକିଆଣିଲା। ତାହା ନାମ ଯାହା ହୋଇଥାଉ ପଛେ ରାମ ତାକୁ ମହକ ହିଁ ଡାକିଲା। ପିଲାମାନଙ୍କୁ ମାମୁଁ ଘରଟିଏ ମିଳିଲା। ସେମାନେ ସବୁ, ଗାଁ ଲୋକେ କହନ୍ତି ବେଶ୍ ଭଲଲୋକ। ନୂଆ ମା ଜିଦ୍ କଲା, ପିଲାଏ ପଢିବେ। ରାମଜାନି ସେତେବେଳକୁ ସାଇକେଲ ମରାମତି କାମ ପୁରା ଶିଖିଥାଏ। ଏବେ ତାର ନିଜର ଦୋକାନ ଖଣ୍ଡିଏ କଲା। ଯେନ ତେନ ପ୍ରକାରେଣ ସଂସାର ଚାଲିଲା ଅଭାବରେ। ନୂଆ ମହକ ସାମାନ୍ୟ କିଛି ପାଠୋଇ। ବଡ ଛୁଆ ଦୁଇଜଣ ପ୍ରାଥମିକ ଶେଷ କଲେ। ତା ତଳ ଦୁଇଜଣ ମେଟ୍ରିକ ଫେଲ୍ ହେଲେ କିନ୍ତୁ ମଲ୍ଲିକା ଗଲା ଆଗକୁ; କଲେଜ। ନୂଆ ଆମ୍ମି ତା ଝିଅ ମାନଙ୍କୁ ବାହା ଦେଇଛି। ଯେ ଯେଝାର ସାଧାରଣ ସଂସାର ନେଇ ବ୍ୟସ୍ତ। 

ମହକ, ମଲ୍ଲିକାକୁ ବୁଝାଇ ଦେଇଛି, "ଦେଖ ମାଆ, ମୁଁ ସ୍ବଳ୍ପାୟୁ, ତୋ କାମଟି ସାରିଲେ ମୁଁ ଖୁସି ମନରେ ଯିବି।"

ମଲ୍ଲିକା କାନ୍ଦି ପକାଏ, ମହକ ମୁଁହରେ ହାତଥାପି ଚୁପ୍ କରାଏ। ଏଇ ଆମ୍ମି ତାଙ୍କ ଦୁର୍ଭାଗ୍ୟ ଦୂର କରିଛି, ମାଆର ଅଭାବ ପୁରଣ କରିଛି, ଶିକ୍ଷା ଦିକ୍ଷା ଦେଇଛି। ସେ ପୁଣି ଛାଡିଯିବା କଥା କହିଲାଣି।

"ଦେଖ୍ ଆମ୍ମି, ସେମିତି କହିବୁନି, କେତେ ଉନ୍ନତ ହେଲାଣି ଚିକିତ୍ସା ଶାସ୍ତ୍ର। ତୋ ଜନ୍ମଗତ ରୋଗକୁ ବି ଚିକିତ୍ସା ଥିବ। ମୁଁ ପଢିବି, ଚାକିରି କରିବି, ତୋର ଓ ଆବ୍'ବାଙ୍କର ଯତ୍ନ ନେବି। ତୁ ମତେ ବାହା ଦେବା କଥା କହନି। ସେମିତି ମୋର ଇଛା ନାହିଁ।"

କଥା ଛିଣ୍ଡେ ନାହିଁ। ମଲ୍ଲିକା ପଢିଚାଲେ। ମଲ୍ଲିକା ଏସବୁ ଗପେ ପ୍ରତିମା ନିକଟରେ। ପ୍ରଭାସ ଶୁଣେ ତାଠାରୁ। ଶିକ୍ଷା, ମଲ୍ଲିକାକୁ ଦିଏ ଏକ ସମ୍ଭ୍ରାନ୍ତ ପରିଚୟ। ଆଉ ପାଞ୍ଚ ଲୋକରେ ସେ କଥା କହିପାରେ। ମନେହୁଏ ଏକଦା ସୃଷ୍ଟି ହୋଇଥିବା ଗଡଖାଇ ଧୀରେ ଧୀରେ ପୋତି ହୋଇପଡେ। ଗାଁରେ ସବୁ ସାଙ୍ଗ ମାନଙ୍କ ଘରକୁ ତାହାର ଚଳପ୍ରଚଳ ଥାଏ। ମହାଜନଙ୍କ ନାତି ଦୁଇଙ୍କୁ ଘରୋଇ ପାଠ ପଢାଏ। କ୍ରମେ ଉପଯୁକ୍ତ ଭାବେ ପ୍ରଶିକ୍ଷିତ ହୋଇ ଆପଣାର ରାମପୁର ଗ୍ରାମରେ ନିଯୁକ୍ତି ପାଏ ଶିକ୍ଷୟିତ୍ରୀ ଭାବେ। ଅବଶ୍ୟ ଠିକାରେ।

ସୁଖ ଓ ଦୁଃଖର ଚକ୍ର ଚାଲୁରହେ। ରାମଜାନି ଓ ମହକ ଯେତେ ବୁଝାଇଲେ ମଧ୍ୟ ମଲ୍ଲିକା ବାହା ହେବାକୁ ରାଜି ହୁଏନି।

ସବୁକଥାରେ ଗୋଟିଏ ଅକଥା ବାହାର କରିବା କିଛି ଲୋକଙ୍କ ପ୍ରକୃତି। ତାହା କ୍ରମେ ସଂକ୍ରମିତ ହୁଏ ସାଧାରଣ ଲୋକଙ୍କୁ। ଗାଁ ସାରା ଲୋକେ କଥା ହୁଅନ୍ତି, ଅବଶ୍ୟ ଟୁପୁରୁ ଟାପୁରୁ ମାତ୍ର; ବିଶିଆ କୁଆଡେ ଧର୍ମ ଫର୍ମ ନମାନି ମଲ୍ଲିକାକୁ ଭଲ ପାଉଛି ଓ ବାହାହେବ। ଉଭୟ ବାଗଦତ୍ତା। 

ପ୍ରତିମା ପ୍ରଭାସକୁ କହେ, ଏସବୁ ଡାହା ମିଛ। ମଲ୍ଲିକାର ଏକମାତ୍ର ଚିନ୍ତା ତା ଆବ୍'ବା ଓ ଆମ୍ମି। ସେ ବାହାହେବାକୁ ମନକଲେ ତାକୁ କଣ ତାଙ୍କ ଧର୍ମରେ ପିଲା ଅଭାବ ହେବେ। ଅନେକ ଖୋଲାଖୋଲି ପ୍ରସ୍ତାବ ଦିଅନ୍ତି। ଆଉ ଏ ବିଶିଆ କଣ ତାହାର ସମାସ୍କନ୍ଦ? ତା ଛଡା ସେ ବୁଝିଛି ଶିକ୍ଷିତ ଯେହେତୁ ତାହାର ଏକ ଦାୟିତ୍ୱ ରହିଛି; ଅନ୍ୟ ମାନଙ୍କ ପାଇଁ, ସମାଜ ପାଇଁ, ତାଙ୍କ ସମ୍ପ୍ରଦାୟ ପାଇଁ ଓ ସର୍ବୋପରି ହୀନ୍ଦୁ ମୁସଲମାନ ଭାଇଚାରା ପାଇଁ।

ପ୍ରଭାସ ଭାବନ୍ତି ଲୋକେ ଏମିତି ଭାବିବାର ହେତୁ ଅବଶ୍ୟ ଅଛି। କେଉଁଠିକୁ ଯିବାର ଅଛି, ପରୀକ୍ଷା, ସାକ୍ଷାତକାର, ବଜାରଘାଟ ସବୁଥିରେ ବିଶିଆ ସାହାଯ୍ୟ କରେ ମଲ୍ଲିକାକୁ। ଘର ପାଖରେ ଘର, ବିଚାରୀର ଭାଇ ନାହିଁ। ଟିକେ ସାହାଯ୍ୟ ନେଇଗଲା ଭାଇ ବୋଲି ମନେକରି, ତା ମାନେ ତ ଭଲପାଇବା ନୁହେଁ। ବରଂ ସେ ଯେହେତୁ ଭିନ୍ନ ସମ୍ପ୍ରଦାୟର ତେଣୁ ଏମିତି ଭ୍ରମରେ କେହି ପଡିବେ ନାହିଁ ବୋଲି ସେ ଭାବିନେଇଥିଲା ଓ ଡରୁନଥିଲା। ସମୟ ଅସମୟରେ ସେ ତା ବିଶିଆ ଭାଇର ସାହାଯ୍ୟ ନେଇଥିଲା। 


ବିଶିଆ ସତକୁ ସତ ଯେଉଁଦିନ ତା ମନଖୋଲି କହିଲା, ସେ ଦିନ ମଲ୍ଲିକା ଢେର କାନ୍ଦିଲା, ତା ଦୁଃଖର ହେତୁ ଅବଶ୍ୟ ସେ ସ୍ଥିର କରିପାରିଲା ନାହିଁ। ସେଇଦିନଠୁ ସେ ଆଉ ବିଶିଆକୁ ଡକାହକା କରେନି। ସେ ଉପରେ ପଡି ତାଙ୍କ ଘରଆଡେ ଆସେ। ତା ଆବ୍'ବା ଆମ୍ମିଙ୍କ ସହ କଥା ହୁଏ। ପୁଣି ଯେବେ ମଲ୍ଲିକା ଶିକ୍ଷକ ପ୍ରଶିକ୍ଷଣ ନେଲା, ବିଶିଆର ଏକତରଫା ହରକତ ବଢିଗଲା। ଚାକିରି ପାଇଲା ପରେ ତ ସେ ବିଚଳିତ ହୋଇଗଲା। ସତେ ଅବା ମଲ୍ଲିକାକୁ କିଏ ନେଇଯିବ, ସତେ ଯେମିତି ତା ଉପରେ ତା ପାଠ ଉପରେ ଓ ତା ଚାକିରି ଉପରେ ବିଶିଆର ଦାବି ଅଛି। ଭଲପାଇବାରେ ଲୋଭର ଖାଦ ନା ଅସହାୟ ଭାବନା? ସେ ଏଣିକି ମଲ୍ଲିକାକୁ ଦେଖାଇ ନିଜ ଉପରେ ଅତ୍ୟାଚାର କରେ। ଯେନ ତେନ ପ୍ରକାରେଣ ମଲ୍ଲିକାର ଧ୍ୟାନ ଆକର୍ଷଣ କରେ। ଦିନେ ତ ତା ନିଜ ହାତକୁ କାଟିକୁଟି ପକାଇଲା। ଡାକ୍ତରଖାନା ଯିବା ପର୍ଯ୍ୟନ୍ତ କଥା ଗଲା।

ଶେଷ ଅସ୍ତ୍ର ଭାବେ ଧମକ ଚମକ ଦେବା ଆରମ୍ଭ କରିଥିଲା। -ତୋ ଉପରେ ତେଜାବି ପକାଇବି, ତୋ ଘର ଜାଳିଦେବି ଓ ସେମିତି କିଛି ଧମକ ଦିଏ। ମଲ୍ଲିକା ଏସବୁକୁ ଖାତିରି କରେ ନାହିଁ। କେବଳ କହେ, ବିଶିଆ ଭାଇ ତୁ ବାହା ହୋଇଯା, ସବୁ ଠିକ୍ ହୋଇଯିବ। କେତେ ଦୁଃଖ କଷ୍ଟରେ ଆମେ ଏ ଦୁନିଆରେ ଠିଆ ହୋଇଛୁ, ଏଇଟା କଣ ତୋର ଖୁସି ନୁହେଁ? ତୁ ଯାହା କହୁଛୁ ସେଇଟା ଭୟଙ୍କର କଥା। ସେମିତି କେବେ ହେଲାଣି? ଛି ଛି, ଏମିତି ପାଗଳ ଭଳି ହୋନିରେ । 

ବିଶିଆ କହିଲା, -ମୁଁ ଯଦି ଇସଲାମ କବୁଲ୍ କରିବି?

ମଲ୍ଲିକା ଉତ୍ତର ଦେଲା, - ହୁଏତ ଆମେ ସବୁ ଏ ଦୁନିଆ ଛାଡିବୁ।


ଏତିକି କଥା ପରେ ଅଳ୍ପଦିନ ଅନ୍ତରରେ ତାଙ୍କ ଘରେ ନିଆଁ ଲାଗିଗଲା। ଘରେ ତ ଚୁଲି ଜଳୁନଥିଲା। ଏହା ହେଲା କେମିତି? ଭୂତ ଆସି ନିଆଁ ଲଗାଇଲା ନା ଭୌତିକ କାଣ୍ଡ। ନିଶ୍ଚିତ ବିଶିଆ ଏମିତି କରିଥିବ।

ଅଥଚ ରାମଜାନି ପୋଲିସ ଆଗରେ କହିଦେଲା, କାହାଣୀ। ପୋଲିସ ମାନିଗଲା। 

ଆମ୍ମି ମଧ୍ୟ ଏକଥାକୁ ସମର୍ଥନ କଲା।

କିନ୍ତୁ ବିଶିଆ ବ୍ୟତିତ ଆଉ କେହି ଏକାମ କରିନାହାନ୍ତି; ପ୍ରତିମା ପାଖରେ ଏମିତି କହୁଥିଲା ମଲ୍ଲିକା। ଯଦି ତା ହାତ ନଥାନ୍ତା, ପଡୋଶୀ ହିସାବରେ ସେ ତ ପ୍ରଥମେ ଲିଭାଇବାକୁ ଆସିଥାନ୍ତା, ଅଥଚ ତାହାର ଦେଖାନଥିଲା। ଅବଶ୍ୟ ତା ବାପା ମାଆ, ଭାଇ ଭଉଣୀ ଆସି ଜିନିଷପତ୍ର କାଢିବାରେ ନିଆଁ ଲିଭାଇବାରେ ଲାଗି ପଡିଥିଲେ ଯାହା ସ୍ବଭାବିକ ଦେଖାଯାଏ।

ପ୍ରତିମା କିନ୍ତୁ ଟିକେ ସନ୍ଦେହ କଲା, - ଧରାଯାଉ ସେ ନିଆଁଲଗାଇଛି ତାହଲେ ମଧ୍ୟ ତା ଉପରେ ସନ୍ଦେହ ନହେବାପାଇଁ ସେ ତ ଆସି କାମରେ ଲାଗିଥାନ୍ତା ନା? ବୋଧହୁଏ ସେ ସତକୁ ସେଦିନ ନଥିଲା, ତା ମାମୁଁ ଘରକୁ ହିଙ୍ଗୁଳା ଯାତ ଦେଖିବାକୁ ଯାଇଥିଲା; ଯାହା ତାଙ୍କର କହୁଛନ୍ତି।।

-ନା ପ୍ରତିମା, ଏଇଟା ତା ବୁଦ୍ଧିର ଖେଳ। ସେ ବୋଧେ ଯିବାର ବନ୍ଦୋବସ୍ତ କରି ଏପଟେ ଲଗାଇ ଦେଇଥିବ ନିଆଁ। ନହେଲେ ଦେଖୁନୁ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ବୋଲି ସଫେଇ ଦେଉଛନ୍ତି ପରିବାର ସାରା। ଆବ୍'ବା ତ କହିଲେ କି ଷ୍ଟୋଭରୁ ନିଆଁଲାଗିଲା, ଏହା ସତ୍ତ୍ୱେ ତାଙ୍କର ସଫେଇ ଦେବାରେ କଣ ଆବଶ୍ୟକତା ଥିଲା।

-ନା ମଲ୍ଲିକା, ଗାଁ ସାରା ଟୁପୁରୁଟାପୁରୁ ହେଉଛନ୍ତି। ସରଳିଆ ଲୋକେ ସେମିତି ଉପରେ ପଡି କହୁଥିବେ।

ଚିନ୍ତା କଲା ମଲ୍ଲିକା ମୁଣ୍ଡରେ ହାତ ଦେଇ। -ଆମ୍ମି ସେମିତି କହୁଛି। ସେ କହିଲା, ବିଶିଆ ମା ଆଦୌ ମିଛ କହୁନାହାନ୍ତି। ମିଛ ଓ ସତ ମଧ୍ୟରେ ପାର୍ଥକ୍ୟ କୁଆଡେ ତାଙ୍କୁ ଜଣା। ହେଉ ତେବେ ଏହା ଭୂତର କାମ।

-ନା ସେମିତି ନୁହେଁ। କୌଣସି କାରଣରୁ ନିଆଁ ଲାଗିଛି କିମ୍ବା ଆଉ କାହାର କାମ। ଦେଖାଯାଉ ଆଗକୁ କଣ ହେଉଛି?


ବିଶିଆର ବାହାହେବା ନିଶା କିନ୍ତୁ ଉତ୍ତୁରି ଯାଇଥିଲା।

ଲୋକେ କିଛି ଭାବୁଥିଲେ ରାମଜାନି ଡରିଗଲା। ଆଉ କେତେକ କହୁଥିଲେ ସେ ଦୟାଳୁ ମଣିଷ। ପୁଣି କେତେକ କହୁଥିଲେ ସେ ସମୟ ନେଇଛି ସତ କଣ ଜାଣିବା ପାଇଁ।

ଏହା ମଧ୍ୟରେ ତା ନାମରେ ଗୃହୋପଯୋଗୀ ଜମି ଖଣ୍ଡେ ପଟ୍ଟା ମିଳିଛି। ଈନ୍ଦିରା ଆବାସ ପାଇଁ ଟଙ୍କା ମିଳିଛି। ବିଭିନ୍ନ ସାହାଯ୍ୟରୁ ସେ ପୋଡା ଘରଟିକୁ ସଜାଡି ରହିଛି। ନୂଆ ଘର ମଧ୍ୟ ତିଆରି ଚାଲିଛି। ଆପାତତଃ ସବୁ ସୁରୁଖୁରୁରେ ଚାଲିଛି।


ଦିନେ ମଠକୁ ଯାଇଥାଏ ରାମଜାନି ବଗିଚାରେ କିଛି ସେବା ଦେବାକୁ। ସେଇଠି ସେ ଦୁଇଯୁବକ ଦେଖାହେଲେ ଯେଉଁମାନେ ଦିନେ ତା ପରାତଟିକୁ ଦେଖିଥିଲେ। ମିଥ୍ୟା ଚୋରି କେଶରେ ତାକୁ ଯେତେ ବାଧିନଥିଲା ତାହାଠୁ ଅଧିକ ବାଧିଥିଲା ଏହି ପରାତ ଘଟଣା। ସେ ଦୁହେଁ ତା ସହ ଭଦ୍ର ବ୍ୟବହାର କଲେନାହିଁ। ତାକୁ ମଠକୁ ଆସିବାକୁ ବାରଣ କଲେ। କେବେ ରାଗୁନଥିବା ରାମଜାନି ହଠାତ୍ ରାଗିଗଲା। - କାଲକା ଛୋରା, ଯା ତେରା ବାପକୋ ବୁଲାଓ। ୱ ବୋଲେଗା ତୋ ହମ ଇଧର ନେହିଁ ଆଏଗା। ମହନ୍ତ ବୋଲେଙ୍ଗେ ତୋ ନେହିଁ ଆଏଗା, ମହାଜନ ବୋଲେଙ୍ଗେ ତୋ ନେହିଁ ଆଏଗା। ତୁମେ ସବୁ କିଏ? ଗାଲଚିପିଦେଲେ ଦୁଧ ବାହାରିଯିବ। ମୋ ପିଛାରେ ପଡିଛ। ଗୋଟେ ମଣିଷ ମୁଁ, ଏ ଗାଁ ମାଟି, ପାଣି, ପବନ, ସ୍ନେହ ଶ୍ରଦ୍ଧା, ଗୁରୁ ଗୁରୁଜନ ବିଚାର ଆହୁରି କେତେ ସବୁ ଭାବନା ନେଇ ରହିଛି। ତୁମେ କେଇଟା ଉଦଭ୍ରାନ୍ତ ଯୁବକ ମୋତେ ବେଇଜ୍ଜତ କରିବ?

ମହନ୍ତ ବାହାରି ଆସିଲେ।ଯୁବକ ଦୁଇକୁ ତାଗିଦ କରି କହିଲେ। "ଦିନେ ବଗିଚାରେ ପାଣି କଳସିଏ ଢାଳିଛ? ଗଛ ସବୁ ରାମଜାନିକୁ ଝୁରନ୍ତି। ସେ ନଆସିଲେ ଫୁଲଫୁଟିବା କମିଯାଏ। ଅଥଚ ତୁମେ ତାକୁ ବାରଣ କରୁଛ। ଗୋସେଇଁଙ୍କ ଅସଲ ଭକ୍ତକୁ ବାରଣ କରୁଛ? ଏତେ ଉଦ୍ଧତ କାହା ସାହସରେ? 

କାହା ସାହସରେ? ଭାବୁଥିଲା ରାମଜାନି।


ଅପମାନିତ ଯୁବକ ଦ୍ୱୟ କିଛି ଦୁଃଖ ନକରି କ୍ରୋଧରେ ଫେରିଗଲାବେଳେ ବିଳିବିଳେଇ କଣସବୁ କହିଗଲେ। ରାମଜାନି ସେକଥା ବୁଝି ନବୁଝିଲା ପରି ମୌନ ରହିଲା।

ସମକାଳରେ ବିଶିଆ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କଲା। ଏକଥା ସମସ୍ତେ ଜାଣିଲେ।

ଘର ତିଆରି ସରିଲା। କେବେ କେବେ ଡେରିରାତିରେ ବିଶିଆ ଆସି ରାମଜାନି ସହ କଣ କଥା ହୁଏ, ଗୁପ୍ତରେ। ମଲ୍ଲିକା ଓ ମହକ ଆକଟ କଲେ ରାମ କିଛି ମାନେନି, ପଚାରିଲେ ଘଟଣା କଣ କହେନି।

ପ୍ରଭାସ ଗ୍ରାମକୁ ଯାଇଥିଲେ। ରାମଜାନି ଘରେ ବେଶ୍ କିଛି ସମୟ ବସିଲେ।

ଓ ହୋ ତାହେଲେ ସେମାନଙ୍କ କାମ! 

 ସାଙ୍ଗର ଭାଇ, ମଲ୍ଲିକା ଗୋଡ ତଳେ ପଡୁନଥାଏ। ଭାଇ ତୁମ୍ଭ ରାତ୍ରିଭୋଜନ ଏଇଠି।

-ବାଃ ବହୁତ ସୁନ୍ଦର ରୋଷେଇ କରୁଛୁ ମଲ୍ଲୀ, ବାଃ।

ହଁ ରାମଭାଇ, ତୁମ ନିର୍ଣ୍ଣୟରେ ମୋର ସହମତି ଅଛି। ମୁଁ ବଦଳି ଦାୟିତ୍ୱ ନେଉଛି, ବାକିକଥା ତୁମେ ବୁଝିବ।

ମଲ୍ଲିକା କି ମହକ କିଛି ବୁଝି ପାରିଲେ ନାହିଁ। 

କିଛିଦିନ ପରେ ମଲ୍ଲିକାର ବଦଳି ହୋଇଗଲା ଅନ୍ୟତ୍ର। ବିଶିଆକୁ ଘରର ଚାବି ଦେଇ ସେମାନେ ବାହାରି ପଡିଲେ। 

ରହସ୍ୟ କେବଳ ଜାଣିଲେ ରାମଜାନି, ପ୍ରଭାସ ଓ ବିଶିଆ। 

ଗୋଟିଏ ଗାଁ ତା ବୈଶିଷ୍ଟ୍ୟ ହରାଇଲା। ରାମଜାନି ସପରିବାରେ ନିଜ ଗାଁ, ନିଜ ଜନ୍ମମାଟି, ସ୍ନେହ, ଶ୍ରଦ୍ଧା, ଦିଅଁ ଦେବତା, ଗୋସାଇଁ ଓ ମଠ, ସବୁ କିଛି ତ୍ୟାଗ କରି ଚାଲିଗଲା। ସେଦିନ ପ୍ରକାଶ୍ୟରେ ଲୁହ ଝରିଥିଲା ମହାଜନ ଓ ମହନ୍ତଙ୍କ ଆଖିରୁ। ହୁଏତ ବିଶିଆ ତା ଏକତରଫା ଭଲପାଇବାକୁ ହରାଇଥିଲା, ସେ ବି କାନ୍ଦୁଥିଲା। ମଲ୍ଲିକାର ସାଙ୍ଗ ସାଥୀ ସବୁ ରୋଦନ କରୁଥିଲେ ନିଜ ନିଜ ସ୍ଥାନରେ। ଏମିତି ଶୋକାକୁଳ ପରିସ୍ଥିତି ଗାଆଁରେ କେବେ ଦେଖିନଥିଲେ କେହି। ସତେ ଅବା ରାମପୁରବାସୀଙ୍କ ହୃଦୟରେ ଗୋଟିଏ ଗୋଟିଏ କଣା ହୋଇଯାଇଥିଲା। ଯେମିତି ପୁଣି ଏକ ବିଭାଜନ ହୋଇଯାଇଥିଲା ବିଶାଳ ସାମ୍ରାଜ୍ୟ ରାମପୁରରେ। ପ୍ରବାସରେ ଦୁଇଟୋପା ଲୁହ ଝରିପଡିଥିଲା ପ୍ରଭାସଙ୍କ ଆଖିରୁ।

ଏତେସଵୁ ଲୁହ ହୁଏତ ନିର୍ଦ୍ଦିଷ୍ଟ ମଣିଷ ଉପରେ ନପଡି ପଡିଥିଲା ମଠ ଉପରେ। ମହନ୍ତ ଅଚାନକ ଦେହତ୍ୟାଗ କଲେ। ବଗିଚାରେ ଫୁଲଗଛ ସବୁ ବେସାହାରା ଲୋପ ପାଇଯାଇଥିଲେ।

ହଠାତ ଦିନେ ସେହି ଉଦଭ୍ରାନ୍ତ ଯୁବକ ଦୁଇ ପହଞ୍ଚିଥିଲେ ରାମଜାନିର ନୂଆ ଯାଗାରେ। ରାମଜାନି ସେମାନଙ୍କୁ ଦେଖି ଖୁବ୍ ଉତ୍ତେଜିତ ହୋଇପଡିଲା। ମନେ ମନେ ଭାବିଲା ଆଜି ତୁମର ଦିନକୁ ମୋର ଦିନେ। କିନ୍ତୁ ନିଜକୁ ସମ୍ଭାଳିନେଲା। 

ଯୁବକ ଦ୍ବୟ ଯୋଡହସ୍ତରେ କହୁଥିଲେ, -ଚାଚା ଆମ୍ଭଙ୍କୁ କ୍ଷମା କରିଦିଅ। ତୁମେ ଗାଁ ଛାଡିଲା ଦିନୁ ଆମ୍ଭେ ଦୁହେଁ ବହୁତ ଦୁଃଖରେ ଅଛୁ। ମୃତ୍ୟୁ ପୂର୍ବରୁ ମହନ୍ତ ପରାମର୍ଶ ଦେଇଥିଲେ ତୁମ୍ଭକୁ ଫେରାଇ ଆଣିବାକୁ୍। ନଚେତ ଆମକୁ ପାପ ଲାଗିବ। 

ରାମଜାନି ଆଉ ସେମାନଙ୍କୁ ଅଧିକ କହିବାକୁ ଦେଲା ନାହିଁ। ଲମ୍ବା ଶରୀର ତାହାର, ଦୁଇ ଯୁବକଙ୍କୁ ଦୁଇ ହାତରେ କୋଳାଇ ଆଣିଲା। ରାମଜାନି ଜରୁର୍ ଫେରିବ। ଆପଣାର ଜନ୍ମମାଟି, ଆପଣା ଗାଁ ପୋଖରୀ ଭଳି ଶୀତଳତା କେଉଁଠି ନାହିଁ। ଆପଣା ମଠର ବଗିଚାରେ ଫୁଲ ଫୁଟିଲେ ମନେ ହୁଏ ଆପଣାର ଛାତିରେ ଏହା ଶୋଭା ପାଉଛି। ବହୁତ ଆଦର ଯତ୍ନ କରି ରାମର ପରିବାର ସେମାନଙ୍କ ଚର୍ଚ୍ଚାବାର୍ଚ୍ଚା କରି ଫେରାଇଲେ।

ମଲ୍ଲିକା ଏବେ ବିବାହିତା ଓ ସୁଖରେ ଅଛି। ମହକ ତା ରୋଗର ବୋଝରୁ ମୁକ୍ତ ହୋଇ ଆଲ୍ଲାଙ୍କ ଡାକରା ପାଇଗଲାଣି। 

ପୁଣିଥରେ ଗାଁ ମଠର ବଗିଚା ଭରପୁର ହୋଇଗଲାଣି ଫୁଲରେ। ରାମଜାନି ଦିନସାରା ଲାଗିଥାଏ ସେଠି। ପାଞ୍ଚ ଝିଅ ଜ୍ୱାଇଁ ପରସ୍ପର କଥାହୋଇ ବହୁତ ଥର ବାପଘରକୁ ଆସନ୍ତି। ସାରା ଗାଁର ଶ୍ରଦ୍ଧା ରାମ ଉପରେ। ମନେହୁଏ ରାମଜାନି ଓ ରମଜାନ ଖାଁର ଜୀବନ ସଫଳ ଓ ପରିପୂର୍ଣ୍ଣ। 


ଜଣାନାହିଁ ଶେଷରେ ସେ କାହା ପାଖକୁ ଯିବ; କାଳିଆ ଗୋସେଇଁ ଅବା ଆଲ୍ଲାଙ୍କ ଦରବାରକୁ। ହୋଇପାରେ ସେ ପୁରରେ ନାହିଁ ଏ ପୁରର ମନଗଢା ବିଭାଜନ।


My first story written after the death of sir. Whenever I write a story, I feel I am sitting for an exam where the examiner is so loving sir. For this story too, I followed the same pattern. First read a random story of MD and then started my story. 

Hope I did not fail.


Rate this content
Log in

Similar oriya story from Tragedy